‘ଆର୍.ଆଇ.ଏ.’ ସହିତ ସାକ୍ଷାତକାରରେ ଭ୍ଲାଡିମିର୍ ପୁଟିନଙ୍କ ଆଉ ଏକ ମନ୍ତବ୍ୟ ସୂଚାଇଥାଏ ଯେ ତାଙ୍କ ଚେତାବନୀ ହୁଏ’ତ ଫମ୍ପା ହୋଇ ନ ଥାଇପାରେ! କାରଣ, ଆଣବିକ ଅସ୍ତ୍ରର ପ୍ରୟୋଗ ସଂଦର୍ଭରେ ତାଙ୍କର ଏଭଳି ଗ୍ଳାନିହୀନ ସ୍ପଷ୍ଟତାରେ ସାମାନ୍ୟ ଅପ୍ରତିଭ ପ୍ରଶ୍ନକର୍ତ୍ତାଙ୍କ ପରବର୍ତ୍ତୀ ପ୍ରଶ୍ନର ଉତ୍ତରରେ ପୁଟିନ ନିଥର କଣ୍ଠରେ କହିଥିଲେ: ‘ବ୍ୟବହାର କରାଯିବା ଲାଗି ହିଁ ଅସ୍ତ୍ର ରହିଥାଏ।’ ଏହି ପରିପ୍ରେକ୍ଷୀରେ ରୁଷିଆର ପ୍ରସିଦ୍ଧ ଲେଖକ ଆଣ୍ଟନ ଚେକଭ ସ୍ମରଣକୁ ଆସନ୍ତି, ଯିଏ କହିଥିଲେ ଯେ ଯଦି କୌଣସି ଏକ ନାଟକର ପ୍ରଥମ ଅଙ୍କରେ କାନ୍ଥରେ ବନ୍ଧୁକଟିଏ ଝୁଲିଥିବାର ଦେଖିବାକୁ ପାଇବ, ତେବେ ନିଶ୍ଚିତ ରହ ଯେ ଅନ୍ତିମ ଦୃଶ୍ୟରେ ତାହାର ବ୍ୟବହାର କରାଯିବ।
ଏକ ଦୀର୍ଘକାଳୀନ ଯୁଦ୍ଧର ଦୁର୍ଭାଗ୍ୟ ବହନ କରି ୟୁକ୍ରେନ୍-ରୁଷିଆ ଯୁଦ୍ଧ ଜନମାନସରୁ ବିସ୍ମୃତ ହେବାକୁ ବସିଥିବା ବେଳେ ମଝିରେ ମଝିରେ ରୁଷୀୟ ରାଷ୍ଟ୍ରପତି ଭ୍ଲାଡିମିର୍ ପୁଟିନ ଆବିର୍ଭୂତ ହୋଇ ସୃଷ୍ଟି କରୁଥିବା ବିବାଦ ଅଗତ୍ୟା ସେଭଳି ଘଟିବାକୁ ଦେଉନାହିଁ; ଯେମିତି ସଦ୍ୟତମ ଘଟଣାରେ ଗଲା ବୁଧବାର ଦିନ ‘ଆର୍.ଆଇ.ଏ.’ ନାମକ ଏକ ନ୍ୟୁଜ୍ ଚ୍ୟାନେଲକୁ ପ୍ରଦତ୍ତ ସାକ୍ଷାତକାରରେ ତାଙ୍କର ଅତ୍ୟନ୍ତ ସ୍ପଷ୍ଟ ମନ୍ତବ୍ୟ ଯେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ସହିତ ଏକ ଆଣବିକ ଯୁଦ୍ଧରେ ଅବତୀର୍ଣ୍ଣ ହେବା ଲାଗି ସେ ‘ଟେକ୍ନିକାଲି’ ଅର୍ଥାତ୍ ମୂଳତଃ ପ୍ରସ୍ତୁତ, ଯାହା ସର୍ବତ୍ର ଉଦ୍ବେଗର ଏକ ଶୀତଳ ଶିହରଣ ଖେଳାଇଛି। ଅନେକ ପର୍ଯ୍ୟବେକ୍ଷକଙ୍କ ମତରେ ପୁଟିନଙ୍କ ଏଭଳି ଧୃଷ୍ଟତା ପାଶ୍ଚାତ୍ୟ ‘ବ୍ଲକ୍’ର ନେତା ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରେ ଜୀର୍ଣ୍ଣ କରିବା ସହଜସାଧ୍ୟ ହୋଇ ନ ପାରେ, ଯେଉଁ ସଂଦର୍ଭରେ ସେମାନେ ୧୯୬୨ ମସିହା ଅକ୍ଟୋବର ମାସର ସେହି ବିସ୍ଫୋରକ ଦୁଇ ସପ୍ତାହକୁ ସ୍ମରଣ କରାଇ ଦିଅନ୍ତି, ଯେତେବେଳେ ‘କ୍ୟୁବାନ୍ ମିସାଇଲ୍ ସଂକଟ’ ନାମରେ ଖ୍ୟାତ ପରିସ୍ଥିତି ସୃଷ୍ଟି ହୋଇ ତତ୍କାଳୀନ ସୋଭିଏତ୍ ରୁଷିଆ ଏବଂ ଯୁକ୍ତରାଷ୍ଟ୍ର ଆମେରିକାକୁ ଏକ ଆଣବିକ ଯୁଦ୍ଧର ନିକଟତମ ପର୍ଯ୍ୟାୟକୁ ଘେନି ଯାଇଥିଲା। ଏଭଳି ସ୍ଥଳେ ଏହି ସଦ୍ୟ ବିବାଦ ପରିପ୍ରେକ୍ଷୀରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଏଥିରେ ଦ୍ବିରୁକ୍ତି ନାହିଁ ଯେ ସାମରିକ ଶକ୍ତି ଦୃଷ୍ଟିରୁ ଚତୁର୍ଥ ବୃହତ୍ତମ ରାଷ୍ଟ୍ର ରୁଷିଆ ଦୁଇ ବର୍ଷରୁ ଅଧିକ କାଳ ଅପେକ୍ଷାକୃତ ଅତ୍ୟନ୍ତ ଦୁର୍ବଳ ୟୁକ୍ରେନ୍ ସହିତ ଅବିଶ୍ରାନ୍ତ ସଂଘାତରେ ଲିପ୍ତ ରହି ସୁଦ୍ଧା ସେ ରାଷ୍ଟ୍ରର ମାତ୍ର ଏକ-ପଞ୍ଚମାଂଶ ଅଞ୍ଚଳ କୌଣସିମତେ ଅକ୍ତିଆର କରିବାରେ ସମର୍ଥ ହୋଇଛି; ସେଥିଲାଗି ବିପୁଳ ସାମରିକ ଓ ଆର୍ଥିକ ଶକ୍ତି କ୍ଷୟର ସମ୍ମୁଖୀନ ହୋଇଛି ଏବଂ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ୟୁକ୍ରେନ୍ ପତନ ସୁନିଶ୍ଚିତ ବୋଲି ପୁଟିନଙ୍କ ବାହାସ୍ଫୋଟ ଶୂନ୍ୟପ୍ରସୂ ବାକ୍ୟ-ବାଣ ରୂପେ ପ୍ରମାଣିତ ହୋଇଛି। ଏହାର ପ୍ରମୁଖ କାରଣ ହେଉଛି ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ବରେ ‘ନାଟୋ’ (ପାଶ୍ଚାତ୍ୟ ବ୍ଲକ୍) ରାଷ୍ଟ୍ରଗୁଡ଼ିକ ଦ୍ବାରା ୟୁକ୍ରେନ୍କୁ ପ୍ରଦାନ କରାଯାଉଥିବା ସାମରିକ ଓ ଆର୍ଥିକ ସହାୟତା। ସ୍ବାଭାବିକ ଭାବେ ଏହା ପୁଟିନଙ୍କ ଧୈର୍ଯ୍ୟଚ୍ୟୁତି ଘଟାଉଥିବ! କେବଳ ସେତିକି ନୁହେଁ, ଯୁଦ୍ଧ ପ୍ରାରମ୍ଭରୁ ଏହି ପାଶ୍ଚାତ୍ୟ ‘ବ୍ଲକ୍’ ନେତୃତ୍ବରେ ରୁଷିଆ ଉପରେ ଜାରି କରାଯାଇଥିବା ଅତ୍ୟନ୍ତ କଠୋର ଆର୍ଥିକ ବାସନ୍ଦ ବ୍ୟବସ୍ଥା ପୁଟିନଙ୍କୁ ଭୀଷଣ କ୍ଷୁବ୍ଧ କରିଥିବ। ଏଭଳି ସ୍ଥଳେ ପୁଟିନଙ୍କ ହତାଶା ଆଣବିକ ଆକ୍ରମଣର ଚେତାବନୀରେ ବାରମ୍ବାର ପରିସ୍ଫୁଟ ହେବାରେ ବିସ୍ମୟର କାରଣ ନାହିଁ; ଏଠାରେ ସ୍ମରଣ କରାଯାଇପାରେ ଯେ ଦୁଇ ବର୍ଷ ପୂର୍ବେ ମଧ୍ୟ ପୁଟିନଙ୍କ ପକ୍ଷରୁ ୟୁକ୍ରେନ୍ ଉପରେ ଆଣବିକ ଅସ୍ତ୍ର ପ୍ରହାରର ଧମକ ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ପର୍ଯ୍ୟବେକ୍ଷକମାନେ କହିଥାଆନ୍ତି ଯେ ଏକଦେଶଦର୍ଶୀ, ଏକଜିଦିଆ, ଅହଂକାରୀ ଏବଂ ଅପରିଣାମଦର୍ଶୀ ପୁଟିନଙ୍କ ସକାଶେ ଅନ୍ତିମ ଆଶ୍ରୟ ରୂପେ ଆଣବିକ ଅସ୍ତ୍ରର ପ୍ରୟୋଗ ନେଇ କୌଣସି ନୈତିକ କୁଣ୍ଠା ବା ସଙ୍କୋଚ ନ ଥାଇପାରେ। ଏ କଥା ମଧ୍ୟ ପାସୋରି ଗଲେ ହେବ ନାହିଁ ଯେ ଚଳିତବର୍ଷ ଯୁକ୍ତରାଷ୍ଟ୍ର ଆମେରିକା ନିର୍ବାଚନ ପ୍ରତ୍ୟକ୍ଷ କରିବାକୁ ଯାଉଛି; ଯହିଁରେ ୟୁକ୍ରେନ୍-ରୁଷିଆ ଯୁଦ୍ଧ ପ୍ରସଙ୍ଗରେ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଦୃଢ଼ତା ସେଠାକାର ଜନମତକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି। ସୁତରାଂ, ଅନେକ ପର୍ଯ୍ୟବେକ୍ଷକଙ୍କ ମତରେ ପୁଟିନଙ୍କ ଏତାଦୃଶ ମନ୍ତବ୍ୟର ଦୃଢ଼ ପ୍ରତ୍ୟୁତ୍ତର ବାଇଡେନ୍ଙ୍କ ବାକ୍ୟ ଓ କାର୍ଯ୍ୟରେ ଦୃଷ୍ଟିଗୋଚର ହେବା ଅନିବାର୍ଯ୍ୟ, ଯାହା ଏହି ବିବାଦକୁ ଅଧିକ ତିକ୍ତ ଓ ତୀବ୍ର କରିବ ଯାହା।
ସତକୁ ସତ ଯଦି ଉଭୟ ରାଷ୍ଟ୍ର ମଧ୍ୟରେ ଏକ ଆଣବିକ ଯୁଦ୍ଧ ସଂଘଟିତ ହୁଏ, ତେବେ ତାହା କିଭଳି କରାଳ ରୂପ ଧାରଣ କରିବ, ସେ ନେଇ ଏକ ଅନ୍ଦାଜ ଲଗାଯାଉ। ଉଲ୍ଲେଖଯୋଗ୍ୟ ଯେ କେବଳ ରୁଷିଆ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ନିକଟରେ ମହଜୁଦ ଅଛି ପୃଥିବୀର ସମୁଦାୟ ଆଣବିକ ଅସ୍ତ୍ରର ୯୦ ପ୍ରତିଶତ; ପୃଥିବୀ ପୃଷ୍ଠରେ ଥିବା ସମୁଦାୟ ୧୨,୫୧୨ଟି ଆଣବିକ ‘ୱାର୍ହେଡ୍’ ବା ବୋମା ମଧ୍ୟରୁ କେବଳ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ରୁଷିଆ ନିକଟରେ ମହଜୁଦ ଅଛି ଯଥାକ୍ରମେ ୫,୨୪୪ ଓ ୫,୮୮୯ଟି ଅଣୁବୋମା। କେବଳ ସେତିକି ନୁହେଁ, ଉଭୟ ରାଷ୍ଟ୍ର ‘ଫ୍ରାକ୍ସନାଲ ଅରବିଟାଲ୍ ବୋମ୍ବାର୍ଡମେଣ୍ଟ ସିଷ୍ଟମ’ ବା ‘ଏଫ୍.ଓ.ବି.ଏସ୍.’ର ସାମର୍ଥ୍ୟ ହାସଲ କରିସାରିଛନ୍ତି, ଯାହାର ଅର୍ଥ ଏହି ରାଷ୍ଟ୍ର ଦ୍ବୟ ଅନ୍ତରୀକ୍ଷରୁ ପରସ୍ପର ଉପରକୁ ଆଣବିକ କ୍ଷେପଣାସ୍ତ୍ର ପ୍ରହାର କରିପାରିବେ। ‘ଏଫ୍.ଓ.ବି.ଏସ୍.’ ପ୍ରଯୁକ୍ତି ବଳରେ ପୃଥିବୀର କକ୍ଷରୁ ଭୂପୃଷ୍ଠକୁ କ୍ଷେପଣାସ୍ତ୍ର ପ୍ରୟୋଗ କରାଯାଇପାରେ, ଯହିଁରେ କ୍ଷେପଣାସ୍ତ୍ରଟି ଅସୀମ ଦୂରତ୍ବ ଅତିକ୍ରମ କରି ଲକ୍ଷ୍ୟ ଭେଦ କରିବାର କ୍ଷମତା ଲାଭ କରିଥାଏ। ସୁତରାଂ, ଉଭୟ ରାଷ୍ଟ୍ର ନିକଟରେ ଉପଲବ୍ଧ ଶକ୍ତି ଓ ସାମର୍ଥ୍ୟ ଦୃଷ୍ଟିରୁ ବିଚାର କଲେ ଏକ ଆଣବିକ ଯୁଦ୍ଧ କେବଳ ଏହି ଦୁଇ ଦେଶକୁ ନୁହେଁ, ସମଗ୍ର ପୃଥିବୀକୁ ଏକ ପାଉଁଶ ପିଣ୍ଡରେ ପରିଣତ କରି ପକାଇବ।
ଷଷ୍ଠ ଦଶକରେ ‘କ୍ୟୁବାନ୍ ମିସାଇଲ୍ ସଂକଟ’ ସମ୍ଭାବ୍ୟ ଆଣବିକ ଯୁଦ୍ଧର ଭୟାବହତାକୁ ଜନ୍ମ ଦେଇଥିଲା। ଶୀତଳ ଯୁଦ୍ଧ କାଳରେ ଏହା ଥିଲା ଦୁଇ ମହାଶକ୍ତିଙ୍କ ମଧ୍ୟରେ ଅହଂକାରର ସଂଘାତର ଦୃଷ୍ଟାନ୍ତ; ତୁର୍କୀ ଏବଂ ଇଟାଲୀରେ ଆେମରିକା ଦ୍ବାରା ଆଣବିକ ଅସ୍ତ୍ର ମୁତୟନ କରିବାର ଜବାବରେ ତୀବ୍ର ପ୍ରତିସ୍ପର୍ଦ୍ଧୀ ରୁଷିଆ ପକ୍ଷରୁ କ୍ୟୁବାରେ ଆଣବିକ କ୍ଷେପଣାସ୍ତ୍ର ଠୁଳ କରିବାର ଉଦ୍ୟମ ଏହି ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଥିଲା। ତେବେ, ସୌଭାଗ୍ୟକ୍ରମେ ଆମେରିକାର ରାଷ୍ଟ୍ରପତି ଜନ୍ ଏଫ୍. କେନେଡି ଏବଂ ସୋଭିଏତ୍ ରୁଷିଆର ନେତା ନିକିତା କ୍ରୁଶ୍ଚେଭଙ୍କ ମନରେ ଯଥା ସମୟରେ ବିବେକର କ୍ଷୀଣ ଆଲୋକ ଉଦୟ ହୋଇ ପରିସ୍ଥିତିକୁ ଶାନ୍ତ କରିଥିଲା। ଏହା ସୁବିଦିତ ଯେ ମଣିଷର କ୍ଷୁଦ୍ରତା ଦ୍ବାରା ସୃଷ୍ଟ ଅତିକାୟ ଅହଙ୍କାର ତାକୁ ହିତାହିତ ଜ୍ଞାନଶୂନ୍ୟ କରିପକାଏ। ସେହି ଦୃଷ୍ଟିରୁ ଉଭୟ ପୁଟିନ ଓ ବାଇଡେନ୍ ଯଦି ଅହମିକାକୁ ପ୍ରଶ୍ରୟ ଦେଇ ସଂଯମ ହରାନ୍ତି, ତେବେ ମାନବ ଜାତି ଅବଲୁପ୍ତି ଆଡ଼କୁ ଠେଲି ହୋଇଯିବା ଅସମ୍ଭବ ନୁହେଁ।
‘ଆର୍.ଆଇ.ଏ.’ ସହିତ ସାକ୍ଷାତକାରରେ ଭ୍ଲାଡିମିର୍ ପୁଟିନଙ୍କ ଆଉ ଏକ ମନ୍ତବ୍ୟ ସୂଚାଇଥାଏ ଯେ ତାଙ୍କ ଚେତାବନୀ ହୁଏ’ତ ଫମ୍ପା ହୋଇ ନ ଥାଇପାରେ! କାରଣ, ଆଣବିକ ଅସ୍ତ୍ରର ପ୍ରୟୋଗ ସଂଦର୍ଭରେ ତାଙ୍କର ଏଭଳି ଗ୍ଳାନିହୀନ ସ୍ପଷ୍ଟତାରେ ସାମାନ୍ୟ ଅପ୍ରତିଭ ପ୍ରଶ୍ନକର୍ତ୍ତାଙ୍କ ପରବର୍ତ୍ତୀ ପ୍ରଶ୍ନର ଉତ୍ତରରେ ପୁଟିନ ନିଥର କଣ୍ଠରେ କହିଥିଲେ: ‘ବ୍ୟବହାର କରାଯିବା ଲାଗି ହିଁ ଅସ୍ତ୍ର ରହିଥାଏ।’ ଏହି ପରିପ୍ରେକ୍ଷୀରେ ରୁଷିଆର ପ୍ରସିଦ୍ଧ ଲେଖକ ଆଣ୍ଟନ ଚେକଭ ସ୍ମରଣକୁ ଆସନ୍ତି, ଯିଏ କହିଥିଲେ ଯେ ଯଦି କୌଣସି ଏକ ନାଟକର ପ୍ରଥମ ଅଙ୍କରେ କାନ୍ଥରେ ବନ୍ଧୁକଟିଏ ଝୁଲିଥିବାର ଦେଖିବାକୁ ପାଇବ, ତେବେ ନିଶ୍ଚିତ ରହ ଯେ ଅନ୍ତିମ ଦୃଶ୍ୟରେ ତାହାର ବ୍ୟବହାର କରାଯିବ। ଅନେକ କବି ଏବଂ ଦାର୍ଶନିକ ବାସ୍ତବ ଜୀବନକୁ ଏକ ନାଟକ ରୂପେ ଦେଖିଥାଆନ୍ତି ଯହିଁରେ ପୃଥିବୀ ଏକ ରଙ୍ଗମଞ୍ଚ ରୂପେ ଆବିର୍ଭୂତ ହୋଇଥାଏ। ତେଣୁ ପ୍ରଶ୍ନ ଉଠେ, ତାହା ହେଲେ କ’ଣ ଚେକଭ କହିଥିବା ଭଳି ପ୍ରଥମ ଦୃଶ୍ୟରେ ନିରୀହ ଭଳି ଦିଶୁଥିବା ବନ୍ଧୁକକୁ ଅନ୍ତିମ ଦୃଶ୍ୟରେ ବ୍ୟବହାର କରି ପୁଟିନ ଏହି ଜାଗତିକ ନାଟକରେ ଯବନିକା ପକାଇବାର ଚେଷ୍ଟା କରିବେ? ଅସମ୍ଭବ ନୁହେଁ! ଅପ୍ରାକୃତିକ ଅହମିକାରେ ଅନ୍ଧ ମନୁଷ୍ୟ ପକ୍ଷରେ ସବୁ କିଛି ସମ୍ଭବ!