ଇସ୍ରାଏଲ୍ ଓ ହମାସ୍ ମଧ୍ୟରେ ଚାଲିଥିବା ଲଢ଼େଇ ଓ ସେଥିରେ କାତାର୍ ନିର୍ବାହ କରୁଥିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଭୂମିକା ପରିସ୍ଥିତିକୁ ଏପରି ଗୋଳିଆ କରିଛି ଯେ ସେଥିରୁ ଏ ସମ୍ବନ୍ଧରେ ଏକ ପ୍ରକୃତ ଚିତ୍ର ମିଳିବାର ସମ୍ଭାବନା ଶୂନ୍ୟ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଅଭିଯୁକ୍ତମାନଙ୍କ ବିରୋଧରେ ଅଜଣା ଅଭିଯୋଗରେ ସତ୍ୟତା ଅଛି କି ସେମାନେ ସେ ଅଞ୍ଚଳ ଅସ୍ଥିର ରାଜନୈତିକ-ସାମରିକ ପରିସ୍ଥିତିର ଶିକାର ହୋଇଛନ୍ତି, ତାହା ହୁଏତ ଚିରଦିନ ରହସ୍ୟାବୃତ ହୋଇ ରହିବ। କିନ୍ତୁ ଏଥିରେ ଶିକ୍ଷା ଲାଭ କରି ସର୍ବତ୍ର ପ୍ରବାସୀ ଭାରତୀୟମାନେ ଭବିଷ୍ୟତରେ ଏଭଳି ବିପଜ୍ଜନକ ପରିସ୍ଥିତି ଠାରୁ ସର୍ବଦା ଦୂରେଇ ରହିବେ ବୋଲି ଆଶା କରାଯାଏ।
ଅବଶେଷରେ ପୁନର୍ଜନ୍ମ ଲାଭ କଲା ଭଳି କାତାର୍ କାରାଗାରରେ ବନ୍ଦୀ ଅବସ୍ଥାରେ ଥିବା ଆଠଜଣଯାକ ପୂର୍ବତନ ଭାରତୀୟ ନୌସେନାଧିକାରୀମାନେ ମୁକ୍ତିଲାଭ କରିଛନ୍ତି ଓ ଏହା ଲେଖାହେବା ବେଳକୁ ସେମାନଙ୍କ ମଧ୍ୟରୁ ସାତଜଣ ଭାରତକୁ ବାହୁଡ଼ି ଆସି ସାରିଛନ୍ତି। ଯେଉଁ ଅଷ୍ଟମ ଜଣକର ବର୍ତ୍ତମାନର ଠିକଣା ସମ୍ବନ୍ଧରେ ନିର୍ଦ୍ଦିଷ୍ଟ ସୂଚନା ଉପଲବ୍ଧ ହୋଇ ନାହିଁ, ସେ ଥିଲେ ଯେଉଁ କଂପାନିରେ ଅନ୍ୟ ସାତଜଣ ଉଚ୍ଚ ପଦରେ ଆସୀନ ଥାଇ ସେଠାରେ କାର୍ଯ୍ୟ କରୁଥିଲେ, ସେଇ କଂପାନିର ପରିଚାଳନା ନିର୍ଦ୍ଦେଶକ। ଏହା ଏଇଥିପାଇଁ ସେମାନଙ୍କ ପାଇଁ ପୁନର୍ଜନ୍ମ ରୂପେ ବିବେଚିତ ହେବ, କାରଣ ଗୁପ୍ତଚର ବୃତ୍ତି ଅଭିଯୋଗରେ ସେମାନେ ୨୦୨୨ ଅଗଷ୍ଟରେ ସେଠାରେ ଗିରଫ ହେବା ପରେ ସେଠାକାର ଏକ ତଳ ଅଦାଲତ ସେମାନଙ୍କର ବିଚାର କରି ସେମାନଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲା।
ଉପସାଗରୀୟ ଇସଲାମୀୟ ଏକଛତ୍ର ଶାସନାଧୀନ ଦେଶ କାତାର୍ ଏକ ଉଦାର ଗଣତନ୍ତ୍ର ନୁହେଁ କିମ୍ବା ସେଠାରେ ଏକ ସ୍ବଚ୍ଛ, ମୁକ୍ତ ନ୍ୟାୟ ବ୍ୟବସ୍ଥା କାର୍ଯ୍ୟ କରି ନ ଥାଏ। ବସ୍ତୁତଃ ଶେଷରେ ସେଠାକାର ଏକଛତ୍ର ଶାସକ ବା ଏମିର୍ଙ୍କର ଇଚ୍ଛା ହିଁ ଅନ୍ତିମ ରାୟ ଭଳି କାର୍ଯ୍ୟ କରିଥାଏ। ତେଣୁ ଏଥିରେ କୌଣସି ସନ୍ଦେହ ନାହିଁ ଯେ ଗତ ଡିସେମ୍ବରରେ ‘ୟୁଏଇ’ରେ କାତାର୍ର ଏମିର୍ ସେଖ୍ ତାମିମ୍ ବିନ୍ ହମ୍ମଦ୍ ଆଲ୍ଥାନିଙ୍କ ସହିତ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବ୍ୟକ୍ତିଗତ ଭେଟ ହିଁ ଏହି ବନ୍ଦୀମାନଙ୍କ ପାଇଁ ମୁକ୍ତିର ବାଟ ଫିଟାଇଥିଲା। ଉପସାଗରୀୟ ଦେଶମାନଙ୍କରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଅଭୂତପୂର୍ବ ପ୍ରଭାବ ଜଣାଶୁଣା, ଯାହାର ଅନ୍ୟ ଏକ ସଦ୍ୟତମ ଉଦାହରଣ ହେଉଛି ଆବୁଧାବିରେ ଗତକାଲି ତାଙ୍କ ଦ୍ବାରା ଉନ୍ମୋଚିତ ହୋଇଥିବା ସର୍ବପ୍ରଥମ ଭବ୍ୟ ହିନ୍ଦୁ ମନ୍ଦିର। କିନ୍ତୁ କୂଟନୈତିକ ଜଗତରେ ଯେଉଁ ସବୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ, ତାହା କ୍ବଚିତ୍ ବାହାରେ ପ୍ରକାଶ ପାଇଥାଏ; ଏଣୁ ଏ ସମ୍ବନ୍ଧରେ ଅଧିକ ସୂଚନା ପ୍ରକାଶ ପାଇବାର ସମ୍ଭାବନା କ୍ଷୀଣ।
ତେବେ ସର୍ବୋଚ୍ଚ ସ୍ତରରେ ଏହି ପଦକ୍ଷେପର ଆଢୁଆଳରେ ଭାରତୀୟ କୂଟନୀତିଜ୍ଞମାନେ ଏହି ସମସ୍ୟାର ଏକ ସନ୍ତୋଷଜନକ ସମାଧାନ ନିମିତ୍ତ ଯେଉଁ ଅନବରତ ଉଦ୍ୟମ ଚଳାଇଥିଲେ, ବନ୍ଦୀମାନଙ୍କର ମୁକ୍ତି ଓ ପ୍ରତ୍ୟାବର୍ତ୍ତନ ହେଉଛି ତାହାର ଅନ୍ତିମ ସୁଫଳ। ଉଦାହରଣ ସ୍ବରୂପ ପ୍ରଧାନମନ୍ତ୍ରୀ ମୋଦୀ ଓ ଏମିର୍ ଆଲ୍ଥାନିଙ୍କ ମଧ୍ୟରେ ଭେଟ ହେବା ପୂର୍ବରୁ ଭାରତ ସରକାର ସେଇ ଭାରତୀୟ ଅଭିଯୁକ୍ତମାନଙ୍କୁ ମୃତ୍ୟୁଦଣ୍ଡ ପ୍ରଦାନକୁ ନେଇ ଭାରତ ‘‘ମର୍ମାହତ’’ ହୋଇଛି ବୋଲି ଏକ ବିଧିବଦ୍ଧ ମନ୍ତବ୍ୟ ପ୍ରଦାନ କରିଥିଲା। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ମୋଦୀ-ଆଲ୍ଥାନି ସାକ୍ଷାତ ପରେ ପରେ କାତାର୍ର ଏକ ଅପିଲ୍ ଅଦାଲତ ଅଭିଯୁକ୍ତମାନଙ୍କୁ ତଳ ଅଦଲତ ପ୍ରଦାନ କରିଥିବା ମୃତ୍ୟୁଦଣ୍ଡକୁ କୋହଳ କରି ସେମାନଙ୍କୁ ଭିନ୍ନ ଭିନ୍ନ ଅବଧିର କାରାଦଣ୍ଡ ପ୍ରଦାନ କରି ଦେଇଥିଲା। ଅର୍ଥାତ୍, ଏହାଦ୍ବାରା ପ୍ରଥମେ ସେଇ ରହସ୍ୟାବୃତ ମାମଲାରେ ଛନ୍ଦି ହୋଇ ପଡ଼ିଥିବା ଭାରତୀୟ ନାଗରିକମାନଙ୍କର ପ୍ରାଣରକ୍ଷା ହୋଇଗଲା। ଏହି ପୂର୍ବତନ ନୌସେନାଧିକାରୀମାନେ ଗିରଫ ହେବା ପରଠାରୁ ୨୦୨୩ ମାର୍ଚ୍ଚରେ ବିଚାର ଆରମ୍ଭ ହେବା ପର୍ଯ୍ୟନ୍ତ ନିର୍ଜନ କାରାବାସରେ କାଳାତିପାତ କରିଥିଲେ; ଏଣୁ ମୃତ୍ୟୁଦଣ୍ଡ କାରାଦଣ୍ଡରେ ପରିଣତ ହେବା ସେମାନଙ୍କ ପାଇଁ ତଥା ସେମାନଙ୍କ ଭାଗ୍ୟ ଉପରେ ଦୃଷ୍ଟି ନିବଦ୍ଧ କରିଥିବା ଅଗଣିତ ଭାରତବାସୀଙ୍କ ପାଇଁ ଏକ ନିଶ୍ଚିତ ଆଶ୍ବସ୍ତି ଆଣି ଦେଇଥିଲା।
ଏହି ଅବସରପ୍ରାପ୍ତ ସାମରିକ ଅଧିକାରୀମାନେ ଏଭଳି ଅଭିଯୋଗର ସମ୍ମୁଖୀନ ହୋଇ ଗିରଫ ହେବା ପୂର୍ବରୁ ଉଭୟ ଦେଶ ମଧ୍ୟରେ ସଂପର୍କ ଦୃଢ଼ କରିବାରେ ସେମାନଙ୍କର ଅବଦାନ ପାଇଁ ବ୍ୟାପକ ପ୍ରଶଂସା ଲାଭ କରିଥିଲେ। କାତାର୍ର ନୌବାହିନୀକୁ ତାଲିମ ପ୍ରଦାନ କରିବା, ରକ୍ଷଣାବେକ୍ଷଣରେ ଉନ୍ନତି ଘଟାଇବା ଓ ଲଜିଷ୍ଟିକ୍ସରେ ଦକ୍ଷତା ବୃଦ୍ଧି ଘଟାଇବା କ୍ଷେତ୍ରରେ ସେମାନଙ୍କର ଅବଦାନ ଉଲ୍ଲେଖନୀୟ ଥିଲା ବୋଲି କାତାର୍ ସ୍ବୀକାର କରିଥିଲା, ଯେଉଁଥିପାଇଁ ଉପର ଲିଖିତ ପରିଚାଳନା ନିର୍ଦ୍ଦେଶକ ଜଣକ ମଧ୍ୟ ୨୦୧୯ରେ ମର୍ଯ୍ୟାଦାଜନକ ‘ପ୍ରବାସୀ ଭାରତ ସମ୍ମାନ’ ଦ୍ବାରା ସମ୍ମାନିତ ହୋଇଥିଲେ। ଏହି ସମ୍ମାନ ଲାଭ କରିବାରେ ସେ ଥିଲେ ସର୍ବପ୍ରଥମ ପୂର୍ବତନ ସାମରିକ କର୍ମଚାରୀ।
କିନ୍ତୁ ଏହା ମଧ୍ୟ ସୂଚନାଯୋଗ୍ୟ ଯେ ଏହି ଅବସରପ୍ରାପ୍ତ ସାମରିକ ଅଧିକାରୀମାନେ କାତାର୍ରେ ଯେଉଁ ଉଦ୍ୟୋଗ ସହିତ ସଂପୃକ୍ତ ଥିଲେ, ତା’ ସହିତ ଭାରତ ସରକାରଙ୍କର କୌଣସି ସଂପର୍କ ନ ଥିଲା କିମ୍ବା ସେଠାରେ ସେମାନଙ୍କର କାର୍ଯ୍ୟ ପାଇଁ ଭାରତ ସରକାର ଉତ୍ତରଦାୟୀ ନ ଥିଲେ। ତଥାପି ସଂପୃକ୍ତ ପ୍ରାକ୍ତନ ସେନାଧିକାରୀମାନଙ୍କର ଆତଙ୍କିତ ପରିବାରବର୍ଗ ଓ ସେମାନଙ୍କର ସଂଗଠନମାନ ଯେତେବେଳେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ସରକାରଙ୍କୁ ଅନୁରୋଧ କଲେ, ସରକାର ତୁରନ୍ତ ସେମାନଙ୍କୁ ସବୁମନ୍ତେ ସହାୟତା ପ୍ରଦାନ ନିମିତ୍ତ ଅଗେଇ ଆସିଲେ। ଏହି ଅଭିଯୁକ୍ତମାନଙ୍କର ପରିବାରବର୍ଗଙ୍କର ମାନସିକ ଯନ୍ତ୍ରଣା ଲାଘବ କରିବା ପାଇଁ ସେଠାକାର କାରାଗାରରେ ସେମାନଙ୍କର ପ୍ରିୟଜନମାନଙ୍କୁ ଭେଟିବା ପାଇଁ ସରକାର ନିଜ ଖର୍ଚ୍ଚରେ ସେମାନଙ୍କୁ ବିମାନରେ କାତାର୍ରେ ନେଇ ପହଞ୍ଚାଇଥିଲେ। କାତାର୍ ଅଦାଲତରେ ମାମଲା ଚଳାଇବାର ସମସ୍ତ ଖର୍ଚ୍ଚ ମଧ୍ୟ ଭାରତ ସରକାର ବହନ କରିଥିଲେ।
କିଏ ଜାଣେ, ହୁଏତ ଏହି ଅବସରପ୍ରାପ୍ତ ଦେଶ ରକ୍ଷକମାନଙ୍କର ମୁକ୍ତି ହାସଲ କରିବା ନିମିତ୍ତ ମୋଦୀ ସରକାର କୂଟନୈତିକ ଚାପ ସହିତ ଏକ ବାଣିଜ୍ୟିକ ପ୍ରଲୋଭନ ମଧ୍ୟ ମିଶାଇବା ନିମିତ୍ତ ନିଷ୍ପତ୍ତି ନେଇଥାଇପାରନ୍ତି। କାତାର୍ର ମୁଖ୍ୟ ପ୍ରାକୃତିକ ସଂପଦ ହେଉଛି ପ୍ରାକୃତିକ ବାଷ୍ପ ଓ ଭାରତ କାତାର୍ରୁ ଆମଦାନି କରୁଥିବା ମୁଖ୍ୟ ପଦାର୍ଥ ହେଉଛି ଏହି ପ୍ରାକୃତିକ ବାଷ୍ପ। ଭାରତ ଏବେ ୨୦୨୮-୨୦୪୮ ପର୍ଯ୍ୟନ୍ତ ଦୀର୍ଘ ୨୦ ବର୍ଷ ପାଇଁ ପ୍ରାକୃତିକ ବାଷ୍ପ ଆମଦାନି କରିବା ପାଇଁ କାତାର୍ ସହିତ ଯେଉଁ ଚୁକ୍ତି ସ୍ବାକ୍ଷର କରିଛି, ତାହା ବନ୍ଦୀମାନଙ୍କୁ ମୁକ୍ତି ପ୍ରଦାନ କରିବା ପାଇଁ କାତାର୍କୁ ପ୍ରଭାବିତ କରିଥିବାର ଦୃଢ଼ ସମ୍ଭାବନା ରହିଛି। ଏଥିରୁ ସ୍ପଷ୍ଟ ହୋଇଥାଏ, ବନ୍ଦୀମାନଙ୍କୁ ଖଲାସ କରିବା ପାଇଁ ଭାରତ ସରକାର କୌଣସି ହେଲେ ଉପାୟ ପ୍ରୟୋଗ କରିବାରେ ଅବହେଳା କରି ନାହାନ୍ତି।
ବର୍ତ୍ତମାନ ଏହି ଜୀବନ-ମରଣ ସମସ୍ୟାର ମଧୁର ସମାପ୍ତି ଘଟିବା ପରେ କିନ୍ତୁ େଯଉଁ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନମାନଙ୍କର ଉତ୍ତର ମିଳିପାରି ନାହିଁ, ତାହା ହେଲା, ଏହି ଭାରତୀୟମାନଙ୍କ ବିରୁଦ୍ଧରେ ନିର୍ଦ୍ଦିଷ୍ଟ ଅଭିଯୋଗ କ’ଣ ଥିଲା?; ତଳ ଅଦାଲତର ରାୟର ବିଶଦ ବିବରଣୀ କାହିଁକି ସର୍ବସାଧାରଣଙ୍କ ଅବଗତି ପାଇଁ ପ୍ରକାଶ ପାଇ ନାହିଁ?; ଉଭୟ କାତାରି କର୍ତ୍ତୃପକ୍ଷ ଓ ଭାରତୀୟ କର୍ତ୍ତୃପକ୍ଷ ଏ ସମ୍ବନ୍ଧରେ କାହିଁକି ମୁହଁ ଖୋଲୁ ନାହାନ୍ତି?; ଇତ୍ୟାଦି।
କେବଳ ଅସମର୍ଥିତ ସୂତ୍ରରୁ ମିଳିଥିବା ସୂଚନାରୁ ସନ୍ଦେହ କରାଯାଉଛି ଯେ ଏହି ଅଭିଯୁକ୍ତମାନେ କାତାର୍ର ଏକ ବୁଡ଼ାଜାହାଜ ନିର୍ମାଣ ପ୍ରକଳ୍ପ ସମ୍ବନ୍ଧରେ ଇସ୍ରାଏଲ୍କୁ ଗୁପ୍ତ ତଥ୍ୟ ଯୋଗାଇବାକୁ ଚେଷ୍ଟ କରୁଥିଲେ। ଏହି ସୂଚନା ଅନୁସାରେ ଉପସାଗରୀୟ ଦେଶମାନଙ୍କର ସାମରିକ କ୍ଷମତାରେ ବୃଦ୍ଧି ପାଇଁ ହେଉଥିବା ଉଦ୍ୟମରେ ବ୍ୟାଘାତ ସୃଷ୍ଟି କରିବା ଥିଲା ଏହି ଅଭିଯୁକ୍ତମାନଙ୍କର ଉଦ୍ଦେଶ୍ୟ ବୋଲି କାତାର୍ ବିଶ୍ବାସ କରୁଛି। ଇସ୍ରାଏଲ୍ ଓ ହମାସ୍ ମଧ୍ୟରେ ଚାଲିଥିବା ଲଢ଼େଇ ଓ ସେଥିରେ କାତାର୍ ନିର୍ବାହ କରୁଥିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଭୂମିକା ପରିସ୍ଥିତିକୁ ଏପରି ଗୋଳିଆ କରିଛି ଯେ ସେଥିରୁ ଏ ସମ୍ବନ୍ଧରେ ଏକ ପ୍ରକୃତ ଚିତ୍ର ମିଳିବାର ସମ୍ଭାବନା ଶୂନ୍ୟ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଅଭିଯୁକ୍ତମାନଙ୍କ ବିରୋଧରେ ଅଜଣା ଅଭିଯୋଗରେ ସତ୍ୟତା ଅଛି କି ସେମାନେ ସେ ଅଞ୍ଚଳ ଅସ୍ଥିର ରାଜନୈତିକ-ସାମରିକ ପରିସ୍ଥିତିର ଶିକାର ହୋଇଛନ୍ତି, ତାହା ହୁଏତ ଚିରଦିନ ରହସ୍ୟାବୃତ ହୋଇ ରହିବ। କିନ୍ତୁ ଏଥିରେ ଶିକ୍ଷା ଲାଭ କରି ସର୍ବତ୍ର ପ୍ରବାସୀ ଭାରତୀୟମାନେ ଭବିଷ୍ୟତରେ ଏଭଳି ବିପଜ୍ଜନକ ପରିସ୍ଥିତି ଠାରୁ ସର୍ବଦା ଦୂରେଇ ରହିବେ ବୋଲି ଆଶା କରାଯାଏ।