ଆମେ ‌େଯଉଁଭଳି ଜଳବାୟୁର ଧ୍ବଂସ ସାଧନ କରୁଛୁ ଓ ଅଙ୍ଗାର ନିର୍ଗମନ କରୁଛୁ, ତା’ ମାଧ୍ୟମରେ ଏକ କ୍ୟାନ୍‌ସର୍‌ କୋଷ କିମ୍ବା ମାରାତ୍ମକ ଭୂତାଣୁ ଭଳି ଆମେ ‘ଗାଇଆ’କୁ ଅର୍ଥାତ୍ ସମଗ୍ର ଜୀବନ୍ତ ପୃଥିବୀକୁ ମୃତ୍ୟୁମୁଖକୁ ଠେଲି ଦେବାକୁ ଯାଉଛୁ। କିମ୍ବା ଦ୍ବିତୀୟ ସମ୍ଭାବନା ଅନୁସାରେ ଏକ ଶରୀର ତା’ର ପ୍ରତିରୋଧିନୀ ଶକ୍ତି ଦ୍ବାରା କୌଣସି ରୋଗଜୀବାଣୁକୁ ବହିଷ୍କାର କଲାଭଳି ‘ଗାଇଆ’ ଏହି ମନୁଷ୍ୟ ନାମକ ଜୀବାଣୁକୁ ତା’ର ଶରୀରରୁ ବହିଷ୍କାର କରିଦେବ, ଠିକ୍ ଯେମିତି ଅତୀତରେ ଡାଇନୋସର୍‌ରୁ ଡୋଡୋ ପର୍ଯ୍ୟନ୍ତଙ୍କୁ ବହିଷ୍କାର କରିଛି। ମନୁଷ୍ୟର କାର୍ଯ୍ୟ ଯୋଗୁଁ ପୃଥିବୀ ଆଉ ମନୁଷ୍ୟ ପାଇଁ ବାସୋପଯୋଗୀ ହେବ ନାହିଁ ଓ ମନୁଷ୍ୟ ଜାତି ଲୋପ ପାଇଯିବ; କିନ୍ତୁ ଅନ୍ୟ ଅନେକ ସ୍ପିସିଜ୍‌ମାନଙ୍କୁ ଧାରଣ କରି ‘ଗାଇଆ’ ଜୀବନ୍ତ ରହିବ।

Advertisment

‘ପୁନଶ୍ଚ ପୃଥିବୀ’ ଏକ ଆନ୍ଦୋଳନର ରୂପ ନେଇ ଏକ ନୂତନ ପରିବେଶ ସଚେତନତା ଲହରୀ ସୃଷ୍ଟି କରିଛି କହିଲେ ଭୁଲ୍ ହେବ ନାହିଁ। ଏହି ଅବସରରେ ଆଶା କରାଯାଇପାରେ ଯେ ଏହି ନୂତନ ଉତ୍ସାହ ଆମକୁ ଏକ ଜୀବନ୍ତ ପୃଥିବୀ ସହିତ ପୁନଶ୍ଚ ଏକ ଆବେଗିକ ସଂପର୍କ ପ୍ରତିଷ୍ଠା କରିବାରେ ସହାୟକ ହେବ। ନିର୍ଦ୍ଦିଷ୍ଟ ଭାବରେ କହିଲେ, ଏହି ପୃଥିବୀ ହେଉଛି ଏକ ବିଶାଳ ଜୀବନ୍ତ ଜନ୍ତୁ ଏବଂ ତା’ର ଅନ୍ୟ ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ଭଳି ମନୁଷ୍ୟ ମଧ୍ୟ ହେଉଛି ଏକ ଅଙ୍ଗ ମାତ୍ର, ଏହି ଅକାଟ୍ୟ ସତ୍ୟକୁ ହୃଦୟଙ୍ଗମ କରିବାରେ ଏହି ଆନ୍ଦୋଳନ ସହାୟକ ହେବ ବୋଲି ଆଶା କରାଯାଏ।
‘ଗାଇଆ’ ତତ୍ତ୍ବ ନାମରେ ପ୍ରସିଦ୍ଧି ଲାଭ କରିଥିବା ଏହି ତତ୍ତ୍ବର ପ୍ରବର୍ତ୍ତକ ରୂପେ ବ୍ରିଟିଶ୍ ବୈଜ୍ଞାନିକ ସ୍ବର୍ଗୀୟ ଜେମ୍‌ସ ଲଭ୍‌ଲକ୍ ଅଧିକ ସୁପରିଚିତ ହୋଇଥିଲେ ହେଁ, ଏହାର ପ୍ରକୃତ ଜନନୀ ହେଉଛନ୍ତି ଲଭ୍‌ଲକ୍‌ଙ୍କର ଗୋପନ ପ୍ରେମିକା ତଥା ‘ନାସା’ର ଜେଟ୍‌ ପ୍ରପଲ୍‌ସନ୍ ଲାବରେଟରିରେ ତାଙ୍କର ସହକର୍ମିଣୀ ଡାୟାନ୍ ହିଚ୍‌କକ୍‌, ଯିଏ ଲଭ୍‌ଲକ୍‌ଙ୍କ ମସ୍ତିଷ୍କରେ ଏହି ତତ୍ତ୍ବର ବୀଜ ରୋପଣ କରିଥିଲେ। ୧୯୬୦ ଦଶକରେ ଉଭୟ ଆମେରିକାର ମହାକାଶ ଗବେଷଣା ସଂଗଠନ ‘ନାସା’ରେ କାର୍ଯ୍ୟରତ ଥିବା ସମୟରେ ବିଚକ୍ଷଣା ଦାର୍ଶନିକା-ବୈଜ୍ଞାନିକା ହିଚ୍‌କକ୍ ଏକ ସମ୍ଭାବନା ଉତ୍‌ଥାପନ କରିଥିଲେ, ପୃଥିବୀର ବାୟୁମଣ୍ଡଳକୁ ପରୀକ୍ଷା କରି ମଙ୍ଗଳ ଗ୍ରହର ଜଣେ କାଳ୍ପନିକ ବୈଜ୍ଞାନିକ ଜାଣିପାରିବ ଯେ ପୃଥିବୀ ନାମକ ଗ୍ରହରେ ଜୀବନ ଭରି ହୋଇ ରହିଛି। ଅର୍ଥାତ୍ ପୃଥିବୀର ବାୟୁମଣ୍ଡଳ ପୃଥିବୀ ପୃଷ୍ଠରେ ଜୀବନର ଚିହ୍ନ ବହନ କରିଥାଏ। କିମ୍ବା ‘ଗାଇଆ’ (ଗ୍ରିକ୍ ପୌରାଣିକ କାହାଣୀ ଅନୁସାରେ ପୃଥିବୀ ଦେବୀଙ୍କ ନାମ) ତତ୍ତ୍ବର ଭାଷାରେ ପୃଥିବୀ ହେଉଛି ଏକ ସ୍ବୟଂ ନିୟନ୍ତ୍ରଣକାରୀ ବ୍ୟବସ୍ଥା ଯେଉଁଥିରେ ବାୟୁମଣ୍ଡଳ ହେଉଛି ଜୀବନର ଏକ ଉତ୍ପାଦନ।
ଏହି ବୈପ୍ଳବିକ ଦୃଷ୍ଟିଭଙ୍ଗୀ ଅନୁସାରେ ପୃଥିବୀକୁ ଘେରି ରହିଥିବା ବାଷ୍ପସବୁ ନିର୍ଜୀବ ନୁହନ୍ତି, ସେଥିରେ ସଞ୍ଚରି ରହିଛି ଜୀବନୀଶକ୍ତି। ସେମାନେ କେବଳ ଜୀବନ ପାଇଁ ସହାୟକ ନୁହନ୍ତି, ସେମାନେ ବହନ କରିଥାନ୍ତି ଜୀବନର ସ୍ବାକ୍ଷର, ପୃଥିବୀ ଗ୍ରହ ନାମକ ଜୀବର ନିଃଶ୍ବାସ ଭଳି- ହିଚ୍‌କକ୍‌ଙ୍କ ଭାଷାରେ ‘‘ଏକ ବିଶାଳ ଜନ୍ତୁର ନିଃଶ୍ବାସ’’ ଭଳି। ମଙ୍ଗଳ ଭଳି ଏକ ନିର୍ଜୀବ ଗ୍ରହର ସ୍ଥିର, ନିୟମିତ ବାୟୁମଣ୍ଡଳ ତୁଳନାରେ ଏହି କାରଣରୁ ପୃଥିବୀ ଭଳି ଏକ ଜୀବନ୍ତ ଗ୍ରହର ବାୟୁମଣ୍ଡଳ ହୋଇଥାଏ ବହୁ ଅଧିକ ଜଟିଳ ଓ ଅନିୟମିତ। ଏହି ଚିନ୍ତାଧାରା ଡାର୍‌ୱିନ୍‌ଙ୍କର ଯୁଗାନ୍ତକାରୀ ବିବର୍ତ୍ତନବାଦକୁ ମଧ୍ୟ କିପରି ଅତିକ୍ରମ କରିଯାଇଥାଏ, ତାହା ସୁସ୍ପଷ୍ଟ। ପ୍ରାକୃତିକ ଚୟନଭିତ୍ତିକ ବିବର୍ତ୍ତନବାଦ ଅନୁସାରେ ପୃଥିବୀ ପୃଷ୍ଠରେ ଜୀବନ ଅନବରତ ଭାବରେ ପରିବେଶ ସହିତ ଖାପ ଖାଇବାକୁ ଚେଷ୍ଟା କରିଚାଲିଥାଏ; ‘ଗାଇଆ’ ତତ୍ତ୍ବ ଅନୁସାରେ ଜୀବନ ପରିବେଶର ରୂପାୟନ କରିଥାଏ। ଅନ୍ୟ ଭାବରେ କହିଲେ, ପରିବେଶ କେବଳ ଜୀବନକୁ ପ୍ରଭାବିତ କରି ନ ଥାଏ, ଜୀବନ ମଧ୍ୟ ପରିବେଶକୁ ପ୍ରଭାବିତ କରିଥାଏ। ଏହି ‘ଜୀବନ’ ଅବଶ୍ୟ କେବଳ ମନୁଷ୍ୟ ଜୀବନ ନୁହେଁ। ମନୁଷ୍ୟ ହେଉଛି ଏହି ପୃଥିବୀ ନାମକ ଏକ ବିଶାଳ ଯନ୍ତ୍ରର ଏକ କ୍ଷୁଦ୍ରାତିକ୍ଷୁଦ୍ର ଯନ୍ତ୍ରାଂଶ ମାତ୍ର। ମନୁଷ୍ୟ ନିଜକୁ ଯେତେ ବିଶେଷ ବୋଲି ବିଚାର କରୁଥିଲେ ହେଁ, ‘ଗାଇଆ’ ଦେବୀଙ୍କ ଦୃଷ୍ଟିରେ ସେ ହେଉଛି କେବଳ ଏଇୟାହିଁ।
‘ଗାଇଆ’ ବା ଜୀବନ୍ତ ପୃଥିବୀ ନିଜର ସାମଗ୍ରିକ ବ୍ୟବସ୍ଥା ତିଷ୍ଠି ରହିବା ପାଇଁ ଏଥିରେ ଘଟୁଥିବା ସମସ୍ତ କ୍ରିୟା ପ୍ରତିକ୍ରିୟା ଉପରେ ଅବିରତ ନଜର ରଖିଥାଏ। ଏଠାରେ ଜୀବନ ତିଷ୍ଠି ରହିବା ପାଇଁ ‘ଗାଇଆ ନିୟମ’ ବାୟୁମଣ୍ଡଳର ତାପମାତ୍ରାରୁ ଆରମ୍ଭ କରି ସମୁଦ୍ର ଜଳର ଲବଣ ମାତ୍ରା, ଅମ୍ଳଜାନ, ଅଙ୍ଗାରକାମ୍ଳ ଆଦି ପର୍ଯ୍ୟନ୍ତର ଉପଯୁକ୍ତ ଅନୁପାତକୁ ନିୟନ୍ତ୍ରଣ କରିଥାଏ, ଯେଉ ସମସ୍ତର ସନ୍ତୁଳିତ ଅବସ୍ଥା ଉପରେ ଜୀବନ ନିର୍ଭର କରିଥାଏ। ନିଜକୁ ବିଚକ୍ଷଣ ବୁଦ୍ଧିର ଅଧିକାରୀ ରୂପେ ବିଶ୍ବାସ କରୁଥିବା ମନୁଷ୍ୟ ପକ୍ଷରେ ପରିବେଶ ବ୍ୟବସ୍ଥା ବା ଜଳବାୟୁ ବ୍ୟବସ୍ଥାର ଚରମ ଜଟିଳତା ବୁଝିବା ଅସମ୍ଭବ ମନେ ହୋଇପାରୁଥାଏ, କିନ୍ତୁ ଅସାମାନ୍ୟ ପରିଚାଳନା ଦକ୍ଷତାର ଅଧିକାରୀ ‘ଗାଇଆ’ ପାଇଁ ଆବଶ୍ୟକ ପଦକ୍ଷେପମାନ ନେଇ ଏ ସମସ୍ତର ପରିଚାଳନା କରିବା ହେଉଛି ଏକ ନିୟମିତ ନିତିଦିନିଆ କାର୍ଯ୍ୟ। କଣ୍ଢେଇ ନଚାଳି ରଶିସବୁକୁ ଭିଡ଼ି ଭିଡ଼ି କଣ୍ଢେଇମାନଙ୍କର ଅଙ୍ଗଚାଳନାରେ ତାଳମେଳ ରକ୍ଷା କରିବା ଭଳି ‘ଗାଇଆ’ ତା’ର ହାତରେ ଧରିଥିବା ଅସଂଖ୍ୟ ରଶିମାନଙ୍କୁ ଭିଡ଼ି ଭିଡ଼ି ସମଗ୍ର ବ୍ୟବସ୍ଥାରେ ତାଳମେଳ ରକ୍ଷା କରିଥାଏ।
ହିଚ୍‌କକ୍‌ ଓ ଲଭ୍‌ଲକ୍ ତାଙ୍କର ‘ଗାଇଆ’ ତତ୍ତ୍ବରେ ପୃଥିବୀ ନାମକ ଜୀବନ୍ତ ଗ୍ରହର ଏହି ତାଳମେଳ ରକ୍ଷାକାରୀ ଆଚରଣ ଉପରେ ଏକ ନୂତନ ଦୃଷ୍ଟି ଆକର୍ଷଣକାରୀ ଆଲୋକପାତ କରିଥିଲେ ହେଁ ବିବର୍ତ୍ତନବାଦ ତତ୍ତ୍ବରେ ମଧ୍ୟ ଏହି ପ୍ରକ୍ରିୟା ଅପରିଚିତ ନୁହେଁ। ସହ-ବିବର୍ତ୍ତନ ବା ‘କୋ-ଇଭଲ୍ୟୁସନ୍’ ନାମରେ ପରିଚିତ ଏହି ପ୍ରକ୍ରିୟା ଅନୁସାରେ ପରସ୍ପର ସହିତ ତାଳମେଳ ରକ୍ଷା କରିବା ଉଦ୍ଦେଶ୍ୟରେ ପରିବେଶ ସଂରଚନା ବା ‘ଇକୋସିଷ୍ଟମ୍’ମାନଙ୍କର ବିବର୍ତ୍ତନ ଘଟିଥାଏ। ଉଦାହରଣ ସ୍ବରୂପ ଠେକୁଆ ଓ ଇଗଲ୍‌ଙ୍କ ବିବର୍ତ୍ତନ ଉପରେ ଦୃଷ୍ଟି ନିକ୍ଷେପ କରାଯାଉ। ଉଭୟଙ୍କ ମଧ୍ୟରେ ସଂପର୍କ ହେଉଛି ଖାଦ୍ୟ-ଖାଦକର ସଂପର୍କ। ଶିକାର କରି ବଞ୍ଚି ରହି ପର ପିଢ଼ିକୁ ନିଜର ଜିନ୍‌ସଙ୍କୁ ସଫଳ ଭାବରେ ପ୍ରେରିତ କରିବା ଉଦ୍ଦେଶ୍ୟରେ ପ୍ରାକୃତିକ ଚୟନ ମାଧ୍ୟମରେ ବିବର୍ତ୍ତନ ଇଗଲ୍‌କୁ ତୀକ୍ଷ୍‌ଣ ନଖ ଓ ଥଣ୍ଟରେ ସଜ୍ଜିତ କରିଦେଲା। ଆକାଶରେ ଏହି ମୃତ୍ୟୁଦୂତର ଆବିର୍ଭାବ ଯୋଗୁଁ ଠେକୁଆ ଗାତରୁ ବାହାରିବା ତା’ ପାଇଁ ଯମପୁର ଗମନରେ ପରିଣତ ହେଲା। କିନ୍ତୁ ଗାତରୁ ନ ବାହାରିଲେ ମଧ୍ୟ ତା’ ପାଇଁ ଭୋକଉପାସରେ ମୃତ୍ୟୁମୁଖରେ ପଡ଼ିବା ସାର ହେବ। ତା’ହେଲେ ଠେକୁଆମାନଙ୍କର କ’ଣ ବଂଶ ବୁଡ଼ିଯିବ? ଆମେ ଦେଖୁଛୁ ଠେକୁଆମାନଙ୍କର ବଂଶ ବୁଡ଼ିଯାଇନାହିଁ; ପୃଥିବୀରେ ଇଗଲ୍ ବି ଅଛନ୍ତି, ଠେକୁଆ ବି ଅଛନ୍ତି। ଏହା ସମ୍ଭବ ହୋଇଛି, କାରଣ ଇଗଲ୍ ଠାରେ ନଖ, ଥଣ୍ଟର ଆବିର୍ଭାବ ସହିତ ତାଳ ଦେଇ ଠେକୁଆ ଠାରେ ଦ୍ରୁତ ପ୍ରଜନନ ଶକ୍ତିର ଆବିର୍ଭାବ ଘଟିଛି, ଯାହା ଫଳରେ ଯଥେଷ୍ଟ ସଂଖ୍ୟାରେ ଠେକୁଆ ଇଗଲ୍ ଥଣ୍ଟରୁ ବର୍ତ୍ତି ଯାଉଛନ୍ତି। ଏହା ହିଁ ହେଉଛି ସହ-ବିବର୍ତ୍ତନ। ସେଇଭଳି ବିବର୍ତ୍ତନ ଗାଈଗୋରୁଙ୍କୁ ଘାସ ଖାଇବା ପାଇଁ ପ୍ରସ୍ତୁତ କରିଛି; କିନ୍ତୁ ଘାସ ଲୋପ ପାଇଯାଉ ନାହିଁ, କାରଣ ଘାସ ମଞ୍ଜି ଗାଈର ପାକସ୍ଥଳୀରୁ ଅକ୍ଷତ ଭାବରେ ନିର୍ଗତ ହେବା ପାଇଁ ବିବର୍ତ୍ତନ ତାକୁ ପ୍ରସ୍ତୁତ କରିଛି।
ଏହି ଦୃଷ୍ଟିରୁ ଦେଖିଲେ ଖୋଦ୍ ପୃଥିବୀର ବିବର୍ତ୍ତନ ଘଟିଚାଲିଛି ଏବଂ ଜୀବଜଗତର ବିଭିନ୍ନ ଜାତି ବା ‘ସ୍ପିସିଜ୍’ମାନେ ହେଉଛନ୍ତି ତା’ର ଅଂଶବିଶେଷ ହୋଇଥିବା ଅଙ୍ଗପ୍ରତ୍ୟଙ୍ଗମାନ। ପୃଥିବୀ ପାଇଁ ମନୁଷ୍ୟ ଅନ୍ୟ କୌଣସି ‘ସ୍ପିସିଜ୍’ ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ନୁହେଁ କିମ୍ବା କମ୍ ଗୁରୁତ୍ବପୂର୍ଣ୍ଣ ନୁହେଁ। ‘ଗାଇଆ’ ବା ଜୀବନ୍ତ ପୃଥିବୀ ଓ ମନୁଷ୍ୟ ମଧ୍ୟରେ ଥିବା ଏହି ସଂପର୍କ ହୃଦୟଙ୍ଗମ କଲେ ଏହାର ଦୁଇଟି ସମ୍ଭାବ୍ୟ ପରିଣତି ସମ୍ବନ୍ଧରେ ଆମେ ସଚେତନ ହେବାକୁ ବାଧ୍ୟ ହୋଇଥାଉ। ଗୋଟିଏ ହେଲା, ଆମେ ‌େଯଉଁଭଳି ଜଳବାୟୁର ଧ୍ବଂସ ସାଧନ କରୁଛୁ ଓ ଅଙ୍ଗାର ନିର୍ଗମନ କରୁଛୁ, ତା’ ମାଧ୍ୟମରେ ଏକ କ୍ୟାନ୍‌ସର୍‌ କୋଷ କିମ୍ବା ମାରାତ୍ମକ ଭୂତାଣୁ ଭଳି ଆମେ ‘ଗାଇଆ’କୁ ଅର୍ଥାତ୍ ସମଗ୍ର ଜୀବନ୍ତ ପୃଥିବୀକୁ ମୃତ୍ୟୁମୁଖକୁ ଠେଲି ଦେବାକୁ ଯାଉଛୁ। କିମ୍ବା ଦ୍ବିତୀୟ ସମ୍ଭାବନା ଅନୁସାରେ ଏକ ଶରୀର ତା’ର ପ୍ରତିରୋଧିନୀ ଶକ୍ତି ଦ୍ବାରା କୌଣସି ରୋଗଜୀବାଣୁକୁ ବହିଷ୍କାର କଲାଭଳି ‘ଗାଇଆ’ ଏହି ମନୁଷ୍ୟ ନାମକ ଜୀବାଣୁକୁ ତା’ର ଶରୀରରୁ ବହିଷ୍କାର କରିଦେବ, ଠିକ୍ ଯେମିତି ଅତୀତରେ ଡାଇନୋସର୍‌ରୁ ଡୋଡୋ ପର୍ଯ୍ୟନ୍ତଙ୍କୁ ବହିଷ୍କାର କରିଛି। ମନୁଷ୍ୟର କାର୍ଯ୍ୟ ଯୋଗୁଁ ପୃଥିବୀ ଆଉ ମନୁଷ୍ୟ ପାଇଁ ବାସୋପଯୋଗୀ ହେବ ନାହିଁ ଓ ମନୁଷ୍ୟ ଜାତି ଲୋପ ପାଇଯିବ; କିନ୍ତୁ ଅନ୍ୟ ଅନେକ ସ୍ପିସିଜ୍‌ମାନଙ୍କୁ ଧାରଣ କରି ‘ଗାଇଆ’ ଜୀବନ୍ତ ରହିବ।
ଏ ଉଭୟ ସମ୍ଭାବନାରେ ଯାହା ହେଉଛି ସାଧାରଣ, ତା‌ହା ହେଲା- ମନୁଷ୍ୟର ବିଲୟ। ମନୁଷ୍ୟ ଯଦି ଏଥିରୁ ବର୍ତ୍ତିବାକୁ ଚାହେ, ତା’ହେଲେ ସେ ଏକ ଜୀବନ୍ତ ପୃଥିବୀରେ ନିଜର ପ୍ରକୃତ ସ୍ଥାନ ସମ୍ବନ୍ଧରେ ସଚେତନ ହୋଇ ଅବିଳମ୍ବେ ସମସ୍ତ ପ୍ରକାର ଆତ୍ମଘାତୀ ଆଚରଣରୁ ନିବୃତ୍ତ ହେବା ଜରୁରି।