ବର୍ତ୍ତମାନ ଆଇନ ସେବାର ଗ୍ରାହକମାନଙ୍କ ପାଇଁ ସେ ବାଟ ବନ୍ଦ ହେଲା ଓ ଭବିଷ୍ୟତରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ମଧ୍ୟ ତାହା ଘଟିବାକୁ ଯାଉଛି। ସୁପ୍ରିମ୍ କୋର୍ଟଙ୍କର ଏହି ନିଷ୍ପତ୍ତି ଏହି ସେବାମାନଙ୍କର ଗ୍ରାହକମାନଙ୍କୁ (ଯାହା ଭବିଷ୍ୟତରେ ଅନ୍ୟ ସେବାମାନଙ୍କ ପ୍ରତି ମଧ୍ୟ ସଂପ୍ରସାରିତ ହୋଇପାରେ) ପୁଣି ପୂର୍ବ ଅବସ୍ଥାକୁ ଫେରାଇ ନେବ ଯେତେବେଳେ ସେମାନଙ୍କୁ ଅଦାଲତରୁ ନ୍ୟାୟ ପାଇବା ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡୁଥିଲା।
ଏକ ବଜାର-ଭିତ୍ତିକ ଅର୍ଥନୀତିର ଅଂଶ ହୋଇଥିବା ଆମେ ପ୍ରତ୍ୟେକ ହେଉଛୁ କୌଣସି ନା କୌଣସି ରୂପରେ ଜଣେ ଜଣେ ଖାଉଟି। ଏକ ସମୟରେ କୁହାଯାଉଥିଲା ଯେ ଖାଉଟି ହେଉଛି ବଜାରର ରାଜା (‘କନସ୍ୟୁମର୍ ଇଜ୍ କିଙ୍ଗ୍’)। କିନ୍ତୁ ବର୍ତ୍ତମାନର ସାମାଜିକ-ଅର୍ଥନୈତିକ ପରିବେଶରେ ବଜାରରେ ଦ୍ରବ୍ୟ ଓ ସେବା ଯୋଗାଣକାରୀମାନେ ଯେଉଁ ସବୁ ବିଭିନ୍ନ ଅନୈତିକ କୌଶଳମାନ ଅବଲମ୍ବନ କରିଥାନ୍ତି, ତାହା ଅଜ୍ଞ ଖାଉଟିମାନଙ୍କୁ ‘ରାଜା’ ପରିବର୍ତ୍ତେ ସେମାନଙ୍କର ନିରୀହ ଶିକାରରେ ପରିଣତ କରିଥାଏ। ତାଲିମପ୍ରାପ୍ତ ପେସାଦାର ବିକ୍ରୟ-ବିଶେଷଜ୍ଞମାନଙ୍କର ମୁକାବିଲା କରିବା ସାଧାରଣ ଖାଉଟିମାନଙ୍କ ପକ୍ଷରେ ଅସମ୍ଭବ ହୋଇଥାଏ, ଯାହା ଫଳରେ ସେମାନେ ଦ୍ରବ୍ୟ ଓ ସେବାର ମୂଲ୍ୟ, ଗୁଣ ଓ ପରିମାଣ ଆଦିରେ ଠକାମିର ଶିକାର ହୋଇଥାନ୍ତି। ଏହାର ଅସଂଖ୍ୟ ଉଦାହରଣମାନଙ୍କ ମଧ୍ୟରୁ ସଂପ୍ରତି ଏକ ବହୁପ୍ରଚାରିତ ଉଦାହରଣ ଦେଖିବାକୁ ମିଳିଥିଲା ଯେତେବେଳେ ଭାରତର ସୁପ୍ରିମ୍ କୋର୍ଟ ଅଗଣିତ ଖାଉଟିମାନଙ୍କୁ ମିଥ୍ୟାଚାର ମାଧ୍ୟମରେ ବିଭ୍ରାନ୍ତ କରୁଥିବା ଅଭିଯୋଗରେ ଆୟୁର୍ବେଦୀୟ ଔଷଧପତ୍ର ନିର୍ମାତା ଯୋଗଗୁରୁ ରାମଦେବଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ରାମଦେବଙ୍କ କଂପାନି ‘ପାତଞ୍ଜଳି ଆୟୁର୍ବେଦ’ ଦ୍ବାରା ପ୍ରସ୍ତୁତ ଔଷଧପତ୍ର ସମ୍ବନ୍ଧରେ କଂପାନି କରୁଥିବା ପ୍ରଚାରରେ ବିଶ୍ବାସ କରି ଏବଂ ରାମଦେବଙ୍କର ଖ୍ୟାତି ଦ୍ବାରା ଆକର୍ଷିତ ହୋଇ ବହୁସଂଖ୍ୟାରେ ଖାଉଟିମାନେ ତାହା କ୍ରୟ କରିଥାନ୍ତି।
ଅତୀତରେ ଏକ ସମୟ ଥିଲା ଯେତେବେଳେ ଏକ ଚିନ୍ତାଧାରା ବଳବତ୍ତର ଥିଲା, ଯାହାକୁ ଆଇନର ଭାଷାରେ କୁହାଯାଉଥିଲା- ‘କାଭିଆଟ୍ ଏମ୍ପ୍ଟର୍’, ଯାହାର ଅର୍ଥ ହେଲା, ‘ଗ୍ରାହକ ସଚେତନ ରୁହ’। ଅର୍ଥାତ୍, ଗ୍ରାହକ କ୍ରୟ କରୁଥିବା ଦ୍ରବ୍ୟ ବା ସେବାର ଉପର ଲିଖିତ ସମସ୍ତ ଦିଗ ସମ୍ବନ୍ଧରେ ଗ୍ରାହକ ନିଜେ ସଚେତନ ଥିବା ଆଶା କରାଯାଏ; ସଚେତନତା ହେଉଛି ଗ୍ରାହକର ଦାୟିତ୍ବ। ବର୍ତ୍ତମାନ କିନ୍ତୁ ଆଇନରେ ଯେଉଁ ଆଭିମୁଖ୍ୟ ପ୍ରାଧାନ୍ୟ ଲାଭ କରିଛି, ତାହା ହେଲା ଖାଉଟିକୁ ସୁରକ୍ଷା ପ୍ରଦାନର ପ୍ରାଥମିକତା, ଯାହା ଅନୁସାରେ ଉପରୋକ୍ତ ଚିନ୍ତାଧାରା ଓଲଟିଯାଇ ହୋଇଥାଏ: ‘ବିକ୍ରେତା ସଚେତନ ରୁହ।’ ଏହାକୁ ଅନୁସରଣ କରି ଭାରତର ପାର୍ଲିଆମେଣ୍ଟ୍ରେ ୧୯୮୬ରେ ଏକ ଖାଉଟି ସୁରକ୍ଷା ଆଇନ ପ୍ରଣୀତ ହୋଇଥିଲା (‘କନସ୍ୟୁମର୍ ପ୍ରୋଟେକ୍ସନ୍ ଆକ୍ଟ’), ଯେଉଁଥିରେ ଅନୁଚିତ ବ୍ୟବସାୟ କୌଶଳ, ‘ତ୍ରୁଟିଯୁକ୍ତ ଦ୍ରବ୍ୟ’ ଓ ‘ସେବା ପ୍ରଦାନରେ ଅଭାବସବୁ’କୁ ପ୍ରତିହତ କରି ଖାଉଟିମାନଙ୍କର ସ୍ବାର୍ଥରକ୍ଷା କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ୨୦୧୯ରେ ଏହି ଆଇନର ଏକ ପରିମାର୍ଜିତ ସଂସ୍କରଣ ପ୍ରଣୀତ ହୋଇଥିଲା।
ଦେଶରେ ଖାଉଟିମାନେ ଯେଉଁ ବିଭିନ୍ନ ସେବାସବୁ କ୍ରୟ କରିଥାନ୍ତି, ସେଥିମଧ୍ୟରେ ଏକ ପ୍ରମୁଖ ସେବା ହେଉଛି ଆଇନ ସେବା, ଯାହାର ଯୋଗାଣକାରୀ ହେଉଛନ୍ତି ଓକିଲମାନେ। ଏହା ଏକ ରୋଚକ ପ୍ରଶ୍ନକୁ ଜନ୍ମ ଦେଇଥାଏ। ଆଇନ ମାଧ୍ୟମରେ ଖାଉଟିମାନଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ଉଦ୍ୟମ କରାଯାଉଥିବା ବେଳେ ସେଇ ଆଇନ ସେବା ପ୍ରଦାନ କରୁଥିବା ବିକ୍ରେତା ଅର୍ଥାତ୍ ଆଇନଜୀବୀ ବା ଓକିଲମାନଙ୍କ ପ୍ରତି ଏହି ‘କନସ୍ୟୁମର୍ ପ୍ରୋଟେକ୍ସନ୍ ଆକ୍ଟ’ ଆଇନ ଲାଗୁ ହେବ ନା ନାହିଁ? ୨୦୦୭ରେ ‘ଜାତୀୟ ଖାଉଟି ବିବାଦ ସମାଧାନ ଆୟୋଗ’ (‘ନେସନାଲ୍ କନସ୍ୟୁମର୍ସ ଡିସ୍ପ୍ୟୁଟ୍ସ ରିଡ୍ରେସାଲ୍ କମିସନ୍’) ଏକ ମାମଲାର ବିଚାର କରି ଏହି ଆଇନ ଅନୁସାରେ ଓକିଲମାନେ ମଧ୍ୟ ଉତ୍ତରଦାୟୀ ବୋଲି ରାୟ ପ୍ରଦାନ କରିଥିଲେ। କମିସନ୍ ଏଥିରେ ଉଲ୍ଲେଖ କରିଥିଲେ ଯେ ଯଦି ମହକିଲ ଓକିଲଙ୍କୁ ତାଙ୍କର ଫିସ୍ ପ୍ରଦାନ କରିଥିବେ ଏବଂ ଓକିଲ ପ୍ରଦାନ କରିଥିବା ସେବାରେ କିଛି ଅଭାବ ରହିଥିବା ଜଣାପଡ଼େ, ତେବେ ଆଇନ ଅନୁସାରେ ସେଥିପାଇଁ ସଂପୃକ୍ତ ଓକିଲ ଉତ୍ତରଦାୟୀ ହେବେ।
କମିସନ୍ଙ୍କ ଏହି ନିର୍ଦ୍ଦେଶ ବିରୋଧରେ ସୁପ୍ରିମ୍ କୋର୍ଟରେ ଏକ ଆବେଦନ ଦାଖଲ ହୋଇଥିଲା, ଯାହାର ବିଚାର କରି ଏହି ସର୍ବୋଚ୍ଚ ଅଦାଲତ ମଇ ୧୪ ତାରିଖରେ ରାୟ ପ୍ରଦାନ କରିଛନ୍ତି। ସେଥିରେ ସୁପ୍ରିମ୍ କୋର୍ଟ କମିସନ୍ଙ୍କ ଉକ୍ତ ନିର୍ଦ୍ଦେଶକୁ ଖାରଜ କରିଦେଇ ସ୍ପଷ୍ଟ କରିଦେଇଛନ୍ତି େଯ ସେମାନଙ୍କ ଦ୍ବାରା ପ୍ରଦତ୍ତ ସେବାରେ ରହିଥିବା କୌଣସି ଅଭାବ ପାଇଁ ‘କନସ୍ୟୁମର୍ ପ୍ରୋେଟକ୍ସନ୍ ଆକ୍ଟ’କୁ ପ୍ରୟୋଗ କରି ଓକିଲମାନଙ୍କର ବିଚାର କରାଯାଇପାରିବ ନାହିଁ। ଏହାଦ୍ବାରା ସୁପ୍ରିମ୍ କୋର୍ଟ ଓକିଲଙ୍କ ଦ୍ବାରା ପ୍ରଦତ୍ତ ସେବାକୁ ‘କନସ୍ୟୁମର୍ ପ୍ରୋଟେକ୍ସନ୍ ଆକ୍ଟ’ର ପରିସରରୁ ବହିର୍ଭୁକ୍ତ କରିଦେଇଛନ୍ତି। ମହକିଲ ଯଦି ଓକିଲଙ୍କ ଠାରୁ କ୍ରୟ କରୁଥିବା ସେବା ସନ୍ତୋଷଜନକ ନୁହେଁ ବୋଲି ଅନୁଭବ କରନ୍ତି, ସେ ତାଙ୍କ ବିରୁଦ୍ଧରେ କୌଣସି କନସ୍ୟୁମର୍ ରିଡ୍ରେସାଲ୍ ଫୋରମ୍ରେ ଅଭିଯୋଗ ଆଗତ କରିପାରିବେ ନାହିଁ। ଅବଶ୍ୟ ଏଭଳି ଅସନ୍ତୁଷ୍ଟ ମହକିଲମାନେ ଚାହିଁଲେ, ସାଧାରଣ ଅଦାଲତରେ ସଂପୃକ୍ତ ଓକିଲଙ୍କ ବିରୋଧରେ କର୍ତ୍ତବ୍ୟରେ ଅବହେଳା ବା ଅନ୍ୟାନ୍ୟ ତ୍ରୁଟି ବିଚ୍ୟୁତି ସଂପର୍କିତ ଅଭିଯୋଗ ଦାଖଲ କରିପାରିବେ।
ସୁପ୍ରିମ୍ କୋର୍ଟ ନିଜ ସଂପ୍ରଦାୟର ସଦସ୍ୟ ହୋଇଥିବା ଓକିଲମାନେ ପ୍ରଦାନ କରୁଥିବା ଆଇନଗତ ପ୍ରତିନିଧିତ୍ବ ସେବାକୁ ଏକ ବିରଳ ‘ଅଦ୍ବିତୀୟ ସେବା’ (‘ୟୁନିକ୍ ସର୍ଭିସ୍’) ରୂପେ ଶ୍ରେଣୀଭୁକ୍ତ କରି ଏହାକୁ ‘କନସ୍ୟୁମର୍ ପ୍ରୋଟେକ୍ସନ୍ ଆକ୍ଟ’ ଅନ୍ତର୍ଗତ ଏକ ସେବା ରୂପେ ବିଚାର କରାଯାଇପାରିବ ନାହିଁ ବୋଲି ଘୋଷଣା କରିଛନ୍ତି। ସୁପ୍ରିମ୍ କୋର୍ଟ ତାଙ୍କର ରାୟରେ ଉଲ୍ଲେଖ କରିଛନ୍ତି ଯେ ଉପରୋକ୍ତ ଆଇନର ପ୍ରଣେତାମାନେ ପେସାଧାରୀ ବା ‘ପ୍ରଫେସନାଲ୍’ମାନଙ୍କୁ ଏହାର ପରିସରଭୁକ୍ତ କରିବାକୁ ଚାହୁଁଥିବାର କୌଣସି ସୂଚନା ଦେଇ ନ ଥିଲେ। ଓକିଲ ବା ଡାକ୍ତରଙ୍କ ଭଳି ପ୍ରଫେସନାଲ୍ମାନଙ୍କ ପାଇଁ ‘ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ’ ବା ‘ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍’ ଭଳି ନିୟନ୍ତ୍ରକ ଅନୁଷ୍ଠାନମାନ କାର୍ଯ୍ୟ କରିଥାନ୍ତି, ଯେଉଁମାନେ ସେବାଗ୍ରହୀତାମାନଙ୍କର ଅଭିଯୋଗର ସମାଧାନ କରନ୍ତି। ଏହି ଅବସରରେ ସର୍ବୋଚ୍ଚ ଅଦାଲତ ୧୯୯୬ରେ ପ୍ରଦତ୍ତ ନିଜର ଏକ ରାୟର ପୁନଃସମୀକ୍ଷା ଆବଶ୍ୟକ ବୋଲି ସୂଚନା ଦେଇଛନ୍ତି, ଯେଉଁଥିରେ (‘ଆଇଏମ୍ଏ’ ବନାମ ଭିପି ଶାନ୍ତା ମାମଲା) ରୋଗୀଙ୍କ ଠାରୁ ଫିସ୍ ଗ୍ରହଣ କରିଥିବା ଡାକ୍ତରମାନଙ୍କୁ ଉପରୋକ୍ତ ଆଇନର ପରିସରଭୁକ୍ତ କରାଯାଇଥିଲା। ଏ ଦିଗରେ ପଦକ୍ଷେପ ନିଆଯିବା ପାଇଁ ଏକ ବୃହତ୍ତର ବେଞ୍ଚ୍ ଗଠନ ନିମିତ୍ତ ମୁଖ୍ୟ ବିଚାରପତିଙ୍କୁ ଏହି ରାୟରେ ନିବେଦନ କରାଯାଇଛି। ଏହାଦ୍ବାରା ଅଦୂର ଭବିଷ୍ୟତରେ ଡାକ୍ତରମାନେ ମଧ୍ୟ ଖାଉଟି ସୁରକ୍ଷା ଆଇନର ପରିସରରୁ ବହିର୍ଭୁକ୍ତ ହେବାର ଦୃଢ଼ ସମ୍ଭାବନା ସୃଷ୍ଟି ହୋଇଛି।
୧୯୮୬ରେ ଏହି ଆଇନ ପ୍ରଣୟନ କରାଯିବା ପଛରେ ନିହିତ ଥିବା ମୁଖ୍ୟ ଉଦ୍ଦେଶ୍ୟ ଥିଲା ଖାଉଟିମାନଙ୍କୁ ସରଳ ଉପାୟରେ ଓ ଶୀଘ୍ର ସୁରକ୍ଷା ପ୍ରଦାନ କରିବା। ଏଥିପୂର୍ବରୁ ଖାଉଟିମାନଙ୍କୁ ଅଭିଯୋଗର ସମାଧାନ ନିମିତ୍ତ ସାଧାରଣ ଅଦାଲତମାନଙ୍କର ଦ୍ବାରସ୍ଥ ହେବାକୁ ପଡୁଥିଲା, ଯାହା ଥିଲା ଏକ ଅତ୍ୟନ୍ତ ଜଟିଳ ଓ ଦୀର୍ଘସୂତ୍ରୀ ପ୍ରକ୍ରିୟା। ଏହି ଆଇନ ଦ୍ବାରା ଖାଉଟିମାନଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ ଉଦ୍ଦେଶ୍ୟରେ ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରରେ ଖାଉଟି ବିବାଦ ସମାଧାନ ନିମିତ୍ତ କମିସନ୍ମାନ ଗଠିତ େହାଇ କାର୍ଯ୍ୟ କରିବା ଆରମ୍ଭ ହେଲା। ବର୍ତ୍ତମାନ ଆଇନ ସେବାର ଗ୍ରାହକମାନଙ୍କ ପାଇଁ ସେ ବାଟ ବନ୍ଦ ହେଲା ଓ ଭବିଷ୍ୟତରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ମଧ୍ୟ ତାହା ଘଟିବାକୁ ଯାଉଛି। ସୁପ୍ରିମ୍ କୋର୍ଟଙ୍କର ଏହି ନିଷ୍ପତ୍ତି ଏହି ସେବାମାନଙ୍କର ଗ୍ରାହକମାନଙ୍କୁ (ଯାହା ଭବିଷ୍ୟତରେ ଅନ୍ୟ ସେବାମାନଙ୍କ ପ୍ରତି ମଧ୍ୟ ସଂପ୍ରସାରିତ ହୋଇପାରେ) ପୁଣି ପୂର୍ବ ଅବସ୍ଥାକୁ ଫେରାଇ ନେବ ଯେତେବେଳେ ସେମାନଙ୍କୁ ଅଦାଲତରୁ ନ୍ୟାୟ ପାଇବା ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡୁଥିଲା। ଯାହା ଅନୁରୂପ ଭାବରେ ଚିନ୍ତାଜନକ, ତାହା ହେଲା, ଏହା ପ୍ରାୟ ୫୦ ନିୟୁତ ସରିକି ବିଚାରାଧୀନ ମାମଲାମାନଙ୍କର ପାହାଡ଼ ତଳେ ଚାପି ହୋଇଥିବା (ଯାହା ଚୂଡ଼ାନ୍ତ ହେବା ପାଇଁ ଅନ୍ୟୂନ ତିନିଶହ ବର୍ଷ ଲାଗିବ) ଭାରତୀୟ ନ୍ୟାୟପାଳିକା ଉପରେ ଆଉ ଏକ ବୋଝ ଲଦି ଦେବ- ବୋଝ ଉପରେ ନଳିତା ବିଡ଼ା!