ଯେଉଁ ସମୟରେ ଆନ୍ତର୍ଜାତିକ ଯୋଗାଣ ଶୃଙ୍ଖଳକୁ ଚୀନ୍ରୁ ଅପସାରିତ କରିବା ପାଇଁ ରୀତିମତ ଉଦ୍ୟମ ଆରମ୍ଭ ହୋଇଯାଇଛି, ଭାରତ ସେଇ ସୁଯୋଗର ସଦ୍ବ୍ୟବହାର କରି ସେଇ ଶୂନ୍ୟସ୍ଥାନ ପୂରଣ କରିବା ପାଇଁ ଉଦ୍ୟମ କରୁଥିଲେ ହେଁ ନୂତନ ସରକାରଙ୍କୁ ଏ ଦିଗରେ ଅଧିକ ବଳିଷ୍ଠ ପଦକ୍ଷେପମାନ ନେବାକୁ ପଡ଼ିବ। ଶେଷରେ, ଗ୍ରାମ୍ୟ ନିଯୁକ୍ତି ଓ ଆୟରେ ବୃଦ୍ଧି ଘଟାଇ ସହର-ଗ୍ରାମ୍ୟ ଅର୍ଥନୈତିକ ବୈଷମ୍ୟ ଦୂର କରିବା ପାଇଁ କୃଷିକ୍ଷେତ୍ରରେ ଜଳସେଚନ ଭଳି ଆବଶ୍ୟକ ଭିତ୍ତିଭୂମି ନିର୍ମାଣ ସହିତ ବ୍ୟାପକ ସଂସ୍କାରମାନ କାର୍ଯ୍ୟକାରୀ କରାଯିବା ଆବଶ୍ୟକ।
ଆଜି ଠାରୁ ଏକ ନୂତନ ପାଳିର ସରକାର କେନ୍ଦ୍ରରେ ଦାୟିତ୍ବ ଗ୍ରହଣ କରିବାର ପର୍ବ ଆରମ୍ଭ ହୋଇସାରିଛି। ଏହି ସଂଦର୍ଭରେ କନ୍ୟାକୁମାରୀରେ ୪୫ ଘଣ୍ଟିଆ ଧ୍ୟାନ ସମାପ୍ତ କରି ନରେନ୍ଦ୍ର ମୋଦୀ ଜୁନ୍ ପହିଲାରେ ଦିଲ୍ଲୀକୁ ଫେରିବା ସମୟରେ ବିମାନ ଭିତରେ ଲିପିବଦ୍ଧ କରିଥିବା ତାଙ୍କର ଧ୍ୟାନପ୍ରସୂତ ନୂଆ ସଂକଳ୍ପ ବିଷୟ ପ୍ରଣିଧାନଯୋଗ୍ୟ, ଯାହା ହେଲା ଆଗାମୀ ୨୫ ବର୍ଷ ମଧ୍ୟରେ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା। ତେବେ ଏହି ଲକ୍ଷ୍ୟ ହାସଲ ଯେ କୌଣସି ସରକାରଙ୍କ ଲାଗି ଏକାନ୍ତ ଈପସିତ ହୋଇଥିଲେ ସୁଦ୍ଧା ଏଥି ଲାଗି ଯେ ବ୍ୟାପକ ସଂସ୍କାରସବୁର ଆବଶ୍ୟକତା ରହିଛି, ତାହା କହିବା ବାହୁଲ୍ୟ ମାତ୍ର। ଏକ ସଂପୂର୍ଣ୍ଣ ବିକଶିତ ରାଷ୍ଟ୍ର ସମ୍ଭବ ହେବା ଲାଗି ଯଦିଓ ନାଗରିକମାନଙ୍କର ଜୀବନର ପ୍ରତ୍ୟେକ ଦିଗ ବିକଶିତ ହେଉ ବୋଲି ଆଶା କରାଯାଏ, ତଥାପି ଏଥିରେ କୌଣସି ସନ୍ଦେହ ନାହିଁ ଯେ ଯେଉଁ ବିକାଶ ସର୍ବାଧିକ ଗୁରୁତ୍ବ ବହନ କରିଥାଏ, ତାହା ହେଉଛି ଅର୍ଥନୈତିକ ବିକାଶ। ଉଲ୍ଲେଖନୀୟ ଯେ ଯେଉଁ କାରଣରୁ ଭାରତ ଆଜି ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି ଓ ସମ୍ମାନ ଲାଭ କରିଛି, ତାହା ହେଉଛି ଭାରତୀୟ ଅର୍ଥନୀତି ହାସଲ କରିଥିବା ଚମକପ୍ରଦ ଅଭିବୃଦ୍ଧି।
ଏକ ଦେଶର ଅର୍ଥେନୖତିକ ଶକ୍ତି ହିଁ ଶେଷରେ ବିଶ୍ବ ଦରବାରରେ ତାକୁ ପ୍ରଦାନ କରାଯାଉଥିବା ଆସନର ଉଚ୍ଚତା ନିର୍ଣ୍ଣୟ କରିଥାଏ। ତେଣୁ ସାମଗ୍ରିକ ବିକାଶ ନିଶ୍ଚିତ ରୂପେ ଗୁରୁତ୍ବପୂର୍ଣ୍ଣ ହୋଇଥିଲେ ହେଁ, ଏକ ବିକଶିତ ଭାରତର ଯାହା ହେବ ମୂଳ ଭିତ୍ତି, ତାହା ହେଉଛି ଏକ ବିକଶିତ ଭାରତୀୟ ଅର୍ଥନୀତି। ତେଣୁ ନୂତନ ସରକାର ସେଇ ଦୀର୍ଘକାଳୀନ ଲକ୍ଷ୍ୟ ଉପରୁ ଦୃଷ୍ଟି ନ ହଟାଇବା ସଙ୍ଗେ ସଙ୍ଗେ ବର୍ତ୍ତମାନ ଅର୍ଥନୀତିର କେଉଁ କେଉଁ ଅଂଶମାନଙ୍କର କାର୍ଯ୍ୟକ୍ଷମତାରେ ବୃଦ୍ଧି ଘଟାଇବା ନିମିତ୍ତ ବିହିତ ପଦକ୍ଷେପ ନିଆଯିବା ଜରୁରୀ, ସେ ସମ୍ବନ୍ଧରେ ଏକ ସ୍ପଷ୍ଟ ଧାରଣା ଆହରଣ କରିବା ଦରକାର।
ଏହା ସତ ଯେ ବିଗତ ବିତ୍ତ ବର୍ଷ (୨୦୨୩-୨୪)ରେ ଭାରତୀୟ ଅର୍ଥନୀତି ଏକ ଉଚ୍ଚା ୮.୨ ଶତାଂଶ ହାରରେ ଅଭିବୃଦ୍ଧି ହାସଲ କରି ସମସ୍ତଙ୍କୁ ଚମତ୍କୃତ କରିଦେଇଛି। କିନ୍ତୁ ଏଭଳି ଅଭିବୃଦ୍ଧିର ବେଗ ସନ୍ତୋଷଜନକ ହୋଇଥିଲେ ହେଁ ଏହା ସଂପର୍କରେ ଯେଉଁ ଅଭିଯୋଗ ସାଧାରଣତଃ ଶୁଣିବାକୁ ମିଳିଥାଏ, ତାହା ହେଲା- ଏହା ସହିତ ତାଳ ଦେଇ ଯଥେଷ୍ଟ ସଂଖ୍ୟାରେ ନିଯୁକ୍ତି ସୃଷ୍ଟି ହେଉନାହିଁ। ସେହିପରି ଆଉ ଏକ ଅଭିଯୋଗ ଅନୁସାରେ ଏହି ଉଚ୍ଚ ଅଭିବୃଦ୍ଧିରୁ ପ୍ରସୂତ ଫଳର ବଣ୍ଟନ ସୁଷମ ହେଉନାହିଁ, ଯେଉଁ କାରଣରୁ ଅର୍ଥନୈତିକ ବୈଷମ୍ୟରେ ବୃଦ୍ଧି ଘଟିବାରେ ଲାଗିଛି। ଅର୍ଥନୀତିର ଅନ୍ୟ ଏକ ଦୁର୍ବଳତା ସ୍ବରୂପ ଗତ ବର୍ଷ ଘରୋଇ ଖାଉଟି ଖର୍ଚ୍ଚରେ ସ୍ଥାଣୁତା ପରିଲକ୍ଷିତ ହୋଇଛି ଏବଂ ଘରୋଇ ଶିଳ୍ପୋଦ୍ୟୋଗୀମାନେ ନୂତନ କାରଖାନା ପ୍ରତିଷ୍ଠାରେ କୁଣ୍ଠା ପ୍ରଦର୍ଶନ କରିଛନ୍ତି। ରପ୍ତାନିରେ ମଧ୍ୟ ବିଶେଷ ବୃଦ୍ଧି ଘଟୁନାହିଁ। ବିଗତ ବିତ୍ତ ବର୍ଷରେ ଅଭିବୃଦ୍ଧି ଏପରି ପ୍ରଭାବଶାଳୀ ହୋଇଥିଲେ ହେଁ ଚଳିତ ବିତ୍ତ ବର୍ଷରେ ତାହାର ପୁନରାବୃତ୍ତି ଘଟିବା ଆଶା କ୍ଷୀଣ ବୋଲି ମଧ୍ୟ ଅର୍ଥନୀତି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି।
ଏହି ପୃଷ୍ଠଭୂମିରେ ତେଣୁ ନୂତନ ସରକାରଙ୍କ ସମ୍ମୁଖରେ କେଉଁ କେଉଁ ଅର୍ଥନୈତିକ ଆହ୍ବାନମାନ ପ୍ରାଥମିକତା ଦାବି କରିଥାନ୍ତି, ସେ ସମ୍ବନ୍ଧରେ ଏକ ଧାରଣା କରିବାକୁ ନିମ୍ନମତେ ଚେଷ୍ଟା କରାଯାଇପାରେ। ମର୍ଯ୍ୟାଦାଜନକ ଆନ୍ତର୍ଜାତିକ ନିବେଶ ବ୍ୟାଙ୍କ୍ ‘ଗୋଲ୍ଡମ୍ୟାନ୍ ସାକ୍ସ’ର ଅନୁଶୀଳନ ଅନୁସାରେ ୨୦୨୪ ବର୍ଷ (ଜାନୁଆରି-ଡିସେମ୍ବର)ରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ୬.୭ ଶତାଂଶ ହେବ ବୋଲି ପୂର୍ବାନୁମାନ କରାଯାଉଥିବା ବେଳେ ବିଶିଷ୍ଟ ରେଟିଙ୍ଗ୍ ସଂସ୍ଥା ‘କ୍ରିସିଲ୍’ର ଅନୁଶୀଳନ ଅନୁସାରେ ୨୦୨୪-୨୫ ବିତ୍ତ ବର୍ଷ (ଏପ୍ରିଲ୍-ମାର୍ଚ୍ଚ)ରେ ତାହା ୬.୮ ଶତାଂଶ ହେବ ବୋଲି ପୂର୍ବାନୁମାନ କରାଯାଉଛି। ‘କ୍ରିସିଲ୍’ ଅନୁଭବ କରୁଛି ଯେ ମଇ ୨୦୨୨ରୁ ଫେବ୍ରୁଆରି ୨୦୨୩ ମଧ୍ୟରେ ରିଜର୍ଭ ବ୍ୟାଙ୍କ୍ ସୁଧ ହାରରେ ଯେଉଁ ବୃଦ୍ଧିମାନ ଘଟାଇଥିଲା, ତାହା ଏବେ ମଧ୍ୟ ନିବେଶକମାନଙ୍କୁ ଋଣ ମାଧ୍ୟମରେ ସମ୍ବଳ ସଂଗ୍ରହ କରି ନିବେଶ କରିବାରେ ନିରୁତ୍ସାହିତ କରୁଛି। ସରକାର ଏଣେ ନିଜର ଖର୍ଚ୍ଚ କାଟ କରି ରାଜକୋଷୀୟ ନିଅଣ୍ଟକୁ ସଂକୁଚିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଥିବାରୁ ତାହା ଯୋଗୁଁ ଅର୍ଥନୀତିରେ ସାମଗ୍ରିକ ଚାହିଦା ସଂକୁଚିତ ହେବାର ସମ୍ଭାବନା ରହିଛି। ଏହି ସମୟରେ ଘରୋଇ ଖାଉଟି ଖର୍ଚ୍ଚରେ ଦେଖାଯାଇଥିବା ଶିଥିଳତା (୨୦୨୩-୨୪ ବିତ୍ତ ବର୍ଷରେ ବୃଦ୍ଧି ହାର ମାତ୍ର ୪ ଶତାଂଶ, ଯାହା ବିଗତ ଦଶନ୍ଧିରେ ସର୍ବନିମ୍ନ- କୋଭିଡ୍ ସମୟ ବ୍ୟତୀତ) ଉତ୍ପାଦନକାରୀମାନଙ୍କୁ ହତାଶ କରିଥାଏ। ଉଭୟ ସରକାର ଓ ରିଜର୍ଭ ବ୍ୟାଙ୍କ୍ ମିଳିତ ଭାବରେ ଏହି ସମ୍ଭାବ୍ୟ ସଂକଟର ମୁକାବିଲା କରିବାକୁ ପ୍ରସ୍ତୁତ ରହିବାକୁ ହେବ।
ନିଯୁକ୍ତିହୀନ ଅଭିବୃଦ୍ଧିର ଏକ ଉଦାହରଣ ସ୍ବରୂପ ୨୦୧୨ରୁ ୨୦୧୯ ମଧ୍ୟରେ ଭାରତରେ ଉତ୍ପାଦନରେ ୬.୭ ଶତାଂଶ ହାରରେ ବୃଦ୍ଧି ଘଟିଥିବା ବେଳେ ନିଯୁକ୍ତିରେ ମାତ୍ର ୦.୦୧ ଶତାଂଶ ହାରରେ ବୃଦ୍ଧି ଘଟିଥିଲା (ଇଣ୍ଡିଆନ୍ ଏମ୍ପ୍ଲଏମେଣ୍ଟ୍ ରିପୋର୍ଟ ୨୦୨୪, ‘ଆଇଏଲ୍ଓ’)। ଏହି ରିପୋର୍ଟ ଅନୁସାରେ ୨୦୧୯ରେ ଯୁବ ବେକାରିରେ ୧୭.୫ ଶତାଂଶ ହାରରେ ବୃଦ୍ଧି ଘଟିଥିବା ବେଳେ ୨୦୨୨ରେ ତାହା ଥିଲା ୧୨.୪ ଶତାଂଶ। ପ୍ରତି ବର୍ଷ ଯେଉଁ ୭-୮ ନିୟୁତ ଯୁବକଯୁବତୀ କର୍ମ ସନ୍ଧାନରେ ଶ୍ରମ ବଜାରରେ ପ୍ରବେଶ କରୁଛନ୍ତି ସେମାନଙ୍କୁ ଉପଯୁକ୍ତ ନିଯୁକ୍ତି ଯୋଗାଇବା ନୂତନ ସରକାରଙ୍କ ପାଇଁ ଏକ ମୁଖ୍ୟ ଆହ୍ବାନ ହେବ। ନିଯୁକ୍ତି ସୃଷ୍ଟିରେ ଭଟ୍ଟା ଦେଖାଦେବାର ଏକ ମୁଖ୍ୟ କାରଣ ହେଉଛି ଘରୋଇ କ୍ଷେତ୍ରରେ ଉଦ୍ୟୋଗୀମାନେ ନୂତନ ଉତ୍ପାଦନ କ୍ଷମତା ସୃଷ୍ଟି କରିବାରେ ପ୍ରଦର୍ଶନ କରୁଥିବା କୁଣ୍ଠା। ଉଦାହରଣ ସ୍ବରୂପ ୨୦୨୩-୨୪ରେ ଘରୋଇ କ୍ଷେତ୍ରରେ ନୂତନ ନିବେଶ ଘୋଷଣାରେ ୧୫.୩ ଶତାଂଶ ହ୍ରାସ ଘଟିବା ଦେଖାଯାଇଥିବା ବେଳେ, ବିଦେଶୀ ନିବେଶକମାନଙ୍କ ଦ୍ବାରା କରାଯାଇଥିବା ଏହି ଘୋଷଣାରେ ୩୨ ଶତାଂଶ ହ୍ରାସ ଘଟିଥିଲା। ହୁଏତ ନିର୍ବାଚନଜନିତ ଅନିଶ୍ଚିତତା ପ୍ରଭାବରେ ସେମାନଙ୍କ ଠାରେ ଏଭଳି କୁଣ୍ଠା ସୃଷ୍ଟି ହୋଇଥିଲା। ନୂତନ ସରକାରଙ୍କୁ ସେମାନଙ୍କର ସେଇ କୁଣ୍ଠା ଦୂର କରି ଏକ ନିବେଶକ-ଅନୁକୂଳ ବାତାବରଣ ସୃଷ୍ଟି କରିବାକୁ ହେବ।
କୋଭିଡ୍ ପରେ ପରେ ରପ୍ତାନିରେ ଏକ ଉତ୍ସାହଜନକ ବୃଦ୍ଧି ଦେଖାଦେଇଥିଲେ ହେଁ ୨୦୨୩-୨୪ରେ ପଣ୍ୟଦ୍ରବ୍ୟ ରପ୍ତାନିରେ ୩ ଶତାଂଶ ହ୍ରାସ ଘଟିବା ଦେଖାଯାଇଛି। ଯେଉଁ ସମୟରେ ଆନ୍ତର୍ଜାତିକ ଯୋଗାଣ ଶୃଙ୍ଖଳକୁ ଚୀନ୍ରୁ ଅପସାରିତ କରିବା ପାଇଁ ରୀତିମତ ଉଦ୍ୟମ ଆରମ୍ଭ ହୋଇଯାଇଛି, ଭାରତ ସେଇ ସୁଯୋଗର ସଦ୍ବ୍ୟବହାର କରି ସେଇ ଶୂନ୍ୟସ୍ଥାନ ପୂରଣ କରିବା ପାଇଁ ଉଦ୍ୟମ କରୁଥିଲେ ହେଁ ନୂତନ ସରକାରଙ୍କୁ ଏ ଦିଗରେ ଅଧିକ ବଳିଷ୍ଠ ପଦକ୍ଷେପମାନ ନେବାକୁ ପଡ଼ିବ। ଶେଷରେ, ଗ୍ରାମ୍ୟ ନିଯୁକ୍ତି ଓ ଆୟରେ ବୃଦ୍ଧି ଘଟାଇ ସହର-ଗ୍ରାମ୍ୟ ଅର୍ଥନୈତିକ ବୈଷମ୍ୟ ଦୂର କରିବା ପାଇଁ କୃଷିକ୍ଷେତ୍ରରେ ଜଳସେଚନ ଭଳି ଆବଶ୍ୟକ ଭିତ୍ତିଭୂମି ନିର୍ମାଣ ସହିତ ବ୍ୟାପକ ସଂସ୍କାରମାନ କାର୍ଯ୍ୟକାରୀ କରାଯିବା ଆବଶ୍ୟକ। ଏ ସମସ୍ତ ଆହ୍ବାନର ସଫଳ ମୁକାବିଲା ଦ୍ବାରା ଆଜି ଏକ ଶାକ୍ତିଶାଳୀ ଅର୍ଥନୀତି ସୃଷ୍ଟି ହେଲେ ଯାଇ କାଲ ଏକ ବିକଶିତ ଭାରତର ଆବିର୍ଭାବ ଘଟିବ।