ଅଧିକ ଧାନ କୁଟାହେଲେ ଯେମିତି ମିଲ୍ର ବିଜୁଳି ବିଲ୍ରେ ବୃଦ୍ଧି ଘଟିଥାଏ, ବହୁମୁଖୀ ଦାରିଦ୍ର୍ୟରେ ହ୍ରାସ ଘଟିଲେ ସେହିପରି େଶଷରେ ଯେଉଁଥିରେ ବୃଦ୍ଧି ଘଟିବା ନିଶ୍ଚିତ, ତାହା ହେଉଛି ଭାରତୀୟମାନଙ୍କର ହାରାହାରି ଆୟୁଷ। ଯଦି ବିବଦମାନ ସମୟକାଳରେ ଭାରତୀୟମାନଙ୍କର ହାରାହାରି ଅାୟୁଷରେ ବୃଦ୍ଧି ଘଟିଥାଏ, ତେବେ କୁହାଯାଇ ପାରିବ ଯେ ସେଇ ସମୟରେ ବହୁମୁଖୀ ଦାରିଦ୍ର୍ୟରେ ହ୍ରାସ ଘଟିଛି। ଏଥର ହାରାହାରି ଆୟୁଷ ପରିସଂଖ୍ୟାନ ଉପରେ ଦୃଷ୍ଟି ନିକ୍ଷେପ କରାଯାଉ: ୨୦୧୪- ୬୯.୦୭ ବର୍ଷ; ୨୦୨୩- ୭୦.୪୨ ବର୍ଷ। ଅର୍ଥାତ୍ ଏହି ନ’ବର୍ଷରେ ଭାରତୀୟମାନଙ୍କର ହାରାହାରି ଆୟୁଷରେ ୧.୩୫ ବର୍ଷ ଯୋଗ ହୋଇଛି।
ବିଂଶ ଶତାବ୍ଦୀର ପ୍ରଖ୍ୟାତ ହଙ୍ଗେରୀୟ-ଆମେରିକୀୟ ଗଣିତଜ୍ଞ ଜର୍ଜ ପୋଲ୍ୟା ସମସ୍ୟା ସମାଧାନ ପାଇଁ ନୂତନ ଉପାୟମାନ ସମ୍ବଳିତ ତାଙ୍କର ପ୍ରସିଦ୍ଧ ପୁସ୍ତକ ‘ହାଓ ଟୁ ସଲ୍ଭ ଇଟ୍’ (କିପରି ଏହାର ସମାଧାନ କରିବ)ରେ ସୂଚିତ କରିଥିବା ବିଭିନ୍ନ ଉପାୟମାନଙ୍କ ମଧ୍ୟରୁ ଗୋଟିଏ ହେଉଛି- ‘ପ୍ରତିସ୍ଥାପନ’ ବା ‘ସବ୍ଷ୍ଟିଚ୍ୟୁସନ୍’। ଅତି ସଂକ୍ଷେପରେ ପୋଲ୍ୟା ଏହାର ସାରମର୍ମ ଏଇଭଳି ବୁଝାଇ ଦେଇଥିଲେ: ‘‘ତୁମେ ଯଦି ଏକ ସମସ୍ୟା ସମାଧାନ କରିପାରୁ ନାହଁ, ତେବେ ତା’ ଠାରୁ ଏକ ସହଜ ସମସ୍ୟା ଅଛି ଯାହାକୁ ତୁମେ ସମାଧାନ କରିପାରିବ: ତାକୁ ଖୋଜି ବାହାର କର।’’ ଅର୍ଥାତ୍, ଯଦି ଏକ ଜଟିଳ ପ୍ରଶ୍ନର ଉତ୍ତର ମିଳିବା କଷ୍ଟକର ହୋଇଥାଏ, ତା’ ହେଲେ ଏମିତି ଏକ ସରଳ ପ୍ରଶ୍ନର ସନ୍ଧାନ କର ଯେଉଁଥିରୁ ଉକ୍ତ ଜଟିଳ ପ୍ରଶ୍ନ ଚାହୁଁଥିବା ଭଳି ପାଖାପାଖି ଉତ୍ତର ମିଳିଯିବ। ଉଦାହରଣ ସ୍ବରୂପ ଯଦି ଜଣେ ଅସାଧୁ ମିଲ୍ ମାଲିକଙ୍କ ଲିଖିତ ରେକର୍ଡରୁ ସେ ମିଲିଙ୍ଗ୍ କରିଥିବା ମୋଟ ଚାଉଳ ପରିମାଣ ସମ୍ବନ୍ଧରେ ପ୍ରକୃତ ତଥ୍ୟ ମିଳୁନାହିଁ, ତେବେ ତାଙ୍କର ବିଜୁଳି ବିଲ୍ କେତେ ହୋଇଛି ଦେଖିଲେ, ମୂଳ ପ୍ରଶ୍ନର ପ୍ରାୟ ସଠିକ୍ ଉତ୍ତର ମିଳିଯିବ।
‘ନିତି ଆୟୋଗ’ ଭାରତରେ ବହୁମୁଖୀ ଦାରିଦ୍ର୍ୟରେ ଗତ ନ’ବର୍ଷ ମଧ୍ୟରେ ଘଟିଥିବା ହ୍ରାସ ସମ୍ବନ୍ଧରେ କରିଥିବା ଆକଳନକୁ କେନ୍ଦ୍ରକରି ବର୍ତ୍ତମାନ ଯେଉଁ ବିତର୍କ ଦେଖାଦେଇଛି, ମନେ ହେଉଛି ପୋଲ୍ୟାଙ୍କର ଉପରୋକ୍ତ କୌଶଳ ପ୍ରୟୋଗ ଦ୍ବାରା ବୋଧହୁଏ ତାହାର ସମାଧାନ ସମ୍ଭବ ହୋଇପାରନ୍ତା। ‘ମଲ୍ଟିଡାଇମେନ୍ସନାଲ୍ ପଭର୍ଟି ଇନ୍ ଇଣ୍ଡିଆ ସିନ୍ସ ୨୦୦୫-୦୬’ (‘୨୦୦୫-୦୬ ଠାରୁ ଭାରତରେ ବହୁମୁଖୀ ଦାରିଦ୍ର୍ୟ’) ଶୀର୍ଷକ ଏକ ସଦ୍ୟ ପ୍ରକାଶିତ ଆଲୋଚନା ପତ୍ରରେ ‘ନିତି ଆୟୋଗ’ ବିଗତ ଦୁଇ ଦଶନ୍ଧିରେ ଦେଶରେ ଦାରିଦ୍ର୍ୟର ଧାରା ଅନୁଶୀଳନ କରିବା ଅବସରରେ ଏକ ଆକଳନ କରିଛି ଯେ ୨୦୧୩-୧୪ରୁ ୨୦୨୨-୨୩ ନ’ବର୍ଷ ମଧ୍ୟରେ ଦେଶରେ ପ୍ରାୟ ୨୫ କୋଟି ଲୋକ ବହୁମୁଖୀ ଦାରିଦ୍ର୍ୟରୁ ମୁକୁଳି ଆସିଛନ୍ତି।
ଏକମୁଖୀ ଦାରିଦ୍ର୍ୟ ଓ ବହୁମୁଖୀ ଦାରିଦ୍ର୍ୟ ମଧ୍ୟରେ ଫରକ୍ ହେଲା ଏହା ଯେ ପୂର୍ବଟି କେବଳ ଆୟର ଅଭାବ ରୂପେ ବିବେଚିତ ହୋଇ ଆସୁଥିବା ବେଳେ ପରଟି ଅନ୍ୟାନ୍ୟ ବିଭିନ୍ନ ଅଭାବମାନଙ୍କୁ ମଧ୍ୟ ବିଚାରକୁ ନେଇଥାଏ, ଯେଉଁଥିରେ ସ୍ବାସ୍ଥ୍ୟ, ସ୍କୁଲ ଶିକ୍ଷା, ପରିମଳ ସୁବିଧା ଓ ଏପରିକି ବ୍ୟାଙ୍କ୍ ଆକାଉଣ୍ଟ୍ ଆଦି ମଧ୍ୟ ଅନ୍ତର୍ଭୁକ୍ତ ହୋଇଥାନ୍ତି। ଦାରିଦ୍ର୍ୟର ଏଭଳି ୧୨ଟି ମାପକାଠି ମଧ୍ୟରୁ ଯିଏ ଅନ୍ୟୂନ ଚାରିଟିରେ ଧାର୍ଯ୍ୟ ସର୍ବନିମ୍ନ ସ୍ତର ଠାରୁ ମଧ୍ୟ ତଳେ ଥାନ୍ତି, ସେଭଳି ବ୍ୟକ୍ତିଙ୍କୁ ବହୁମୁଖୀ-ଦରିଦ୍ର ରୂପେ ବିବେଚନା କରାଯାଇଥାଏ। ଏହି ମାନଦଣ୍ଡ ପ୍ରୟୋଗ କରି ‘ନିତି ଆୟୋଗ’ ଆକଳନ କରିଛି ଯେ ୨୦୧୩-୧୪ରେ ଦେଶର ଲୋକସଂଖ୍ୟାର ୨୯.୧୭ ଶତାଂଶ ବହୁମୁଖୀ ଦାରିଦ୍ର୍ୟଗ୍ରସ୍ତ ଥିବାବେଳେ ୨୦୨୨-୨୩ରେ ତାହା ହ୍ରାସ ପାଇ ହୋଇଥିଲା ୧୧.୨୮ ଶତାଂଶ; ସଂଖ୍ୟା ଆକାରରେ ଯେଉଁ ହ୍ରାସର ପରିଣାମ ହେଉଛି ୨୪.୮ କୋଟି ବା ୨୫ କୋଟି।
ଏକ ସଂକ୍ଷିପ୍ତ ସମୟକାଳରେ ଦାରିଦ୍ର୍ୟରେ ଏଭଳି ହ୍ରାସ ଏକ ଚମକପ୍ରଦ ଉପଲବ୍ଧି ରୂପେ ଦୃଶ୍ୟମାନ ହୋଇଥାଏ, ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ସନ୍ଦେହୀମାନେ ଏହି ପରିସଂଖ୍ୟାନର ସତ୍ୟତାକୁ ସନ୍ଦେହ କରୁଛନ୍ତି, ଚାଉଳ କଳ ମାଲିକଙ୍କ ଲିପିବଦ୍ଧ ରେକର୍ଡକୁ ସନ୍ଦେହ କଲାଭଳି। ସେମାନେ ପ୍ରଶ୍ନ କରୁଛନ୍ତି, କୋଭିଡ୍ ପାଣ୍ଡେମିକ୍ ଓ ତଜ୍ଜନିତ ଲକ୍ଡାଉନ୍ ଆଦି ସମୟରେ ଦେଶରେ ସମସ୍ତ ପିଲାମାନଙ୍କର ପାଠପଢ଼ା ଭୀଷଣ ଭାବରେ ବ୍ୟାହତ ହୋଇ ନ ଥିଲା କି? ସେ ସମୟରେ ଆଶ୍ରୟ ନିଆଯାଇଥିବା ଅନ୍-ଲାଇନ୍ ଶିକ୍ଷାଦାନ ଆଦୌ ଶ୍ରେଣୀଗୃହ ଶିକ୍ଷାଦାନର ସମକକ୍ଷ ହୋଇପାରି ନ ଥିଲା। ପୁଣି, ଦେଶର ଜନସଂଖ୍ୟାରେ ଦରିଦ୍ରଙ୍କ ଅନୁପାତ ଯଦି ଏଭଳି ହ୍ରାସ ପାଇଛି, ତା’ହେଲେ କେନ୍ଦ୍ର ସରକାର ୮୦ କୋଟି ଲୋକଙ୍କୁ ଆହୁରି ପାଞ୍ଚ ବର୍ଷ ପାଇଁ ମାଗଣା ଚାଉଳ ଯୋଗାଇ ଦେବାକୁ କାହିଁକି ନିଷ୍ପତ୍ତି ନେଇଛନ୍ତି? କେବଳ କେନ୍ଦ୍ର ସରକାର ନୁହନ୍ତି, ଅନେକ ରାଜ୍ୟ ସରକାରମାନେ େସମାନଙ୍କ ରାଜ୍ୟରେ କାହିଁକି ଗ୍ୟାସ୍ ସିଲିଣ୍ଡର୍ ଠାରୁ ଘର ପର୍ଯ୍ୟନ୍ତ ମାଗଣାରେ ଯୋଗାଇ ଦେବାକୁ ଆଗେଇ ଆସିଛନ୍ତି? ଅଳ୍ପ ଦିନ ତଳେ ପ୍ରକାଶିତ ବିଶ୍ବ କ୍ଷୁଧା ଓ ପୁଷ୍ଟି ତାଲିକାରେ ଭାରତର ମାନ୍ୟତାେର କାହିଁକି ସ୍ଖଳନ ଘଟିବା ଦେଖାଯାଇଛି?
ଏହାର ଉତ୍ତରରେ କୁହାଯାଇଥାଏ ଯେ ଏଭଳି ସମାଲୋଚନା ହେଉଛି ଏକ ଦୁଇ-ଧାର ଛୁରୀ ଭଳି। ଉଦାହରଣ ସ୍ବରୂପ ମାଗଣା ଚାଉଳ, ଗହମ, ଗ୍ୟାସ୍ ସିଲିଣ୍ଡର୍ ଆଦିକୁ ଦାରିଦ୍ର୍ୟର ଚିହ୍ନ ରୂପେ ପ୍ରଦର୍ଶିତ କରାଯାଇପାରେ; ପୁଣି ସେଗୁଡ଼ିକୁ ମଧ୍ୟ ଦାରିଦ୍ର୍ୟ ହ୍ରାସ କରିବାର ସାଧନ ରୂପେ ବିଚାର କରାଯାଇପାରେ। ଆୟର ଅଭାବରୁ ଜଣେ ବ୍ୟକ୍ତି ବା ଏକ ପରିବାର ଯଦି ଖାଦ୍ୟଶସ୍ୟ ବା ଇନ୍ଧନ କ୍ରୟ କରିବାକୁ ସକ୍ଷମ ନ ହୁଅନ୍ତି ଆମେ ତାଙ୍କୁ ବା ସେ ପରିବାରକୁ ଦରିଦ୍ର ରୂପେ ଚିହ୍ନିତ କରିଥାଉ। ଅପରପକ୍ଷେ ଏହି ସାମଗ୍ରୀମାନ ସେମାନେ ଯଦି ରାଷ୍ଟ୍ର ଠାରୁ ମାଗଣାରେ ପାଆନ୍ତି, ତାହା ତେବେ ସେମାନଙ୍କର ଆୟରେ ବୃଦ୍ଧି ରୂପେ ବିବେଚିତ ହେବା ଉଚିତ ହେବ। ଅତଏବ ମାଗଣା ବଣ୍ଟନ ସଂପୃକ୍ତ ହିତାଧିକାରୀମାନଙ୍କୁ ଦାରିଦ୍ର୍ୟରୁ ମୁକ୍ତି ପ୍ରଦାନ କରିଥାଏ ବୋଲି ଯୁକ୍ତି କରାଯାଉଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୦୫ରୁ ୨୦୨୧ ମଧ୍ୟରେ କରାଯାଇଥିବା ‘ନେସନାଲ୍ ଫାମିଲି ହେଲ୍ଥ ସର୍ଭେ’ର ତୃତୀୟ, ଚତୁର୍ଥ ଓ ପଞ୍ଚମ ରାଉଣ୍ଡ୍ରୁ ଉପଲବ୍ଧ ତଥ୍ୟକୁ ଆଧାର କରି ‘ନିତି ଆେୟାଗ’ ୨୦୧୩-୧୪ ଓ ୨୦୨୨-୨୩ ବର୍ଷମାନଙ୍କ ପାଇଁ ଉପରୋକ୍ତ ବହୁମୁଖୀ ଦାରିଦ୍ର୍ୟ ଅନୁପାତ ଓ ସଂଖ୍ୟା ହିସାବ କରିଛି। ଦାରିଦ୍ର୍ୟର ଏଭଳି ପରୋକ୍ଷ ହିସାବ ବିବଦମାନ ହେବା ନିଶ୍ଚିତ। ମନେରଖିବା କଥା ଭାରତ ହେଉଛି ପୃଥିବୀର ସର୍ବାଧିକ ଜନବହୁଳ ଦେଶ ଏବଂ ଭୂଗୋଳ ଦୃଷ୍ଟିରୁ ଏକ ବିଶାଳ ଉପମହାଦେଶ ମଧ୍ୟ। ଏଠାରେ ଅର୍ଥନୀତିର ଏକ ବିଶାଳ ଅଂଶ ହେଉଛି ଅସଂଗଠିତ ଏବଂ ଅଗଣିତ ସଂଖ୍ୟକ ଲୋକ ହେଉଛନ୍ତି ଆତ୍ମନିଯୁକ୍ତ। ଏଠାରେ ପରିବାରମାନଙ୍କ ଦ୍ବାରା ବହୁମୁଖୀ ଦାରିଦ୍ର୍ୟକୁ ପ୍ରଭାବିତ କରୁଥିବା ଦ୍ରବ୍ୟ ଓ ସେବାମାନଙ୍କ ଉପରେ କରାଯାଉଥିବା ଖର୍ଚ୍ଚ ବା ଏ ସବୁ ଦ୍ରବ୍ୟ ଓ ସେବାର ଉପଭୋଗ ସମ୍ବନ୍ଧରେ ସନ୍ତୋଷଜନକ ତଥ୍ୟମାନ ଉପଲବ୍ଧ ହୋଇ ନ ଥାଏ। ଏହି କାରଣରୁ ଭାରତରେ ଦାରିଦ୍ର୍ୟ ସମ୍ବନ୍ଧରେ ବିଭିନ୍ନ ସର୍ବେକ୍ଷଣମାନଙ୍କର ଫଳାଫଳରେ ସର୍ବଦା ତାଳମେଳର ଅଭାବ ପରିଲକ୍ଷିତ ହୋଇ ଆସିଛି। ଏପରିକି ଦୁଇ ପ୍ରମୁଖ ଅାନ୍ତର୍ଜାତିକ ଅର୍ଥନୈତିକ ସଂଗଠନ, ବିଶ୍ବ ବ୍ୟାଙ୍କ୍ ଓ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ଦ୍ବାରା କରାଯାଇଥିବା ଦାରିଦ୍ର୍ୟ ଆକଳନରେ ରହିଥିବା ତଫାତ୍ର ଆକାର ଏକ ଅବିଶ୍ବସନୀୟ ୧୦ ଶତାଂଶ ହୋଇଥିବା ଦେଖା ଯାଇଥାଏ। ଅତଏବ ‘ନିତି ଆୟୋଗ’ ବର୍ତ୍ତମାନ କରିଥିବା ଆକଳନର ଫଳାଫଳ ତଥା ପଦ୍ଧତି ପ୍ରତି ସମାଲୋଚକମାନେ ସନ୍ଦେହ ପ୍ରକାଶ କରିବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।
ଏହି ପରିପ୍ରେକ୍ଷୀରେ ଏ ସମସ୍ତ ଅଡୁଆକୁ ଅତିକ୍ରମ କରି ଯେଉଁ ଏକ ଉପାୟ ଏକ ଗ୍ରହଣୀୟ ଉତ୍ତର ବାହାର କରିବାର ସମ୍ଭାବନା ବହନ କରିଥାଏ, ତାହା ହେଉଛି ଜର୍ଜ ପୋଲ୍ୟାଙ୍କ କୌଶଳ। ଅଧିକ ଧାନ କୁଟାହେଲେ ଯେମିତି ମିଲ୍ର ବିଜୁଳି ବିଲ୍ରେ ବୃଦ୍ଧି ଘଟିଥାଏ, ବହୁମୁଖୀ ଦାରିଦ୍ର୍ୟରେ ହ୍ରାସ ଘଟିଲେ ସେହିପରି େଶଷରେ ଯେଉଁଥିରେ ବୃଦ୍ଧି ଘଟିବା ନିଶ୍ଚିତ, ତାହା ହେଉଛି ଭାରତୀୟମାନଙ୍କର ହାରାହାରି ଆୟୁଷ। ଯଦି ବିବଦମାନ ସମୟକାଳରେ ଭାରତୀୟମାନଙ୍କର ହାରାହାରି ଅାୟୁଷରେ ବୃଦ୍ଧି ଘଟିଥାଏ, ତେବେ କୁହାଯାଇ ପାରିବ ଯେ ସେଇ ସମୟରେ ବହୁମୁଖୀ ଦାରିଦ୍ର୍ୟରେ ହ୍ରାସ ଘଟିଛି। ଏଥର ହାରାହାରି ଆୟୁଷ ପରିସଂଖ୍ୟାନ ଉପରେ ଦୃଷ୍ଟି ନିକ୍ଷେପ କରାଯାଉ: ୨୦୧୪- ୬୯.୦୭ ବର୍ଷ; ୨୦୨୩- ୭୦.୪୨ ବର୍ଷ। ଅର୍ଥାତ୍ ଏହି ନ’ବର୍ଷରେ ଭାରତୀୟମାନଙ୍କର ହାରାହାରି ଆୟୁଷରେ ୧.୩୫ ବର୍ଷ ଯୋଗ ହୋଇଛି। ବହୁମୁଖୀ ଦାରିଦ୍ର୍ୟ ହ୍ରାସକୁ କେନ୍ଦ୍ର କରି ବିତର୍କକୁ ଚାଲିବାକୁ ଦେଇ ତା’ ସହିତ ପୋଲ୍ୟାଙ୍କୁ ଅନୁସରଣ କରି ଏହି ଉପଲବ୍ଧିକୁ ମଧ୍ୟ ସ୍ବାଗତ କରାଯାଇପାରେ।