ଅତଏବ ଭାରତ ଯେତେବେଳେ ବିଶ୍ବ ପରିବେଶକୁ ରକ୍ଷା କରିବା ଉଦ୍ଦେଶ୍ୟରେ ଶୂନ୍ୟ-ଅଙ୍ଗାର ନିର୍ଗମନ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହୋଇଚାଲିବ, ଏହାର ଏକ ସଂପୂର୍ଣ୍ଣ ଅଭାବିତ ଓ ଅବାଞ୍ଛିତ ପରିଣାମସ୍ବରୂପ ଦେଖାଯିବ ଯେ ଏଥିଯୋଗୁଁ ଦେଶର ଦରିଦ୍ର ରାଜ୍ୟମାନେ ଅଧିକ ଦରିଦ୍ର ‌େହଉଛନ୍ତି ଓ ଧନୀ ରାଜ୍ୟମାନେ ଅଧିକ ଧନୀ ହେଉଛନ୍ତି। ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାରଙ୍କର ସର୍ବନିମ୍ନ ଦାୟିତ୍ବ ହେବ ଏକ ମହତ୍ତର ଲକ୍ଷ୍ୟ ହାସଲ ବେଦୀରେ ବଳି ପଡ଼ିବାକୁ ଯାଉଥିବା ଉପରୋକ୍ତ ରାଜ୍ୟମାନଙ୍କୁ ସୁରକ୍ଷା ପ୍ରଦାନ ନିମିତ୍ତ ସମସ୍ତ ପ୍ରକାର ଆବଶ୍ୟକ ପଦ‌େକ୍ଷପ ଗ୍ରହଣ କରିବା, ଯେଉଁଥିରେ ଅନ୍ତର୍ଭୁକ୍ତ ହେବା ଉଚିତ ସେଇ ପ୍ରଭାବିତ ରାଜ୍ୟମାନଙ୍କରେ ବିକଳ୍ପ ଶିଳ୍ପାୟନ ପାଇଁ ପ୍ରୋତ୍ସାହନ ପ୍ରଦାନ ଠାରୁ ଆରମ୍ଭ କରି ରାଜସ୍ବହାନି ଭରଣା ପାଇଁ ସମ୍ବଳ ହସ୍ତାନ୍ତର ପର୍ଯ୍ୟନ୍ତ।

Advertisment

ମଙ୍ଗଳବାର ଦିନ ଗୋଆ ଠାରେ ‘ଭାରତ ଶକ୍ତି ସପ୍ତାହ ୨୦୨୪’ର ଉଦ୍‌ଘାଟନୀ ଅଭିଭାଷଣ ପ୍ରଦାନ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪-୨୫ ବିତ୍ତ ବର୍ଷରେ ଦେଶରେ ଶକ୍ତି କ୍ଷେତ୍ରରେ ବିପୁଳ ପୁଞ୍ଜି ନିବେଶ ଘଟିବାକୁ ଯାଉଥିବା ସମ୍ବନ୍ଧରେ ସୂଚନା ପ୍ରଦାନ କରିଛନ୍ତି। ଏହା ଅନୁସାରେ ଫେବ୍ରୁଆରି ପହିଲା ଦିନ ବିତ୍ତ ମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପିତ କରିଥିବା ଅନ୍ତରୀଣ ବଜେଟ୍‌ରେ ୨୦୨୪-୨୫ ବିତ୍ତ ବର୍ଷରେ ଯେଉଁ ୧୧ ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ବ୍ୟୟ ବ୍ୟବସ୍ଥା କରିଛନ୍ତି, ତାହାର ଏକ ବିଶେଷ ଅଂଶ ଶକ୍ତି କ୍ଷେତ୍ର ଓ ବିଶେଷ କରି ଅକ୍ଷୟ ଶକ୍ତି କ୍ଷେତ୍ରରେ ନିବେଶ କରାଯିବ ବୋଲି ପ୍ରଧାନମନ୍ତ୍ରୀ ସେଠାରେ ଘୋଷଣା କରିଛନ୍ତି। ଭାରତ ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ୍ ଅକ୍ଷୟ ଶକ୍ତି ବା ଅନ୍ୟ ଭାଷାରେ କହିଲେ ପରିବେଶ ଅନୁକୂଳ ସବୁଜ ଶକ୍ତି ଉତ୍ପାଦନ କରିବା ନିମିତ୍ତ ଯେଉଁ ଉଚ୍ଚାକାଙ୍‌କ୍ଷା ପୋଷଣ କରିଛି, ପ୍ରଧାନମନ୍ତ୍ରୀଙ୍କ ଘୋଷଣା ହେଉଛି ତାହା ହାସଲ କରିବା ଦିଗରେ ଏକ ମହତ୍ତ୍ବପୂର୍ଣ୍ଣ ପଦକ୍ଷେପ। ଏହି ଉଚ୍ଚାକାଙ୍‌କ୍ଷାର ଅନ୍ୟ ଏକ ଅଂଶ ହେଉଛି ୨୦୭୦ ସୁଦ୍ଧା ଭାରତ ନେଟ୍-ଶୂନ୍ୟ ଅଙ୍ଗାର ନିର୍ଗମନ ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇଥିବ। ଏହା ଭାରତକୁ ଜଳବାୟୁ ପରିବର୍ତ୍ତନ ବିରୋଧରେ ଆରମ୍ଭ ହୋଇଥିବା ବିଶ୍ବବ୍ୟାପୀ ସଂଗ୍ରାମରେ ଏକ ଅଗ୍ରଣୀ ଯୋଦ୍ଧାରେ ପରିଣତ କରିବ।
ବାସ୍ତବରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଦେଶରେ ଶକ୍ତି ଅବସ୍ଥାନ୍ତର (ଏନର୍ଜି ଟ୍ରାନ୍‌ଜିସନ୍) ଆରମ୍ଭ କରିବାକୁ ଯାଉ ନାହିଁ, ବରଂ ଏହା ଦେଶରେ ଆରମ୍ଭ ହୋଇସାରିଥିବା ଶକ୍ତି ଅବସ୍ଥାନ୍ତର ଧାରାକୁ ଅଧିକ ବେଗରେ ଅାଗେଇ ନେବାରେ ସହାୟକ ହେବ। ଏହାର ଏକ ଉଦାହରଣ ସ୍ବରୂପ ବିଗତ ପାଞ୍ଚ ବର୍ଷରେ ଦେଶରେ ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ପ୍ରାୟ ଦ୍ବିଗୁଣିତ ହୋଇଛି- ୭୨ ଗିଗାୱାଟ୍‌ରୁ ବୃଦ୍ଧି ପାଇ ହୋଇଛି ୧୩୩ ଗିଗାୱାଟ୍। ପୃଥିବୀର ମଙ୍ଗଳ ଦୃଷ୍ଟିରୁ ଭାରତର ଏହି ଉଦ୍ୟମ ଯେ ନିଶ୍ଚିତ ରୂପେ ଅତୀବ ସ୍ବାଗତଯୋଗ୍ୟ, ଏଥିରେ କେହି ଦ୍ବିମତ ହେବାର କୌଣସି ଅବକାଶ ନାହିଁ। କିନ୍ତୁ ଏହି ଶକ୍ତି ଅବସ୍ଥାନ୍ତର ଯାତ୍ରା ଯେ ଦେଶରେ ଅର୍ଥନୈତିକ ବୈଷମ୍ୟକୁ ଆହୁରି ଗୁରୁତର କରିପାରେ, ସେଭଳି ସମ୍ଭାବନାର ସମ୍ମୁଖୀନ ହେବାକୁ ଓ ତା’ର ବିହିତ ପ୍ରତିକାର ନିମିତ୍ତ ପ୍ରସ୍ତୁତ ହେବାର ଆବଶ୍ୟକତାକୁ ଆମର ନୀତି ନିର୍ଦ୍ଧାରକମାନେ ଅସ୍ବୀକାର କରିପାରିବେ ନାହିଁ।
ଭାରତ ହାସଲ କରି ଚାଲିଥିବା ଉଲ୍ଲେଖନୀୟ ଅର୍ଥନୈତିକ ଅଭିବୃଦ୍ଧି ସହିତ ତାଳ ଦେଇ ଦେଶରେ ଶକ୍ତି ବ୍ୟବହାରରେ ମଧ୍ୟ ଉଲ୍ଲେଖନୀୟ ହାରରେ ବୃଦ୍ଧି ଘଟି ଚାଲିବ। ବର୍ତ୍ତମାନ ଦେଶରେ ଯେଉଁ ଶକ୍ତି ବ୍ୟବହୃତ ହେଉଛି, ତାହା ହେଉଛି ମୁଖ୍ୟତଃ ତାପଜ ବିଦ୍ୟୁତ୍ ଶକ୍ତି ଯାହାର ଉତ୍ପାଦନରେ କୋଇଲା ଇନ୍ଧନ ରୂପେ ବ୍ୟବହୃତ ହୋଇଥାଏ। ଯେତେବେଳେ ଭାରତ ଆରମ୍ଭ କରିଥିବା ସବୁଜ ଶକ୍ତି ଅଭିଯାନର ଫଳସ୍ବରୂପ ଅଧିକରୁ ଅଧିକ ଅକ୍ଷୟ ଶକ୍ତି ତାପଜ ଶକ୍ତିର ସ୍ଥାନ ନେବ, ସେତେବେଳେ ପ୍ରଦୂଷଣକାରୀ କୋଇଲା ପରିବର୍ତ୍ତେ ଶକ୍ତି ଉତ୍ପାଦନ ଅଧିକାରୁ ଅଧିକ ପବନ ଓ ସୂର୍ଯ୍ୟକିରଣ ଭଳି ଅକ୍ଷୟ ଓ ପ୍ରଦୂଷଣହୀନ ସମ୍ବଳ ଉପରେ ନିର୍ଭର କରିବାକୁ ଲାଗିବ। ଏହାହିଁ ଉପରୋକ୍ତ ସମସ୍ୟାକୁ ଜନ୍ମ ଦେବ।
ଭାରତର ଭୂଇଁ ତଳେ ବିପୁଳ ପରିମାଣର କୋଇଲା ଗଚ୍ଛିତ ହୋଇ ରହିଛି ସତ, କିନ୍ତୁ ତାହାର ବଣ୍ଟନ ସୁଷମ ନୁହେଁ; ମୁଖ୍ୟତଃ ଓଡ଼ିଶା, ଝାଡ଼ଖଣ୍ଡ, ବିହାର, ଛତିଶଗଡ଼ ଆଦି ଭଳି ପୂର୍ବାଞ୍ଚଳ ଓ କେନ୍ଦ୍ରାଞ୍ଚଳ ରାଜ୍ୟମାନଙ୍କରେ ହିଁ କୃଷ୍ଣହୀରକ ରୂପେ ଆଦୃତ ହୋଇ ଆସିଥିବା ଏହି ଖଣିଜ ପଦାର୍ଥ ମହଜୁଦ ଅଛି। ଏକ ବିଡ଼ମ୍ବନା ସଦୃଶ ଏହି ରାଜ୍ୟମାନ ହେଉଛନ୍ତି ଦେଶର ସର୍ବାଧିକ ଦାରିଦ୍ର୍ୟ ପ୍ରପୀଡ଼ିତ ରାଜ୍ୟ। ଆଗାମୀ ସବୁଜ ଯୁଗରେ ଯେତେବେଳେ କୋଇଲା ସଂପୂର୍ଣ୍ଣ ରୂପେ ଅସ୍ପୃଶ୍ୟ ଓ ଅଲୋଡ଼ା ହୋଇପଡ଼ିବ, ସେତେବେଳେ ଏହି ରାଜ୍ୟମାନେ କୋଇଲାରୁ ସଂଗ୍ରହ କରୁଥିବା ରାଜସ୍ବ ସଂପୂର୍ଣ୍ଣ ରୂପେ ହରାଇ ବସିବେ, ଯାହା ସେମାନଙ୍କ ପାଇଁ ଏକ ସବୁଜ ସଜା ଭୋଗିବା ଭଳି ହେବ। ଏ ସମସ୍ୟାର ସମାଧାନ ସ୍ବରୂପ ଏହି ରାଜ୍ୟମାନେ ଅକ୍ଷୟ ଶକ୍ତି ଉତ୍ପାଦନରେ ପୁଞ୍ଜି ନିବେଶ କରିବା ପାଇଁ ଉପଦେଶ ଦିଆଯାଇପାରେ। କିନ୍ତୁ ତାହା ମଧ୍ୟ ସମସ୍ୟାମୁକ୍ତ ନୁହେଁ। ଯେଉଁ ପ୍ରକୃତି ଏହି ରାଜ୍ୟମାନଙ୍କର ଭୂଇଁ ତଳେ ଏଭଳି ପ୍ରଚୁର ଖଣିଜ ସଂପଦ ଭରି ଦେଇଛି, ସେଇ ପ୍ରକୃତି ବୋଧହୁଏ ସଂପଦ ବଣ୍ଟନରେ ସନ୍ତୁଳନ ରକ୍ଷା କରିବା ପାଇଁ ସେମାନଙ୍କୁ ଅକ୍ଷୟ ଶକ୍ତିର ମୁଖ୍ୟ ଉତ୍ସ ପବନ ଓ ସୂର୍ଯ୍ୟାଲୋକରୁ ବଞ୍ଚିତ କରିଛି। ଭାରତର ଯେଉଁ ଆଠଗୋଟି ରାଜ୍ୟମାନଙ୍କ ପାଇଁ ସର୍ବାଧିକ ପବନ ଓ ସୂର୍ଯ୍ୟାଲୋକ ଉପଲବ୍‌ଧ ହୋଇଥାଏ, ସେଥିମଧ୍ୟରୁ ଛ’ଟି ରାଜ୍ୟ ଦେଶର ସ୍ବଚ୍ଛଳ ଦକ୍ଷିଣ ଓ ପଶ୍ଚିମ ଅଞ୍ଚଳରେ ଅବସ୍ଥିତ।
ପ୍ରକୃତିର ଏହି ବଣ୍ଟନ ବିଡ଼ମ୍ବନାର ଏକ ଉଦାହରଣ ସ୍ବରୂପ ଝାଡ଼ଖଣ୍ଡ ରାଜ୍ୟ ଉପରେ ଦୃଷ୍ଟି ନିକ୍ଷେପ କରାଯାଇପାରେ। ଏହି ରାଜ୍ୟ ହେଉଛି ଦେଶର ସର୍ବାଧିକ କୋଇଲା-ଉତ୍ପାଦନକାରୀ ରାଜ୍ୟ, ଯେଉଁଠି ମାଟି ‌ତଳେ ଦେଶର ମୋଟ କୋଇଲା ଭଣ୍ଡାରର ପାଖାପାଖି ୩୦ ଶତାଂଶ ଗଚ୍ଛିତ ଅଛି। ଏହା ସତ୍ତ୍ବେ ଝାଡ଼ଖଣ୍ଡ ମଧ୍ୟ ହେଉଛି ଦେଶର ଦ୍ବିତୀୟ ଦରିଦ୍ରତମ ରାଜ୍ୟ, ଯାହାର ଲୋକସଂଖ୍ୟାର ପାଖାପାଖି ସେଇ ୩୦ ଶତାଂଶ ଚରମ ଦାରିଦ୍ର୍ୟ ମଧ୍ୟରେ କାଳାତିପାତ କରିଥାନ୍ତି। ଏହି ରାଜ୍ୟର ଅଣ-ଟିକସ ରାଜସ୍ବର ପାଖାପାଖି ୮୦ ଶତାଂଶ ସଂଗୃହୀତ ହୋଇଥାଏ ଖଣି କ୍ଷେତ୍ରରୁ। ଏହି ରାଜ୍ୟର ୨୪ଟି ଜିଲ୍ଲା ମଧ୍ୟରୁ ତିନି-ଚତୁର୍ଥାଂଶ ଅର୍ଥାତ୍ ୧୮ଟି ଜିଲ୍ଲାରେ କୋଇଲା ଖନନ କରାଯାଇଥାଏ କିମ୍ବା କୋଇଲାଭିତ୍ତିକ ଶିଳ୍ପ କାର୍ଯ୍ୟ କରିଥାଏ। ପ୍ରକୃତି ଏପରି ମୁକ୍ତ ହସ୍ତରେ ଏ ରାଜ୍ୟକୁ କୋଇଲା ଦାନ କଲାପରେ ପବନ ଓ ସୂର୍ଯ୍ୟାଲୋକ ବଣ୍ଟନରେ କିପରି କୃପଣତା ପ୍ରଦର୍ଶନ କରିଛି ଦେଖାଯାଉ। ଭାରତର ଆକଳନ କରାଯାଇଥିବା ମୋଟ ୧୦୫୦ ଗିଗାୱାଟ୍‌ର ପବନ ଓ ସୌର ଶକ୍ତି କ୍ଷମତାରେ ଝାଡ଼ଖଣ୍ଡର ଅଂଶ ହେଉଛି ମାତ୍ର ୧୮ ଗିଗାୱାଟ୍ ବା ୧.୭ ଶତାଂଶ। ଅପରପକ୍ଷେ ଚାରିଗୋଟି ଦାକ୍ଷିଣାତ୍ୟ ରାଜ୍ୟ, ଦୁଇଟି ପଶ୍ଚିମାଞ୍ଚଳ ରାଜ୍ୟ ଏବଂ ରାଜସ୍ଥାନ ଓ ମଧ୍ୟପ୍ରଦେଶର ଏଥିରେ ଅଂଶ ହେଉଛି ଦୁଇ-ତୃତୀୟାଂଶ।
ଏହି ଅକ୍ଷୟ ସମ୍ବଳର ଅସନ୍ତୁଳିତ ବଣ୍ଟନ ଢାଞ୍ଚା ସହିତ ମେଳ ଖାଇବା ଭଳି ୨୦୨୦ରେ ଦେଶରେ ସ୍ଥାପିତ ସୌର ଓ ପବନ ଶକ୍ତି ଉତ୍ପାଦନ କ୍ଷମତାର ପ୍ରାୟ ତିନି-ଚତୁର୍ଥାଂଶ ଦାକ୍ଷିଣାତ୍ୟ ଓ ପଶ୍ଚିମାଞ୍ଚଳର ଛ’ଟି ରାଜ୍ୟରେ ସ୍ଥାନୀତ ହୋଇଥିଲା। ଏକ ସଂପୂର୍ଣ୍ଣ ଅସମତୁଲ ଚିତ୍ର ପ୍ରଦାନ କରି ପୂର୍ବାଞ୍ଚଳ, ଉତ୍ତରାଞ୍ଚଳ ଓ (ମଧ୍ୟପ୍ରଦେଶ ବ୍ୟତୀତ) କେନ୍ଦ୍ରାଞ୍ଚଳର ଦଶଟି ରାଜ୍ୟରେ ସ୍ଥାପିତ ମୋଟ ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ଥିଲା ଦେଶରେ ସ୍ଥାପିତ କ୍ଷମତାର ମାତ୍ର ୫ ଶତାଂଶରୁ ମଧ୍ୟ କମ୍। ଦେଶରେ କୋଇଲାଭିତ୍ତିକ ତାପଜ ବିଦ୍ୟୁତ୍ ଶକ୍ତି ଉତ୍ପାଦନର ଅନୁପାତରେ ହ୍ରାସ ଘଟି ଚାଲିଲେ ଅନତି ବିଳମ୍ବେ ଝାଡ଼ଖଣ୍ଡ ଭଳି ରାଜ୍ୟମାନଙ୍କୁ ବାହାର ରାଜ୍ୟରୁ ଅକ୍ଷୟ ବିଦ୍ୟୁତ୍ ଶକ୍ତି ଆମଦାନି କରିବାକୁ ପଡ଼ିବ, ଯେଉଁ କାରଣରୁ ସେ ସବୁ ରାଜ୍ୟମାନଙ୍କରେ ସରକାରୀ ବ୍ୟୟରେ ବୃଦ୍ଧି ଘଟିଚାଲିବ। ଏଣେ କୋଇଲା ସୂତ୍ରରୁ ସଂଗ୍ରହ ହେଉଥିବା ରାଜସ୍ବରେ ହ୍ରାସ ଘଟିବା ଯୋଗୁଁ ଫଳସ୍ବରୂପ ସେ ସବୁ ରାଜ୍ୟର ରାଜକୋଷୀୟ ନିଅଣ୍ଟରେ ଦ୍ରୁତ ବୃଦ୍ଧି ଘଟିଚାଲିବ।
ଅତଏବ ଭାରତ ଯେତେବେଳେ ବିଶ୍ବ ପରିବେଶକୁ ରକ୍ଷା କରିବା ଉଦ୍ଦେଶ୍ୟରେ ଶୂନ୍ୟ-ଅଙ୍ଗାର ନିର୍ଗମନ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହୋଇଚାଲିବ, ଏହାର ଏକ ସଂପୂର୍ଣ୍ଣ ଅଭାବିତ ଓ ଅବାଞ୍ଛିତ ପରିଣାମସ୍ବରୂପ ଦେଖାଯିବ ଯେ ଏଥିଯୋଗୁଁ ଦେଶର ଦରିଦ୍ର ରାଜ୍ୟମାନେ ଅଧିକ ଦରିଦ୍ର ‌େହଉଛନ୍ତି ଓ ଧନୀ ରାଜ୍ୟମାନେ ଅଧିକ ଧନୀ ହେଉଛନ୍ତି। ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାରଙ୍କର ସର୍ବନିମ୍ନ ଦାୟିତ୍ବ ହେବ ଏକ ମହତ୍ତର ଲକ୍ଷ୍ୟ ହାସଲ ବେଦୀରେ ବଳି ପଡ଼ିବାକୁ ଯାଉଥିବା ଉପରୋକ୍ତ ରାଜ୍ୟମାନଙ୍କୁ ସୁରକ୍ଷା ପ୍ରଦାନ ନିମିତ୍ତ ସମସ୍ତ ପ୍ରକାର ଆବଶ୍ୟକ ପଦ‌େକ୍ଷପ ଗ୍ରହଣ କରିବା, ଯେଉଁଥିରେ ଅନ୍ତର୍ଭୁକ୍ତ ହେବା ଉଚିତ ସେଇ ପ୍ରଭାବିତ ରାଜ୍ୟମାନଙ୍କରେ ବିକଳ୍ପ ଶିଳ୍ପାୟନ ପାଇଁ ପ୍ରୋତ୍ସାହନ ପ୍ରଦାନ ଠାରୁ ଆରମ୍ଭ କରି ରାଜସ୍ବହାନି ଭରଣା ପାଇଁ ସମ୍ବଳ ହସ୍ତାନ୍ତର ପର୍ଯ୍ୟନ୍ତ। ଶକ୍ତି ସପ୍ତାହ ପାଳନ ସରକାରଙ୍କୁ ନିଜର ଏହି ଗୁରୁଦାୟିତ୍ବ ସମ୍ବନ୍ଧରେ ସଚେତନ କରିବ ବୋଲି ଆଶା କରାଯାଏ।