ଯଦିଓ ଏବେ ହୃଦ୍‌ବୋଧ ହୋଇ ସାରିଲାଣି ଯେ ପ୍ରକୃତିିର ବ୍ୟବସ୍ଥାରେ ବ୍ୟାଘାତ ଘଟାଇବାର ଅର୍ଥ ଏଭଳି ବିଭୀଷିକାକୁ ଆମନ୍ତ୍ରଣ କରିବା ଯାହା ମନୁଷ୍ୟକୁ ଅତ୍ୟନ୍ତ ଅସହାୟ କରି ପକାଇବ, ତଥାପି ବିଜ୍ଞାନକୁ ନିଜ ଶୋଣିତ କଣିକାରେ ପ୍ରବାହିତ କରି ସାରିଥିବା ମନୁଷ୍ୟ ତା’ର ଆଭିମୁଖ୍ୟରେ ପରିବର୍ତ୍ତନ ଘଟାଇ ପାରୁନାହିଁ! ଏଭଳି ସ୍ଥଳେ ସବୁଜ ସାହାରା ଏକ ପ୍ରବୋଧନା ଭଳି ପ୍ରତୀତ ହେଉଥିଲେ ହେଁ ତା’ ପ୍ରତିବଦଳରେ ପ୍ରକୃତିର ପ୍ରତିଶୋଧ ଆମ ଠାରୁ ଯେଉଁ ମୂଲ୍ୟ ଅସୁଲ କରିବ, ତାହା ହୁଏତ ଆମକୁ ନିଃସ୍ବ କରିଦେଇପାରେ!

Advertisment

ନଅ ନିୟୁତ ବର୍ଗ କିଲୋମିଟର ଆୟତନ ବିଶିଷ୍ଟ ସଂପୂର୍ଣ୍ଣ ଶୁଷ୍କ ସାହାରା ମରୁଭୂମିରେ ଧାଡ଼ି ବାନ୍ଧି ଚାଲିଥିବା ତୃଷାର୍ତ୍ତ ଓଟ ଏବଂ ପ୍ରଚଣ୍ଡ ରୌଦ୍ର ଦଗ୍‌ଧ ଓଟାରୋହୀ ଟାଆଁସା ବେଦୁଇନ ଦଳଙ୍କୁ ଏଣିକି ଦୂର ଦିଗ୍‌ବଳୟରେ ମରୀଚିକାମାନ ନ ଦିଶି ହୁଏତ ମନୋରମ ମରୁଦ୍ୟାନମାନ ଅଧିକ ସଂଖ୍ୟାରେ ଦୃଶ୍ୟମାନ ହୋଇପାରନ୍ତି; କାରଣ ଗଲା କେଇ ବର୍ଷ ଧରି ‘ନାସା’ ପକ୍ଷରୁ ପ୍ରସାରିତ ଉପଗ୍ରହ ଫଟୋଚିତ୍ରଗୁଡ଼ିକ ଅନୁସାରେ ସାହାରା ମରୁଭୂମିରେ ସବୁଜ ଆସ୍ତରଣର କ୍ଷେତ୍ର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି; ଅର୍ଥାତ୍‌ ଦରଦହୀନ ସାହାରା ବକ୍ଷରେ ଉଦ୍ଭିଦମାନ ଅଙ୍କୁରିତ ହୋଇ ଅନେକ ପତଳା ଜଙ୍ଗଲ ସୃଷ୍ଟି ହେଲାଣି, ଯାହା ମଧ୍ୟରେ କେତେକ ପ୍ରାଣୀଙ୍କ ଗତିବିଧିର ମଧ୍ୟ ସୂତ୍ରପାତ ଘଟିଲାଣି। ଏହି ପରିପ୍ରେକ୍ଷୀରେ ଜର୍ମାନିର ଲିପ୍‌ଜିଗ୍‌ ବିଶ୍ବବିଦ୍ୟାଳୟର ବିଶିଷ୍ଟ ପରିବେଶ ଗବେଷକ କର୍ଷ୍ଟେନ୍‌ ହଷ୍ଟ୍‌ଙ୍କ ସମେତ ସମସ୍ତ ପରିବେଶ ବିଜ୍ଞାନୀ ଏକମତ ହୁଅନ୍ତି ଯେ ଏଭଳି ଏକ ସକାରାତ୍ମକ ପରିବର୍ତ୍ତନ ଘଟିବା ପଛରେ ନିହିତ ଏକ ପ୍ରମୁଖ କାରଣଟି ହେଲା ବିଶ୍ବ ତାପମାନରେ ବୃଦ୍ଧି ଓ ତଜ୍ଜନିତ ଜଳବାୟୁ ପରିବର୍ତ୍ତନ। ଯଦି ତାହା ସତ, ତେବେ କ’ଣ ଏୟା ବୁଝିବାକୁ ହେବ ଯେ ଏକ ଅଭିଶାପ ପ୍ରକାରାନ୍ତରେ ଏକ ଆଶୀର୍ବାଦରେ ପରିଣତ ହେବାକୁ ଯାଉଛି? 
ବୈଜ୍ଞାନିକ ଗବେଷଣାରୁ ଏହା ଏବେ ସ୍ପଷ୍ଟ ଯେ ବାଲୁକାମୟ ସାହାରା ମରୁଭୂମି ଆଜିକୁ ପ୍ରାୟ ୧୨ ହଜାର ବର୍ଷ ପୂର୍ବେ ‘ଆଫ୍ରିକୀୟ ସାଭାନା’ ଭଳି ଏକ ବହଳ ତୃଣ ଆଚ୍ଛାଦିତ ଅଞ୍ଚଳ ଥିଲା, ଯାହା ମଧ୍ୟ ଥିଲା ବିରଳ ଜୈବ ବିବିଧତାର ଗନ୍ତାଘର। କିନ୍ତୁ ବୃଷ୍ଟିପାତର ଧାରାରେ ବିରାଟ ପରିବର୍ତ୍ତନ ଘଟି ତାହା କ୍ରମେ ଜଳ ଓ ଜୀବନ ଶୂନ୍ୟ ମରୁଭୂମିରେ ପରିଣତ ହୋଇଗଲା। ସେମାନେ ଏହା ମଧ୍ୟ କହନ୍ତି ଯେ ସଂପ୍ରତି ବିଶ୍ବ ଉତ୍ତପ୍ତୀକରଣ ହେତୁ ବୃଷ୍ଟିପାତର ନିୟମରେ ସେହିଭଳି ଏକ ପରିବର୍ତ୍ତନ ଦେଖିବାକୁ ମିଳିଲାଣି, ଯଦ୍ଦ୍ବାରା ସାହାରା ତା’ର ଅତୀତକୁ ଫେରିଯିବା ଲାଗି ଉଦ୍ୟତ! ଏଭଳି ସ୍ଥଳେ ଏକ ପ୍ରଶ୍ନ ଉଠିଥାଏ ଯେ କେଇ ହଜାର ବର୍ଷ ପୂର୍ବେ କ’ଣ ବର୍ତ୍ତମାନ ଭଳି ପରିବେଶ ପ୍ରଦୂଷଣ, ବିଶ୍ବ ତାପମାନ ବୃଦ୍ଧି ବା ତଜ୍ଜନିତ ଜଳବାୟୁ ପରିବର୍ତ୍ତନ ଭଳି ସ୍ଥିତି ଉପୁଜି ଥିଲା? ନଚେତ୍‌ ବୃଷ୍ଟିପାତର ପ୍ରାକୃତିକ ନିୟମରେ ବ୍ୟତିକ୍ରମ ଘଟିଲା କାହିଁକି? ଏହାର ଉତ୍ତର ହେଲା ଯେ ଆଠ ହଜାର ବର୍ଷ ତଳେ ଘଟିଥିବା ‘ମିଲାନ୍‌କୋଭିଚ୍ ସାଇକଲ୍‌ସ’ ବା ‘ମିଲାନ୍‌କୋଭିଚ୍‌ ଚକ୍ର’ ଭଳି ଏକ ମହାଜାଗତିକ ଘଟଣାରେ ସୂର୍ଯ୍ୟ ଆଡ଼କୁ ପୃଥିବୀର ଢଳଣରେ ୦.୬ ଡିଗ୍ରି ହ୍ରାସ ଘଟିଥିଲା, ଯେଉଁ କାରଣରୁ ପୃଥିବୀ ଉପରେ ସୂର୍ଯ୍ୟାଲୋକର ପ୍ରଭାବରେ ପରିବର୍ତ୍ତନ ଘଟି ବୃଷ୍ଟିପାତର ଧାରାକୁ ବଦଳାଇ ଦେଇଥିଲା, ଯାହାର ପରିଣାମ ସ୍ବରୂପ ନିର୍ଦୟ ସାହାରା ବା କାଲାହାରୀ ବା ଆଟାକାମା ଅଥବା ଥର୍‌ ଆଦି ବିଦ୍ୟମାନ! ବର୍ତ୍ତମାନ ମଧ୍ୟ ବୃଷ୍ଟିପାତର ନିୟମ‌େର ସେହିଭଳି ପରିବର୍ତ୍ତନ ଦୃଷ୍ଟିଗୋଚର ହେଲାଣି; ତେବେ ପ୍ରବୋଧନାର ବିଷୟ ହେଲା ସମୟର ଉଜାଣି ସ୍ରୋତରେ ଯାଇ ସାହାରା ଏବେ ସବୁଜ ହେବା ଦିଗରେ ଅଗ୍ରସର ହେଉଛି!
ଏହି ପରିପ୍ରେକ୍ଷୀରେ ଆଫ୍ରିକାର ଜଳବାୟୁ ଓ ବୃଷ୍ଟିପାତର ପ୍ରାକୃତିକ ନିୟମ ଉପରେ ଦୃଷ୍ଟି ନିକ୍ଷେପ କରାଯାଉ। ଆଫ୍ରିକାରେ ‘ଷ୍ଟର୍ମ ଜୋନ୍‌’ ବା ‘ଝଡ଼ କ୍ଷେତ୍ର’ର ପ୍ରଭାବରୁ ବୃଷ୍ଟିପାତ ସମ୍ଭବ ହୁଏ। ପଶ୍ଚିମ ଆଫ୍ରିକାର ତଟରୁ ମୌସୁମୀର ପ୍ରବେଶ ସହିତ ‘ଝଡ଼ କ୍ଷେତ୍ର’ ସକ୍ରିୟ ହୋଇ ଉଠେ ଏବଂ ଝଡ଼ ସହିତ ବୃଷ୍ଟିପାତ ଆରମ୍ଭ ‌ହୋଇଥାଏ। ତା’ ସହିତ ‘ଇଣ୍ଟର୍‌ ଟ୍ରପିକାଲ୍‌ କନ୍‌ଭର୍ଜେନ୍‌ସ ଜୋନ୍‌’ (ଆଇ.ଟି.ସି.ଜେଡ୍‌) ବା ‘ଆନ୍ତଃ ବିଷୁବ ମଣ୍ଡଳୀୟ ମିଳନ କ୍ଷେତ୍ର’ ଆଫ୍ରିକା ମହାଦେଶରେ ରହିଥିବାରୁ ତା’ର ପ୍ରଭାବ‌‌ରେ ସେଠାକାର ଅନେକ ଅଞ୍ଚଳରେ ଭୀଷଣ ବର୍ଷା ହୋଇଥାଏ। ସଂପ୍ରତି ଆଫ୍ରିକାର ଏହି ‘ଝଡ଼ କ୍ଷେତ୍ର’ ତା’ର ସ୍ଥାନ ପରିବର୍ତ୍ତନ କରି ଉତ୍ତର ଦିଗାଭିମୁଖୀ ହୋଇଛି, ଯେଉଁ କାରଣରୁ ନାଇଜର, ଚାଦ, ସୁଦାନ, ଲିବିୟା ଭଳି ଚିର ତପ୍ତ ଓ ଶୁଷ୍କ ସାହାରୀୟ ଦେଶଗୁଡ଼ିକ ଏଭଳି ଅଭୂତପୂର୍ବ ଓ ଅଶ୍ରୁତପୂର୍ବ ବନ୍ୟା ପ୍ଳାବନ ଦେଖିଛନ୍ତି ଯେ ତଦ୍ଦ୍ବାରା ସେହି ଦେଶଗୁଡ଼ିକର ଭୂମିର ଆର୍ଦ୍ରତା ଛଅ ଗୁଣ ବୃଦ୍ଧି ପାଇଛି ଏବଂ ଅଙ୍କୁରଣ ଲାଗି ବ୍ୟଗ୍ର ବୀଜ ଦ୍ରୁତ ଗତିରେ ସବୁଜ ଆସ୍ତରଣ ସୃଷ୍ଟି କରିବାରେ ଲାଗିଛନ୍ତି; ଆଲଜେରିଆ, ଟ୍ୟୁନିସିଆ, ଲିବିୟା ଓ ସୁଦାନ ଅନ୍ତର୍ଗତ ସାହାରା ବକ୍ଷରେ ଗୁଳ୍ମ ଓ ଛୋଟ ବୃକ୍ଷର ଜଙ୍ଗଲ ଓ ତୃଣାଞ୍ଚଳମାନ ଦେଖିବାକୁ ମିଳିଲାଣି। ତେବେ, କେବଳ ଆଫ୍ରିକାରେ ନୁହେଁ, ଏଭଳି ସୁଖଦ ପରିବର୍ତ୍ତନ ମଧ୍ୟ-ପ୍ରାଚ୍ୟ ମରୁଭୂମିରେ ମଧ୍ୟ ସଂଘଟିତ ହେଲାଣି, ଯହିଁରେ ସାଉଦି ଆରବର ମକ୍କା ଓ ମଦିନା ପାର୍ଶ୍ବବର୍ତ୍ତୀ ମରୁ ଅଞ୍ଚଳରେ ସବୁଜିମା ସୃଷ୍ଟି ହେଲାଣି। କିନ୍ତୁ ଏଭଳି ସ୍ଥିତିରେ ଯାହା ଉଦ୍‌ବେଗଜନକ, ତାହା ହେଲା ‘ଷ୍ଟର୍ମ ଜୋନ୍‌’ର ସ୍ଥାନ ପରିବର୍ତ୍ତନ ହେତୁ ପୂର୍ବରୁ ପ୍ରଚୁର ଓ ନିୟମିତ ବୃଷ୍ଟି ଲାଭ କରୁଥିବା କେତେକ ଆଫ୍ରିକୀୟ ଦେଶ ଅନାବୃଷ୍ଟିର ଶରବ୍ୟ ହେଲେଣି, ଯେମିତି କି ନାଇଜେରିଆ ଓ କାମେରୁନ ଇତ୍ୟାଦି। ସୁତରାଂ, ବିଶ୍ବ ଉତ୍ତପ୍ତୀକରଣ ହେତୁ ଘଟିବାକୁ ଯାଉଥିବା ଅସଂଗତିଟି ହେଲା ଗୋଟିଏ ପାର୍ଶ୍ବରେ ସବୁଜ ପ୍ରବୋଧନାର ସମ୍ଭାବନା ଦିଶୁଥିବା ବେଳେ ଅନ୍ୟ ପାର୍ଶ୍ବରେ ଧୂସର ପ୍ରଦାହ ବାସ୍ତବାୟିତ ହେଲାଣି ଏବଂ ପରିବେଶ ବିଜ୍ଞାନୀମାନେ କହିଥାଆନ୍ତି ଯେ ସାହାରା ସବୁଜ ହେବାର ବେଗ ତୁଳନାରେ ନୂତନ ସାହାରା ସୃଷ୍ଟିର ବେଗ ଅଧିକ ହୋଇପାରେ; ପ୍ରବୋଧନାର ଶୀତଳତା ତୁଳନାରେ ପ୍ରଦାହର ଜ୍ବାଳା ଅଧିକ ତୀବ୍ର ହୋଇପାରେ! ଏହା ହିଁ ବିଡ଼ମ୍ବନା!
ଏଭଳି ସ୍ଥଳେ ବାୟୁମଣ୍ଡଳ ମଧ୍ୟକୁ କ୍ଷତିକାରକ ‘ସବୁଜ ବାଷ୍ପ’ ନିର୍ଗମନରେ ହ୍ରାସ ଘଟାଇବାର ଆବଶ୍ୟକତା ଗୁରୁତ୍ବ ପାଇଥାଏ। କାରଣ, ତାହା ନ ହେଲେ ବିଶ୍ବ ଉତ୍ତପ୍ତୀକରଣକୁ ନିୟନ୍ତ୍ରଣରେ ରଖିବା ସମ୍ଭବ ହେବ ନାହିଁ; ଏକ ସନ୍ତୁଳିତ ପାଣିପାଗ ବଦଳରେ ପୃଥିବୀର ବିଭିନ୍ନ ପ୍ରାନ୍ତ ଅତିବୃଷ୍ଟି ଓ ଅନାବୃଷ୍ଟିର ଦୁଇ ଚରମ ବିନ୍ଦୁ ମଧ୍ୟରେ ଦୋଳାୟମାନ ହୋଇ ଚାଲିବେ; ନିର୍ଜନ ଶୁଷ୍କ ସାହାରା ସହସା ବାଇବଲ ବର୍ଣ୍ଣିତ ପ୍ରଳୟଙ୍କରୀ ବନ୍ୟା ଦ୍ବାରା ପ୍ଳାବିତ ହୋଇ ଉଠିବ! କିନ୍ତୁ ପ୍ରଶ୍ନ ହେଲା ବିଜ୍ଞାନରେ ନିର୍ବାଣ ଖୋଜୁଥିବା ମାନବ ଜାତି ପକ୍ଷରେ ଏକ ପ୍ରକୃତି ଅନୁକୂଳ ଜୀବନ ଜିଇପାରିବା କ’ଣ ସହଜସାଧ୍ୟ? ଏ ସଂଦର୍ଭରେ ଚୀନର ଦୁଇ ସମସାମୟିକ ବିଶ୍ବବିଶ୍ରୁତ ପ୍ରାଚୀନ ଦାର୍ଶନିକ (ପଞ୍ଚମ ଶତାବ୍ଦୀ) ସ୍ମରଣକୁ ଆସନ୍ତି; ଲାଓତ୍‌ ସେ ଓ କନ୍‌ଫୁସିଅସ୍‌। ପ୍ରକାଶ ଥାଉ କି ଲାଓତ୍‌ ସେଙ୍କ ଦର୍ଶନ ଥିଲା ପ୍ରକୃତି ଅନୁକୂଳ ଜୀବନର ପୃଷ୍ଠପୋଷକ ଯହିଁରେ ମନୁଷ୍ୟକୁ ପ୍ରକୃତିର ଏକ ଅଂଶ ମାତ୍ର ବୋଲି ବିବେଚନା କରାଯାଏ; ଅଥଚ କନ୍‌ଫୁସିଅସ୍‌ଙ୍କ ଚିନ୍ତନ ମାନବ-କୈନ୍ଦ୍ରିକ ଓ ମାନବ ସାମର୍ଥ୍ୟର ଜୟ ଗାନ କରିଥାଏ। ଉଭୟଙ୍କ ମତବାଦକୁ ଏକ ସରଳ ଉଦାହରଣ ମାଧ୍ୟମରେ ବୁଝି ହେବ: ଲାଓତ୍‌ ସେଙ୍କ ମତରେ ପ୍ରକୃତି ଅନୁକୂଳ ଜୀବନ ମନୁଷ୍ୟର ଶରୀରକୁ ଏଭଳି ଗଢ଼ି ତୋଳିବ, ଯାହା ଫଳରେ ତାହାର ରୋଗ ପ୍ରତିରୋଧକ ଶକ୍ତି କୌଣସି ବ୍ୟାଧି ଲାଗି ଦୁର୍ଭେଦ୍ୟ ହେବ ଏବଂ ଦୈବାତ୍‌ ରୋଗ ହେଲେ ମନୁଷ୍ୟର ଜୀବନଶୈଳୀ ହିଁ ତା’ର ପ୍ରାକୃତିକ ରୋଗ ନିରୋଧକ ଶକ୍ତିରେ ବୃଦ୍ଧି ଘଟାଇ ଶରୀରକୁ ସୁସ୍ଥ କରିବ; ଯେଉଁ ମାର୍ଗରେ ନିବିଡ଼ ଜଙ୍ଗଲର ଅଭ୍ୟନ୍ତରରେ ବାସ କରୁଥିବା କେତେକ ଦୁର୍ଲଭ ଜନଜାତିର ଲୋକେ ଆଜି ବି ଚାଲିଛନ୍ତି। କିନ୍ତୁ, ଏଭଳି ସ୍ଥଳେ କନ୍‌ଫୁସିଅସ୍‌ କହନ୍ତେ ତୁରନ୍ତ ରୋଗର ବିଲୋପ ସାଧନ କର ଏବଂ ସେଥି ଲାଗି ଔଷଧ ସେବନ କର। ସଂକ୍ଷେପରେ କହିଲେ, କନ୍‌ଫୁସିଅସ୍‌ ଚାହାନ୍ତି ପ୍ରକୃତି ଉପରେ ବିଜୟ ହାସଲ ଏବଂ ସେହି ଆଦର୍ଶ ହେଉଛି ପାଶ୍ଚାତ୍ୟ ବିଜ୍ଞାନର ମୂଳ ଭିତ୍ତି। ସୁତରାଂ, ପ୍ରକୃତିର ରହସ୍ୟ ଉନ୍ମୋଚନ କରିବାର ଉତ୍ସାହକୁ ଅତିକ୍ରମ କରି ପ୍ରକୃତିକୁ ଅବଦମିତ କରି ରଖିବାର ଆଗ୍ରହ ବିଜ୍ଞାନର ଏକ ଧ୍ୟେୟ ଓ ଧର୍ମରେ ପରିଣତ ହୋଇଛି। ସେଥି ଲାଗି ତ ଶିଳ୍ପ ବିପ୍ଳବ ଏକ କାଳ ବିଭାଜିକା ରୂପେ ଦଣ୍ଡାୟମାନ, ଯାହା ପୂର୍ବବର୍ତ୍ତୀ ପୃଥିବୀର ହାରାହାରି ତାପମାତ୍ରା ବର୍ତ୍ତମାନର ହାରାହାରି ଠାରୁ ୧.୩ ଡିଗ୍ରି ସେଲସିଅସ୍‌ କମ୍‌ ଥିଲା। ଯଦିଓ ଏବେ ହୃଦ୍‌ବୋଧ ହୋଇ ସାରିଲାଣି ଯେ ପ୍ରକୃତିିର ବ୍ୟବସ୍ଥାରେ ବ୍ୟାଘାତ ଘଟାଇବାର ଅର୍ଥ ଏଭଳି ବିଭୀଷିକାକୁ ଆମନ୍ତ୍ରଣ କରିବା ଯାହା ମନୁଷ୍ୟକୁ ଅତ୍ୟନ୍ତ ଅସହାୟ କରି ପକାଇବ, ତଥାପି ବିଜ୍ଞାନକୁ ନିଜ ଶୋଣିତ କଣିକାରେ ପ୍ରବାହିତ କରି ସାରିଥିବା ମନୁଷ୍ୟ ତା’ର ଆଭିମୁଖ୍ୟରେ ପରିବର୍ତ୍ତନ ଘଟାଇ ପାରୁନାହିଁ! ଏଭଳି ସ୍ଥଳେ ସବୁଜ ସାହାରା ଏକ ପ୍ରବୋଧନା ଭଳି ପ୍ରତୀତ ହେଉଥିଲେ ହେଁ ତା’ ପ୍ରତିବଦଳରେ ପ୍ରକୃତିର ପ୍ରତିଶୋଧ ଆମ ଠାରୁ ଯେଉଁ ମୂଲ୍ୟ ଅସୁଲ କରିବ, ତାହା ହୁଏତ ଆମକୁ ନିଃସ୍ବ କରିଦେଇପାରେ!