ଖାଦ୍ୟ ହିଁ ଔଷଧ

ଏହି ସରଳ ବିଶ୍ବାସଜନିତ ବିପଦରୁ ରକ୍ଷା ପାଇବାକୁ ହେଲେ ଖାଉଟିମାନଙ୍କୁ ବହୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ହେବ ଓ ସେଥି ସହିତ ସରକାରଙ୍କୁ ମଧ୍ୟ ଏହି ଅସାଧୁ ବ୍ୟାବସାୟିକ କୌଶଳକୁ ପ୍ରତିହତ କରିବା ନିମିତ୍ତ ଆବଶ୍ୟକ ନିୟନ୍ତ୍ରଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ହେବ, ‘ଆଇସିଏମ୍‌ଆର୍’ର ନିର୍ଦେଶାବଳୀ ହେଉଛି ସେଥିପାଇଁ ଏକ ଆହ୍ବାନ।

‘‘ଶରୀରମ୍ ବ୍ୟାଧି ମନ୍ଦିରମ୍।’’ ଶରୀର ହେଉଛି ରୋଗର ଆଶ୍ରୟସ୍ଥଳୀ। କୌଣସି ମନୁଷ୍ୟ କିନ୍ତୁ ଏହି ଆଶ୍ରୟ-ପ୍ରାର୍ଥୀକୁ ତା’ର ଶରୀରରେ ଆଶ୍ରୟ ଗ୍ରହଣ କରିବା ନିମିତ୍ତ ସ୍ବାଗତ କରି ନ ଥାଏ; ରୋଗ ହେଉଛି ତା’ର ଶରୀରରେ ଏକ ଅବାଞ୍ଛିତ ଅନୁପ୍ରବେଶକାରୀ। ଏହି ଅନୁପ୍ରବେଶକାରୀକୁ ଶରୀରରୁ ବିତାଡ଼ିତ କରିବା ପାଇଁ କିମ୍ବା ତା’ର ଅନୁପ୍ରବେଶ ଉଦ୍ୟମକୁ ପ୍ରତିହତ କରିବା ପାଇଁ ମନୁଷ୍ୟ ନିକଟରେ ଯେଉଁ ଉପାୟ ଉପଲବ୍‌ଧ ଅଛି, ସେଥିମଧ୍ୟରୁ ଗୋଟିଏ ବହୁଳ ବ୍ୟବହୃତ ଉପାୟ ହେଉଛି ଔଷଧ ସେବନ। ଅନେକ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କିନ୍ତୁ କହିଥାନ୍ତି ଯେ ଅଧିକାଂଶ ଔଷଧ ହେଉଛି ଉପଯୁକ୍ତ ଆହାରର ଏକ ସୂକ୍ଷ୍ମ ସଂସ୍କରଣ ମାତ୍ର। ଏହାର ଅର୍ଥ, ମନୁଷ୍ୟ ତା’ର ଖାଦ୍ୟକୁ ଯଦି ଉପଯୁକ୍ତ ଭାବରେ ଚୟନ ଓ ନିୟନ୍ତ୍ରଣ କରେ, ତା’ର ଶରୀରରେ ବ୍ୟାଧି ପ୍ରବେଶ କରିପାରିବ ନାହିଁ, କିମ୍ବା ପ୍ରବେଶ କରିଥିବା ବ୍ୟାଧି ମଧ୍ୟ ଅନେକ ସମୟରେ ପଳାୟନ କରିଥାଏ।
ଏହି ବିଶେଷଜ୍ଞମାନେ ଏକମତ ହୋଇଥାନ୍ତି ଯେ ଯେଉଁମାନେ ଉପଯୁକ୍ତ ପୁଷ୍ଟିକାରକ ଖାଦ୍ୟ ଖାଆନ୍ତି, ସେମାନଙ୍କର ରୋଗପ୍ରତିରୋଧକ ଶକ୍ତି ଅଧିକ ହୋଇଥାଏ, ସେମାନଙ୍କର ଗର୍ଭଧାରଣ ଓ ସନ୍ତାନପ୍ରସବ ଅଧିକ ନିରାପଦ ହୋଇଥାଏ, ସେମାନେ ମଧୁମେହ ବା ହୃଦ୍‌ରୋଗର ଶିକାର ହେବା ସମ୍ଭାବନା କମ୍ ହୋଇଥାଏ। ଏହାର କାରଣ କ’ଣ, ତାହା ଏ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଭାବରେ ବୁଝା ପଡ଼ିନାହିଁ ଏବଂ ତାହା ଅସଂଖ୍ୟ ତଥା ଅତ୍ୟନ୍ତ ଜଟିଳ ହୋଇଥାଏ। କେତେକ ଗବେଷଣାରୁ ସାବ୍ୟସ୍ତ ହୋଇଛି ଯେ ଅଧିକ ଶର୍କରାଯୁକ୍ତ ଖାଦ୍ୟ, ଅଧିକ ଲବଣଯୁକ୍ତ ଖାଦ୍ୟ ଓ ଅଧିକ ‘ଟ୍ରାନ୍‌ସ ଫ୍ୟାଟ୍’ଶ୍ରେଣୀୟ ଚର୍ବିଯୁକ୍ତ ଖାଦ୍ୟ ଶରୀରରେ ଦୀର୍ଘକାଳୀନ ପ୍ରଦାହ ସୃଷ୍ଟି କରିଥାଏ, ଯାହା ହୃଦ୍‌ରୋଗ, ଟାଇପ୍-୨ ମଧୁମେହ, ଆନ୍ତ୍ରିକ ବିଭ୍ରାଟ ଏବଂ ଅନ୍ୟାନ୍ୟ ଦୀର୍ଘସ୍ଥାୟୀ ବ୍ୟାଧିମାନଙ୍କୁ ନିମନ୍ତ୍ରଣ କରିଥାଏ। ‘ଆମେରିକାନ୍ ହାର୍ଟ ଆସୋସିଏସନ୍’ରୁ ଆରମ୍ଭ କରି ‘ୱାର୍ଲଡ ହେଲ୍‌ଥ ଅର୍ଗାନାଇଜେସନ୍’ ପର୍ଯ୍ୟନ୍ତ ଉତ୍ତମ ହୃଦ୍‌ସ୍ବାସ୍ଥ୍ୟ ଓ ଉଚ୍ଚ ରୋଗପ୍ରତିରୋଧିନୀ ଶକ୍ତି ଆହରଣ ନିମିତ୍ତ ଉପଯୁକ୍ତ ଖାଦ୍ୟ ଗ୍ରହଣର ଆବଶ୍ୟକତାକୁ ଗୁରୁତ୍ବ ପ୍ରଦାନ କରିବା ଦେଖାଯାଇଛି।
ଏହି ଚିନ୍ତାଧାରାକୁ ଆଧାର କରି ସ୍ବାସ୍ଥ୍ୟ କ୍ଷେତ୍ରରେ ଏକ ଆନ୍ଦୋଳନର ଆବିର୍ଭାବ ଘଟିଛି, ଯାହାର ନାମ ହେଉଛି- ‘ଖାଦ୍ୟ ହିଁ ଔଷଧ’ (‘ଫୁଡ୍ ଆଜ୍ ମେଡିସିନ୍’)। ଏହି ଆନ୍ଦୋଳନରେ ବ୍ୟକ୍ତିର ସ୍ବାସ୍ଥ୍ୟ ପରିଚାଳନାରେ ଯାହାକୁ ପ୍ରାଥମିକତା ପ୍ରଦାନ କରାଯାଇଥାଏ, ତାହା ହେଉଛି ତା’ର ଖାଦ୍ୟ ନିୟନ୍ତ୍ରଣ। ଏହା ମାଧ୍ୟମରେ ରୋଗର ପ୍ରତିରୋଧ, ଏହାର ତୀବ୍ରତାରେ ହ୍ରାସ କିମ୍ବା ରୋଗର ପାଶ୍ଚାତ୍ ଗମନ ହାସଲ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଥାଏ। ଏହା ସ୍ପଷ୍ଟ ଯେ, ଖାଦ୍ୟ ପ୍ରତି ଏହି ଆରୋଗ୍ୟକାରୀ ଆଭିମୁଖ୍ୟ ଖାଦ୍ୟକୁ ଏକ ଆନନ୍ଦ ପ୍ରଦାନକାରୀ ମାଧ୍ୟମ ରୂପେ ବିଚାର ନ କରି ତାହାକୁ ଏକ ସ୍ବାସ୍ଥ୍ୟବର୍ଦ୍ଧକ ମାଧ୍ୟମ ରୂପେ ବିଚାର କରାଯାଇଥାଏ। ଏଣୁ ଏହି ଆଭିମୁଖ୍ୟ ଅନୁସାରେ ଖାଦ୍ୟର ସ୍ବାଦ ଅପେକ୍ଷା ତା’ର କାର୍ଯ୍ୟକାରିତାକୁ ଅଧିକ ଗୁରୁତ୍ବ ପ୍ରଦାନ କରାଯାଇଥାଏ। ଏହାର ଅନୁସରଣକାରୀମାନେ ତେଣୁ ଯେଉଁ ଖାଦ୍ୟ ଗ୍ରହଣ କରିବା ପାଇଁ ସୁପାରିସ କରିଥାନ୍ତି, ସେଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତ ଥିବା ଦେଖାଯାଇଥାଏ ମୋଟା ଶସ୍ୟ, ପନିପରିବା, ଡାଲି, ଶାଗ, ଫଳ ଇତ୍ୟାଦି- ‌େଯଉଁଥିରେ ସାଧାରଣତଃ ଲବଣ, ଚର୍ବି, ଶର୍କରା ଆଦି ସ୍ବାସ୍ଥ୍ୟ ହାନିକାରକ ଉପାଦାନମାନଙ୍କର ଉପସ୍ଥିତି ପ୍ରାୟ ନଗଣ୍ୟ ହୋଇଥାଏ। କିନ୍ତୁ ପ୍ରକୃତିର ଦୁଷ୍ଟାମି ମନୁଷ୍ୟର ସ୍ବାଦ ଆସ୍ବାଦନକାରୀ ଇନ୍ଦ୍ରିୟ ଜିହ୍ବାକୁ ଏପରି ତିଆରି କରିଛି ଯେ ଏହି କ୍ଷତିକାରକ ଉପାଦାନମାନ ହିଁ ତା’ ପାଇଁ ଅଧିକ ସ୍ବାଦିଷ୍ଠ ‌େହାଇଥାନ୍ତି।
ଇନ୍ଦ୍ରିୟାଶ୍ରୟୀ ମନୁଷ୍ୟମାନେ ସର୍ବଦା ସୁସ୍ବାଦୁ ଖାଦ୍ୟର ସନ୍ଧାନ କରୁଥିବାରୁ ବଜାରରେ ଏହି କ୍ଷତିକାରକ ଉପାଦାନବିଶିଷ୍ଟ ଖାଦ୍ୟମାନଙ୍କ ପ୍ରତି ବିଶାଳ ଚାହିଦା ପରିଦୃଷ୍ଟ ହୋଇଥାଏ। ଏକ ଅର୍ଥଶାସ୍ତ୍ରୀୟ ବଜାର ନୈତିକତା ଓ ଅନୈତିକତା ଠାରୁ ସମଦୂରତା ରକ୍ଷା କରି ସର୍ବଦା ସର୍ବାଧିକ ଲାଭର ଅନୁସରଣରେ ପ୍ରବୃତ୍ତ ଥାଏ, ଯାହାକୁ ନୀତି-ନିରପେକ୍ଷ ରୂପେ ଅଭିହିତ କରାଯାଇଥାଏ। ବଜାରରେ ଉପଲବ୍‌ଧ ଖାଦ୍ୟରେ ତେଣୁ ସ୍ବାଭାବିକ ଭାବରେ ଲୁଣ, ଚିନି, ଚର୍ବି ଆଦି ଭଳି ସ୍ବାଦବର୍ଦ୍ଧକ ଉପାଦାନମାନଙ୍କର ଉପସ୍ଥିତି ଅଧିକାଂଶ ସମୟରେ ବିପଦ ସୀମା ଅତିକ୍ରମ କରିଥାଏ। ସ୍ବାସ୍ଥ୍ୟ ସଚେତନତାରେ ବୃଦ୍ଧି ଘଟିବା ସହିତ କେତେକ ପାଶ୍ଚାତ୍ୟ ଦେଶରେ ବଜାରରେ ଉପଲବ୍‌ଧ ଖାଦ୍ୟରେ ଏହି ସବୁ ଉପାଦାନମାନଙ୍କୁ ସୀମିତ କରିବା ଉଦ୍ଦେଶ୍ୟରେ ସେଭଳି ଖାଦ୍ୟପଦାର୍ଥମାନଙ୍କ ଉପରେ ଉଚ୍ଚ ହାରରେ ଟିକସ ଲାଗୁ କରାଯିବା ଆରମ୍ଭ ହୋଇଛି, ଯେଉଁ ଟିକସକୁ ‘ପାପ କର’ ବା ‘ସିନ୍‌ ଟ୍ୟାକ୍ସ’ ରୂପେ ଅଭିହିତ କରାଯାଇଥାଏ।
ଏହି ନିୟନ୍ତ୍ରଣ ଉଦ୍ୟମର ଅନ୍ୟ ଏକ ଅଂଶ ସ୍ବରୂପ ଅଜ୍ଞ ଖାଉଟିମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ସଂପୃକ୍ତ ଖାଦ୍ୟପଦାର୍ଥର ଖୋଳ ଉପରେ ସେଥିରେ ଥିବା ସମସ୍ତ ଉପାଦାନମାନଙ୍କର ସଠିକ୍ ବିବରଣୀ ମଧ୍ୟ ଛାପିବା ବାଧ୍ୟତାମୂଳକ ହୋଇଥାଏ। କିନ୍ତୁ ଯଦି ଏହି ଛାପା ହୋଇଥିବା ସୂଚନା ଶଠତାପୂର୍ଣ୍ଣ ହୋଇଥାଏ, ତେବେ ବିଭ୍ରାନ୍ତ ଖାଉଟିମାନେ ସେମାନଙ୍କର ଅଜାଣତରେ ସ୍ବାସ୍ଥ୍ୟହାନିକାରକ ଖାଦ୍ୟ ଖାଇ ରୋଗକୁ ନିମନ୍ତ୍ରଣ କରିଚାଲିବେ। ଏହି ସମ୍ଭାବନାକୁ ପ୍ରତିହତ କରିବା ନିମିତ୍ତ ଆମ ଦେଶରେ ‘ଇଣ୍ଡିଆନ୍ କାଉନ୍‌ସିଲ୍ ଅଫ୍ ମେଡିକାଲ୍ ରିସର୍ଚ’ (‘ଆଇସିଏମ୍‌ଆର୍’) ଏବେ କେତେକ ନିର୍ଦ୍ଦେଶାବଳୀ ଜାରି କରିଛି। ସେଥିରେ ମଧୁମେହ-ସଚେତନ ଖାଉଟି ତଥା ମେଦ-ସଚେତନ ଖାଉଟିମାନଙ୍କର ପ୍ରିୟ କେତେକ ତଥାକଥିତ ‘ସୁଗାର୍ ଫ୍ରି’ ଖାଦ୍ୟପଦାର୍ଥରେ ଚର୍ବି, ରିଫାଇନ୍‌ଡ ଶସ୍ୟ ଓ ଏପରିକି ଚୋରା ଚିନି ମଧ୍ୟ ଉପସ୍ଥିତ ଥିବା ‌ଦର୍ଶାଯାଇଛି। ସେହିପରି ଫଳରସ ପ୍ୟାକେଜ୍‌ରେ ମାତ୍ର ପ୍ରାୟ ଦଶ ଶତାଂଶ ଫଳରସ ହୋଇଥିବାବେଳେ ବାକି ହୋଇଥାଏ ଶର୍କରା ଓ ଅନ୍ୟାନ୍ୟ ଉପାଦାନମାନ ବୋଲି ସେଥିରେ ଦର୍ଶାଯାଇଛି। ସେଥିରେ କୁହାଯାଇଛି ଯେ ‘ନାଚୁରାଲ୍’, ‘ହୋଲ୍‌ ଗ୍ରେନ୍’ ଓ ‘ଅର୍ଗାନିକ୍’ ବୋଲି ଦାବି କରାଯାଉଥିବା ଖାଦ୍ୟପଦାର୍ଥ ଆଦୌ ସେଭଳି ହୋଇ ନ ଥାଇ ପାରେ। ‘ଆଇସିଏମ୍‌ଆର୍’ ମଧ୍ୟ ଖାଦ୍ୟପଦାର୍ଥ ପ୍ୟାକେଜ୍ ଉପରେ ଛାପା ହୋଇଥିବା ‘ଲୋ କ୍ୟାଲୋରି’ କିମ୍ବା ‘ହାଇ ଫାଇବର୍’ ଆଦି ଦାବିକୁ ଅନିର୍ଦ୍ଦିଷ୍ଟ ଓ ଭିତ୍ତିହୀନ ବୋଲି ଅଗ୍ରାହ୍ୟ କରିଛି।
‘ଆଇସିଏମ୍‌ଆର୍’ ଦ୍ବାରା ଜାରି କରାଯାଇଥିବା ଏହି ଚେତାବନୀ ଆମ ପାଇଁ ନିଶ୍ଚିତ ରୂପେ ଅତ୍ୟନ୍ତ ଚିନ୍ତାଜନକ ହୋଇଥାଏ। କାରଣ, ଭାରତ ବର୍ତ୍ତମାନ ପୃଥିବୀର ମଧୁମେହ ରାଜଧାନୀ ଓ ଉଚ୍ଚ ରକ୍ତଚାପ ରାଜଧାନୀ ରୂପେ କୁଖ୍ୟାତି ଲାଭ କରିଥିବାବେଳେ ଅନେକ ସଂଖ୍ୟକ ସଚେତନ ଭାରତୀୟମାନେ ଏହି ସ୍ବାସ୍ଥ୍ୟ ସଂକଟର ମୁକାବିଲା କରିବା ପାଇଁ ବଜାରରେ ଉପଲବ୍‌ଧ ଏହି ଉପରବର୍ଣ୍ଣିତ ତଥାକଥିତ ନିରାପଦ ପୂର୍ବପ୍ରସ୍ତୁତ ଖାଦ୍ୟପଦାର୍ଥ ଓ ପାନୀୟମାନଙ୍କ ଉପରେ ନିର୍ଭର କରୁଛନ୍ତି ଏବଂ ସେମାନଙ୍କ ସଂଖ୍ୟାରେ ଦ୍ରୁତ ବୃଦ୍ଧି ଘଟିଚାଲିଛି। ଏହି ସରଳ ବିଶ୍ବାସଜନିତ ବିପଦରୁ ରକ୍ଷା ପାଇବାକୁ ହେଲେ ଖାଉଟିମାନଙ୍କୁ ବହୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ହେବ ଓ ସେଥି ସହିତ ସରକାରଙ୍କୁ ମଧ୍ୟ ଏହି ଅସାଧୁ ବ୍ୟାବସାୟିକ କୌଶଳକୁ ପ୍ରତିହତ କରିବା ନିମିତ୍ତ ଆବଶ୍ୟକ ନିୟନ୍ତ୍ରଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ହେବ, ‘ଆଇସିଏମ୍‌ଆର୍’ର ନିର୍ଦେଶାବଳୀ ହେଉଛି ସେଥିପାଇଁ ଏକ ଆହ୍ବାନ।

ସମ୍ବନ୍ଧିତ ଖବର