ପୃଥିବୀର ବୃହତ୍ତମ ଗଣତନ୍ତ୍ର ଭାରତ ବିଭିନ୍ନ କାରଣରୁ ସେମାନଙ୍କ ପାଇଁ ଏକ ଆକର୍ଷଣୀୟ ବିକଳ୍ପ ରୂପେ ଆବିର୍ଭୂତ ହୋଇଛି। ଭାରତରେ ପରିଦୃଷ୍ଟ ରାଜନୈତିକ ସ୍ଥିରତା, ଆଇନର ଶାସନ ସହିତ ମିଶି ରହିଛି ଏକ ବିଶାଳ ଶିକ୍ଷିତ ଯୁବ ଶ୍ରମଶକ୍ତି, ନୂତନ ଡିଜିଟାଲ୍ ଟେକ୍ନୋଲୋଜି କ୍ଷେତ୍ରରେ ନେତୃସ୍ଥାନୀୟ ଅଗ୍ରଗତି ଓ ଏକ ବିଶାଳ ଆଭ୍ୟନ୍ତରୀଣ ବଜାର। ନିକଟ ଭବିଷ୍ୟତରେ ତେଣୁ ଭାରତ ତା’ର ଏହି ସମସ୍ତ ଅନ୍ତର୍ନିହିତ ଶକ୍ତି ବଳରେ ଏକ ବିକଶିତ ଅର୍ଥନୀତିରେ ପରିଣତ ହୋଇ ଆନ୍ତର୍ଜାତିକ ଅର୍ଥନୈତିକ ପ୍ରତିଯୋଗିତାରେ ଯେ ବିଜୟ ଲାଭ କରିବାକୁ ଯାଉଛି, ବ୍ରିଟେନ୍ ଓ ଜାପାନ୍ର ଦୁରବସ୍ଥା ହେଉଛି ତା’ର ପୂର୍ବାଭାଷ।
ସଦ୍ୟ ପ୍ରକାଶିତ ସୂଚନା ଅନୁସାରେ ପୃଥିବୀର ଦୁଇଟି ଅଗ୍ରଣୀ ଅର୍ଥନୀତି, ଜାପାନ୍ ଓ ବ୍ରିଟେନ୍ ଏବେ ଏକ ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ସମସ୍ୟାଟିର ନାମ ହେଉଛି- ଅପସରଣ ବା ‘ରିସେସନ୍’। ଯେତେବେଳେ ଲାଗ ଲାଗ ବର୍ଷର ଦୁଇ ଚଉଠ ଧରି ଏକ ଦେଶର ମୋଟ ଜାତୀୟ ଉତ୍ପାଦ ବା ‘ଜିଡିପି’ରେ ସଂକୋଚନ ଘଟିବା ଦେଖା ଯାଇଥାଏ, ସେତେବେଳେ ସେ ଦେଶର ଅର୍ଥନୀତି ଅପସରଣ କବଳରେ ପଡ଼ିଲା ବୋଲି ବିପଦ ସଙ୍କେତ ମିଳିଥାଏ। ୨୦୨୩ର ଚତୁର୍ଥ ତଥା ଶେଷ ଚଉଠରେ ବ୍ରିଟେନ୍ର ‘ଜିଡିପି’ରେ ୦.୩ ଶତାଂଶ ସଂକୋଚନ ଘଟିଛି ବୋଲି ପ୍ରକାଶ ପାଇଥିବା ବେଳେ ଏହାର ପୂର୍ବବର୍ତ୍ତୀ ଚଉଠ ଅର୍ଥାତ୍ ତୃତୀୟ ଚଉଠରେ ମଧ୍ୟ ‘ଜିଡିପି’ରେ ୦.୧ ଶତାଂଶ ସଂକୋଚନ ଘଟିଥିଲା। ସେହିପରି ଗତ ବର୍ଷର ଶେଷ ତିନି ମାସରେ ଜାପାନ୍ର ‘ଜିଡିପି’ରେ ୦.୪ ଶତାଂଶ ହ୍ରାସ ଘଟିଥିବା ବେଳେ ଏହାର ଠିକ୍ ପୂର୍ବବର୍ତ୍ତୀ ଚଉଠରେ ୩.୩ ଶତଂାଶ ସଂକୋଚନ ଘଟିଥିଲା। ଏଥିଯୋଗୁଁ ଜାପାନ୍ ବର୍ତ୍ତମାନ ପୃଥିବୀର ତୃତୀୟ ବୃହତ୍ତମ ଅର୍ଥନୀତି ସ୍ଥାନରୁ ଖସି ଚତୁର୍ଥ ସ୍ଥାନକୁ ଚାଲି ଆସିଛି ଓ ଚତୁର୍ଥ ସ୍ଥାନରେ ଥିବା ଜର୍ମାନୀ ତୃତୀୟ ସ୍ଥାନକୁ ଆରୋହଣ କରିଛି।
ଯେତେବେଳେ କୌଣସି ଦେଶର ଅର୍ଥନୀତି ଏଭଳି ଅପସରଣ ଦ୍ବାରା ଆକ୍ରାନ୍ତ େହାଇଥାଏ, ତାହା ସଂପୃକ୍ତ ଦେଶର ସରକାର, ନୀତି ନିର୍ଦ୍ଧାରକ ଓ ଅର୍ଥନୀତିଜ୍ଞମାନଙ୍କ ପାଇଁ ଚିନ୍ତାର କାରଣ ହୋଇଥାଏ। ଏହାର କାରଣ ହେଲା, ଏହି ଅପସରଣ ହୁଏତ ମାତ୍ର କେତେ ମାସ ପାଇଁ ଦେଖା ଦେଇଥାଏ, କିନ୍ତୁ ଏହା ପରେ ସେଇ ଆକ୍ରାନ୍ତ ଅର୍ଥନୀତିକୁ ତା’ର ଅତୀତର ସ୍ବାସ୍ଥ୍ୟ ଫେରି ପାଇବା ପାଇଁ ବେଳେବେଳେ ବର୍ଷାଧିକ ସମୟ ଲାଗି ଯାଇଥାଏ। ଅପସରଣ କାଳରେ ଯେଉଁ ବେକାରି ସୃଷ୍ଟି ହୋଇଥାଏ, ଅନେକ ସମୟରେ ଅର୍ଥନୀତି ଅପସରଣରୁ ମୁକୁଳି ବିକାଶ ହାସଲ କରିବାକୁ ଆରମ୍ଭ କରିବା ପରେ ମଧ୍ୟ ତାହା ଆଉ କିଛି କାଳ ଧରି ଲାଗି ରହିଥାଏ। ଏଣୁ ବିଧିବଦ୍ଧ ସଂଜ୍ଞା ଅନୁସାରେ ଅର୍ଥନୀତିଟି ଅପସରଣରୁ ମୁକୁଳିବା ପରେ ମଧ୍ୟ ଅନେକଙ୍କ ପାଇଁ ଆହୁରି କିଛି ସମୟ ପାଇଁ ଅପସରଣ ଲାଗି ରହିଥିବା ଭଳି ଅନୁଭବ ହୋଇଥାଏ।
ଦେଶରେ ଦୁର୍ବଳ ଆଭ୍ୟନ୍ତରୀଣ ଚାହିଦା, ଉଚ୍ଚ ମୁଦ୍ରାସ୍ଫୀତି ହାର, ଶିଳ୍ପ ଉତ୍ପାଦନ ସଂକୋଚନ, ଅଶୋଧିତ ତୈଳ ଦର ବୃଦ୍ଧି ଆଦି ଯୋଗୁଁ ଆରମ୍ଭ ହୋଇଥିବା ଅର୍ଥନୈତିକ ଅପସରଣର ପ୍ରଭାବ ତେଣୁ ବେଶ୍ କିଛି କାଳ ପାଇଁ ସଂପୃକ୍ତ ଦେଶ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଥାଏ। ପୃଥିବୀର ଏହି ପ୍ରମୁଖ ଅର୍ଥନୀତିମାନଙ୍କରେ ଦେଖା ଦେଇଥିବା ଏହି ଅର୍ଥନୈତିକ ବ୍ୟାଧିର କାରଣ ମଧ୍ୟ କାହାକୁ ଅଜଣା ନୁହେଁ। ଦୁଇ ବର୍ଷରୁ ଅଧିକ କାଳ ଧରି କୋଭିଡ୍-୧୯ ପାଣ୍ଡେମିକ୍ ସାରା ପୃଥିବୀର ଅର୍ଥନୀତିକୁ ଯେଉଁଭଳି ଧ୍ବସ୍ତ ବିଧ୍ବସ୍ତ କରି ଦେଇଥିଲା, ତାହାର ପ୍ରଭାବରୁ ଏହି ଦେଶମାନେ ଏ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଭାବରେ ମୁକୁଳି ପାରି ନାହାନ୍ତି। ଏହି ବିକଶିତ ଦେଶସବୁର ଅର୍ଥନୀତି ଆନ୍ତର୍ଜାତିକ ଅର୍ଥନୀତି ସହିତ ନିବିଡ଼ ଭାବରେ ସଂଯୁକ୍ତ ହୋଇଥାନ୍ତି; ବା ଅନ୍ୟ ଭାଷାରେ କହିଲେ ଏହି ଅର୍ଥନୀତିମାନ ଅଧିକ ଜଗତ୍କୃତ ହୋଇ ଆମଦାନି ରପ୍ତାନି ଉପରେ ଅଧିକ ନିର୍ଭରଶୀଳ ହୋଇଥାନ୍ତି। ପାଣ୍ଡେମିକ୍ଜନିତ ଲକ୍ଡାଉନ୍ ଇତ୍ୟାଦି ଯୋଗୁଁ ଆମଦାନି ରପ୍ତାନି ଶୃଙ୍ଖଳ ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ି ଏହି ଅର୍ଥନୀତିମାନଙ୍କ ପ୍ରତି େଯଉଁ ଘୋର ବ୍ୟାଘାତ ପହଞ୍ଚାଇଥିଲା, ତାହା ଏ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଭରଣା ହୋଇ ପାରିନାହିଁ। ଇତିମଧ୍ୟରେ ରୁଷିଆ-ୟୁକ୍ରେନ୍ ଯୁଦ୍ଧ ସେଇ ଘା’କୁ ଶୁଖିବାକୁ ନ ଦେଇ ଅଧିକ ବିଷାକ୍ତ କରିଛି। ଏହି ଯୁଦ୍ଧ ଯୋଗୁଁ ତୈଳ ଦର ଓ ଖାଦ୍ୟ ସାମଗ୍ରୀ ଦରରେ େଯଉଁ ବୃଦ୍ଧି ଘଟିଲା ତାହା ଅଧିକାଂଶ ଦେଶର ଅର୍ଥନୀତି ଉପରେ ଏକ ଅତିରିକ୍ତ ବୋଝ ଲଦି ଦେଲା।
ଜାପାନ୍କୁ ସ୍ଥାନଚ୍ୟୁତ କରି ଜର୍ମାନୀ ଏବେ ପୃଥିବୀର ତୃତୀୟ ବୃହତ୍ତମ ଅର୍ଥନୀତିର ସ୍ଥାନ ଦଖଲ କରିଥିଲେ ହେଁ ସେ ଦେଶ ମଧ୍ୟ ଏହି ସମସ୍ତ ପ୍ରତିବନ୍ଧକମାନଙ୍କ ସହିତ ଲଢ଼େଇ କରିବାରେ ଲାଗିଛି। ଏହି ସମୟରେ ‘ଇଉରୋପିଆନ୍ ସେଣ୍ଟ୍ରାଲ୍ ବ୍ୟାଙ୍କ୍’ (‘ଇସିବି’) ମୁଦ୍ରାସ୍ଫୀତି ବିରୋଧରେ ଲଢ଼େଇ ଜାରି ରଖି ସୁଧ ହାରରେ ଯେଉଁ ବୃଦ୍ଧି ଘଟାଇଛି, ତାହା ମଧ୍ୟ ଶିଳ୍ପ କ୍ଷେତ୍ରରେ ନିବେଶକୁ ନିରୁତ୍ସାହିତ କରୁଛି ଏବଂ ଉତ୍ପାଦିତ ସାମଗ୍ରୀମାନଙ୍କର ଦର ବୃଦ୍ଧି ଘଟାଇ ରପ୍ତାନି ଉପରେ ଅତିରିକ୍ତ ନିର୍ଭରଶୀଳ ଜର୍ମାନ୍ ଅର୍ଥନୀତିକୁ ପଛକୁ ଭିଡ଼ିବାରେ ଲାଗିଛି। ସେ ଦେଶରେ କୁଶଳୀ ଶ୍ରମଶକ୍ତିର ଅଭାବ ମଧ୍ୟ ପରିସ୍ଥିତିକୁ ଆହୁରି କଷ୍ଟକର କରିଛି।
ପୃଥିବୀର ବିକଶିତ ଦେଶମାନେ ଏଇଭଳି ଏକ ବିଷାଦଜନକ ଅର୍ଥନୈତିକ ଚିତ୍ର ପ୍ରଦାନ କରୁଥିବା ବେଳେ ଆନ୍ତର୍ଜାତିକ ନିବେଶକମାନେ ଯେତେବେଳେ ଏକ ଆଶାର ଆଲୋକର ସନ୍ଧାନ କରିବାରେ ଲାଗିଛନ୍ତି, ସେତିକିବେଳେ ପୃଥିବୀର ଯେଉଁ ଏକମାତ୍ର ଦେଶରେ ସେଇ ଆଲୋକର ଆଭା ଦୃଷ୍ଟିଗୋଚର ହେଉଛି, ସେ ଦେଶ ହେଉଛି ଭାରତ। ‘ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି’ (‘ଆଇଏମ୍ଏଫ୍’) ତା’ର ସଦ୍ୟତମ ପ୍ରକାଶିତ ‘ୱାର୍ଲଡ୍ ଇକୋନୋମିକ୍ ଆଉଟ୍ଲୁକ୍’ରେ ୨୦୨୪ ଓ ୨୦୨୫ରେ ଭାରତୀୟ ଅର୍ଥନୀତି ଏକ ଉଚ୍ଚ ୬.୫ ଶତାଂଶ ହାରରେ ଅଭିବୃଦ୍ଧି ହାସଲ କରି ଚାଲିବ ବୋଲି ଭବିଷ୍ୟବାଣୀ କରିଛି। ଭାରତୀୟ ଅର୍ଥନୀତି ୨୦୨୬ରେ ଜାପାନ୍କୁ ଓ ୨୦୨୭ରେ ଜର୍ମାନୀକୁ ଅତିକ୍ରମ କରିବାକୁ ଯାଉଛି ବୋଲି ମଧ୍ୟ ‘ଆଇଏମ୍ଏଫ୍’ ଭବିଷ୍ୟବାଣୀ କରିଛି। ୨୦୨୩ରେ ଆମେରିକାର ‘ଜିଡିପି’ର ଆକାର ୨୭.୯୪ ଟ୍ରିଲିଅନ୍ ଡଲାର୍ ଓ ଚୀନ୍ର ‘ଜିଡିପି’ର ଆକାର ୧୭.୫ ଟ୍ରିଲିଅନ୍ ଡଲାର୍ ଥିବାବେଳେ ଭାରତର ‘ଜିଡିପି’ର ଆକାର ଥିଲା ମାତ୍ର ୩.୭ ଟ୍ରିଲିଅନ୍ ଡଲାର୍, ଯାହା ଭାରତକୁ ପୃଥିବୀର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ କରିଛି। କିନ୍ତୁ ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଏହି ସମସ୍ତ ଦେଶମାନଙ୍କ ତୁଳନାରେ ଭାରତର ଅର୍ଥନୀତିର ଅଭିବୃଦ୍ଧି ହାର ହେଉଛି ବର୍ତ୍ତମାନ ଦ୍ରୁତତମ।
ଆନ୍ତର୍ଜାତିକ ନିବେଶକମାନେ ବିଶ୍ବାସ କରୁଛନ୍ତି ଯେ ଘୋର ଅସୁବିଧା ସମୟରେ ନିଜର ଶକ୍ତିଶାଳୀ ଅଭିବୃଦ୍ଧି ହାରକୁ ବଜାର ରଖି ପାରିଥିବା ଭାରତୀୟ ଅର୍ଥନୀତି ଆଗାମୀ ସମୟରେ ଏହାକୁ ବଳବତ୍ତର ରଖିବାରେ ମଧ୍ୟ ସଫଳ ହେବ। କୋଭିଡ୍ ପାଣ୍ଡେମିକ୍, ୟୁକ୍ରେନ୍ ଯୁଦ୍ଧ ଓ ତଜ୍ଜନିତ ଆନ୍ତର୍ଜାତିକ ରାଜନୈତିକ-ଭୌଗୋଳିକ ପରିସ୍ଥିତିରେ ସୃଷ୍ଟି ହୋଇଥିବା ଅସ୍ଥିରତା ଯୋଗୁଁ ବିବ୍ରତ ହୋଇ ବହୁଦେଶୀୟ କଂପାନିମାନେ କ୍ରମେ ଚୀନ୍ରୁ ସେମାନଙ୍କର ଉତ୍ପାଦନ କେନ୍ଦ୍ରମାନ ଉଠାଇ ଆଣି ଅନ୍ୟ ଅନୁକୂଳ ପରିବେଶ ଥିବା ଦେଶମାନଙ୍କରେ ସ୍ଥାପନ କରିବାକୁ ଉଦ୍ୟମ ଆରମ୍ଭ କରିଦେଲେଣି। ପୃଥିବୀର ବୃହତ୍ତମ ଗଣତନ୍ତ୍ର ଭାରତ ବିଭିନ୍ନ କାରଣରୁ ସେମାନଙ୍କ ପାଇଁ ଏକ ଆକର୍ଷଣୀୟ ବିକଳ୍ପ ରୂପେ ଆବିର୍ଭୂତ ହୋଇଛି। ଭାରତରେ ପରିଦୃଷ୍ଟ ରାଜନୈତିକ ସ୍ଥିରତା, ଆଇନର ଶାସନ ସହିତ ମିଶି ରହିଛି ଏକ ବିଶାଳ ଶିକ୍ଷିତ ଯୁବ ଶ୍ରମଶକ୍ତି, ନୂତନ ଡିଜିଟାଲ୍ ଟେକ୍ନୋଲୋଜି କ୍ଷେତ୍ରରେ ନେତୃସ୍ଥାନୀୟ ଅଗ୍ରଗତି ଓ ଏକ ବିଶାଳ ଆଭ୍ୟନ୍ତରୀଣ ବଜାର। ନିକଟ ଭବିଷ୍ୟତରେ ତେଣୁ ଭାରତ ତା’ର ଏହି ସମସ୍ତ ଅନ୍ତର୍ନିହିତ ଶକ୍ତି ବଳରେ ଏକ ବିକଶିତ ଅର୍ଥନୀତିରେ ପରିଣତ ହୋଇ ଆନ୍ତର୍ଜାତିକ ଅର୍ଥନୈତିକ ପ୍ରତିଯୋଗିତାରେ ଯେ ବିଜୟ ଲାଭ କରିବାକୁ ଯାଉଛି, ବ୍ରିଟେନ୍ ଓ ଜାପାନ୍ର ଦୁରବସ୍ଥା ହେଉଛି ତା’ର ପୂର୍ବାଭାଷ।