ଚଳିତ ବିତ୍ତ ବର୍ଷରେ ସରକାର ବଜାରରୁ ଉଠାଇଥିବା ମୋଟ ଋଣ ପରିମାଣ ୧୪.୧୩ ଲକ୍ଷ କୋଟି ଟଙ୍କା ହୋଇଥିବା ବେଳେ ନେଟ୍ ଋଣ ପରିମାଣ ହୋଇଛି ୧୧.୭୫ ଲକ୍ଷ କୋଟି ଟଙ୍କା। ଏହି ପରିମାଣରେ ହ୍ରାସ ଘଟିଲେ ସରକାରଙ୍କ ଉପରେ ପଡୁଥିବା ଋଣ ପରିଶୋଧ ବୋଝ ମଧ୍ୟ ହାଲୁକା ହେବ। ଅପରପକ୍ଷେ ସରକାର ଋଣ ସଂଗ୍ରହରେ ହ୍ରାସ ଘଟାଇଲେ ‌ଘରୋଇ ନିବେଶକମାନଙ୍କ ପାଇଁ ଅଧିକ ଋଣ ଉପଲବ୍‌ଧ ହେବ, ଯାହାକୁ ସେମା‌େନ ଉତ୍ପାଦନରେ ବିନିଯୋଗ କରି ଅର୍ଥନୀତିର ଅଭିବୃଦ୍ଧିରେ ସହାୟକ ହେବେ। ଅାଶା କରାଯାଏ ନୂତନ ସରକାର ଭାଗ୍ୟଦେବୀଙ୍କର ଏହି ଉପହାରର ଉପଯୁକ୍ତ ସଦ୍‌ବ୍ୟବହାର କରିବେ।

Advertisment

୨୦୨୪ ଲୋକସଭା ନିର୍ବାଚନ ତା’ର ଅନ୍ତିମ ଚରଣରେ ପ୍ରବେଶ କରିବାକୁ ଯାଉଥିବା ବେଳେ ଉଭୟ ପକ୍ଷ- ‘ଏନ୍‌ଡିଏ’ ଓ ‘ଇନ୍‌ଡିଆ’ ଦାବି କରିବା ଦେଖାଯାଉଛି ଯେ ସେମାନେ ହିଁ କେନ୍ଦ୍ରରେ ପରବର୍ତ୍ତୀ ସରକାର ଗଠନ କରିବାକୁ ଯାଉଛନ୍ତି। ଅବଶ୍ୟ ଭାଗ୍ୟଦେବୀ ଯାହା ପ୍ରତି ସଦୟ ହେବେ, ସେଇ ଦଳ ବା ଗୋଷ୍ଠୀ ହିଁ ଶେଷରେ ଶାସନ ଆସନରେ ଆସୀନ ହେବ। ଭାଗ୍ୟଦେବୀ ଏଥର କିନ୍ତୁ ଯାହା ଉପରେ ତାଙ୍କର ଶୁଭଦୃ‌ଷ୍ଟି ପକାଇବେ, ତା’ ଉପରେ ସେ ଏପରି ମୁକ୍ତ ହସ୍ତରେ ତାଙ୍କର ଆଶୀର୍ବାଦ ଅଜାଡ଼ିବାକୁ ଯାଉଛନ୍ତି, ଯାହା ବିରଳ ବୋଲି କୁହାଯାଇପାରେ।
ଲକ୍ଷ୍ୟ କରିବା କଥା ନିର୍ବାଚନ ପ୍ରଚାର ସମୟରେ ନିଜ ନିଜର ଇସ୍ତାହାରରେ ଉଭୟ ପକ୍ଷ ମତଦାତାମାନଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ କିସମର ବ୍ୟୟବହୁଳ ଉପହାର ସବୁର ଘୋଷଣା କରିଛନ୍ତି। ଯେଉଁ ଗୋଷ୍ଠୀ ସରକାର ଗଠନ କରୁନା କାହିଁକି, ଏଥିପାଇଁ ବିପୁଳ ସମ୍ବଳ ବିନିଯୋଗ ଆବଶ୍ୟକ ହେବା ନିଶ୍ଚିତ। ଏଇ ସମୟରେ ଭାଗ୍ୟଦେବୀ ଯାହାକୁ ଶାସନ ଗାଦିରେ ବସାଇବେ, ‌ସତେ ଯେମିତି ତା’ର ବୋଝ ଲାଘବ କରିବା ଭଳି ଏକ ଅତିରିକ୍ତ ଉପହାର ସ୍ବରୂପ ତା’ ହାତରେ ଏକ ବିପୁଳ ପରିମାଣର ଟଙ୍କାଭର୍ତ୍ତି ସିନ୍ଦୁକର ଚାବି ମଧ୍ୟ ଧରାଇଦେବାକୁ ଯାଉଛନ୍ତି। ଏହି ସଂପୂର୍ଣ୍ଣ ଅପ୍ରତ୍ୟାଶିତ ଉପହାର ପ୍ରଦାନ ନିମିତ୍ତ ଭାଗ୍ୟଦେବୀ ଯାହାକୁ ତାଙ୍କର ମାଧ୍ୟମ ରୂପେ ବ୍ୟବହାର କରିଛନ୍ତି, ସେ ହେଉଛି ଭାରତର କେନ୍ଦ୍ରୀୟ ବ୍ୟାଙ୍କ୍ ତଥା ଦେଶର ସର୍ବୋଚ୍ଚ ବିତ୍ତୀୟ ନିୟନ୍ତ୍ରକ ସଂସ୍ଥା- ‘ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ’।
ଗତ ବୁଧବାର ଦିନ ରିଜର୍ଭ ବ୍ୟାଙ୍କ୍ ପ୍ରକାଶ କରିଛି ଯେ ସେ ସରକାରଙ୍କୁ ତା’ର ୨୦୨୩-୨୪ ବର୍ଷର କାରବାରରୁ ଉପଲବ୍‌ଧ ଏକ ବିଶାଳ ୨.୧୧ ଲକ୍ଷ କୋଟି ଟଙ୍କାର ଉଦ୍‌ବୃତ୍ତ ରାଶି (‘ସର୍ପ୍ଲସ୍’) ହସ୍ତାନ୍ତର କରିବାକୁ ଯାଉଛି, ଯାହା ତା’ର ‘ବୋର୍ଡ ଅଫ୍ ଡିରେକ୍ଟର୍‌ସ’ଙ୍କ ଦ୍ବାରା ନିର୍ଦ୍ଧାରିତ ହୋଇଛି। ଏହାକୁ ଏକ ସଂପୂର୍ଣ୍ଣ ରୂପେ ଅପ୍ରତ୍ୟାଶିତ ଉପହାର ବୋଲି ବିଚାର କରିବା ପାଇଁ ବିଭିନ୍ନ କାରଣ ରହିଛି। ଏହାର ପୂର୍ବ ବର୍ଷ ରିଜର୍ଭ ବ୍ୟାଙ୍କ୍ ସରକାରଙ୍କୁ ହସ୍ତାନ୍ତର କରିଥିବା ଏଭଳି ‘ସର୍ପ୍ଲସ୍’ ରାଶିର ପରିମାଣ ଥିଲା ୮୬,୪୧୬ କୋଟି ଟଙ୍କା, ଯାହା ତୁଳନାରେ ବର୍ତ୍ତମାନ ହସ୍ତାନ୍ତରିତ ହେବାକୁ ଯାଉଥିବା ରାଶି ହେଉଛି ଦୁଇ ଗୁଣରୁ ଅଧିକ। ପୁଣି, ନିକଟରେ ବିତ୍ତମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା ମଧ୍ୟବର୍ତ୍ତୀକାଳୀନ ବଜେଟ୍‌ରେ ରିଜର୍ଭ ବ୍ୟାଙ୍କ୍ ଠାରୁ ସରକାର ଯେଉଁ ‘ସର୍ପ୍ଲସ୍’ ରାଶି ପାଇବାକୁ ଯାଉଛନ୍ତି ବୋଲି ଅନୁମାନ କରିଥିଲେ, ତାହା ଥିଲା ମାତ୍ର ୧.୦୨ ଲକ୍ଷ କୋଟି ଟଙ୍କା। ସେଇଭଳି ରିଜର୍ଭ ବ୍ୟାଙ୍କ୍ ବର୍ତ୍ତମାନ ସରକାରଙ୍କୁ ଯେଉଁ ‘ସର୍ପ୍ଲସ୍’ ରାଶି ହସ୍ତାନ୍ତର କରିବାକୁ ଯାଉଛି, ତାହା ହେଉଛି ରିଜର୍ଭ ବ୍ୟାଙ୍କ୍‌ର ଇତିହାସରେ ସର୍ବାଧିକ।
ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ରିଜର୍ଭ ବ୍ୟାଙ୍କ୍ ମଧ୍ୟ ନିୟମ ଅନୁସାରେ ସମସ୍ତ ପ୍ରକାର ସମ୍ଭାବ୍ୟ ବିପଦଆପଦର ମୁକାବିଲା ନିମିତ୍ତ ଆବଶ୍ୟକ ରାଶି ନିଜ ପାଖରେ ମହଜୁଦ ରଖିବା ପରେ ଯାଇ ସରକାରଙ୍କୁ ହସ୍ତାନ୍ତର କରିବା ପାଇଁ ତା’ ପାଖରେ ଏହି ବିପୁଳ ପରିମାଣର ‘ସର୍ପ୍ଲସ୍’ ଉପଲବ୍‌ଧ ହୋଇଛି। ଉଲ୍ଲେଖନୀୟ ଭାବରେ ବିମଲ ଜାଲାନ୍ କମିଟି ୨୦୧୯ରେ ଏହି ଉଦ୍ଦେଶ୍ୟରେ ଯେଉଁ ‘କଣ୍ଟିନ୍‌ଜେନ୍‌ସି ରିସ୍କ ବଫର୍’ (‘ସିଆର୍‌ବି’) ପାଳନ ପାଇଁ ସୁପାରିସ କରିଥିଲା ତାହା ରିଜର୍ଭ ବ୍ୟାଙ୍କ୍‌ର ‘ବାଲାନ୍‌ସ ସିଟ୍’ର ୫.୫-୬.୫% ବଳୟ ମଧ୍ୟରେ ସୀମିତ ରହିବା ନିର୍ଦ୍ଧାରିତ ହୋଇଥିଲା। ରିଜର୍ଭ ବ୍ୟାଙ୍କ୍‌ ଜାଲାନ୍ କମିଟିର ସେଇ ନିର୍ଦ୍ଦେଶକୁ କଡ଼ାକଡ଼ି ଭାବରେ ପାଳନ କରି ସେଇ ବଳୟର ସର୍ବୋଚ୍ଚ ସୀମା ୬.୫%କୁ ଲାଗୁ କରିବା ପରେ ମଧ୍ୟ ଏଭଳି ଅଭୂତପୂର୍ବ ଭାବେ ବିଶାଳ ‘ସର୍ପ୍ଲସ୍‌’ ଅର୍ଜନ କରିବାରେ ସକ୍ଷମ ହୋଇଛି ଓ ସରକାର ତା’ ଦ୍ବାରା ଲାଭବାନ ହେବାକୁ ଯାଉଛନ୍ତି। ସରଳ ଭାବରେ କହିଲେ ୨୦୨୩-୨୪ ବିତ୍ତ ବର୍ଷରେ ରିଜର୍ଭ ବ୍ୟାଙ୍କ୍ ନିକଟରେ ଉପଲବ୍‌ଧ ‌େହାଇଥିବା ‘ସର୍ପ୍ଲସ୍’ ଆୟର ୬.୫% ବିପଦଆପଦର ମୁକାବିଲା ନିମିତ୍ତ ନିଜ ପାଖରେ ରଖିବା ପରେ, ଉପରୋକ୍ତ ବଳକା ରାଶିକୁ ବ୍ୟାଙ୍କ୍‌ ତା’ର ମାଲିକ ଭାରତ ସରକାରଙ୍କ ହସ୍ତରେ ଅର୍ପଣ କରିବାକୁ ଯାଉଛି। ଭାଗ୍ୟଦେବୀଙ୍କ ଏହି ଉପହାର ଆଗାମୀ ସରକାରଙ୍କ ବୋଝ ହାଲୁକା କରିବାରେ ଯେ ବିଶେଷ ସହାୟକ ହେବ, ଏହା କହିବା ବାହୁଲ୍ୟ।
କିନ୍ତୁ ସରକାର ଏହି ଅପ୍ରତ୍ୟାଶିତ ଆୟକୁ ପୂର୍ବରୁ କୁହାଯାଇଥିବା ଭଳି ନିର୍ବାଚନୀ ଉପହାର ବଣ୍ଟନରେ ସାରି ନ ଦେଇ ଯଦି ନିଜର ରାଜକୋଷୀୟ ସ୍ଥିତିର ଉନ୍ନତି ସାଧନ (‘ଫିସ୍‌କାଲ୍ କନ୍‌ସୋଲିଡେସନ୍’)ରେ ବିନିଯୋଗ କରନ୍ତି, ତାହା ଦେଶର ଅର୍ଥନୀତି ପାଇଁ ବହୁ ଅଧିକ ମଙ୍ଗଳପ୍ରଦ ହେବ। ରାଜକୋଷ ଉପରେ କୋଭିଡ୍-୧୯ ପାଣ୍ଡେମିକ୍ ନିକ୍ଷେପ କରିଥିବା କଳା ଛାଇ ଏ ପର୍ଯ୍ୟନ୍ତ ‌େଯ ସଂପୂର୍ଣ୍ଣ ରୂପେ ଅପସାରିତ ହୋଇନାହିଁ, ଅର୍ଥନୀତିର ପରିଚାଳକମାନଙ୍କୁ ତାହା ଭଲ ରୂପେ ଜଣା ଅଛି। ଉଦାହରଣ ସ୍ବରୂପ, କୋଭିଡ୍-୧୯ ପାଣ୍ଡେମିକ୍‌ର ଆବିର୍ଭାବର ଠିକ୍ ପୂର୍ବରୁ ଆମର ‌ରାଜକୋଷୀୟ ନିଅଣ୍ଟ (‘ଫିସ୍‌କାଲ୍ ଡେଫିସିଟ୍’) ପରିମାଣ ଥିଲା ଦେଶର ମୋଟ ଜାତୀୟ ଉତ୍ପାଦ (‘ଜିଡିପି’)ର ୪.୬ ଶତାଂଶ ସହିତ ସମାନ, ଯାହା ମଧ୍ୟ ଏକ ଆଦର୍ଶ ଅନୁପାତ ଠାରୁ ଅଧିକ ଥିଲା। ପାଣ୍ଡେମିକ୍ ଆଘାତରେ ଯେତେବେଳେ ‘ଜିଡିପି’ରେ ସଂକୋଚନ ଘଟିଲା ଓ ପାଣ୍ଡେମିକ୍‌ର ମୁକାବିଲା କରିବା ପାଇଁ ସରକାରଙ୍କର ବ୍ୟୟରେ ତୀକ୍ଷ୍‌ଣ ବୃଦ୍ଧି ଘଟିଲା, ସେତେବେଳେ ସ୍ବାଭାବିକ ଭାବରେ ‘ଫିସ୍‌କାଲ୍ ଡେଫିସିଟ୍’ ଅନୁପାତରେ ବୃଦ୍ଧି ଘଟି ତାହା ‘ଜିଡିପି’ର ୯ ଶତାଂଶରୁ ଅଧିକ ହେବା ଦେଖାଗଲା। ୨୦୨୪-୨୫ ପାଇଁ ପ୍ରକାଶିତ ବଜେଟ୍ ଏଷ୍ଟିମେଟ୍‌ରେ ଏହା ୫ ଶତାଂଶରୁ ଅଧିକ ହେବ ବୋଲି ଅନୁମାନ କରାଯାଇଛି। ଯଦି ରିଜର୍ଭ ବ୍ୟାଙ୍କ୍ ସୂତ୍ରରୁ ମିଳିଥିବା ‘ସର୍ପ୍ଲସ୍’ ରାଶିକୁ ସରକାର ‘ଫିସ୍‌କାଲ୍ ଡେଫିସିଟ୍’କୁ ନିୟନ୍ତ୍ରଣ କରିବା ଦିଗରେ ନି‌େୟାଜିତ କରନ୍ତି, ତେବେ ଏହା ତାହାକୁ ଏକ ବାଞ୍ଛନୀୟ ଅନୁପାତ ୫ ଶତାଂଶରୁ କମ୍ ସ୍ତରକୁ ଖସାଇବାରେ ସହାୟକ ହୁଅନ୍ତା।
ଏହି ଅତିରିକ୍ତ ଆୟ ସହିତ ତାଳ ଦେଇ ସରକାର ପୁଞ୍ଜି ବଜାରରୁ ସଂଗ୍ରହ କରୁଥିବା ଋଣ ପରିମାଣରେ ହ୍ରାସ ଘଟାଇବା ଦ୍ବାରା ଏହି ଲକ୍ଷ୍ୟ ସାଧିତ ହୋଇପାରନ୍ତା। ଚଳିତ ବିତ୍ତ ବର୍ଷରେ ସରକାର ବଜାରରୁ ଉଠାଇଥିବା ମୋଟ ଋଣ ପରିମାଣ ୧୪.୧୩ ଲକ୍ଷ କୋଟି ଟଙ୍କା ହୋଇଥିବା ବେଳେ ନେଟ୍ ଋଣ ପରିମାଣ ହୋଇଛି ୧୧.୭୫ ଲକ୍ଷ କୋଟି ଟଙ୍କା। ଏହି ପରିମାଣରେ ହ୍ରାସ ଘଟିଲେ ସରକାରଙ୍କ ଉପରେ ପଡୁଥିବା ଋଣ ପରିଶୋଧ ବୋଝ ମଧ୍ୟ ହାଲୁକା ହେବ। ଅପରପକ୍ଷେ ସରକାର ଋଣ ସଂଗ୍ରହରେ ହ୍ରାସ ଘଟାଇଲେ ‌ଘରୋଇ ନିବେଶକମାନଙ୍କ ପାଇଁ ଅଧିକ ଋଣ ଉପଲବ୍‌ଧ ହେବ, ଯାହାକୁ ସେମା‌େନ ଉତ୍ପାଦନରେ ବିନିଯୋଗ କରି ଅର୍ଥନୀତିର ଅଭିବୃଦ୍ଧିରେ ସହାୟକ ହେବେ। ଅାଶା କରାଯାଏ ନୂତନ ସରକାର ଭାଗ୍ୟଦେବୀଙ୍କର ଏହି ଉପହାରର ଉପଯୁକ୍ତ ସଦ୍‌ବ୍ୟବହାର କରିବେ।