ଏହା ଲେଖା ହେବା ବେଳକୁ ସମ୍ବାଦ ମିଳୁଛି ଯେ ଅବିଶ୍ରାନ୍ତ ବର୍ଷା ଚାଲିଛି ଏବ˚ ଏକ ଅଭୂତପୂର୍ବ ବନ୍ୟା ପରିସ୍ଥିତିରୁ ବେଙ୍ଗାଲୁରୁ ନିସ୍ତାର ପାଇନାହିଁ। ଅବଶ୍ୟ, ସ˚ପ୍ରତି ଅସରାଏ ବା ଦୁଇ ଅସରା ବର୍ଷା ହେଲେ ଭାରତର ଛୋଟ ସହର ଠାରୁ ଆରମ୍ଭ କରି ମହାନଗରୀଗୁଡ଼ିକ ପର୍ଯ୍ୟନ୍ତ ଜଳାର୍ଣ୍ଣବ ହୋଇ ଉଠୁଛନ୍ତି ଏବ˚ ଜନଜୀବନ ବିପର୍ଯ୍ୟସ୍ତ ହୋଇ ପଡୁଛି। କିନ୍ତୁ ପୃଥିବୀର ଦ୍ରୁତତମ ବର୍ଦ୍ଧିଷ୍ଣୁ ନଗରୀ ଭାବେ ସ୍ବୀକୃତ ବେଙ୍ଗାଲୁରୁ ବିଗତ ମାତ୍ର ଦୁଇ ଦଶନ୍ଧି ମଧୢରେ ଭାରତର ‘ସୂଚନା ପ୍ରଯୁକ୍ତି’ (ଆଇ.ଟି.)ର କେନ୍ଦ୍ରରେ ପରିଣତ ହୋଇ ତାର ଚୁମ୍ବକୀୟ ପ୍ରଭାବ ବଳରେ କେବଳ ଦେଶର କୋଣ-ଅନୁକୋଣରୁ ନୁହେଁ, ବିଦେଶରୁ ତରୁଣ ମେଧାବୀ ସ୍ବପ୍ନଭୁକ୍ ଏବ˚ ପ୍ରବୀଣ ସଫଳ ସ୍ରଷ୍ଟାମାନଙ୍କୁ ଆକର୍ଷିତ କରି ଏକ ‘ଷ୍ଟାର୍ଟଅପ୍ ରାଜଧାନୀ’ ରୂପେ ଆବିର୍ଭୂତ ହୋଇଯିବା ଦୃଷ୍ଟିରୁ ଜଳମଗ୍ନ ବେଙ୍ଗାଲୁରୁ ଅଗତ୍ୟା ଏକ ଆନ୍ତର୍ଜାତିକ ଆଲୋଡ଼ନ ସୃଷ୍ଟି କରିଛି। ପ୍ରକାଶ ଥାଉ କି ଗଲା କିଛି ବର୍ଷ ଧରି ବେଙ୍ଗାଲୁରୁ ବର୍ଷା ଋତୁରେ ଜଳ ପ୍ଳାବିତ ହେବାର ଦୁର୍ଭାଗ୍ୟ ଭୋଗ କରି ଆସୁଛି। ତେବେ, ବର୍ତ୍ତମାନର ହାହାକାରମୟ ପରିସ୍ଥିତି ପୂର୍ବର ସମସ୍ତ ଦୁର୍ବିପାକକୁ ଅତିକ୍ରମ କରି ଯାଇଛି।
ପ୍ରକାଶ ଥାଉ କି ଏଥି ସକାଶେ ଯାହା ସର୍ବାଧିକ ଦାୟୀ; ତାହା ହେଉଛି ଏକ ରେକର୍ଡ ଭଙ୍ଗକାରୀ ବୃଷ୍ଟିପାତ। ପାଣିପାଗ ଅଫିସ ସୂତ୍ରରୁ ପ୍ରକାଶିତ ତଥ୍ୟ କହିଥାଏ ଯେ ଗଲା ୪ ତାରିଖରୁ ୫ ତାରିଖ ମଧୢରେ ବେଙ୍ଗାଲୁରୁ ୧୩୧.୬ ମିଲିମିଟର ବୃଷ୍ଟିପାତ ଦେଖିଥିଲା, ଯାହା ଥିଲା ଅତ୍ୟନ୍ତ ଅଧିକ। ପାଣିପାଗ ଦପ୍ତରର ଆକଳନ ଅନୁସାରେ ପୂର୍ବ ବର୍ଷମାନଙ୍କରେ ଏହି ଦିନ ହୋଇଥିବା ବର୍ଷା ପରିମାଣର ହାରାହାରି ଠାରୁ ଚଳିତ ବର୍ଷ ଏହି ଦିନ ହୋଇଥିବା ବର୍ଷାର ପରିମାଣ ଥିଲା ୧୬ ଗୁଣ ଅଧିକ। ପାଣିପାଗ ବିଶେଷଜ୍ଞମାନଙ୍କ ଅନୁସାରେ ସ˚ପ୍ରତି ‘ଲା ନିନା’ର ପ୍ରଭାବ (‘ଲା ନିନା’ ସ୍ଥିତିରେ ସମୁଦ୍ର ପୃଷ୍ଠର ତାପମାତ୍ରା ଅପେକ୍ଷାକୃତ ଶୀତଳ ରହେ ଏବ˚ ତାର ବିପରୀତ ‘ଏଲ୍ ନିନୋ’ ସ୍ଥିତିରେ ସମୁଦ୍ର ପୃଷ୍ଠର ତାପମାତ୍ରା ଅଧିକ ରହେ) ବଳବତ୍ତର ଥିବାରୁ ତାହା ମୌସୁମୀ ପ୍ରବାହକୁ ଦୀର୍ଘ କାଳ ସକ୍ରିୟ ରଖି ଅଧିକ ବୃଷ୍ଟିର ସମ୍ଭାବନା ସୃଷ୍ଟି କରିଛି। ଏଭଳି ସ୍ଥଳେ ବେଙ୍ଗାଲୁରୁଏଭଳି ଜଳମଗ୍ନ ହୋଇଯିବା ସ୍ବାଭାବିକ ଭଳି ମନେ ହୋଇପାରେ। କିନ୍ତୁ, ଏଭଳି ଦୁର୍ଦଶା ପଛରେ ଯେ ଏକ ରାଜନୈତିକ କାରଣ ମଧ୍ୟ ରହିଛି, ତାହା ମଧ୍ୟ ପ୍ରଣିଧାନଯୋଗ୍ୟ।
ଏହି ପରିପ୍ରେକ୍ଷୀରେ ‘ଦ ଇଣ୍ତିଆନ୍ ଏକ୍ସପ୍ରେସ୍’ର ପୂର୍ବତନ ସ˚ପାଦକ ତଥା ବର୍ତ୍ତମାନ ‘ଦ ପ୍ରିଣ୍ଟ’ର ମୁଖ୍ୟ ସ˚ପାଦକ ଶେଖର ଗୁପ୍ତା କହିଥାଆନ୍ତି ଯେ ବିଗତ ତିରିଶ ବର୍ଷର ସମୟ (୧୯୯୨ ମସିହାରେ ବେଙ୍ଗାଲୁରୁ ଏକ ଆଇ.ଟି. ଉପତ୍ୟକାରେ ପରିଣତ ହେବା ପାଇଁ ଯାତ୍ରା ଆରମ୍ଭ କରିଥିଲା) ମଧୢରେ କର୍ଣ୍ଣାଟକ ୧୫ ଥର ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ଏବ˚ ଅନେକ ମାସ ରାଷ୍ଟ୍ରପତି ଶାସନ ଦେଖିଛି; ଯାହାର ଅର୍ଥ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ପାଳିର ହାରାହାରି ଆୟୁଷ ହୋଇଛି ଦୁଇ ବର୍ଷରୁ ମଧୢ କମ୍। ଏଭଳି ଏକ ଅସ୍ଥିର ଶାସନ କେବଳ ଅଦକ୍ଷତାକୁ ଜନ୍ମ ଦେଇ ନ ଥାଏ, ଏହା କୌଣସି ଦୀର୍ଘକାଳୀନ ଓ ଦୂରଦୃଷ୍ଟିସ˚ପନ୍ନ ପ୍ରକଳ୍ପ ସାକାର କରିପାରି ନ ଥାଏ। ବରଂ ଦୋଦୁଲ୍ୟମାନ ସ୍ଥିତି କାରଣରୁ କ୍ଷମତାସୀନ ନେତାମାନେ ସ୍ବଳ୍ପ ସମୟ ମଧୢରେ ଅଧିକ ଲାଭ ଠୁଳ କରିବା ସକାଶେ ଘୋର ଦୁର୍ନୀତିକୁ ପ୍ରଶ୍ରୟ ଦିଅନ୍ତି, ଯହିଁରେ ବଡ଼ ସହରମାନଙ୍କରେ ‘ରିଏଲ୍ ଇଷ୍ଟେଟ୍’ ହିଁ ଅର୍ଥାଗମର ଏକ ମୁଖ୍ୟ ସ୍ରୋତ ପାଲଟିଥାଏ। ସୁତରା˚, ଦୁର୍ନୀତିମୂଳକ ସରକାରୀ ଅନୁମୋଦନ ଲାଭ କରି ବେଙ୍ଗାଲୁରୁ ସହର ତାର କାୟା ବିସ୍ତାର କରୁଥିବା ବେଳେ ପ୍ରାକୃତିକ ଜଳ ନିଷ୍କାସନ ମାର୍ଗ ବା ପ୍ରାକୃତିକ ଜଳାଶୟମାନ ସେମାନଙ୍କ ଅସ୍ତିତ୍ବ ହରାଇବା ଏବ˚ ସେଠାରେ ପ୍ରକାଣ୍ତ ବହୁତଳ ପ୍ରାସାଦମାନର ଆବିର୍ଭାବ ଘଟିବାରେ ବିସ୍ମିତ ହେବାର ବିଶେଷ କାରଣ ନାହିଁ। ୨୦୧୬ ମସିହାରେ ‘ଇଣ୍ତିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସେସ୍’ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ବେଙ୍ଗାଲୁରୁ ଗତ ଚାଳିଶ ବର୍ଷ ମଧ୍ୟରେ ନାଳ ବା ଯୋର ବା ପୁଷ୍କରିଣୀ ଭଳି ଜଳଉତ୍ସ ମଧୢରୁ ପ୍ରାୟ ୭୯ ପ୍ରତିଶତ ହରାଇ ସାରିଛି। ସୁତରାଂ, ଉଦ୍ବୃତ୍ତ ଜଳ ନିଷ୍କାସନର ପ୍ରାକୃତିକ ପଥ ନଭଶ୍ଚୁମ୍ବୀ ଅଟ୍ଟାଳିକାମାନ ଦ୍ବାରା ଅବରୁଦ୍ଧ ହୋଇଯିବା ଯେ ବେଙ୍ଗାଲୁରୁ ବନ୍ୟା ସଂକଟକୁ ଅଧିକ ଗୁରୁତର କରିଛି, ତହିଁରେ ସନ୍ଦେହ ନାହିଁ। ପୁଣି, କେବଳ ସେତିକି ନୁହେଁ; ୨୦୨୦ ମସିହାରୁ ବେଙ୍ଗାଲୁରୁ ସହରରେ ପୌରପାଳିକା ନିର୍ବାଚନ ଅନୁଷ୍ଠିତ ନ ହୋଇ ନଗର ସମସ୍ୟା ନେଇ ଉତ୍ତରଦାୟୀ ରହିଥିବା ସ୍ଥାନୀୟ କର୍ପୋରେଟରମାନଙ୍କୁ ଦୃଶ୍ୟପଟରୁ ସ˚ପୂର୍ଣ୍ଣ ଅପସାରିତ କରିଦେଇଛି। ଅନେକଙ୍କ ମତରେ ବର୍ଷା ପୂର୍ବରୁ ବିଭିନ୍ନ ପ୍ରକାର ନିର୍ମାଣ ଏବ˚ ସଫେଇ କାର୍ଯ୍ୟ ସ˚ପାଦିତ ହୋଇ ନ ପାରିବାରୁ ବେଙ୍ଗାଲୁରୁର ସ୍ଥିତି ଏଭଳି ଅବର୍ଣ୍ଣନୀୟ ଭାବେ କରୁଣ ହୋଇ ପଡ଼ିଲା। ଏବ˚ ଏହି ପରିପ୍ରେକ୍ଷୀରେ ଏକ ଉଦ୍ବେଗଜନକ ଅଭିଯୋଗ ମଧ୍ୟ ଶୁଣିବାକୁ ମିଳିଥାଏ ଯେ ପୌର ନିର୍ବାଚନରେ ବିଫଳ ହେବାର ଆଶଙ୍କା କରି ଶାସକ ବିଜେପି ସରକାର ପକ୍ଷରୁ ନିର୍ବାଚନ ମଣ୍ତଳୀ ପୁନର୍ଗଠନ ଆଳରେ ପୌର ନିର୍ବାଚନକୁ ସ୍ଥଗିତ କରି ରଖାଯାଇଛି।
ତେବେ କେବଳ ବେଙ୍ଗାଲୁରୁ ନୁହେଁ, ଭାରତର ଅନ୍ୟାନ୍ୟ ବଡ଼ ସହରଗୁଡ଼ିକର ସମସ୍ୟା ସଂପର୍କରେ ଆଲୋଚନା କଲା ବେଳେ ବିଖ୍ୟାତ ପ୍ରାଣୀବିଜ୍ଞାନୀ ଡେସମଣ୍ତ ମୋରିସଙ୍କ ଦ୍ବାରା ରଚିତ ଏକ ଅତ୍ୟନ୍ତ ଲୋକପ୍ରିୟ ପୁସ୍ତକ ‘ଦ ହ୍ୟୁମାନ ଜୁ’ (ମାନବ ଚିଡ଼ିଆଖାନା) ସ୍ମରଣକୁ ଆସିଥାଏ, ଯହିଁରେ ସେ ଆଧୁନିକ ସହରଗୁଡ଼ିକୁ ‘କ˚କ୍ରିଟ୍ ଜଙ୍ଗଲ’ ବଦଳରେ ‘ମାନବ ଚିଡ଼ିଆଖାନା’ ରୂପେ ବର୍ଣ୍ଣନା କରିଛନ୍ତି। ଏହାର କାରଣ ତାଙ୍କ ମତରେ ଚିଡ଼ିଆଖାନାରେ ପଶୁପକ୍ଷୀଙ୍କ ଜୀବନଧାରଣ ଲାଗି ଆବଶ୍ୟକ ଉପାଦାନ ଉପଲବ୍ଧ କରାଇ ଦିଆଯାଉଥିବା ଭଳି ସହରମାନଙ୍କରେ ମାନବ ଜୀବନଧାରଣ ଲାଗି ଆବଶ୍ୟକ ସମସ୍ତ ଉପାଦାନ ଉପସ୍ଥିତ ଥାଏ; କିନ୍ତୁ ତାଙ୍କ ମତରେ ଏଭଳି ଚିଡ଼ିଆଖାନାସୁଲଭ ଜୀବନ ସହରୀ ମନୁଷ୍ୟମାନଙ୍କୁ ସାମାଜିକ ସ˚ପର୍କ ସ୍ଥାପନରେ ଦୁର୍ବଳ କରିଥାଏ ବା ଅନେକ ସମୟରେ ସେମାନଙ୍କୁ ନିଃସଙ୍ଗ କରି ପକାଏ। କିନ୍ତୁ ସତ କହିଲେ, ବସ୍ତୁବାଦୀ ଏବ˚ ଉପଭୋଗ-କୈନ୍ଦ୍ରିକ ଜୀବନ ଲାଗି ଅଦମ୍ୟ ଜାନ୍ତବ କ୍ଷୁଧା ପ୍ରଦର୍ଶନ କରୁଥିବା ସହରୀ ମନୁଷ୍ୟଙ୍କ ଠାରେ ଛକାପ˚ଝା, ଗଳା-କଟା ପ୍ରତିଦ୍ବନ୍ଦ୍ବିତା ଠାରୁ ଆରମ୍ଭ କରି ସ˚ଘାତ, ପ୍ରତାରଣା ଏବ˚ ସୁବିଧାବାଦୀ ସନ୍ଧି ପର୍ଯ୍ୟନ୍ତ ଯେଉଁ ସମସ୍ତ ପ୍ରକାର ଜଙ୍ଗଲୀ ଆଚରଣ ପରିଦୃଷ୍ଟ ହୋଇଥାଏ, ତହିଁରେ ମୋରିସଙ୍କ ‘ମାନବ ଚିଡ଼ିଆଖାନା’ ଯୁକ୍ତି ଦୁର୍ବଳ ମନେ ହୋଇ ସହରଗୁଡ଼ିକୁ କ˚କ୍ରିଟ୍ ଜଙ୍ଗଲ ରୁପେ ହିଁ ପ୍ରତୀତ କରାଇଥାଏ। କହିବାରେ ଦ୍ବିଧା ନାହିଁ ଯେ ସହରଗୁଡ଼ିକ ସର୍ବଦା ମାନବ ଲାଳସାକୁ ଚରିତାର୍ଥ କରିବା ଲାଗି କ୍ରମ ଅବକ୍ଷୟ ଏବ˚ ପ୍ରଦୂଷଣର ଶିକାର ହୋଇ ଚାଲିଛନ୍ତି। ପରିବେଶବିତ୍ମାନେ କହିଥାଆନ୍ତି ଯେ ସହରୀ ଉପଭୋଗବାଦୀ ସ˚ସ୍କୃତିର ତାଡ଼ନା ହିଁ ଜଳବାୟୁ ପରିବର୍ତ୍ତନ ବା ବିଶ୍ବ ଉତ୍ତପ୍ତୀକରଣର ଏକ ବଡ଼ କାରଣ। ସୁତରା˚, ସହରମାନଙ୍କ ଲାଗି ଏବେ ଏକ ‘କ୍ୟାଚ୍-୨୨’ ତୁଲ୍ୟ ସ୍ଥିତିର ଆବିର୍ଭାବ ଘଟିଲାଣି, ଯହିଁରେ ସହରର ଉପଭୋଗ-କୈନ୍ଦ୍ରିକ ଜୀବନ ପ୍ରାକୃତିକ ବିତ୍ପାତର କାରଣ ହୋଇଥିବା ବେଳେ ସହର ବାସିନ୍ଦାମାନେ ଆବିଷ୍କାର କରିବାରେ ଲାଗିଛନ୍ତି ଯେ ସେହିଭଳି ଜୀବନ ଲାଭ କରିବାକୁ ଯାଇ ସେମାନେ ନିଜ ସହରରେ ଏଭଳି ପରିବର୍ତ୍ତନମାନ ଘଟାଇଛନ୍ତି ଯେ ତଦ୍ଦ୍ବାରା ସେମାନଙ୍କ ପ୍ରିୟ ସହର ହିଁ ସର୍ବାଧିକ କ୍ଷତିଗ୍ରସ୍ତ ହେବା ସାର ହୋଇଛି।
ପ୍ରସିଦ୍ଧ କ୍ୟାରିବୀୟ କବି ଡେରେକ୍ ଵାଲକଟ ତାଙ୍କର ଏକ କବିତାରେ ‘ଚିରନ୍ତନ ଅସମାପ୍ତ ସହର’ ଭଳି ଏକ ଅଭିବ୍ୟକ୍ତିର ବ୍ୟବହାର କରିଥିଲେ। ଏହା ଏକ ବାସ୍ତବତା ନୁହେଁ କି ଏ ଯାବତ୍ ପୃଥିବୀରେ ଏଭଳି କୌଣସି ସହର ନାହିଁ, ଯହିଁରେ ଭଙ୍ଗାଗଢ଼ାର ସମାପ୍ତି ଘଟି ତାହା ଏକ ପୂର୍ଣ୍ଣାଙ୍ଗ ସହରରେ ପରିଣତ ହୋଇଛି। ସୁତରା˚, ନାଗରିକ ହୁଅନ୍ତୁ ବା ବିଲ୍ଡର ହୁଅନ୍ତୁ ବା ସରକାର ହୁଅନ୍ତୁ; ସମସ୍ତଙ୍କ ଦ୍ବାରା ହେଉଥିବା ଭଙ୍ଗାଗଢ଼ାର ଏହି ନିରନ୍ତରତା ମଧୢରେ ସହରଗୁଡ଼ିକ ହିଁ କେବଳ ଅବରୁଦ୍ଧ ହୋଇ ଚାଲିଛନ୍ତି। ତେଣୁ ବେଙ୍ଗାଲୁରୁ ହେଉ ଅଥବା ଆମ ରାଜଧାନୀ ଭୁବନେଶ୍ବର; ଯେତେବେଳେ ସହର ବାସିନ୍ଦାଙ୍କ ସମ୍ମୁଖରେ ସେମାନଙ୍କ ଅମରାବତି ଅଗତ୍ୟା ଏକ ପୂତିଗନ୍ଧମୟ କର୍ଦ୍ଦମାକ୍ତ ସହରରେ ପରିଣତ ହୋଇଥାଏ, ସେତେବେଳେ ତାହା ଯଦି ସହରବାସୀ, ନଗର-ପ୍ରଶାସକ ଏବ˚ ରାଜନେତାମାନଙ୍କ ଚୈତନ୍ୟ ଉଦୟରେ ସହାୟକ ହୁଅନ୍ତା, ତେବେ ହୁଏ’ତ ଏ ସମସ୍ୟାର ସମାଧାନ ଲାଗି ପଥ ଉନ୍ମୁକ୍ତ ହୁଅନ୍ତା। କିନ୍ତୁ ତାହା ଘଟି ନ ଥାଏ। ସ୍ଥିତି ସୁଧୁରି ଯିବା ପରେ ସବୁ ଅପସ୍ମୃତି ବିସ୍ମୃତିର ଅତଳ ଗର୍ଭକୁ ନିକ୍ଷେପିତ ହୋଇଯାଏ, ଆସନ୍ତା ବର୍ଷା ଋତୁ ଆସିବା ପର୍ଯ୍ୟନ୍ତ!
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/sampadakiya-logo-ff-9.jpg)