୨୦୧୯ର ସୁପ୍ରିମ୍ କୋର୍ଟର ରାୟ ପରେ ‘ଅଯୋଧ୍ୟା ଡେଭେଲପ୍‌ମେଣ୍ଟ୍ ଅଥରିଟି’ ଦ୍ବାରା ‘ଭିଜନ୍ ଡକ୍ୟୁମେଣ୍ଟ୍ ୨୦୪୭’ ଅନୁସାରେ ଅଯୋଧ୍ୟାକୁ ଏକ ବିଶ୍ବ ଆଧ୍ୟାତ୍ମିକ ରାଜଧାନୀରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଇତିମଧ୍ୟରେ ଅଯୋଧ୍ୟାକୁ ଛ’ଟି ନଗରୀ- ‌ଲକ୍ଷ୍ନୌ, ବାରାଣସୀ, ଗୋରଖପୁର, ପ୍ରୟାଗରାଜ, ଗୋଣ୍ଡା ଓ ରାଏବରେଲି- ସହିତ ସଂଯୁକ୍ତ କରୁଥିବା ସଡ଼କମାନଙ୍କର ପ୍ରଶସ୍ତୀକରଣ କରାଯାଇ ଅନ୍ୟୂନ ଚାରି ଲେନ୍ ବିଶିଷ୍ଟ କରାଯାଉଛି। ଆଭ୍ୟନ୍ତରୀଣ ଜଳପଥମାନଙ୍କ ଦ୍ବାରା ଅଯୋଧ୍ୟାକୁ ମଧ୍ୟ ସଂଯୁକ୍ତ କରାଯିବାକୁ ସେ ରାଜ୍ୟ ସରକାର ଅଗ୍ରାଧିକାର ପ୍ରଦାନ କରିଛନ୍ତି। ଅଯୋଧ୍ୟା ଏଣିକି ଆକର୍ଷିତ କରିବାକୁ ଯାଉଥିବା ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ସଂଖ୍ୟାରେ ଯେଉଁ ବିସ୍ଫୋରକ ବୃଦ୍ଧି ଘଟିବ ତାହା ସମ୍ଭାଳିବା ପାଇଁ ଆବଶ୍ୟକ ସଂଖ୍ୟକ ହୋଟେଲ୍, ଗେଷ୍ଟହାଉସ୍ ଆଦି ନିର୍ମାଣ କରିବା ପାଇଁ ଉଦ୍ୟୋଗପତିମାନେ ବହୁସଂଖ୍ୟାରେ ଅଯୋଧ୍ୟା ଆଡ଼େ ମୁହାଁଇଲେଣି।

Advertisment

ପ୍ରାଚୀନ ମିଶର (ଇଜପ୍ଟ) ସେ ସମୟର ପୃଥିବୀରେ ସର୍ବାଧିକ ସମୃଦ୍ଧିଶାଳୀ ସାମ୍ରାଜ୍ୟ ଥିଲା ବୋଲି ଐତିହାସିକମାନେ ଏକମତ ହୋଇଥାନ୍ତି। ବିଂଶ ଶତାବ୍ଦୀର ଶ୍ରେଷ୍ଠତମ ଅର୍ଥନୀତିଜ୍ଞ ଜନ୍ ମେନାର୍ଡ କେନ୍‌ସ ମଧ୍ୟ ଏ ସଂପର୍କରେ ଐତିହାସିକମାନଙ୍କ ସହିତ ଏକମତ ଥିଲେ। କିନ୍ତୁ ମିଶରର ଏହି ସମୃଦ୍ଧିର ମୁଖ୍ୟ କାରଣ ରୂପେ କେନ୍‌ସ ଯାହାକୁ ପ୍ରଦର୍ଶିତ କରିଥିଲେ, ତାହା ଏଭଳି ଅଣପାରମ୍ପରିକ ଥିଲା ‌େଯ, କେବଳ ଐତିହାସିକମାନେ ନୁହନ୍ତି, ସେ ସମୟରେ ପ୍ରଚଳିତ ଶାସ୍ତ୍ରୀୟ ଅର୍ଥନୀତିର ସମସ୍ତ ଛାତ୍ରମାନଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲା।
ପ୍ରାଚୀନ ମିଶରରେ ନିର୍ମିତ ଯେଉଁ କୀର୍ତ୍ତିରାଜି ହେଉଛନ୍ତି ସର୍ବାଧିକ ପ୍ରସିଦ୍ଧ ଓ ବର୍ତ୍ତମାନ ମଧ୍ୟ ପୃଥିବୀର ସପ୍ତାଶ୍ଚର୍ଯ୍ୟମାନଙ୍କ ମଧ୍ୟରୁ ଅନ୍ୟତମ ବୋଲି ବିବେଚିତ ହୋଇଥାନ୍ତି, ତାହା ହେଉଛନ୍ତି ସେ ଅଞ୍ଚଳରେ ଏବେ ବି ସଗର୍ବରେ ଦଣ୍ଡାୟମାନ ଶତାଧିକ ପିରାମିଡ୍‌ମାନ। ପାରମ୍ପରିକ ଭାବରେ ବିଶ୍ବାସ କରାଯାଇଥାଏ ଯେ ଯେତେବେଳେ ଏକ ରାଜ୍ୟ ସମୃଦ୍ଧି ହାସଲ କରିଥାଏ, ସେତେବେଳେ ସେ ରାଜ୍ୟର ଶାସକ ସେ ସମୃଦ୍ଧି ଯୋଗୁଁ ଉପଲବ୍‌ଧ ବର୍ଦ୍ଧିଷ୍ଣୁ ସମ୍ବଳ ବ୍ୟବହାର କରି ଚମକପ୍ରଦ କୀର୍ତ୍ତିମାନ ନିର୍ମାଣ କରିଥାନ୍ତି- ଯେମିତି ପିରାମିଡ୍। କାର୍ଯ୍ୟ-କାରଣ ଶୃଙ୍ଖଳାରେ ତେଣୁ ପିରାମିଡ୍‌ ହୋଇଥାଏ ‘କାର୍ଯ୍ୟ’ ଓ ସମୃଦ୍ଧି ହୋଇଥାଏ ‘କାରଣ’। କେନ୍‌ସ କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରି ଏହି ଶୃଙ୍ଖଳାକୁ ଓଲଟାଇ ଦେଇ କହିଲେ ଯେ ସମୃଦ୍ଧି ହେଉଛି ‘କାର୍ଯ୍ୟ’ ଓ ‘ପିରାମିଡ୍’ ‌େହଉଛି ‘କାରଣ’ (ରହସ୍ୟରେ କୁହାଯାଇପାରେ ଯେ କେନ୍‌ସ ଏହାଦ୍ବାରା ପିରାମିଡ୍‌କୁ ଓଲଟାଇ ତା’ର ଚୂଳକୁ ତଳ ଓ ମୂଳକୁ ଉପରେ ଥୋଇ ଦେଲେ)।
୧୯୩୬ରେ ପ୍ରକାଶ ପାଇ ଅର୍ଥଶାସ୍ତ୍ରରେ ଏକ ନୂତନ ଯୁଗର ଆରମ୍ଭ କରିଥିବା ତାଙ୍କର ପ୍ରସିଦ୍ଧ ପୁସ୍ତକ ‘ଦି ଜେନେରାଲ୍ ଥିଓରି ଅଫ୍ ଏମ୍ପ୍ଲଏମେଣ୍ଟ୍, ଇଣ୍ଟେରେଷ୍ଟ୍ ଆଣ୍ଡ୍ ମନି’ (‘ନିଯୁକ୍ତି, ସୁଧ ଓ ଅର୍ଥର ସାଧାରଣ ତତ୍ତ୍ବ’)ରେ କେନ୍‌ସ ଏ ସମ୍ବନ୍ଧରେ ଯାହା ଉଲ୍ଲେଖ କରିଥିଲେ, ତାହା ଥିଲା ମୋଟାମୋଟି ଏହିପରି: ଯେଉଁ ‘‘ସୌଭାଗ୍ୟ’’ ଯୋଗୁଁ ପ୍ରାଚୀନ ଇଜିପ୍ଟ ଏହି ‘‘କିଂବଦନ୍ତି ପାଲଟିଥିବା ସଂପଦ’’ର ଅଧିକାରୀ ହୋଇଥିଲା, ସେଥିମଧ୍ୟରୁ ଅନ୍ୟତମ ଥିଲା ‘‘ପିରାମିଡ୍ ନିର୍ମାଣ’’। କେନ୍‌ସଙ୍କର ଏପରି ବିପରୀତ ମତର କାରଣ ଥିଲା ସେ ଆବିଷ୍କାର କରିଥିବା ଓ ଏହି ପୁସ୍ତକ ବହନ କରୁଥିବା ନୂତନ ଅର୍ଥନୈତିକ ତତ୍ତ୍ବ। ଏହି ତତ୍ତ୍ବ ଅନୁସାରେ ଏକ ମୁକ୍ତ ଅର୍ଥନୀତିରେ ବଜାରରେ ସ୍ବାଭାବିକ ଭାବରେ ସାମଗ୍ରିକ ଚାହିଦାରେ ଏକ ଅଭାବ ଦେଖା ଦେଇଥାଏ ଯାହା ଅର୍ଥନୀତିକୁ ଏକ ମାନ୍ଦା ଅବସ୍ଥା ମଧ୍ୟକୁ ଠେଲି ଦେଇଥାଏ। ଶିଳ୍ପ-ବ୍ୟବସାୟ କ୍ଷେତ୍ରରେ ଘଟୁଥିବା ପୁଞ୍ଜି ନିବେଶ ଦ୍ବାରା ସାମଗ୍ରିକ ଚାହିଦାରେ ଦେଖା ଦେଉଥିବା ଏହି ଶୂନ୍ୟସ୍ଥାନ ପୂରଣ ହୋଇଥାଏ। କିନ୍ତୁ ବିଭିନ୍ନ କାରଣରୁ ନିୟମିତ ଭାବରେ ଏହି ପୁଞ୍ଜି ନିବେଶରେ ମଧ୍ୟ ଭଟ୍ଟା ପଡ଼ିଯିବାର ଦେଖା ଯାଇଥାଏ, ନିବେଶକମାନେ କୌଣସି ଉଦ୍ୟୋଗ‌େର ସେମାନଙ୍କର ସମ୍ବଳ ବିନିଯୋଗ କରିବା ପାଇଁ ଆଗ୍ରହୀ ହୋଇ ନଥାନ୍ତି।
ସେଇ ସମୟରେ ଅର୍ଥନୀତିକୁ ମାନ୍ଦା ଅବସ୍ଥାରେ ପଡ଼ିବାକୁ ନ ଦେଇ ଅଭିବୃଦ୍ଧି ପଥରେ ଆଗେଇ ନେବାର ଏକମାତ୍ର ଉପାୟ ହେଉଛି ଏପରି କୌଣସି ବିଶାଳ ବ୍ୟୟ ସଂଘଟିତ କରାଇବା ଯାହା ଲାଭକ୍ଷତି ହିସାବରୁ ମୁକ୍ତ ହୋଇଥାଏ। ଯେଉଁ ଏକମାତ୍ର ଅନୁଷ୍ଠାନ ଏପରି ଲାଭକ୍ଷତିମୁକ୍ତ ନିବେଶ କରିପାରେ, ତାହା ହେଉଛି ରାଷ୍ଟ୍ର ବା ସରକାର (କେନ୍‌ସଙ୍କ ପୁସ୍ତକ ପ୍ରକାଶ ପାଇବା ପୂର୍ବରୁ ମହାଅବପାତ କବଳରୁ ଉଦ୍ଧାର ପାଇବା ପାଇଁ ଆମେରିକା ସରକାର ସେ ଦେଶରେ ଏହିଭଳି ଯେଉଁ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରି ସାରିଥିଲେ, ତାହା ‘ନିଉଡିଲ୍’ ନାମରେ ସୁବିଦିତ)। କେନ୍‌ସଙ୍କ ମତରେ ତେଣୁ ପ୍ରାଚୀନ ଇଜିପ୍ଟରେ ସମ୍ରାଟ (‘ଫାରୋ’)ମାନେ ନିୟମିତ ଭାବରେ ପିରାମିଡ୍ ନିର୍ମାଣରେ ଯେଉଁ ବିପୁଳ ସମ୍ବଳ ବିନିଯୋଗ କରି ଚାଲିଥିଲେ, ତାହା ସେଠାରେ ଅର୍ଥନୈତିକ ଅଭିବୃଦ୍ଧିକୁ ଅବ୍ୟାହତ ରଖି ଇଜିପ୍ଟକୁ ଏକ ସମୃଦ୍ଧ ସାମ୍ରାଜ୍ୟରେ ପରିଣତ କରିଥିଲା।
କେନ୍‌ସଙ୍କ ଏହି ପିରାମିଡ୍ ତତ୍ତ୍ବକୁ ଏଠାରେ ଆଲୋଚନା ପରିସର ମଧ୍ୟକୁ ଆଣିବାର କାରଣ ହେଲା ବର୍ତ୍ତମାନ ଭାରତୀୟ ଅର୍ଥନୈତିକ ଦୃଶ୍ୟପଟରେ ପରିଲକ୍ଷିତ ହେବାକୁ ଆରମ୍ଭ କରିଥିବା ଏହାର ଏକ ଅବିକଳ ନକଲ। ମିଶରର ପିରାମିଡ୍ ପରି ବର୍ତ୍ତମାନ ଭାରତ ଭୂମିରେ ଯେଉଁ ଅତୁଳନୀୟ କୀର୍ତ୍ତି ସ୍ଥାପିତ ହୋଇ ଚଳିତ ମାସ ୨୨ ତାରିଖ ଦିନ ବିଧିବଦ୍ଧ ଉଦ୍‌ଘାଟନକୁ ଅପେକ୍ଷା କରିଛି, ତାହା ହେଉଛି ପ୍ରାୟ ୧,୮୦୦ କୋଟି ଟଙ୍କା ବ୍ୟୟରେ ଅଯୋଧ୍ୟା ଠାରେ ନିର୍ମିତ ହୋଇଥିବା ରାମ ମନ୍ଦିର। ଏହି ଅଙ୍କ କିନ୍ତୁ ହେଉଛି ରାମ ମନ୍ଦିରକୁ କେନ୍ଦ୍ର କରି ସୃଷ୍ଟି ହେବାକୁ ଯାଉଥିବା ଅର୍ଥନୈତିକ ପ୍ରଭାବର କାଣିଚାଏ ମାତ୍ର। ବର୍ଷକ ତଳେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ବାରା ଯେଉଁ ‘ଅଯୋଧ୍ୟା ମାଷ୍ଟର୍ ପ୍ଲାନ୍ ୨୦୩୧’ ଅନୁମୋଦିତ ହୋଇଛି, ସେଥିରେ ସେଠାରେ ଯେଉଁ ସାମଗ୍ରିକ ଉନ୍ନୟନର ପରିକଳ୍ପନା କରାଯାଇଛି ତାହାର ପ୍ରଭାବ ସୁଦୂରପ୍ରସାରୀ ହେବା ନିଶ୍ଚିତ। ସେଇ ମାଷ୍ଟର୍‌ ପ୍ଲାନ୍‌ରେ ଅନ୍ତର୍ଭୁକ୍ତ ଅଛି ଏକ ନୂତନ ବିମାନ ବନ୍ଦର, ରେଳ ଷ୍ଟେସନ୍‌ର ପୁନଃନିର୍ମାଣ, ଏକାଧିକ ଫ୍ଲାଏଓଭର୍, ବହୁତଳ କାର୍‌ ପାର୍କ ଯେଉଁଥିରେ ଫୁଡ୍‌ କୋର୍ଟମାନ ସଂଯୁକ୍ତ ଥିବେ, ନୂତନ ସହରମାନ ନିର୍ମାଣ, ଏକ ଏରୋସିଟି, ରାସ୍ତା ପ୍ରଶସ୍ତୀକରଣ ଓ ସୌନ୍ଦର୍ଯ୍ୟକରଣ। ବର୍ତ୍ତମାନ ଅଯୋଧ୍ୟ ସହରରେ ପ୍ରାୟ ୨୦୦ରୁ ଅଧିକ ସଂଖ୍ୟକ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ପ୍ରକଳ୍ପମାନ ରୂପାୟିତ ହେବାରେ ଲାଗିଛନ୍ତି ଯେଉଁଥି ପାଇଁ ମୋଟ ପ୍ରାୟ ୩୦,୦୦୦ କୋଟି ଟଙ୍କାରୁ ଅଧିକ ପରିମାଣର ବଜେଟ୍ ଅନୁମୋଦନ ଲାଭ କରିସାରିଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ‌େଯଉଁ ଅଯୋଧ୍ୟା ସହରରେ ବର୍ଷ ବର୍ଷ ଧରି କୌଣସି ସଂଗଠିତ ଉନ୍ନୟନ କାର୍ଯ୍ୟକ୍ରମ ପରିଦୃଷ୍ଟ ହୋଇ ନ ଥିଲା, ସେଠାରେ ଏସବୁ ହେଉଛି ଏକ ଆରମ୍ଭ ମାତ୍ର। ୨୦୧୯ର ସୁପ୍ରିମ୍ କୋର୍ଟର ରାୟ ପରେ ‘ଅଯୋଧ୍ୟା ଡେଭେଲପ୍‌ମେଣ୍ଟ୍ ଅଥରିଟି’ ଦ୍ବାରା ‘ଭିଜନ୍ ଡକ୍ୟୁମେଣ୍ଟ୍ ୨୦୪୭’ ଅନୁସାରେ ଅଯୋଧ୍ୟାକୁ ଏକ ବିଶ୍ବ ଆଧ୍ୟାତ୍ମିକ ରାଜଧାନୀରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଇତିମଧ୍ୟରେ ଅଯୋଧ୍ୟାକୁ ଛ’ଟି ନଗରୀ- ‌ଲକ୍ଷ୍ନୌ, ବାରାଣସୀ, ଗୋରଖପୁର, ପ୍ରୟାଗରାଜ, ଗୋଣ୍ଡା ଓ ରାଏବରେଲି- ସହିତ ସଂଯୁକ୍ତ କରୁଥିବା ସଡ଼କମାନଙ୍କର ପ୍ରଶସ୍ତୀକରଣ କରାଯାଇ ଅନ୍ୟୂନ ଚାରି ଲେନ୍ ବିଶିଷ୍ଟ କରାଯାଉଛି। ଆଭ୍ୟନ୍ତରୀଣ ଜଳପଥମାନଙ୍କ ଦ୍ବାରା ଅଯୋଧ୍ୟାକୁ ମଧ୍ୟ ସଂଯୁକ୍ତ କରାଯିବାକୁ ସେ ରାଜ୍ୟ ସରକାର ଅଗ୍ରାଧିକାର ପ୍ରଦାନ କରିଛନ୍ତି। ଅଯୋଧ୍ୟା ଏଣିକି ଆକର୍ଷିତ କରିବାକୁ ଯାଉଥିବା ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ସଂଖ୍ୟାରେ ଯେଉଁ ବିସ୍ଫୋରକ ବୃଦ୍ଧି ଘଟିବ ତାହା ସମ୍ଭାଳିବା ପାଇଁ ଆବଶ୍ୟକ ସଂଖ୍ୟକ ହୋଟେଲ୍, ଗେଷ୍ଟହାଉସ୍ ଆଦି ନିର୍ମାଣ କରିବା ପାଇଁ ଉଦ୍ୟୋଗପତିମାନେ ବହୁସଂଖ୍ୟାରେ ଅଯୋଧ୍ୟା ଆଡ଼େ ମୁହାଁଇଲେଣି। ଏ ସବୁର ଅନିବାର୍ଯ୍ୟ ଫଳ ସ୍ବରୂପ ଅଯୋଧ୍ୟା ଓ ପାଖଆଖ ଅଞ୍ଚଳରେ ଜମି ମୂଲ୍ୟରେ ଆକାଶଛୁଆଁ ବୃଦ୍ଧି ଘଟି ସ୍ଥାନୀୟ ବାସିନ୍ଦାମାନଙ୍କୁ ଲାଭବାନ କରିବାକୁ ଆରମ୍ଭ କଲାଣି।
ଏ ସମସ୍ତ ଅର୍ଥନୈତିକ କାର୍ଯ୍ୟକଳାପରୁ ଯେଉଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ତାହା ହେବ ରାମ ମନ୍ଦିର ପ୍ରକଳ୍ପର ସର୍ବାଧିକ ସ୍ବାଗତଯୋଗ୍ୟ ପାର୍ଶ୍ବଫଳ, ଯାହା କେନ୍‌ସଙ୍କୁ ବିଶେଷ ଭାବରେ ଆହ୍ଲାଦିତ କରନ୍ତା, କାରଣ ବେକାରି ଦୂର କରିବା ଥିଲା ତାଙ୍କ ତତ୍ତ୍ବର ମୁଖ୍ୟ ଲକ୍ଷ୍ୟ। ରାମ ମନ୍ଦିର ନିର୍ମାଣ ସହିତ ସଂଯୁକ୍ତ ଅର୍ଥନୀତି ବା ‘ରାମନୋମିକ୍‌ସ’କୁ ତେଣୁ ସାମ୍ପ୍ରତିକ ସମୟରେ କେନ୍‌ସଙ୍କର ସେଇ ପିରାମିଡ୍ ତତ୍ତ୍ବକୁ ପୁନଃସ୍ବୀକୃତି ପ୍ରଦାନ ରୂପେ ବିଚାର କରାଯାଇପାରେ।