କହିବା ବାହୁଲ୍ୟ, ଯେ କୌଣସି ପାରଦର୍ଶୀ ପ୍ରତିଦ୍ବନ୍ଦ୍ବିତାର ପ୍ରଥମ ସର୍ତ୍ତ ହେଉଛି ‘ସମତଳ କ୍ରୀଡ଼ାଙ୍ଗନ’। ଅବଶ୍ୟ, ସଂପ୍ରତି ନିର୍ବାଚନର ପ୍ରତିଦ୍ବନ୍ଦ୍ବିତା ଆଉ କ୍ରୀଡ଼ାଙ୍ଗନରେ ନ ହୋଇ ରଣାଙ୍ଗନରେ ଅନୁଷ୍ଠିତ ହେଉଛି। ତଥାପି ରାମାୟଣ ଓ ମହାଭାରତର ଯୋଦ୍ଧାଙ୍କ ଠାରୁ ଆରମ୍ଭ କରି ଜାପାନର ସମୁରାଇ ଯୋଦ୍ଧାଙ୍କ ପର୍ଯ୍ୟନ୍ତ ରଣର ଯେଉଁ ଶାସ୍ତ୍ରୀୟ ନିୟମ ପାଳନ କରନ୍ତି, ତାହା ହେଲା ଦୁର୍ବଳ ଓ ନିରସ୍ତ୍ରଙ୍କ ଉପରେ ଅସ୍ତ୍ର ପ୍ରହାର ନ କରିବା; ଅନେକ ବୀରୋଚିତ ଦୃଷ୍ଟାନ୍ତରେ ନିରସ୍ତ୍ରଙ୍କୁ ଅସ୍ତ୍ର ଯେ‌ା‌ଗାଇବା ପରେ ଯାଇ ଯୁଦ୍ଧର ପ୍ରାରମ୍ଭ ହୋଇଥାଏ; ଏହାର ଅର୍ଥ ରଣାଙ୍ଗନ ମଧ୍ୟ ‘ସମତଳତା’ ଲୋଡ଼ିଥାଏ। ଏବଂ ଏଭଳି ବୀରୋଚିତ ଆଚରଣ ବିନା ବିଜୟ ଗ୍ଳାନିଯୁକ୍ତ ଓ ଅସମ୍ମାନଜନକ ହୋଇଥାଏ।

Advertisment

୨୦୨୪ ମସିହା ସାଧାରଣ ନିର୍ବାଚନକୁ କେନ୍ଦ୍ର କରି ଯେଉଁଭଳି ଆଲୋଡ଼ନ ସୃଷ୍ଟିକାରୀ ଘଟଣାମାନ ଘଟିବାରେ ଲାଗିଛି, ତାହା ସମ୍ଭବତଃ ପୂର୍ବରୁ କୌଣସି ସାଧାରଣ ନିର୍ବାଚନ ସମୟରେ ଘଟି ନ ଥିବ; ଯହିଁରେ ସଦ୍ୟ ଯୋଡ଼ି ହୋଇ ଯାଇଥିବା ଘଟଣାଟି ହେଉଛି ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଦତ୍ତ ମଧ୍ୟବର୍ତ୍ତୀକାଳୀନ ବା ଅନ୍ତରୀଣ ଜାମିନ। କହିବା ଅନାବଶ୍ୟକ ଯେ କେଜ୍ରିୱାଲଙ୍କ ଦଳ ଆପ୍‌ ସମେତ ସମୁଦାୟ ବିରୋଧୀ ପକ୍ଷ ଏହାକୁ ‘ସତ୍ୟର ବିଜୟ’ ବୋଲି ଅଭିହିତ କରୁଥିବା ବେଳେ କେନ୍ଦ୍ରରେ କ୍ଷମତାସୀନ ବିଜେପି ପକ୍ଷରୁ ଏହାକୁ ଘୋର ନାପସନ୍ଦ କରାଯାଇ ‘ପାଣ୍ଡୋରାର ପେଟିକା’ ଖୋଲିଯିବା ସଦୃଶ ଉପଦ୍ରବ ସୃଷ୍ଟିକାରୀ ବୋଲି କୁହାଯାଉଛି। ସୁତରାଂ, ରାଜନୈତିକ ଅନୁରକ୍ତିରୁ ଊର୍ଦ୍ଧ୍ବକୁ ଉଠି ଏଭଳି ଏକ ବିରଳ ଓ ଦୃଷ୍ଟାନ୍ତମୂଳକ ରାୟ ସଂପର୍କରେ ଏକ କ୍ଷୁଦ୍ର ଆଲୋଚନା କରାଯାଇପାରେ।
ପ୍ରଶ୍ନ ଉଠିଥାଏ ଯେ ମଧ୍ୟବର୍ତ୍ତୀକାଳୀନ ଜାମିନ ବ୍ୟବସ୍ଥା ଆଦୌ ନୂଆ ହୋଇ ନ ଥିବା ବେଳେ (ବେଳେବେଳେ ଆତ୍ମୀୟସ୍ବଜନଙ୍କ ଶେଷକୃତ୍ୟ ବା ପରିବାରରେ ବିବାହ ଇତ୍ୟାଦି ଭଳି କିଛି ବିଶେଷ ଅବସରରେ ସାମିଲ ହେବା ଲାଗି ଦଣ୍ଡିତ ବା ବିଚାରାଧୀନ ବନ୍ଦୀମାନଙ୍କୁ ସାମୟିକ ମୁକ୍ତି ପ୍ରଦାନ କରାଯାଏ) ଅରବିନ୍ଦ କେଜ୍ରିୱାଲଙ୍କ କ୍ଷେତ୍ରରେ ଏହା ବିରଳ ଓ ଉଦାହରଣ ସ୍ଥାପନକାରୀ ବୋଲି ବିବେଚିତ ହୋଇଥାଏ କାହିଁକି? କାରଣ, ଏହା ପୂର୍ବରୁ କାରାଗାରାବଦ୍ଧ କୌଣସି ରାଜ‌େନତାଙ୍କୁ ନିର୍ବାଚନରେ ପ୍ରଚାର କରିବା ସକାଶେ ଏହି ସୁବିଧା ପ୍ରଦାନ କରାଯାଇ ନ ଥିଲା ଏବଂ ‘ମନି ଲଣ୍ଡରିଂ’ ଆଇନ (‘ପି.ଏମ୍‌.ଏଲ୍‌.ଏ.’)ର ନିର୍ଦୟ କଠୋରତା ପରିପ୍ରେକ୍ଷୀରେ ଏହା ସଂପୂର୍ଣ୍ଣ ଅସମ୍ଭବ ହିଁ ହୁଅନ୍ତା। ତେବେ, ଅଦାଲତ ସ୍ପଷ୍ଟ କରି ଦେଇଛନ୍ତି ଯେ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କ ତଥାକଥିତ ସଂପୃକ୍ତି ବା ଅସଂପୃକ୍ତି ସହିତ ଏହି ଜାମିନ ନିଷ୍ପତ୍ତିର ଆଦୌ କୌଣସି ସଂପର୍କ ନାହିଁ; ଏବଂ ମଦ ଦୁର୍ନୀତି ମାମଲାର ଚୂଡ଼ାନ୍ତ ରାୟ ଯଥା ସମୟରେ ଏବଂ ଶୁଣାଣି ସଂପୂର୍ଣ୍ଣ ହେବା ପରେ ଯାଇ ପ୍ରକାଶ ପାଇବ। ଅଦାଲତଙ୍କ ମତରେ ଯେହେତୁ ନିର୍ବାଚନ ହେଉଛି ଏକ ଗଣତନ୍ତ୍ରର ‘ଜୀବନୀ ଶକ୍ତିି’, ତହିଁରେ ପ୍ରଚାର କରିବାର ସୁଯୋଗ ପ୍ରାପ୍ତ ହେବା ଆପ୍‌ ଭଳି ଗୋଟିଏ ଜାତୀୟ ଦଳର ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଏକ ମୌଳିକ ଅଧିକାର; ଯେଉଁ କାରଣରୁ ତାଙ୍କୁ ନିର୍ବାଚନ ପ୍ରଚାର ସମାପ୍ତ ହେବା ପର୍ଯ୍ୟନ୍ତ ତିନି ସପ୍ତାହ ସକାଶେ ସର୍ତ୍ତମୂଳକ ଭାବେ ମୁକ୍ତ କରାଯାଇଛି। ଜେଲ୍‌ ଭୋଗୁଥିବା ଅନ୍ୟ କୌଣସି ରାଜନେତାଙ୍କ ଲାଗି ଏଭଳି ପ୍ରାବଧାନ ପୂର୍ବରୁ କେବେ ହୋଇ ନ ଥିବା ପରିପ୍ରେକ୍ଷୀରେ ଜାମିନକୁ ବିରୋଧ କରୁଥିବା ‘ଇ.ଡି.’ ପକ୍ଷରୁ ପ୍ରଶ୍ନ କରାଯାଇଥିଲା: କେଜ୍ରିୱାଲଙ୍କ ଲାଗି ଏ ବିଶେଷ ସୁଯୋଗ କାହିଁକି?, ଯାହାର ଉତ୍ତରରେ ଅଦାଲତ ଇଙ୍ଗିତ କରିଛନ୍ତି ଯେ ଗଣତନ୍ତ୍ରରେ ନିର୍ବାଚନ ହିଁ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ଘଟଣା ହୋଇଥିବାରୁ ଏହି ପରିପ୍ରେକ୍ଷୀରେ ନୂଆ ଦୃଷ୍ଟାନ୍ତ ସ୍ଥାପନ କରାଯାଇପାରେ। ପ୍ରକାଶ ଥାଉ କି ସଂବିଧାନର ଧାରା ୧୪କୁ ଦର୍ଶାଇ ଆଇନ ସମ୍ମୁଖରେ ସବୁ ନାଗରିକ ସମାନ ହେଇଥିବା ଦୃଷ୍ଟିରୁ ‘ପିଏମ୍‌ଏଲ୍‌ଏ’ ଆଇନରେ କାରାବରଣ କରୁଥିବା କୌଣସି ବ୍ୟବସାୟୀ ବା କୌଣସି ଚାଷୀଙ୍କୁ ତାଙ୍କ କାରବାର ବା ଚାଷବାସ କରିବା ସକାଶେ ଅନ୍ତରୀଣ ଜାମିନ ଦିଆଯାଇ ପାରେ କି ବୋଲି ପ୍ରଶ୍ନରେ ଅଦାଲତଙ୍କ ପକ୍ଷରୁ ନିର୍ବାଚନର ମହତ୍ତ୍ବକୁ ଅନିର୍ବଚନୀୟ ଓ ଅତୁଳନୀୟ ବୋଲି ଦର୍ଶା ଯାଇଥିଲା। କହିବା ବାହୁଲ୍ୟ ଯେ ଗଣତନ୍ତ୍ରରେ ନିର୍ବାଚନର ଭୂମିକା ଓ ତହିଁରେ ରାଜନେତାଙ୍କ ଅଂଶଗ୍ରହଣର ଅନିବାର୍ଯ୍ୟତା ଏହା ଦ୍ବାରା ଦୃଢ଼ ଭାବେ ସାବ୍ୟସ୍ତ ହୋଇଛି। କିନ୍ତୁ, ଏହା ଦ୍ବାରା କେତେକ ବିତର୍କିତ ପ୍ରଶ୍ନ ମଧ୍ୟ ସୃଷ୍ଟି ହୋଇଥାଏ, ଯେମିତିକି ଜଣେ ସାଧାରଣ ରାଜନୈତିକ କର୍ମୀ ଏଭଳି ଅଧିକାର ଲାଭ କରିବ ତ? ହତ୍ୟା, ଅପହରଣ, ଦୁଷ୍କର୍ମ ଭଳି ସଙ୍ଗିନ ଫୌଜଦାରୀ ମାମଲାରେ ଜଡ଼ିତ କୌଣସି ଦଳର ମୁଖ୍ୟ ନେତାଙ୍କ କ୍ଷେତ୍ରରେ ନିଷ୍ପତ୍ତି କ’ଣ ହେବ? ଅବଶ୍ୟ, ବିଭିନ୍ନ ତର୍କ ଓ ବ୍ୟାଖ୍ୟା ଦ୍ବାରା ପରିମାର୍ଜିତ ହୋଇ ସମୟ କ୍ରମେ ଏହାର ଏକ ଅଧିକ ସ୍ପଷ୍ଟ ରୂପ ଦିଶିବା ସୁନିଶ୍ଚିତ!
ପ୍ରକାଶ ଥାଉ କି ଏହି ନିଷ୍ପତ୍ତିକୁ ଆମ ଆଦ୍‌ମି ପାର୍ଟି (ସମୁଦାୟ ବିପକ୍ଷ) ପକ୍ଷରୁ ଏକ ମହତ୍ତ୍ବପୂର୍ଣ୍ଣ ବିଜୟ ରୂପେ ଦର୍ଶାଯାଉଛି, ଯାହାକୁ ଜୀର୍ଣ୍ଣ କରିବା ବିଜେପି ପକ୍ଷରେ ସମ୍ଭବ ହୋଇ ନ ଥାଏ। ତେବେ, ଟିକିଏ ଗହୀରେଇ ବିଚାର କଲେ ଦିଶିଥାଏ କିଭଳି ଏହି ଦୃଷ୍ଟାନ୍ତମୂଳକ ରାୟ କୌଣସି ନିର୍ଦ୍ଦିଷ୍ଟ ଦଳ ସକାଶେ ବିଜୟ ବା ପରାଜୟ ନ ହୋଇ ସମସ୍ତ ରାଜନୈତିକ ଦଳଗୁଡ଼ିକ ଲାଗି ବିଜୟର ବାର୍ତ୍ତା ଆଣିଥାଏ। ଖୁବ୍‌ ସମ୍ଭବ ଏହା ପରେ ଜେଲରେ ବନ୍ଦୀ ଥିବା ଜେ.ଏମ୍‌.ଏମ୍‌. ଦଳର ମୁଖ୍ୟ ତଥା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ଜାମିନ ପାଇବା ସକାଶେ ଆବେଦନ କରିପାରନ୍ତି। ସଂପ୍ରତି କେବଳ ବିରୋଧୀ ପକ୍ଷର ନେତାମାନେ ବନ୍ଦୀ ଜୀବନ କାଟୁଥିବାରୁ ଏଭଳି ଏକ ଅଦାଲତୀ ନିଷ୍ପତ୍ତି ବିଜେପି ସକାଶେ ବିଶେଷ ରୁଚିକର ହୋଇ ନ ଥାଏ ମଧ୍ୟ! କିନ୍ତୁ ‘ନିକଟ ଦୃଷ୍ଟି-ଦୋଷ’ ପରିହାର କରି ଟିକିଏ ଦୂରକୁ ଦୃଷ୍ଟି ନିକ୍ଷେପ କଲେ ହୁଏତ ବି‌େଜପି ହୃଦ୍‌ବୋଧ କରିପାରେ ଯେ ରାଜନୈତିକ ଭାଗ୍ୟ-ଚକ୍ରର ଘୂର୍ଣ୍ଣନରେ ଅଗତ୍ୟା ବିଜେପି ମଧ୍ୟ ଭବିଷ୍ୟତ୍‌ରେ କେବେ ଏକ ବିରୋଧୀ ଦଳରେ ପରିଣତ ହୋଇଯାଇପାରେ ଏବଂ ପ୍ରତିଶୋଧ-ପରାୟଣ ରାଜନୈତିକ ସଂସ୍କୃତିରେ ବିଜେପିର କୌଣସି ନେତା ଯଦି ନିଜକୁ କାରାଗାର ଅଭ୍ୟନ୍ତରରେ ପାଆନ୍ତି, ତେବେ ନିର୍ବାଚନ ସମୟରେ ଏଭଳି ଏକ ଦୃଷ୍ଟାନ୍ତମୂଳକ ଅଦାଲତୀ ନିଷ୍ପତ୍ତି ତାଙ୍କ ଲାଗି ମଧ୍ୟ ସହାୟକ ହେବ!
ପ୍ରକାଶ ଥାଉ କି ଅରବିନ୍ଦ କେଜ୍ରିୱାଲ ଜାମିନ ପାଇବା ଲାଗି ଅଦାଲତର ଆଶ୍ରୟ ନେଇ ନ ଥିଲେ; ତାଙ୍କ ପିଟିସନ୍‌ କେବଳ ତାଙ୍କ ଗିରଫଦାରିର ଯଥାର୍ଥତାକୁ ପ୍ରଶ୍ନ କରି ଆଗତ କରାଯାଇଥିଲା। ସୁତରାଂ, ଏହି ଜାମିନ ଆଦେଶ ତାଙ୍କ ସକାଶେ ଦଲକାଏ ପବନ ଦ୍ବାରା ତାଙ୍କ ସମ୍ମୁଖରେ ଝଡ଼ି ପଡ଼ିଥିବା ଏକ ସୁସ୍ବାଦୁ ଫଳ ସୁଲଭ ହୋଇଥିବ! ତେବେ, ସେ ଯାହା ହେଉ, ମାମଲାର ଶୁଣାଣି ପ୍ରକ୍ରିୟାରେ କେଜ୍ରିୱାଲଙ୍କ ପକ୍ଷର ବରିଷ୍ଠ ଓକିଲ ଅଭିଷେକ ମନୁ ସିଂହଭି ଉପସ୍ଥାପନ କରିଥିବା ଦୃଢ଼ ତର୍କ କହିଥିଲା ଯେ ଟାଣୁଆ ଅଭିଯୋଗ ନ ଥିବା ସତ୍ତ୍ବେ କେଜ୍ରିୱାଲଙ୍କୁ ଗିରଫ କରାଯିବା ପଛରେ ଏକ ଚକ୍ରାନ୍ତ ନିହିତ, ଯାହା ହେଉଛି ବିରୋଧୀଙ୍କୁ ‘ଲେଭଲ୍‌ ପ୍ଲେୟିଂ ଫିଲଡ୍‌’ ବା ‘ସମତଳ କ୍ରୀଡ଼ାଙ୍ଗନ’ର ସୁଯୋଗରୁ ବଞ୍ଚିତ କରିବା। କହିବା ବାହୁଲ୍ୟ, ଯେ କୌଣସି ପାରଦର୍ଶୀ ପ୍ରତିଦ୍ବନ୍ଦ୍ବିତାର ପ୍ରଥମ ସର୍ତ୍ତ ହେଉଛି ‘ସମତଳ କ୍ରୀଡ଼ାଙ୍ଗନ’। ଅବଶ୍ୟ, ସଂପ୍ରତି ନିର୍ବାଚନର ପ୍ରତିଦ୍ବନ୍ଦ୍ବିତା ଆଉ କ୍ରୀଡ଼ାଙ୍ଗନରେ ନ ହୋଇ ରଣାଙ୍ଗନରେ ଅନୁଷ୍ଠିତ ହେଉଛି। ତଥାପି ରାମାୟଣ ଓ ମହାଭାରତର ଯୋଦ୍ଧାଙ୍କ ଠାରୁ ଆରମ୍ଭ କରି ଜାପାନର ସମୁରାଇ ଯୋଦ୍ଧାଙ୍କ ପର୍ଯ୍ୟନ୍ତ ରଣର ଯେଉଁ ଶାସ୍ତ୍ରୀୟ ନିୟମ ପାଳନ କରନ୍ତି, ତାହା ହେଲା ଦୁର୍ବଳ ଓ ନିରସ୍ତ୍ରଙ୍କ ଉପରେ ଅସ୍ତ୍ର ପ୍ରହାର ନ କରିବା; ଅନେକ ବୀରୋଚିତ ଦୃଷ୍ଟାନ୍ତରେ ନିରସ୍ତ୍ରଙ୍କୁ ଅସ୍ତ୍ର ଯେ‌ା‌ଗାଇବା ପରେ ଯାଇ ଯୁଦ୍ଧର ପ୍ରାରମ୍ଭ ହୋଇଥାଏ; ଏହାର ଅର୍ଥ ରଣାଙ୍ଗନ ମଧ୍ୟ ‘ସମତଳତା’ ଲୋଡ଼ିଥାଏ। ଏବଂ ଏଭଳି ବୀରୋଚିତ ଆଚରଣ ବିନା ବିଜୟ ଗ୍ଳାନିଯୁକ୍ତ ଓ ଅସମ୍ମାନଜନକ ହୋଇଥାଏ। ସେହି ଦୃଷ୍ଟିରୁ ଏହି ନିର୍ବାଚନରେ ଅରବିନ୍ଦ କେଜ୍ରିୱାଲଙ୍କ ଆବିର୍ଭାବ ଯୁଦ୍ଧକୁ ଆଂଶିକ ସମତୁଲତା ପ୍ରଦାନ କରିବ। ଏହା ହୁଏତ ବିଜେପିର ବିଜୟ (ନିର୍ବାଚନ ପରିଣାମ ପ୍ରକାଶ ପରେ ଯଦିଓ ସ୍ପଷ୍ଟ ହେବ!)କୁ କିଞ୍ଚିତ ସମ୍ମାନଜନକ କରିବ। ସ୍ବୟଂ ଶସ୍ତ୍ର ସୁସଜ୍ଜିତ ହୋଇ ଏବଂ ପ୍ରତିପକ୍ଷକୁ ଦୁର୍ବଳ କରି ବିଜେପି ଯଦି ବିଜୟ ଲାଭ କରନ୍ତା, ତେବେ ତାହା ଆଦୌ ସମ୍ମାନଜନକ ହୁଅନ୍ତା ନାହିଁ। ଏବେ ଅନ୍ତତଃ ବିଜେପି କେଜ୍ରିୱାଲଙ୍କ ଶସ୍ତ୍ରର ସମ୍ମୁଖୀନ ହେଉ!