ସାଧାରଣତଃ ବିଶ୍ବାସ କରାଯାଇଥାଏ ଯେ ସୃଷ୍ଟିରେ କୌଣସି କାର୍ଯ୍ୟ ଅକାରଣ ଘଟି ନ ଥାଏ। ସେହି ଦୃଷ୍ଟିରୁ ପ୍ରଶ୍ନ ଉଠିଥାଏ ଯେ ଶୁଷ୍କ ମୁମୂର୍ଷୁ ଗଛମାନଙ୍କ ଆର୍ତ୍ତନାଦ କ’ଣ ଏକ ନିଷ୍ଫଳ ବିଳାପ ହୋଇଥିବା ସମ୍ଭବ ନା ତାହା କେଉଁ ତ୍ରାଣକର୍ତ୍ତାର କର୍ଣ୍ଣଗୋଚର ହେବା ସକାଶେ ଅଭିପ୍ରେତ? ଏହା ସୁନିଶ୍ଚିତ ଯେ ସେହି ତ୍ରାଣକର୍ତ୍ତା ମନୁଷ୍ୟ ନୁହେଁ, କାରଣ ପ୍ରକୃତି ତାକୁ ମନୁଷ୍ୟର ଶ୍ରୁତିଗୋଚର କରିନାହିଁ। ସମ୍ଭବତଃ ତାହା ଈଶ୍ବରଙ୍କ ଉଦ୍ଦେଶ୍ୟରେ ବୃକ୍ଷ ଜଗତ୍ଙ୍କ ନିରବ ଜଣାଣ, ଯାହା ବୃଷ୍ଟିର ଧାର ଝରାଏ ଏବ˚ ଶୁଷ୍କ ବୃକ୍ଷକୁ ପୁନଃ ପଲ୍ଲବିତ ହେବାର ସମ୍ଭାବନା ଜାତ କରେ।
୧୯୭୦ ମସିହାରେ ଏକ ଅତ୍ୟନ୍ତ ସୁଖପାଠ୍ୟ ପୁସ୍ତକ ଆତ୍ମପ୍ରକାଶ ଲାଭ କରି ବହୁଳ ଲୋକପ୍ରିୟତା ହାସଲ କରିଥିଲା, ଯାହାର ନାମ ଥିଲା ‘ଦ ସିକ୍ରେଟ ଲାଇଫ୍ ଅଫ୍ ପ୍ଲାଣ୍ଟ୍ସ’ ଅର୍ଥାତ ‘ଗଛବୃଚ୍ଛଙ୍କ ଗୋପନ ଜୀବନ’। ଏହି ପୁସ୍ତକରେ ତା’ର ଦୁଇ ରଚୟିତା ପିଟର ଟ˚ପକିନ୍ସ ଏବ˚ ଖ୍ରୀଷ୍ଟୋଫର ବାର୍ଡ ଅନେକ ବୈଜ୍ଞାନିକ ଗବେଷଣାମୂଳକ ତଥ୍ୟ ସହିତ ବିଭିନ୍ନ ସୂତ୍ରରୁ ପ୍ରାପ୍ତ ଅନୁଭୂତି ଆଧାରରେ ପ୍ରମାଣ କରିବାକୁ ପ୍ରୟାସ କରିଥିଲେ ଯେ ଅନ୍ୟାନ୍ୟ ଜୀବନ୍ତ ପ୍ରାଣୀଙ୍କ ସଦୃଶ ଉଦ୍ଭିଦମାନଙ୍କର ମଧୢ ଏକ ଆବେଗିକ ପାର୍ଶ୍ବ ରହିଛି; ଯାହା ସେମାନଙ୍କ ଦ୍ବାରା ସ୍ଥଳ ବିଶେଷରେ ଅଭିବ୍ୟକ୍ତି ମଧୢ ଲାଭ କରିଥାଏ। ତେବେ, ପରବର୍ତ୍ତୀ କାଳରେ ଅନେକ ପ୍ରସିଦ୍ଧ ଉଦ୍ଭିଦ-ବିଜ୍ଞାନୀ ଏହି ପୁସ୍ତକର ଦାବିକୁ ଅସ୍ବୀକାର କରିଥିଲେ ଏବ˚ ଏହା ଦ୍ବାରା ସୃଷ୍ଟ ଭ୍ରାନ୍ତ ଧାରଣା ଅନେକ ଗମ୍ଭୀର ଗବେଷଣାର ନିଷ୍କର୍ଷକୁ ସନ୍ଦେହାସ୍ପଦ କରିଛି ବୋଲି ମତ ପ୍ରଦାନ କରିଥିଲେ। ସୁତରା˚, ଏହି ଦୃଷ୍ଟିରୁ ଗଲା ମାର୍ଚ୍ଚ ୩୦ ତାରିଖରେ ସ˚ଭ୍ରାନ୍ତ ବିଜ୍ଞାନଭିତ୍ତିକ ପତ୍ରିକା ‘ସେଲ୍’ରେ ପ୍ରକାଶିତ ଏକ ବିଶେଷଜ୍ଞ ପରୀକ୍ଷିତ ଗବେଷଣାମୂଳକ ସ˚ଦର୍ଭ ପ୍ରଣିଧାନଯୋଗ୍ୟ, ଯାହା ଦ୍ବାରା ‘ଦ ସିକ୍ରେଟ୍ ଲାଇଫ୍ ଅଫ୍ ପ୍ଲାଣ୍ଟସ’ର ଦାବିମାନ ଦୃଢ଼ତା ପାଇଥାଏ; କାରଣ ସେହି ନିବନ୍ଧରେ ଇସ୍ରାଏଲ୍ସ୍ଥିତ ତେଲ ଆଭିଭ ବିଶ୍ବବିଦ୍ୟାଳୟର ଗବେଷକମାନେ ପ୍ରମାଣ କରିଛନ୍ତି ଯେ ମୁମୂର୍ଷୁ ବା ଆଘାତପ୍ରାପ୍ତ ଗଛଗୁଡ଼ିକ ଏକ ପ୍ରକାର ‘ଅଲଟ୍ରାସୋନିକ’ (ମନୁଷ୍ୟର ଶ୍ରବଣ ସାମର୍ଥ୍ୟ ବାହାରେ) ଶବ୍ଦ ସୃଷ୍ଟି କରନ୍ତି; ଯାହାକୁ ପ୍ରକ୍ରିୟାକରଣ କରି ଶ୍ରବଣଯୋଗ୍ୟ ସ୍ତରକୁ ଆଣିଲେ ତାହା ‘କ୍ଲିକ୍... କ୍ଲିକ୍ ... ଭଳି ଶୁଭିଥାଏ। ସୁତରା˚, ଏହି ସଦ୍ୟତମ ତଥ୍ୟ ଦ୍ବାରା ଯେ ମନୁଷ୍ୟର ଅବବୋଧ ଅତିକ୍ରମୀ ଏକ ଗୋପନୀୟ ଉଦ୍ଭିଦ ଜୀବନର ଆଭାସ ଉନ୍ମୋଚିତ ହୋଇଛି, ତାହା ସ୍ବୀକାରଯୋଗ୍ୟ। ସେହି ପରିପ୍ରେକ୍ଷୀରେ ଏକ କ୍ଷୁଦ୍ର ଆଲୋଚନା ଲାଗି ଅବକାଶ ସୃଷ୍ଟି ହୋଇଥାଏ।
ଇସ୍ରାଏଲୀ ଗବେଷକମାନଙ୍କ ପରୀକ୍ଷଣଟି ଥିଲା ଏହିଭଳି: ଏକ ଧ୍ବନି ରହିତ ଚ୍ୟାମ୍ବରରେ କିଛି ଟମାଟୋ ଏବ˚ ଧୂଆଁପତ୍ର ଗଛ ନିଆଯାଇଥିଲା, ଯହିଁରେ କିଛି ସୁସ୍ଥ ଓ ସବଳ ଗଛ ସହିତ କେତେକ ଶୁଷ୍କ, ଶୀର୍ଣ୍ଣକାୟ ତଥା ଆଘାତ ପ୍ରାପ୍ତ ଗଛ ଅନ୍ତର୍ଭୁକ୍ତ ଥିଲେ। ଗଛଗୁଡ଼ିକରୁ କୌଣସି ଶବ୍ଦ ନିର୍ଗତ ହେଉଛି କି ନାହିଁ ତାହା ଜାଣିବା ସକାଶେ ଅତ୍ୟନ୍ତ ଉଚ୍ଚ କ୍ଷମତା ସ˚ପନ୍ନ ତଥା ତୀବ୍ର ସ˚ବେଦନଶୀଳ ମାଇକ୍ରୋଫୋନ୍ମାନ ଖଞ୍ଜା ଯାଇଥିଲା। ତହିଁରୁ ଜଣାପଡ଼ିଲା ଯେ ଦୁର୍ଗତ ଗଛଗୁଡ଼ିକରୁ ଘଣ୍ଟା ପିଛା ୩୫ରୁ ୫୦ ଥର ‘କ୍ଲିକ୍’ ଶବ୍ଦ ନିର୍ଗତ ହେଉଥିବା ବେଳେ ସୁସ୍ଥ ଗଛଗୁଡ଼ିକରୁ ଘଣ୍ଟାକୁ ଥରେ ଅଧେ ଏଭଳି ଶବ୍ଦ ଶୁଣିବାକୁ ମିଳିଥିଲା। କହିବା ଅନାବଶ୍ୟକ ଯେ ତେଲ ଆଭିଭ ଗବେଷଣାଗାରରେ ପାଣି ଓ ଯତ୍ନ ପାଉ ନ ଥିବା ହତଭାଗ୍ୟ ଗଛଗୁଡ଼ିକ ସେଭଳି ଶବ୍ଦ କରି କରି ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ ଓ ତା’ସହିତ ସେମାନଙ୍କ ଆର୍ତ୍ତନାଦର ମଧ୍ୟ ପରିସମାପ୍ତି ଘଟିଥିଲା। ନିବନ୍ଧରେ ପ୍ରକାଶିତ ହୋଇଛି ଯେ ୨୦-୧୦୦ କିଲୋହର୍ଜ ‘ଫ୍ରିକ୍ବେନ୍ସି’ ବିଶିଷ୍ଟ ଶବ୍ଦକୁ ମନୁଷ୍ୟର କର୍ଣ୍ଣ ଯୁଗଳ ଧରି ପାରିବା ଅସମ୍ଭବ; କିନ୍ତୁ ତାହା କେତେକ ଉଦ୍ଭିଦାଶ୍ରୟୀ ପତଙ୍ଗ ଏବ˚ ଜୀବଙ୍କ ଶ୍ରୁତିଗୋଚର ହେଉଥିବାର ସମ୍ଭାବନା ରହିଛି; ଯେଉଁମାନେ ସେହି ‘ଇକୋସିଷ୍ଟମ୍’ ବା ‘ପର୍ଯ୍ୟାବରଣ ବ୍ୟବସ୍ଥା’ର ଅ˚ଶବିଶେଷ। ଏକ ବିଡ଼ମ୍ବନା ହେଲେ ମଧୢ ଏହା ସତ ଯେ ଜୀବ ଜଗତ୍କୁ ଧାରଣକ୍ଷମ କରୁଥିବା ଏବ˚ ମନୁଷ୍ୟ ସହିତ ଅବିଚ୍ଛେଦ୍ୟ ଭାବେ ସ˚ଶ୍ଳିଷ୍ଟ ଉଦ୍ଭିଦ ଜଗତ୍ ଏକ ଜୀବନ୍ତ ଏପରିକି ପ୍ରାଣବନ୍ତ ସତ୍ତା ହୋଇଥିଲେ ସୁଦ୍ଧା ବୃକ୍ଷରାଜିର ଅବିଚଳିତ ଜଡ଼ତ୍ବ ଏବ˚ ନିରବ ଅସ୍ତିତ୍ବ କାରଣରୁ ଅନେକ ସ୍ଥଳେ ଏହା ମନୁଷ୍ୟ ଦ୍ବାରା ନିର୍ଜୀବ ବସ୍ତୁ ସୁଲଭ ଆଚରଣର ଶିକାର ହୁଅନ୍ତି। ସେହି ପରିପ୍ରେକ୍ଷୀରେ ବିପଦାପନ୍ନ ଗଛଗୁଡ଼ିକର ମରଣ କାଳୀନ ଅଭିବ୍ୟକ୍ତି ସ˚ପର୍କିତ ବିଷୟ ପ୍ରମାଣିତ ହୋଇଗଲା ପରେ ସେମାନଙ୍କ ପ୍ରତି ଆମ ଦୃଷ୍ଟିଭଙ୍ଗୀରେ ଯେ କିଛିଟା ପରିବର୍ତ୍ତନ ଆସିପାରେ, ତାହା ଆଶା କରିବା ଅବାଂଛିତ ହେବ ନାହିଁ।
ଉଦ୍ଭିଦଗୁଡ଼ିକ ଯେ ଏକ ଅତ୍ୟନ୍ତ ବିଚିତ୍ର ପ୍ରାଣ-ସତ୍ତା, ତହିଁରେ ସନ୍ଦେହ ନାହିଁ। ମସ୍ତିଷ୍କ ବା ଏକ କେନ୍ଦ୍ରୀୟ ସ୍ନାୟୁ ସ˚ସ୍ଥା ରହିତ ଉଦ୍ଭିଦଗୁଡ଼ିକର ଅନ୍ତିମ ଅଭିବ୍ୟକ୍ତି ପ୍ରାୟତଃ ପୁଷ୍ପ ବା ଫଳ ଆଦିରେ ରୂପାୟିତ ହୋଇଥାଏ ବୋଲି ଆମର ଏକ ଚିରାଚରିତ ଧାରଣା ରହି ଆସିଛି, ଯହିଁରେ ପ୍ରକୃତିର ସେହି ଗୂଢ଼ ଉଦ୍ଦେଶ୍ୟ ନିହିତ ଥାଏ, ଯାହା ହେଲା ‘ବୀଜ ବିକ୍ଷେପ’ ଓ ତା’ ମାଧୢମରେ ବ˚ଶ ବିସ୍ତାର। କିନ୍ତୁ ଅତ୍ୟାଧୁନିକ ପ୍ରଯୁକ୍ତିର ପ୍ରୟୋଗ ଦ୍ବାରା କରାଯାଉଥିବା ଉଚ୍ଚାଙ୍ଗ ଗବେଷଣାଗୁଡ଼ିକରୁ ଜଣାପଡ଼ିଲାଣି ଯେ ଉଦ୍ଭିଦଗୁଡ଼ିକ ଅନ୍ୟ ଉପାୟରେ ମଧୢ ନିଜକୁ ବ୍ୟକ୍ତ କରି ପାରନ୍ତି; ଉଦାହରଣ ସ୍ବରୂପ ଏକ ଅନାବନା ଘାସର ଲନ୍କୁ ଘାସ କଟା ଯନ୍ତ୍ରରେ ମସୃଣ କଲା ବେଳେ ଯେଉଁ କ୍ଷୀଣ ସତେଜ ସୁବାସ ଚହଟି ଯାଏ, ତାହା ପ୍ରକୃତରେ ହେଉଛି ଘାସ ଦ୍ବାରା କ୍ଷରିତ ‘ଫେରମୋନ୍’ର ବାସ୍ନା, ଯଦ୍ଦ୍ବାରା ବିପଦାପନ୍ନ ଘାସ ତହିଁରେ ବାସ କରୁଥିବା ତୃଣାଶ୍ରୟୀ ପତଙ୍ଗମାନଙ୍କୁ ସତର୍କତାର ସନ୍ଦେଶ ପ୍ରେରଣ କରିଥାଏ। ‘ଦ ସିକ୍ରେଟ୍ ଲାଇଫ୍ ଅଫ୍ ପ୍ଲାଣ୍ଟ୍ସ’ରେ ବର୍ଣ୍ଣିତ ଅଛି କିଭଳି ଶ୍ରୁତିମଧୁର ସ˚ଗୀତ ପ୍ରତି ଉଦ୍ଭିଦଗୁଡ଼ିକର ସକାରାତ୍ମକ ପ୍ରତିକ୍ରିୟାକୁ ଆଧାର କରି ୧୯୬୨ ମସିହାରେ ତାମିଲନାଡୁସ୍ଥିତ ଆନାମଲାଇ ବିଶ୍ବବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନୀ ଟି.ସି. ସି˚ହଙ୍କ ଗବେଷଣା ପ୍ରମାଣ କରି ଦେଖାଇଥିଲା ଯେ ତଦ୍ଦ୍ବାରା ଏକ ପ୍ରକାର ଫୁଲ ଗଛରେ ୨୦ ପ୍ରତିଶତ ଅଧିକ ଫୁଲ ଫୁଟିବା ସହିତ ଗଛଗୁଡ଼ିକର ଗଣ୍ତି ୭୨ ପ୍ରତିଶତ ଅଧିକ ସୌଷ୍ଠବଯୁକ୍ତ ହୋଇଥିଲା। ଏହା ପରେ ସେ ଶସ୍ୟ କ୍ଷେତରେ ଲାଉଡ୍ ସ୍ପିକର୍ ଦ୍ବାରା ଭାରତୀୟ ଶାସ୍ତ୍ରୀୟ ସ˚ଗୀତ ବାଦନ କରି ଉତ୍ପାଦନରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟାଇଥିଲେ। ସେଇଭଳି ଆଉ ଏକ ପରୀକ୍ଷଣର ବର୍ଣ୍ଣନା କହିଥାଏ କିଭଳି କେତେକ ଲତାଜାତୀୟ ଗଛ ସେମାନଙ୍କ ସମ୍ମୁଖରେ ସୁମଧୁର ଶାସ୍ତ୍ରୀୟ ଓ ଜାଜ୍ ଗୀତ ପରିବେଷଣ କରୁଥିବା ‘ସ୍ପିକର୍ ବାକ୍ସ’ଗୁଡ଼ିକ ଆଡ଼କୁ ଲଟେଇ ଯାଇ କ୍ରମେ ସେଗୁଡ଼ିକୁ ନିବିଡ଼ ଆଶ୍ଳେଷରେ ଛନ୍ଦି ଦେଇଥିବା ବେଳେ କେତେକ ଲତା ଶ୍ରୁତିକଟୁ ରକ୍ ସ˚ଗୀତ ବଜାଉଥିବା ‘ସ୍ପିକର’ଗୁଡ଼ିକ ଠାରୁ ଦୂରେଇ ଯିବାର ଉପକ୍ରମ କରିଥିଲେ। ସେହି ପୁସ୍ତକର ଲେଖକ ଟ˚ପକିନ୍ସ ଓ ବାର୍ଡ କହିଛନ୍ତି କିଭଳି ଅନେକ ମାଳୀ ଏବ˚ ଚାଷୀ ସ˚ଗୀତ ପ୍ରତି ବୃକ୍ଷମାନଙ୍କ ମାର୍ମିକ ଆକର୍ଷଣର ଭୁରି ଭୁରି ଦୃଷ୍ଟାନ୍ତ ପ୍ରଦାନ କରିଥାଆନ୍ତି। କିନ୍ତୁ ଏହା ସତ୍ତ୍ବେ ଅନେକ ବିଶେଷଜ୍ଞ ଏହି ପୁସ୍ତକର ଏଭଳି ନିଷ୍କର୍ଷ ବା ଦୃଷ୍ଟାନ୍ତକୁ ଅସ୍ବୀକାର କରି କହିଥାଆନ୍ତି ଯେ ଏହି ପ୍ରସଙ୍ଗ ଏବେ ସୁଦ୍ଧା ଏକ ଧୂସର ଇଲାକାରେ ବିଦ୍ୟମାନ, ଯାହାକୁ ନେଇ କୌଣସି ନିଶ୍ଚିତ ଉପସ˚ହାରରେ ଉପନୀତ ହେବା ସମ୍ଭବ ନୁହେଁ। ପରିହାସ ଛଳରେ ସେମାନେ ଏହା ମଧୢ କହିଥାଆନ୍ତି ଯେ ବଗିଚାରେ ବା କ୍ଷେତରେ ମନୋଜ୍ଞ ସ˚ଗୀତ ବାଦନ ମାଳୀ ବା ଚାଷୀମାନଙ୍କ ଚିତ୍ତକୁ ପ୍ରଫୁଲ୍ଲ ରଖି ଅଧିକ ଉତ୍ସାହ ସୃଷ୍ଟି କରୁଥିବାରୁ ସମ୍ଭବତଃ ଅମଳ ଅଧିକ ହୋଇଥାଏ।
ତେବେ, ସେ ଯାହା ହେଉ, ଏହା ସ୍ବୀକାର କରିବାକୁ ହେବ ଯେ ଅତ୍ୟାଧୁନିକ ପ୍ରଯୁକ୍ତି ସ˚ପ୍ରତି ଉଦ୍ଭିଦମାନଙ୍କ ଗୋପନୀୟ ଜୀବନ ଉପରେ ଅଧିକ ଆଲୋକପାତ କରିବାରେ ସମର୍ଥ ହେଉଛି। ଏକ ଉଦାହରଣ ଦ୍ରଷ୍ଟବ୍ୟ। ପୂର୍ବରୁ ଗଛରେ ଶକ୍ତିଶାଳୀ ମାଇକ୍ରୋଫୋନ୍ ରୋପଣ କରି ଗବେଷକମାନେ ଯଦିଓ କିଛି ଶବ୍ଦ ଶୁଣିବାର ଅନୁଭୂତି ଲାଭ କରିଥିଲେ, ଗଛରୁ ଏଭଳି ଶବ୍ଦ ବାହାରକୁ ନିର୍ଗତ ହେବା ସହିତ ପବନ-ବାହିତ ହୋଇ ଅନ୍ୟ କାହା ଠାରେ ପହଞ୍ଚୁ ଥିବା ବାବଦରେ ସେମାନେ ନିଶ୍ଚିତ ନ ଥିଲେ। ସେହି ଦୃଷ୍ଟିରୁ ତେଲ ଆଭିଭି ବିଶ୍ବବିଦ୍ୟାଳୟ ଦ୍ବାରା କରାଯାଇଥିବା ପରୀକ୍ଷଣର ନିଷ୍କର୍ଷ ଏହାକୁ ପ୍ରମାଣିତ କରିବା ସହିତ ବୃକ୍ଷମାନଙ୍କ ଜୀବନ ସ˚ଦର୍ଭରେ ଏକ ନୂତନ ପ୍ରସ୍ଥ ଖୋଲି ଦେଇଛି। ସାଧାରଣତଃ ବିଶ୍ବାସ କରାଯାଇଥାଏ ଯେ ସୃଷ୍ଟିରେ କୌଣସି କାର୍ଯ୍ୟ ଅକାରଣ ଘଟି ନ ଥାଏ। ସେହି ଦୃଷ୍ଟିରୁ ପ୍ରଶ୍ନ ଉଠିଥାଏ ଯେ ଶୁଷ୍କ ମୁମୂର୍ଷୁ ଗଛମାନଙ୍କ ଆର୍ତ୍ତନାଦ କ’ଣ ଏକ ନିଷ୍ଫଳ ବିଳାପ ହୋଇଥିବା ସମ୍ଭବ ନା ତାହା କେଉଁ ତ୍ରାଣକର୍ତ୍ତାର କର୍ଣ୍ଣଗୋଚର ହେବା ସକାଶେ ଅଭିପ୍ରେତ? ଏହା ସୁନିଶ୍ଚିତ ଯେ ସେହି ତ୍ରାଣକର୍ତ୍ତା ମନୁଷ୍ୟ ନୁହେଁ, କାରଣ ପ୍ରକୃତି ତାକୁ ମନୁଷ୍ୟର ଶ୍ରୁତିଗୋଚର କରିନାହିଁ। ସମ୍ଭବତଃ ତାହା ଈଶ୍ବରଙ୍କ ଉଦ୍ଦେଶ୍ୟରେ ବୃକ୍ଷ ଜଗତ୍ଙ୍କ ନିରବ ଜଣାଣ, ଯାହା ବୃଷ୍ଟିର ଧାର ଝରାଏ ଏବ˚ ଶୁଷ୍କ ବୃକ୍ଷକୁ ପୁନଃ ପଲ୍ଲବିତ ହେବାର ସମ୍ଭାବନା ଜାତ କରେ।