ସରକାରୀ ଅଧିକାରୀମାନେ କାର୍ଯ୍ୟ େକ୍ଷତ୍ରରେ ସୁରକ୍ଷା ସହିତ ଦ୍ରୁତ ଓ ବିହିତ କାର୍ଯ୍ୟାନୁଷ୍ଠାନର ଦାବି କରିଛନ୍ତି, ଯାହା ଯଥାର୍ଥ। କିନ୍ତୁ ସେମାନଙ୍କ ପ୍ରତିକ୍ରିୟାରେ ମଧ୍ୟ ଏକ ଅସଂଗତି ନିହିତ ଅଛି, ଯାହା ହେଲା ସରକାରର ଅଙ୍ଗ ହୋଇ ମଧ୍ୟ ‘କାର୍ଯ୍ୟ ବନ୍ଦ’ ଭଳି ପଦକ୍ଷେପ ଦ୍ବାରା ସେମାନେ ସରକାରଙ୍କୁ ଆହତ କରିବାରେ ମଜ୍ଜିଛନ୍ତି; ଅର୍ଥାତ୍ ‘ପର’ ଉପରେ ରାଗ ଶୁଝାଇବାକୁ ଯାଇ ଯିଏ ନିଜର, ତାହାକୁ ମଧ୍ୟ ‘ପର’ କରି ଦିଆଯାଇଛି। ଗଣତନ୍ତ୍ରର ଜଟିଳତା ସେଇଠି; କିଏ ‘ନିଜର’ ଓ କିଏ ‘ପର’ ତାହା କଳିବା କଷ୍ଟସାଧ୍ୟ ହୋଇଥାଏ।
ଗଲା ସୋମବାର ଦିନ ଭୁବନେଶ୍ବର ମ୍ୟୁନିସିପାଲିଟି କର୍ପୋରେସନ ବା ‘ବି.ଏମ.ସି’ର ଆଡିସନାଲ କମିସନରଙ୍କ ଉପରେ ସଂଘଟିତ ହୋଇଥିବା ସଂଘବଦ୍ଧ ଆକ୍ରମଣ ସମଗ୍ର ରାଜ୍ୟରେ ତୁମୂଳ ଆଲୋଡ଼ନ ସୃଷ୍ଟି କରିଛି। ଏହାର ପ୍ରତିକ୍ରିୟା ଓ ପ୍ରତିବାଦ ସ୍ବରୂପ ‘ଓ.ଏ.ଏସ.’ ଅଧିକାରୀମାନଙ୍କ ଦ୍ବାରା ନିଆଯାଇଥିବା ସମୂହ ଛୁଟି କାରଣରୁ ରାଜ୍ୟର ଏକ ବୃହଦାଂଶରେ ସରକାରୀ କାର୍ଯ୍ୟ ସଂପୂର୍ଣ୍ଣ ଅଚଳ ହୋଇ ପଡ଼ିଥିବା ବିଷୟ ମଧ୍ୟ ଗଣମାଧ୍ୟମରେ ପ୍ରକାଶିତ ହୋଇଛି। ଏଥିରେ ଦ୍ବିମତ ନାହିଁ ଯେ ଜଣେ କର୍ତ୍ତବ୍ୟରତ ସରକାରୀ କର୍ମଚାରୀଙ୍କୁ ତାଙ୍କ ଦପ୍ତରରେ ସର୍ବ ସମକ୍ଷରେ ଏତାଦୃଶ ମାଡ଼ ମାରିବା କେବଳ ଅମାନୁଷିକ ନ ଥିଲା; ତାହା ମଧ୍ୟ ଥିଲା ନିତାନ୍ତ ଅନାବଶ୍ୟକ, ଅନାହୂତ ଓ ଅପରିଣାମଦର୍ଶୀ, ଯାହାକୁ ନିନ୍ଦା କରିବା ସକାଶେ ଶବ୍ଦର ସାମର୍ଥ୍ୟ ନ ଥାଏ। କିନ୍ତୁ ଏହି ପରିପ୍ରେକ୍ଷୀରେ ଯାହା ପ୍ରକୃତ ଉଦ୍ବେଗର କାରଣ, ତାହା ହେଲା ଆମ ଶାସନ ବ୍ୟବସ୍ଥାର ଗଭୀରତାରେ ବିଦ୍ୟମାନ ଥିବା ଏକ ଅବିମୋଚନୀୟ ତ୍ରୁଟି-ରେଖା, ଯାହା କାରଣ-ଅକାରଣ ସକ୍ରିୟ ହୋଇ ବେଳେ ବେଳେ ଭୂକଂପ ସୁଲଭ ପରିସ୍ଥିତି ସୃଷ୍ଟି କରିଥାଏ, ଯାହାର ଏକ ଦୃଷ୍ଟାନ୍ତ ହେଉଛି ଉପର ବର୍ଣ୍ଣିତ ଘଟଣା; ଯାହାକୁ କେନ୍ଦ୍ର କରି ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଜଣେ ରାଜନୈତିକ ନେତାଙ୍କ ପ୍ରତି କଥିତ ଦୁର୍ବ୍ୟବହାର କାରଣରୁ ତାଙ୍କ ସମର୍ଥକମାନେ ଉପରୋକ୍ତ ଅଧିକାରୀଙ୍କ ଉପରେ ଆକ୍ରମଣ କରିଥିଲେ। ତେବେ ଏଭଳି ଆରୋପର ସତ୍ୟତା ନିରୂପଣ ବା କାର୍ଯ୍ୟର ନିନ୍ଦାବାଦ ଠାରୁ ଅଧିକ ମହତ୍ତ୍ବପୂର୍ଣ୍ଣ ହେଉଛି ଏହି ନିର୍ଦ୍ଦିଷ୍ଟ ଘଟଣାକୁ ଅତିକ୍ରମ କରି ଦୃଷ୍ଟିପଥକୁ ବିସ୍ତାର କରିବା, ଯହିଁରେ ଦିଶିବ କିଭଳି ପ୍ରଶାସନ ବା ଅମଲାତନ୍ତ୍ର ସହିତ ସାଧାରଣ ନାଗରିକ, ଜନ-ପ୍ରତିନିଧି ଏବଂ ରାଜନୈତିକ ନେତାମାନଙ୍କ ସଂପର୍କ ଅଧିକାଂଶ ସମୟରେ ଅସହଜ, ବିକ୍ଷୁବ୍ଧ ଏପରିକି ତିକ୍ତ ହୋଇଥାଏ, ଯାହାର ପ୍ରମାଣ ସ୍ବରୂପ ବିଜୁ ପଟ୍ଟନାୟକଙ୍କ ଭଳି ଜଣେ ପୋଖତ ରାଜନେତାଙ୍କ(ତାଙ୍କ ମୁଖ୍ୟମନ୍ତ୍ରିତ୍ବ କାଳରେ!) ଏକ ଉଚ୍ଚାଟିତ ଆହ୍ବାନ ଶୁଭିଥିଲା ଯେ ‘କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଅଫିସରମାନଙ୍କୁ ମାଡ଼ ଦିଅ’। ସୁତରାଂ, ଅନେକ ସମୟରେ ପ୍ରଶ୍ନ ଉଠିଥାଏ ଯେ ଏହାର କାରଣ କ’ଣ? ସରଳ ଉତ୍ତରଟି ହେଲା ଔପନିବେଶିକ କାଳରୁ ଶ୍ବେତାଙ୍ଗ ବ୍ରିଟିସ ଶାସକମାନଙ୍କ ମନରେ ଶାସିତ କୃଷ୍ଣକାୟ ଭାରତୀୟମାନଙ୍କ ପ୍ରତି ଥିବା ବିଦ୍ବେଷ ସ୍ବାଧୀନତା ପ୍ରାପ୍ତି ପରେ ମଧ୍ୟ ଉତ୍ତରାଧିକାର ସୂତ୍ରରେ ଅମଲାତନ୍ତ୍ରର ଡି.ଏନ.ଏ.ରେ ଗଡ଼ି ଆସିଛି, ଯାହା ଶାସନ ଖସଡ଼ା, କାର୍ଯ୍ୟପଦ୍ଧତି, ଦଣ୍ଡବିଧି ଆଦିରୁ ନେଇ ମନୋଭାବ ଓ ଦୃଷ୍ଟିଭଙ୍ଗୀ ପର୍ଯ୍ୟନ୍ତ ସଂପ୍ରସାରିତ, ଯହିଁରେ ଶାସିତମାନେ ଅବଲୀଳା କ୍ରମେ ସମଗୋତ୍ରୀ ହୋଇ ସାରିଥିଲେ ହେଁ ‘ଅନ୍ୟ’ ରୂପେ ବିବେଚିତ ହୁଅନ୍ତି। ଏବଂ ଏକ ସମାନ୍ତରାଳ ବାସ୍ତବତା ହେଲା ଏହା ଯେ ବ୍ରିଟିସ ଶାସକଙ୍କୁ ବିତାଡ଼ିତ କରିବା ଲାଗି ସୃଷ୍ଟି ହୋଇଥିବା ଜନ ଆନ୍ଦୋଳନର ଗୁଣସୂତ୍ର ସାଧାରଣ ନାଗରିକ ଏବଂ ଜନନେତାଙ୍କ ଠାରେ ଏ ଯାବତ୍ ବିଦ୍ୟମାନ ରହିଥିବାରୁ ସ୍ବାଧୀନତାର ଅଷ୍ଟମ ଦଶନ୍ଧି ପୂର୍ଣ୍ଣ ହେବାକୁ ବସିଥିବା ସତ୍ତ୍ବେ ଏ ଯାବତ୍ ସ୍ବୀକୃତ ପ୍ରତିବାଦର ପନ୍ଥା ହେଉଛି ରାସ୍ତା ରୋକ ଏବଂ ବନ୍ଦ ଡାକରା ଇତ୍ୟାଦି ଭଳି ଆନ୍ଦୋଳନ, ଯହିଁରେ ଅନେକ ସମୟରେ ଉତ୍ତେଜନା ସୃଷ୍ଟି ହୋଇ ତାହା ସରକାରୀ ସଂପତ୍ତିର ଜଳାପୋଡ଼ା ବା ଭଙ୍ଗାରୁଜାରେ ପ୍ରଦର୍ଶିତ ହୋଇଥାଏ; ଅର୍ଥାତ୍ କ୍ଷତିର ଶିକାର ହୁଅନ୍ତି ନିଜ ଦେଶର ନିର୍ବାଚିତ ସରକାର ଏବଂ ସେମାନଙ୍କ ଅଲକ୍ଷ୍ୟେର ନାଗରିକମାନେ ନିଜେ। ଅନେକ ବିଶେଷଜ୍ଞଙ୍କ ମତରେ ‘ଶାସନ’ କରିବାର ପ୍ରକ୍ରିୟାରେ ଶାସକ ଓ ଶାସିତମାନଙ୍କ ମଧ୍ୟରେ ଏକ ସ୍ବାଭାବିକ ବ୍ୟବଧାନ ସୃଷ୍ଟି ହୋଇଥାଏ ଏବଂ ପୃଥିବୀର ସର୍ବତ୍ର ଉଭୟ ବର୍ଗ ପରସ୍ପରକୁ ‘ଅନ୍ୟ’ ଅର୍ଥାତ୍ ‘ନିଜ ମଧ୍ୟରୁ ନୁହେଁ’ ଭଳି ରୂପରେ ହିଁ ଦେଖନ୍ତି, କିନ୍ତୁ ଭାରତର ବିଡ଼ମ୍ବନା ହେଲା ଔପନିବେଶିକ ଶାସନର ଧାରା-ପ୍ରବାହ ବଳବତ୍ତର ରହି ଏହି ‘ଅନ୍ୟ’କୁ ଅବଲୀଳା କ୍ରମେ ‘ପର’ରେ ପରିଣତ କରିଦେଇଛି! ଏଭଳି ମନୋଭାବ କିଭଳି ଭୟାବହ ପରିଣତି ସୃଷ୍ଟି କରିଥାଏ, ତା’ର ଅନେକ ଦୃଷ୍ଟାନ୍ତ ରହିଛି; ତାହା ହୋଇପାରେ ପୁଲିସ ନିର୍ଯାତନାରେ ହାଜତ ମଧ୍ୟରେ କୌଣସି ସାଧାରଣ ବ୍ୟକ୍ତିର ମୃତ୍ୟୁ ଅବା ହିଂସ୍ର ଭିଡ଼ ଦ୍ବାରା କୌଣସି ସରକାରୀ ଅଧିକାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ! ୧୯୯୪ ମସିହାରେ, ଗ୍ୟାଙ୍ଗ ଯୁଦ୍ଧରେ ନିହିତ ଜଣେ ଗ୍ୟାଙ୍ଗଷ୍ଟରର ଶେଷକୃତ୍ୟ ସଂପନ୍ନ କରି ଫେରୁଥିବା ଦଳେ ଗ୍ରାମବାସୀ ପୁଲିସର ଉଦାସୀନତା ବିରୋଧରେ ପ୍ରତିକ୍ରିୟା ସ୍ବରୂପ ରାସ୍ତାରେ ଯାଉଥିବା ଯେଉଁ ଗାଡ଼ିଟି ଉପରେ ହଠାତ୍ ଆକ୍ରମଣ କରି ତା’ର ଆରୋହୀଙ୍କୁ ହତ୍ୟା କରିଥିଲେ, ସେ ଥିଲେ ବିହାରର ଗୋପାଳଗଞ୍ଜ ଜିଲ୍ଲାର ଜିଲ୍ଲାପାଳ ଜି. କୃଷ୍ଟୈୟା! କହିବା ଅନାବଶ୍ୟକ ଯେ କେବଳ ‘ସରକାରୀ’ ରୂପେ ଚିହ୍ନିତ ହୋଇଥିବାରୁ ଯାନଟି ଆକ୍ରମଣର ଶରବ୍ୟ ହୋଇଥିଲା ଏବଂ ହତଭାଗ୍ୟ ଆରୋହୀଙ୍କ ପରିଚୟ ନେଇ ଆକ୍ରମଣକାରୀମାନେ ଶେଷ ପର୍ଯ୍ୟନ୍ତ ଅଜ୍ଞ ଥିଲେ!
କିନ୍ତୁ, ଏହା ମଧ୍ୟ ଏକ ବାବସ୍ତତା ଯେ ରାଷ୍ଟ୍ରର ସଂହତି ଓ ବିକାଶରେ ଯେଉଁ ଅଖ୍ୟାତ, ଅପରିଚିତ ଓ ଅନୁଲ୍ଲଖିତ ବର୍ଗର ସର୍ବାଧିକ ଭୂମିକା ନିହିତ, ତାହା ହେଉଛି ଆମର ପ୍ରାଶାସନିକ କଳ ବା ଅମଲା ତନ୍ତ୍ର, ଯଦିଓ ତାହା ଅନେକତ୍ର ଅପାରଗ, ଉଦାସୀନ, ସଂବେଦନାରହିତ ଓ ଦୁର୍ନୀତିପ୍ରବଣ ବୋଲି ଅପଖ୍ୟାତ। ଭାରତର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ପ୍ରାଶାସନିକ ସେବା (ସ୍ଥୂଳ ଭାବେ ସରକାରୀ କର୍ମଚାରୀ)କୁ ‘ଆଇରନ ଫ୍ରେମ’ ବା ‘ଲୌହ ଢାଞ୍ଚା’ ବୋଲି ଅଭିହିତ କରିଥିଲେ, କାରଣ ସେ ହୃଦୟଙ୍ଗମ କରିଥିଲେ ଯେ ଭାଷା, ଅଞ୍ଚଳ ଓ ଧର୍ମର ସରହଦ ଅତିକ୍ରମ କରି କେବଳ ଏହି ଗୋଷ୍ଠୀ ହିଁ ରାଷ୍ଟ୍ରର ଏକତା ଏବଂ ବିକାଶ ଲାଗି କାର୍ଯ୍ୟ କରିବ। କହିବା ନିଷ୍ପ୍ରୟୋଜନ ଯେ ଅକଳ୍ପନୀୟ ଭାବେ ଅତିକାୟ ନିର୍ବାଚନ ବା ପ୍ରାକୃତିକ ବିପର୍ଯ୍ୟୟ ବା ଭୀଷଣ ମହମାରୀ କାଳରେ ସ୍ଥିତିର ମୁକାବିଲା ଓ ପରିଚାଳନା କ୍ଷେତ୍ରରେ ଭାରତୀୟ ଅମଲା ତନ୍ତ୍ରର ଅବଦାନ ପ୍ରଶ୍ନାତୀତ ଭାବେ ଅତୁଲ୍ୟ। କିନ୍ତୁ ବିଡ଼ମ୍ବନାଟି ହେଲା ଜନଜୀବନକୁ ସଂପୂର୍ଣ୍ଣ ରୂପେ ବଦଳାଇ ଦେଇ ପାରିବାର ସାମର୍ଥ୍ୟ ବହନ କରିଥିବା ଏହି ଅମଲାତନ୍ତ୍ର ବା ‘ଶାସନ କଳ’ ପ୍ରାୟତଃ ଏକ ‘ଆତ୍ମା, ଆବେଗ ଓ ସଂବେଦନାରହିତ କଳ ବା ଯନ୍ତ୍ର’ ସୁଲଭ ବ୍ୟବହାର କରି ନାଗରିକମାନଙ୍କ ନିକଟତର ହୋଇ ପାରି ନ ଥାଏ। କିନ୍ତୁ ଯେଉଁ କର୍ମଚାରୀ ଏହାର ବ୍ୟତିକ୍ରମ ହୁଅନ୍ତି, ସେମାନେ ଜନସାଧାରଣଙ୍କ ଅକୁଣ୍ଠ ଶ୍ରଦ୍ଧାର ଭାଜନ ମଧ୍ୟ ହୁଅନ୍ତି, ଯେମିତି ଦେଖିବାକୁ ମିଳିଥିଲା ଗଲା ବର୍ଷ ଡିସେମ୍ବର ମାସରେ ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକର ବିଡିଓ ହିମାଚଳ ମାଝୀଙ୍କ କ୍ଷେତ୍ରରେ, ଯାହାଙ୍କ ବଦଳିରେ ହଜାର ହଜାର ମାଥିଲିବାସୀ ଲୋତକପୂର୍ଣ୍ଣ ଚକ୍ଷୁରେ ତାଙ୍କୁ ବିଦାୟ ଜଣାଇବାର ଖବର ଆଞ୍ଚଳିକ ତଥା ଜାତୀୟ ଗଣମାଧ୍ୟମର ଶିରୋନାମା ମଣ୍ଡନ କରିଥିଲା।
ଏହା ସୁବିଦିତ ଯେ ଗଲା ୨୪ ବର୍ଷର ବିଜେଡି ସରକାରଙ୍କ ଶାସନ କାଳରେ ସୁବ୍ୟବସ୍ଥିତ ଢଙ୍ଗରେ ଅଫିସର ବା ଅମଲାମାନଙ୍କୁ ବ୍ୟବହାର କରି ଜନ ପ୍ରତିନିଧି(ବିଧାୟକ), ଏପରିକି ଶାସକ ଦଳର ଏମ.ଏଲ.ଏ. ଓ ମନ୍ତ୍ରୀମାନଙ୍କୁ ହୀନବୀର୍ଯ୍ୟ କରି ଦିଆଯାଇଥିଲା। ଅନେକ ପର୍ଯ୍ୟବେକ୍ଷକଙ୍କ ମତରେ ସେହି ଅପହୃତ କ୍ଷମତାର ପୁନଃ ସ୍ଥାପନ ଦିଗରେ ଶଂସିତ ଆକ୍ରମଣଟି ହୁଏତ ଏକ ପ୍ରୟାସ। କିନ୍ତୁ ଏଥିରେ ଅସଂଗତିଟି ହେଲା ଏହି ଆକ୍ରମଣକାରୀମାନେ ହେଉଛନ୍ତି ଶାସକ ବିଜେପି ଦଳର ସମର୍ଥକ, ଯେଉଁମାନଙ୍କ ଉଦ୍ୟମ ସରକାରଙ୍କ ସକାଶେ ଅଡୁଆ ସୃଷ୍ଟି କରିଛି; ଅର୍ଥାତ୍ ‘ପର’ ବୋଲି ବିଚାର କରି ସେମାନେ ଯେଉଁ ଦାଉ ସାଧିଛନ୍ତି, ତାହା ପ୍ରକୃତରେ ଆତ୍ମଘାତ ଭଳି ହୋଇଛି। ଏଣେ, ହାତଗଣତି ମାତ୍ର ତିନି ବା ଚାରି ଜଣ ବ୍ୟକ୍ତି, ସେମାନଙ୍କ ନେତାଙ୍କ ପ୍ରତି ହୋଇଥିବା ଅପମାନର ପ୍ରତିଶୋଧ ନେବା ଲାଗି ଯାହା କଲେ, ତାହାର ଜବାବରେ ଓଏଏସ ଅଧିକାରୀମାନଙ୍କ ପଦକ୍ଷେପ ମଧ୍ୟ ସମତୁଲ ଭାବେ ପ୍ରତିଶୋଧମୂଳକ, ଯାହାର ପରିଣାମ ସ୍ବରୂପ ସରକାର କ୍ଷତି ସହିବା ସହିତ ରାଜ୍ୟବାସୀ ମଧ୍ୟ ତୀବ୍ର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାରୀ ଅଧିକାରୀମାନେ କାର୍ଯ୍ୟ େକ୍ଷତ୍ରରେ ସୁରକ୍ଷା ସହିତ ଦ୍ରୁତ ଓ ବିହିତ କାର୍ଯ୍ୟାନୁଷ୍ଠାନର ଦାବି କରିଛନ୍ତି, ଯାହା ଯଥାର୍ଥ। କିନ୍ତୁ ସେମାନଙ୍କ ପ୍ରତିକ୍ରିୟାରେ ମଧ୍ୟ ଏକ ଅସଂଗତି ନିହିତ ଅଛି, ଯାହା ହେଲା ସରକାରର ଅଙ୍ଗ ହୋଇ ମଧ୍ୟ ‘କାର୍ଯ୍ୟ ବନ୍ଦ’ ଭଳି ପଦକ୍ଷେପ ଦ୍ବାରା ସେମାନେ ସରକାରଙ୍କୁ ଆହତ କରିବାରେ ମଜ୍ଜିଛନ୍ତି; ଅର୍ଥାତ୍ ‘ପର’ ଉପରେ ରାଗ ଶୁଝାଇବାକୁ ଯାଇ ଯିଏ ନିଜର, ତାହାକୁ ମଧ୍ୟ ‘ପର’ କରି ଦିଆଯାଇଛି। ଗଣତନ୍ତ୍ରର ଜଟିଳତା ସେଇଠି; କିଏ ‘ନିଜର’ ଓ କିଏ ‘ପର’ ତାହା କଳିବା କଷ୍ଟସାଧ୍ୟ ହୋଇଥାଏ।