ମହାତ୍ମା ଗାନ୍ଧୀ ବ୍ୟବହାର କରୁଥିବା ପେନସିଲ ସର୍ବଦା ଏଭଳି ସ୍ଥିତିରେ ଯାଇ ପରିତ୍ୟକ୍ତ ହେଉଥିଲା, ଯେତେବେଳେ କି କ୍ଷୁଦ୍ର ହୋଇ ସାରିଥିବା କାରଣରୁ ତାକୁ ଆଙ୍ଗୁଠିରେ ଧରିବା କୌଣସିମତେ ସମ୍ଭବ ହେଉ ନ ଥିଲା। ଏଥିରେ ଗାନ୍ଧୀଙ୍କ ଉଦ୍ଦେଶ୍ୟ ଥିଲା, ଅନ୍ତିମ ଅବଦାନ ଯାଏଁ ପେନସିଲଟିକୁ ସ୍ବୀକୃତି ଦେଇ ତାହା ତିଆରି ହେବା ପଛରେ ନିହିତ ଶ୍ରମ ଓ ଶକ୍ତିକୁ କୃତଜ୍ଞତା ଜ୍ଞାପନ କରିବା। ଗାନ୍ଧୀଙ୍କ ଦୃଷ୍ଟିରେ ବିଚାର କଲେ ଆମ ଖାଦ୍ୟ ଥାଳିରେ ଥିବା ଅନ୍ତିିମ ଦାନାଟି ମଧ୍ୟ ‘ଅନ୍ନଦାତା’ଙ୍କ ସ୍ବେଦବିନ୍ଦୁ ପ୍ରତି କୃତଜ୍ଞତାର ପାତ୍ର। କିନ୍ତୁ ଆମେମାନେ କେବେ ହେଲେ ସେଭଳି ଭାବିଥାଉ କି?
ସଂପ୍ରତି ଚାଲିଥିବା କୃଷକ ଆନ୍ଦୋଳନ, ଏମ୍.ଏସ୍.ପି., କୃଷକଙ୍କ ଦାରିଦ୍ର୍ୟ ବା ସେମାନଙ୍କ ଆୟ ଅଥବା ସରକାର ସେମାନଙ୍କ ପ୍ରତି କେତେ ଉଦାସୀନ ଏବଂ ବିପକ୍ଷ କେତେ ସଂବେଦନଶୀଳ ଭଳି ପ୍ରସଙ୍ଗମାନ ଘମାଘୋଟ ଆଲୋଚନା ଏବଂ ତର୍କ-ବିତର୍କର ବିଷୟବସ୍ତୁ ପାଲଟିଥିବା ବେଳେ ଯେଉଁ ଏକ ସଂଦର୍ଭ ‘ବ୍ଲାଇଣ୍ଡ୍ ସ୍ପଟ୍’ ଭଳି ଦୃଷ୍ଟି ଅନ୍ତରାଳରେ ରହିଯାଇଥାଏ, ତାହା ହେଲା ଗୋଟିଏ ପ୍ରଶ୍ନ ଯେ ‘ଅନ୍ନଦାତା’ମାନଙ୍କ ପ୍ରତି ଆମ ଭଳି ସାଧାରଣ ଭାରତୀୟ ନାଗରିକ କେତେ ଦରଦୀ ବା କେତେ ବୀତସ୍ପୃହ? ପ୍ରକାଶ ଥାଉ କି ଏକବିଂଶ ଶତାବ୍ଦୀର ପ୍ରାରମ୍ଭ କାଳରେ ମହାରାଷ୍ଟ୍ରର ବିଦର୍ଭରେ ଘଟୁଥିବା ନିୟମିତ ଚାଷୀ ଆତ୍ମହତ୍ୟା ଏବଂ ସେମାନଙ୍କ ସମସ୍ୟା ପରିପ୍ରେକ୍ଷୀରେ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ କେତେ ସଚେତନ ତାହା ଜାଣିବା ଲାଗି ଏକ ଟେଲିଭିଜନ ନ୍ୟୁଜ ଚ୍ୟାନେଲର ଉଦ୍ୟମ ଘୋର ନୈରାଶ୍ୟ ସହିତ ଶେଷ ହୋଇଥିଲା; କାରଣ ମହାରାଷ୍ଟ୍ରର କେତେକ ସହରର ରେସ୍ତୋରାଁ ଏବଂ କାଫେରେ ଭୋଜନ ଏବଂ ଉଚ୍ଚାଟ ଆଳାପରେ ନିମଗ୍ନ ଛାତ୍ରଛାତ୍ରୀମାନେ ଏ ନେଇ ପ୍ରାୟତଃ ଅଜ୍ଞ ବୋଲି ନ୍ୟୁଜ ଚ୍ୟାନେଲର ପ୍ରତିନିଧିମାନଙ୍କୁ ଜଣାଇଥିଲେ। ଉଦ୍ବେଗର କାରଣ ହେଲା ଭବିଷ୍ୟତ୍ର ନୀତି ନିର୍ଦ୍ଧାରକ ରୂପେ ନିଜକୁ ଗଢ଼ି ତୋଳୁଥିବା ସହାରୀ ଛାତ୍ର ସମାଜ ଗ୍ରାମୀଣ ଭାରତର ଏ ଜ୍ବଳନ୍ତ ସମସ୍ୟା ନେଇ ବୀତସ୍ପୃହ ଥିଲେ ଏବଂ କହିବା ଅନାବଶ୍ୟକ ଯେ କୃଷକଙ୍କ ସମସ୍ୟାକୁ ପ୍ରତ୍ୟହ ଅଙ୍ଗେ ନିଭାଉଥିବା ଗ୍ରାମୀଣ ଭାରତର ଯୁବକଯୁବତୀମାନେ ପ୍ରଶାସନର ଉଚ୍ଚାସନରେ ଉପବିଷ୍ଟ ହେବା ସକାଶେ କ୍ବଚିତ ସୁଯୋଗ ପାଆନ୍ତି! ଏହା ଏକ ବାସ୍ତବତା ନୁହେଁ କି ଯେ ସହରୀ ଭାରତର ଡାଇନିଂ ଟେବୁଲର ଚତୁଃପାର୍ଶ୍ବ ଖାଦ୍ୟର ସ୍ବାଦ, ପୌଷ୍ଟିକତା, ସେଗୁଡ଼ିକର ରନ୍ଧନ ଶୈଳୀ ଏବଂ ସେମାନେ ପ୍ରଦାନ କରୁଥିବା କ୍ୟାଲୋରି ପରିମାଣ ଭଳି ବିଷୟକୁ ନେଇ ଆଲୋଚନା ମୁଖର ହୋଇ ଉଠୁଥିବା ବେଳେ ଅନ୍ନ ଦାନାର ମୂଳାଧାର ‘ଅନ୍ନଦାତା’ମାନଙ୍କ ଦୁଃସ୍ଥିତି ବା ସମସ୍ୟା ସେହି ସମ୍ଭାଷଣରୁ ସୀମାନ୍ତରିିତ ହୋଇ ରହିଥାଏ? ଏହା ଏକ ବିଡ଼ମ୍ବନା ନୁହେଁ କି?
କହିବାରେ ଦ୍ବିଧା ନାହିଁ ଯେ ସାଂପ୍ରତିକ ଉଦାର ଅର୍ଥନୀତି ସମ୍ଭୂତ ମୁକ୍ତ ବଜାର ପ୍ରାଙ୍ଗଣରେ ପ୍ରତ୍ୟେକ ନାଗରିକ ‘ଖାଉଟି’ ବା ‘ଉପଭୋକ୍ତା’ର ପରିଚୟ ଧାରଣ କରି ବିଚରଣ କରିବାରେ ଲାଗିଛନ୍ତି; ଉତ୍ପାଦକ-ବିକ୍ରେତା ଓ ଖାଉଟି-କ୍ରେତାଙ୍କ ସଂପର୍କ ବଜାରକୁ ଚଳଚଞ୍ଚଳ କରି ରଖିଛି। କିନ୍ତୁ, ଏକ ଅସଂଗତି ସ୍ବରୂପ ଖାଦ୍ୟ ଦ୍ରବ୍ୟ ବଜାରରେ ତାକୁ ଉତ୍ପାଦନ କରୁଥିବା କୃଷକ ପ୍ରାୟତଃ ଏଭଳି ବଜାରରେ ବିକ୍ରେତା ରୂପେ ପ୍ରବେଶ କରି ପାରି ନ ଥାଏ; ଯାହା ଅଗତ୍ୟା ମଧ୍ୟସ୍ଥି ଏବଂ ବ୍ୟବସାୟୀମାନଙ୍କ ଏକାଧିପତ୍ୟର ଅଧୀନ ହୋଇ ରହିଛି। ସୁତରାଂ, ଖାଦ୍ୟଦ୍ରବ୍ୟ ଯୋଗାଣ ଶୃଙ୍ଖଳର ପ୍ରଥମ ‘କଡ଼ି’ ରୂପେ ଉପସ୍ଥିତ କୃଷକ ସକାଶେ ତା’ ଉତ୍ପାଦର ବିକ୍ରୟ ସ୍ଥଳ ହେଉଛି ତା ‘ଖଳା’ ବା ତା’ ଘରର ଦୁଆର ମୁହଁ ଅଥବା କେତେକ କୃଷିଜ ସକାଶେ ସରକାରୀ ମଣ୍ଡି, ଯେଉଁଠି ତାକୁ ସର୍ବନିମ୍ନ (ସହାୟକ) ମୂଲ୍ୟ ହିଁ ମିଳିଥାଏ, ଅଥଚ ସହର ବଜାରରେ ସେତେବେଳେ ସେ ସବୁ ଦ୍ରବ୍ୟର ଦର ନଭଶ୍ଚୁମ୍ବୀ ହୋଇଥାଏ। ଅଧିକାଂଶ କୃଷିଜାତ ଦ୍ରବ୍ୟ ଦ୍ରୁତ ପଚନଶୀଳ ହୋଇଥିବାରୁ ଏବଂ ସେ ସବୁର ସଂରକ୍ଷଣ ସକାଶେ ଭିତ୍ତିଭୂମିର ସୁବିଧା ନ ଥିବାରୁ ଯଦି ଚାଷୀ ତାକୁ ଅତ୍ୟନ୍ତ ନୀଚା ଏପରିକି ଶୂନ୍ୟ ବରାବର ଦରରେ ବିକ୍ରୟ କରିବାକୁ ବାଧ୍ୟ ହେଉଥିବା ବେଳେ ଅଭିମାନ ଜର୍ଜର ହୋଇ ତା’ର ଅଶ୍ରୁ-ସ୍ବେଦ ବିନିମୟରେ ଉତ୍ପନ୍ନ ଫସଲକୁ ନିଜ ହାତରେ ନଷ୍ଟ କରିଦିଏ, ତେବେ ତହିଁରେ ବିସ୍ମୟର କାରଣ ଅଛି କି? ପୁଣି ଏଭଳି ସ୍ଥଳେ ଆଉ ଏକ ବଡ଼ ଅଲକ୍ଷଣ ହେଲା ଆମ ବ୍ୟବସ୍ଥାଟି କୃଷକ ସ୍ବାର୍ଥ କୈନ୍ଦ୍ରିକ ନ ହୋଇ ଖାଉଟି ସ୍ବାର୍ଥ କୈନ୍ଦ୍ରିକ; ଯେଉଁଠି ବଜାର ଦର ସ୍ଥିର ରଖିବା ସକାଶେ ଉଦ୍ଦିଷ୍ଟ ୫୦୦୦ କୋଟି ଟଙ୍କାର ସରକାରୀ ପାଣ୍ଠିକୁ ‘ପିଆଜ’ ମୂଲ୍ୟ ବୃଦ୍ଧି ପାଇଲେ ତାକୁ ହ୍ରାସ କରି ଖାଉଟିଙ୍କୁ ଆଶ୍ବସ୍ତି ଦେବା ସକାଶେ ବ୍ୟବହାର କରାଯାଏ ସିନା, ‘ପିଆଜ’ ଦର ଖସିଗଲେ କୃଷକର ଆୟ ହାନିକୁ ଭରଣା କରିବା ଦିଗରେ ବ୍ୟବହୃତ ହୁଏନାହିଁ। ଏବଂ ଖାଦ୍ୟ ଦ୍ରବ୍ୟର ଦର ନିମ୍ନଗାମୀ ହେଉଥିବା ବେଳେ ଉଲ୍ଲସିତ ଖାଉଟି କୃଷକଙ୍କ ମର୍ମଦାହ ହୃଦ୍ବୋଧ କରିପାରନ୍ତି ନାହିଁ!
ଏବେ ଆମ ସଂବେଦନଶୂନ୍ୟତାର ଆଉ ଏକ ଦୃଷ୍ଟାନ୍ତ, ଯାହା ହେଲା ଖାଦ୍ୟ ଦ୍ରବ୍ୟର ଅପଚୟ ଓ ନଷ୍ଟ। ସରକାରୀ ଗୋଦାମରେ ଉଦ୍ବୃତ୍ତ ଖାଦ୍ୟ ଶସ୍ୟ ଶଢ଼ିବା ଠାରୁ ପ୍ରାରମ୍ଭ କରି ପ୍ରତ୍ୟହ ଘରେ ଏବଂ ଉତ୍ସବାନୁଷ୍ଠାନରେ ନଷ୍ଟ ହେଉଥିବା ରନ୍ଧା ଖାଦ୍ୟ ପର୍ଯ୍ୟନ୍ତ ଏଭଳି ନଷ୍ଟର ପରିମାଣ ବର୍ଷକୁ ପ୍ରାୟ ୬୯ ନିୟୁତ ଟନ୍ ଏବଂ ଏକ ଅନୁଶୀଳନ ଅନୁସାରେ ଭାରତରେ ବାର୍ଷିକ ମୁଣ୍ଡ ପିଛା ନଷ୍ଟ ହେଉଥିବା ଖାଦ୍ୟ ପରିମାଣ ହାରାହାରି ପଚାଶ କିଲୋଗ୍ରାମ। ତେବେ କେବଳ ଭାରତ ନୁହେଁ, ସମଗ୍ର ପୃଥିବୀ ଖାଦ୍ୟ ନଷ୍ଟ ପରିପ୍ରେକ୍ଷୀରେ ଦୋଷୀ ଏବଂ ସାରା ପୃଥିବୀରେ ସମଗ୍ର ଖାଦ୍ୟ ଉତ୍ପାଦନର ୩୫% ନଷ୍ଟ ହୋଇଯାଇଥାଏ। ଏଣେ, ବାୟୁମଣ୍ଡଳକୁ ଉତ୍ସର୍ଜିତ ହେଉଥିବା କ୍ଷତିକାରକ ସବୁଜ ବାଷ୍ପ ମିଥେନର ତୃତୀୟ ବୃହତ୍ତମ ଉତ୍ସ ହେଉଛି ଭୂମି ଉପରେ ପ୍ରତ୍ୟହ ମୁଣ୍ଡ ଟେକୁଥିବା ନଷ୍ଟ ଓ ଫୋପଡ଼ା ଖାଦ୍ୟ ଦ୍ରବ୍ୟର ପାହାଡ଼। ବିଶେଷଜ୍ଞମାନେ କହିଥାନ୍ତି ଯେ ‘ଉପଭୋକ୍ତାବାଦ’ର ସଦା ଅତୃପ୍ତ କାମନାକୁ ଚରିତାର୍ଥ କରିବା କ୍ରମରେ ଖାଦ୍ୟ ଦ୍ରବ୍ୟର ଅନାବଶ୍ୟକ କ୍ରୟ ବୃଦ୍ଧି ପାଇବାରେ ଲାଗିଛି, ଯାହାର ପ୍ରମାଣ ହେଲା ସପ୍ତମ ଦଶକରୁ ଆଜି ମଧ୍ୟରେ ଘରୋଇ ‘ରେଫ୍ରିଜରେଟର’ର ଆକାରରେ ୧୫% ପ୍ରତିଶତ ଏବଂ ଖାଦ୍ୟ ଥାଳିଆର ଆକାରରେ ୩୬% ବୃଦ୍ଧି ଘଟିଛି; ଅର୍ଥାତ୍ ଅଧିକ ଖାଦ୍ୟ କ୍ରୟ ଓ ସଂରକ୍ଷଣର ଉଦ୍ୟମ ତଥା ଅଧିକ ଭୋଜନର ଆଗ୍ରହ ଏବଂ ତଜ୍ଜନିତ ଖାଦ୍ୟ ନଷ୍ଟ। ଅବଶ୍ୟ, ଇତିମଧ୍ୟରେ କିଛି ସଂବେଦନଶୀଳ ବ୍ୟକ୍ତି ଏବଂ ଅନୁଷ୍ଠାନଙ୍କ ପ୍ରଚେଷ୍ଟାରେ ନଷ୍ଟ ହେବାକୁ ଯାଉଥିବା ଖାଦ୍ୟର ପ୍ରକ୍ରିୟାକରଣ କରାଯାଇ ଗୃହପାଳିତ ପଶୁପକ୍ଷୀଙ୍କ ଆହାରରେ ପରିଣତ କରାଯାଉଛି ବା ପରିତ୍ୟକ୍ତ କରି ଦେବା ପୂର୍ବରୁ ସେଗୁଡ଼ିକୁ କିଭଳି ଘରେ ଆଉ ଥରେ ଆହାରଯୋଗ୍ୟ କରିହେବ, ସେ ନେଇ ସାମାଜିକ ଗଣମାଧ୍ୟମ ମଞ୍ଚରେ ସଚେତନ କରାଯାଉଛି ବା ବୁଭୁକ୍ଷୁମାନଙ୍କ କ୍ଷୁଧା ନିବାରଣରେ ବ୍ୟବହାର କରାଯାଉଛି। ଏମାନେ ସମସ୍ତେ ସେହି ଗୋଟିଏ ଅବସୋସ ପ୍ରକାଶ କରନ୍ତି, ଯାହା ହେଲା କ୍ଷୁଧାର୍ତ୍ତଙ୍କ ପ୍ରତି ସଂବେଦନଶୂନ୍ୟତା ଏବଂ ‘ଅନ୍ନ’ ଓ ‘ଅନ୍ନଦାତା’ଙ୍କ ପ୍ରତି କୃତଜ୍ଞତାର ଅଭାବ।
ଗୋଟିଏ ମାତ୍ର ଧାନର ଶସ୍ୟ, ଭାତର ଦାନା ରୂପେ ଆମ ଥାଳିରେ ପହଞ୍ଚିବା ପୂର୍ବରୁ କୃଷକଙ୍କ ଅକ୍ଳାନ୍ତ ଶ୍ରମ ଓ ବ୍ୟୟ, ତାହା ଉତ୍ପାଦିତ ହେବାରେ ବ୍ୟବହୃତ ଜଳ ଓ ବିଜୁଳି, ତା’ର ପରିବହନ ପ୍ରକରଣରେ ଆବଶ୍ୟକ ଶୃଙ୍ଖଳା, ଶ୍ରମ ଓ ଶକ୍ତି, ରୋଷ ଘରେ ତାହା ସିଦ୍ଧ ହେବା ଲାଗି ଉଦ୍ଦିଷ୍ଟ ସମୟ ଓ ଶକ୍ତି ଆଦି ବିଷୟ ଚିନ୍ତା କଲେ, ସେହି ଗୋଟିଏ ଦାନାର ନଷ୍ଟ ମଧ୍ୟ କିଭଳି ଅମାନବୀୟ ହୋଇପାରେ, ତାହା ହୃଦ୍ବୋଧ ହୋଇଥାଏ। ମହାତ୍ମା ଗାନ୍ଧୀ ବ୍ୟବହାର କରୁଥିବା ପେନସିଲ ସର୍ବଦା ଏଭଳି ସ୍ଥିତିରେ ଯାଇ ପରିତ୍ୟକ୍ତ ହେଉଥିଲା, ଯେତେବେଳେ କି କ୍ଷୁଦ୍ର ହୋଇ ସାରିଥିବା କାରଣରୁ ତାକୁ ଆଙ୍ଗୁଠିରେ ଧରିବା କୌଣସିମତେ ସମ୍ଭବ ହେଉ ନ ଥିଲା। ଏଥିରେ ଗାନ୍ଧୀଙ୍କ ଉଦ୍ଦେଶ୍ୟ ଥିଲା, ଅନ୍ତିମ ଅବଦାନ ଯାଏଁ ପେନସିଲଟିକୁ ସ୍ବୀକୃତି ଦେଇ ତାହା ତିଆରି ହେବା ପଛରେ ନିହିତ ଶ୍ରମ ଓ ଶକ୍ତିକୁ କୃତଜ୍ଞତା ଜ୍ଞାପନ କରିବା। ଗାନ୍ଧୀଙ୍କ ଦୃଷ୍ଟିରେ ବିଚାର କଲେ ଆମ ଖାଦ୍ୟ ଥାଳିରେ ଥିବା ଅନ୍ତିିମ ଦାନାଟି ମଧ୍ୟ ‘ଅନ୍ନଦାତା’ଙ୍କ ସ୍ବେଦବିନ୍ଦୁ ପ୍ରତି କୃତଜ୍ଞତାର ପାତ୍ର। କିନ୍ତୁ ଆମେମାନେ କେବେ ହେଲେ ସେଭଳି ଭାବିଥାଉ କି?