ସ୍ବପ୍ନାବିଷ୍ଟ ଭାରତୀୟ

ତେବେ, ଏହି ସଦ୍ୟତମ ‘ଖାଉଟି ଖର୍ଚ୍ଚ’ ରିପୋର୍ଟରୁ ପ୍ରାପ୍ତ ଏକ ବିଚଳିତକାରୀ ସୂଚନା ହେଲା ଦେଶର ଉଭୟ ଗ୍ରାମ ଓ ସହରରେ ୫% ସର୍ବାଧିକ ଦରିଦ୍ର ଏବଂ ୫% ସର୍ବାଧିକ ବିତ୍ତଶାଳୀଙ୍କ ମଧ୍ୟରେ ରହିଥିବା ଖର୍ଚ୍ଚ ସାମର୍ଥ୍ୟରେ ପାର୍ଥକ୍ୟ; ଯାହା ଗ୍ରାମାଞ୍ଚଳରେ ଦୈନିକ ହାରାହାରି ୪୬ ଟଙ୍କା ବନାମ ୩୫୦ ଟଙ୍କା ହୋଇଥିବା ବେଳେ ସହରାଞ୍ଚଳରେ ୬୭ ବନାମ ୭୦୦ ଟଙ୍କା। ଏହି ପାର୍ଥକ୍ୟ ଅଗତ୍ୟା ଅନତିକ୍ରମ୍ୟ ଭଳି ଲାଗିଥାଏ। ମାତ୍ର, ବର୍ତ୍ତମାନର ରିପୋର୍ଟ ଏହା ମଧ୍ୟ ସାବ୍ୟସ୍ତ କରିଛି ଯେ ଏହି ପାର୍ଥକ୍ୟ ସଂକୋଚନ କରିବା କ୍ରମରେ ସ୍ବପ୍ନବିଳାସୀମାନେ ସ୍ବପ୍ନାବିଷ୍ଟ ହୋଇ ସାରିଛନ୍ତି। ସୁତରାଂ, ଅଧିକରୁ ଅଧିକ ଭାରତୀୟଙ୍କ ପରିବାର ସହିତ ଦେଶର ଅର୍ଥନୀତି ସମୃଦ୍ଧ ହେବାର ସମ୍ଭାବନା ଉଜ୍ଜ୍ବଳ।

ଚାରି ଦିନ ତଳେ କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରଣାଳୟ ପକ୍ଷରୁ ‘ହାଉସହୋଲ୍‌ଡ କଂଜପ୍‌ସନ ଏକ୍‌ସପେଣ୍ଡିଚର ସର୍ଭେ’ ବା ‘ପରିବାର ଖାଉଟି ଖର୍ଚ୍ଚ ସର୍ବେକ୍ଷଣ’ ରିପୋର୍ଟ ପ୍ରକାଶିତ ହେବା ପରେ ଭାରତୀୟ ନାଗରିକମାନଙ୍କ ମୋଟାମୋଟି ଆର୍ଥିକ ସ୍ଥିତି ନେଇ ଏକ ନିର୍ଦ୍ଦିଷ୍ଟ ଧାରଣା ସୃଷ୍ଟି ହୋଇଛି। ଏହା ସହିତ ଦଶ ବର୍ଷରୁ ଅଧିକ କାଳ ତଳର ନିତାନ୍ତ ଭରସା-ଅଯୋଗ୍ୟ ‘ଡେଟା’ ବା ତଥ୍ୟରାଜିର ଭୂମି ଉପରେ ଛିଡ଼ା ହୋଇ ଅନୁମାନଭିତ୍ତିକ ଆକଳନରୁ ଯୋଜନା ପ୍ରସ୍ତୁତ କରିବାକୁ ବାଧ୍ୟ ହେଉଥିବା ନୀତି ନିର୍ଦ୍ଧାରକମାନେ ଆପାତତଃ ସଂଶୟର ସମ୍ମୁଖୀନ ହେବାରୁ ମୁକ୍ତ ହୋଇଛନ୍ତି। ପରଂପରା ଅନୁସାରେ ପ୍ରତି ପାଞ୍ଚରୁ ସାତ ବର୍ଷ ମଧ୍ୟରେ ଏହି ସର୍ବେକ୍ଷଣ ରିପୋର୍ଟ ପ୍ରକାଶ ପାଇଥାଏ; ସୁତରାଂ, ଏହାର ପୂର୍ବବର୍ତ୍ତୀ ରିପୋର୍ଟଟି ୨୦୧୭-୧୮ ମସିହାରେ ଆତ୍ମପ୍ରକାଶ କରିବାକୁ ଉଦ୍ୟତ ହେଉଥିବା ବେଳେ ସରକାରଙ୍କ ଦ୍ବାରା ଅଗ୍ରାହ୍ୟ ହୋଇଯାଇଥିଲା; କାରଣ ସରକାରଙ୍କ ବିଚାରରେ ୨୦୧୬ ମସିହାର ବିମୁଦ୍ରୀକରଣ ଏବଂ ୨୦୧୭ ମସିହାର ଜି.ଏସ୍‌.ଟି. ପ୍ରଚଳନ ଏଭଳି ରିପୋର୍ଟକୁ ତ୍ରୁଟିପୂର୍ଣ୍ଣ କରନ୍ତା। ସୁତରାଂ, ଭାରତୀୟମାନଙ୍କ ସାମାଜିକ ଏବଂ ଆର୍ଥିକ ସ୍ଥିତିକୁ ନେଇ କୌଣସି ଧାରଣା ଲାଭ କରିବା ସକାଶେ ପ୍ରାୟ ଏକ ଡଜନ ବର୍ଷ ତଳକୁ ଅର୍ଥାତ୍‌ ୨୦୧୦-୧୧ ମସିହାର ପରିସଂଖ୍ୟାନ ମାଳା ନିକଟକୁ ପ୍ରତ୍ୟାବର୍ତ୍ତନ କରିବାକୁ ହେଉଥିଲା, ଯେଉଁ ବର୍ଷଟି ସର୍ବଶେଷ ଜନଗଣନା ରିପୋର୍ଟ ଏବଂ ‘ଖାଉଟି ଖର୍ଚ୍ଚ’ ରିପୋର୍ଟ ଦେଖିଥିଲା। ସାଂପ୍ରତିକ ରିପୋର୍ଟରୁ ମିଳିଥିବା ଇଙ୍ଗିତ ଅନୁଯାୟୀ ଇତିମଧ୍ୟରେ ଭାରତୀୟଙ୍କ ଜୀବନଶୈଳୀରେ ଅନେକ ମହତ୍ତ୍ବପୂର୍ଣ୍ଣ ପରିବର୍ତ୍ତନ ସଂଘଟିତ ହୋଇସାରିଛି, ଯେଉଁ ସଂଦର୍ଭଟି ଏକ କ୍ଷୁଦ୍ର ଆଲୋଚନା ସକାଶେ ଅବକାଶ ସୃଷ୍ଟି କରିଥାଏ।
ଏହି ସଦ୍ୟ ‘ଖାଉଟି ଖର୍ଚ୍ଚ’ ସମ୍ବଳିତ ସର୍ବେକ୍ଷଣ ରିପୋର୍ଟରୁ ଅନ୍ତତଃ ପାଞ୍ଚଟି ସଂକେତ ମିଳିଥାଏ। ପ୍ରଥମ, ଇତିମଧ୍ୟରେ ଉଭୟ ଭାରତୀୟ ଗ୍ରାମ ଏବଂ ସହରରେ ଦାରିଦ୍ର୍ୟର ହୃଦୟ ବିଦାରକ ତୀବ୍ରତାରେ ହ୍ରାସ ଘଟିଛି; ଦରିଦ୍ରମାନେ ବିଦ୍ୟମାନ ଅଛନ୍ତି ସତ, କିନ୍ତୁ ‘ସର୍ବହରା’ ପର୍ଯ୍ୟାୟର ଦାରିଦ୍ର୍ୟ ନଗଣ୍ୟ ପ୍ରାୟ ହୋଇଛି। ଦ୍ବିତୀୟ, ଉଭୟ ଗ୍ରାମାଞ୍ଚଳ ଏବଂ ସହରରେ ହାରାହାରି ମାସିକ ମୁଣ୍ଡ ପିଛା ଖର୍ଚ୍ଚରେ ସନ୍ତୋଷଜନକ ବୃଦ୍ଧି ଘଟିଛି; ବର୍ତ୍ତମାନ ଗ୍ରାମାଞ୍ଚଳରେ ମାସିକ ହାରାହାରି ମୁଣ୍ଡ ପିଛା ଖର୍ଚ୍ଚର ପରିମାଣ ୩୭୦୦ ଟଙ୍କା ଏବଂ ସହରରେ ତାହା ୬୫୦୦ ଟଙ୍କା; ଯାହା ୨୦୧୦-୧୧ ତୁଳନାରେ ଯାଥାକ୍ରମେ ୧୬୪% ଓ ୧୪୬% ବୃଦ୍ଧି। ତୃତୀୟ, ଆଜିକୁ ଦଶ ବର୍ଷ ତଳେ ଉଭୟ ଗ୍ରାମ ଏବଂ ସହରରେ ପାରିବାରିକ ଆୟରୁ ଖାଦ୍ୟ ପିଛା ବ୍ୟୟର ପରିମାଣ ଥିଲା ଯଥାକ୍ରମେ ୫୩% ଏବଂ ୪୮%, ଯାହା ବର୍ତ୍ତମାନ ହ୍ରାସ ପାଇ ହୋଇଛି ଯଥାକ୍ରମେ ୪୬% ଏବଂ ୩୯%। ଅବଶ୍ୟ, ଏହାର ଅର୍ଥ ନୁହେଁ ଯେ ଭାରତୀୟ ପରିବାର ଖାଦ୍ୟ ପିଛା କମ୍‌ ବ୍ୟୟ କରୁଛନ୍ତି ଅର୍ଥାତ୍‌ ଆଂଶିକ ବୁଭୁକ୍ଷୁ ରହୁଛନ୍ତି, ବରଂ ଏହାର କାରଣ ହେଲା ଭାରତୀୟ ପରିବାରର ଆୟରେ ସୁଖଦ ବୃଦ୍ଧି ଘଟିଛି ଏବଂ ବିଗତ ଦଶନ୍ଧି ମଧ୍ୟରେ ଖାଦ୍ୟ ମୁଦ୍ରାସ୍ଫୀତି ପ୍ରାୟ ଦୁଇ ଗୁଣ ହୋଇଥିବା ସତ୍ତ୍ବେ ଆୟର ଆଧିକ୍ୟ କାରଣରୁ ଖର୍ଚ୍ଚର ହାର ପୂର୍ବ ତୁଳନାରେ ହ୍ରାସ ପାଇଛି। ଚତୁର୍ଥ, ଉଭୟ ଗ୍ରାମ ଏବଂ ସହରରେ ଆହାର ବିନ୍ୟାସରେ ପରିବର୍ତ୍ତନ ଘଟିଛି; ଖାଦ୍ୟ ଥାଳିରୁ ଅନ୍ନ ଏବଂ ଡାଲି ଜାତୀୟ ଶସ୍ୟ ହ୍ରାସ ପାଇ ତା’ ବଦଳରେ ଦୁଗ୍‌ଧ ଓ ଦୁଗ୍‌ଧଜାତ ଦ୍ରବ୍ୟ, ଫଳ ଏବଂ ଆମିଷ ବୃଦ୍ଧି ପାଇଛି। ଗ୍ରାମାଞ୍ଚଳରେ ବସବାସ କରୁଥିବା ଭାରତୀୟମାନଙ୍କ ଆହାରରେ ଶସ୍ୟର ଅଂଶ ଯଥାକ୍ରମେ ୨୬%ରୁ ୧୫%କୁ ସଂକୋଚନ ଘଟିଥିବା ବେଳେ ଦୁଗ୍‌ଧ, ଫଳ, ମାଛ ଓ ମାଂସ ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଅଧିକାର କରିଛନ୍ତି ୫୫% ସ୍ଥାନ। ସହରରେ ମଧ୍ୟ ସମାନ ସ୍ଥିତି ଦୃଶ୍ୟମାନ, ଯହିଁରେ ଖାଦ୍ୟାନ୍ନ ପରିମାଣରେ ହ୍ରାସ ଘଟିଥିବା ବେଳେ ଉପରୋକ୍ତ ଚାରି ପ୍ରକାର ଖାଦ୍ୟ ୬୫% ଅଂଶ ଅଧିକାର କରିଛନ୍ତି। ଏହା ସୂଚାଇଥାଏ ଯେ ଭାରତୀୟ ପରିବାରଗୁଡ଼ିକ ତୁଳନାତ୍ମକ ଭାବେ ଅଧିକ ପୌଷ୍ଟିକ ଓ ସ୍ବାଦଯୁକ୍ତ ଆହାର ଗ୍ରହଣ କରୁଛନ୍ତି। ପଞ୍ଚମ ଏବଂ ଏକ ଗୁରୁତ୍ବପୂର୍ଣ୍ଣ ସଂକେତ ହେଲା, ଗ୍ରାମ ଏବଂ ସହର ନିର୍ବିଶେଷରେ ଆୟର ଏକ ବୃହତ୍‌ ଅଂଶ ମୋବାଇଲ୍‌, ଫ୍ରିଜ୍‌, ୱାସିଂ ମେସିନ ବା ମୋଟର ଗାଡ଼ି ଭଳି ଉପଭୋଗ୍ୟ ସାମଗ୍ରୀର କ୍ରୟ ବା ଅବକାଶକାଳୀନ ଭ୍ରମଣ ବା ସନ୍ତାନମାନଙ୍କ ଶିକ୍ଷା ବା ପରିବାର ସଦସ୍ୟଙ୍କ ଚିକିତ୍ସା ଭଳି କ୍ଷେତ୍ରରେ ବ୍ୟୟ କରାଯାଉଛି, ଯାହା ଜୀବନଯାପନକୁ ଅଧିକ ସ୍ବଚ୍ଛନ୍ଦ ଓ ଗୁଣବତ୍ତାସଂପନ୍ନ କରିବା ସହିତ ଏହି କାରଣରୁ ଦୈନନ୍ଦିନ ଜୀବନଚର୍ଯ୍ୟାରୁ ଉଦ୍‌ବୃତ୍ତ ସମୟ ଅନେକଙ୍କ ସକାଶେ ଉତ୍ପାଦନଶୀଳ ଏବଂ ଅର୍ଥକରୀ ମଧ୍ୟ ହୋଇପାରିଛି।
ଏହି ରିପୋର୍ଟରୁ ଇଙ୍ଗିତ ମିଳିଥାଏ ଯେ ସାଧାରଣ ଭାରତୀୟ ନାଗରିକମାନେ ଢୋକେ ପିଇ ଦଣ୍ଡେ ଜିଇବାରେ ସନ୍ତୁଷ୍ଟ ନୁହନ୍ତି। ସେମାନେ ଜୀବନର ମାନ ବୃଦ୍ଧିର ସ୍ବପ୍ନ-ବିଳାସରେ ନିମଜ୍ଜିତ ମାତ୍ର ହୋଇ ନ ରହି, ସ୍ବପ୍ନକୁ ଚରିତାର୍ଥ କରିବା ଲାଗି ପ୍ରୟାସକୁ ମଧ୍ୟ ପ୍ରଗାଢ଼ କଲେଣି। ସେହି କାରଣରୁ ଅସଂଖ୍ୟ ଭାରତୀୟ ନାଗରିକ ସ୍ବଦେଶ ଓ ବିଦେଶର ଚାରଣ ଭୂମି ସନ୍ଧାନରେ ଗମନ କରିବାର ଏକ ଧାରା ମଧ୍ୟ ସୃଷ୍ଟି କଲେଣି। ଅର୍ଥନୀତି ବିଶେଷଜ୍ଞଙ୍କ ମତରେ ନିଜ ସ୍ବପ୍ନ ବିଳାସକୁ ଚରିତାର୍ଥ କରି ସ୍ବପ୍ନଭୁକ୍‌ରେ ପରିଣତ ହୋଇଥିବା ମୁଷ୍ଟିମେୟ ସଫଳ ବ୍ୟକ୍ତି ପିରାମିଡର ଶିଖରରେ ଉପନୀତ ହୋଇ ତାଙ୍କ ତଳ ସୋପାନରେ ଥିବା ବ୍ୟକ୍ତିବିଶେଷଙ୍କୁ ଶୀର୍ଷାରୋହଣ ଲାଗି ଅନୁପ୍ରାଣିତ କରି ଚାଲିଛନ୍ତି। ସେମାନଙ୍କ ତଳେ ଦ୍ବିତୀୟ ସୋପାନରେ ବିଦ୍ୟମାନ ଅଛନ୍ତି ଯଥାକ୍ରମେ ଶିକ୍ଷିତ ଓ ସ୍ବଚ୍ଛଳ ବୃତ୍ତି ଭୋଗୀ (ଇଂଜିନିଅର ବା ଡାକ୍ତର ବା ବ୍ୟାଙ୍କ କର୍ମଚାରୀ ଇତ୍ୟାଦି) ଓ ମଧ୍ୟମ ସ୍ତରୀୟ ଉଦ୍ୟୋଗୀ; ତୃତୀୟ ସୋପାନରେ ଉପର ଦୁଇ ବର୍ଗକୁ ସହାୟତା ପ୍ରଦାନରେ ନିୟୋଜିତ ମାନବ ସମ୍ବଳ (ଡ୍ରାଇଭର, ରୋଷେୟା, ଗୃହ ତତ୍ତ୍ବାବଧାୟକ ଇତ୍ୟାଦି) ଓ କ୍ଷୁଦ୍ର ବ୍ୟବସାୟୀ ଏବଂ ଚତୁର୍ଥ ତଥା ନିମ୍ନତମ ସୋପାନରେ ଉପବିଷ୍ଟ କୃଷି ଓ ନିର୍ମାଣ ଶ୍ରମିକ ଇତ୍ୟାଦି। ବିଶେଷଜ୍ଞମାନଙ୍କ ମତରେ ଶିଖର ଆରୋହଣର ସ୍ବପ୍ନ ‘ରୢାଗ୍‌ସ ଟୁ ରିଚେସ୍‌’ ବା ‘କତରାରୁ କୋଟିପତି’ ହେବାର କାହାଣୀମାନରେ ଉଜ୍ଜୀବିତ ରହି ଅନେକ ସଘନ ପ୍ରୟାସକୁ ରୂପ ଦେଇଛି ଓ ପ୍ରକାରାନ୍ତରେ ଜୀବନ ଧାରଣର ମାନରେ ବୃଦ୍ଧି ଘଟାଇ ଚାଲିଛି।
ଏକ ଉତ୍ତମ ଜୀବନଯାପନ ଲକ୍ଷ୍ୟରେ ବାହାରିଥିବା ଭାରତୀୟଙ୍କ ସଂଖ୍ୟା ଯେ କିଭଳି ଅକଳ୍ପନୀୟ ଭାବେ ଅତିକାୟ ହୋଇପାରେ, ତାହାର ପ୍ରମାଣ ମିଳିଥିଲା ୨୦୨୧ ମସିହାରେ କୋଭିଡ୍‌ ଜନିତ ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା ପରେ। ସେହି ସମୟରେ ହଜାର ହଜାର ସଂଖ୍ୟାରେ ପ୍ରବାସୀ ଶ୍ରମିକ ପାଦରେ ଚାଲିଚାଲି ସ୍ବଗୃହ ପ୍ରତ୍ୟାବର୍ତ୍ତନ କରୁଥିବାର କରୁଣ ଦୃଶ୍ୟ ଦେଶର ନୀତି ନିର୍ଦ୍ଧାରକମାନଙ୍କ ଠାରୁ ଆରମ୍ଭ କରି ସରକାରଙ୍କ ପର୍ଯ୍ୟନ୍ତ ସଭିଁଙ୍କୁ ହତଭମ୍ବ କରି ଦେଇଥିଲା। ଅନେକ କହନ୍ତି ଯେ ୨୦୧୭-୧୮ ମସିହାରେ ‘ଖାଉଟି ଖର୍ଚ୍ଚ’ ରିପୋର୍ଟଟି ପ୍ରକାଶିତ ହୋଇଥିଲେ ପ୍ରବାସ ଗମନ କରୁଥିବା ଶ୍ରମିକଙ୍କ ଏଭଳି ସଂଖ୍ୟା ନେଇ ହୁଏ’ତ ଏକ ଆଭାସ ମିଳି ପାରିଥାଆନ୍ତା! ତେବେ, ଏହି ସଦ୍ୟତମ ‘ଖାଉଟି ଖର୍ଚ୍ଚ’ ରିପୋର୍ଟରୁ ପ୍ରାପ୍ତ ଏକ ବିଚଳିତକାରୀ ସୂଚନା ହେଲା ଦେଶର ଉଭୟ ଗ୍ରାମ ଓ ସହରରେ ୫% ସର୍ବାଧିକ ଦରିଦ୍ର ଏବଂ ୫% ସର୍ବାଧିକ ବିତ୍ତଶାଳୀଙ୍କ ମଧ୍ୟରେ ରହିଥିବା ଖର୍ଚ୍ଚ ସାମର୍ଥ୍ୟରେ ପାର୍ଥକ୍ୟ; ଯାହା ଗ୍ରାମାଞ୍ଚଳରେ ଦୈନିକ ହାରାହାରି ୪୬ ଟଙ୍କା ବନାମ ୩୫୦ ଟଙ୍କା ହୋଇଥିବା ବେଳେ ସହରାଞ୍ଚଳରେ ୬୭ ବନାମ ୭୦୦ ଟଙ୍କା। ଏହି ପାର୍ଥକ୍ୟ ଅଗତ୍ୟା ଅନତିକ୍ରମ୍ୟ ଭଳି ଲାଗିଥାଏ। ମାତ୍ର, ବର୍ତ୍ତମାନର ରିପୋର୍ଟ ଏହା ମଧ୍ୟ ସାବ୍ୟସ୍ତ କରିଛି ଯେ ଏହି ପାର୍ଥକ୍ୟ ସଂକୋଚନ କରିବା କ୍ରମରେ ସ୍ବପ୍ନବିଳାସୀମାନେ ସ୍ବପ୍ନାବିଷ୍ଟ ହୋଇ ସାରିଛନ୍ତି। ସୁତରାଂ, ଅଧିକରୁ ଅଧିକ ଭାରତୀୟଙ୍କ ପରିବାର ସହିତ ଦେଶର ଅର୍ଥନୀତି ସମୃଦ୍ଧ ହେବାର ସମ୍ଭାବନା ଉଜ୍ଜ୍ବଳ।

ସମ୍ବନ୍ଧିତ ଖବର