ଆମେରିକାର ଏକ ନମ୍ବର ଶତ୍ରୁ ଭାବେ କୁଖ୍ୟାତ ଅଲ୍ କାଏଦାର ମୁଖ୍ୟଙ୍କୁ ହତ୍ୟାକରି ରାଷ୍ଟ୍ରପତି ବାଇଡେନ୍ ତାଙ୍କର ଦେଶବାସୀଙ୍କ ହୃଦୟ ଜିଣିପାରିଛନ୍ତି। ଜୱାହିରି କେବଳ ଆମେରିକା ନୁହେଁ, ଭାରତ ପ୍ରତି ମଧ୍ୟ ବଡ଼ ବିପଦ ଥିେଲ। ତାଙ୍କର ନିଧନ ସାମୟିକ ଭାବେ ଭାରତକୁ ଆଶ୍ବସ୍ତ କରିଛି ଯଦିଓ ଖୁବ୍ ଶୀଘ୍ର ରକ୍ତବୀର୍ଯ୍ୟ ପ୍ରାୟ ଆଉଜଣେ ଲାଦେନ କି ଜୱାହିରି ମୁଣ୍ତଟେକି ଉଠିବା ଏକପ୍ରକାର ଅବଧାରିତ।
ଯେଉଁମାନେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ଆତ୍ମଜୀବନୀ ‘ଏ ପ୍ରମିଜ୍ଡ ଲ୍ୟାଣ୍ତ୍’ର ଶେଷ ପରିଚ୍ଛେଦଟି ଭଲ ଭାବେ ପଢ଼ିଥିବେ ସେମାନେ ଗତ ୩୧ ତାରିଖରେ ଦିନ ସିଆଇଏ ଡ୍ରୋନ୍ ଆକ୍ରମଣରେ ଅଲ୍-ଜୱାହିରି ନିଧନ ଘଟଣାର ଆକସ୍ମିକତା ଏବ˚ ବିଚକ୍ଷଣତାରେ ବିସ୍ମିତ ହେବେ ନାହିଁ। ଅଲ୍ କାଏଦାର ଏହି ମୁଖ୍ୟ ଜଣକ ଏକଦା ଓସାମା ବିନ୍ ଲାଦେନର ଘନିଷ୍ଠ ସହଯୋଗୀ ଥିଲେ ଏବ˚ ଲାଦେନଙ୍କ ନିଧନ ପରେ ସଙ୍ଗଠନର ନେତୃତ୍ବ ନିଜ ହାତକୁ ନେଇଥିଲେ। ଜୱାହିରିଙ୍କ ନିଧନ ପରେ ଆମେରିକା ରାଷ୍ଟ୍ରପତି ବାଇଡେନ୍ ତାଙ୍କ ଦେଶବାସୀଙ୍କୁ କହିଥିବା କଥାଟି ତାତ୍ପର୍ଯ୍ୟପୂର୍ଣ୍ଣ- ତାହାହେଲା ଆେମରିକାର ନାଗରିକଙ୍କୁ କ୍ଷତି ପହଞ୍ଚାଇଥିବା ଶତ୍ରୁ ଯେତେ ଶକ୍ତିଶାଳୀ ହୁଅନ୍ତୁ ନା କାହିଁକି ତାକୁ ଆମେରିକା କଦାପି ଛାଡ଼ିବ ନାହିଁ। ଏଥିପାଇଁ ଯେତେ ସମୟ ଲାଗିଲେ ସୁଦ୍ଧା ତାଙ୍କ ଦେଶ ତାର ଉଦ୍ୟମ ଜାରି ରଖିବ। ଏଗାର ବର୍ଷ ତଳେ ଓବାମାଙ୍କ ରାଷ୍ଟ୍ରପତିତ୍ବ କାଳରେ ପାକିସ୍ତାନର ଆବୋଟ୍ଟାବାଦରେ ଆତ୍ମଗୋପନ କରି ରହିଥିବା ଓସାମା ବିନ୍ ଲାଦେନ ଉପରେ ‘ସିଲ୍’ କମାଣ୍ତୋ ଆକ୍ରମଣ କଲାବେଳେ ଆମେରିକାର ପ୍ରଶାସନ ଯେଉଁ ଅଦ୍ଭୁତ ବିଚକ୍ଷଣତା ଦେଖାଇଥିଲା ତାହା ସେତେବେଳେ ଓବାମାଙ୍କୁ ସୁଦ୍ଧା ବିସ୍ମିତ କରିବା କଥା ସେ ତାଙ୍କ ଆତ୍ମଜୀବନୀରେ ଉଲ୍ଲେଖ କରିଛନ୍ତି। ଆମେରିକାେର ଥାଇ ‘ସିଲ୍’ କମାଣ୍ତୋମାନଙ୍କର ଏହି ଅପରେସନ୍କୁ ମନିଟର ଯୋଗେ ପ୍ରତ୍ୟକ୍ଷ କରିବାରେ ଓବାମା ଥିଲେ ପ୍ରଥମ ରାଷ୍ଟ୍ରପତି। ସେତେବେଳେ ଓସାମା ବିନ୍ ଲାଦେନ ଏବ˚ ଗତ ସପ୍ତାହର ଜୱାହିରିଙ୍କ ନିଧନ କୌଶଳ ଭିତରେ ଯେଉଁ ସାମ୍ୟ ଦେଖିବାକୁ ମିଳେ ତାହା ହେଲା ଆମେରିକା ଗୁଇନ୍ଦା ବିଭାଗର ତା ଟାର୍ଗେଟ୍ର ପର୍ଯ୍ୟବେକ୍ଷଣ କୌଶଳ। ପ୍ରତ୍ୟେକ ମଣିଷ ଅଭ୍ୟାସର ଦାସ। ସେ ଯେତେ ତାହାକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କଲେ ସୁଦ୍ଧା ମୂଳତଃ ନିଜର ଅଭ୍ୟାସ ଅପରିବର୍ତ୍ତିତ ରହିଥାଏ। ଓସାମା ବିନ୍ ଲାଦେନଙ୍କର ଅଭ୍ୟାସ ଥିଲା, ନିର୍ଦ୍ଦିଷ୍ଟ ସମୟରେ ତାଙ୍କର ସୁରକ୍ଷିତ ପ୍ରାସାଦ ଭିତରେ ଥିବା ଲନ୍ ଉପରେ ଭ୍ରମଣ କରିବା। ଏହି କଥାଟିରୁ ସିଆଇଏ ସେହି ପ୍ରାସାଦରେ ଲାଦେନଙ୍କର ଉପସ୍ଥିତି ନେଇ ନିଶ୍ଚିତ ହୋଇଥିଲା, ଯଦିଓ ମାରିସାରିବା ପରେ ସୁଦ୍ଧା ନିହତ ଶବଟି ଲାଦେନଙ୍କର କିମ୍ବା ନୁହେଁ ତାହା ଜାଣିବା ସେତେବେଳେ କଷ୍ଟକର ହୋଇପଡ଼ିଥିଲା। ସେହିପରି- ଜୱାହିରିଙ୍କର ଅଭ୍ୟାସ ଥିଲା ସନ୍ଧ୍ୟାର ଏକ ନିର୍ଦ୍ଦିଷ୍ଟ ସମୟରେ ବାଲ୍କୋନିରେ ବସି ବହି ପଢ଼ିବା। ଜୀବନର ଆରମ୍ଭରେ ଜଣେ ସର୍ଜନ୍ ଥିବା ଏହି ବ୍ୟକ୍ତି ଜଣକ ପରବର୍ତ୍ତୀ ସମୟରେ ଭୟଙ୍କର ଆତଙ୍କବାଦୀ ପାଲଟିଯାଇଥିଲେ ସୁଦ୍ଧା ନିୟମିତ ପୁସ୍ତକ ପଠନର ଅଭ୍ୟାସ ଭୁଲି ନ ଥିଲେ। ଏହି ଅଭ୍ୟାସ ହିଁ ତାଙ୍କୁ ଚିହ୍ନେଇ ଦେଇଥିଲା, ତାହା ନ ହେଲେ ସିଆଇଏ ଗୁଇନ୍ଦାକୁ ହୁଏତ ଆହୁରି କିଛି ମାସ ବା ବର୍ଷ ଅନ୍ବେଷଣରେ ବ୍ୟୟ କରିବାକୁ ପଡ଼ିଥାଆନ୍ତା। ମଣିଷର ଅଭ୍ୟାସ ତାକୁ ସାହାଯ୍ୟ କରିବାର ବହୁ ଉଦାହରଣ ଅଛି, ମାତ୍ର ଲାଦେନ ଓ ଜୱାହିରିଙ୍କ କ୍ଷେତ୍ରରେ ତାହାର ବିପରୀତ ଫଳ ଦେଖିବାକୁ ମିଳିଛି। ଜୱାହିରିଙ୍କୁ ଡ୍ରୋନ୍ ମିସାଇଲ୍ ଦ୍ବାରା ହତ୍ୟା କରାଯାଇଥିବାବେଳେ ଲାଦେନଙ୍କୁ ତାଙ୍କ ଶୟନାଗାରରେ ହତ୍ୟା କରାଯାଇଥିଲା। ଏମାନେ ଦିହେଁ ଅନ୍ୟମାନଙ୍କ ସହ ମିଶି ଏବେ ୯/୧୧ ଭାବେ ପରିଚିତ ୨୦୦୧ ମସିହା ସେପ୍ଟେମ୍ବର ୧୧ ତାରିଖର ନ୍ୟୁୟର୍କ ଵାର୍ଲଡ୍ ଟ୍ରେଡ୍ ସେଣ୍ଟର୍ର ଯମଜ ନଭଶ୍ଚୁମ୍ବୀ ଅଟ୍ଟାଳିକା ଉପରେ ଆତଙ୍କବାଦୀ ଆକ୍ରମଣ କରିଥିଲେ ଯହିଁରେ ୩ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବ˚ ୨୫ ହଜାରରୁ ଅଧିକ ଆହତ ହୋଇଥିଲେ। ୨୦୦୧ ମସିହାର ସେଇ ଦିନଟି ନ୍ୟୁୟର୍କର ମାନଚିତ୍ର କେବଳ ନୁହେଁ ଆତଙ୍କବାଦୀ ଆକ୍ରମଣର ଚେହେରା ବଦଳେଇ ଦେଇଥିଲା।
ଅଲ୍ କାଏଦା ମୁଖ୍ୟ ଜୱାହିରିଙ୍କ ମୃତ୍ୟୁ ଦୁଇ ତିନିଟି କଥା ସମସ୍ତଙ୍କ ସାମ୍ନାକୁ ଆଣିଅଛି। ପ୍ରଥମ କଥା ହେଲା ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ହଟିଯିବା ପରେ ଏହି ଆତଙ୍କବାଦୀ ନେତା କାବୁଲକୁ ସୁରକ୍ଷିତ ସ୍ଥାନ ବୋଲି ବିଚାର କରିଥିଲେ ଏବ˚ ସେଠାରେ ତାଙ୍କର କିଛି କ୍ଷତି ହେବ ନାହିଁ ବୋଲି ସେ ଭାବି ନେଇଥିଲେ। ମାତ୍ର ତାହା ମିଥ୍ୟା ପ୍ରମାଣିତ ହୋଇଛି। ଅନ୍ୟପକ୍ଷରେ କାବୁଲର ମାଟିକୁ ଆତଙ୍କବାଦୀ କାର୍ଯ୍ୟକଳାପରେ ବ୍ୟବହାର ଲାଗି ଦିଆଯିବ ନାହିଁ ବୋଲି ତାଲିବାନମାନେ ୨୦୨୦ରେ ଯେଉଁ ଦୋହା ରାଜିନାମା କରିଥିଲେ ତାହାର ଉନ୍ମୁକ୍ତ ଉଲ୍ଲ˚ଘନ ହୋଇଥିବା ଏହି ଘଟଣାରୁ ଜଣାପଡ଼ିଛି। ତାହା ହୋଇ ନ ଥିଲେ ଜୱାହିରିଙ୍କୁ ପାକିସ୍ତାନରୁ ଆସି କାବୁଲରେ ନିରାପଦରେ ରହିବାଲାଗି କଦାପି ଅନୁମତି ଦିଆଯାଇ ନ ଥାନ୍ତା। ଏ ଦୁଇ କାରଣ ଅପେକ୍ଷା ଅଧିକ ଆଲୋଚନା ହେଉଥିବା କାରଣଟି ହେଉଛି, ଋଣଯନ୍ତାରେ ପଡ଼ି ଛଟପଟ ହେଉଥିବା ଉଭୟ ପାକିସ୍ତାନ ଓ ଆଫଗାନିସ୍ତାନ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ସହାୟତା ବିନିମୟରେ ଜୱାହିରିଙ୍କ ଆତ୍ମଗୋପନ ଠିକଣା ଆମେରିକାକୁ ବତେଇଦେଇଥିବା ନେଇ ଚର୍ଚ୍ଚା। ବିଭିନ୍ନ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଅର୍ଥ ପାଇଁ ପାକିସ୍ତାନ ଆମେରିକା ସହ ଗୁପ୍ତ ରାଜିନାମା ନ କରିଥିଲେ ସିଆଇଏର ଅପରେସନ୍ ଲାଗି ନିଜର ଆକାଶପଥ ବ୍ୟବହାର ନିମନ୍ତେ ଅନୁମତି ଦେଇ ନ ଥାନ୍ତା କିମ୍ବା ତାଲିବାନ ଅବଶିଷ୍ଟ ୩.୫ ବିଲିୟନ ଡଲାର ପାଇଁ ବିକଳ ହୋଇ ନ ଥିଲେ ସିଆଇଏକୁ ଜୱାହିରିଙ୍କ ଆତ୍ମଗୋପନର ଠିକଣା ବତାଇ ନ ଥାନ୍ତା।
ଜୱାହିରିର ହତ୍ୟା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ତଳମୁହାଁ ଲୋକପ୍ରିୟତାକୁ ଆଉ ଥରେ ଉପରମୁହାଁ କରିଛି। ଆମେରିକାର ଏକ ନମ୍ବର ଶତ୍ରୁ ଭାବେ କୁଖ୍ୟାତ ଅଲ୍ କାଏଦାର ମୁଖ୍ୟଙ୍କୁ ହତ୍ୟାକରି ରାଷ୍ଟ୍ରପତି ବାଇଡେନ୍ ତାଙ୍କର ଦେଶବାସୀଙ୍କ ହୃଦୟ ଜିଣିପାରିଛନ୍ତି। ଜୱାହିରି କେବଳ ଆମେରିକା ନୁହେଁ, ଭାରତ ପ୍ରତି ମଧ୍ୟ ବଡ଼ ବିପଦ ଥିେଲ। ତାଙ୍କର ନିଧନ ସାମୟିକ ଭାବେ ଭାରତକୁ ଆଶ୍ବସ୍ତ କରିଛି ଯଦିଓ ଖୁବ୍ ଶୀଘ୍ର ରକ୍ତବୀର୍ଯ୍ୟ ପ୍ରାୟ ଆଉଜଣେ ଲାଦେନ କି ଜୱାହିରି ମୁଣ୍ତଟେକି ଉଠିବା ଏକପ୍ରକାର ଅବଧାରିତ।