ଏହି ସେତୁ ଦ୍ବୟ ଅବଶିଷ୍ଟ ଭାରତକୁ କାଶ୍ମୀର ସହିତ ସାମାଜିକ, ଆର୍ଥିକ ଓ ଆବେଗିକ ସୂତ୍ରରେ ମଧ୍ୟ ଯୋଡ଼ିବେ। ଏଭଳି ଯୋଡୁଥିବା କାରଣରୁ ପୃଥିବୀ ସାରା େସତୁଗୁଡ଼ିକ କେବଳ ମାତ୍ର ‘ପୋଲ’ ଭାବେ ପରିଗଣିତ ନ ହୋଇ ପ୍ରତୀକରେ ପରିଣତ ହୁଅନ୍ତି ଏବଂ ସେହି କ୍ରମରେ ଦେଶ ବା ସ୍ଥାନର ପରିଚୟ ଚିହ୍ନ ପାଲଟନ୍ତି; େଯମିତି ଯୁକ୍ତରାଷ୍ଟ୍ର ଆମେରିକାର ‘ଗୋଲଡେନ ଗେଟ’ (ସାନ ଫ୍ରାନ୍ସିସ୍କୋ) ବା ‘ବ୍ରୁକଲିନ ବ୍ରିଜ୍’ (ନ୍ୟୁୟର୍କ) ବା ଇଂଲାଣ୍ଡର ‘ଲଣ୍ଡନ ବ୍ରିଜ୍’ (ଲଣ୍ଡନ) ବା ଭାରତର ହାଓଡ଼ା ପୋଲ (କୋଲକାତା) ବା ଅଟଳ ସେତୁ (ମୁମ୍ବାଇ)।
ପହଲଗାମ ଆତଙ୍କବାଦୀ ଗଣହତ୍ୟା ପରେ ସହସା ଗଭୀର ଏବଂ ବିମର୍ଷକର ନିରବତା ମଧ୍ୟକୁ ଠେଲି ହୋଇଯାଇଥିବା କାଶ୍ମୀର ପୁଣି ଥରେ ଆଶା, ଉତ୍ସାହ ଓ ଚଳଚଞ୍ଚଳତା ମଧ୍ୟକୁ ଫେରି ଆସିବାର ଉପକ୍ରମ କରିଛି, ଯାହାର କାରଣ ଚେନାବ ଓ ଅଞ୍ଜି ନଦୀ ଉପରେ ନିର୍ମିତ ଦୁଇଟି ସେତୁ, ଯଦ୍ଦ୍ବାରା ଆକ୍ଷରିକ ଅର୍ଥରେ କନ୍ୟାକୁମାରୀ ସହିତ କାଶ୍ମୀର ସଂଯୁକ୍ତ ହୋଇଛି। ଗଲା ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଏହି ସେତୁ ଦୁଇଟି ଲୋକାର୍ପିତ ହେବା ପରେ ଜାମ୍ମୁର କଟରା ଠାରୁ ସଙ୍ଗଲଦାନ ପର୍ଯ୍ୟନ୍ତ ୬୩ କିଲୋମିଟର ଦୀର୍ଘ ରେଳ ଲାଇନ କାର୍ଯ୍ୟକ୍ଷମ େହବା ସହିତ ଉଦ୍ଦାମପୁର-ବାରମୂଳା (୨୭୨ କିଲୋମିଟର) ରେଳ ଯୋଗାଯୋଗ ସଂପୂର୍ଣ୍ଣ ହୋଇଛି। ପ୍ରକାଶ ଥାଉ କି, ଏହା ପୂର୍ବରୁ ଦିଲ୍ଲୀ ଅଥବା ଭାରତର ଅନ୍ୟାନ୍ୟ ସ୍ଥାନରୁ ରେଳ ଯୋଗେ କେବଳ କଟରା ପର୍ଯ୍ୟନ୍ତ ଯିବା ହିଁ ସମ୍ଭବ ହେଉଥିଲା। ଭାରତ ଭଳି ଏକ ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ର, ଯେଉଁଠାରେ ଭିତ୍ତିଭୂମିଗତ ବିକାଶ ବିଶେଷ ଗୁରୁତ୍ବ ପାଇଥାଏ, ସେଠାରେ ମାତ୍ର ୧୩୫୦ ମିଟର ଓ ୭୨୫.୫ ମିଟରର ଦୀର୍ଘ ଦୁଇଟି ରେଳ ସେତୁ ବିଶେଷ ପ୍ରଣିଧାନଯୋଗ୍ୟ ହୁଅନ୍ତେ ନାହିଁ; ଯଦି ସେ ଯୋଡ଼ିକ ଅନେକ ବୈଶିଷ୍ଟ୍ୟର ଅଧିକାରୀ, ବିଶେଷ ସଂକେତବାହୀ ଓ ପରିଚୟର ଶଙ୍କୁ ହୋଇ ନ ଥାଆନ୍ତେ। ସୁତରାଂ, ଏ ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ଏଠାରେ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଏହି ରେଳ ସେତୁ ଦ୍ବୟ ହେଉଛନ୍ତି ଭାରତୀୟ ପ୍ରଯୁକ୍ତିଗତ ଉତ୍କର୍ଷର ଚମତ୍କାର ପ୍ରମାଣ; ଯେମିତି ଚେନାବ ସେତୁ ହେଉଛି ପୃଥିବୀର ସର୍ବୋଚ୍ଚ ‘ଆର୍ଚ୍ ବ୍ରିଜ୍’ ବା ‘ତୋରଣାଶ୍ରୟୀ ସେତୁ, ଯାହାର ଉଚ୍ଚତା ଫ୍ରାନ୍ସର ଆଇଫିଲ ଟାୱାର ଠାରୁ ୩୫ ମିଟର ଅଧିକ ଏବଂ କୁତବ ମିନାରର ପାଞ୍ଚ ଗୁଣ; ଅଞ୍ଜି ସେତୁ ହେଉଛି ଏକ ‘କେବଲ ଷ୍ଟେଡ୍ ବ୍ରିଜ୍’, ଯହିଁରେ ସେତୁଟିକୁ ଶୂନ୍ୟରେ ଝୁଲାଇ ରଖିଛନ୍ତି ୯୬.ଟି ବଜ୍ରସମ ଦୃଢ଼ କେବଲ! କେବଳ ସେତିକି ନୁହେଁ, ହିମାଳୟ ପାର୍ବତ୍ୟାଞ୍ଚଳର ଅଭିନବ ଭୂ-ପୃଷ୍ଠ ସଂରଚନା, ସ୍ଥାନ ଦ୍ବୟର ଭୌଗୋଳିକ ଅବସ୍ଥିତି ଏବଂ ହେମାଳ ପରିବେଶ ଦୃଷ୍ଟିରୁ ସେତୁ ଦୁଇଟିକୁ ଯେଉଁ ଅସାଧାରଣତା ପ୍ରଦାନ କରାଯାଇଛି, ତାହା ହେଲା ରିଚର ସ୍କେଲରେ ୮ ପଏଣ୍ଟ ପର୍ଯ୍ୟନ୍ତ ତୀବ୍ର ଭୂକଂପ, ଘଣ୍ଟାକୁ ୨୨୦ କିଲୋମିଟର ପର୍ଯ୍ୟନ୍ତ ବେଗବାନ ପବନ ଏବଂ ‘ବିଯୁକ୍ତ ୨୦ ଡିଗ୍ରି’ ସେଲସିଅସ ପର୍ଯ୍ୟନ୍ତ ରକ୍ତ ଜମାଟକାରୀ ଶୀତଳତାକୁ ସହ୍ୟ କରି ପାରିବାର ସାମର୍ଥ୍ୟ। ପ୍ରକାଶ ଥାଉ କି, ଆଇ.ଆଇ.ଟି ଦିଲ୍ଲୀର ସହଯୋଗରେ ବେଙ୍ଗାଲୁରୁସ୍ଥିତ ‘ସର୍ବଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ’ ବା ‘ଆଇ.ଆଇ.ଏସ.’ ଦ୍ବାରା ପ୍ରସ୍ତୁତ ସୂକ୍ଷ୍ମ ଡିଜାଇନ ହିଁ ଏହାକୁ ସମ୍ଭବ କରିଛି। କହିବା ବାହୁଲ୍ୟ ଯେ ତୀବ୍ର ଭୂମିକଂପପ୍ରବଣ ଅଞ୍ଚଳରେ ହିମାଳୟ ଭଳି ଏକ ତରୁଣ, ଭଙ୍ଗୁର ଏବଂ ଦ୍ରୁତ-ବିବର୍ତ୍ତନଶୀଳ ପର୍ବତ ଶ୍ରେଣୀ ପରିପ୍ରେକ୍ଷୀରେ ନିରାପଦ ସେତୁ ଦ୍ବୟର ଡିଜାଇନ ପ୍ରସ୍ତୁତି ଅତ୍ୟନ୍ତ ଆହ୍ବାନଭରା ଥିଲା, ଯେଉଁ କାରଣରୁ ଡିଜାଇନ୍ ପ୍ରସ୍ତୁତିର ପ୍ରାରମ୍ଭରୁ ପ୍ରକଳ୍ପ ଶେଷ ହେବା ମଧ୍ୟରେ ଅତିକ୍ରାନ୍ତ ହୋଇଯାଇଥିଲା ଦୀର୍ଘ ୧୭ ବର୍ଷ। ସେହି ଦୃଷ୍ଟିରୁ ସେତୁ ଯୋଡ଼ିକ ଭାରତୀୟ ପ୍ରାବିଧିକ ସାମର୍ଥ୍ୟ ସକାଶେ ଏକ ସ୍ବୀକୃତି। କେବଳ ସେତିକି ନୁହେଁ, ଏହି ପ୍ରକଳ୍ପର ଡିଜାଇନ ପ୍ରସ୍ତୁତିରେ ନେତୃତ୍ବ ନେଇଥିଲେ ‘ଆଇ.ଆଇ.ଏସ.’ର ବରିଷ୍ଠ ପ୍ରଫେସର ତଥା ବିଚକ୍ଷଣ ସିଭିଲ ଇଂଜିନିଅର ମାଧବୀଲତା, ଯିଏ ଆଧୁନିକ ଭାରତର ସେହି ଅସଂଖ୍ୟ ନାରୀମାନଙ୍କ ମଧ୍ୟରୁ ଅନ୍ୟତମ, ଯେଉଁମାନେ ନିରନ୍ତର ଭାବେ ପୁରୁଷଙ୍କ ଗଡ଼ରେ ପ୍ରବେଶ କରି ସେମାନଙ୍କ ଆଧିପତ୍ୟକୁ କ୍ଷୁଣ୍ଣ କରିବାରେ ଲାଗିଛନ୍ତି। ସେହି ଦୃଷ୍ଟିରୁ ମଧ୍ୟ ସେତୁ ଦ୍ବୟ ସ୍ବାତନ୍ତ୍ରୢର ପରିଚାୟକ। ସଂପ୍ରତି ‘ଅପରେସନ ସିନ୍ଦୂର’ ସଂଦର୍ଭରେ ଯେତେବେଳେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଅତ୍ୟନ୍ତ ତୀବ୍ର ହୋଇଛି, ସେତିକି ବେଳେ କାଶ୍ମୀର ଏବଂ ପାକ୍ ଅଧିକୃତ କାଶ୍ମୀର ମଧ୍ୟରେ ଥିବା ବୈସାଦୃଶ୍ୟ ଓ ତାରତମ୍ୟ ଅଧିକ ସ୍ପଷ୍ଟ ହୋଇଥାଏ, କାରଣ ସୀମାର ଏ ପାରିରେ ଉଚ୍ଚାଭିଳାଷୀ ଭିତ୍ତିଭୂମି ନିର୍ମାଣର ସ୍ବପ୍ନ ପୂରଣ, ପ୍ରାବିଧିକ ଉତ୍କର୍ଷ ଓ ବିକାଶର ଚିତ୍ର ଦୃଷ୍ଟିଗୋଚର ହେଉଥିବା ବେଳେ ଆର ପଟେ ଆତଙ୍କବାଦୀ ତିଆରି କାରଖାନାମାନ ମଧ୍ୟ-ଯୁଗୀୟ ଆଦର୍ଶକୁ ରୂପ ଦେବାରେ ନିୟୋଜିତ। ସେତୁ ଦ୍ବୟ ସେହି ଦୃଷ୍ଟିରୁ ମଧ୍ୟ ଅତ୍ୟନ୍ତ ଅର୍ଥପୂର୍ଣ୍ଣ ଭାବେ ସାଂକେତିକ।
ପ୍ରକାଶ ଥାଉ କି, ହିମାଳୟ ପର୍ବତର ଗଭୀର ଭାଙ୍ଗ ମଧ୍ୟ ଦେଇ ପ୍ରବାହିତ ହେଉଥିବା ଚେନାବ ଓ ଅଞ୍ଜି ନଦୀକୁ ଅତିକ୍ରମ କରି ଜାମ୍ମୁ ଅଞ୍ଚଳ ସହିତ କାଶ୍ମୀରକୁ ଏକ ସଳଖ ପଥରେ ଯୋଡ଼ିବାର ସ୍ବପ୍ନ ଓ ଉଦ୍ୟମ ପରିଦୃଷ୍ଟ ହୋଇଥିଲା କାଶ୍ମୀରର ଡୋଗ୍ରା ନରପତି ପ୍ରତାପ ସିଂହଙ୍କ ରାଜତ୍ବ କାଳରେ(୧୮୮୫-୧୯୨୫)। ସେ ଏହାର ଦାୟିତ୍ବ କିଛି ବ୍ରିଟିସ ଇଂଜିନିଅରଙ୍କୁ ଦେଇଥିଲେ ମଧ୍ୟ। କିନ୍ତୁ, ଏଭଳି ଏକ ବୃହତ୍ ଓ ଆହ୍ବାନଭରା ପ୍ରକଳ୍ପକୁ ରୂପାୟନ କରିବା ଲାଗି ସେ ସମୟରେ ଉଭୟ ସମ୍ବଳ ଏବଂ ପ୍ରାବିଧିକ ସାମର୍ଥ୍ୟର ଯେ ଅଭାବ ଥିଲା, ତାହା କହିବା ବାହୁଲ୍ୟ ମାତ୍ର! ଏହା ପରେ ୧୯୮୩ ମସିହାରେ ଯାଇ ଇନ୍ଦିରା ଗାନ୍ଧୀଙ୍କ ପ୍ରଧାନମନ୍ତ୍ରିତ୍ବ ସମୟରେ ଜାମ୍ମୁରୁ ଉଦ୍ଦାମପୁର ପର୍ଯ୍ୟନ୍ତ ୫୪ କିଲୋମିଟର ଦୀର୍ଘ ରେଳ ଯୋଗାଯୋଗର ପ୍ରସ୍ତାବ ସହିତ ଏ ଦିଗରେ ପ୍ରୟାସର ଶୁଭାରମ୍ଭ ହୋଇଥିଲା। କିନ୍ତୁ କାଶ୍ମୀରରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ଶିରୋତ୍ତୋଳନ କରି ସାରିଥିବାରୁ ପ୍ରକଳ୍ପ କାର୍ଯ୍ୟ ଆଦୌ ଆରମ୍ଭ ହୋଇ ପାରି ନ ଥିଲା। ଏହାର ଦୁଇ ବର୍ଷ ମଧ୍ୟରେ ଇନ୍ଦିରା ଗାନ୍ଧୀଙ୍କ ନିଧନ ହୋଇଥିଲା; ତା’ ପରେ ୧୯୮୬ ମସିହାରେ ରାଜୀବ ଗାନ୍ଧୀଙ୍କ ଦ୍ବାରା ପୁନର୍ବାର ସେହି ସ୍ଥାନରେ ସେହି ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲା, ଯାହା ମଧ୍ୟ କୌଣସି ଅଗ୍ରଗତି ଦେଖିବାର ସୌଭାଗ୍ୟ ଲାଭ କରି ନ ଥିଲା। ପରବର୍ତ୍ତୀ କାଳରେ ପି.ଭି. ନରସିଂହ ରାଓ, ଏଚ୍.ଡି. ଦେବଗୌଡ଼ା, ଆଇ.କେ. ଗୁଜରାଲ, ଅଟଳ ବିାହାରୀ ବାଜପେୟୀ ଏବଂ ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରିତ୍ବ ଅଧୀନରେ ଜାମ୍ମୁର ଅନନ୍ତନାଗରୁ ବାରମୂଳା ପର୍ଯ୍ୟନ୍ତ ରେଳ ପଥର କାର୍ଯ୍ୟ ଛେକ ପରେ ଛେକ କ୍ରମରେ ଅଗ୍ରଗତି ଲାଭ କରିଥିଲା, ଯହିଁରେ ଜାମ୍ମୁ ପଟୁ ଅନନ୍ତନାଗରୁ କଟରା ପର୍ଯ୍ୟନ୍ତ ଏବଂ କାଶ୍ମୀର ପଟୁ ବାରମୂଳାରୁ ଜାମ୍ମୁ ଅନ୍ତର୍ଗତ ସଙ୍ଗଲଦାନ ପର୍ଯ୍ୟନ୍ତ ରେଳ ଚଳାଚଳ ସମ୍ଭବ ହୋଇଥିଲା ସତ, କିନ୍ତୁ ଚେନାବ ଏବଂ ଅଞ୍ଜି ନଦୀର ଅବସ୍ଥିତି ହେତୁ ରେଳ ଶିିକୁଳିଟି ସଂପୂର୍ଣ୍ଣ ହେବା ଲାଗି ଦୁଇଟି ସେତୁ ରୂପକ କଡ଼ିର ଆବଶ୍ୟକତା ଥିଲା। ସୁତରାଂ, ଏହି ଶୃଙ୍ଖଳରେ ସପ୍ତମ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳ ମଧ୍ୟରେ ଦୁଇଟି ସେତୁର ନିର୍ମାଣ ସହିତ ସେହି ଶୂନ୍ୟସ୍ଥାନ ପୂରଣ କରି ଦିଆଯାଇପାରିଛି। ଏଠାରେ ସ୍ମରଣଯୋଗ୍ୟ, ଅଟଳ ବିହାରୀ ବାଜପେୟୀଙ୍କ ଦ୍ବାରା ଏହି ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପର ମାନ୍ୟତା ପ୍ରଦାନ କରାଯାଇଥିଲା। ଅତ୍ୟନ୍ତ ମନ୍ଥର ଗତିରେ ରେଳ ପ୍ରକଳ୍ପର କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିଲେ ହେଁ ଯାହା ଆଶ୍ବାସନା ପ୍ରଦାନକାରୀ, ତାହା ହେଲା ରାଜନୈତିକ ଆଦର୍ଶଗତ ତୀବ୍ର ବିଭାଜନ ସତ୍ତ୍ବେ ସମସ୍ତ କ୍ଷମତାସୀନ ଦଳ ଏହି ପ୍ରକଳ୍ପକୁ ସାକାର କରିବାରେ ଭୂମିକା ନିର୍ବାହ କରିଛନ୍ତି। ଜାମ୍ମୁ ଓ କାଶ୍ମୀରର ରାଜନୈତିକ ଅସ୍ଥିରତା, ଆତଙ୍କବାଦ ଏବଂ ଭୌଗୋଳିକ ଓ ପାରିବେଶିକ ପ୍ରତିକୂଳତା ଦୃଷ୍ଟିରୁ ଏହି ରେଳପଥ ଏକ ସ୍ମରଣୀୟ ସାଫଲ୍ୟ କାହାଣୀ ହୋଇ ରହିବ।
ଏହି ସେତୁ ଦୁଇଟି ଦ୍ବାରା ଜାମ୍ମୁ ଓ କାଶ୍ମୀର ମଧ୍ୟରେ ଦୂରତା ହ୍ରାସ ପାଇଛି, ଅନ୍ୟଥା ଯାହା ଭୂ-ସ୍ଖଳନର ଆଶଙ୍କା ବହନକାରୀ ବୁଲାଣି ଘାଟୀ ରାସ୍ତାରେ ଦୀର୍ଘ ସମୟର କ୍ଳାନ୍ତିପ୍ରଦ ଯାତ୍ରା ପରେ ଯାଇ ସମାପ୍ତ ହେଉଥିଲା। କେବଳ ସେତିକି ନୁହେଁ, ଏହି ସେତୁ ଦ୍ବୟ ଅବଶିଷ୍ଟ ଭାରତକୁ କାଶ୍ମୀର ସହିତ ସାମାଜିକ, ଆର୍ଥିକ ଓ ଆବେଗିକ ସୂତ୍ରରେ ମଧ୍ୟ ଯୋଡ଼ିବେ। ଏଭଳି ଯୋଡୁଥିବା କାରଣରୁ ପୃଥିବୀ ସାରା େସତୁଗୁଡ଼ିକ କେବଳ ମାତ୍ର ‘ପୋଲ’ ଭାବେ ପରିଗଣିତ ନ ହୋଇ ପ୍ରତୀକରେ ପରିଣତ ହୁଅନ୍ତି ଏବଂ ସେହି କ୍ରମରେ ଦେଶ ବା ସ୍ଥାନର ପରିଚୟ ଚିହ୍ନ ପାଲଟନ୍ତି; େଯମିତି ଯୁକ୍ତରାଷ୍ଟ୍ର ଆମେରିକାର ‘ଗୋଲଡେନ ଗେଟ’ (ସାନ ଫ୍ରାନ୍ସିସ୍କୋ) ବା ‘ବ୍ରୁକଲିନ ବ୍ରିଜ୍’ (ନ୍ୟୁୟର୍କ) ବା ଇଂଲାଣ୍ଡର ‘ଲଣ୍ଡନ ବ୍ରିଜ୍’ (ଲଣ୍ଡନ) ବା ଭାରତର ହାଓଡ଼ା ପୋଲ (କୋଲକାତା) ବା ଅଟଳ ସେତୁ (ମୁମ୍ବାଇ)। ସେହି ଦୃଷ୍ଟିରୁ କୁହାଯାଇ ପାରେ ଯେ ଚେନାବ ଓ ଅଞ୍ଜି ସେତୁ ଦ୍ବୟ କାଶ୍ମୀର ସହିତ ଅବଶିଷ୍ଟ ଭାରତର ସଂପର୍କକୁ ପ୍ରଗାଢ଼ କରିବା ସହିତ ଅଚିେର ଜାମ୍ମୁ କାଶ୍ମୀରର ପରିଚୟର ଚିହ୍ନ ମଧ୍ୟ ପାଲଟିବେ।