ରାଷ୍ଟ୍ରଗୁଡ଼ିକ ମନୁଷ୍ୟସୁଲଭ ହୀନମନ୍ୟତା ଦେଖାଇ ପାରନ୍ତି ଓ ଷଡ୍‌ଯନ୍ତ୍ର ମଧ୍ୟ କରି ପାରନ୍ତି! ତେବେ, ଏକଲବ୍ୟ ସଦୃଶ ଏକାକୀ ଯାତ୍ରା କରିବାର ଦମ୍ଭ ହିଁ ଏଭଳି ଷଡ୍‌ଯନ୍ତ୍ରକୁ ଅର୍ଥହୀନ କରିଥାଏ।

Advertisment

‘ଅପରେସନ ସିନ୍ଦୂର’ ପରେ ଏକ ଅନୁପମ କୂଟ‌ନୈତିକ ପଦକ୍ଷେପ ସ୍ବରୂପ ଭାରତ ସରକାରଙ୍କ ପକ୍ଷରୁ ଗୋଟିଏ ଉଚ୍ଚସ୍ତରୀୟ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀକୁ ଯୁକ୍ତରାଷ୍ଟ୍ର ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକୁ ପ୍ରେରଣ କରିବାର ଯୋଜନା କରାଯାଇଛି, ଯାହା ହେଉଛି ପହଲଗାମ ଆତଙ୍କବାଦୀ ଆକ୍ରମଣ ସଂଦର୍ଭରେ ଭାରତୀୟ କାର୍ଯ୍ୟାନୁଷ୍ଠାନର ଔଚିତ୍ୟ ଓ ଯାଥାର୍ଥ୍ୟ ପ୍ରତିପାଦନ କରିବାର ପ୍ରଚେଷ୍ଟା। ବସ୍ତୁସ୍ଥିତି ସହିତ ପାଶ୍ଚାତ୍ୟ ବିଶ୍ବକୁ ଅବଗତ କରାଇବା କେବଳ ଏହାର ଏକମାତ୍ର ଉଦ୍ଦେଶ୍ୟ ନୁହେଁ, ବରଂ, ଏହି ସଂଦର୍ଭରେ ପା‌ଶ୍ଚାତ୍ୟ ଗଣମାଧ୍ୟମ ଦ୍ବାରା ସୃଷ୍ଟ ଭାରତ-ପ୍ରତିକୂଳ ବ୍ୟାଖ୍ୟାନର ପ୍ରତ୍ୟୁତ୍ତର ରଖିବା ସକାଶେ ମଧ୍ୟ ଏହା ଅଭିପ୍ରେତ। କହିବା ବାହୁଲ୍ୟ, ଏହି ପ୍ରତିନିଧି ଦଳର ସଂରଚନାରେ ଭାରତୀୟ ଗଣତନ୍ତ୍ରର ଏକ ହୃଦୟଗ୍ରାହୀ ଚିତ୍ର ଦିଶିଥାଏ; କାରଣ ଏହାର ନେତୃତ୍ବ ନ୍ୟସ୍ତ ହୋଇଛି ବିରୋଧୀ ଦଳ କଂଗ୍ରେସର ସାଂସଦ ଶଶୀ ଥରୁରଙ୍କ ଉପରେ ଏବଂ ପ୍ରଧାନମନ୍ତ୍ରୀଙ୍କ ଜଣେ ଅତ୍ୟନ୍ତ ତୀବ୍ର ଓ କର୍କଶ ସମାଲୋଚକ ଅସାଦୁଦ୍ଦିନ ଓୱାଇସି ହେଉଛନ୍ତି ଏହି ଦଳର ଜଣେ ସଦସ୍ୟ। ଦଳ ଓ ମତ ନିର୍ବିଶେଷରେ ରାଷ୍ଟ୍ରର ସ୍ବାର୍ଥ ଓ ସୁରକ୍ଷା ଚିନ୍ତା କିଭଳି ସର୍ବୋପରି, ଏହା ତା’ର ଏକ ଦୃଷ୍ଟାନ୍ତ। କିନ୍ତୁ, ଅନେକ ପର୍ଯ୍ୟବେକ୍ଷକଙ୍କ ମତ‌େର ଏଭଳି ଉଦ୍ୟମ ‘ଅଭିନବ ହେଲେ ମଧ୍ୟ ଅନାବଶ୍ୟକ’; ଯାହା ସ୍ପଷ୍ଟ କରିବା ସକାଶେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ। 
ଅନ୍ତର୍ଜାତୀୟ ଗଣମାଧ୍ୟମରେ ଜଣେ ବରିଷ୍ଠ ସାମ୍ବାଦିକ ଭାବେ ଦୀର୍ଘ କାଳ ଧରି କାର୍ଯ୍ୟ କରିଥିବା ରାଜନୈତିକ ସମୀକ୍ଷକ ପଦ୍ମା ରାଓଙ୍କ ମତ କହିଥାଏ ଯେ ଭାରତ ଉଦାର ଅର୍ଥନୀତି ଏବଂ ସଫଳ ଗଣତନ୍ତ୍ରର ରାଷ୍ଟ୍ର ହୋଇଥିଲେ ହେଁ ପାଶ୍ଚାତ୍ୟ ଗଣମାଧ୍ୟମଗୁଡ଼ିକ କାରଣେ-ଅକାରଣେ ଏହାର ସମାଲୋଚନା କରିଥାନ୍ତି। ଏହା ପଛରେ ରହିଛି ଏକ ପ୍ରକାର ‘ହୀନମନ୍ୟତା’, ଯାହାର କାରଣ ସେମାନଙ୍କ କଳ୍ପିତ ‘ମର୍କଟ ଦେବତା’ଙ୍କୁ ଉପାସନା କରୁଥିବା ସାପୁଆ କେଳାଙ୍କ ଏକ ଭୂଖଣ୍ଡ ଭାରତ ସହସା ଜ୍ଞାନ, ବିଜ୍ଞାନ, ପ୍ରଯୁକ୍ତି, ଅର୍ଥନୀତି ଓ ରାଜନୈତିକ ପରିପକ୍ବତାରେ ସେମାନଙ୍କ ସମକକ୍ଷ ଭାବେ ଅବତୀର୍ଣ୍ଣ ହେବା। ସ୍ବାଭାବିକ ଭାବେ ଏହା ସେମାନଙ୍କ ଲାଗି ଅସହନୀୟ ହୋଇଥାଏ। ଇତିହାସ ସାକ୍ଷ୍ୟ ପ୍ରଦାନ କରିଥାଏ କିଭଳି ବିଭବଶାଳୀ ଭାରତର କାହାଣୀରେ ବିମୋହିତ ପାଶ୍ଚାତ୍ୟ ଭୂଖଣ୍ଡ ଏଠାକୁ ଜଳପଥର ଆ‌ବିଷ୍କାର ସକାଶେ ବ୍ୟଗ୍ର ହୋଇ ଉଠିଥିଲା ଏବଂ କୂଟ ଓ ପ୍ରଯୁକ୍ତିର ପ୍ରୟୋଗ କରି ଏହି ଉପମହାଦେଶର ଦଳନ ଓ ଦୋହନ କରିଥିଲା। ତେବେ, କାଳ-ଚକ୍ରର ବିଚିତ୍ର ଘୂର୍ଣ୍ଣନରେ ସେମାନଙ୍କ ଦ୍ବାରା ନିଃଶୋଷିତ ଭାରତ ଓ ଭାରତୀୟଗଣ ସଂପ୍ରତି ପ୍ରଯୁକ୍ତି ଓ ବୈଷୟିକ ଜ୍ଞାନ କ୍ଷେତ୍ରରେ ଏକ ମହାଶକ୍ତି, ଏବଂ ତାହା ସମ୍ଭବ ହୋଇଛି ସ୍ବାଧୀନତା ଲାଭ କରିବାର ମାତ୍ର ସାତ ଦଶନ୍ଧି ମଧ୍ୟରେ! ତେଣୁ ଏ ହୀନମନ୍ୟତା! ଏ ପ୍ରସଙ୍ଗରେ ଏକ ଉଦାହରଣ କଥାଟିକୁ ଅଧିକ ସ୍ପଷ୍ଟ କରିବ। ମହାକାଶ ବିଜ୍ଞାନ କ୍ଷେତ୍ରରେ କେତେକ ଅତୁଲ୍ୟ ଉପଲବ୍‌ଧି କେବଳ ଚାରି ବା ପାଞ୍ଚଟି ଦେଶର ‘ସଂଭ୍ରାନ୍ତ କ୍ଲବ୍‌’ର ଅଧୀନସ୍ଥ ଥିଲା, ଯହିଁରେ ଭାରତର ପ୍ରବେଶ ଘଟି ସାରିଛି। ଏହା ସେମାନଙ୍କ ଠାରେ କିଭଳି ଗାତ୍ର ଦାହ ସୃଷ୍ଟି କରିଥାଏ, ତାହାର ନିଦର୍ଶନ ମିଳିଥିଲା ଚନ୍ଦ୍ରର ସଂପୂର୍ଣ୍ଣ ଅନାଲୋକିତ ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୨ର ସଫଳ ଓ ଅତ୍ୟନ୍ତ ବିରଳ ଅବତରଣ ବେଳେ। କେତେକ ପାଶ୍ଚାତ୍ୟ ଗଣମାଧ୍ୟମରେ ପ୍ରକାଶିତ ଏ ସଂକ୍ରାନ୍ତ ସମ୍ବାଦରେ ଏକ ଈର୍ଷା-କାତର ମନୋଭାବ ସ୍ପଷ୍ଟ-ଅସ୍ପଷ୍ଟ ଭାବେ ପରିଲକ୍ଷିତ ହୋଇଥିଲା। ସେହି ଦୃଷ୍ଟିରୁ କେତେକ ପର୍ଯ୍ୟବେକ୍ଷକ କହିଥାଆନ୍ତି ଯେ ‘ଅପରେସନ ସିନ୍ଦୂର’ ମାଧ୍ୟମରେ ଆଧୁନିକ ଯୁଦ୍ଧ-କୌଶଳ‌େର ଯେଉଁ ସୂକ୍ଷ୍ମ ସାଫଲ୍ୟ ଭାରତ ଅର୍ଜନ କରିଛି, ତାହା ଅନେକ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ସକାଶେ ପଚନଯୋଗ୍ୟ ହୋଇନାହିଁ। କେବଳ ସେତିକି ନୁହେଁ, ଏକ ଭାରତ-ରୁଷୀୟ ସାମରିକ ସୁରକ୍ଷା ବ୍ୟବସ୍ଥା ସମକ୍ଷରେ ପାକିସ୍ତାନ ଆଶ୍ରୟ କରିଥିବା ମୂଳତଃ ଆମେରିକୀୟ ସାମରିକ ସରଂଜାମ ଏବଂ ତୁର୍କୀ(ଏକ ‘ନାଟୋ’ ସଦସ୍ୟ) ଡ୍ରୋନମାନ ସଂପୂର୍ଣ୍ଣ ହୀନବୀର୍ଯ୍ୟ ହୋଇଯିବା ଦ୍ବାରା ବିଚଳିତ ପାଶ୍ଚାତ୍ୟ ଗଣମାଧ୍ୟମ ଭାରତ-ପ୍ରତିକୂଳ ବ୍ୟାଖ୍ୟାନ ସୃଷ୍ଟିରେ ବ୍ୟାପୃତ। ସେହି ବୈକଲ୍ୟ କାଳରେ ଭାରତୀୟ ସଫଳତାର ପ୍ରମାଣ ସ୍ବରୂପ ‘ମାକ୍‌ସାର’ ଉପଗ୍ରହ ଦ୍ବାରା ଉତ୍ତୋଳିତ ଚିତ୍ରମାନ ମଧ୍ୟ ସେମାନଙ୍କୁ ପ୍ରଭାବିତ କରି ନ ଥାଏ! 
ଅନେକ ବିଶେଷଜ୍ଞଙ୍କ ମତରେ ଏଭଳି ସ୍ଥଳେ ପାଶ୍ଚାତ୍ୟ ରାଷ୍ଟ୍ର ବା ସେଠାକାର ଗଣମାଧ୍ୟମ ପକ୍ଷରୁ ଭାରତ ଯଥାର୍ଥ ସମର୍ଥନ ଲାଭ କରିବାର ସମ୍ଭାବନା ମଧ୍ୟ କ୍ଷୀଣ। କାରଣ ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନ ବା ପାକିସ୍ତାନ ଭଳି ଦୁର୍ବଳ ତଥା ନତମସ୍ତକ ଦେଶ ଚାହାନ୍ତି, ଯାହାଙ୍କ ଉପରେ ସେମାନେ ଆଶିଷର ଅଭୟ ହସ୍ତ ରଖି ପାରିବେ! ସୁତରାଂ, ଭାରତକୁ ଏକାକୀ ଯାତ୍ରା କରିବାକୁ ହେବ ଏବଂ ଚୀନ (ଶତ୍ରୁ ହୋଇଥିଲେ ହେଁ) ହେଉଛି ଏ ସଂକ୍ରାନ୍ତରେ ଏକ ଦୃଷ୍ଟାନ୍ତ, ଯାହା ପାଶ୍ଚାତ୍ୟ ଅପପ୍ରଚାରକୁ ଭ୍ରୂକ୍ଷେପ ନକରି ନିଜ ଦମ୍ଭରେ ସେମାନଙ୍କୁ ଅତିକ୍ରମ କରିସାରିଲାଣି। ତେଣୁ, ଏହି ବିଶେଷଜ୍ଞମାନଙ୍କ ମତରେ ଏଭଳି ଏକ ସ୍ଥିତିରେ ଭାରତର କୂଟନୈତିକ ପ୍ରୟାସର ହୁଏତ ଆବଶ୍ୟକତା ନ ଥିଲା।
ପୃଥିବୀକୁ ପ୍ରାଚ୍ୟ ଓ ପାଶ୍ଚା‌ତ୍ୟ ରୂପେ ବିଭା‌ଜିତ କରି ସଂଦର୍ଭ ପ୍ରସ୍ତୁତ କରି ଆସିଥିବା ୟୁରୋପୀୟମାନେ ଭାରତ ଉପରେ କ୍ଷୁବ୍‌ଧ, କାରଣ ଭାରତର ନେତୃତ୍ବରେ ‘ଉତ୍ତର’ ଓ ‘ଦକ୍ଷିଣ’ ଗୋଲାର୍ଧ ମଧ୍ୟରେ ବିଭାଜନର ନୂତନ ସଂଦର୍ଭ ସୃଷ୍ଟି ହେଲାଣି। ଏହି କ୍ରମରେ ଉତ୍ତର ଗୋଲାର୍ଧର ସମୃଦ୍ଧ ରାଷ୍ଟ୍ରଗୁଡ଼ିକ ମଧ୍ୟରୁ ଗୋଟିଏ ଅର୍ଥାତ୍‌ ଜର୍ମାନିକୁ ଦକ୍ଷିଣ ଗୋଲାର୍ଧର ଦରିଦ୍ର ରାଷ୍ଟ୍ର ମଧ୍ୟରୁ ଗୋଟିଏ ଅର୍ଥାତ୍ ବତସୁଆନା ପକ୍ଷରୁ ଧମକ ଦିଆଯିବାର ଦୁଃସାହସ କରାଗଲାଣି। ପ୍ରକାଶ ଥାଉ କି ଦରିଦ୍ର ଆଫ୍ରିକୀୟ ରାଷ୍ଟ୍ର ବତସୁଆନାରେ ସାମୟିକ ହାତୀ ଶିକାରକୁ ଆଇନଗତ ଅନୁମୋଦନ ପ୍ରଦାନ କରିବା ପରିପ୍ରେକ୍ଷୀରେ ଜର୍ମାନି ପକ୍ଷରୁ ହୋଇଥିବା ତୀବ୍ର ପ୍ରତିବାଦ ଓ ଭର୍ତ୍ସନାର ଉତ୍ତରରେ ବତସୁଆନା ସରକାର ବର୍ଲିନ ମହାନଗରୀରେ କୋଡ଼ିଏ ହଜାର ହାତୀ ଛାଡ଼ି ଦେବାର ଧମକ ଦେଇଥିଲେ। ହାତୀ ସଂଖ୍ୟାରେ ମାତ୍ରାଧିକ ବୃଦ୍ଧି ହେତୁ ସନ୍ତୁଳନ ରକ୍ଷା ସକାଶେ ଏଭଳି ପଦକ୍ଷେପ ଆବଶ୍ୟକ ହୋଇଥାଏ, ଯେମିତି ଅଷ୍ଟ୍ରେଲିଆ ସରକାର ନିୟମିତ ଅନ୍ତରାଳରେ କଙ୍ଗାରୁ ବଧ କରିଥାଆନ୍ତି। କିନ୍ତୁ ଶ୍ବେତାଙ୍ଗ ଅଷ୍ଟ୍ରେଲିଆର ଏଭଳି କାର୍ଯ୍ୟ ପାଶ୍ଚାତ୍ୟ ଦେଶଗୁଡ଼ିକରେ ଭ୍ରୂକୁଂଚନ ସୃଷ୍ଟି କରି ନ ଥାଏ। ସ୍ବରହୀନମାନେ ପ୍ରତ୍ୟୁତ୍ତର ଦେବାର ସାହସ କରିବାର ଏଭଳି ଦୃଶ୍ୟପଟରେ ପାଶ୍ଚାତ୍ୟ ଦେଶଗୁଡ଼ିକ ଯେ କ୍ରମେ ବିଚଳିତ ହେଲେଣି, ଏହା କହିବା ଅନାବଶ୍ୟକ। ରୁୁଷିଆ-ୟୁକ୍ରେନ ଯୁଦ୍ଧରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ନିଷ୍ପତ୍ତିିକୁ ଭାରତ ସ୍ବୀକାର ନ କରିବା ଏଭଳି ଏକ ଦୃଷ୍ଟାନ୍ତ। ସେହିଭଳି ପାଶ୍ଚାତ୍ୟ ‘ଥିଙ୍କ ଟ୍ୟାଙ୍କ’ ଏବଂ ଗଣମାଧ୍ୟମଗୁଡ଼ିକ ଦ୍ବାରା ପ୍ରକାଶିତ ବିଭିନ୍ନ ମାନବୀୟ ସୂଚକାଙ୍କ ତାଲିକାରେ ଭାରତର ଦୟନୀୟ ପ୍ରଦର୍ଶନକୁ ଭାରତ ପକ୍ଷରୁ ଆହ୍ବାନ କରାଯିବା ଆଉ ଏକ ଉଦାହରଣ। ଏଭଳି କରିବାରେ ସେହି ‘ଥିଙ୍କ ଟ୍ୟାଙ୍କ’ଗୁଡ଼ିକ ଦ୍ବାରା ଅନୁସରଣ କରାଯାଉଥିବା ଧୂର୍ତ୍ତ ବୁଦ୍ଧି ମଧ୍ୟ ଭାରତ ପକ୍ଷରୁ ଅନାବୃତ ହୋଇଛି; ଯେମିତି କି ସଂଖ୍ୟା ହିସାବରେ ବଳାତ୍କାର ଭଳି ଘଟଣାକୁ ବିଚାରକୁ ନେଇ ଭାରତକୁ ପୃଥିବୀର ଅନ୍ୟତମ ସର୍ବାଧିକ ବଳାତ୍କାରୀଙ୍କ ଦେଶ ଭାବେ ବର୍ଣ୍ଣନା କରାଯାଉଥିବା ବେଳେ ଜନସଂଖ୍ୟା ଅନୁପାତରେ ଏହି ଅପରାଧର ହାରକୁ ହିସାବ କଲେ ଦିଶିଥାଏ ଯେ ବଳାତ୍କାର ଦୃଷ୍ଟିରୁ ଅନ୍ୟତମ ସର୍ବାଧିକ ନିରାପଦ ଦେଶ ନେଦରଲାଣ୍ଡସରେ ପ୍ରତି ଲକ୍ଷେ ଜନସଂଖ୍ୟାରେ ବାର୍ଷିକ ୬୬ଟି ବଳାତ୍କାର ହେଉଥିବା ବେଳେ ଭାରତରେ ହୋଇଥାଏ ମାତ୍ର ତିନିଟି (୨.୮)। ଏହା ଏକ ଷଡ୍‌ଯନ୍ତ୍ର ନୁହେଁ କି?
ଏହି ପରିପ୍ରେକ୍ଷୀରେ ମହାଭାରତର ଅମ୍ଳାନ ଚରିତ୍ର ଏକଲବ୍ୟ ସ୍ବତଃ ସ୍ମରଣକୁ ଆସନ୍ତି, ଯିଏ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ଦ୍ବାରା ପ୍ରତ୍ୟାଖ୍ୟାତ ହେବା ପରେ ତାଙ୍କ ମୃଣ୍ମୟ ପିତୁଳାକୁ ଗୁରୁ ରୂପେ ବରଣ କରି ପ୍ରଚଣ୍ଡ ଅଭ୍ୟାସ ବଳରେ ତୀରନ୍ଦାଜିରେ ଦ୍ରୋଣଙ୍କ ପ୍ରିୟତମ ଶିଷ୍ୟ ରାଜ-ବଂଶଜ ଅର୍ଜୁନଙ୍କ ସମକକ୍ଷ ହୋଇ ପାରିଥିଲେ। କିନ୍ତୁ ଏହା ଅସହ୍ୟ ହେଲା ବୋଲି ଦ୍ରୋଣଙ୍କ ଷଡ୍‌ଯନ୍ତ୍ର ଏକଲବ୍ୟଙ୍କ ଠାରୁ ତାଙ୍କ ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଷ୍ଠିକୁ ଦକ୍ଷିଣା ସ୍ବରୂପ ମାଗି ନେଇଥିଲା। କହିବାର ଅର୍ଥ ହେଲା, ରାଷ୍ଟ୍ରଗୁଡ଼ିକ ମନୁଷ୍ୟସୁଲଭ ହୀନମନ୍ୟତା ଦେଖାଇ ପାରନ୍ତି ଓ ଷଡ୍‌ଯନ୍ତ୍ର ମଧ୍ୟ କରି ପାରନ୍ତି! ତେବେ, ଏକଲବ୍ୟ ସଦୃଶ ଏକାକୀ ଯାତ୍ରା କରିବାର ଦମ୍ଭ ହିଁ ଏଭଳି ଷଡ୍‌ଯନ୍ତ୍ରକୁ ଅର୍ଥହୀନ କରିଥାଏ।