ପ୍ରଭୁ ଶ୍ରୀକୃଷ୍ଣଙ୍କ ମନରେ ତାଙ୍କ ସ୍ବଶରୀରର ବର୍ଣ୍ଣକୁ ନେଇ କିଭଳି ଭାବନା ରହିଥିବ କେଜାଣି; ଭାରତୀୟ କବିମାନେ କିନ୍ତୁ ତାଙ୍କ ଠାରେ ଏହି କାରଣରୁ ହୀନମନ୍ୟତା ରହିଥିବା ବିଷୟ ବର୍ଣ୍ଣନା କରିଥାଆନ୍ତି, ଯାହାର ଏକ ପ୍ରକୃଷ୍ଟ ଉଦାହରଣ ବିଶିଷ୍ଟ କବି ପଣ୍ଡିତ ନରେନ୍ଦ୍ର ଶର୍ମାଙ୍କ ରଚିତ ଏକ ଆଧ୍ୟାତ୍ମିକ ରସଭରା ସର୍ବକାଳୀନ ଜନପ୍ରିୟ ଗୀତ, ଯହିଁରେ ମାତା ଯଶୋଦାଙ୍କୁ ବାଳକ ଶ୍ରୀକୃଷ୍ଣଙ୍କ ପ୍ରଶ୍ନ ହେଲା, ‘ରାଧା କ୍ୟୁଁ ଗୋରୀ, ମୈ କ୍ୟୁଁ କାଲା?’ ଅର୍ଥାତ୍‌ ରାଧା କାହିଁକି ଗୌର ବର୍ଣ୍ଣା ଏବଂ ମୁଁ କାହିଁକି କଳା?’ ଏଭଳି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଯଶୋଦା ଯେଉଁ ଉଦ୍ୟମ କରିଛନ୍ତି ତାହା କବିତାରେ ବର୍ଣ୍ଣିତ ହୋଇଛି ସତ, କିନ୍ତୁ ତାହା ବାଳକ ଶ୍ରୀକୃଷ୍ଣଙ୍କୁ କେତେ ପ୍ରବୋଧନା ଦେଇଥିବ ତାହା ଜଣାନାହିଁ। ଏହା ମଧ୍ୟ ସତ ଯେ ଭାଗ୍ୟ ଦୋଷରୁ ଗୌର ବର୍ଣ୍ଣ ଧାରଣ କରି ପାରି ନ ଥିବା ଅସଂଖ୍ୟ ଭାରତୀୟଙ୍କୁ ଏଭଳି ପ୍ରବୋଧନା ହେୟମନ୍ୟତାରୁ ମୁକ୍ତ କରି ପାରି ନଥାଏ। ଭାରତରେ ଏହା ହିଁ ହେଉଛି ଶ୍ୟାମ ରଙ୍ଗର ବିଡ଼ମ୍ବିତ ବସ୍ତୁସ୍ଥିତି, ଯାହାକୁ ହୁଏତ ଶ୍ୟାମଳାଙ୍ଗ ଶ୍ୟାମ ପିଟ୍ରୋଡ଼ା ଅଙ୍ଗେ ନିଭେଇଥିବେ!

Advertisment

ଗଲା ବୁଧବାର ଦିନ ଭାରତୀୟ ଜାତୀୟ କଂଗ୍ରେସର ବରିଷ୍ଠ ସଦସ୍ୟ ଶ୍ୟାମ ପିଟ୍ରୋଡ଼ାଙ୍କର ଏକ ବକ୍ତବ୍ୟ ଦ୍ବାରା ବିବାଦର ଏଭଳି ତୁମୂଳ ଘୂର୍ଣ୍ଣିଝଡ଼ଟିଏ ସୃଷ୍ଟି ହୋଇଛି ଯେ କଂଗ୍ରେସ ଦଳ ସେହି ମନ୍ତବ୍ୟ ଠାରୁ ନିଜକୁ ସୁରକ୍ଷିତ ଦୂରତାରେ ରଖିଥିବା ବେଳେ ପିଟ୍ରୋଡ଼ା ମହାଶୟ, ଅଗତ୍ୟା ତାଙ୍କ ପଦ (‘ଇଣ୍ଡିଆନ୍‌ ଓଭର୍‌ସିଜ୍‌ କଂଗ୍ରେସ’ ବା ଭାରତୀୟ ଦରିଆପାରି କଂଗ୍ରେସ)ରୁ ଇସ୍ତଫା ପ୍ରଦାନ କରିବାକୁ ବାଧ୍ୟ ହୋଇଛନ୍ତିି। ନିର୍ବାଚନର ତପ୍ତ ପରିବେଶରେ ଅବୋଲକରା ଜିହ୍ବା ସ୍ଖଳିତ ଗୋଟିଏ ଅସଂଗତ ଉଦାହରଣ କିଭଳି ଏକ ମହତ ଚିନ୍ତାକୁ ପରିପ୍ରକାଶ କରୁ କରୁ ଘୋର କେଳେଙ୍କେରି ସୃଷ୍ଟି କରିପାରେ, ଏହା ହେଉଛି ତାହାର ଏକ ଶାସ୍ତ୍ରୀୟ ଦୃଷ୍ଟାନ୍ତ। ତେବେ, ଏହି ପରିପ୍ରେକ୍ଷୀରେ ଯାହା ସର୍ବାଦୌ ଉଚିତ, ତାହା ହେଲା ନିର୍ବାଚନକାଳୀନ ଆବେଗ ଓ ଉଚ୍ଚାଟର ତରଙ୍ଗକୁ ଅତିକ୍ରମ କରି ସ୍ଥିର ଓ ସୂକ୍ଷ୍ମ ଦୃଷ୍ଟିରେ ବିଷୟଟିକୁ ଅବଲୋକନ କରିବା ଏବଂ ସେ ସଂପର୍କରେ ଏକ ଅନାସକ୍ତ ଆଲୋଚନା କରିବା।
ଉଲ୍ଲେଖଯୋଗ୍ୟ ଯେ ଭାରତର ଚାରିତ୍ରିକ ବୈଶିଷ୍ଟ୍ୟ-ବିବିଧତା ମଧ୍ୟରେ ସମନ୍ବୟର ସୌନ୍ଦର୍ଯ୍ୟ ସଂପର୍କରେ ଏକ ଉଦାହରଣ ଦେଇ ଶ୍ୟାମ ପିଟ୍ରୋଡ଼ା ଏକ ସାକ୍ଷାତ୍‌କାର ଅବସରରେ ଯାହା କହିଛନ୍ତି, ତାହା ଏହିଭଳି: ‘ଭାରତର ପୂର୍ବାଞ୍ଚଳ ବାସିନ୍ଦାମାନେ ଚୀନାମାନଙ୍କ ଭଳି ଦେଖାଯାଉଥିବା ବେଳେ ପଶ୍ଚିମ ଭାରତର ଲୋକେ ଆରବମାନଙ୍କ ଭଳି ଦିଶିଥାଆନ୍ତି, ଉତ୍ତର ଭାରତୀୟମାନେ ଶ୍ବେତାଙ୍ଗଙ୍କ ଭଳି ଏବଂ ଦକ୍ଷିଣ ଭାରତୀୟମାନେ ଆଫ୍ରିକୀୟମାନଙ୍କ ଭଳି ଦିଶନ୍ତି।’ ଅବଶ୍ୟ, ତାଙ୍କର ପରବର୍ତ୍ତୀ ବାକ୍ୟ କହିଥିଲା ଯେ ‘ଏଭଳି ଏକ ବିବିଧତା ସତ୍ତ୍ବେ ସମସ୍ତ ଭାରତୀୟ ଭାଇଭଉଣୀ ଭଳି ଏକତ୍ର ଅବସ୍ଥାନ କରନ୍ତି।’ ତେବେ, କହିବା ବାହୁଲ୍ୟ ଏଭଳି ଏକ ବକ୍ତବ୍ୟ‌ ପରିପ୍ରେକ୍ଷୀରେ ତାଙ୍କ ଉପରେ ଘୃଣ୍ୟ ‘ଜାତିବାଦୀ’ ବା ‘ବର୍ଣ୍ଣ ବୈଷମ୍ୟବାଦୀ’ର ଆରୋପ ଲଗାଯିବା ଅତ୍ୟନ୍ତ ସ୍ବାଭାବିକ। ଏବଂ ନିର୍ବାଚନ ପ୍ରଚାରକାଳୀନ ବୈଦ୍ୟୁତିକ ପରିବେଶରେ ଏଭଳି ଏକ ବକ୍ତବ୍ୟକୁ ଭିତ୍ତି କରି ସ୍ବୟଂ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ କଂଗ୍ରେସ ଉପରେ ତୀବ୍ର ବାଚନିକ ପ୍ରହାରରେ ମଧ୍ୟ ବିସ୍ମୟର କୌଣସି କାରଣ ନ ଥାଏ। ତେବେ, ସଂପୂର୍ଣ୍ଣ ମନ୍ତବ୍ୟରୁ କେବଳ ଦକ୍ଷିଣ ଭାରତୀୟଙ୍କୁ ଆଫ୍ରିକୀୟମାନଙ୍କ ସହିତ କରାଯାଇଥିବା ତୁଳନାକୁ ଦର୍ଶାଇ ଏହା ଚର୍ମର ରଙ୍ଗ ଆଧାରିତ ତୀବ୍ର ବିଦ୍ବେଷ ଏବଂ ଏକ ‘ଗାଳି’ ସଦୃଶ ବୋଲି ପ୍ରଧାନମନ୍ତ୍ରୀ ଆକ୍ଷେପ କରିବା ସହିତ ଶ୍ୟାମ ପିଟ୍ରୋଡ଼ାଙ୍କୁ ପଥ ପ୍ରଦର୍ଶକ ବୋଲି ମଣୁଥିବା ରାହୁଳ ଗାନ୍ଧୀ ଓ ତାଙ୍କ ଦଳ କଂଗ୍ରେସ ଏହି କାରଣରୁ ହିଁ ରାଷ୍ଟ୍ରପତି ନିର୍ବାଚନ ସମୟରେ ଜନଜାତି ସଂପ୍ରଦାୟର ସଦସ୍ୟା କୃଷ୍ଣାଙ୍ଗୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ବକୁ ବିରୋଧ କରିଥିଲେ ବୋଲି ଦୋଷାରୋପ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଏଭଳି ବର୍ଣ୍ଣ ବୈଷମ୍ୟପୂର୍ଣ୍ଣ ମନୋଭାବ ଭାରତୀୟମାନଙ୍କ ପାଇଁ, ବିଶେଷ କରି ତାଙ୍କ ପାଇଁ ସଂପୂର୍ଣ୍ଣ ଅସହନୀୟ। ପ୍ରଧାନମନ୍ତ୍ରୀଙ୍କ ଏଭଳି ବୟାନ ପରେ ସ୍ବାଭାବିକ ଭାବେ ବିଜେପି ପକ୍ଷରୁ ଏ ମନ୍ତବ୍ୟ ବିରୋଧରେ ଆରୋପର ପଟୁଆର ସୃଷ୍ଟି ହୋଇଯାଇଛି; କିନ୍ତୁ ଏଭଳି ଉଚ୍ଚାଟ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ବୟାନ ଓ ତା’ ଦ୍ବାରା ସୃଷ୍ଟି ହେବାକୁ ଯାଉଥିବା ପ୍ରଭାବର ସୂକ୍ଷ୍ମ ପ୍ରସ୍ଥଗୁଡ଼ିକ ନେଇ ଯେଉଁଭଳି ଢଙ୍ଗରେ ଆଲୋଚନା ହେବା କଥା, ତାହା ହୋଇପାରୁନାହିଁ। ପ୍ରଥମତଃ ଶ୍ୟାମ ପିଟ୍ରୋଡ଼ାଙ୍କ ମୂଢ଼ତାପୂର୍ଣ୍ଣ ମନ୍ତବ୍ୟରେ କେବଳ ‘ଚେହେରା’ ସମ୍ବନ୍ଧୀୟ ମତ ପ୍ରକାଶ ପାଇଛି, ଯାହାକୁ ପ୍ରଧାନମନ୍ତ୍ରୀଙ୍କ ବିଚାର ‘ଚମର ରଙ୍ଗ’ ରୂପେ ଦେଖିଛି ଏବଂ ସେହି ଆଧାରରେ ବ୍ୟାଖ୍ୟାନ ପ୍ରସ୍ତୁତ ହୋଇଛି। ଦ୍ବିତୀୟତଃ କେବଳ ‘ଆଫ୍ରିକୀୟ’ମାନଙ୍କ ସହିତ ତୁଳନାକୁ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଗୁରୁତ୍ବ ପ୍ରଦାନ ଏକ ବର୍ଣ୍ଣ-ବିବାଦ ସୃଷ୍ଟି କରିବା ସହିତ ରାଷ୍ଟ୍ରପତିଙ୍କ ନିର୍ବାଚନ ପ୍ରସଙ୍ଗକୁ ତା’ ସହିତ ଯୋଡ଼ାଯିବାରୁ ରାଷ୍ଟ୍ରପତି ମଧ୍ୟ ଅଯାଚିତ ଭାବେ ବିବାଦ ମଧ୍ୟକୁ ଟାଣି ହୋଇଆସିଛନ୍ତି। ତୃତୀୟରେ ରାଜନୈତିକ ପରିଚୟ ଦୃଷ୍ଟିରୁ ଶ୍ୟାମ ପିଟ୍ରୋଡ଼ା ଅତ୍ୟନ୍ତ ଅକିଞ୍ଚନ, ଯାହାଙ୍କ ମନ୍ତବ୍ୟ ବିଶ୍ବ ସ୍ତରରେ କୌଣସି ଆଲୋଡ଼ନ ସୃଷ୍ଟି କରିବାର କାରଣ ନାହିଁ; କିନ୍ତୁ ଭାରତର ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ବୈଦେଶିକ ଏବଂ କୂଟନୈତିକ ସ୍ତରରେ ତରଙ୍ଗ ସୃଷ୍ଟି କରିବା ସୁନିଶ୍ଚିତ ଏବଂ ଆଫ୍ରିକୀୟଙ୍କ ସହିତ ଦକ୍ଷିଣ ଭାରତୀୟଙ୍କ ସାମଂଜସ୍ୟକୁ ଏକ ‘ଗାଳି’ ରୂପେ ଅଭିହିତ କରାଯିବାର ଅର୍ଥ ଯେ ପ୍ରକାରାନ୍ତରେ ଆଫ୍ରିକାର ଅଧିବାସୀଙ୍କ ପ୍ରତି ଅପମାନ ପ୍ରଦର୍ଶନ, ଏଥିରେ ଦ୍ବିରୁକ୍ତି ନାହିଁ। ଏହା ଫଳରେ ହୁଏତ ଭାରତ-ଆଫ୍ରିକା ମଧ୍ୟରେ ସଂପର୍କ ପ୍ରଭାବିତ ହୋଇପାରେ ବା ‘ଗ୍ଲୋବାଲ୍‌ ସାଉଥ୍‌’ ବା ‘ଦକ୍ଷିଣ ପୃଥିବୀ’ର ଉଦୀୟମାନ ନେତା ରୂପେ ନରେନ୍ଦ୍ର ମୋଦୀଙ୍କ ଗ୍ରହଣୀୟତା ପ୍ରଶ୍ନାକୁଳ ହୋଇଯାଇପାରେ।
ତେବେ, ଏହି ବିବାଦ ଓ ଆଲୋଚନା ସମୟରେ ଯେଉଁ ବିମର୍ଷକର ପ୍ରଶ୍ନକୁ ନଜର ଅନ୍ଦାଜ କରାଯାଇଥାଏ, ତାହା ହେଲା ଭାରତୀୟ ସମାଜ କେବେ ଅବା ଚମର ରଙ୍ଗ ଆଧାରିତ ବିଦ୍ବେଷରୁ ମୁକ୍ତ ଥିଲା? ବୈଦିକ ଯୁଗରେ ମହର୍ଷି ଭୃଗୁଙ୍କ ସମୟରୁ ଗୌରକାୟ ସବର୍ଣ୍ଣ ଏବଂ କୃଷ୍ଣକାୟ ଅସବର୍ଣ୍ଣଙ୍କ ବିଷୟରେ ଉଲ୍ଲେଖ ରହିଛି। ଆମ ଦେଶର ଅସଂଖ୍ୟ ପୁରାଣ, ଲୋକକଥା, ଲୋକଗୀତ ଏବଂ ଢଗଢମାଳିରେ ବର୍ଣ୍ଣବିଦ୍ବେଷ ସଂବଳିତ କଟାକ୍ଷ, ଟାହି ଟାପରା ଓ ଭର୍ତ୍ସନା ଆଦି ଅତି ପ୍ରାଂଜଳ ଭାବେ ଉପସ୍ଥିତ। ଏହି କାରଣରୁ ପ୍ରାଚୀନ କାଳରୁ ଭାରତୀୟ ନାରୀମାନେ ନିଜକୁ ଗୌରବର୍ଣ୍ଣା କରିବା ସକାଶେ ବିଭିନ୍ନ ଉପଚାରମାନ କରି ଆସିଛନ୍ତି। ଏକବିଂଶ ଶତାବ୍ଦୀରେ ମଧ୍ୟ ଭାରତୀୟ ପୁରୁଷମାନେ ବିବାହ ଲାଗି କେବଳ ଗୌରବର୍ଣ୍ଣା କନ୍ୟାଙ୍କୁ ହିଁ ଲୋଡୁଛନ୍ତି। ପ୍ରକାଶ ଥାଉ କି ଚମକୁ ତୋରା ଓ ଗୋରା କରିବା ଉଦ୍ଦେଶ୍ୟରେ ୧୯୧୯ ମସିହାରେ ଆବିର୍ଭୂତ ହୋଇଥିବା ‘ଆଫଗାନ ସ୍ନୋ’ ଭାରତୀୟ ମହିଳାଙ୍କ ମଧ୍ୟରେ ବିପୁଳ ଆନନ୍ଦ ଓ ଉତ୍ସାହ ସୃଷ୍ଟି କରିଥିଲା। ସେହି ଧାରାରେ ଚମର ରଙ୍ଗକୁ କଳାରୁ ଗୋରାରେ ପରିଣତ କରିବାର ପ୍ରତିଶ୍ରୁତି ସହିତ ୧୯୭୫ ମସିହାରେ ପଦାର୍ପଣ କରିଥିବା କ୍ରିମ୍‌ ‘ଫେୟାର ଏଣ୍ଡ୍‌ ଲଭଲି’ ଏ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ନାମ। ଏହା ପରେ ବିଭିନ୍ନ କଂପାନି ଦ୍ବାରା ପ୍ରସ୍ତୁତ ଡଜନେରୁ ଅଧିକ ଏଭଳି କ୍ରିମ୍‌ ଓ ‘ଲୋସନ୍‌’ ଭାରତୀୟ ପ୍ରସାଧନ ବଜାରର ଏକ ବୃହଦାଂଶ ଅକ୍ତିଆର କରି ବସିଛନ୍ତିି। ତେବେ, କେବଳ ମହିଳା କାହିଁକି, ଭାରତୀୟ ପୁରୁଷମାନଙ୍କ ଲାଗି ମଧ୍ୟ ଏଭଳି ଉପଚାରମାନ ଏବେ ଉପଲବ୍‌ଧ ଓ ଖୁବ୍‌ ଲୋକପ୍ରିୟ। ଏକ ସର୍ବେକ୍ଷଣରୁ ଜଣାପଡ଼େ ଯେ ଆମ ଦେଶରେ ଚମର ରଙ୍ଗ ଗୋରା ହୋଇଥିଲେ ପ୍ରେମ, ବିବାହ ଓ ଚାକିରି ଲାଭର ସମ୍ଭାବନା ପ୍ରାୟ ତିନି ଗୁଣ ବୃଦ୍ଧି ପାଇଥାଏ। ‌େସହି ଦୃଷ୍ଟିରୁ କେବଳ ଚମର ରଙ୍ଗକୁ ଗୋରା କରୁଥିବା ପ୍ରସାଧନ ସାମଗ୍ରୀର ବାର୍ଷିକ ବ୍ୟବସାୟ ମୂଲ୍ୟ ୩୦୦୦ କୋଟି ଟଙ୍କାରୁ ଅଧିକ ହେବାରେ ଆଶ୍ଚର୍ଯ୍ୟ ହେବାର କାରଣ ନ ଥାଏ ଏବଂ ଶ୍ୟାମ ପିଟ୍ରୋଡ଼ାଙ୍କ ବୟାନରେ ଯଦି ଭାରତୀୟମାନଙ୍କ ଲାଗି ବର୍ଣ୍ଣ-ବିଦ୍ବେଷ ଆଧାରିତ ‘ଗାଳି’ ବିଦ୍ୟମାନ, ତେବେ ଏହା ମଧ୍ୟ ଏକ ବାସ୍ତବତା ଯେ ଭାରତୀୟମାନେ ନିରନ୍ତର ଭାବେ ଏଭଳି ଗାଳିକୁ ନିରବରେ ସହି ତାହାକୁ ଦେହସୁହା ମଧ୍ୟ କରି ସାରିଲେଣି!
ଏ ସଂଦର୍ଭରେ ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଆମ ଦେଶରେ ଶ୍ୟାମଳାଙ୍ଗ ଶ୍ରୀକୃଷ୍ଣଙ୍କୁ ପରମ ଆରାଧ୍ୟ ରୂପେ ପୂଜା କରାଯାଏ, ଯେଉଁ କାରଣରୁ କଂଗ୍ରେସର ବର୍ଣ୍ଣ ବୈଷମ୍ୟବାଦୀ ମାନସିକତାକୁ ଦେଶ କ୍ଷମା କରିବ ନାହିଁ। ଅବଶ୍ୟ, ଏଥିରେ ଦ୍ବିଧା ନାହିଁ ଯେ ଘନନୀଳ ବା ଦୁର୍ବାଦଳ ସମ ଶ୍ୟାମଳ ବର୍ଣ୍ଣର ତନୁ କାନ୍ତି ଧାରଣ କରିଥିବା ଭଗବାନ ଶ୍ରୀକୃଷ୍ଣଙ୍କ ଅପୂର୍ବ ରୂପ ଲାବଣ୍ୟରେ ଆବହମାନ କାଳରୁ ଭାରତୀୟମାନେ ବିମୋହିତ ହୋଇ ଆସିଛନ୍ତି। ତେବେ, କଥା ହେଲା, ପ୍ରଭୁ ଶ୍ରୀକୃଷ୍ଣଙ୍କ ମନରେ ତାଙ୍କ ସ୍ବଶରୀରର ବର୍ଣ୍ଣକୁ ନେଇ କିଭଳି ଭାବନା ରହିଥିବ କେଜାଣି; ଭାରତୀୟ କବିମାନେ କିନ୍ତୁ ତାଙ୍କ ଠାରେ ଏହି କାରଣରୁ ହୀନମନ୍ୟତା ରହିଥିବା ବିଷୟ ବର୍ଣ୍ଣନା କରିଥାଆନ୍ତି, ଯାହାର ଏକ ପ୍ରକୃଷ୍ଟ ଉଦାହରଣ ବିଶିଷ୍ଟ କବି ପଣ୍ଡିତ ନରେନ୍ଦ୍ର ଶର୍ମାଙ୍କ ରଚିତ ଏକ ଆଧ୍ୟାତ୍ମିକ ରସଭରା ସର୍ବକାଳୀନ ଜନପ୍ରିୟ ଗୀତ, ଯହିଁରେ ମାତା ଯଶୋଦାଙ୍କୁ ବାଳକ ଶ୍ରୀକୃଷ୍ଣଙ୍କ ପ୍ରଶ୍ନ ହେଲା, ‘ରାଧା କ୍ୟୁଁ ଗୋରୀ, ମୈ କ୍ୟୁଁ କାଲା?’ ଅର୍ଥାତ୍‌ ରାଧା କାହିଁକି ଗୌର ବର୍ଣ୍ଣା ଏବଂ ମୁଁ କାହିଁକି କଳା?’ ଏଭଳି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଯଶୋଦା ଯେଉଁ ଉଦ୍ୟମ କରିଛନ୍ତି ତାହା କବିତାରେ ବର୍ଣ୍ଣିତ ହୋଇଛି ସତ, କିନ୍ତୁ ତାହା ବାଳକ ଶ୍ରୀକୃଷ୍ଣଙ୍କୁ କେତେ ପ୍ରବୋଧନା ଦେଇଥିବ ତାହା ଜଣାନାହିଁ। ଏହା ମଧ୍ୟ ସତ ଯେ ଭାଗ୍ୟ ଦୋଷରୁ ଗୌର ବର୍ଣ୍ଣ ଧାରଣ କରି ପାରି ନ ଥିବା ଅସଂଖ୍ୟ ଭାରତୀୟଙ୍କୁ ଏଭଳି ପ୍ରବୋଧନା ହେୟମନ୍ୟତାରୁ ମୁକ୍ତ କରି ପାରି ନଥାଏ। ଭାରତରେ ଏହା ହିଁ ହେଉଛି ଶ୍ୟାମ ରଙ୍ଗର ବିଡ଼ମ୍ବିତ ବସ୍ତୁସ୍ଥିତି, ଯାହାକୁ ହୁଏତ ଶ୍ୟାମଳାଙ୍ଗ ଶ୍ୟାମ ପିଟ୍ରୋଡ଼ା ଅଙ୍ଗେ ନିଭେଇଥିବେ!