ଗତ ସପ୍ତାହରେ ଭାରତ ସରକାରଙ୍କର ନାଗରିକ ଉଡ୍ଡୟନ ମନ୍ତ୍ରଣାଳୟ ଦ୍ବାରା ପ୍ରସ୍ତୁତ ହୋଇଥିବା ‘ଡ୍ରୋନ୍ ରୁଲ୍ସ, ୨୦୨୧’ ବିଜ୍ଞପତି ହୋଇଛି। ଏକଦା ପିଲାଙ୍କ ଖେଳନା ଭଳି ମନେ ହେଉଥିବା ଏହି ଦୂର-ନିୟନ୍ତ୍ରଣ ଉଡ଼ନ୍ତା ଯାନ ବର୍ତ୍ତମାନ ସେଇ ସୌଖୀନ ଇଲାକା ଅତିକ୍ରମ କରି ଅର୍ଥନୀତିରେ ଏକ ଗୁରୁତ୍ବପୂର୍ଣ୍ଣ ଖେଳାଳିରେ ଯେ ପରିଣତ ହେବାକୁ ବସିଲାଣି, ସରକାରଙ୍କର ଏହି ବିଧିବଦ୍ଧ ନିୟମାବଳୀ ପ୍ରବର୍ତ୍ତନ ହେଉଛି ତା’ର ଏକ ସୂଚନା।
ଆଜିକାଲି ବିଭିନ୍ନ ଉତ୍ସବ ପାଳନ ସମୟରେ ଡ୍ରୋନ୍ ବ୍ୟବହାର କରି ଚିତ୍ର ଉତ୍ତୋଳନ କରାଯିବା କ୍ରମେ ଏକ ସାଧାରଣ ଦୃଶ୍ୟରେ ପରିଣତ ହେଲାଣି। ସମୟ ସମୟରେ କୌଣସି ନିଷିଦ୍ଧ ଇଲାକାେର ଡ୍ରୋନ୍ ଉଡ଼ିବା ଖବର ଚର୍ଚ୍ଚାର ବିଷୟବସ୍ତୁ ମଧ୍ୟ ପାଲଟି ଥାଏ। ଯୁଦ୍ଧ ବିକ୍ଷୁବ୍ଧ ଅଞ୍ଚଳରେ ଡ୍ରୋନ୍ର ସାମରିକ ବ୍ୟବହାର ସମ୍ବନ୍ଧରେ ଖବର ସହିତ ଆମେ ମଧ୍ୟ ଊଣା ଅଧିକେ ପରିଚିତ- ଯେମିତି ଗତ ସପ୍ତାହରେ ଆମେରିକା ଡ୍ରୋନ୍ ଦ୍ବାରା ଆକ୍ରମଣ କରି କାବୁଲ୍ ବିମାନ ବନ୍ଦର ଆତ୍ମଘାତୀ ବିସ୍ଫୋରଣର ରଚୟିତାର ପ୍ରାଣନାଶ କରିବା ଖବର ପ୍ରସାରିତ ହୋଇଥିଲା।
ଆମେମାନେ କିନ୍ତୁ ଡ୍ରୋନ୍ ବହନ କରୁଥିବା ବିପଜ୍ଜନକ ସମ୍ଭାବନା ସମ୍ବନ୍ଧରେ ଏକ ପ୍ରତ୍ୟକ୍ଷ ଅନୁଭୂତି ଲାଭ କରିଥିଲୁ ଜୁନ୍ ୨୭ ତାରିଖ ଦିନ, ଯେତେବେଳେ ଜାମ୍ମୁସ୍ଥିତ ଏକ ଭାରତୀୟ ବାୟୁସେନା ଘାଟୀ ଉପରେ ଦୁଇଟି ପାକିସ୍ତାନୀ ଡ୍ରୋନ୍ ଆକ୍ରମଣ କଲେ। ଡ୍ରୋନ୍ ଆକ୍ରମଣ ଦ୍ବାରା ଜାତୀୟ ନିରାପତ୍ତା ଯେ ବିପନ୍ନ ହୋଇପାରେ, ଏହା ଥିଲା ଏହି ଘଟଣା ଦ୍ବାରା ଜନମାନସରେ ସୃଷ୍ଟି ହୋଇଥିବା ନୂତନ ଆଶଙ୍କା। ଏଥିଯୋଗୁଁ ଏକ ଧାରଣା ସୃଷ୍ଟି ହୋଇଥିଲା ଯେ ବୋଧହୁଏ ସରକାର ଦେଶରେ ସମସ୍ତ ପ୍ରକାର ଡ୍ରୋନ୍ ଚଳାଚଳ ନିଷିଦ୍ଧ କରିଦେବେ, ଯେଉଁଥିରେ ମନୋରଞ୍ଜନରୁ ବାଣିଜ୍ୟିକ ବ୍ୟବହାର ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ। କିନ୍ତୁ ଏଭଳି ଧାରଣାକୁ ଭିତ୍ତିହୀନ ସାବ୍ୟସ୍ତ କରି ସରକାର ଏ ଯେଉଁ ନିୟମାବଳୀ ପ୍ରବର୍ତ୍ତନ କରିଛନ୍ତି, ସେଥିରୁ ଯେଉଁ ଭିନ୍ନ ଏକ ଧାରଣା ଜନ୍ମ ନେଇଥାଏ, ତାହା ହେଲା- ସରକାର ଏହାକୁ ଏକ ନୂତନ ସୂର୍ଯ୍ୟୋଦୟ କ୍ଷେତ୍ର ରୂପେ ବିଚାର କରି ଦେଶରେ ଏକ ନୂତନ ଡ୍ରୋନ୍ ଅର୍ଥନୀତିର ଦୃଢ଼ ଭିତ୍ତି ସ୍ଥାପନ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନେଇଛନ୍ତି।
ସରକାର ଏଥି ପୂର୍ବରୁ ୨୦୧୮ରେ ଅନେକ ନିୟନ୍ତ୍ରଣ ସର୍ତ୍ତାବଳୀ ସହିତ ଦେଶରେ ଡ୍ରୋନ୍ ଉଡ଼ାଇବାକୁ ଆଇନ ସମ୍ମତ କରିଥିଲେ। ଗତ ମାର୍ଚ୍ଚରେ ସରକାର ‘ଚାଳକ ବିହୀନ ବିମାନ ବ୍ୟବସ୍ଥା ନିୟମାବଳୀ, ୨୦୨୧’ ମଧ୍ୟ ପ୍ରବର୍ତ୍ତନ କରିଥିଲେ। ସେଥିରେ କିନ୍ତୁ ଅମଲାତାନ୍ତ୍ରିକ ନିୟନ୍ତ୍ରଣ ଏତେ ମାତ୍ରାଧିକ ଓ କଠୋର ଥିଲା ଯେ ଡ୍ରୋନ୍ ଶିଳ୍ପ ଭଳି ଏକ ଶିଶୁ-ଶିଳ୍ପ ତାହାର ଚାପରେ ଉଧେଇବା ସମ୍ଭାବନା କ୍ଷୀଣ ଥିଲା। ସରକାର ଯେ ଏହି ବାସ୍ତବ ସତ୍ୟ ପ୍ରତି ସଚେତନ ହୋଇଛନ୍ତି, ସଦ୍ୟ ଘୋଷିତ ନୂତନ ନିୟମାବଳୀ ତାହା ସୂଚାଇ ଥାଏ। ସରକାର ହୃଦୟଙ୍ଗମ କରିଥିବା ଭଳି ମନେହୁଏ ଯେ ବ୍ୟବସାୟ ଆରମ୍ଭ କରିବା ପାଇଁ କଟକଣା ଯେତେ କୋହଳ ହେବ, ବ୍ୟବସାୟ ଆରମ୍ଭ କରିବା ସେତେ ସହଜ ହେବ, ଯାହାକୁ ବିଶ୍ବ ବ୍ୟାଙ୍କ୍ ଭାଷାରେ ଇଂରେଜୀରେ କୁହାଯାଇଥାଏ- ‘ଇଜ୍ ଅଫ୍ ଡୁଇଙ୍ଗ୍ ବିଜ୍ନେସ୍’। ଏକ ନୂତନ ଶିଳ୍ପ ଅନୁକୂଳ କରିବା ପାଇଁ ପରିବେଶ ଯେତେ ଅଧିକ ଅନୁକୂଳ ହେବ, ସେତେ ବ୍ୟାପକ ଓ ବଡ଼ ଆକାରରେ ଶିଳ୍ପଟି ଆରମ୍ଭ ହୋଇ ପାରିବ (ସ୍କେଲ୍), ଯାହା ଫଳରେ ଏହାର ଅଗ୍ରଗତି ସହଜ ହେବ। ଏହି ଗୁରୁତ୍ବପୂର୍ଣ୍ଣ ଦିଗକୁ ବିଚାରକୁ ନେଇ ସରକାର ଏହି ନୂତନ କ୍ଷେତ୍ର ପାଇଁ ଯେଉଁ ଭଳି କଟକଣା କୋହଳ କରିଛନ୍ତି, ତାହାକୁ ଚମକପ୍ରଦ ବୋଲି କହିଲେ ଅତିରଞ୍ଜନ ହେବ ନାହିଁ।
ଉଦାହରଣସ୍ବରୂପ ନୂତନ ନିୟମାବଳୀରେ ପୂର୍ବର ନିୟମାବଳୀରେ ରହିଥିବା ପ୍ରାୟ ଏକ ଡଜନ ସରିକି ଅନୁମୋଦନ ଅାବଶ୍ୟକତାସବୁକୁ ବାଦ୍ ଦିଆଯାଇଛି। ଏହି ଅକାମି କରାଯାଇଥିବା ଆବଶ୍ୟକତାମାନ ମଧ୍ୟରେ ଅନ୍ତର୍ଭୁକ୍ତ ଅଛି ‘ବିଶେଷ ଅଧିକୃତ ସଂଖ୍ୟା’ (‘ଇଉନିକ୍ ଅଥରାଇଜେସନ୍ ନମ୍ବର୍’); ଡ୍ରୋନ୍ର ନିର୍ମାଣ ଓ ଉଡ୍ଡୟନ ଯୋଗ୍ୟତା ସମ୍ପର୍କିତ ପ୍ରମାଣପତ୍ର; ଆମଦାନି ଅନୁମତିପତ୍ର ଓ ଚାଳନାକାରୀ ଅନୁମତିପତ୍ର ଇତ୍ୟାଦି। ପୂର୍ବରୁ ଡ୍ରୋନ୍ ଚଳାଇବା ପାଇଁ ଅନୁମତି ପାଇବା ନିମିତ୍ତ ୨୫ଟି ଫର୍ମ ଭର୍ତ୍ତି କରିବା ଆବଶ୍ୟକ ହେଉଥିବା ବେଳେ ନୂତନ ନିୟମାବଳୀରେ ସେ ସଂଖ୍ୟାକୁ ମାତ୍ର ୫ଟିରେ ସୀମିତ କରାଯାଇଛି। ପୂର୍ବ ନିୟମାବଳୀ ଅନୁସାରେ ଏଥି ପାଇଁ ୭୨ଟି ବିଭିନ୍ନ ପ୍ରକାରର ମାହାସୁଲ (ଫି) ଦାଖଲ କରିବାକୁ ହେଉଥିବା ବେଳେ ବର୍ତ୍ତମାନ କେବଳ ଚାରି ପ୍ରକାର ଫି ପୈଠ କରିବା ଆବଶ୍ୟକ ହେବ। ଏହି ଫି ପୁଣି କେବଳ ନାମମାତ୍ର ଅଙ୍କର ହେବ ଏବଂ ଡ୍ରୋନ୍ ଆକାର ସହିତ ଏହାର କୌଣସି ସମ୍ପର୍କ ରହିବ ନାହିଁ।
‘ସବୁଜ ଅଞ୍ଚଳ’ (ଗ୍ରୀନ୍ ଜୋନ୍) ରୂପେ ଚିହ୍ନିତ ଇଲାକାରେ ଡ୍ରୋନ୍ ଉଡ଼ାଇବା ନିମିତ୍ତ କୌଣସି ଅନୁମତିର ମଧ୍ୟ ଆବଶ୍ୟକତା ରହିବ ନାହିଁ। ନୂତନ ନିୟମାବଳୀରେ ଏହି ଅବାଧ ସବୁଜ ଇଲାକାକୁ ମଧ୍ୟ ସମ୍ପ୍ରସାରିତ କରାଯାଇଛି; ପୂର୍ବରୁ ଏକ ବିମାନ ବନ୍ଦରର ୪୫ କିମି ବ୍ୟାସାର୍ଦ୍ଧ ପରିମିତ ଅଞ୍ଚଳ ନିଷିଦ୍ଧ ‘ପୀତ ଅଞ୍ଚଳ’ ( ୟେଲୋ ଜୋନ୍) ରୂପେ ଚିହ୍ନିତ ହୋଇଥିବା ବେଳେ ବର୍ତ୍ତମାନ ତାହାକୁ ୧୨ କିମି ବ୍ୟାସାର୍ଦ୍ଧକୁ ସଂକୁଚିତ କରିଦିଆଯାଇଛି। ପୂର୍ବରୁ ଏକ ଡ୍ରୋନ୍ର ସର୍ବାଧିକ ଓଜନକୁ ୩୦୦ କିଗ୍ରାରେ ସୀମିତ କରାଯାଇଥିଲା; ବର୍ତ୍ତମାନ ତାହାକୁ ୫୦୦ କିଗ୍ରାକୁ ବୃଦ୍ଧି କରି ଦିଆଯାଇଛି। ଏହା ଦ୍ବାରା ଡ୍ରୋନ୍କୁ ଚାଳକ-ହୀନ ‘ଏଆର୍ ଟ୍ୟାକ୍ସି’ ରୂପେ ବ୍ୟବହାର କରାଯାଇ ପାରିବ। କେନ୍ଦ୍ର ସରକାରଙ୍କର ‘ଡିଜିଟାଲ୍ ସ୍କାଏ ପ୍ଲାଟ୍ଫର୍ମ’ ଏଥି ପାଇଁ ଗ୍ରୀନ୍, ୟେଲୋ ଏବଂ ରେଡ୍ କରିଡର୍ମାନ ଚିହ୍ନିତ କରିବ।
ଡ୍ରୋନ୍ ବ୍ୟବହାରର ବିଭିନ୍ନ ସମ୍ଭାବନା ସମ୍ବନ୍ଧରେ ସଚେତନତା କ୍ରମେ ବୃଦ୍ଧି ପାଇବାରେ ଲାଗିଛି। ଜରୁରୀକାଳୀନ ଔଷଧ ଆଦି ଚିକିତ୍ସା ସାମଗ୍ରୀ ତୁରନ୍ତ ଲକ୍ଷ୍ୟସ୍ଥଳୀରେ ପହଞ୍ଚାଇବାରୁ ଆରମ୍ଭ କରି ଆପଦକାଳୀନ ଉଦ୍ଧାର କାର୍ଯ୍ୟ ପର୍ଯ୍ୟନ୍ତ; ଗ୍ରାହକଙ୍କ ବାସ ସ୍ଥାନରେ ହୋଟେଲ୍ରୁ ଆଣି ଖାଦ୍ୟ ପହଞ୍ଚାଇବାରୁ ଆରମ୍ଭ କରି ଅଗମ୍ୟ ଅଞ୍ଚଳରେ ସର୍ବେକ୍ଷଣ କରିବା ପର୍ଯ୍ୟନ୍ତ ବହୁ ସଂଖ୍ୟକ ଉପଯୋଗୀ କାର୍ଯ୍ୟରେ ଡ୍ରୋନ୍କୁ ନିୟୋଜିତ କରାଯାଇ ପାରିବ। ସେଥି ସଙ୍ଗେ ସଙ୍ଗେ ଏହାର ସମ୍ଭାବ୍ୟ ଦୁରୁପଯୋଗର ଯେଉଁ ଦୁଇଟି ଜଟିଳ ଦିଗ ଉପରେ ସରକାରଙ୍କୁ ସତର୍କ ନଜର ରଖିବାକୁ ହେବ, ତାହା ହେଲା- ନିରାପତ୍ତା ଓ ନାଗରିକର ବ୍ୟକ୍ତିଗତ ଗୋପନୀୟତା ପ୍ରତି ବିପଦ। ତାହା ହେଲେ, ଦେଶରେ ଏକ ନିରାପଦ ନୂତନ ଶିଳ୍ପର ସୂର୍ଯ୍ୟୋଦୟ ଦେଖିବାକୁ ମିଳିବ।