ଏବେ ଭାରତ ହେବ ଏକମାତ୍ର ଦେଶ ଯେଉଁଠି ସେମାନେ ଆବଶ୍ୟକ କରୁଥିବା ଉଚ୍ଚମାନର ମେଧା ଯୁକ୍ତିଯୁକ୍ତ ପାରିଶ୍ରମିକ ବଦଳରେ ଉପଲବ୍‌ଧ ହୋଇପାରିବ। ତେଣୁ ଯଦି ନିକଟ ଭବିଷ୍ୟତରେ ଟ୍ରମ୍ପ ପଛଘୁଞ୍ଚା ଦେଇ ‌ତାଙ୍କର ଏହି ନୂତନ ଭିସା ନୀତିରେ ପରିବର୍ତ୍ତନ ନ ଘଟାନ୍ତି, ତେବେ ଆମେରିକାର ଟେକ୍‌ନୋଲୋଜି କଂପାନିମାନେ ଭାରତରେ ସେମାନଙ୍କର ଶାଖାମାନ ସ୍ଥାପନ କରି ଏଠାରେ ସେମାନଙ୍କର ଅଧିକାଂଶ କାର୍ଯ୍ୟ ସଂପାଦନ କରିବାକୁ ଆଗେଇ ଆସିଲେ ଆମେ ଆଶ୍ଚର୍ଯ୍ୟ ହେବୁ ନାହିଁ।

Advertisment

ଭାରତୀୟ ରପ୍ତାନି ଉପରେ ୫୦ ପ୍ରତିଶତ ସୁଉଚ୍ଚ ହାରରେ ଟାରିଫ୍ ବସାଇବା ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ବର୍ତ୍ତମାନ ସିଧାସଳଖ ଭାବରେ ଭାରତୀୟମାନଙ୍କୁ ନିଶାଣ କରି ବାଣ ମାରିଛନ୍ତି। ସେ ତାଙ୍କର ଚିରାଚରିତ କୌଶଳ - ପ୍ରଶାସନିକ ନିର୍ଦ୍ଦେଶନାମା - ମାଧ୍ୟମରେ ପ୍ରତ୍ୟେକ ନୂତନ ‘ଏଚ୍-୧ବି’ ଭିସା ଆବେଦନ ପ୍ରତି ଲାଗୁ ହେଉଥିବା ଫି ପରିମାଣକୁ ବର୍ତ୍ତମାନର ୨,୦୦୦ ଡଲାର୍‌ରୁ ଏକ ଲକ୍ଷ ଡଲାର୍‌କୁ ବୃଦ୍ଧି କରିଦେଇଛନ୍ତି। ଯେହେତୁ ଭାରତୀୟମାନେ ସର୍ବାଧିକ ସଂଖ୍ୟାରେ ‘ଏଚ୍-୧ବି’ ଭିସା ବ୍ୟବହାର କରି ନିଯୁକ୍ତି ସନ୍ଧାନରେ ଆମେରିକାରେ ପ୍ରବେଶ କରିଥାନ୍ତି, ଟ୍ରମ୍ପଙ୍କର ଏହି ସଦ୍ୟତମ ପଦକ୍ଷେପ ଭାରତୀୟମାନଙ୍କୁ ସର୍ବାଧିକ କ୍ଷତିଗ୍ରସ୍ତ କରିବ ବୋଲି ଆଶଙ୍କା କରାଯାଉଛି। ବିଶେଷ କରି ଭାରତର ‘ଆଇଟି’ କ୍ଷେତ୍ର ପାଇଁ ଏହା ମୃତ୍ୟୁ ଘଣ୍ଟି ସଦୃଶ ହେବ ବୋଲି ନାସ୍ତିବାଦୀମାନେ ଭବିଷ୍ୟବାଣୀ କରିବା ଆରମ୍ଭ କରିଦେଲେଣି।
ଏହା ନିଶ୍ଚିତ ରୂପେ ଭାରତ ପାଇଁ ଅସୁବିଧାଜନକ ହୋଇଥିଲେ ହେଁ, ଟ୍ରମ୍ପଙ୍କର ‘ଏଚ୍-୧ବି’ ଚାଲ୍ ନାସ୍ତିବାଦୀମାନଙ୍କୁ ସନ୍ତୁଷ୍ଟ କରିବା ଭଳି ଭାରତୀୟ ‘ଆଇଟି’ କ୍ଷେତ୍ର ପାଇଁ ମରଣାନ୍ତକ ସାବ୍ୟସ୍ତ ହେବା ଘୋର ସନ୍ଦେହଜନକ। ଏହାର ବିଭିନ୍ନ କାରଣ ରହିଛି। ଟ୍ରମ୍ପ ବର୍ତ୍ତମାନ ଗୋଟିଏ ପାଦ ପଛକୁ ହଟି ସ୍ପଷ୍ଟୀକରଣ ପ୍ରଦାନ କଲେଣି ଯେ ଏହି ବର୍ଦ୍ଧିତ ଫି କେବଳ ନୂତନ ଭିସା ଆବଦନ ପ୍ରତି ଲାଗୁ ହେବ, ଉପସ୍ଥିତ ଭିସା ପ୍ରତି ନୁହେଁ। ଉପସ୍ଥିତ ଭିସାମାନଙ୍କର ବୈଧତା ସମୟ ତିନି ବର୍ଷ ହୋଇଥିବା ବେଳେ ଆଉ ତିନି ବର୍ଷ ପାଇଁ ସେଗୁଡ଼ିକର ନବୀକରଣ କରାଯାଇ ପାରିଥାଏ। ଏହା ଅବଶ୍ୟ ସଂପୂର୍ଣ୍ଣ ସମ୍ଭବ ଯେ ଟ୍ରମ୍ପ ଯେ କୌଣସି ମୁହୂର୍ତ୍ତରେ ଭିସା ନବୀକରଣ ପ୍ରତି ନୂତନ ବର୍ଦ୍ଧିତ ଫି ଲାଗୁ କରିଦେଇ ପାରନ୍ତି। କିନ୍ତୁ ଇତିମଧ୍ୟରେ ଆମର ‘ଆଇଟି’ ସେବା ପ୍ରଦାନକାରୀ କଂପାନିମାନେ ସେମାନଙ୍କର ବ୍ୟବସାୟ ରଣକୌଶଳରେ ଆବଶ୍ୟକ ପରିବର୍ତ୍ତନମାନ କାର୍ଯ୍ୟକାରୀ କରିବା ପାଇଁ ଯଥେଷ୍ଟ ସମୟ ପାଇ ସାରିଥିବେ ବୋଲି ଆଶା କରାଯାଉଛି।
ବର୍ତ୍ତମାନ ଯେଉଁ ‘ଏଆଇ’ ଲହରି ମାଡ଼ି ଆସିବାକୁ ଆରମ୍ଭ କରିଛି, ତାହାର ଉତ୍ପତ୍ତି ସ୍ଥଳ ହେଉଛି ଆମେରିକା। ଏବେ ସେଠାକାର ଟ୍ରମ୍ପ ଆକ୍ରମଣ ପ୍ରଭାବିତ କଂପାନିମାନେ ଏହି ବର୍ଦ୍ଧିତ ଭିସା ଫି ବୋଝ ବହନ କରିବା ପରିବର୍ତ୍ତେ ସେମାନଙ୍କର ଅଧିକରୁ ଅଧିକ ପ୍ରକ୍ରିୟାରେ ‘ଏଆଇ’ ନିୟୋଜିତ କରିବାକୁ ଆରମ୍ଭ କରିବେ। ଏଥିସହିତ ସେମାନେ ଅନେକ କାର୍ଯ୍ୟ ଭାରତ, କାନାଡା ଓ ମେକ୍‌ସିକୋ ଆଦି ଦେଶମାନଙ୍କୁ ସ୍ଥାନାନ୍ତରିତ କରିଦେବେ। ଆମେରିକାର ଯେଉଁ ବୃହତ୍ ଟେକ୍‌ନୋଲୋଜି କଂପାନିମାନେ (ଆମାଜନ୍, ମାଇକ୍ରୋସଫ୍‌ଟ, ଗୁଗ୍‌ଲ, ଆପ୍‌ଲ, ମେଟା ଆଦି) ‘ଏଚ୍-୧ବି’ ଭିସା ମାଧ୍ୟମରେ ଭାରତୀୟ ଇଞ୍ଜିନିଅର୍‌ମାନଙ୍କୁ ସେଠାରେ କାର୍ଯ୍ୟରେ ନିୟୋଜିତ କରିଛନ୍ତି, ସେମାନେ ଏଣିକି ତାହା ନ କରି ଆଉଟ୍‌ସୋର୍ସିଙ୍ଗ୍ ମାଧ୍ୟମରେ ଭାରତରେ ସେ ସମସ୍ତ କାର୍ଯ୍ୟ ସଂପାଦନ କରାଇ ପାରନ୍ତି। ବର୍ତ୍ତମାନ ଆମେରିକାରେ ଅବସ୍ଥାପିତ ବିଦେଶୀ କର୍ମୀମାନେ ସଂପୃକ୍ତ କଂପାନିର କାର୍ଯ୍ୟାଳୟରେ କାର୍ଯ୍ୟ ସଂପାଦନ କରିବା ସହିତ ଆବଶ୍ୟକ ସ୍ଥଳେ ସେଠାକାର ଗ୍ରାହକ (କ୍ଲାଏଣ୍ଟ୍)ମାନଙ୍କୁ ମଧ୍ୟ ସେବା ଯୋଗାଇଥାନ୍ତି। ଭିସା ଫି ଅସହ୍ୟ ଭାବରେ ଉଚ୍ଚା ହେଲେ ସେଇସବୁ କଂପାନିମାନେ ବିଦେଶୀ କୁଶଳୀ କର୍ମୀମାନଙ୍କୁ ଆଉ ଆମେରିକାସ୍ଥିତ ନିଜର କାର୍ଯ୍ୟାଳୟରେ ନିଯୁକ୍ତ ନ କରି ଆମେରିକା ବାହାରେ ଅବସ୍ଥାପିତ କରିପାରନ୍ତି। ଦରକାର ହେଲେ ଏମାନଙ୍କୁ ସାମୟିକ ଭାବରେ ବିଦେଶରୁ ଡକାଇ ଆଣି ଆମେରିକାସ୍ଥିତ କ୍ଲାଏଣ୍ଟ୍‌ମାନଙ୍କର ସମସ୍ୟା ସମାଧାନରେ ନିୟୋଜିତ କରାଯାଇ ପାରିବ।
ଟ୍ରମ୍ପ ତାଙ୍କର ‘ମାଗା’ ଅନୁଗାମୀମାନଙ୍କର ସନ୍ତୋଷବିଧାନ କରିବା ପାଇଁ ‘ଏଚ୍-୧ବି’ ଭିସା ଫିରେ ଏଭଳି ଅତ୍ୟଧିକ ବୃଦ୍ଧି ଘଟାଇଥିବା ବେଳେ ବୋଧହୁଏ ହୃଦୟଙ୍ଗମ କରିପାରି ନାହାନ୍ତି ଯେ ଏହା ସିଧାସଳଖ ତାଙ୍କ ସରକାରଙ୍କ ପାଇଁ ମଧ୍ୟ ମହଙ୍ଗା ସାବ୍ୟସ୍ତ ହୋଇପାରେ। କାରଣ ଆମେରିକା ସରକାରଙ୍କର ଅନେକ ଏପରି ପ୍ରକଳ୍ପ ରହିଛି ଯେଉଁଗୁଡ଼ିକୁ କାର୍ଯ୍ୟକାରୀ କରିବା ଦାୟିତ୍ବ ଆଉଟ୍‌ସୋର୍ସିଙ୍ଗ୍ ମାଧ୍ୟମରେ ବିଭିନ୍ନ ପ୍ରମୁଖ ଟେକ୍‌ନୋଲୋଜି କଂପାନିମାନଙ୍କ ଉପରେ ନ୍ୟସ୍ତ କରାଯାଇଥାଏ। ଏହି କଂପାନି ଏହି ପ୍ରକଳ୍ପ କାର୍ଯ୍ୟ ସଂପାଦନ ନିମିତ୍ତ ନିୟମିତ ଭାବରେ ବିଦେଶୀ କୁଶଳୀ କର୍ମୀମାନଙ୍କୁ ନିୟୋଜିତ କରିଥାନ୍ତି। ଏହା ଦ୍ବାରା ପ୍ରକଳ୍ପ କାର୍ଯ୍ୟ ଦକ୍ଷତାର ସହିତ ସଂପାଦିତ ହେବା ସହିତ, ପ୍ରକଳ୍ପ ବ୍ୟୟ ମଧ୍ୟ ନୀଚା ହୋଇଥାଏ, ଯାହା ସରକାରୀ ଖର୍ଚ୍ଚକୁ ସୀମିତ କରି ଆମେରିକାର କରଦାତାମାନଙ୍କ ଉପରେ ପଡୁଥିବା ବୋଝ ଲାଘବ କରିଥାଏ। ବର୍ଦ୍ଧିତ ଭିସା ଫି ଲାଗୁ ହେବା ପରେ ଆମେରିକା ସରକାର ଓ କରଦାତାମାନେ ବହନ କରୁଥିବା ଏହି ବୋଝରେ ବୃଦ୍ଧି ଘଟିବ।
ନୂତନ ଭିସା ଫି ସେଠାରେ ଯେଉଁମାନଙ୍କୁ ସର୍ବାଧିକ ଆହତ କରିବ, ସେମାନେ ହେଉଛନ୍ତି ସେଠାକାର ଦ୍ବିତୀୟ ସ୍ତରୀୟ ବିଶ୍ବବିଦ୍ୟାଳୟମାନ। ବହୁଳ ସଂଖ୍ୟାରେ ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ଆକର୍ଷିତ କରି ବିପୁଳ ଆୟ କରୁଥିବା ଏହି ବିଶ୍ବବିଦ୍ୟାଳୟମାନ ଏଣିକି ଭାରତୀୟ ଛାତ୍ରଛାତ୍ରୀମାନଙ୍କ ପାଇଁ ସେମାନଙ୍କର ଆକର୍ଷଣ ହରାଇ ବସିବେ। ଏହି ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଅଧିକାଂଶ ସେଠାରେ ଶିକ୍ଷା ସମାପ୍ତ ହେବା ପରେ ସେଠାରେ ହିଁ ବିଭିନ୍ନ କଂପାନିମାନଙ୍କରେ ନିଯୁକ୍ତି ଲାଭ ପାଇଁ ଲକ୍ଷ୍ୟ ରଖିଥାନ୍ତି। ବର୍ତ୍ତମାନ ବର୍ଦ୍ଧିତ ଭିସା ଫି ବୋଝ ବହନ କରି ଏହି ବିଦେଶୀ ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତ କରିବା ପାଇଁ ଆମେରିକୀୟ କଂପାନିମାନେ କୁଣ୍ଠିତ ହେବେ। ତା’ ଛଡ଼ା ନୂତନ ‘ଏଚ୍-୧ବି’ ଭିସା ନିୟମ ଅନୁସାରେ ବହିରାଗତ କର୍ମଚାରୀମାନଙ୍କର ସର୍ବନିମ୍ନ ପାରିଶ୍ରମିକ ହାରକୁ ଯେଉଁଭଳି ଉଚ୍ଚ କରାଯାଇଛି, କଂପାନିମାନେ ତାହା ପ୍ରଦାନ କରିବା ପାଇଁ ମଧ୍ୟ ପଛଘୁଞ୍ଚା ଦେବେ। ଏଣୁ ବିଦେଶୀ ଓ ବିଶେଷ କରି ଭାରତୀୟ ଛାତ୍ରଛାତ୍ରୀମାନେ ଆଉ ପୂର୍ବଭଳି ଆମେରିକା ଆଡ଼େ ମୁହଁାଇବେ ନାହିଁ।
ଏ ସମସ୍ତ କାରଣରୁ ବର୍ତ୍ତମାନ ଅଧିକରୁ ଅଧିକ ସଂଖ୍ୟାରେ ମେଧାବୀ ଭାରତୀୟମାନେ ଆଉ ଦେଶ ବାହାରକୁ ପଳାଇ ନ ଯାଇ (ବ୍ରେନ୍ ଡ୍ରେନ୍), ଦେଶ ଭିତରେ ରହିବାକୁ ବାଧ୍ୟ ହେବେ (ବ୍ରେନ୍ ଗେନ୍)। ଦୂରଦର୍ଶୀ ଭାରତୀୟ କଂପାନିମାନେ ଏହି ଅପ୍ରତ୍ୟାଶିତ ଭାବରେ ଉପଲବ୍‌ଧ ମେଧା ଶକ୍ତିକୁ ଉପଯୋଗ କରି ନିଜର ବୌଦ୍ଧିକ ସଂପତ୍ତି ସୃଷ୍ଟି କରିବା ଆରମ୍ଭ କରିବେ। ଏହା ମଧ୍ୟ ମନେ ରଖିବା କଥା ଯେ ଭିସା ଫିରେ ବୃଦ୍ଧି ଯୋଗୁଁ ଭାରତୀୟ କୁଶଳୀ କର୍ମୀମାନଙ୍କର ଆମେରିକାକୁ ଯିବା ବନ୍ଦ ହୋଇଯିବା ସହିତ ସେମାନେ ସେଠାରେ ସଂପାଦନ କରୁଥିବା ବିଶେଷ ଧରଣର କାର୍ଯ୍ୟ ମଧ୍ୟ ତତ୍‌କ୍ଷଣାତ୍ ଉଭାନ ହୋଇଯିବ ନାହିଁ। ଏହି କାର୍ଯ୍ୟ ସଂପାଦନ କରୁଥିବା ବିଶେଷ ଦକ୍ଷତାସଂପନ୍ନ ଭାରତୀୟମାନଙ୍କର ଅନୁପସ୍ଥିତି ଯୋଗୁଁ ସେଠାରେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହେବ, ତାହା ତତ୍‌କ୍ଷଣାତ୍ ଆମେରିକାରେ ଉପଲବ୍‌ଧ ସ୍ବଦେଶୀ ପ୍ରାର୍ଥୀମାନଙ୍କ ଦ୍ବାରା ପୂରଣ କରାଯାଇ ପାରିବ ନାହିଁ। ସେଠାକାର କଂପାନିମାନେ ତେଣୁ ହଠାତ୍ ଏକ ମେଧା ମରୁଡ଼ି ଓ ବ୍ୟୟ ବୃଦ୍ଧି ପରିସ୍ଥିତିର ସମ୍ମୁଖୀନ ହେବେ। ଏବେ ଭାରତ ହେବ ଏକମାତ୍ର ଦେଶ ଯେଉଁଠି ସେମାନେ ଆବଶ୍ୟକ କରୁଥିବା ଉଚ୍ଚମାନର ମେଧା ଯୁକ୍ତିଯୁକ୍ତ ପାରିଶ୍ରମିକ ବଦଳରେ ଉପଲବ୍‌ଧ ହୋଇପାରିବ। ତେଣୁ ଯଦି ନିକଟ ଭବିଷ୍ୟତରେ ଟ୍ରମ୍ପ ପଛଘୁଞ୍ଚା ଦେଇ ‌ତାଙ୍କର ଏହି ନୂତନ ଭିସା ନୀତିରେ ପରିବର୍ତ୍ତନ ନ ଘଟାନ୍ତି, ତେବେ ଆମେରିକାର ଟେକ୍‌ନୋଲୋଜି କଂପାନିମାନେ ଭାରତରେ ସେମାନଙ୍କର ଶାଖାମାନ ସ୍ଥାପନ କରି ଏଠାରେ ସେମାନଙ୍କର ଅଧିକାଂଶ କାର୍ଯ୍ୟ ସଂପାଦନ କରିବାକୁ ଆଗେଇ ଆସିଲେ ଆମେ ଆଶ୍ଚର୍ଯ୍ୟ ହେବୁ ନାହିଁ।