‘ଏଫ୍‌ଟା’ ସହିତ ଭାରତର ଏହି ଅବାଧ ବାଣିଜ୍ୟ ଚୁକ୍ତି ସଂପାଦନ ମଧ୍ୟ ଆନ୍ତର୍ଜାତିକ ଅର୍ଥନୀତି ସମ୍ମୁଖୀନ ହୋଇଥିବା ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଘଟିଛି। ପାଶ୍ଚାତ୍ୟ ରାଷ୍ଟ୍ରମାନେ ବର୍ତ୍ତମାନ ଚୀନ୍‌ରୁ ସେମାନଙ୍କର ଉତ୍ପାଦନ କେନ୍ଦ୍ରମାନଙ୍କୁ ସ୍ଥାନାନ୍ତରିତ କରିବାକୁ କଂପାନିମାନଙ୍କ ଉପରେ ଚାପ ପକାଇବାକୁ ଆରମ୍ଭ କଲେଣି। ଚମକପ୍ରଦ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିଚାଲିଥିବା ଭାରତ ବର୍ତ୍ତମାନ ସେମାନଙ୍କର ଏକ ବିକଳ୍ପ ଲକ୍ଷ୍ୟସ୍ଥଳୀ ରୂପେ ବିବେଚିତ ହେଉଛି, ଯଦିବା ଭିଏତନାମ୍, ଇଣ୍ଡୋନେସିଆ, ମେକ୍‌ସିକୋ ଆଦି ଦେଶମାନେ ମଧ୍ୟ ଭା‌ରତର ପ୍ରତିଦ୍ବନ୍ଦ୍ବୀ ରୂପେ ଆବିର୍ଭୁତ ହୋଇଛନ୍ତି। ଏହି ସମୟରେ ଏହି ସ୍ଥାନାନ୍ତରିତ ଯୋଗାଣ ଶୃଙ୍ଖଳକୁ ଭାରତମୁହାଁ କରିବାରେ ଏଭଳି ଅବାଧ ବାଣିଜ୍ୟ ଚୁକ୍ତିମାନ ନିଶ୍ଚିତ ରୂପେ ସହାୟକ ହେବ।

Advertisment

ବର୍ତ୍ତମାନର ୨୭ଟି ଦେଶ ସଦସ୍ୟ ଥିବା ‘ଇଉରୋପିଆନ୍ ୟୁନିଅନ୍’ (‘ଇୟୁ’)ର ଆବିର୍ଭାବ ପୂର୍ବରୁ ଇଉରୋପୀୟ ଦେଶମାନଙ୍କ ମଧ୍ୟରେ ଅର୍ଥନୈତିକ ସହଯୋଗ ପ୍ରତିଷ୍ଠା ନିମିତ୍ତ ‘ଇଉରୋପିଆନ୍ ଇକନୋମିକ୍ କମ୍ୟୁନିଟି’ (‘ଇଇସି’) ନାମକ ଯେଉଁ ଏକ ରାଷ୍ଟ୍ରସଂଘ ଗଠିତ ହୋଇଥିଲା, ସେଇ ମହାଦେଶର ସାତଟି ଦେଶ ସେଥିରେ ଯୋଗଦାନ ନ କରି ମଧ୍ୟ ଅବାଧ ବାଣିଜ୍ୟ କାରବାର ଚଳାଇବାକୁ ନିଷ୍ପତ୍ତି ନେଇଥିଲେ। ୧୯୬୦ରେ ସେଇ ସାତଟି ଦେଶ ଏହି ଉଦ୍ଦେଶ୍ୟରେ ‘ଇଉରୋପିଆନ୍ ଫ୍ରି ଟ୍ରେଡ୍ ଆସୋସିଏସନ୍’ (‘ଏଫ୍‌ଟା’) ନାମରେ ଏକ ଅବାଧ ବାଣିଜ୍ୟ ଅଞ୍ଚଳ ସୃଷ୍ଟି କରିଥିଲେ। ପରବର୍ତ୍ତୀ ସମୟରେ ‘ଇୟୁ’ର ଆବିର୍ଭାବ ପରେ ଏମାନଙ୍କ ମଧ୍ୟରୁ ତିନିଗୋଟି ଦେଶ ସେଥିରେ ଯୋଗଦାନ କରିବାରୁ ବର୍ତ୍ତମାନ ବାକି ଚାରିଟି ଦେଶ ‘ଏଫ୍‌ଟା’ରେ ଅନ୍ତର୍ଭୁକ୍ତ ଅଛନ୍ତି: ନର୍‌ୱେ, ସ୍ବିଜର୍‌ଲାଣ୍ଡ୍, ଲିକ୍‌ଟେନ୍‌ଷ୍ଟାଇନ୍ ଓ ଆଇସ୍‌ଲାଣ୍ଡ୍। ଏହି ‘ଏଫ୍‌ଟା’ ଦେଶମାନେ ଇଉ‌େରାପୀୟ ଏକକ ବଜାର ଓ ‘ସେନ୍‌ଜେନ୍’ ଅଞ୍ଚଳରେ ଅନ୍ତର୍ଭୁକ୍ତ ଥିଲେ ହେଁ ସେମାନେ ‘ଇୟୁ’ କଷ୍ଟମ୍‌ସ ୟୁନିଅନ୍ ବା ବହିଃଶୁଳ୍‌କ ସଂଘରେ ଅନ୍ତର୍ଭୁକ୍ତ ନୁହନ୍ତି।
ଗତ ରବିବାର ଦିନ ଏହି ‘ଏଫ୍‌ଟା’ ସହିତ ଭାରତ ସ୍ବାକ୍ଷର କରିଥିବା ଅବାଧ ବାଣିଜ୍ୟ ଚୁକ୍ତି (‘ଏଫ୍‌ଟିଏ’) ଯେ ନିକଟ ଅତୀତରେ ଭାରତ ଆରମ୍ଭ କରିଥିବା ବିଭିନ୍ନ ଦେଶମାନଙ୍କ ସହିତ ଅବାଧ ବାଣିଜ୍ୟ ସଂପର୍କ ପ୍ରତିଷ୍ଠା ଅଭିଯାନରେ ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ, ଏଥିରେ କୌଣସି ସନ୍ଦେହ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଥିପାଇଁ ଯଥାର୍ଥ ଭାବରେ ଏହାକୁ ଏକ ଇତିହାସ-ପରିବର୍ତ୍ତନକାରୀ ମୁହୂର୍ତ୍ତ ରୂପେ ଅଭିହିତ କରି ସ୍ବାଗତ କରିଛନ୍ତି। ଏହି ଚୁକ୍ତିର ମହାତ୍ମ୍ୟ ହୃଦୟଙ୍ଗମ କରିବା ପାଇଁ ଏହି ସୂଚନା ସହାୟକ ହେବ ଯେ ଏ ଦିଗରେ ପ୍ରଥମ ଉଦ୍ୟମ ଆରମ୍ଭ ହେବାର ଦୀର୍ଘ ୧୬ ବର୍ଷ ପରେ ଉଭୟ ପକ୍ଷ ଟିକିନିଖି ଭାବରେ ବିଭିନ୍ନ ପ୍ରସଙ୍ଗମାନ ଆଲୋଚନା କରିବା ପରେ ଯାଇ ଏବେ ଏକ ଚୁକ୍ତି ସ୍ବାକ୍ଷର କରିବା ପାଇଁ ସହମତିରେ ଉପସ୍ଥିତ ହୋଇଛନ୍ତି (ସତେ ଯେପରି ଉଭୟ ପକ୍ଷ ଏଇ ସୁପରିଚିତ ଓଡ଼ିଆ ଢଗରେ ନିହିତ ଉପଦେଶ ପାଳନ କରିଛନ୍ତି: ‘‘ଚାଷ ତରତର, ବଣିଜ ମଠ’’)।
ଏହି ଚୁକ୍ତି ଅନୁସାରେ ଉଭୟ ପକ୍ଷ ତତ୍‌କ୍ଷଣାତ୍‌ ପରସ୍ପରର ବଜାରରେ ନିଃଶୁଳ୍‌କ ପ୍ରବେଶ ଅଧିକାର ଉପଭୋଗ କରିବାକୁ ଆରମ୍ଭ କରିବେ, ଅର୍ଥାତ୍ ସେମାନେ ପରସ୍ପରର ରପ୍ତାନି ଉପରେ କୌଣସି ଶୁଳ୍‌କ ଲାଗୁ କରିବେ ନାହିଁ। ‘ଏଫ୍‌ଟା’ ସହିତ ଭାରତର ବାଣିଜ୍ୟ କାରବାରରେ ସର୍ବଦା ଏକ ଅସମତୁଲ ଚିତ୍ର ପରିଲକ୍ଷିତ ହୋଇଆସିଛି। ଉଦାହରଣ ସ୍ବରୂପ ୨୦୨୩ ବିତ୍ତ ବର୍ଷରେ ସେ ଅଞ୍ଚଳକୁ ଭାରତ କରିଥିବା ରପ୍ତାନି ଠାରୁ ସେ ଅଞ୍ଚଳରୁ ଭାରତ କରିଥିବା ଆମଦାନି ଥିଲା ପ୍ରାୟ ୧୫ ବିଲିଅନ୍ ଡଲାର୍ ଅଧିକ। ୨୦୨୪ ବିତ୍ତ ବର୍ଷରେ ଚଳିତ ବର୍ଷ ଜାନୁଆରି ସୁଦ୍ଧା ସେ ଦେଶମାନଙ୍କୁ ଭାରତ ପ୍ରାୟ ୨ ବିଲିଅନ୍ ଡଲାର୍ ମୂଲ୍ୟରେ ପଣ୍ୟଦ୍ରବ୍ୟ ରପ୍ତାନି କରିଥିଲା, ଯେଉଁଥିରେ ରାସାୟନିକ ପଦାର୍ଥ, ଔଷଧପତ୍ର, ପୋଷାକପତ୍ର, ମୂଲ୍ୟବାନ ପଥର ଓ ମୁକ୍ତା ଆଦି ଅନ୍ତର୍ଭୁକ୍ତ। ଏବେ ଭାରତୀୟ ରପ୍ତାନି ଉପରେ ଶୁଳ୍‌କ ଛାଡ଼ ହୋଇଗଲେ ସେଠାକାର ବଜାରରେ ଭାରତୀୟ ରପ୍ତାନି ଦ୍ରବ୍ୟମାନ ଅପେକ୍ଷାକୃତ ଶସ୍ତା ହୋଇ ଅଧିକ ପ୍ରତିଯୋଗିତାକ୍ଷମ ହେବ, ଯାହା ଭାରତୀୟ ଦ୍ରବ୍ୟମାନଙ୍କ ପ୍ରତି ଚାହିଦାରେ ବୃଦ୍ଧି ଘଟାଇବ। ଏଣୁ ଏହି ବର୍ଦ୍ଧିତ ଚାହିଦା ପୂରଣ କରିବା ପାଇଁ ସେ ଅଞ୍ଚଳକୁ ଭାରତୀୟ ରପ୍ତାନିରେ ବୃଦ୍ଧି ଘଟିବ ବୋଲି ଅା‌ଶା କରାଯାଉଛି।
ତେବେ ଏହି ଆଶାବାଦୀ ଚିତ୍ରରେ ଏକ ଅଡୁଆ ମଧ୍ୟ ରହିଛି, ଯାହାକୁ ଅଣଦେଖା କରିହେବ ନାହିଁ। ‘ଏଫ୍‌ଟା’ ଦେଶମାନଙ୍କ ମଧ୍ୟରୁ ଯେଉଁ ଦେଶ ସହିତ ଭାରତର ବାଣିଜ୍ୟ କାରବାର ହେଉଛି ସର୍ବବୃହତ୍, ସେ ଦେଶ ହେଉଛି ସ୍ବିଜର୍‌ଲାଣ୍ଡ୍। ୨୦୨୩ ବିତ୍ତ ବର୍ଷରେ ଭାରତ ଏହି ଦେଶକୁ ରପ୍ତାନି କରିଥିବା ୧.୩ ବିଲିଅନ୍ ଡଲାର୍ ମୂଲ୍ୟର ପଣ୍ୟଦ୍ରବ୍ୟର ପ୍ରାୟ ୯୮ ଶତାଂଶ ଥିଲା ଶିଳ୍ପଜାତ ଦ୍ରବ୍ୟ, ‌େଯଉଁଥିରେ ରାସାୟନିକ ଦ୍ରବ୍ୟ, ଖାଉଟି ଦ୍ରବ୍ୟ, ପୋଷାକପତ୍ର ଓ ମଟରଗାଡ଼ି ଆଦି ଅନ୍ତର୍ଭୁକ୍ତ। ଅଡୁଆ କଥାଟି ହେଲା ଏହା ଯେ, ୨୦୨୪ ଜାନୁଆରି ପହିଲା ଠାରୁ ସ୍ବିଜର୍‌ଲାଣ୍ଡ୍ ପୃଥିବୀର ସମସ୍ତ ଦେଶରୁ ଆମଦାନି କରୁଥିବା ଏଭଳି ଶିଳ୍ପଜାତ ଦ୍ରବ୍ୟମାନଙ୍କ ଉପରୁ ଆମଦାନି ଶୁଳ୍‌କ ସଂପୂର୍ଣ୍ଣ ଭାବରେ ଉଠାଇ ଦେଇଛି; ତେଣୁ ‘ଏଫ୍‌ଟା’ ସହିତ ଏବେ ଏକ ଅବାଧ ବାଣିଜ୍ୟ ଚୁକ୍ତି କରିବା ଦ୍ବାରା ଭାରତ ଏ ବାବଦରେ କୌଣସି ଅଧିକ ସୁବିଧା ଉପଭୋଗ କରିବ ନାହିଁ। ଏହାର ଅସୁବିଧାଜନକ ମର୍ମ ହେଲା, ସ୍ବିଜର୍‌ଲାଣ୍ଡ୍ ବଜାରରେ ଏ ସମସ୍ତ ଦ୍ରବ୍ୟ ବିକ୍ରୟ କରିବାକୁ ଭାରତକୁ ଅନ୍ୟ ରପ୍ତାନିକାରୀ ଦେଶମାନଙ୍କ ସହିତ ନିଜ ବଳରେ ପ୍ରତିଯୋଗିତା କରିବାକୁ ହେବ, ‘ଏଫ୍‌ଟା’ ସହିତ ସ୍ବାକ୍ଷରିତ ଚୁକ୍ତି ଯୋଗୁଁ ଭାରତ ପାଇଁ କୌଣସି ବିଶେଷ ସୁବିଧା ଉପଲବ୍‌ଧ ହେବ ନାହିଁ। ଅପରପକ୍ଷେ ସ୍ବିଜର୍‌ଲାଣ୍ଡ୍ ସମେତ ଅନ୍ୟ ‘ଏଫ୍‌ଟା’ ଦେଶମାନଙ୍କୁ ଭାରତ ନଗଣ୍ୟ ପରିମାଣର କୃଷିଜାତ ପଦାର୍ଥ ରପ୍ତାନି କରିଥାଏ। ତା’ଛଡ଼ା ସେ ସମସ୍ତ ଦେଶରେ କୃଷିଜାତ ପଦାର୍ଥମାନଙ୍କ ପ୍ରତି ଅତ୍ୟନ୍ତ କଠୋର ମାନ ନିୟନ୍ତ୍ରଣ ଲାଗୁହେବା ସହିତ ବିଭିନ୍ନ ଅଣ-ଶୁଳ୍‌କ ବାଣିଜ୍ୟିକ ପ୍ରତିବନ୍ଧକମାନ ଲାଗୁ ହୋଇଥାଏ, ଯାହା ଅବାଧ ବାଣିଜ୍ୟ ଚୁକ୍ତିର ପରିସରଭୁକ୍ତ ନୁହେଁ। ତେଣୁ ଭାରତରୁ ପଶୁଜାତ ଦ୍ରବ୍ୟ, ମତ୍ସ୍ୟ, ପ୍ରକ୍ରିୟାକୃତ ଖାଦ୍ୟପଦାର୍ଥ ଓ ବନସ୍ପତି ତୈଳ ଆମଦାନି ଉପରୁ ସେ ଦେଶମାନେ ଶୁଳ୍‌କ ହଟାଇଦେଲେ ମଧ୍ୟ ଉପରୋକ୍ତ ମାନ ନିୟନ୍ତ୍ରଣ ଓ ଅଣ-ଶୁଳ୍‌କ ପ୍ରତିବନ୍ଧକ ପ୍ରୟୋଗ ଯୋଗୁଁ ଭାରତ ଏହାଦ୍ବାରା ବିଶେଷ ଲାଭବାନ ନ ହୋଇପାରେ।
‘ଏଫ୍‌ଟା’ ସହିତ ଅବାଧ ବାଣିଜ୍ୟ ଚୁକ୍ତିର ଯେଉଁ ଅଂଶ କିନ୍ତୁ ଭାରତ ପାଇଁ ବିଶେଷ ଉପଯୋଗୀ ହୋଇପାରେ, ତାହା ହେଲା ସେଥିରେ ଭାରତରେ ଆସନ୍ତା ୧୫ ବର୍ଷ ମଧ୍ୟରେ ସେଇ ଦେଶମାନେ ଅନ୍ୟୂନ ୧୦୦ ବିଲିଅନ୍ ଡଲାର୍ ପୁଞ୍ଜି ନିବେଶ କରିବେ ବୋଲି ଦେଇଥିବା ପ୍ରତିଶ୍ରୁତି। ଏହି ନିବେଶରୁ ପ୍ରାୟ ଏକ ନିୟୁତ ନିଯୁକ୍ତି ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ଏହି ପରିପ୍ରେକ୍ଷୀରେ ଉଲ୍ଲେଖଯୋଗ୍ୟ ଯେ ଉପରୋକ୍ତ ଚାରିଟି ‘ଏଫ୍‌ଟା’ ଦେଶମାନଙ୍କ ମଧ୍ୟରୁ ଗୋଟିଏ ଦେଶ ହେଉଛି ନର୍‌ୱେ, ଯାହାର ୧.୬ ଟ୍ରିଲିଅନ୍ ଡଲାର୍ ରାଷ୍ଟ୍ରୀୟ ସଂପଦ ପାଣ୍ଠି (‘ସୋଭରେନ୍ ୱେଲ୍‌ଥ ଫଣ୍ଡ୍’) ହେଉଛି ପୃଥିବୀର ସର୍ବବୃହତ୍ ପେନ୍‌ସନ୍ ଫଣ୍ଡ୍। ଟେକ୍‌ନୋଲୋଜି ସେଆର୍‌ମାନଙ୍କରେ ପୁଞ୍ଜି ନିବେଶ କରି ଏହି ଫଣ୍ଡ୍ ୨୦୨୩ରେ ଏକ ବିଶାଳ ୨୧୩ ବିଲିଅନ୍ ଡଲାର୍ ଆକାରର ଲାଭ ଅର୍ଜନ କରିଛି। ସୂଚନା ମିଳୁଛି ‌େଯ ସେମାନେ ଭାରତରେ ଔଷଧପତ୍ର ଉତ୍ପାଦନ, ରାସାୟନିକ ପଦାର୍ଥ ପ୍ରସ୍ତୁତି, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଇଞ୍ଜିନିଅରିଙ୍ଗ୍ କ୍ଷେତ୍ରରେ ପୁଞ୍ଜି ନିବେଶ କରିବା ପାଇଁ ଆଗ୍ରହୀ ଅଛନ୍ତି।
ଏହି କ୍ଷେତ୍ରମାନଙ୍କରେ ମିଳିତ ଉଦ୍ୟୋଗ ପ୍ରତିଷ୍ଠା ପ୍ରତି ମଧ୍ୟ ‘ଏଫ୍‌ଟା’ ଦେଶମାନେ ଅାଗ୍ରହୀ ହେବାର ସୂଚନା ମିଳୁଛି, ଯାହା ଭାରତ ଚୀନ୍‌ରୁ କରୁଥିବା ଆମଦାନିରେ ହ୍ରାସ ଘଟାଇବାରେ ସହାୟକ ହେବ। ଉଦାହରଣ ସ୍ବରୂପ ୨୦୨୩ ବିତ୍ତ ବର୍ଷରେ ଭାରତ ଚୀନ୍‌ରୁ ଆମଦାନି କରିଥିବା ରାସାୟନିକ ପଦାର୍ଥମାନଙ୍କର ମୋଟ ମୂଲ୍ୟ ଥିଲା ୨୦ ବିଲିଅନ୍ ଡଲାର୍‌ରୁ ଅଧିକ ଏବଂ ଔଷଧପତ୍ରର ମୋଟ ମୂଲ୍ୟ ଥିଲା ପ୍ରାୟ ୧୦ ବିଲିଅନ୍ ଡଲାର୍‌ରୁ ଅଧିକ। ‘ଏଫ୍‌ଟା’ ସହିତ ମିଳିତ ଉଦ୍ୟୋଗରେ ଉତ୍ପାଦନ ଚୀନ୍ ଉପରେ ଆମର ଏଭଳି ନିର୍ଭରଶୀଳତାରେ ହ୍ରାସ ଘଟାଇବାରେ ସାହାଯ୍ୟ କରିବ।
‘ଏଫ୍‌ଟା’ ସହିତ ଭାରତର ଏହି ଅବାଧ ବାଣିଜ୍ୟ ଚୁକ୍ତି ସଂପାଦନ ମଧ୍ୟ ଆନ୍ତର୍ଜାତିକ ଅର୍ଥନୀତି ସମ୍ମୁଖୀନ ହୋଇଥିବା ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଘଟିଛି। ପାଶ୍ଚାତ୍ୟ ରାଷ୍ଟ୍ରମାନେ ବର୍ତ୍ତମାନ ଚୀନ୍‌ରୁ ସେମାନଙ୍କର ଉତ୍ପାଦନ କେନ୍ଦ୍ରମାନଙ୍କୁ ସ୍ଥାନାନ୍ତରିତ କରିବାକୁ କଂପାନିମାନଙ୍କ ଉପରେ ଚାପ ପକାଇବାକୁ ଆରମ୍ଭ କଲେଣି। ଚମକପ୍ରଦ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିଚାଲିଥିବା ଭାରତ ବର୍ତ୍ତମାନ ସେମାନଙ୍କର ଏକ ବିକଳ୍ପ ଲକ୍ଷ୍ୟସ୍ଥଳୀ ରୂପେ ବିବେଚିତ ହେଉଛି, ଯଦିବା ଭିଏତନାମ୍, ଇଣ୍ଡୋନେସିଆ, ମେକ୍‌ସିକୋ ଆଦି ଦେଶମାନେ ମଧ୍ୟ ଭା‌ରତର ପ୍ରତିଦ୍ବନ୍ଦ୍ବୀ ରୂପେ ଆବିର୍ଭୁତ ହୋଇଛନ୍ତି। ଏହି ସମୟରେ ଏହି ସ୍ଥାନାନ୍ତରିତ ଯୋଗାଣ ଶୃଙ୍ଖଳକୁ ଭାରତମୁହାଁ କରିବାରେ ଏଭଳି ଅବାଧ ବାଣିଜ୍ୟ ଚୁକ୍ତିମାନ ନିଶ୍ଚିତ ରୂପେ ସହାୟକ ହେବ। ସେହିପରି ବ୍ରିଟେନ୍ ଓ ‘ଇୟୁ’ ସହିତ ଚାଲିଥିବା କଥାବାର୍ତ୍ତାରେ ଯେତେଶୀଘ୍ର ସମାପ୍ତି ଘଟି ସେମାନଙ୍କ ସହିତ ମଧ୍ୟ ଅବାଧ ବାଣିଜ୍ୟ ଚୁକ୍ତିମାନ ସ୍ବାକ୍ଷରିତ ହେବ, ଭାରତ ପାଇଁ ତାହା ସେତେ ଲାଭଜନକ ହେବ।