ପୃଥିବୀରେ ବର୍ତ୍ତମାନ ମିଜ୍ଲସ, ମେନିନ୍ଜାଇଟିସ୍ ଏବଂ ୟୋଲୋ ଫିଭର୍ ପରି ଭୟାନକ ଭୂତାଣୁ ସଂକ୍ରମିତ ମହାମାରୀମାନଙ୍କର ବ୍ୟାପକ ପୁନରାଗମନ ଘଟିବା ଦେଖାଗଲାଣି, ଯାହାକୁ ପ୍ରତିରୋଧନ ଅଭିଯାନ ପାଇଁ ଖର୍ଚ୍ଚ କାଟ, ବିଭ୍ରାନ୍ତକାରୀ ସୂଚନା ପ୍ରସାର, ପୃଥିବୀର ବିଭିନ୍ନ ଅଞ୍ଚଳରେ ଦେଖାଦେଇଥିବା ଅସ୍ଥିରତା ଓ ମାନବୀୟ ସଂକଟ ଏବଂ ଚାପଗ୍ରସ୍ତ ସ୍ବାସ୍ଥ୍ୟସେବା ପରିସ୍ଥିତି ଆଦି ଅଣାୟତ୍ତ କରିବା ପରିଦୃଷ୍ଟ ହେଉଛି।
ଏପ୍ରିଲ ୨୪-୩୦ ବିଶ୍ବ ପ୍ରତିରୋଧନ ସପ୍ତାହ (‘ୱର୍ଲଡ ଇମ୍ୟୁନାଇଜେସନ୍’ ୱିକ୍) ପାଳନ ଅବସରରେ ଏହି ଅଭିଯାନର ପୁରୋଭାଗରେ ଥାଇ ନେତୃତ୍ବ ଦେଉଥିବା ସଂସ୍ଥାମାନ- ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ (‘ହୁ’), ‘ୟୁନିସେଫ୍’ ଓ ‘ଗାଭି’- ସେମାନଙ୍କ ଅଭିଯାନ, ବର୍ତ୍ତମାନ ସମ୍ମୁଖୀନ ହେଉଥିବା ପ୍ରତିବନ୍ଧକମାନ ଏବଂ ଏଥିଯୋଗୁଁ ସୃଷ୍ଟି ହେବାର ସମ୍ଭାବନା ଥିବା ଭୟଙ୍କର ପରିଣତି ସମ୍ବନ୍ଧରେ ବିଶ୍ବ ସମୁଦାୟକୁ ସତର୍କ କରାଇ ଦେଇଛନ୍ତି। ସେମାନଙ୍କ ଦ୍ବାରା ପ୍ରଦତ୍ତ ସୂଚନା ଅନୁସାରେ ପୃଥିବୀରେ ବର୍ତ୍ତମାନ ମିଜ୍ଲସ, ମେନିନ୍ଜାଇଟିସ୍ ଏବଂ ୟୋଲୋ ଫିଭର୍ ପରି ଭୟାନକ ଭୂତାଣୁ ସଂକ୍ରମିତ ମହାମାରୀମାନଙ୍କର ବ୍ୟାପକ ପୁନରାଗମନ ଘଟିବା ଦେଖାଗଲାଣି, ଯାହାକୁ ପ୍ରତିରୋଧନ ଅଭିଯାନ ପାଇଁ ଖର୍ଚ୍ଚ କାଟ, ବିଭ୍ରାନ୍ତକାରୀ ସୂଚନା ପ୍ରସାର, ପୃଥିବୀର ବିଭିନ୍ନ ଅଞ୍ଚଳରେ ଦେଖାଦେଇଥିବା ଅସ୍ଥିରତା ଓ ମାନବୀୟ ସଂକଟ ଏବଂ ଚାପଗ୍ରସ୍ତ ସ୍ବାସ୍ଥ୍ୟସେବା ପରିସ୍ଥିତି ଆଦି ଅଣାୟତ୍ତ କରିବା ପରିଦୃଷ୍ଟ ହେଉଛି।
କେବଳ ୨୦୨୩ରେ ପୃଥିବୀରେ ୧୦ ନିୟୁତ ମିଜ୍ଲସ ସଂକ୍ରମିତ ରୋଗୀ ବା କେସ୍ ଚିହ୍ନଟ ହୋଇଥିଲେ, ଯାହା ଥିଲା ପୂର୍ବ ବର୍ଷ ତୁଳନାରେ ୨୦ ଶତାଂଶ ଅଧିକ। ପୂର୍ବରୁ ପୃଥିବୀର ଯେଉଁସବୁ ଅଞ୍ଚଳ ଏଥିରୁ ନିରାପଦ ରହି ଆସିଥିଲା, ଏବେ ସେଭଳି ଅଞ୍ଚଳରେ ମଧ୍ୟ ମେନିନ୍ଜାଇଟିସ୍ ଓ ୟେଲୋ ଫିଭର୍ ଦେଖାଦେଲାଣି ବୋଲି ସୂଚନା ପ୍ରକାଶ ପାଇଛି। ଚିନ୍ତାଜନକ ଭାବରେ ଶିଶୁମାନଙ୍କୁ ପ୍ରତିରୋଧନ ପ୍ରଦାନରେ ବିଶେଷ ଶିଥିଳତା ଦେଖାଦେଇଛି, ଯାହା କୋଭିଡ୍ ପାଣ୍ଡେମିକ୍ ପରେ ଉଲ୍ଲେଖନୀୟ ଭାବରେ ଧିମେଇ ଯାଇଛି। ଉଦାହରଣ ସ୍ବରୂପ, ୨୦୨୩ରେ ପ୍ରାୟ ୧୪.୫ ନିୟୁତ ଶିଶୁ ନିୟମିତ ଟିକା ଗ୍ରହଣରୁ ବଞ୍ଚିତ ହୋଇଛନ୍ତି ବୋଲି କୁହାଯାଇଛି, ଯେଉଁମାନେ ହେଉଛନ୍ତି ମୁଖ୍ୟତଃ ପୃଥିବୀର ଉପରୋକ୍ତ ଅଶାନ୍ତ ଅଞ୍ଚଳମାନଙ୍କର ବାସିନ୍ଦା।
ଭାରତର ଏ ସଂପର୍କିତ ଚିତ୍ର ମିଶ୍ରିତ ବୋଲି କୁହାଯାଇପାରେ। ଭାରତ ଆଦୌ ଟିକା ଗ୍ରହଣ କରି ନ ଥିବା ଶିଶୁମାନଙ୍କ ସଂଖ୍ୟାରେ ହ୍ରାସ ଘଟାଇ ପାରିଛି; ୨୦୨୧ରେ ଏଭଳି ଶିଶୁମାନଙ୍କ ସଂଖ୍ୟା ୨.୭୩ ନିୟୁତ ଥିବାବେଳେ ୨୦୨୩ରେ ତାହା ୧.୬ ନିୟୁତକୁ ହ୍ରାସ ପାଇଥିଲା। କିନ୍ତୁ ଏହି ପରିସଂଖ୍ୟାନ ଆମ ମଧ୍ୟରେ ସନ୍ତୋଷ ସୃଷ୍ଟି କରିବା ଉଚିତ ନୁହେଁ; କାରଣ ତଥାପି ବି ଏହି ‘ଶୂନ୍ୟ-ଟିକା’ (‘ଜିରୋ-ଡୋଜ୍’) ଶିଶୁମାନଙ୍କ ସଂଖ୍ୟା ହେଉଛି ପୃଥିବୀର ଦେଶମାନଙ୍କ ମଧ୍ୟରେ ଦ୍ବିତୀୟ ସର୍ବୋଚ୍ଚ। ଭାରତରେ ମିଜ୍ଲସ ଟିକାଦାନରେ ମଧ୍ୟ ସାମାନ୍ୟ ହ୍ରାସ ଘଟିବା ଦେଖାଯାଇଛି। ୨୦୧୯ରେ ୯୫ ପ୍ରତିଶତ ଶିଶୁଙ୍କୁ ପ୍ରଥମ ଡୋଜ୍ ଟିକାଦାନ କରାଯାଇଥିବାବେଳେ ୨୦୨୩ରେ ସେଇ ଅନୁପାତରେ ସାମାନ୍ୟ ହ୍ରାସ ଘଟି ତାହା ହୋଇଥିଲା ୯୩ ଶତାଂଶ।
ପ୍ରତିରୋଧନ ବା ଟିକାଦାନର ବିଷାଦଜନକ ଚିତ୍ର ନେଇ ଉପରୋକ୍ତ ସଂସ୍ଥାମାନେ ବିବ୍ରତବୋଧ କରିବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଏହାର କାରଣ ସରଳ: ଟିକାଦାନ ଅକାଳ ମୃତ୍ୟୁକୁ ଅଟକାଇଥାଏ; ଟିକାଦାନ ନ ହେଲେ ଅକାଳ ମୃତ୍ୟୁ ଘଟିବ। ସେତିକି ନୁହେଁ, ଏକ ଦେଶର ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଏମିତିରେ ଚାପଗ୍ରସ୍ତ ଅବସ୍ଥାରେ ଥିବାବେଳେ ‘ଶୂନ୍ୟ-ଟିକା’ ଶିଶୁମାନଙ୍କର ଅସୁସ୍ଥତା ବୋଝ ତା’ ପାଇଁ ବୋଝ ଉପରେ ନଳିତା ବିଡ଼ା ପରି ହେବ। ଏକ ଆକଳନ ଅନୁସାରେ ବିଗତ ପାଞ୍ଚ ଦଶନ୍ଧି ମଧ୍ୟରେ ଟିକାଦାନ ଯୋଗୁଁ ପୃଥିବୀରେ ୧୫୦ ନିୟୁତ ଅକାଳ ମୃତ୍ୟୁକୁ ଅଟକାଇ ଦିଆଯାଇ ପାରିଛି।
ଏହି ପରିପ୍ରେକ୍ଷୀରେ ଯାହା ହେଉଛି ଘୋର ଚିନ୍ତାଜନକ, ତାହା ହେଲା ବର୍ତ୍ତମାନ ଟିକାଦାନ ବିରୋଧୀ ଶକ୍ତିମାନେ ଆମେରିକାରେ ଟ୍ରମ୍ପ ପ୍ରଶାସନରେ ଦଖଲ କରିଥିବା ନିୟନ୍ତ୍ରକ ସ୍ଥାନ। ଡୋନାଲ୍ଡ ଟ୍ରମ୍ପ ଦ୍ବିତୀୟ ପାଳି ସେ ଦେଶର ରାଷ୍ଟ୍ରପତି ପଦରେ ଆସୀନ ହେବା ପରେ ଚତୁର୍ଦ୍ଦିଗରେ ଯେଉଁ ଅସ୍ଥିରତାର ବାତାବରଣ ସୃଷ୍ଟି ହୋଇଛି, ତାହା କେବଳ ଟାରିଫ୍ ଯୁଦ୍ଧ କିମ୍ବା ଅପ୍ରବାସନ ନିୟନ୍ତ୍ରଣ କିମ୍ବା ୟୁକ୍ରେନ ସଂକଟ ମଧ୍ୟରେ ସୀମତି ନୁହେଁ; ଟିକାଦାନ ଅଭିଯାନ ମଧ୍ୟ ଏହାର ଶିକାର ହେବାର ଦୃଢ଼ ସମ୍ଭାବନା ରହିଛି। କାରଣ ଟ୍ରମ୍ପ ତାଙ୍କ ସରକାରରେ ସ୍ବାସ୍ଥ୍ୟ ସଚିବ (ମନ୍ତ୍ରୀ) ରୂପେ ଯାହାଙ୍କୁ ନିଯୁକ୍ତ କରିଛନ୍ତି, ଯେ ହେଉଛନ୍ତି ଟିକାଦାନ ବିରୋଧରେ ଏବେ ଯେଉଁ ଅନ୍ଧବିଶ୍ବାସଜନିତ ଅପପ୍ରଚାର ସୃଷ୍ଟି ହୋଇ ପ୍ରସାରଲାଭ କରିବାରେ ଲାଗିଛି, ତାହାର ଜଣେ ମୁଖ୍ୟ ପ୍ରବକ୍ତା: ରବର୍ଟ କେନେଡି ଜୁନିଅର୍।
ତାଙ୍କର ନେତୃତ୍ବରେ ଆମେରିକା ଯଦି ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ଏକ ଟିକାଦାନ ବିରୋଧୀ ନୀତି ଅନୁସରଣ କରେ, ସେଥିରୁ ଦୁଇଟି ବିପଜ୍ଜନକ ପରିଣତି ସୃଷ୍ଟି ହୋଇପାରେ: ଆନ୍ତର୍ଜାତିକ ସ୍ତରରେ ପ୍ରତିରୋଧନ ଅଭିଯାନରେ ସକ୍ରିୟ ଥିବା ବିଭିନ୍ନ ଅନୁଷ୍ଠାନମାନଙ୍କୁ ଆମେରିକା ପ୍ରଦାନ କରୁଥିବା ଅନୁଦାନ ବନ୍ଦ ହୋଇଯାଇପାେର କିମ୍ବା ସେଥିରେ ତୀକ୍ଷ୍ଣ ସଂକୋଚନ ଘଟିପାରେ; ଆମେରିକାକୁ ଆଦର୍ଶ ରୂପେ ଅନୁସରଣ କରୁଥିବା ପୃଥିବୀର ଅନ୍ୟ ଦେଶମାନଙ୍କରେ ମଧ୍ୟ ଏକ ଟିକାଦାନ-ବିରୋଧୀ ଲହରୀ ସୃଷ୍ଟି ହୋଇପାରେ। ଏହା ହେଉଛି ସେଇଭଳି ଦୁର୍ଭାଗ୍ୟଜନକ, ଯେଉଁଭଳି ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ଡାହାଣୀ ସନ୍ଦେହରେ ବେଳେବେଳେ ନିର୍ଦ୍ଦୋଷଙ୍କୁ ହତ୍ୟା କରାଯାଇଥାଏ। ଟିକା-ବିରୋଧୀ ଅନ୍ଧବିଶ୍ବାସ ଯୋଗୁଁ କିନ୍ତୁ ଜଣେଅଧେ ନୁହେଁ, ହଜାର ହଜାର ନିରୀହ ଶିଶୁ ଅକାଳ ମୃତ୍ୟୁବରଣ କରିଥାନ୍ତି।
ଏହା ସତ ଯେ ଟିକା ସର୍ବଦା ଶତପ୍ରତିଶତ ଫଳପ୍ରଦ ନ ହୋଇଥାଇପାରେ। କିନ୍ତୁ ଏହା କେହି ଅସ୍ବୀକାର କରିପାରିବେ ନାହିଁ ଯେ ପୃଥିବୀର ଜନସ୍ବାସ୍ଥ୍ୟ ଇତିହାସରେ ଟିକା ହେଉଛି ସର୍ବାଧିକ ଫଳପ୍ରଦ ଓ ଚମକପ୍ରଦ ଉଦ୍ଭାବନ। ଟିକା ପୃଥିବୀ ପୃଷ୍ଠରୁ ଭୟଙ୍କର ମହାମାରୀ ବସନ୍ତକୁ ନିର୍ବାସିତ କରିଛି; ପୋଲିଓକୁ ପ୍ରାୟ ନିପାତ କରିଛି; ମିଜଲସ୍, ରୁବେଲା, ଡିପ୍ଥେରିଆ ଆଦି ଲୋମହର୍ଷଣକାରୀ ବ୍ୟାଧି ସବୁକୁ ବିଲୟର ଦ୍ବାରଦେଶରେ ପହଞ୍ଚାଇ ଦେଇଛି। ଗବେଷଣା, ଯୁକ୍ତିନିଷ୍ଠ ଚିନ୍ତାଧାରା ଓ ଆନ୍ତର୍ଜାତିକ ସହଯୋଗର ମିଳିତ ପ୍ରଭାବରେ ଜନସ୍ବାସ୍ଥ୍ୟ କ୍ଷେତ୍ରରେ ଏହି ଚମତ୍କାର ସଫଳତାମାନ ହାସଲ କରିବା ସମ୍ଭବ ହୋଇପାରିଛି।
କିନ୍ତୁ ବିପଜ୍ଜନକ କଥା ହେଲା ଜ୍ଞାନର ଏହି ମଙ୍ଗଳକାରୀ ଜୟଯାତ୍ରାକୁ ଅଜ୍ଞାନ ପ୍ରତିହତ କରିବାର ଏକ ବାସ୍ତବ ସମ୍ଭାବନା ଏବେ ଦେଖାଦେଇଛି। ଅଜ୍ଞାନ ନିଜର ପ୍ରଭାବ ବିସ୍ତାର କରିବା ପାଇଁ ଅନେକ ସମୟରେ ଭୟ ସୃଷ୍ଟିର ଆଶ୍ରୟ ନେଇଥାଏ। ଏ କ୍ଷେତ୍ରରେ ସେଇଭଳି ମିଥ୍ୟାଚାର ମାଧ୍ୟମରେ ଟିକା ଗ୍ରହଣକୁ ‘ଅଟିଜ୍ମ’, ବନ୍ଧ୍ୟାଦୋଷ, ଜନସଂଖ୍ୟା ନିୟନ୍ତ୍ରଣର ଅନ୍ୟତମ ଗୁପ୍ତକୌଶଳ ଆଦି ସହିତ ସଂଯୁକ୍ତ କରାଯାଇ ସହଜ ବିଶ୍ବାସୀମାନଙ୍କ ମନରେ ଟିକା ପ୍ରତି ଭୟ ସୃଷ୍ଟି କରାଯାଇଛି। ବିଧିବଦ୍ଧ ବିଜ୍ଞାନସମ୍ମତ ଅନୁସନ୍ଧାନମାନ ଏ ସମସ୍ତ ଗୁଜବକୁ ନିରାଧାର ଓ ମିଥ୍ୟା ସାବ୍ୟସ୍ତ କରିଚାଲିଥିଲେ ହେଁ ରବର୍ଟ କେନେଡି ଜୁନିଅର୍ଙ୍କ ପରି ଲୋକମାନେ ହେଉଛନ୍ତି ପ୍ରମାଣ ଯେ ଶିକ୍ଷିତ, ବୁଦ୍ଧିମାନ ବ୍ୟକ୍ତିମାନେ ମଧ୍ୟ ଏହି ମିଥ୍ୟାଚାରର ପ୍ରଭାବରୁ ନିଜକୁ ମୁକ୍ତ କରିପାରି ନଥାନ୍ତି।
ଏହାର କାରଣ ବୁଝିବା କଷ୍ଟକର ନୁହେଁ: ମିଥ୍ୟା ଆବେଗଭିତ୍ତିକ ହୋଇଥିବାବେଳେ ସତ୍ୟ ହୋଇଥାଏ ଯୁକ୍ତିଭିତ୍ତିକ। ଆଉ ଏହା ଜଣାଶୁଣା ଯେ ଯୁକ୍ତି ସଦାବେଳେ ଆବେଗ ନିକଟରେ ପରାଜୟ ସ୍ବୀକାର କରିଥାଏ। ଆଶା, ପ୍ରତିରୋଧନ ସପ୍ତାହ ପାଳନ ଏହି ବିପଜ୍ଜନକ ଆବେଗରେ ଭାସି ନ ଯାଇ ଯୁକ୍ତିର ଡାକ ଶୁଣିବା ପାଇଁ ମାନବ ସମାଜକୁ ସଚେତନ କରିବ।