ନିକଟରେ ଏହି ବିମାନର ଗୋଟିଏ ଭେଳା ଭାରତ ଖର୍ଦ୍ଦି କରୁ ବୋଲି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଂପଙ୍କ ପ୍ରସ୍ତାବ ଓ ପରୋକ୍ଷ ଚାପ ଭାରତ ସକାଶେ ଏକ ଧର୍ମ-ସଂକଟ ସୃଷ୍ଟି କରିଥିଲା। ସେହି ପରିପ୍ରେକ୍ଷୀରେ ଶଂସିତ ଘଟଣାକୁ ଦର୍ଶାଇ ଉପରୋକ୍ତ ପ୍ରସ୍ତାବର ପୁନର୍ବିଚାର ଲାଗି ଭାରତ ହୁଏତ ଆଗ୍ରହ କରିପାରେ!
ଗଲା ଜୁନ୍ ୧୪ ତାରିଖ ରାତି ୯ଟା ୩୦ ମିନିଟ ସମୟରେ କେରଳର ତିରୁବନନ୍ତପୁରମ ଠାରେ ଘଟିଥିବା ଏକ କୌତୂହଳୋଦ୍ଦୀପକ ଘଟଣାର ଖବର ସେ ସମୟରେ ହୁଏତ ବିଶେଷ ଦୃଷ୍ଟି ଆକର୍ଷଣ କରି ନଥିଲା, କିନ୍ତୁ ୨୦ ଦିନ ପରେ ସଂପ୍ରତି ତାହା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚିତ ଶିରୋନାମାରେ ପରିଣତ ହେବା ସହିତ ସାମାଜିକ ଗଣମାଧ୍ୟମରେ ଅନୁମାନ, ଆକଳନ ଏପରିକି ଟାହିଟାପରାର ଜୁଆର ସୃଷ୍ଟି କଲାଣି। ଶଂସିତ ବିଷୟଟି ହେଲା ଯୁକ୍ତରାଷ୍ଟ୍ର ଆମେରିକାର ସମର ସାମର୍ଥ୍ୟ ଓ ସମ୍ମାନର ପ୍ରତୀକ ଭାବେ ପରିଗଣିତ ପଞ୍ଚମ ପିଢ଼ିର ସର୍ବାଧୁନିକ ଲଢୁଆ ବିମାନ ‘ଏଫ-୩୫ବି’ ଅପ୍ରତ୍ୟାଶିତ ଭାବେ ତିରୁବନନ୍ତପୁରମ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବା। ପ୍ରକାଶ ଥାଉ କି ଅବତରଣର ଅନୁମତି ସକାଶେ ବିମାନର ଚାଳକ ଇନ୍ଧନ ଅଭାବ, ଖରାପ ପାଗ ଏବଂ ବିମାନରେ ‘ହାଇଡ୍ରୋଲିକ୍’ ବ୍ୟବସ୍ଥାରେ ସାମାନ୍ୟ ତ୍ରୁଟି ବିଷୟରେ ଜଣାଇଥିଲେ। ଏଭଳି ଏକ ପରିସ୍ଥିତି ହୁଏତ ବିଶେଷ ବିସ୍ମୟ ସୃଷ୍ଟି କରନ୍ତା ନାହିଁ; ଏପରିକି ସାଧାରଣ ବୋଲି ମଧ୍ୟ ବିବେଚିତ ହୁଅନ୍ତା, ଯଦି ଏହାର ଅଧିକାରୀ ବ୍ରିଟିସ ‘ରୟାଲ ନେଭି’(ନୌ-ବାହିନୀ) ତା’ର ସର୍ବାଧିକ ସ୍ପର୍ଶକାତର ସଂପଦ ଏହି ୧୦୦ ନିୟୁତ ଡଲାର ମୂଲ୍ୟ ବିଶିଷ୍ଟ ମହାର୍ଘ ବିମାନଟିକୁ କେରଳର ନିରବଚ୍ଛିନ୍ନ ମୌସୁମୀ ବର୍ଷାରେ ତିନ୍ତିବା ଲାଗି ବିମାନ ବନ୍ଦରର ରନ୍ୱେରେ ଏକ ଛେଉଣ୍ଡ ପିଲା ସଦୃଶ ଛାଡ଼ି ଦେଇ ନ ଥାଆନ୍ତା! କିନ୍ତୁ, ଏଭଳି ଘଟଣାକ୍ରମ କାହିଁକି ଅସାଧାରଣ ତାହା ବୁଝିବା ଲାଗି ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ପ୍ରକାଶ ଥାଉ କି କେରଳ ଉପକୂଳରୁ ୧୦୦ କିଲୋମିଟର ଦୂରରେ(ଆରବ ସାଗରରେ) ଭାରତ ସହିତ ମିଳିତ ସମରାଭ୍ୟାସ କରୁଥିବା ‘ବ୍ରିଟିସ ରୟାଲ ନେଭି’ର ‘ଏଚଏମଏସ ପ୍ରିନ୍ସ ଅଫ ୱେଲ୍ସ’ ନାମଧାରୀ ନୌ-ଭେଳାରୁ ଉଡ଼ାଣ ଭରିଥିବା ଉପରୋକ୍ତ ବିମାନଟି ଅଗତ୍ୟା ବିଶେଷ କାରଣ ହେତୁ ଅବତରଣ କରିବାକୁ ବାଧ୍ୟ ହୋଇଥିଲା। ପ୍ରକାଶ ଥାଉ କି ଏହା ପର ଦିନ ବ୍ରିଟିସ ନୌବାହିନୀର କିଛି କର୍ମଚାରୀ, ତା’ର କିଛି ଦିନ ଉପରାନ୍ତ ବିଶେଷ ତାଲିମପ୍ରାପ୍ତ ଇଂଜିନିଅରଙ୍କ ଏକ ଦଳ ବିମାନଟିକୁ ପରୀକ୍ଷାନିରୀକ୍ଷା କରି ପ୍ରତ୍ୟାବର୍ତ୍ତନ କରିବା ପରେ ସଦ୍ୟତମ ସମ୍ବାଦ ଅନୁସାରେ ଏକ ଚାଳିଶ ଜଣିଆ ଦଳ ଆସି ପହଞ୍ଚିଛନ୍ତି, ଯହିଁରେ ଅନ୍ତର୍ଭୁକ୍ତ ଏହି ବିମାନର ନିର୍ମାତା କଂପାନି ‘ଲକ୍ହିଡ୍ ମାର୍ଟିନ’ର ପ୍ରବିଧି-ବିଶେଷଜ୍ଞ। ଅନୁମାନ କରାଯାଉଛି ଯେ ସେମାନଙ୍କୁ ଘେନି ଆସିଥିବା ପୃଥିବୀର ଅନ୍ୟତମ ବିଶାଳତମ ବିମାନ ‘ସି-୧୭ ଗ୍ଲୋବ ମାଷ୍ଟର’ରେ ଅଚଳ ବିମାନଟି ବୁହା ହୋଇ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବ! ଏହା ସୁବିଦିତ ଯେ ‘କୃତ୍ରିମ ବୁଦ୍ଧିମତ୍ତା’ ଠାରୁ ଆରମ୍ଭ କରି କଳ୍ପନାତୀତ ଭାବେ ସୂକ୍ଷ୍ମ ଓ ଜଟିଳ ‘ସଫ୍ଟୱେର’ ଓ ‘ହାର୍ଡୱେର୍’ ଦ୍ବାରା ଭରପୂର ‘ଏଫ-୩୫’ ବିମାନର ସାମାନ୍ୟ ମରାମତି ଲାଗି ଖୋଲିବା ସକାଶେ ନିର୍ମାତା କଂପାନିର ବିଶେଷଜ୍ଞମାନଙ୍କ ଆବଶ୍ୟକତା ପଡ଼ିଥାଏ ଏବଂ କୁହାଯାଉଛି ଯେ ତାହାର ଯନ୍ତ୍ରାଂଶକୁ ଖୋଲିବା ଲାଗି ବିଶେଷ ଉପକରଣ ମଧ୍ୟ ସେହି ‘ଗ୍ଲୋବ ମାଷ୍ଟର’ ବିମାନରେ ଆସିଛି। ଏହି ବିମାନ ନିର୍ମାଣରେ ଅବଲମ୍ବନ କରାଯାଉଥିବା ସତର୍କତା ଏବଂ କରାଯାଉଥିବା ବ୍ୟୟର ଧାରଣା କେବଳ ଏହି ସୂଚନାରୁ ମିଳିବ ଯେ ନିଜର ଉପସ୍ଥିତିକୁ ଯେ କୌଣସି ରାଡାରର ଦୃଷ୍ଟିରୁ ଗୋପନ ରଖିବା ସକାଶେ ଏହି ବିମାନରେ ଏକ ସ୍ବତନ୍ତ୍ର ପୁଟର କେଇ ନିୟୁତ ପରସ୍ତ ଚଢ଼ା ଯାଇଥାଏ। ଉଲ୍ଲେଖଯୋଗ୍ୟ ଯେ ସୁରକ୍ଷିତ ଆଶ୍ରୟ ପ୍ରଦାନ କରିବା ସକାଶେ ବିମାନଟିକୁ ବିମାନବନ୍ଦରର ‘ହ୍ୟାଙ୍ଗର’କୁ ସ୍ଥାନାନ୍ତରିତ କରିବା ସକାଶେ ଭାରତ ପକ୍ଷରୁ ଅନୁମତି ମଗାଯାଇଥିଲେ ମଧ୍ୟ ବ୍ରିଟେନ ପକ୍ଷରୁ ତାହାକୁ ଅଗ୍ରାହ୍ୟ କରି ଦିଆଯାଇଥିଲା, ଯାହାର ସମ୍ଭାବ୍ୟ କାରଣ ହୁଏତ ଏହା ଯେ ମରାମତି ଲାଗି ଯଦି ଅଗତ୍ୟା ବିମାନର କୌଣସି ଅଂଶକୁ ଖୋଲିବାକୁ ପଡ଼େ, ତେବେ ତାହାର ଦୃଶ୍ୟ ହ୍ୟାଙ୍ଗରରେ ଖଞ୍ଜା ଯାଇଥିବା ‘ସି.ସି. କ୍ୟାମେରା’ରେ ବନ୍ଦୀ ହୋଇ ତହିଁରେ ଥିବା ସୂକ୍ଷ୍ମ ପ୍ରଯୁକ୍ତିକୁ ପ୍ରଘଟ ହେବାର ଆଶଙ୍କା ସୃଷ୍ଟି କରିବ, ଯାହାକୁ ଆମେରିକା ଗଣ୍ଠିଧନ ଭଳି ଲୁଚାଇ ରଖିବାକୁ ଚାହିଁଥାଏ। ସୁତରାଂ, ସେମାନଙ୍କ ବିଚାରରେ ଉପଗ୍ରହସ୍ଥ କ୍ୟାମେରାର ସତର୍କ ଚକ୍ଷୁ ତଳେ ବରଂ ବିମାନଟି ଅଧିକ ସୁରକ୍ଷିତ, ତେଣିକି ତାହା ଖରା ଓ ବର୍ଷାର ଦାଉ ସହୁଥାଉ ପଛକେ!
ଏବେ ପ୍ରକୃତ ପ୍ରସଙ୍ଗକୁ ଆସିବା, ଯାହା ଆମେରିକାର ଦୃଷ୍ଟିକୋଣରୁ ଆଦୌ ରୁଚିକର ହୋଇ ନଥାଏ। ଅନେକ ଭାରତୀୟ ଓ ଅନ୍ତର୍ଜାତୀୟ ଲଢୁଆ ବିମାନ ବିଶେଷଜ୍ଞ କହନ୍ତି ଯେ ବିମାନଟି ଅବତରଣ କରିବା ଲାଗି ଚାଳକ ଦର୍ଶାଇଥିବା କାରଣମାନ କେବଳ ବାହାନା ମାତ୍ର; କାରଣ ସେ ସବୁ ସମସ୍ୟା ତୁରନ୍ତ ସମାଧାନ-ଯୋଗ୍ୟ, ଅର୍ଥାତ୍ ତିିନି ସପ୍ତାହ ଧରି ଏକ ବିଦେଶ ଭୂମିରେ ତାହା ପଡ଼ି ରହିବାର ବାଧ୍ୟବାଧକତା ସୃଷ୍ଟି ହୁଅନ୍ତା ନାହିଁ; ପୁଣି ଯେତେବେଳେ ଭାରତ ‘ନାଟୋ’ ମେଣ୍ଟ ଅନ୍ତର୍ଭୁକ୍ତ ରାଷ୍ଟ୍ର ନୁହେଁ। ସେମାନଙ୍କ ମତରେ ଏକ ଜଟିଳ ସମସ୍ୟା ହେତୁ ମନୁଷ୍ୟ ମସ୍ତିଷ୍କସମ ଦକ୍ଷ ଏହାର ଅତ୍ୟାଧୁନିକ ପ୍ରାବିଧିକ ବ୍ୟବସ୍ଥା ‘ଆତ୍ମରକ୍ଷା’ ଲାଗି ନିକଟତମ ବିମାନବନ୍ଦରରେ ତାକୁ ଅବତରଣ କରିବାକୁ ଚାଳକଙ୍କୁ ଏକ ପ୍ରକାର ବାଧ୍ୟ କରିପକାଇଥିବ। କାରଣ କୌଣସି ଜରୁରୀ ସ୍ଥିତିରେ ନିଜ ମାନଚିତ୍ରରେ ନିକଟତମ ବିମାନବନ୍ଦରକୁ ଠାବ କରି ସେଠାରେ ଓହ୍ଲାଇବା ସକାଶେ ବିମାନଟି କେତେକ ବ୍ୟବସ୍ଥାକୁ ସ୍ବୟଂକ୍ରିୟ ଭାବେ ‘ଲକ୍’ କରି ଦେଇଥାଏ, ଯଦ୍ଦ୍ବାରା ବିମାନର ନିର୍ଦ୍ଦେଶ ମାନିବା ବ୍ୟତୀତ ପାଇଲଟଙ୍କ ସକାଶେ ଅନ୍ୟ ବିକଳ୍ପ ନ ଥାଏ ଏବଂ ସେହି ‘ଲକ୍’କୁ ଖୋଲିବା କେବଳ ‘ଲକ୍ହିଡ୍ ମାର୍ଟିନ’ କଂପାନିର ସୁଦକ୍ଷ ବିଶାରଦମାନଙ୍କ ପକ୍ଷେ ସମ୍ଭବ। ତେବେ ପ୍ରଶ୍ନ ହେଲା, ସେଭଳି ସ୍ଥିତି ଉତ୍ପନ୍ନ ହେଲା କାହିଁକି? ତା’ର ଏକ କାରଣ ହୁଏତ ଏହା ଯେ ବିମାନଟି ଉଡ଼ାଣ ସମୟରେ ଭାରତୀୟ ଆକାଶରେ ପ୍ରବେଶ କରିଥିବା ବିଷୟ ଆମ ଦେଶର ‘ଇଣ୍ଟିଗ୍ରେଟେଡ୍ ଏୟାର କମାଣ୍ଡ ଏଣ୍ଡ କଣ୍ଟ୍ରୋଲ ସିଷ୍ଟମ’(ଆଇ.ଏ.ସି.ସି.ଏସ.) ଦ୍ବାରା ଚିହ୍ନିତ ହୋଇ ଯାଇଥିଲା, ଯେଉଁ ସଂକେତ ମଧ୍ୟ ବିମାନକୁ ଯାଇ ଏଭଳି ସ୍ଥିତି ଉପୁଜାଇଥିବ। ପ୍ରକାଶ ଥାଉ କି ‘ଏଫ-୩୫’ ଏକ ‘ଷ୍ଟେଲ୍ଥ’ ବିମାନ, ଯାହାର ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ବିଶେଷତ୍ତ୍ବ ହେଲା ରାଡାର ଦ୍ବାରା ଠାବ ନ ହେବା। ତେଣୁ ବିମାନର ଏହି ବିଫଳତା ତା’ର ସୁରକ୍ଷା ବ୍ୟବସ୍ଥାକୁ ସ୍ବାଭାବିକ ଭାବେ ସକ୍ରିୟ କରିଥିବ। ତେବେ, ଏଭଳି ଏକ ଦୃଶ୍ୟପଟ ଆମେରିକା ସକାଶେ ବିଚଳିତକର ହୋଇଥିଲେ ହେଁ ଭାରତ ସକାଶେ ଉତ୍ସାହକର, କାରଣ ଏଫ-୩୫ ଭଳି ଷ୍ଟେଲ୍ଥ ବିମାନ ଭାରତୀୟ ରାଡାରର ସର୍ବଭେଦୀ ଦୃଷ୍ଟିକୁ ଅତିକ୍ରମ କରି ପାରିନାହିଁ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ବିମାନର ମୂଲ୍ୟ ଭଳି ଏହାର ପରିଚାଳନାଗତ ବ୍ୟୟ ମଧ୍ୟ ଭୀତି ସଂଚାରକାରୀ ହୋଇଥାଏ; ମାତ୍ର ଘଣ୍ଟାଏ ଉଡ଼ିବା ଲାଗି ଏଥିରେ ଖର୍ଚ୍ଚ ହୁଏ ୪୦ ହଜାର ଆମେରିକୀୟ ଡଲାର ଏବଂ ପୂର୍ଣ୍ଣ ଆୟୁଷ କର୍ତ୍ତବ୍ୟ ସଂପାଦନ କଲେ ଏହି ବିମାନ ଲୋଡ଼ିବ ୧.୭ ଟ୍ରିଲିଅନ ଡଲାର। ନିକଟରେ ଏହି ବିମାନର ଗୋଟିଏ ଭେଳା ଭାରତ ଖର୍ଦ୍ଦି କରୁ ବୋଲି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଂପଙ୍କ ପ୍ରସ୍ତାବ ଓ ପରୋକ୍ଷ ଚାପ ଭାରତ ସକାଶେ ଏକ ଧର୍ମ-ସଂକଟ ସୃଷ୍ଟି କରିଥିଲା। ସେହି ପରିପ୍ରେକ୍ଷୀରେ ଶଂସିତ ଘଟଣାକୁ ଦର୍ଶାଇ ଉପରୋକ୍ତ ପ୍ରସ୍ତାବର ପୁନର୍ବିଚାର ଲାଗି ଭାରତ ହୁଏତ ଆଗ୍ରହ କରିପାରେ!
ତିରୁବନନ୍ତପୁରମ ବିମାନ ବନ୍ଦରରେ ଅରକ୍ଷିତଟିଏ ଭଳି ଛିଡ଼ା ହୋଇଥିବା ବିମାନଟି ସାମାଜିକ ଗଣମାଧ୍ୟମରେ ପରିହାସର ପାତ୍ର ମଧ୍ୟ ହେଉଛି; ଯେମିତି ଏକ ଏକ୍ସ ବାର୍ତ୍ତା କହିଛି ଯେ ‘ଦୟା କରି ତା’ ଉପରେ କେରପାଲଟିଏ ଘୋଡ଼ାଇ ଦିଅ।’ କିନ୍ତୁ ଏକ ସଂବେଦନଶୀଳ ଦୃଷ୍ଟିରେ ଧରାବଦ୍ଧ ନିଃସଙ୍ଗ ବିମାନଟି ଶରଶଯ୍ୟାରେ ଶାୟିତ ଯୁଦ୍ଧକ୍ଳାନ୍ତ ଭୀଷ୍ମଙ୍କ ଭଳି ମଧ୍ୟ ଦିଶିଥାଏ। ପ୍ରସଙ୍ଗ କ୍ରମେ ପ୍ରକାଶ ଥାଉ କି ୨୦୦୪ ମସିହା ଅକ୍ଟୋବର ମାସରେ ଏକ ଭାରତୀୟ ମିେରଜ ବିମାନ ମରିସସ ଠାେର ଅଟକି ରହିବାକୁ ବାଧ୍ୟ ହୋଇଥିଲା, ଯାହାକୁ ତିନି ସପ୍ତାହ ପରେ ଆଉ ଏକ ବିମାନରେ ବୁହାଯାଇ ସ୍ବଦେଶ ଅଣାଯାଇଥିଲା। ଏହି ‘ଏଫ-୩୫’ ମଧ୍ୟ ସମ ଦଶା ଦେଇ ଗତି କରିପାରେ! ଏକ ଯୁଦ୍ଧ ବିମାନର ଦୁର୍ଭାଗ୍ୟ ହେଲା ଉଡ଼ିବାର କ୍ଷମତା ହରାଇ ଅନ୍ୟ ଏକ ବିମାନ ଦ୍ବାରା ପରିବହିତ ହେବା; ଅସହାୟତାର ଦୀର୍ଘଶ୍ବାସ ନିର୍ଗତ କରୁଥିବା ଜଣେ ଅକର୍ମଣ୍ୟ ଯେଦ୍ଧାଙ୍କୁ ଟେକି ନିଆଯାଉଥିବା ଭଳି!