ଏଭଳି ପରିସ୍ଥିତି ଯଦି ଅଧିକ କାଳ ଧରି ଲାଗି ରହେ, ତା’ ହେଲେ ଯେଉଁ ଅର୍ଥନୀତି ଦ୍ବାରା ଆକର୍ଷିତ ହୋଇ ଆନ୍ତର୍ଜାତିକ ନିବେଶକମାନେ ଭାରତରେ ପୁଞ୍ଜି ନିବେଶ କରିବା ପାଇଁ ଆଗେଇ ଆସିଥିଲେ, ସେମାନେ ପୁଣି ଅର୍ଥନୀତିର ଦୁରବସ୍ଥା ଦ୍ବାରା ବିମୁଖ ହୋଇ ଭାରତ ଛାଡ଼ି ଅନ୍ୟତ୍ର ପଳାଇ ଯିବାକୁ ନିଷ୍ପତ୍ତି ନେଇ ପାରନ୍ତି। ତେବେ ଏଭଳି ଏକ ଚିତ୍ର ଅନେକ ‘ଯଦି’ ଓ ‘କିନ୍ତୁ’ ଉପରେ ନିର୍ଭର କରିଥାଏ। ଏପରି େହାଇପାରେ ଯେଉଁ ନିବେଶକମାନେ ଭାରତୀୟ ବଜାରରେ ପ୍ରବେଶ ଯୋଗୁଁ ବିଶେଷ ଲାଭବାନ୍ ହୋଇଥାନ୍ତି, ସେମାନେ ପରବର୍ତ୍ତୀ ସମୟରେ ଭାରତ ତ୍ୟାଗ କରି ପଳାଇବା ପରିବର୍ତ୍ତେ ଏଠାକାର ସମ୍ଭାବନାପୂର୍ଣ୍ଣ କ୍ଷେତ୍ରମାନଙ୍କରେ ସେଇ ଲାଭକୁ ପୁନଃନିବେଶ କରି ତାଙ୍କର ସେଇ ଲାଭ ଅର୍ଜନକୁ ଦୀର୍ଘସ୍ଥାୟୀ କରିବାକୁ ଚାହିଁ ପାରନ୍ତି।
ନିକଟରେ ପ୍ରକାଶିତ ସମ୍ବାଦ ଅନୁସାରେ ଭାରତର ସରକାରୀ ବଣ୍ଡ୍ ‘ବ୍ଲୁମ୍ବର୍ଗ ଏମର୍ଜିଙ୍ଗ୍ ମାର୍କେଟ୍ ଲୋକାଲ୍ କରେନ୍ସି ଇଣ୍ଡେକ୍ସ’ରେ ଖୁବ୍ଶୀଘ୍ର ଅନ୍ତର୍ଭୁକ୍ତ ହେବାକୁ ଯାଉଥିବା ଭଳି ମନେ ହେଉଛି। ‘ବ୍ଲୁମ୍ବର୍ଗ ଇଣ୍ଡେକ୍ସ ସର୍ଭିସେସ୍’ ଉପଦେଷ୍ଟା କମିଟି ଏଥିପାଇଁ ଆବଶ୍ୟକ ସୁପାରିସ ପ୍ରଦାନ କରିସାରିଛି ଓ କେବଳ ଏ ସଂପର୍କରେ ଏକ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ବାକି ଅଛି ବୋଲି ସୂଚନା ପ୍ରକାଶ ପାଇଛି। ଗତ ବର୍ଷ ସେପ୍ଟେମ୍ବରରେ ‘ଜେ ପି ମୋର୍ଗାନ୍ ଚେଜ୍’ ତା’ର ବଣ୍ଡ୍ ଇଣ୍ଡେକ୍ସରେ ଭାରତ ସରକାରଙ୍କର ବଣ୍ଡ୍କୁ ଅନ୍ତର୍ଭୁକ୍ତ କରିବା ପରେ ‘ବ୍ଲୁମ୍ବର୍ଗ’ ମଧ୍ୟ ଅନୁରୂପ ପଦକ୍ଷେପ ନେବା ପାଇଁ ଯେଉଁ ବିଚାର ଆଲୋଚନା ଆରମ୍ଭ କରିଦେଇଥିଲା, ବର୍ତ୍ତମାନ ତାହା ବାସ୍ତବତାରେ ପରିଣତ ହେବାକୁ ଯାଉଛି।
ଏହା ଘଟିବା ପରେ ସ୍ବାଭାବିକ ଭାବରେ ଭାରତୀୟ ବଣ୍ଡ୍ରେ ନିବେଶ ହେବାକୁ ଆସୁଥିବା ବୈଦେଶିକ ପୁଞ୍ଜି ସ୍ରୋତରେ ଉେଲ୍ଲଖନୀୟ ବୃଦ୍ଧି ଘଟିବାକୁ ଆରମ୍ଭ କରିବ। ଯେତେବେଳେ ଏକ ଅଗ୍ରଣୀ ଗ୍ଲୋବାଲ୍ ଇଣ୍ଡେକ୍ସରେ କୌଣସି ଏକ ଦେଶର ବଣ୍ଡ୍ ଅନ୍ତର୍ଭୁକ୍ତ ହୁଏ, ସେତେବେଳେ ଯେଉଁ ନିବେଶକମାନେ ସେମାନଙ୍କର ପୁଞ୍ଜିକୁ ଏକାଧିକ ନିରାପଦ ସ୍ଥଳୀରେ ନିବେଶ କରିବାକୁ ଚାହୁଁଥାନ୍ତି, ସେମାନେ ଏହି ନୂତନ ଆଗନ୍ତୁକ ବଣ୍ଡ୍ରେ ପୁଞ୍ଜି ନିବେଶ କରିବାକୁ ଆଗେଇ ଆସିଥାନ୍ତି। ଏହି ଇଣ୍ଡେକ୍ସରେ ଭାରତୀୟ ବଣ୍ଡ୍ ଅନ୍ତର୍ଭୁକ୍ତ ହେବା ପରେ ଯେଉଁ ବିଦେଶୀ ନିବେଶକମାନେ ଏଥିରେ ସେମାନଙ୍କର ପୁଞ୍ଜି ନିବେଶ କରିବାକୁ ଆଗେଇ ଆସିବେ, ସେମାନଙ୍କୁ ନିଜର ଡଲାର୍, ପାଉଣ୍ଡ୍ ଆଦି କଠିନ ବୈଦେଶିକ ମୁଦ୍ରାକୁ ବଦଳାଇ ଭାରତୀୟ ମୁଦ୍ରା ଟଙ୍କାରେ ପରିଣତ କରିବାକୁ ପଡ଼ିବ। ଏଥିଯୋଗୁଁ ମୁଦ୍ରା ବଜାରରେ ଟଙ୍କାର ଚାହିଦାରେ ବୃଦ୍ଧି ଘଟି ଟଙ୍କାର ବିନିମୟ ମୂଲ୍ୟରେ ବୃଦ୍ଧି ଘଟାଇବ। ଅନୁମାନ କରାଯାଉଛି ଯେ ଭାରତରେ ‘ଜେ ପି ମୋର୍ଗାନ୍’ର ଉପରୋକ୍ତ ନିଷ୍ପତ୍ତି ଯୋଗୁଁ ପ୍ରାୟ ୨୦-୨୫ ବିଲିଅନ୍ ଡଲାର୍ ଓ ‘ବ୍ଲୁମ୍ବର୍ଗ’ର ନିଷ୍ପତ୍ତି ଯୋଗୁଁ ଆଉ ୧୦-୧୫ ବିଲିଅନ୍ ଡଲାର୍ ପୁଞ୍ଜି ପ୍ରବେଶ କରିବାକୁ ଯାଉଛି।
ଟଙ୍କାର ବିନିମୟ ମୂଲ୍ୟରେ ଏଭଳି ବୃଦ୍ଧି ଅର୍ଥଶାସ୍ତ୍ର ସହିତ ଅପରିଚିତ ଭାରତୀୟ ନାଗରିକମାନଙ୍କ ମନରେ ହୁଏତ ଏକ ଗର୍ବବୋଧ ସୃଷ୍ଟି କରିପାରେ, କିନ୍ତୁ ଅର୍ଥଶାସ୍ତ୍ରର ଏକ ବିଚିତ୍ର ନିୟମ ସହିତ ଯେଉଁମାନେ ପରିଚିତ, ସେମାନଙ୍କୁ ଏହାର ଏକ କ୍ଷତିକାରକ ପରିଣତିର ସମ୍ଭାବନା ଚିନ୍ତାଗ୍ରସ୍ତ କରିଦେଇ ପାରେ। ଅର୍ଥନୀତିଜ୍ଞମାନେ ଏକ ଦେଶରେ ହଠାତ୍ ଏପରି ଅପର୍ଯ୍ୟାପ୍ତ ପରିମାଣର ବୈଦେଶିକ ମୁଦ୍ରା ପ୍ରବେଶର ସମ୍ଭାବ୍ୟ କୁପରିଣାମକୁ ଏକ ବ୍ୟାଧି ରୂପେ ନାମିତ କରିଛନ୍ତି: ‘ଓଲନ୍ଦାଜ ବ୍ୟାଧି’ ବା ‘ଡଚ୍ ଡିଜିଜ୍’। ୧୯୫୯ରେ ହଲାଣ୍ଡ୍ର ଅର୍ଥନୈତିକ ଅଞ୍ଚଳ ରୂପେ ଚିହ୍ନିତ ‘ନର୍ଥ ସି’ ସମୁଦ୍ର ତଳେ ପ୍ରଚୁର ତୈଳ ଓ ପ୍ରାକୃତିକ ବାଷ୍ପ ଭଣ୍ଡାର ଆବିଷ୍କୃତ ହେବା ପରେ ତାହାର ରପ୍ତାନି ସୂତ୍ରରୁ ହଲାଣ୍ଡ୍ରେ ପ୍ରଚୁର ପରିମାଣରେ ବୈଦେଶିକ ମୁଦ୍ରା ଆୟ ପ୍ରବେଶ କରିବାକୁ ଆରମ୍ଭ କଲା। ସେତେବେଳେ ଆଜିର ଇଉରୋପୀୟ ରାଷ୍ଟ୍ର ସଂଘ ‘ଇୟୁ’ର ଆବିର୍ଭାବ ଘଟି ନ ଥିଲା କିମ୍ବା ତା’ର ହଲାଣ୍ଡ୍ ଭଳି ଆଜିର ସଦସ୍ୟ ଦେଶମାନଙ୍କରେ ‘ଇଉରୋ’ ନାମକ ସାଧାରଣ ଏକକ ମୁଦ୍ରାର ପ୍ରଚଳନ ଆରମ୍ଭ ହୋଇ ନ ଥିଲା। ସେ ସମୟର ହଲାଣ୍ଡ୍ର ମୁଦ୍ରା ଥିଲା ‘ଗିଲ୍ଡର୍’। ଉପରେ ସୂଚାଇ ଦିଆଯାଇଥିବା ଭଳି ସେ ଦେଶରେ ଯେତେବେଳେ ତୈଳ ରପ୍ତାନିରେ ଅହେତୁକ ବୃଦ୍ଧି ଯୋଗୁଁ ବୈଦେଶିକ ମୁଦ୍ରାର ଯୋଗାଣରେ ଏପରି ବୃଦ୍ଧି ଘଟିଲା, ବଜାରର ନିୟମକୁ ଅନୁସରଣ କରି ସେଠାରେ ବୈଦେଶିକ ମୁଦ୍ରାର ବିନିମୟ ମୂଲ୍ୟରେ ତୀକ୍ଷ୍ଣ ହ୍ରାସ ଘଟିବାକୁ ଲାଗିଲା (ଠିକ୍ ଯେମିତି ଟମାଟର୍ ପ୍ରଚୁର ଅମଳ ହେଲେ ତା’ର ବଜାର ଦରରେ ହ୍ରାସ ଘଟିଥାଏ)। ଏଥିସହିତ ତାଳ ଦେଇ ସ୍ବାଭାବିକ ଭାବରେ ହଲାଣ୍ଡ୍ର ଘରୋଇ ମୁଦ୍ରା ‘ଗିଲ୍ଡର୍’ର ବିନିମୟ ମୂଲ୍ୟରେ ଏହି ସମୟରେ ଏଥିଯୋଗୁଁ ତୀକ୍ଷ୍ଣ ବୃଦ୍ଧି ଘଟିବାକୁ ଆରମ୍ଭ କଲା।
ଏହା ବୁଝିବା କଷ୍ଟ ନୁହେଁ ଯେ ଯେତେବେଳେ ଏକ ଦେଶର ଘରୋଇ ମୁଦ୍ରାର ବିନିମୟ ମୂଲ୍ୟରେ ବୃଦ୍ଧି ଘଟେ, ସେତେବେଳେ ସେ ଦେଶରେ ବିଦେଶରୁ ଆମଦାନି ହୋଇ ଆସୁଥିବା ଦ୍ରବ୍ୟ ଓ ସେବା ଆଦି ଶସ୍ତା ହୋଇ ଯାଇଥାଏ ଏବଂ ବିଦେଶ ବଜାରରେ ସେ ଦେଶରୁ ରପ୍ତାନି ହୋଇ ଯାଉଥିବା ଦ୍ରବ୍ୟ ଓ ସେବା ମହରଗ ହୋଇଯାଏ। ଅତଏବ, ହଲାଣ୍ଡ୍ ସିନା ତୈଳ ରପ୍ତାନି କରି ପ୍ରଚୁର ଲାଭ ଅର୍ଜନ କଲା, କିନ୍ତୁ ଏହି କାରଣରୁ ହଲାଣ୍ଡ୍ର ଅଣ-ତୈଳ ରପ୍ତାନି ଦ୍ରବ୍ୟମାନ (ଯେମିତି ଛେନା କିମ୍ବା ଇଲେକ୍ଟ୍ରୋନିକ୍ ଦ୍ରବ୍ୟ ଆଦି) ବିଦେଶ ବଜାରରେ ମହଙ୍ଗା ହୋଇ ସେଠାରେ ପ୍ରତିଯୋଗିତା-କ୍ଷମତା ହରାଇ ବସିଲା। ଏହାର ପରିଣାମ ସ୍ବରୂପ ଓଲନ୍ଦାଜ ଅର୍ଥନୀତିର ଅନ୍ୟ ରପ୍ତାନି-ନିର୍ଭରଶୀଳ କ୍ଷେତ୍ରମାନଙ୍କରେ ଉତ୍ପାଦନ ଓ ନିଯୁକ୍ତି ସଂକୁଚିତ ହୋଇ ବ୍ୟାପକ ବେକାରିର ଆବିର୍ଭାବ ଘଟିବା ଦେଖାଗଲା। ଏହା ହିଁ ହେଉଛି ଓଲନ୍ଦାଜ ବ୍ୟାଧି।
ଭାରତରେ ବର୍ତ୍ତମାନ ସେହିପରି ହଠାତ୍ ବିପୁଳ ପରିମାଣର ବୈଦେଶିକ ମୁଦ୍ରା ପ୍ରବେଶ କଲେ, ଟଙ୍କାର ବିନିମୟ ମୂଲ୍ୟରେ ଯଦି ସେ ଦିନର ‘ଗିଲ୍ଡର୍’-ସୁଲଭ ତୀକ୍ଷ୍ଣ ବୃଦ୍ଧି ଘଟେ, ତେବେ ଭାରତୀୟ ଅର୍ଥନୀତି ସେ ଦିନ ଭଳି ଓଲନ୍ଦାଜ ବ୍ୟାଧିର ଶିକାର ହେବ ନାହିଁ ତ? ଅବଶ୍ୟ ଅନ୍ୟାନ୍ୟ କାରଣରୁ ଯେତେବେଳେ ଭାରତରେ ବୈଦେଶିକ ମୁଦ୍ରା ଯୋଗାଣ ହଠାତ୍ ବୃଦ୍ଧି ପାଇ ଟଙ୍କାର ବିନିମୟ ମୂଲ୍ୟରେ ଏଇଭଳି ବୃଦ୍ଧି ଘଟି ଭାରତୀୟ ରପ୍ତାନି ପ୍ରତି ବ୍ୟାଘାତ ସୃଷ୍ଟି କରିବାର ସମ୍ଭାବନା ଦେଖା ଦେଇଥାଏ, ରିଜର୍ଭ ବ୍ୟାଙ୍କ୍ ସେତେବେଳେ ମୁଦ୍ରା ବଜାରରେ ପ୍ରବେଶ କରି ପରିସ୍ଥିତିକୁ ଆୟତ୍ତ କରିବାକୁ ଚେଷ୍ଟା କରିଥାଏ। ଡଲାର୍ର ବିନିମୟ ମୂଲ୍ୟରେ ଅତ୍ୟଧିକ ସ୍ଖଳନ ଘଟିବାକୁ ନ ଦେବା ପାଇଁ ରିଜର୍ଭ ବ୍ୟାଙ୍କ୍ ଟଙ୍କା ବଦଳରେ ଡଲାର୍ କ୍ରୟ କରିବାରେ ଲାଗିଯାଏ। ଏଇ ଉପାୟରେ ଡଲାର୍ର ଚାହିଦାରେ କୃତ୍ରିମ ବୃଦ୍ଧି ଘଟାଇ ରିଜର୍ଭ ବ୍ୟାଙ୍କ୍ ଡଲାର୍ର ବିନିମୟ ମୂଲ୍ୟକୁ ଉଚ୍ଚା ଓ ଟଙ୍କାର ବିନିମୟ ମୂଲ୍ୟକୁ ନୀଚା ରଖିଥାଏ, ଯାହା ଭାରତୀୟ ରପ୍ତାନି କ୍ଷେତ୍ର ପାଇଁ ଅନୁକୂଳ ହୋଇ ଏଠାରେ ‘ଓଲନ୍ଦାଜ ବ୍ୟାଧି’ର ଆକ୍ରମଣକୁ ପ୍ରତିହତ କରିଥାଏ।
ଅବଶ୍ୟ ରିଜର୍ଭ ବ୍ୟାଙ୍କ୍ ଏଭଳି ପଦକ୍ଷେପ ନେବା ଦ୍ବାରା ମୁଦ୍ରା ବଜାରରେ ଟଙ୍କାର ଯୋଗାଣରେ ଯେଉଁ ବୃଦ୍ଧି ଘଟେ, ତାହାର ପ୍ରଭାବରେ ମୁଦ୍ରାସ୍ଫୀତି ଦେଖାଦେଇ ଘରୋଇ ବଜାରରେ ଖାଉଟିମାନଙ୍କୁ ହନ୍ତସନ୍ତ କରି ଦରଦାମ୍ରେ ବୃଦ୍ଧି ଘଟିପାରେ। ଯଦି ସେପରି ଘଟେ, ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ରିଜର୍ଭ ବ୍ୟାଙ୍କ୍ ସୁଧ ହାରରେ ବୃଦ୍ଧି ଘଟାଇବାକୁ ନିଷ୍ପତ୍ତି ନେଇ ପାରେ, ଯାହା ଦେଶରେ ପୁଞ୍ଜି ନିବେଶକୁ ନିରୁତ୍ସାହିତ କରି ଶିଳ୍ପ ବାଣିଜ୍ୟ ପ୍ରତି ବ୍ୟାଘାତ ସୃଷ୍ଟି କରିବ। ଏଭଳି ପରିସ୍ଥିତି ଯଦି ଅଧିକ କାଳ ଧରି ଲାଗି ରହେ, ତା’ ହେଲେ ଯେଉଁ ଅର୍ଥନୀତି ଦ୍ବାରା ଆକର୍ଷିତ ହୋଇ ଆନ୍ତର୍ଜାତିକ ନିବେଶକମାନେ ଭାରତରେ ପୁଞ୍ଜି ନିବେଶ କରିବା ପାଇଁ ଆଗେଇ ଆସିଥିଲେ, ସେମାନେ ପୁଣି ଅର୍ଥନୀତିର ଦୁରବସ୍ଥା ଦ୍ବାରା ବିମୁଖ ହୋଇ ଭାରତ ଛାଡ଼ି ଅନ୍ୟତ୍ର ପଳାଇ ଯିବାକୁ ନିଷ୍ପତ୍ତି ନେଇ ପାରନ୍ତି। ତେବେ ଏଭଳି ଏକ ଚିତ୍ର ଅନେକ ‘ଯଦି’ ଓ ‘କିନ୍ତୁ’ ଉପରେ ନିର୍ଭର କରିଥାଏ। ଏପରି େହାଇପାରେ ଯେଉଁ ନିବେଶକମାନେ ଭାରତୀୟ ବଜାରରେ ପ୍ରବେଶ ଯୋଗୁଁ ବିଶେଷ ଲାଭବାନ୍ ହୋଇଥାନ୍ତି, ସେମାନେ ପରବର୍ତ୍ତୀ ସମୟରେ ଭାରତ ତ୍ୟାଗ କରି ପଳାଇବା ପରିବର୍ତ୍ତେ ଏଠାକାର ସମ୍ଭାବନାପୂର୍ଣ୍ଣ କ୍ଷେତ୍ରମାନଙ୍କରେ ସେଇ ଲାଭକୁ ପୁନଃନିବେଶ କରି ତାଙ୍କର ସେଇ ଲାଭ ଅର୍ଜନକୁ ଦୀର୍ଘସ୍ଥାୟୀ କରିବାକୁ ଚାହିଁ ପାରନ୍ତି।
ଶେଷକୁ ଘଟଣା କେଉଁ ମୋଡ଼ ନେବ, ତାହା ନିର୍ଭର କରିବ ଭାରତୀୟ ଅର୍ଥନୀତିର ଅନ୍ତର୍ନିହିତ ଶକ୍ତି ଉପରେ, ଯେଉଁ ଶକ୍ତି ‘ଜେ ପି ମୋର୍ଗାନ୍’ ବା ‘ବ୍ଲୁମ୍ବର୍ଗ’କୁ ବର୍ତ୍ତମାନ ଏପରି ପ୍ରଭାବିତ କରିଛି। ତେଣୁ ଏହି ପରିପ୍ରେକ୍ଷୀରେ ଏଠାରେ ‘ଓଲନ୍ଦାଜ ବ୍ୟାଧି’କୁ ପ୍ରତିହତ କରିବା ନିମିତ୍ତ ରିଜର୍ଭ ବ୍ୟାଙ୍କ୍ ଯେଉଁଭଳି ପ୍ରସ୍ତୁତ ହୋଇ ରହିବା ଆବଶ୍ୟକ, ଅର୍ଥନୀତିକୁ ଶକ୍ତିଶାଳୀ କରିବା ପାଇଁ ଅନୁକୂଳ ନୀତି ଅବଲମ୍ବନକୁ ଅବ୍ୟାହତ ରଖିବା ମଧ୍ୟ ସେଇଭଳି ସରକାରଙ୍କର ପ୍ରଧାନ ଧ୍ୟେୟ ହେବା ଉଚିତ।