ଏହି ପରିପ୍ରେକ୍ଷୀରେ ଆମେ ଆଶା କରିବା ଯେ ବାଳକ ମସ୍କ ପୃଥିବୀକୁ ଏକ ଖେଳାଣା ତୁଲ୍ୟ ବ୍ୟବହାର କରିବାର ଆଗ୍ରହାତିଶଯ୍ୟରେ ସତର୍କ ବାଣୀଗୁଡ଼ିକୁ ନଜରଅନ୍ଦାଜ ନ କରନ୍ତୁ। ଏଲନ ମସ୍କଙ୍କ ଠାରେ ତ ଅନ୍ତତଃ ପକ୍ଷେ ବିଶ୍ବ ମାନବ ଜାତି ଲାଗି ଶୁଭାକାଂକ୍ଷା ନିହିତ ଅଛି। କିନ୍ତୁ ଏକ କଟୁ ବାସ୍ତବତା ହେଲା, ପୃଥିବୀକୁ ଖେଳଣା ଭଳି ଖେଳି ତାକୁ ଭାଙ୍ଗିରୁଜି ପକାଇବା ଲାଗି ମଧ୍ୟ ଅନେକ ଦୁଷ୍ଟବୁଦ୍ଧି ସଂପନ୍ନ ବିଚକ୍ଷଣ ବାଳକମାନେ ଏବେ ଖୁବ୍ ସକ୍ରିୟ। ବାଳକ ମସ୍କଙ୍କ ଖେଳକୁ ଏମାନେ ବିଗାଡ଼ି ନ ଦିଅନ୍ତୁ!
ଗଲା ମଙ୍ଗଳବାର ଦିନ ପୃଥିବୀର ସର୍ବାଧିକ ବିତ୍ତଶାଳୀ ବ୍ୟକ୍ତି ଏଲନ ମସ୍କ ପୁନର୍ବାର ସମସ୍ତଙ୍କୁ ଚମକାଇ ଦେଇ ‘ଏକ୍ସ’ (ପୂର୍ବର ଟ୍ବିଟର) ମାଧ୍ୟମରେ ଜଣାଇଛନ୍ତି ଯେ ତାଙ୍କର ଅତ୍ୟନ୍ତ ଉଚ୍ଚାଭିଳାଷୀ ପ୍ରକଳ୍ପ ‘ନ୍ୟୁରାଲିଂକ୍ସ’ ପକ୍ଷରୁ ପ୍ରଥମ କରି ଜଣେ ମାନବର ମସ୍ତିଷ୍କରେ ଏଭଳି ଏକ କ୍ଷୁଦ୍ର ‘ଚିପ୍’ ଖଂଜା ଯାଇପାରିଛି, ଯଦ୍ଦ୍ବାରା ସେହି ବ୍ୟକ୍ତିଙ୍କ ଭାବନାରୁ ଆଦେଶମାନ ଗ୍ରହଣ କରି ତାଙ୍କ ମୋବାଇଲ୍ କିମ୍ବା ଲାପଟପ୍ ଅଥବା ଇଣ୍ଟରନେଟ୍ ସଂଯୋଜିତ ଅନ୍ୟାନ୍ୟ ଉପକରଣମାନ କାର୍ଯ୍ୟ କରିବେ। ସୁତରାଂ, ଭବିଷ୍ୟତ୍ରେ ବିଜ୍ଞାନ ଏବଂ ପ୍ରଯୁକ୍ତି କିଭଳି କଳ୍ପନାତୀତ ସମ୍ଭାବନାର ଗବାକ୍ଷ ଉନ୍ମୁକ୍ତ କରିବାକୁ ଯାଉଛି, ତାହାର ଏକ ଧାରଣା ମଧ୍ୟ ଏଥିରୁ ମିଳିଥାଏ। କିନ୍ତୁ, ଏଭଳି ସାମର୍ଥ୍ୟ-ଅତିକ୍ରମୀ ଉଦ୍ୟମଗୁଡ଼ିକୁ ଯାହା ବିବାଦାସ୍ପଦ କରିଥାଏ, ତାହା ହେଲା ବିଶ୍ବ ମାନବ ହିତରେ ଉଦ୍ଦିଷ୍ଟ ଏଭଳି ପ୍ରକଳ୍ପ, ଅନେକଙ୍କ ଦୃଷ୍ଟିରେ, ମୂଳ ସର୍ଜନାରେ ନିହିତ ଅନେକ ସମ୍ଭାବନାର ସୀମାନ୍ତ ଲଂଘି ପାରୁଥିବାରୁ ତହିଁରୁ ଅଲକ୍ଷଣର ଆଶଙ୍କା ମଧ୍ୟ ସୃଷ୍ଟି ହୋଇଥାଏ, ଯାହା ବିଶେଷ ଭାବେ ପ୍ରଣିଧାନଯୋଗ୍ୟ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଗତ ପ୍ରାୟ ଦୁଇ ଦଶନ୍ଧି ଧରି ମାନବ ମସ୍ତିଷ୍କ ଏବଂ କଂପ୍ୟୁଟର ମଧ୍ୟରେ ସଂଯୋଗ ସ୍ଥାପନ ସକାଶେ ଗବେଷଣା ଓ ଉଦ୍ୟମ ପ୍ରାରମ୍ଭ ହୋଇ ସାରିଛି, ଯହିଁରେ ପ୍ରାୟ ଅଧ ଡଜନେ ସରିକି କଂପାନି ସଂପୃକ୍ତ। କେବଳ ସେତିକି ନୁହେଁ, ଗଲା ୨୦୦୬ ମସିହାରୁ ଏଭଳି ଏକ ଚିପ୍ ଜଣେ ସଂପୂର୍ଣ୍ଣ ଚଳତ୍ଶକ୍ତିହୀନ ଖେଳାଳିଙ୍କ ଶରୀରରେ ଖଂଜା ଯାଇ ତାଙ୍କ ଇଚ୍ଛା ମୁତାବକ ତାଙ୍କ ଶରୀରରେ ଲାଗି ଥିବା ‘ରୋବୋଟିକ୍’ ଅବୟବକୁ (କଂପ୍ୟୁଟର ପରିଚାଳିତ ଯାନ୍ତ୍ରିକ ଅଙ୍ଗ) ଗତିଶୀଳ କରାଇବାର ଉଦ୍ୟମ ମଧ୍ୟ ହୋଇଛି। ପ୍ରକାଶ ଥାଉ କି ମସ୍ତିଷ୍କରେ ଗଂଜା ଏଭଳି ‘ଚିପ୍’ ମାନ ମସ୍ତିଷ୍କର ଅଂଶ ଭାବେ କାର୍ଯ୍ୟ କରନ୍ତି ଏବଂ ଏଥିରୁ ସୃଷ୍ଟ ‘ନ୍ୟୁରନ୍’ ଜରିଆରେ ଶରୀରରେ ଲାଗିଥିବା ‘ରୋବୋଟିକ୍’ ଅଙ୍ଗ ଗତିଶୀଳ ହୋଇଥାଏ। ତେବେ, ଏହି େକ୍ଷତ୍ରରେ ଏଲନ ମସ୍କଙ୍କ ସଦ୍ୟ ପ୍ରବେଶ ଏଥି ଲାଗି ତାତ୍ପର୍ଯ୍ୟପୂର୍ଣ୍ଣ ଯେ ଅଭିଳାଷ ଚରିତାର୍ଥ କରିବା ଲାଗି ମସ୍କଙ୍କ ଠାରେ ପରିଦୃଷ୍ଟ ହେଉଥିବା ଚପଳ ବାଳକ ସୁଲଭ ଧୈର୍ଯ୍ୟହୀନତା ଏ ସଂଦର୍ଭରେ ଗବେଷଣା ଓ ପ୍ରଯୁକ୍ତିର ବିକାଶକୁ ଅତ୍ୟନ୍ତ ଦ୍ରୁତ ଗତି ପ୍ରଦାନ କରିବ। ଏହା ମଧ୍ୟ ସୁବିଦିତ ଯେ ଏଲନ ମସ୍କଙ୍କ ଉଚ୍ଚାଭିଳାଷୀ ଗବେଷଣା ଏବଂ ପ୍ରଯୁକ୍ତିଗତ ଉଦ୍ୟମମାନ ବିପୁଳ ଅର୍ଥର ପ୍ରାବଧାନ ସହିତ ବିରଳ ପ୍ରତିଭାମାନଙ୍କୁ ସଂଶ୍ଳିଷ୍ଟ କରାଉଥିବାରୁ ସେ ସବୁ ଏଭଳି ଉଚ୍ଚତା ସ୍ପର୍ଶ କରନ୍ତି ଯେ ତା’ର ସମକକ୍ଷ ହେବା ଅନ୍ୟମାନଙ୍କ ସକାଶେ କଷ୍ଟକର ହୋଇପଡ଼େ। ସୁତରାଂ, ‘ନ୍ୟୁରାଲିଂକ୍’ ଦ୍ବାରା ଖଂଜା ଯାଇଥିବା ‘ଚିପ୍’ ସର୍ବତ୍ର ବିପୁଳ ଆଗ୍ରହ ସୃଷ୍ଟି କରିବା ସ୍ବାଭାବିକ। ପ୍ରକାଶ ଥାଉ କି ମସ୍ତିଷ୍କରେ ଖଂଜା ଯାଇଥିବା ‘ନ୍ୟୁରାଲିଂକ୍’ ‘ଚିପ୍’ ପ୍ରଥମେ ଏକ ‘ଆପ୍’ ସହିତ ଯୋଡ଼ି ହେବ; ଯଦ୍ଦ୍ବାରା ‘ଚିପ୍’ ଧାରଣ କରିଥିବା ବ୍ୟକ୍ତିଙ୍କ ମନରେ ଜାତ ହେଉଥିବା ଭାବନା ଇଣ୍ଟରନେଟ୍ ସଂଯୋଜିତ ଯନ୍ତ୍ରଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ଆରମ୍ଭ କରିଦେବେ। ଏହି ପ୍ରକ୍ରିୟାର ନାମକରଣ କରାଯାଇଛି ‘ଟେଲିପାଥି’। ଏ ସଂଦର୍ଭରେ ଏଲନ ମସ୍କ ଯାହା କହିଥିବା ଶୁଣିବାକୁ ମିଳିଥାଏ, ତାହା ହେଲା, ‘ମୋଟର ନ୍ୟୁରନ ରୋଗ’ କାରଣରୁ ସଂପୂର୍ଣ୍ଣ ଜଡ଼ତ୍ବର ଶିକାର ହୋଇଥିବା ଅତୁଳନୀୟ ପଦାର୍ଥ ବିଜ୍ଞାନୀ ଷ୍ଟିଫେନ ହକିଂ ତାଙ୍କ ଜୀବଦ୍ଦଶାରେ ଯଦି ‘ଟେଲିପାଥି’ର ସାହାଯ୍ୟ ଲାଭ କରି ପାରି ଥାଆନ୍ତେ, ତେବେ ତାଙ୍କ ଉତ୍କର୍ଷ ଏବଂ ଉପଲବ୍ଧିର ସ୍ତର ନଭ ସ୍ପର୍ଶୀ ହୋଇଥାଆନ୍ତା!
ତେବେ ଏ ନେଇ ଆଉ ଏକ ବାସ୍ତବତା ହେଲା ‘ନ୍ୟୁରାଲିଂକ୍’ ଭଳି ପ୍ରକଳ୍ପଗୁଡ଼ିକ ଦ୍ବାରା ସୃଷ୍ଟ ଅନେକ ବିପଦର ଆଶଙ୍କା, ଯାହା ସମଗ୍ର ମାନବ ଜାତିକୁ ଜର୍ଜର କରିପାରେ। ‘ହାର୍ଡୱେର ସିକ୍ୟୁରିଟି’ କ୍ଷେତ୍ରରେ କାର୍ଯ୍ୟରତ ବୈଜ୍ଞାନିକମାନଙ୍କ ଦାବି ହେଲା ଏଭଳି କୌଣସି ‘ଚିପ୍’ ସମ୍ଭବ ନୁହେଁ, ଯାହାର ‘ହ୍ୟାକିଂ’ କରାଯାଇ ପାରିବ ନାହିଁ। ସୁତରାଂ, ଜଣେ ବ୍ୟକ୍ତିଙ୍କ ମସ୍ତିଷ୍କରେ ଖଂଜା ‘ଚିପ୍’କୁ ‘ହ୍ୟାକ୍’ କରି ଅନ୍ୟ ଜଣେ ବ୍ୟକ୍ତିଙ୍କ ଭାବନା ଦ୍ବାରା ତାହାକୁ ପରିଚାଳିତ କରିବା ମଧ୍ୟ ସମ୍ଭବ। ତେଣୁ, ଇଣ୍ଟରନେଟ୍ର ଜାଲରେ ସଂପୂର୍ଣ୍ଣ ରୂପେ ଛନ୍ଦି ହେବାକୁ ଯାଉଥିବା ଭବିଷ୍ୟତ୍ର ପୃଥିବୀ ସକାଶେ ଏକ ଖଳ ମସ୍ତିଷ୍କରେ ଖଂଜା ‘ଚିପ୍’ ବା ଖଳ ମସ୍ତିଷ୍କ ଦ୍ବାରା ‘ହ୍ୟାକିଂ’ର ଶିକାର ‘ଚିପ୍’ ଯେ ବିପର୍ଯ୍ୟୟ ସୃଷ୍ଟି କରିପାରେ, ତାହା କେବଳ ଅନୁମାନର ବିଷୟ। ପ୍ରକାଶ ଥାଉ କି ଏଭଳି କ୍ଷୁଦ୍ରାତିିକ୍ଷୁଦ୍ର ‘ମାଇକ୍ରୋଚିପ୍’ମାନ ଏବେ ସର୍ବତ୍ର ସନ୍ଦେହର ପାତ୍ର ହୋଇପଡ଼ିଛନ୍ତି; ଯାହାର କାରଣ ଗୁପ୍ତଚର ଗିରିରେ ‘ଚିପ୍’ଗୁଡ଼ିକର ଭୂମିକା। ‘୫-ଜି’ ଟେଲିକମ୍ କ୍ଷେତ୍ରରେ ସର୍ବାଧିକ ବିକଶିତ ଚୀନୀୟ କଂପାନି ‘ହୁଆୱେ’ ଏହି ସନ୍ଦେହ କାରଣରୁ ପୃଥିବୀର ଅନେକ ରାଷ୍ଟ୍ରଙ୍କ ଦ୍ବାରା ବାସନ୍ଦର ଶିକାର। ସେହି ଭଳି ୨୦୨୧ ମସିହାରେ ଭାରତରେ ସୃଷ୍ଟ ‘ପେଗାସସ୍’ ସ୍କାଣ୍ଡାଲ ମଧ୍ୟ ଏହାର ଏକ ଦୃଷ୍ଟାନ୍ତ। ୨୦୧୪-୧୫ ମସିହାରେ ମୁକ୍ତିଲାଭ କରିଥିବା ହଲିଉଡ୍ ସିନେମା ‘କିଂଗ୍ସମେନ୍: ଦି ସିକ୍ରେଟ୍ ସର୍ଭିସ’ରେ ଦର୍ଶାଯାଇଥିଲା କିଭଳି ଜଣେ ଅତ୍ୟନ୍ତ ବିତ୍ତଶାଳୀ ବ୍ୟକ୍ତି ନିଜ ମସ୍ତିଷ୍କରେ ‘ଚିପ୍’ଟିଏ ଲଗାଇ ନିଜ ଚିନ୍ତା ବଳରେ ସମଗ୍ର ପୃଥିବୀକୁ କରାୟତ୍ତ କରିବାର ଉଦ୍ୟମରତ। ସୁତରାଂ, ‘ନ୍ୟୁରାଲିଂକ୍’ ଓ ତା’ର ସମଧର୍ମାମାନଙ୍କ ଉଦ୍ୟମ କୌଣସି ମତ୍ତ ବ୍ୟକ୍ତିର ଉଦ୍ଭ୍ରାନ୍ତ ପରିକଳ୍ପନାକୁ ସାକାର କରି ଏଭଳି କାଳ୍ପନିକ ଚଳଚ୍ଚିତ୍ରକୁ ବାସ୍ତବାୟିତ କରିବ ନାହିଁ ତ?
ଅନେକଙ୍କ ମତରେ ଏଲନ ମସ୍କ ଏକ ବାଳକସୁଲଭ ଦୃଷ୍ଟି ନେଇ ଏ ସୃଷ୍ଟିକୁ ଖେଳଣା ଭଳି ଦେଖିଥାଆନ୍ତି। ତେଣୁ ତାଙ୍କର ପରିକଳ୍ପିତ ଖେଳରେ ସାଧାରଣ ବ୍ୟକ୍ତି ‘ସ୍ପେସ୍ ଏକ୍ସ’ ମହାକାଶ ଯାନ ଚଢ଼ି ମହାକାଶ ବିଚରଣ କରିବା ସମ୍ଭବ ହୁଏ ବା ଜଣେ ସାଧାରଣ ମନୁଷ୍ୟ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାର ସ୍ବପ୍ନ ଦେଖିପାରେ। ‘ନ୍ୟୁରାଲିଂକ’ ମଧ୍ୟ ସେହି ଭଳି ଏକ ପ୍ରକଳ୍ପ। ତେବେ, ଏଭଳି ବାଳକ ସୁଲଭ ଆଗ୍ରହ ବିଷୟ ପଡ଼ିଲେ ଗ୍ରୀକ୍ ପୁରାଣର ବାପ-ପୁଅ ଯୋଡ଼ି ଡିଡାଲସ ଏବଂ ଇକାରସ ସ୍ମରଣକୁ ଆସନ୍ତି। ସେହି ଗଳ୍ପ ଅନୁସାରେ ରାଜା ମିନୋସଙ୍କ ବନ୍ଦୀଶାଳରୁ ମୁକ୍ତ ହେବା ଲାଗି ଅଦ୍ବିତୀୟ କାରିଗର ଡିଡାଲସ୍ ଦୁଇ ଯୋଡ଼ା ବିଶାଳ ପକ୍ଷ ନିର୍ମାଣ କରିଥିଲେ। ତା’ ସାହାଯ୍ୟରେ ବାପ-ପୁଅ ଦ୍ବୟ ବନ୍ଦୀଶାଳା ମଧ୍ୟରୁ ଉଡ଼ି ବାହାରିଯିବା ପୂର୍ବରୁ ବାଳକ ଇକାରସଙ୍କ ପ୍ରତି ଡିଡାଲସଙ୍କ ସତର୍କ ବାଣୀ ଥିଲା: ସାବଧାନ, ସୂର୍ଯ୍ୟଙ୍କ ଠାରୁ ଯେମିତି ଦୂରେଇ ରହୁ! ଏହାର କାରଣ ଥିଲା ଏହା ଯେ ଏହି ପକ୍ଷରେ ପରକୁ ପର ଯୋଡ଼ି ରଖିଥିବା ମହମ ସୂର୍ଯ୍ୟର ନିକଟବର୍ତ୍ତୀ ହେଲେ ଅଗତ୍ୟା ତରଳି ଯାଇ ପକ୍ଷକୁ ଅକାମି କରି ପକାଇବ। କିନ୍ତୁ, ବାଳକ ଇକାରସ ଉଡ଼ିବାର ରୋମାଂଚରେ ଆତ୍ମବିସ୍ମୃତ ହୋଇ ସୂର୍ଯ୍ୟର ନିକଟବର୍ତ୍ତୀ ହେଲେ ଏବଂ ପକ୍ଷ ହରାଇ ସାଗର ବକ୍ଷରେ ପଡ଼ି ସଲିଳ ସମାଧି ଲଭିଲେ। ଏହି ପରିପ୍ରେକ୍ଷୀରେ ଆମେ ଆଶା କରିବା ଯେ ବାଳକ ମସ୍କ ପୃଥିବୀକୁ ଏକ ଖେଳାଣା ତୁଲ୍ୟ ବ୍ୟବହାର କରିବାର ଆଗ୍ରହାତିଶଯ୍ୟରେ ସତର୍କ ବାଣୀଗୁଡ଼ିକୁ ନଜରଅନ୍ଦାଜ ନ କରନ୍ତୁ। ଏଲନ ମସ୍କଙ୍କ ଠାରେ ତ ଅନ୍ତତଃ ପକ୍ଷେ ବିଶ୍ବ ମାନବ ଜାତି ଲାଗି ଶୁଭାକାଂକ୍ଷା ନିହିତ ଅଛି। କିନ୍ତୁ ଏକ କଟୁ ବାସ୍ତବତା ହେଲା, ପୃଥିବୀକୁ ଖେଳଣା ଭଳି ଖେଳି ତାକୁ ଭାଙ୍ଗିରୁଜି ପକାଇବା ଲାଗି ମଧ୍ୟ ଅନେକ ଦୁଷ୍ଟବୁଦ୍ଧି ସଂପନ୍ନ ବିଚକ୍ଷଣ ବାଳକମାନେ ଏବେ ଖୁବ୍ ସକ୍ରିୟ। ବାଳକ ମସ୍କଙ୍କ ଖେଳକୁ ଏମାନେ ବିଗାଡ଼ି ନ ଦିଅନ୍ତୁ!