ଶେଷରେ ମନେ ରଖିବାକୁ ହେବ ଯେ ଗ୍ରାହକମାନେ ଲାଲ୍ ଗାର ଅତିକ୍ରମ କରିବେ କି ନାହିଁ, ତାହା ହେଉଛି ଏକ ଅର୍ଥନୈତିକ ପ୍ରଶ୍ନ- ଯୋଗାଣ ଓ ଚାହିଦାର ପ୍ରଶ୍ନ। ରୋଗୀମାନଙ୍କର ଚାହିଦା ତୁଳନାରେ ଡାକ୍ତରମାନଙ୍କ ଯୋଗାଣ ସୀମିତ ଥିବା ପର୍ଯ୍ୟନ୍ତ ଲାଲ୍ ଗାର ଉଲ୍ଲଂଘନ ହୋଇଚାଲିଥିବ। ଦେଶରେ ସ୍ବାସ୍ଥ୍ୟ ସେବା ସହଜରେ ଉପଲବ୍ଧ କରାଯିବା ହିଁ ହେଉଛି ଏ ସମସ୍ୟାର ସମାଧାନର ଏକମାତ୍ର ଉପାୟ।
ଆଧୁନିକ ଔଷଧ ବିଜ୍ଞାନର ଯେଉଁ ଆବିଷ୍କାର ମନୁଷ୍ୟ ପାଇଁ ସଞ୍ଜୀବନୀ ଭଳି କାର୍ଯ୍ୟ କରି ସର୍ବାଧିକ ସଂଖ୍ୟକ ଜୀବନ ରକ୍ଷା କରି ଚାଲିଛି, ତାହା ହେଉଛି ଆଣ୍ଟିବାେୟାଟିକ୍ସ। କିନ୍ତୁ ଏହି ଆମୋଘ ଔଷଧର ଅନିୟନ୍ତ୍ରିତ ବ୍ୟବହାର ଏକ ବିପଜ୍ଜନକ ସମସ୍ୟାକୁ ଜନ୍ମ ଦେଇଛି। ଏହାର ଅତିରିକ୍ତ ବ୍ୟବହାର ଯୋଗୁଁ ଅନେକ ବୀଜାଣୁମାନଙ୍କ ଠାରେ ଏକ ଆଣ୍ଟିବାୟୋଟିକ୍ ପ୍ରତିରୋଧିନୀ ଶକ୍ତି ସୃଷ୍ଟି ହେଉଛି, ଯାହାକୁ ‘ଆଣ୍ଟିମାଇକ୍ରୋବାୟାଲ୍ ରେଜିଷ୍ଟାନ୍ସ’ (‘ଏଏମ୍ଆର୍’) ରୂପେ ଅଭିହିତ କରାଯାଇଥାଏ। ‘ଏଏମ୍ଆର୍’ ପୃଥିବୀସାରା ଏକ ନୂତନ ଓ ଗୁରୁତର ଜନସ୍ବାସ୍ଥ୍ୟ ସମସ୍ୟା ରୂପେ ଆବିର୍ଭୂତ ହୋଇଛି ଏବଂ ଚିନ୍ତାଜନକ ଭାବରେ ଭାରତ ପୃଥିବୀର ‘ଏଏମ୍ଆର୍’ ରାଜଧାନୀ ରୂପେ କୁଖ୍ୟାତି ଲାଭ କରିଛି। ଭାରତର ସର୍ବୋଚ୍ଚ ନିୟନ୍ତ୍ରକ ସଂସ୍ଥା ‘ଡାଇରେକ୍ଟରେଟ ଜେନେରାଲ୍ ଅଫ୍ ହେଲ୍ଥ ସର୍ଭିସେସ୍’ (ଡିଜିଏଚ୍ଏସ) ଏଥିପାଇଁ ଏବେ ଡାକ୍ତର ଓ ଫାର୍ମାସିଷ୍ଟମାନଙ୍କ ପାଇଁ ଏକ ନିର୍ଦ୍ଦେଶାବଳୀ ଘୋଷଣା କରିଛି ଯେଉଁଥିରେ ସେମାନଙ୍କୁ ସୁଚିନ୍ତିତ ଭାବରେ ଔଷଧପତ୍ର ବ୍ୟବହାର ନିଶ୍ଚିତ କରିବାକୁ ଆହ୍ବାନ ଦିଆଯାଇଛି। ଏଣିକି ଆଣ୍ଟିବାୟୋଟିକ୍ସ, ଆଣ୍ଟିଭାଇରାଲ୍ସ, ଆଣ୍ଟିଫଙ୍ଗାଲ୍ ଓ ଆଣ୍ଟିପାରାସାଇଟିକ୍ସ ସେବନ ପାଇଁ ରୋଗୀକୁ ପରାମର୍ଶ ଦେବା ବେଳେ ଡାକ୍ତରଙ୍କୁ ତାହାର କାରଣ, ଯଥାର୍ଥତା ଆଦି ମଧ୍ୟ ଉେଲ୍ଲଖ କରିବାକୁ ହେବ। ଭାରତକୁ ଏବେ ବି ଯକ୍ଷ୍ମା, ହଇଜା, ମ୍ୟାଲେରିଆ ଆଦି ଭଳି ଜନସ୍ବାସ୍ଥ୍ୟ ଶତ୍ରୁମାନଙ୍କ ସହିତ ଲଢ଼ିବାକୁ ପଡୁଥିବା ବେଳେ, ଏହି ନୂତନ ମନୁଷ୍ୟକୃତ ସମସ୍ୟା ଦେଶ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ଆବିର୍ଭୂତ ହୋଇଛି।
ତେବେ ଏହା ମଧ୍ୟ ସତ ଯେ ଭାରତରେ ଏହି ସମସ୍ୟାର ହଠାତ୍ ଆବିର୍ଭାବ ଘଟିନାହିଁ। ଦଶନ୍ଧି ଦଶନ୍ଧି ଧରି ଆଣ୍ଟିମାଇକ୍ରୋବାୟାଲ୍ ଔଷଧମାନଙ୍କର ଅବିଚାରିତ ବ୍ୟବହାର ଫଳରେ ଏଠାରେ ଶେଷରେ ବୀଜାଣୁମାନଙ୍କର ଆବିର୍ଭାବ ଘଟିଛି ଯେଉଁମାନେ ଏକାଧିକ ଔଷଧକୁ ପ୍ରତିରୋଧ କରି ପାରନ୍ତି (‘ମଲ୍ଟିଡ୍ରଗ୍ ରେଜିଷ୍ଟାନ୍ଟ’ ବା ‘ଏମ୍ଡିଆର୍’) ବା ବ୍ୟାପକ ଔଷଧ-ପ୍ରତିରୋଧନକ୍ଷମ (ଏକ୍ସଟେନ୍ସିଭ୍ଲି ଡ୍ରଗ୍ ରେଜିଷ୍ଟାଣ୍ଟ ବା ‘ଏକ୍ସଡିଆର୍’) ହୋଇଥାନ୍ତି। ଭାରତୀୟମାନେ ସ୍ବାସ୍ଥ୍ୟ ସେବା ପାଇବା ପାଇଁ ବିଶେଷ ଭାବରେ ଘରୋଇ କ୍ଷେତ୍ର ଉପରେ ନିର୍ଭର କରିଥାନ୍ତି। ଅଧିକାଂଶ ସମୟରେ ରୋଗୀର ଅସୁସ୍ଥତା ପାଇଁ ଦାୟୀ ନିର୍ଦ୍ଦିଷ୍ଟ ବୀଜାଣୁକୁ ଚିହ୍ନଟ ନ କରି ଡାକ୍ତର ତାକୁ ଏକ ବ୍ରଡ୍ସ୍ପେକ୍ଟ୍ରମ୍ ଆଣ୍ଟିବାୟୋଟିକ୍ ସେବନ କରିବାକୁ ପରାମର୍ଶ ଦେଇଥାନ୍ତି, ଯାହା ମୂଷା ମାରିବା ପାଇଁ ପୂରା ଘରକୁ ପୋଡ଼ି ଦେବା ଭଳି ହୋଇଥାଏ। ରୋଗୀମାନେ ମଧ୍ୟ ଅନେକ ସମୟରେ କୌଣସି ଡାକ୍ତରଙ୍କ ସହିତ ପରାମର୍ଶ ନ କରି ଆପଣାଛାଏଁ ଔଷଧ ଦୋନାକରୁ ଆଣ୍ଟିବାେୟାଟିକ୍ କ୍ରୟ କରି ସେବନ କରିବା ଦେଖାଯାଇଥାଏ।
ସେତିକି ନୁହେଁ, ଭାରତ ପୃଥିବୀର ଏକ ପ୍ରମୁଖ ଔଷଧ ନିର୍ମାଣକାରୀ ଦେଶ ହୋଇଥିବା ମଧ୍ୟ ଏହି ସମସ୍ୟାକୁ ଆହୁରି ଜଟିଳ କରିଥାଏ। ଔଷଧ କାରଖାନାମାନଙ୍କରୁ ନିର୍ଗତ ଆବର୍ଜନା ପାଣିରେ ଅନେକ ଆଣ୍ଟିବାେୟାଟିକ୍ ଅଂଶ ଉପସ୍ଥିତ ଥାଏ। ଏହି ଆବର୍ଜନା ପାଣି ଶେଷରେ ଯାଇ ନଈନାଳରେ ପ୍ରବେଶ କରି ସେ ପାଣିର ବ୍ୟବହାରକାରୀମାନଙ୍କ ଠାରେ ‘ଏଏମ୍ଆର୍’ ସୃଷ୍ଟି କରିଥାଏ। ସେଇଭଳି ହସ୍ପିଟାଲମାନଙ୍କରୁ ନିର୍ଗତ ଆବର୍ଜନା ପାଣିରେ ଆଣ୍ଟିବାେୟାଟିକ୍ସର ଧାସ ଉପସ୍ଥିତ ଥାଏ, ଯାହା ଅନ୍ୟାନ୍ୟ ଜଳ ଉତ୍ସମାନଙ୍କୁ ପ୍ରଦୂଷିତ କରିଥାଏ। ଉତ୍ତରରେ ଗଙ୍ଗାରୁ ଦକ୍ଷିଣରେ କାବେରୀ ପର୍ଯ୍ୟନ୍ତ ନଦୀମାନଙ୍କର ଜଳରେ ଏଭଳି ସାଂଘାତିକ ‘ଆଣ୍ଟିମାଇକ୍ରୋବାୟାଲ୍ ରେଜିଷ୍ଟାନ୍ସ’ ସମ୍ପନ୍ନ ବୀଜାଣୁମାନ ଉପସ୍ଥିତ ଥିବା ପରୀକ୍ଷାରୁ ଜଣାପଡ଼ିଛି। ପୁଣି ବଜାରରେ ଅନେକ ଏମିତି ଆଣ୍ଟିବାୟୋଟିକ୍ସ ଉପଲବ୍ଧ ହୋଇଥାନ୍ତି, ଯେଉଁଗୁଡ଼ିକ ଉପଯୁକ୍ତ ଗୁଣାତ୍ମକମାନ ବିଶିଷ୍ଟ ହୋଇନଥାନ୍ତି। ଏଭଳି ନିମ୍ନମାନର ଔଷଧ ରୋଗୀର ଶରୀରରେ ସମ୍ପୂର୍ଣ୍ଣ ରୂପେ ମିଳେଇ ନ ଯାଇ ତାହାର ଏକ ବିଶେଷ ଅଂଶ ରୋଗୀର ମୂଳମୂତ୍ର ମାଧ୍ୟମରେ ମୃତ୍ତିକା ଓ ଜଳଉତ୍ସରେ ପ୍ରବେଶ କରି ଶେଷରେ ଖାଦ୍ୟ ପାନୀୟ ଶୃଙ୍ଖଳରେ ପ୍ରବେଶ କରିଥାଏ। ଏଭଳି ଦୁର୍ବଳ ଔଷଧମାତ୍ରା ସମ୍ପୃକ୍ତ ବୀଜାଣୁକୁ ଧ୍ବଂସ କରିବା ପରିବର୍ତ୍ତେ ସେମାନଙ୍କ ଠାରେ ଏସବୁ ଆଣ୍ଟିବାୟୋଟିକ୍ସମାନଙ୍କ ପ୍ରତି ପ୍ରତିରୋଧିନୀ ଶକ୍ତି ସୃଷ୍ଟି କରିଥାଏ।
କୃଷି ଓ ପଶୁପାଳନରେ ଆଣ୍ଟିମାଇକ୍ରୋବାୟାଲ୍ସର ବ୍ୟାପକ ବ୍ୟବହାର ମଧ୍ୟ ଏହି ସମସ୍ୟାକୁ ଆହୁରି ଗୁରୁତର କରିଥାଏ। ପାଳିତ ପଶୁମାନଙ୍କର ଶରୀରରେ ଦ୍ରୁତ ବୃଦ୍ଧି ଘଟାଇବା ପାଇଁ କୋଲିଷ୍ଟିନ୍ ନାମକ ଆଣ୍ଟିବାୟୋଟିକ୍ ଭାରତରେ ବହୁଳ ଭାବରେ ବ୍ୟବହୃତ ହେବା ଦେଖାଯାଇଥାଏ। ‘ସେଣ୍ଟର୍ ଫର୍ ଡିଜିଜ୍ ଡାଇନାମିକ୍ସ ଇକ୍ନୋମିକ୍ସ ଆଣ୍ଡ ପଲିସି’ର ସେର୍ବକ୍ଷଣ ଅନୁସାରେ କୃଷିରେ ଆଣ୍ଟିବାୟୋଟିକ୍ ବ୍ୟବହାରରେ ଭାରତ ହେଉଛି ପୃଥିବୀରେ ଏକ ଅଗ୍ରଣୀ ଦେଶ।
ଅବଶ୍ୟ ଆଣ୍ଟିବାୟୋଟିକ୍ସର ଅନିୟନ୍ତ୍ରିତ ବ୍ୟବହାରର ବିପଦ ପ୍ରତି ସଚେତନ ରହି ଭାରତରେ ତାହାକୁ ଡ୍ରଗ୍ ରୁଲ୍ସ, ୧୯୪୫ର ‘ସେଡ୍ୟୁଲ ଏଚ୍’ ଓ ‘ସେଡ୍ୟୁଲ ଏଚ୍ ୧’ରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ସେଡ୍ୟୁଲ୍ ଅନ୍ତର୍ଗତ ଔଷଧମାନ କେବଳ ଜଣେ ରେଜିଷ୍ଟ୍ରିକୃତ ଚିକିତ୍ସକଙ୍କ ପରାମର୍ଶ କ୍ରମେ ବିକ୍ରୟ କରାଯାଇପାରିଥାଏ। କିନ୍ତୁ ସଚେତନତା ଅଭାବରୁ ଏବଂ ନିୟମର କଡ଼ାକଡ଼ି ପ୍ରୟୋଗ ଅଭାବରୁ ଭାରତରେ ଔଷଧ ଦୋକାନରେ ପ୍ରାୟ ସମସ୍ତ ପ୍ରକାର ଆଣ୍ଟିବାୟୋଟିକ୍ସମାନ ଡାକ୍ତରଙ୍କ ପ୍ରେସ୍କ୍ରିପ୍ସନ୍ ନ ଥାଇ ମଧ୍ୟ ଅବାଧେର ବିକ୍ରୟ ହୋଇଥାଏ। ତେବେ ଭାରତରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବାସ୍ତବ ପରିସ୍ଥିତି ଉପରେ ଦୃଷ୍ଟି ନିକ୍ଷେପ କଲେ, ଏଠାରେ ଆଣ୍ଟିବାୟୋଟିକ୍ସର ଏପରି ଅବାଧ ଉପଲବ୍ଧତା ନେଇ ଆଶ୍ଚର୍ଯ୍ୟ ହେବାର କିଛି ନ ଥାଏ। ଏଠାରେ ଲୋକସଂଖ୍ୟା ତୁଳନାରେ ଡାକ୍ତର ସଂଖ୍ୟା ଅତ୍ୟନ୍ତ ନଗଣ୍ୟ ହୋଇଥାଏ ଏବଂ ସାଧାରଣ ଲୋକମାନଙ୍କ ପାଇଁ ଜଣେ ଡାକ୍ତରଙ୍କ ଦର୍ଶନ ମିଳିବା ଏକ ଅତ୍ୟନ୍ତ ସମୟସାପେକ୍ଷ, ଦୁରୂହ ଓ ଅନେକ ସମୟରେ ବ୍ୟୟବହୁଳ ସମ୍ଭାବନା ହୋଇଥାଏ। ତେଣୁ ଅନେକ ସମୟରେ ଜ୍ବର, ସର୍ଦ୍ଦି, ଝାଡ଼ା ଆଦି ଭଳି ସାଧାରଣ ବ୍ୟାଧି ପାଇଁ ସେମାନେ ଡାକ୍ତରଙ୍କ ଦ୍ବାରସ୍ଥ ନ ହୋଇ ନିଜ ଅନୁଭୂତି ଆଧାରରେ କିମ୍ବା ଔଷଧ େଦାକାନୀଙ୍କ ପରାମର୍ଶରେ ଔଷଧ କ୍ରୟ କରି ବ୍ୟବହାର କରିଥାନ୍ତି।
ଏହାକୁ ଦୃଷ୍ଟିରେ ରଖି ୨୦୧୬ରେ କେନ୍ଦ୍ର ସରକାରଙ୍କର ‘ସ୍ବାସ୍ଥ୍ୟ ଓ ପରିବାର ମଙ୍ଗଳ’ ମନ୍ତ୍ରଣାଳୟ ‘ଏଏମ୍ଆର୍’ ବିରୁଦ୍ଧରେ ଏକ ଲାଲ୍ ଗାର ସଚେତନତା (ରେଡ୍ ଲାଇନ୍ ଆୱେର୍ନେସ୍) ଅଭିଯାନ ଆରମ୍ଭ କରିଥିଲା, ଯାହା ଅନୁସାରେ ଜନସାଧାରଣଙ୍କୁ ଏକ ଲାଲ୍ ଗାର ଦ୍ବାରା ଚିହ୍ନିତ ଔଷଧ କୌଣସି ଡାକ୍ତରଙ୍କ ବିନା ପରାମର୍ଶରେ କ୍ରୟ ନ କରିବାକୁ ଆହ୍ବାନ ଦିଆଯାଇଥିଲା। ଏହି ଉଦ୍ୟମ ପାଇଁ ଭାରତ ମଧ୍ୟ ସେ ସମୟରେ ଆନ୍ତର୍ଜାତିକ ପ୍ରଶଂସା ଲାଭ କରିଥିଲା ଓ ଅନ୍ୟ ଦେଶମାନଙ୍କୁ ଭାରତର ଉଦାହରଣ ଅନୁକରଣ କରିବାକୁ ମଧ୍ୟ ଆହ୍ବାନ ଦିଆଯାଇଥିଲା। ବିଗତ ଆଠ ବର୍ଷ ମଧ୍ୟରେ ଏହି ଅଭିଯାନ କେତେ ଦୂର ଫଳପ୍ରଦ ହୋଇଛି, ବର୍ତ୍ତମାନ ତାହା ଆବିଷ୍କାର କରିବା ନିମିତ୍ତ ଏକ ସର୍ବେକ୍ଷଣର ଆବଶ୍ୟକତା ଅନୁଭୂତ ହେଉଛି। ‘ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ’ ଦ୍ବାରା ପ୍ରତିଷ୍ଠିତ ‘ଏଏମ୍ଆର୍’ ଓ ନିରୀକ୍ଷଣ ଓ ଗବେଷଣା ନେଟ୍ୱାର୍କର ଦୃଢ଼ୀକରଣ ଏ ଦିଗରେ ଏକ ଫଳପ୍ରଦ ପଦକ୍ଷେପ ହେବ। କିନ୍ତୁ ଶେଷରେ ମନେ ରଖିବାକୁ ହେବ ଯେ ଗ୍ରାହକମାନେ ଲାଲ୍ ଗାର ଅତିକ୍ରମ କରିବେ କି ନାହିଁ, ତାହା ହେଉଛି ଏକ ଅର୍ଥନୈତିକ ପ୍ରଶ୍ନ- ଯୋଗାଣ ଓ ଚାହିଦାର ପ୍ରଶ୍ନ। ରୋଗୀମାନଙ୍କର ଚାହିଦା ତୁଳନାରେ ଡାକ୍ତରମାନଙ୍କ ଯୋଗାଣ ସୀମିତ ଥିବା ପର୍ଯ୍ୟନ୍ତ ଲାଲ୍ ଗାର ଉଲ୍ଲଂଘନ ହୋଇଚାଲିଥିବ। ଦେଶରେ ସ୍ବାସ୍ଥ୍ୟ ସେବା ସହଜରେ ଉପଲବ୍ଧ କରାଯିବା ହିଁ ହେଉଛି ଏ ସମସ୍ୟାର ସମାଧାନର ଏକମାତ୍ର ଉପାୟ।