ସପ୍ତମ ଦଶକରେ ଯୁକ୍ତରାଷ୍ଟ୍ର ଆମେରିକାରେ ଧରାପଡ଼ିଥିବା ପୃଥିବୀର ଜଘନ୍ୟତମ ‘ସିରିଏଲ୍‌ କିଲର’ଙ୍କ ମଧ୍ୟରେ ଅନ୍ୟତମ ଟେଡ୍‌ ବନ୍‌ଡି ଫାଶୀ ପାଇବା ପୂର୍ବରୁ ଅନ୍ତିମ ସାକ୍ଷାତକାରରେ ତା’ର ଏଭଳି ବିକୃତି ଲାଗି ବାଲ୍ୟ କାଳରୁ ସେ ଆସକ୍ତ ହୋଇ ପଡ଼ିଥିବା ହିଂସାତ୍ମକ ଏବଂ ଅଶ୍ଳୀଳ ଚଳଚ୍ଚତ୍ରଗୁଡ଼ିକୁ ଦାୟୀ କରିଥିଲା। ପ୍ରକାଶ ଥାଉ କି ଟେଡ୍‌ ବନ୍‌ଡି ୩୦ ସରିକି ଯୁବତୀଙ୍କୁ ଧର୍ଷଣ ଓ ହତ୍ୟା କରିଥିବା ବିଷୟ ସ୍ବୀକାର କରିଥିଲେ ସୁଦ୍ଧା ଏହି ସଂଖ୍ୟା ଯେ ଅନେକ ଅଧିକ, ସେ ନେଇ ଆମେରିକୀୟ ପୁଲିସ ନିଶ୍ଚିତ ଥିଲେ। ସୁତରାଂ, ଚଳଚ୍ଚିତ୍ରମାନ ମଧ୍ୟ ଦର୍ଶକମାନଙ୍କ ଠାରେ ବନ୍‌ଡି ସୁଲଭ ଜାନ୍ତବ ବିକୃତି ଘଟାଇ ପାରନ୍ତି। ତେଣୁ ବାଙ୍ଗା ଏବଂ ‌ତାଙ୍କ ସମଧର୍ମାମାନେ ମଧ୍ୟ ସତର୍କତା ଅବଲମ୍ବନ କରିବା ଉଚିତ। ମୃତ୍ୟୁ ବେଳକୁ ଟେଡ୍‌ ବନ୍‌ଡିର ବୟସ ହୋଇଥିଲା ମାତ୍ର ୪୧ ବର୍ଷ, କିନ୍ତୁ ସେତେବେଳକୁ ସେ ସମାଜ ଲାଗି ଏକ ବିପର୍ଯ୍ୟୟରେ ପରିଣତ ହୋଇ ସାରିଥିଲା।

Advertisment

ଗତ ସପ୍ତାହରେ ରାଜ୍ୟସଭାର ପ୍ରଶ୍ନୋତ୍ତର କାଳରେ ମହିଳା ସାଂସଦ ରଞ୍ଜିତ ରଞ୍ଜନ ଯେଉଁ ଘଟଣାକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ, ତାହା ଥିଲା ନିକଟରେ ମୁକ୍ତିଲାଭ କରି ଏକ ବିଶାଳ ହିଟ୍‌ରେ ପରିଣତ ହୋଇ ସାରିଥିବା ବଲିଉଡ୍‌ ସିନେମା ‘ଆନିମଲ’କୁ କେନ୍ଦ୍ର କରି; ଯହିଁରେ, ତାଙ୍କ ଅଭିଯୋଗ ଅନୁସାରେ, ନାୟକ ମାଧ୍ୟମରେ ଅକଥନୀୟ ହିଂସା ଏବଂ ନାରୀ-ବିଦ୍ବେଷର ଉଲଙ୍ଗ ପ୍ରଦର୍ଶନ କରାଯିବା ସହିତ ତା’ର ପରାକାଷ୍ଠା ପ୍ରତିପାଦନର ଉଦ୍ୟମ ହୋଇଛି। ତାଙ୍କ ମତରେ ‘କବୀର ସିଂହ’ (୨୦୧୯) ଅଥବା ‘ପୁଷ୍ପା’ (୨୦୨୧) କିମ୍ବା ‘ଆନିମଲ’ ଭଳି ଚଳଚ୍ଚିତ୍ରମାନ ହିଂସା ଏବଂ ନାରୀ-ବିଦ୍ବେଷକୁ ଅହେତୁକ ଔଜ୍ଜ୍ବଲ୍ୟ ପ୍ରଦାନ କରିଥାଆନ୍ତି, ଯାହା ଦର୍ଶକମା‌ନଙ୍କ ମନରେ ଜାନ୍ତବ ବିକୃତିମାନ ଉତ୍ପନ୍ନ କରିବାର ସମ୍ଭାବନା ବହନ କରିଥାଏ। ଅବଶ୍ୟ, ଏଥିରେ ଦ୍ବିରୁକ୍ତିି ନାହିଁ ଯେ ପୃଥିବୀର ସର୍ବାଧିକ ସଂଖ୍ୟକ ଚଳଚ୍ଚିତ୍ର ନିର୍ମାଣକାରୀ ରାଷ୍ଟ୍ର (ବାର୍ଷିକ ହାରାହାରି ପ୍ରାୟ ୨୦୦୦ଟି) ଭାରତରେ ଦର୍ଶକମାନେ ସେମାନଙ୍କ ‘ମ୍ୟାଟିନି ଆଦର୍ଶ’ମାନଙ୍କୁ ନିଘଞ୍ଚ ଅନୁକରଣ ଏବଂ ଅନୁସରଣ କରିଥାଆନ୍ତି; କିନ୍ତୁ ଚଳଚ୍ଚିତ୍ର ନିର୍ମାତାମାନେ ଓଲଟି କହିଥାଆନ୍ତି ଯେ ଏଭଳି ଦୃଶ୍ୟମାନ ବାସ୍ତବ ଜୀବନରେ ନିରନ୍ତର ଘଟି ଚାଲିଥିବା ଦୃଷ୍ଟିରୁ ସିନେମାଗୁଡ଼ିକ ଅଗତ୍ୟା ତାହାକୁ କେବଳ ଦର୍ଶାଇ ଥାଆନ୍ତି, ଅର୍ଥାତ୍‌ ହିଂସା ଓ ନାରୀ-ବିଦ୍ବେଷର ସମସ୍ତ ଉପାଦାନ ସମାଜରେ ଉପଲବ୍‌ଧ, ସେଥି ଲାଗି ଚଳଚ୍ଚିତ୍ର ଏକ ଉତ୍ସ ହୋଇ ନ ପାରେ! ଏଭଳି ସ୍ଥିତିରେ ଏହି ସଂଦର୍ଭକୁ ନେଇ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ତେବେ, ପ୍ରଥମେ ଅତି ସଂକ୍ଷେପରେ ‘ଆନିମଲ୍‌’ର କାହାଣୀ; ଯାହା ଗଢ଼ି ଉଠିଛି ଏକ ଅମିତ ବିତ୍ତଶାଳୀ ପରିବାରକୁ କେନ୍ଦ୍ର କରି ଯହିଁରେ ସର୍ବଦା କାର୍ଯ୍ୟ ବ୍ୟସ୍ତ ଏବଂ ସନ୍ତାନ ପ୍ରତି ଅହେତୁକ ଭାବେ ନିର୍ଦୟ ଓ ରୁକ୍ଷ ପିତାର ଦୁଷ୍ପ୍ରଭାବ କାରଣରୁ ପୁତ୍ର କ୍ରମେ ଏକ ନିର୍ମମ, ହିଂସ୍ର ଏବଂ ଆକ୍ରାମକ ‘ଜାନୁଆର’ରେ ପରିଣତ ହୋଇଛି, ଯାହାର ଅନିୟନ୍ତ୍ରିତ କ୍ରୋଧ, ଆକ୍ରୋଣ, ଏବଂ ନାରୀ ବିଦ୍ବେଷୀ ମନୋଭାବ ଚଳଚ୍ଚିତ୍ରର କାହାଣୀକୁ ରୂପ ଦେଇଛି। ଅବଶ୍ୟ ଏହା ସତ ଯେ ମନସ୍ତାତ୍ତ୍ବିକ ଗବେଷଣାମାନ ଦର୍ଶାଇଥାଏ ଯେ ନିଷ୍ଠୁର ଓ କଠୋର ପ୍ରତିପାଳନର ପରିବେଶ ସନ୍ତାନମାନଙ୍କୁ ଆକ୍ରାମକ ଏବଂ ହିଂସ୍ର କରି ଦେଇପାରେ; କିନ୍ତୁ ସେମାନେ ଚଳଚ୍ଚିତ୍ରର ନାୟକ ତୁଲ୍ୟ ନିରଙ୍କୁଶତା ଲାଭ କରିବା ଏକ ଉଦ୍ଭଟ ପରିକଳ୍ପନା ମାତ୍ର! ବାସ୍ତବ ଜୀବନରେ ‘ଆଇନର ଶାସନ’ ଦୃଢ଼ମୂଳ ଭାବେ ବିଦ୍ୟମାନ ଥିବା ବେଳେ ଚଳଚ୍ଚିତ୍ରୀୟ ବାସ୍ତବତାରେ ନାୟକର ଜୀବନରେ ତାହା ପ୍ରାୟତଃ ଅନୁପସ୍ଥିତ ଥାଏ ବା ଅତ୍ୟନ୍ତ ଦୁର୍ବଳ ସ୍ଥିତିରେ ଥାଏ। ତେଣୁ ବାସ୍ତବ ଜୀବନରେ ‘ଆନିମଲ’ର ନାୟକତୁଲ୍ୟ ଚରିତ୍ରଟିଏ ସୃଷ୍ଟି ହୋଇ ରକ୍ତର ନଦୀ ପ୍ରବାହିତ କରିବାର ଆଶଙ୍କା ଅମୂଳକ। କିନ୍ତୁ ମୂଳ ପ୍ରଶ୍ନଟି ସେଇଠି ନାହିଁ; ମୂଳ କଥା ହେଲା ସମାଜ ଓ ଚଳଚ୍ଚିତ୍ର ମଧ୍ୟରୁ କିଏ କାହା ଦ୍ବାରା ପ୍ରଭାବିତ ହୋଇଥାଏ?
ସ୍ବୀକାର କରିବାରେ ଦ୍ବିଧା ନାହିଁ ଯେ ଆମ ସମାଜରେ ଦୈନନ୍ଦିନ ଜୀବନଚର୍ଯ୍ୟାରେ ସର୍ବତ୍ର ନାରୀ-ବିଦ୍ବେଷୀ ମନୋଭାବ ପରିଦୃଷ୍ଟ ହୋଇଥାଏ; ଏପରିକି ଦୁଷ୍କର୍ମକାରୀ ତଥା ଅସାମାଜିକ ବ୍ୟକ୍ତିବିଶେଷଙ୍କ ଠାରୁ ଆରମ୍ଭ କରି ନାରୀ-ପୁରୁଷ ନିର୍ବିଶେଷରେ ଅନେକ ବିଚାରବନ୍ତଙ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତଙ୍କ ଠାରେ ଊଣାଅଧିକେ ଏହା ପରିଦୃଷ୍ଟ। ଉଦାହରଣ ସ୍ବରୂପ ଲେସଲି ଉଡ୍‌ଵିନ୍‌ଙ୍କ ଦ୍ବାରା ନିର୍ମିତ ପ୍ରଖ୍ୟାତ ବୃତ୍ତଚିତ୍ର ‘ଇଣ୍ଡିଆସ୍‌ ଡଟର୍’ (ଭାରତର କନ୍ୟା)ରେ ନିର୍ଭୟା ଗଣଦୁଷ୍କର୍ମ ପରିପ୍ରେକ୍ଷୀରେ ଜଣେ ଦୁଷ୍କର୍ମକାରୀର ମନୋଭାବର ପ୍ରତିଧ୍ବନି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ପରାମର୍ଶରେ ମଧ୍ୟ ଶୁଣିବାକୁ ମିଳିଥିଲା ଯାହା ବିଳମ୍ବିତ ରାତ୍ରିରେ ଯୁବତୀମାନଙ୍କୁ ପଦାରେ ରହିବାକୁ ବାରଣ କରିଥିଲା; କାରଣ ଏହା ବିଷମ ପରିସ୍ଥିତିକୁ ଆମନ୍ତ୍ରଣ କରିଥାଏ ଏବଂ ସେହି ଦୁଷ୍କର୍ମକାରୀର ଭାଷାରେ ଏଭଳି କରୁଥିବା ମହିଳାମାନେ ଶିକ୍ଷା (ପାନେ) ପାଇବା ଜରୁରୀ। କହିବା ବାହୁଲ୍ୟ ଆମ ସମାଜରେ ଅଧିକାଂଶ ପୁରୁଷ ଏବଂ ନାରୀ ଶୀଲା ଦୀକ୍ଷିତଙ୍କ ପରାମର୍ଶକୁ ସମର୍ଥନ କରିଥାଆନ୍ତି, ଯାହା ପ୍ରକାରାନ୍ତରେ ନାରୀର ସ୍ବାଧୀନତା କ୍ଷୁଣ୍ଣ ହେଉଥିବାର ଏକ ଦୃଷ୍ଟା‌ନ୍ତ।
ଆମ ସମାଜରେ ନାରୀ-ବିଦ୍ବେଷୀ ମନୋଭାବ ବା ଲିଙ୍ଗଗତ ଭେଦଭାବ କିଭଳି ଉଭୟ ପୁରୁଷ ଏବଂ ମହିଳା ନିର୍ବିଶେଷରେ ପ୍ରାୟ ସର୍ବତ୍ର ଏବଂ ସମ ଭାବରେ ପରିଦୃଷ୍ଟ, ତାହାର ପ୍ରମାଣ ମିଳିଥିଲା ୨୦୧୯-୨୦ ମସିହାରେ ହୋଇଥିବା ‘ପିଉ ରିସର୍ଚ ଷ୍ଟଡି’ର ଏକ ସର୍ବେକ୍ଷଣରୁ ଯହିଁରେ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ୬୭% ପୁରୁଷ ଏବା ୬୧% ମହିଳା ଏକମତ ହୋଇଥିଲେ ଯେ ସ୍ତ୍ରୀମାନେ ସର୍ବଦା ସେମାନଙ୍କ ସ୍ବାମୀଙ୍କ କଥା ମାନି ଚଳିବା ଜରୁରୀ ବା ୬୦%ରୁ ଅଧିକ ପୁରୁଷ ଏବଂ ମହିଳା ମତ ପ୍ରଦାନ କରିଥିଲେ ଯେ ନିଯୁକ୍ତି ସୁଯୋଗ ସୀମିତ ଥିଲେ ପୁରୁଷମାନେ ଅଗ୍ରାଧିକାର ପାଇବା ଉଚିତ ବା ଏକମାତ୍ର ସନ୍ତାନ ଲାଭ କରିବାର ବାଧ୍ୟବାଧକତା ସ୍ଥଳେ ତାହା ପୁତ୍ର ହେବା ବାଂଛନୀୟ। କହିବା ବାହୁଲ୍ୟ ଏଭଳି ଉଦାହରଣମାନ ଅସଂଖ୍ୟ, ଯାହା ଆମ ନିତ୍ୟ ନୈମିତ୍ତିକ ଜୀବନ ଠାରୁ ଆରମ୍ଭ କରି ରୁଢ଼ି, ଲୋକକଥା ଓ ଢଗ ଢମାଳି ପର୍ଯ୍ୟନ୍ତ ସର୍ବତ୍ର ବିଦ୍ୟମାନ। ଏଭଳି ସ୍ଥଳେ ‘କକ୍‌ଟେଲ’ ଭଳି ସିନେମାରେ ନାୟକକୁ ଆକର୍ଷିତ କରିବା ଲାଗି ଯଦି ନାୟିକା ତା’ର ସ୍ବାଧୀନଚେତା ମନ, ଆଦର୍ଶ ଓ ବିଶ୍ବାସକୁ ଜଳାଞ୍ଜଳି ଦେଇ, ପୁରୁଷସୁଲଭ ପରିଧାନ ଓ ପରିପାଟୀ ତ୍ୟାଗ କରି ‘ସାଲୱାର କମିଜ’ ପିନ୍ଧି ଆବିର୍ଭୂତ ହୁଏ, ତେବେ ଉଭୟ ମହିଳା ଏବଂ ପୁରୁଷ ଦର୍ଶକଙ୍କ ଦ୍ବାରା ପ୍ରଶଂସାର ପାତ୍ରୀ ହେବାରେ ବିସ୍ମୟର କାରଣ ନାହିଁ। ଏହା କେବଳ ଗୋଟିଏ ଉଦାହରଣ ମାତ୍ର। ଅନୁଧ୍ୟାନ କଲେ ସ୍ପଷ୍ଟ ଦିଶିଯିବ କିଭଳି ସମାଜ ହିଁ ସିନେମାର କାହାଣୀକୁ ପ୍ରଭାବିତ କରିଥାଏ।
କିନ୍ତୁ କଥା ହେଲା, ନାରୀ-ବିଦ୍ବେଷ ବା ଲିଙ୍ଗଗତ ଭେଦଭାବ ପ୍ରାୟତଃ ଏକ ସହନୀୟ ସ୍ତରରେ ହିଁ ଗ୍ରହଣୀୟ ହୋଇ ରହିଛି ଏବଂ ଶଂସିତ ଚଳଚ୍ଚିତ୍ର ‘ଆନିମଲ୍‌’ରେ ଏହି ମନୋଭାବ ଅତ୍ୟନ୍ତ ଉଗ୍ର, ଯାହା ଏକ ‘ବିଷାକ୍ତ ପୌରୁଷ’ ଧାରଣ କରିଥିବା ତଥାକଥିତ ‘ଆଲଫା ମେଲ୍‌’ ବା ‘ପୁରୁଷ ପୁଙ୍ଗବ’ ରୂପେ ନାୟକକୁ ଔଜ୍ଜ୍ବଲ୍ୟ ପ୍ରଦାନ କରିବାର ଚେଷ୍ଟା କରିଛି। ଏଭଳି ‘ବିଷାକ୍ତ ପୌରୁଷ’ ଦ୍ବାରା ନାରୀମାନେ ଚରମ ହେୟଜ୍ଞାନର ଶିକାର ହେବା ଠାରୁ ଆରମ୍ଭ କରି କ୍ରୂର ଶାରୀରିକ ଏବଂ ବାଚନିକ ଆକ୍ରମଣ ପର୍ଯ୍ୟନ୍ତ ଦୁଃସ୍ଥିତିର ଶରବ୍ୟ ହୋଇଥାଆନ୍ତି; ଏବଂ ଏକ ସର୍ବେକ୍ଷଣ ଅନୁସାରେ ଏକ-ତୃତୀୟାଂଶ ଭାରତୀୟ ମହିଳା ଏଭଳି ଆଚରଣ ସହିବାକୁ ବାଧ୍ୟ ହୁଅନ୍ତି। ସୁତରାଂ, ‘ଆନିମଲ୍‌’ ସିନେମାର ନିର୍ମାତା-ନିର୍ଦ୍ଦେଶକ ସନ୍ଦୀପ ରେଡ୍‌ଡୀ ବାଙ୍ଗା କହି ପାରନ୍ତି ଯେ ସମାଜରେ ଉପଲବ୍‌ଧ ଉପାଦାନରୁ ହିଁ ସେ ସିନେମାକୁ ନିର୍ମାଣ କରିଛନ୍ତି; ତେଣୁ ଚଳଚ୍ଚିତ୍ରଟି ଆପାତତଃ ନିର୍ଦ୍ଦୋଷ। ଏକ ସାକ୍ଷାତକାର ଅବସରରେ ବାଙ୍ଗାଙ୍କ ମତ ଥିଲା ଏୟା ଯେ କୌଣସି ଚଳଚ୍ଚିତ୍ର ଦ୍ବାରା ସୃଷ୍ଟ ପ୍ରଭାବରେ ଦର୍ଶକମାନେ ସେମାନଙ୍କ କେଶ ବିନ୍ୟାସ ବା ପୋଷାକ ପରିଚ୍ଛଦର ‘ଷ୍ଟାଇଲ୍‌’କୁ ବଦଳାଇ ପାରନ୍ତି; କିନ୍ତୁ ତଦ୍ଦ୍ବାରା ଜଣେ ଦର୍ଶକ ଅପରାଧୀରେ ପରିଣତ ହେବାର ସମ୍ଭାବନା ଶୂନ୍ୟ ପ୍ରାୟ। ଏହା କ’ଣ ସତ? ସପ୍ତମ ଦଶକରେ ଯୁକ୍ତରାଷ୍ଟ୍ର ଆମେରିକାରେ ଧରାପଡ଼ିଥିବା ପୃଥିବୀର ଜଘନ୍ୟତମ ‘ସିରିଏଲ୍‌ କିଲର’ଙ୍କ ମଧ୍ୟରେ ଅନ୍ୟତମ ଟେଡ୍‌ ବନ୍‌ଡି ଫାଶୀ ପାଇବା ପୂର୍ବରୁ ଅନ୍ତିମ ସାକ୍ଷାତକାରରେ ତା’ର ଏଭଳି ବିକୃତି ଲାଗି ବାଲ୍ୟ କାଳରୁ ସେ ଆସକ୍ତ ହୋଇ ପଡ଼ିଥିବା ହିଂସାତ୍ମକ ଏବଂ ଅଶ୍ଳୀଳ ଚଳଚ୍ଚତ୍ରଗୁଡ଼ିକୁ ଦାୟୀ କରିଥିଲା। ପ୍ରକାଶ ଥାଉ କି ଟେଡ୍‌ ବନ୍‌ଡି ୩୦ ସରିକି ଯୁବତୀଙ୍କୁ ଧର୍ଷଣ ଓ ହତ୍ୟା କରିଥିବା ବିଷୟ ସ୍ବୀକାର କରିଥିଲେ ସୁଦ୍ଧା ଏହି ସଂଖ୍ୟା ଯେ ଅନେକ ଅଧିକ, ସେ ନେଇ ଆମେରିକୀୟ ପୁଲିସ ନିଶ୍ଚିତ ଥିଲେ। ସୁତରାଂ, ଚଳଚ୍ଚିତ୍ରମାନ ମଧ୍ୟ ଦର୍ଶକମାନଙ୍କ ଠାରେ ବନ୍‌ଡି ସୁଲଭ ଜାନ୍ତବ ବିକୃତି ଘଟାଇ ପାରନ୍ତି। ତେଣୁ ବାଙ୍ଗା ଏବଂ ‌ତାଙ୍କ ସମଧର୍ମାମାନେ ମଧ୍ୟ ସତର୍କତା ଅବଲମ୍ବନ କରିବା ଉଚିତ। ମୃତ୍ୟୁ ବେଳକୁ ଟେଡ୍‌ ବନ୍‌ଡିର ବୟସ ହୋଇଥିଲା ମାତ୍ର ୪୧ ବର୍ଷ, କିନ୍ତୁ ସେତେବେଳକୁ ସେ ସମାଜ ଲାଗି ଏକ ବିପର୍ଯ୍ୟୟରେ ପରିଣତ ହୋଇ ସାରିଥିଲା।