ଅଶାନ୍ତ ସାଗର

ଏକ ମୁଖ୍ୟ ଆଲୋଡ଼ନକାରୀ ବିଷୟ ହେଲା ପୂର୍ବରୁ ଘଟି ନ ଥିବା ଭଳି ଘଟଣା ଏବେ ଘଟିବା ଆରମ୍ଭ ହୋଇଛି। ଆତଙ୍କବାଦର ପ୍ରଥମ ତରଙ୍ଗରେ ତାହାର ଭୟାବହତା କେବଳ ସ୍ଥଳ ଭାଗରେ ହିଁ ସୀମିତ ହୋଇ ରହିଥିଲା। ହେଲେ, ସଂପ୍ରତି ତା’ର ଦ୍ବିତୀୟ ତରଙ୍ଗ ପ୍ରାରମ୍ଭ ହେଉ ହେଉ ଭୟଙ୍କର ପରିଣାମ ଉଛୁଳି ପଡ଼ି ଜଳ ଭାଗରେ ପ୍ରବେଶ କଲାଣି। ଏହା ଦ୍ବାରା ସାଗର ବକ୍ଷ ଅଶାନ୍ତ ହୋଇ ପଡ଼ିଛି। ଏବଂ ମ‌େନ ରହିବା ଉଚିତ ଯେ ସାଂପ୍ରତିକ ବିଶ୍ବ ଅର୍ଥନୀତି ଦୃଷ୍ଟିରୁ ଅଶାନ୍ତ ସାଗର ଏକ ଅଶୁଭ ସଂକେତ। କାରଣ ଏହାର ଯେଉଁ ଦୁଷ୍ପ୍ରଭାବ ସ୍ଥଳ ଭାଗ ଉପରେ ପଡ଼ିବ, ତାହାର ମୁକାବିଲା କରିବା ଅଧିକ ଆହ୍ବାନଭରା ଓ କଷ୍ଟସାଧ୍ୟ ହୋଇ ଉଠିବ!

ଗଲା ୫ ତାରିଖ ଦିନ ଭାରତୀୟ ନୌ ବାହିନୀର ବିଶାଳ ସମର ତରୀ ଆଇଏନ୍‌ଏସ୍‌ ଚେନ୍ନାଇରେ ଆରୂଢ଼ କ‌ମା‌ଣ୍ଡୋଗଣ ଏକ ଅପହୃତ ଲାଇବେରୀୟ ପତାକାଧାରୀ ଜାହାଜକୁ ଜଳ ଦସ୍ୟୁମାନଙ୍କ ହାତରୁ ମୁକ୍ତ କରିବା ବିଷୟ ସଂପ୍ରତି ଚର୍ଚ୍ଚାର ବିଷୟ ହୋଇଛି, ଯାହା ଅନେକଙ୍କ ବିଚାରରେ ଗୁରୁତ୍ବପୂର୍ଣ୍ଣ ଅଥଚ ଏକ ସାମୟିକ ଉପଲବ୍‌ଧି ରୂପେ ବିବେଚିତ ହେଉଥିଲେ ହେଁ ବର୍ତ୍ତମାନର ଯୁଦ୍ଧ ଜର୍ଜର ମଧ୍ୟ-ପ୍ରାଚ୍ୟ ଏବଂ ଆତଙ୍କବାଦର ଦ୍ବିତୀୟ ତରଙ୍ଗର ଆବିର୍ଭାବଜନିତ ସଂକେତ ପରିପ୍ରେକ୍ଷୀରେ ଯେ ଏହାର ପ୍ରଭାବ ସୁଦୂରପ୍ରସାରୀ ହୋଇପାରେ, ତାହା କହିବା ବାହୁଲ୍ୟ ମାତ୍ର। ହମାସ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ କ୍ରମେ ତୀବ୍ରତର ହୋଇ ଉଠୁଥିବା ବେ‌ଳେ ୟେମେନରୁ ହୁଥି ମିଲିସିଆ ସଂଗଠନ ଦ୍ବାରା ଏହାର ପ୍ରତିକ୍ରିୟାତ୍ମକ ଆକ୍ରମଣ ସାଗର ବକ୍ଷର ଯେଉଁ ଅଂଶକୁ ଅତ୍ୟନ୍ତ ଅଶାନ୍ତ କରି ପକାଇଛି, ତହିଁରେ ପୃଥିବୀର ଅନ୍ୟତମ ସର୍ବାଧିକ ବ୍ୟସ୍ତ ଜଳପଥ ଅନ୍ତର୍ଭୁକ୍ତ ଏବଂ ଏହି ପରିସ୍ଥିତି ବଳବତ୍ତର ରହିଲେ ଯେ ଅଧିକାଂଶ ଏସୀୟ ଏବଂ ୟୁରୋପୀୟ ରାଷ୍ଟ୍ର ଉତ୍କଟ ଶକ୍ତି ସଂକଟ ଏବଂ ବିପୁଳ ଆର୍ଥିକ କ୍ଷତିର ସମ୍ମୁଖୀନ ହେବେ, ତାହା କହିବା ନିଷ୍ପ୍ରୟୋଜନ। ଏହି ପରିପ୍ରେକ୍ଷୀରେ ସାଂପ୍ରତିକ ଅଶାନ୍ତ ସାଗର ଏବଂ ତାହାର ସମ୍ଭାବ୍ୟ ପରିଣାମ ଇତ୍ୟାଦି ନେଇ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଏହି ସାହସିକ ଉଦ୍ଧାର ଘଟଣାରେ ଦେଖିବାକୁ ମିଳିଛି ଯେ ତାମିଲନାଡୁ ତଟର ମାତ୍ର ୨୦୦ ‘ନଟିକାଲ ମାଇଲ୍‌’ ଦୂରତାରେ ଏହି ଅପହୃତ ଜାହାଜରୁ ବିକଳ ‘ତ୍ରାହି ମାଂ’ ସ‌େନ୍ଦଶ ପାଇବା ମାତ୍ରକେ କିଭଳି ଭାରତୀୟ ନୌ ସେନାର କମାଣ୍ଡୋମାନେ ସେଠାରେ ପହଞ୍ଚି ଯାଇଥିଲେ, ଯାହା ଦେଖି ଭୟାର୍ତ୍ତ ସୋମାଲୀ ଅପହର୍ତ୍ତାମାନେ ଅଗତ୍ୟା ଜାହାଜଟିକୁ ତ୍ୟାଗ କରି ପଳାୟନ କରିବାକୁ ବାଧ୍ୟ ହୋଇଥିଲେ। ଉଲ୍ଲେଖ ଥାଉ କି ଜାହାଜରେ ଥିବା ୨୨ ଜଣିଆ କର୍ମଚାରୀ ଦଳରେ ଭାରତୀୟଙ୍କ ସଂଖ୍ୟା ଥିଲା ୧୫, ଯେଉଁମାନଙ୍କ ‘ଭାରତ ମାତା କୀ ଜୟ’ ଧ୍ବନିରେ ଚତୁର୍ଦ୍ଦିଗ ଗୁଂଜରି ଉଠିଥିଲା। କିନ୍ତୁ, ସଂଦର୍ଭରେ ଉପୁଜିଥିବା ମୂଳ ପ୍ରଶ୍ନଟି ହେଲା ୨୦୧୯ ମସିହା ଠାରୁ ସୋମାଲୀ ଜଳ ଦସ୍ୟୁମାନଙ୍କ ଉପଦ୍ରବ ଶୂନ୍ୟପ୍ରାୟ ହୋଇଯାଇଥିବା ବେଳେ ହଠାତ୍‌ ପୁନର୍ବାର ଏଭଳି ଘଟଣାମାନ ଘଟିବା ଆରମ୍ଭ କରିଛି କାହିଁକି? ଉଲ୍ଲେଖଯୋଗ୍ୟ ଯେ ଅତି କମ୍‌ ସମୟ ବ୍ୟବଧାନରେ ଏହା ହେଉଛି ଦ୍ବିତୀୟ ଜାହାଜ ଅପହରଣ ଉଦ୍ୟମ। ସୁତରାଂ, ପ୍ରଶ୍ନ ହେଲା, ‘ହୁଥି’ ଆତଙ୍କବାଦୀ ସଂଗଠନ ପକ୍ଷରୁ ଆରମ୍ଭ ହୋଇଥିବା କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ ଦ୍ବାରା ଅଶାନ୍ତ ଲୋହିତ ଏବଂ ଆରବ ସାଗରୀୟ ଅଞ୍ଚଳରେ ଅରାଜକତାର ସୁଯୋଗ ନେଇ ସୋମାଲୀ ଜଳ ଦସ୍ୟୁମାନେ ପୁଣି ସକ୍ରିୟ ହେଲେଣି କି? ନା ଅନେକ ବିଶେଷଜ୍ଞ କହୁଥିବା ଭଳି ଏହା ଏକ ‘ହାଇବ୍ରିଡ୍‌ ଯୁଦ୍ଧ’ର ଅଂଶ? ପ୍ରକାଶ ଥାଉ କି ଫ୍ରାଙ୍କ ହଫମ୍ୟାନଙ୍କ ଦ୍ବାରା ସୃଷ୍ଟ ତତ୍ତ୍ବ ‘ହାଇବ୍ରିଡ୍‌ ଯୁଦ୍ଧ’ର ଅର୍ଥ ହେଲା ଏକକା‌ଳୀନ ଅନେକ ସାମ୍ମୁଖ୍ୟରୁ ଆକ୍ରମଣ, ଯଦିଁରେ ସାଇବର ହ୍ୟାକିଂ ବା ଆତଙ୍କବାଦକୁ ପ୍ରୋତ୍ସାହନ ବା ନିଶା ଦ୍ରବ୍ୟର ଚୋରା ଚାଲାଣ ଆଦିକୁ ଆୟୁଧ ରୂପେ ବ୍ୟବହାର କରାଯାଇପାରେ। ସୁତରାଂ, ଏହି ବିଶେଷଜ୍ଞମାନଙ୍କ ମତରେ ଲୋହିତ ସାଗରୀୟ ଅଞ୍ଚଳରେ ହୁଥିମାନଙ୍କ ଦ୍ବାରା ସୃଷ୍ଟ ଆତଙ୍କ ଓ ଅରାଜକ ପରିବେଶକୁ ଆହୁରି ଅଧିକ ଘନୀଭୂତ କରିବା ସକାଶେ ଜାହାଜ ଅପହରଣର ଧାରା ପୁନର୍ବାର ଦୃଷ୍ଟିଗୋଚର ହୋଇପାରେ! ଏହା ମଧ୍ୟ ସମ୍ଭବ ଯେ ‘ହୁଥି’ ବା ହିଜବୋଲ୍ଲା ଭଳି ମିଲିସିଆ ସଂଗଠନଗୁଡ଼ିକ ଲାଗି ଅର୍ଥ ଉପଲବ୍‌ଧ କରାଇବା ସକାଶେ ଜାହାଜ ଅପହରଣ ଏକ ମାଧ୍ୟମ ହୋଇଥିବ! ପ୍ରକାଶ ଥାଉ କି ୨୦୦୮ ମସିହାରୁ ୨୦୧୯ ମସିହା ମଧ୍ୟବର୍ତ୍ତୀ ସମୟଟି ସୋମାଲୀ ଜଳ ଦସ୍ୟୁମାନଙ୍କ ଉତ୍ପାତର ପ୍ରାବଲ୍ୟ ପ୍ରତ୍ୟକ୍ଷ କରିଥିଲା, ଯହିଁରେ କେବଳ ୨୦୧୧ ମସିହାରେ ୨୧୧ଟି ଜାହାଜ ସୋମାଲୀ ଜଳ ଦସ୍ୟୁଙ୍କ ଦ୍ବାରା ଅପହୃତ ହୋଇଥିଲା ଏବଂ ଏହାର ତୀବ୍ରତାର ଚରମ ସୀମାରେ ପୃଥିବୀ ବର୍ଷକୁ ପ୍ରାୟ ୧୮ ବିଲିଅନ ଡଲାରର କ୍ଷତି ସହୁଥିଲା। ଏଥିରେ ଦ୍ବିରୁକ୍ତିି ନାହିଁ ଯେ ପଣବନ୍ଦୀ ରୂପେ ରହିଥିବା ଅପହୃତ ଜାହାଜ ଏବଂ ତହିଁରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ମୁକ୍ତ କରିବା ଲାଗି ଆଦାୟ ହେଉଥିବା ଅତ୍ୟନ୍ତ ବିପୁଳ ପରିମାଣର ଅର୍ଥର ଏକ ବୃହଦାଂଶ ବିଭିନ୍ନ ଆତଙ୍କବାଦୀ ସଂଗଠନଗୁଡ଼ିକ ନିକଟକୁ ଯାଉଥିବ ମଧ୍ୟ ସୁନିଶ୍ଚିତ। ସେହି ଦୃଷ୍ଟିରୁ ସାଂପ୍ରତିକ ପରିସ୍ଥିତିରେ ହୁଥି ଏବଂ ହିଜବୋଲ୍ଲା ଭଳି ସଂଗଠନ ଅତ୍ୟନ୍ତ ସକ୍ରିୟ ହୋଇ ଉଠିଥିବା ବେଳେ ଏବଂ ‘ଆଇସିସ୍‌’ ଦ୍ବାରା ଇରାନରେ ଭୟାବହ ବୋମା ବିସ୍ଫୋରଣ ସଂଘଟିତ ହୋଇଥିବା ପରିପ୍ରେକ୍ଷୀରେ ‌େଯଉଁମାନେ ଆତଙ୍କବାଦର ଦ୍ବିତୀୟ ତରଙ୍ଗର ଆବିର୍ଭାବ ନେଇ ଶଙ୍କାଗ୍ରସ୍ତ, ସେମାନଙ୍କ ମତରେ ଏହି ଜାହାଜ ଅପହରଣ କେବଳ ଜଳ ଦସ୍ୟୁମାନଙ୍କ ଦ୍ବାରା ଏକ ଅସଂଲଗ୍ନ ଉପଦ୍ରବ ହୋଇ ଥାଇ ନ ପାରେ!
ଇସ୍ରାଏଲ୍‌ ଓ ହମାସ ଯୁଦ୍ଧ ପରିପ୍ରେକ୍ଷୀରେ ଉତ୍ତେଜନା ପ୍ରପୀଡ଼ିତ ଲୋହିତ ଏବଂ ଆରବ ସାଗରୀୟ ଅଞ୍ଚଳକୁ ଉପଦ୍ରବମୁକ୍ତ ରଖିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ବରେ ଏକ ବହୁଦେଶୀୟ ମିଳିତ ସୁରକ୍ଷା ଉଦ୍ୟମରେ ଆପାତତଃ ଭାରତ ‌େଯାଗ ଦେଇନାହିଁ। ଏହାର କାରଣ ସ୍ବରୂପ ଭାରତ ପକ୍ଷରୁ କୁହାଯାଇଛି ଯେ ଭାରତ ସ୍ବାଧୀନ ଭାବେ ଏହି ଉଦ୍ୟମରେ ଲିପ୍ତ ରହିବାକୁ ଚାହେଁ। ପ୍ରକାଶ ଥାଉ କି ୨୦୦୮ ମସିହା ଠାରୁ ଭାରତୀୟ ନୌ ବାହିନୀ ଜଳ ଦସ୍ୟୁ ଆକ୍ରମଣର ମୁକାବିଲା କରି ସଜାଗ ପ୍ରହରୀର ଭୂମିକା ନିର୍ବାହ କରି ଆସିଛି। ପ୍ରକାଶ ଥାଉ କି ଲୋହିତ ସାଗରରେ ଯେ କୌଣସି ସମୟ‌େର ପ୍ରାୟ ଶତାଧିକ ଜାହାଜ ଉପସ୍ଥିତ ଥାଆନ୍ତି ଏବଂ ସୁଏଜ୍‌ କେନାଲ ଦେଇ ମାଲ୍‌ ପରିବହନକାରୀ ଜାହାଜଗୁଡ଼ିକର ଯାତାୟାତ ବେଳେ ଭାରତୀୟ ନୌ ବାହିନୀର ଜାହାଜଗୁଡ଼ିକ ସ୍ବତଃପ୍ରବୃତ୍ତ ଭାବେ ସୁରକ୍ଷା ପ୍ରଦାନକାରୀ ପ୍ରହରୀର ଭୂମିକାରେ ଅବତୀର୍ଣ୍ଣ ହୋଇ ଆସିଛନ୍ତି। ଅନେକ ବିଶେଷଜ୍ଞଙ୍କ ମତରେ ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ବାଧୀନ ବହୁଦେଶୀୟ ମିଳିତ ସୁରକ୍ଷା ଉଦ୍ୟମରେ ଭାରତ ସହସା ସାମିଲ ନ ହେବା ପଛରେ ରହିଛି ଭାରତର ସ୍ବତନ୍ତ୍ର ଭୂ-ରାଜନୈତିକ ଓ ରଣନୈତିିକ ଆଭିମୁଖ୍ୟ, ଯାହା ହେଲା ଭାରତ କୌଣସି ନିର୍ଦ୍ଦିଷ୍ଟ ପକ୍ଷଭୁକ୍ତ ହେବାକୁ ଚାହିଁ ନ ଥାଏ। କହିବା ବାହୁଲ୍ୟ, ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ବାଧୀନ କୌଣସି ଗୋଷ୍ଠୀରେ ସାମିଲ ହେବାର ଅର୍ଥ ଇସ୍ରାଏଲକୁ ସମର୍ଥନ କରିବା। ଏ ପରିପ୍ରେକ୍ଷୀରେ ଯଦି ଜାତିସଂଘ ପକ୍ଷରୁ ଏଭଳି ଉଦ୍ୟମ ହୁଅନ୍ତା, ତେବେ ବୋଧହୁଏ ଭାରତ ତାହାର ଏକ ଅଂଶ ହୁଅନ୍ତା, ନଚେତ ସାଗର ବକ୍ଷ‌େ‌ର ଏକ ସ୍ବାଧୀନ ସଜାଗ ପ୍ରହରୀ ଭାବେ ଭାରତ ନିଜକୁ ପ୍ରତିପାଦନ କରିବାକୁ ଅଧିକ ଶ୍ରେୟସ୍କର ମଣିବ।
ତେବେ, ଏକ ମୁଖ୍ୟ ଆଲୋଡ଼ନକାରୀ ବିଷୟ ହେଲା ପୂର୍ବରୁ ଘଟି ନ ଥିବା ଭଳି ଘଟଣା ଏବେ ଘଟିବା ଆରମ୍ଭ ହୋଇଛି। ଆତଙ୍କବାଦର ପ୍ରଥମ ତରଙ୍ଗରେ ତାହାର ଭୟାବହତା କେବଳ ସ୍ଥଳ ଭାଗରେ ହିଁ ସୀମିତ ହୋଇ ରହିଥିଲା। ହେଲେ, ସଂପ୍ରତି ତା’ର ଦ୍ବିତୀୟ ତରଙ୍ଗ ପ୍ରାରମ୍ଭ ହେଉ ହେଉ ଭୟଙ୍କର ପରିଣାମ ଉଛୁଳି ପଡ଼ି ଜଳ ଭାଗରେ ପ୍ରବେଶ କଲାଣି। ଏହା ଦ୍ବାରା ସାଗର ବକ୍ଷ ଅଶାନ୍ତ ହୋଇ ପଡ଼ିଛି। ଏବଂ ମ‌େନ ରହିବା ଉଚିତ ଯେ ସାଂପ୍ରତିକ ବିଶ୍ବ ଅର୍ଥନୀତି ଦୃଷ୍ଟିରୁ ଅଶାନ୍ତ ସାଗର ଏକ ଅଶୁଭ ସଂକେତ। କାରଣ ଏହାର ଯେଉଁ ଦୁଷ୍ପ୍ରଭାବ ସ୍ଥଳ ଭାଗ ଉପରେ ପଡ଼ିବ, ତାହାର ମୁକାବିଲା କରିବା ଅଧିକ ଆହ୍ବାନଭରା ଓ କଷ୍ଟସାଧ୍ୟ ହୋଇ ଉଠିବ!

ସମ୍ବନ୍ଧିତ ଖବର