ସୋଲେମାନୀ ସମଗ୍ର ସିହା ସଂପ୍ରଦାୟ ଲାଗି କିଂବଦନ୍ତିର ନାୟକ ତୁଲ୍ୟ ହୋଇଥିବା ବେଳେ ଆମେରିକା ବା ତାହାର ସହଯୋଗୀଙ୍କ ଚକ୍ଷୁରେ ସେ ଜଣେ କୁଖ୍ୟାତ ଆତଙ୍କବାଦୀ। ‘ହିଜବୋଲ୍ଲା’ ବା ‘ହୁଥି’ ବା ‘ହମାସ’ ଭଳି ସଂଗଠନ ଆତଙ୍କବାଦୀ ରୂପେ ପାଶ୍ଚାତ୍ୟ ଦେଶ ଦ୍ବାରା ପରିଭାଷିତ ହେଉଥିବା ବେଳେ ଏସିଆ ଏବଂ ଆଫ୍ରିକାରେ ସେମାନେ ଆରବ ଅଧିକାର ଲାଗି ଯୁଦ୍ଧାରେ ବ୍ୟାପୃତ ଯୋଦ୍ଧା। କାଶ୍ମୀର ସଂପର୍କିତ ଆତଙ୍କବାଦ ପରିପ୍ରେକ୍ଷୀରେ ଭାରତ ଏଭଳି ଦ୍ବିଧାଭରା ପରିସ୍ଥିତିର ସମ୍ମୁଖୀନ ବହୁ ପୂର୍ବରୁ ହୋଇ ସାରିଛି, ଯେତେବେଳେ ଅନେକ ଦିନ ପର୍ଯ୍ୟନ୍ତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଏହି ଆତଙ୍କବାଦୀମାନଙ୍କୁ କାଶ୍ମୀରର ‘ଆଜାଦୀ’ ଲାଗି ଲଢୁଥିବା ସଂଗ୍ରାମୀ ଭଳି ମାନ୍ୟତା ଦେଉଥିଲେ।

Advertisment

ନୂତନ ବର୍ଷ ପଦାର୍ପଣ କରିବାର ଚାରି ଦିନ ନ ପୂରୁଣୁ ଇରାନର କରମାନ ସହରରେ ସଂଘଟିତ ଅତ୍ୟନ୍ତ ଭୟାବହ ବୋମା ବିସ୍ଫୋରଣରେ ୮୬ ଜଣ ମୃତ୍ୟୁ ବରଣ କରିବା ଏବଂ ଶତାଧିକ ଆହତ ହେବା ଭଳି ଘଟଣା ସର୍ବତ୍ର ଘୋର ଉଦ୍‌ବେଗ ସୃଷ୍ଟି କରିଛି। ପ୍ରକାଶ ଥାଉ କି ୧୯୯୯ ମସିହା ପରେ ଏହା ହେଉଛି ଇରାନ ଭୋଗିଥିବା ସର୍ବାଧିକ ଭୟଙ୍କର ଆତଙ୍କବାଦୀ ଆକ୍ରମଣ, ଯାହା ସ୍ଥାନ ଓ କାଳ ଦୃଷ୍ଟିରୁ ଅତ୍ୟନ୍ତ ସ୍ପର୍ଶକାତର ଏବଂ ଏହା ଦ୍ବାରା ମଧ୍ୟ-ପ୍ରାଚ୍ୟ ଓ ପଶ୍ଚିମ ଏସୀୟ ଅଞ୍ଚଳରେ ଯୁଦ୍ଧ ବିତ୍ପାତ ଅଧିକ ସଂପ୍ରସାରିତ ଏବଂ ତୀବ୍ର ହେବାର ଆଶଙ୍କା ରହିଛି; ସମଗ୍ର ପୃଥିବୀ ମଧ୍ୟ ଊଣାଅଧିକେ ପ୍ରଭାବିତ ହୋଇପାରେ। କିନ୍ତୁ ଏହି ଘଟଣା ପରିପ୍ରେକ୍ଷୀରେ ଆଉ ଯାହା ଅତ୍ୟନ୍ତ ଉଦ୍‌ବେଗଜନକ, ତାହା ହେଲା ବିଭିନ୍ନ ରାଷ୍ଟ୍ର ଦ୍ବାରା ପ୍ରଦର୍ଶିତ ସ୍ବାର୍ଥ ସର୍ବସ୍ବ ସଂକୀର୍ଣ୍ଣ ରଣନୈତିକ ସୁବିଧାବାଦ, ‌‌ଯେଉଁ ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ପ୍ରକାଶ ଥାଉ କି ଗାଜା ଉପରେ ଇସ୍ରାଏଲୀ ଆକ୍ରମଣ ପରିପ୍ରେକ୍ଷୀରେ ଇସ୍ରାଏଲ୍‌ ବିରୋଧରେ ରଣହୁଙ୍କାର ଦେଇଥିବା ଏକମାତ୍ର ଇସଲାମୀୟ ରାଷ୍ଟ୍ର ହେଉଛି ଇରାନ, ଯାହା ଇସ୍ରାଏଲର ଜାତଶତ୍ରୁ ହମାସର ମଧ୍ୟ ସମର୍ଥକ। କେବଳ ସେତିକି ନୁହେଁ, ଏହା ସୁବିଦିତ ଯେ ଇସ୍ରାଏଲ ବିରୋଧୀ ଆକ୍ରମଣରେ ଲିପ୍ତ ଲେବାନନର ‘ହିଜବୁଲ୍ଲା’ ଏବଂ ୟେମେନର ‘ହୁଥି’ ଭଳି ସଂଗଠନଗୁଡ଼ିକ ମଧ୍ୟ ଇରାନର ପରମ ଆଜ୍ଞାବହ ଏବଂ ଇରାନୀ ଅର୍ଥ ଓ ଅସ୍ତ୍ରଶସ୍ତ୍ର ଦ୍ବାରା ବଳୀୟାନ। ସେହି ଦୃଷ୍ଟିରୁ ଇରାନରେ ହୋଇଥିବା ଅନ୍ତର୍ଘାତୀ ବୋମା ବିସ୍ଫୋରଣରେ ଇସ୍ରାଏଲୀ ଆକ୍ରୋଶ ରହିଥାଇପାରେ ବୋଲି ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ। ପୁଣି ଏଭଳି ଏକ ଆକ୍ରମଣ କାଶିମ ସୋଲେମାନୀଙ୍କ କବର ନିକଟରେ ଏବଂ ତାଙ୍କ ଚତୁର୍ଥ ମୃତ୍ୟୁବାର୍ଷିକୀ ପାଳନ ଅବସରରେ ସଂଘଟିତ ହେବା ଇସ୍ରାଏଲୀ ସଂପୃକ୍ତି ନେଇ ସନ୍ଦେହକୁ ଅଧିକ ଦୃଢ଼ କରିଥିଲା। ପ୍ରକାଶ ଥାଉ କି ଇରାନ, ୟେମେନ, ସିରିଆ ଏବଂ ପାକିସ୍ତାନ ଭଳି ରାଷ୍ଟ୍ରରେ ଦ୍ବିତୀୟ ଈଶ୍ବରତୁଲ୍ୟ ସଂଭ୍ରମ ଓ ସମ୍ମାନ ଲାଭ କରୁଥିବା କାଶିମ ସୋଲେମାନୀଙ୍କୁ ଇସ୍ରାଏଲ, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ୟୁରୋପୀୟ ରାଷ୍ଟ୍ରଗୁଡ଼ିକଦ୍ବାରା ଜଣେ ଅତ୍ୟନ୍ତ ଜଘନ୍ୟ ଆତଙ୍କବାଦୀ ରୂପେ ଦେଖାଯାଇଥାଏ; ସୁତରାଂ, ତାଙ୍କୁ ୨୦୨୦ ମସିହାରେ, ତତ୍କାଳୀନ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରଂପଙ୍କ ନିର୍ଦ୍ଦେଶରେ ଏକ ଡ୍ରୋନ ଆକ୍ରମଣ ଜରିଆରେ ହତ୍ୟା କରାଯାଇଥିଲା। ଏଠାରେ ପ୍ରକାଶ ଥାଉ କି ଅତ୍ୟନ୍ତ ବିଚକ୍ଷଣ ସୈନିକ ଓ ସେନାପତି ସୋଲେମାନୀ ହିଁ ସିରିଆ, ଇରାକ୍‌, ୟେମେନ ଓ ଲେବାନନ ଭଳି ରାଷ୍ଟ୍ରରେ ‘ସିହା ମିଲିସିଆ’ ବାହିନୀଙ୍କୁ ଦୃଢ଼ମୂଳ କରାଇଥିଲେ, ଯେଉଁଗୁଡ଼ିକ ମଧ୍ୟରେ ହିଜବୁଲ୍ଲା ଏବଂ ହୁଥି ଭଳି ଅତି ପରାକ୍ରମଶାଳୀ ସଂଗଠନ ଅନ୍ତର୍ଭୁକ୍ତ। ଉଲ୍ଲେଖଯୋଗ୍ୟ ଯେ ଏହି ବାହିନୀଗୁଡ଼ିକ ଇରାନର ‘ପ୍ରକ୍‌ସି’ ଭୂମିକାରେ ଅବତୀର୍ଣ୍ଣ ହୋଇ ଇରାନର ମନୋକାମନା ପୂର୍ଣ୍ଣ କଲା ଭଳି ଯୁଦ୍ଧମାନ ଲଢ଼ିଥାଆନ୍ତି, ଯେମିତି ସଂପ୍ରତି ଇସ୍ରାଏଲ୍‌ ବିପକ୍ଷରେ ସେମାନେ ଯୁଦ୍ଧରତ। ତେଣୁ ସୋଲେମାନୀଙ୍କ ମୃତ୍ୟୁବାର୍ଷିକୀ ପାଳନ ଅବସରରେ ଇରାନ ଭୂମିରେ ସଂଘଟିତ ଏଭଳି ଆକ୍ରମଣ ପଛରେ ଇସ୍ରାଏଲ୍‌ର ସଂପୃକ୍ତି ନେଇ ସନ୍ଦେହ ଜାତ ହେବା ଥିଲା ସ୍ବାଭାବିକ। କିନ୍ତୁ ପରବର୍ତ୍ତୀ ଘଟଣାକ୍ରମରେ ଏହି ବିସ୍ଫୋରଣ ଲାଗି ଦୁର୍ଦ୍ଧର୍ଷ ଆତଙ୍କବାଦୀ ସଂଗଠନ ‘ଇସଲାମିକ ଷ୍ଟେଟ୍‌’ ବା ‘ଆଇସିସ୍‌’ ନିଜକୁ ଦାୟୀ କରିଥିବାରୁ ଅଗତ୍ୟା ଏହି ଅନୁମାନ ଆଧାରିତ ସନ୍ଦେହ ଦୂର ହୋଇ ଆଉ ଏକ ନୂତନ ସନ୍ଦେହକୁ ଜନ୍ମ ଦେଲାଣି, ଯାହା ହେଲା ମଧ୍ୟ-ପ୍ରାଚ୍ୟରେ ତୁମୂଳ ଯୁଦ୍ଧର ଘନଘଟା ଭିତରେ ଆଇସିସ୍‌ର ଆବିର୍ଭାବ ଏକ ସଂଯୋଗ ନା ଏହା ମଧ୍ୟ ଏକ ବୃହତ୍ତର ଚକ୍ରାନ୍ତର ଅଂଶ?
ଉଲ୍ଲେଖ ଥାଉ କି ‘ଆଇସିସ୍‌’ ଭଳି ଅତ୍ୟନ୍ତ ଜଘନ୍ୟ ଆତଙ୍କବାଦୀ ସଂଗଠନର ସମୂଳ ବିନାଶ ସକାଶେ ଯୁକ୍ତରାଷ୍ଟ୍ର ଆମେରିକା ଓ ଅନ୍ୟାନ୍ୟ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ଏକତ୍ର ହୋଇଥିବା ବେଳେ ସେମାନଙ୍କ ପରମ ମିତ୍ର ରାଷ୍ଟ୍ର ଇସ୍ରାଏଲ୍‌ ତହିଁରେ ଅନୁପସ୍ଥିତ। କେବଳ ସେତିକି ନୁହେଁ, ଇସ୍ରାଏଲ୍‌ ପକ୍ଷରୁ ‘ଆଇସିସ୍‌’ ବିରୋଧରେ ପ୍ରକାଶ୍ୟରେ କଦାଚିତ୍‌ କୌଣସି ମନ୍ତବ୍ୟ ପ୍ରଦାନ କରାଯାଇନାହିଁ। ଯଦିଓ ‘ଆଇସିସ୍‌’ ପକ୍ଷରୁ ସଂଘଟିତ ଆତଙ୍କବାଦୀ ଆକ୍ରମଣରେ ୟୁରୋପୀୟ ରାଷ୍ଟ୍ରରେ ବସବାସ କରୁଥିବା କେତେକ ଇହୁଦୀ ମୃତ୍ୟୁ ବରଣ କରିଛନ୍ତି, ଇସ୍ରାଏଲ ଭୂମି ଉପରେ ଏହି ସଂଗଠନ ଦ୍ବାରା କୌଣସି ଆକ୍ରମଣ ରଚନା କରାଯାଇନାହିଁ; ଏଣେ ଉଲ୍ଲେଖଯୋଗ୍ୟ ଯେ ଇସ୍ରାଏଲ୍‌ ସହିତ ସଂଯୁକ୍ତ ‘ଗୋଲାନ ହାଇଟ୍‌ସ’ ବା ‘ସିନାଇ ଉପତ୍ୟକା’ ଅଞ୍ଚଳରେ ‘ଆଇସିସ’ର ପଦଚିହ୍ନ ବିଦ୍ୟମାନ। ‘ଆଇସିସ୍‌’ ଗୋଟିଏ ଇସଲାମୀୟ ଆତଙ୍କବାଦୀ ସଂଗଠନ ହୋଇଥିବାରୁ ଏହା ସ୍ବାଭାବିକ ଭାବେ ଇସ୍ରାଏଲର ଶତ୍ରୁ ହେବା କଥା; କିନ୍ତୁ ସେଭଳି ହେବା ପରିବର୍ତ୍ତେ ଏହି ସୁନ୍ନୀ ସଂଗଠନ ହମାସ (ସିହା ସଂଗଠନ) ବିରୋଧରେ ଯୁଦ୍ଧ ଓ ସଂଘର୍ଷରେ ବ୍ୟାପୃତ ରହିଛି; ଏବଂ ସଂଗଠନ ଦ୍ବୟ ତୀବ୍ର ପାରସ୍ପରିକ ଶତ୍ରୁତାପୂର୍ଣ୍ଣ ମନୋଭାବ ପୋଷଣ କରନ୍ତି। କେବଳ ସେତିକି ନୁହେଁ, ଇସ୍ରାଏଲର ପରମ ଶତ୍ରୁ ଇରାନ ମଧ୍ୟ ଏକ ସିହା ବହୁଳ ରାଷ୍ଟ୍ର ହୋଇଥିବାରୁ ‘ଆଇସିସ୍‌’ର ଘୃଣାର ଶରବ୍ୟ ହୋଇଥାଏ। ତେଣୁ, ‘ଆଇସିସ୍‌’ ପ୍ରତି ଇସ୍ରାଏଲର ଏକ ପ୍ରଚ୍ଛନ୍ନ ସମର୍ଥନ ରହିଥିବା ନେଇ ଅନେକ ବିଶେଷଜ୍ଞ ଏକମତ ହୁଅନ୍ତି। ସେହି ଦୃଷ୍ଟିରୁ ଇରାନରେ ସଂଘଟିତ ଏହି ଆତଙ୍କବାଦୀ ଆକ୍ରମଣ ଇସ୍ରାଏଲ୍ ସକାଶେ ସନ୍ତୋଷଦାୟକ ହୋଇଥିବ ବୋଲି ଏହି ବିଶେଷଜ୍ଞମାନେ କହିଥାଆନ୍ତି; କାରଣ ଜାଣତ ବା ଅଜାଣତରେ ‘ଆଇସିସ୍‌’ର ଆଚରଣ ଇସ୍ରାଏଲ୍‌ର ‘ପ୍ରକ୍‌ସି’ ଭଳି ହିଁ ହୋଇଛି। ସୁତରାଂ, ‘ଆଇସିସ୍‌’ ପ୍ରତି ଇସ୍ରାଏଲର ଏଭଳି ଆଭିମୁଖ୍ୟକୁ ସେହି ବିଶେଷଜ୍ଞମାନେ ‘ରଣନୈତିକ ସୁବିଧାବାଦ’ର ନିଦର୍ଶନ ବୋଲି ପରିଭାଷିତ କରନ୍ତି। ଏଭଳି ସ୍ଥିତିରେ ଯେଉଁ ଚରମ ବିପଦଟି ଦୃଶ୍ୟମାନ ହୋଇଥାଏ, ତାହା ହେଲା ‘ଆତଙ୍କବାଦୀ’ ଏବଂ ‘ଆତଙ୍କବାଦ’ର ପରିଭାଷା ରଣନୈତିକ ଦୃଷ୍ଟିକୋଣରୁ ବଦଳି ଯାଇପାରେ; ଗୋଟିଏ ରାଷ୍ଟ୍ରର ଚକ୍ଷୁରେ ଆତଙ୍କବାଦୀ ଆଉ ଗୋଟିଏ ରାଷ୍ଟ୍ର ଦ୍ବାରା ମହିମା ମଣ୍ଡିତ ହୋଇପାରେ; ଯେମିତି ସୋଲେମାନୀ ସଂଦର୍ଭରେ ଘଟିଛି ଏବଂ ସଦ୍ୟ ଇରାନରେ ଭୟାବହ ଆକ୍ରମଣ ରଚନା କରିଥିବା ‘ଆଇସିସ୍‌’ ମଧ୍ୟ କେତେକ ରାଷ୍ଟ୍ରଙ୍କ ନିରବ ସମର୍ଥନ ଲାଭ କରିପାରେ।
ସୋଲେମାନୀ ସମଗ୍ର ସିହା ସଂପ୍ରଦାୟ ଲାଗି କିଂବଦନ୍ତିର ନାୟକ ତୁଲ୍ୟ ହୋଇଥିବା ବେଳେ ଆମେରିକା ବା ତାହାର ସହଯୋଗୀଙ୍କ ଚକ୍ଷୁରେ ସେ ଜଣେ କୁଖ୍ୟାତ ଆତଙ୍କବାଦୀ। ‘ହିଜବୋଲ୍ଲା’ ବା ‘ହୁଥି’ ବା ‘ହମାସ’ ଭଳି ସଂଗଠନ ଆତଙ୍କବାଦୀ ରୂପେ ପାଶ୍ଚାତ୍ୟ ଦେଶ ଦ୍ବାରା ପରିଭାଷିତ ହେଉଥିବା ବେଳେ ଏସିଆ ଏବଂ ଆଫ୍ରିକାରେ ସେମାନେ ଆରବ ଅଧିକାର ଲାଗି ଯୁଦ୍ଧାରେ ବ୍ୟାପୃତ ଯୋଦ୍ଧା। କାଶ୍ମୀର ସଂପର୍କିତ ଆତଙ୍କବାଦ ପରିପ୍ରେକ୍ଷୀରେ ଭାରତ ଏଭଳି ଦ୍ବିଧାଭରା ପରିସ୍ଥିତିର ସମ୍ମୁଖୀନ ବହୁ ପୂର୍ବରୁ ହୋଇ ସାରିଛି, ଯେତେବେଳେ ଅନେକ ଦିନ ପର୍ଯ୍ୟନ୍ତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଏହି ଆତଙ୍କବାଦୀମାନଙ୍କୁ କାଶ୍ମୀରର ‘ଆଜାଦୀ’ ଲାଗି ଲଢୁଥିବା ସଂଗ୍ରାମୀ ଭଳି ମାନ୍ୟତା ଦେଉଥିଲେ। ଏହାର ଆଉ ଏକ ଉଦାହରଣ ଏବେ ମିଳିଛି, ଯେତେବେଳେ ଖଲିସ୍ତାନୀ ଆତଙ୍କବାଦୀମାନଙ୍କୁ ସୁରକ୍ଷା ଦେବାରେ ଯୁକ୍ତରାଷ୍ଟ୍ର ଆମେରିକା ବା କାନାଡା ଭଳି ରାଷ୍ଟ୍ର ବ୍ୟାକୁଳ! କହିବା ବାହୁଲ୍ୟ ଯେ ଏହାର କାରଣ ହେଉଛି ‘ରାଜନୈତିକ ଓ ରଣନୈତିକ ସୁବିଧାବାଦ’, ଯାହା ସ୍ବାର୍ଥ ସିଦ୍ଧିର ଆୟୁଧରେ ପରିଣତ ହୋଇଥାଏ ଏବଂ ସେଭଳି ସ୍ଥଳେ ଯେଉଁ ସର୍ବାଧିକ ସଂଶୟାଚ୍ଛନ୍ନ ପ୍ରଶ୍ନର ଆବିର୍ଭାବ ଘଟେ, ତାହା ହେଲା କିଏ କେଉଁ ପକ୍ଷର? କିଏ କାହାର?