୨୦୨୨ରେ ‘ବ୍ରୁକିଙ୍ଗ୍ସ’ ଜର୍ନାଲ୍ରେ ପ୍ରକାଶିତ ସେମାନଙ୍କର ଏକ ବହୁଚର୍ଚ୍ଚିତ ଅନୁଶୀଳନେର ଖ୍ୟାତନାମା ଅର୍ଥନୀତିଜ୍ଞବୃନ୍ଦ ସୁରଜିତ ଭାଲ୍ଲା, କରନ୍ ଭାସିନ୍ ଓ ଅରବିନ୍ଦ ଭିର୍ମାନି ମତପ୍ରକାଶ କରିଥିଲେ ଯେ ବର୍ତ୍ତମାନ ଏକ ସମୟ ଉପସ୍ଥିତ, ଯେତେବେଳେ ଭାରତ ତା’ର ବର୍ତ୍ତମାନ ଅନୁସୃତ ୱାର୍ଲଡ୍ ବ୍ୟାଙ୍କ୍ ନିର୍ଦ୍ଧାରିତ ମୁଣ୍ଡପିଛା ଦୈନିକ ୧.୯୦ ଡଲାର୍ (ପର୍ଚେଜିଙ୍ଗ୍ ପାୱାର୍ ପ୍ୟାରିଟି ବା ‘ପିପିପି’ ଅନୁସାରେ) ଚରମ ଦାରିଦ୍ର୍ୟ ସୀମାରେଖାରେ ଉତ୍ଥାନ ଘଟାଇ ‘ଲୋଅର୍ ମିଡ୍ଲ ଇନ୍କମ୍’ (‘ଏଲ୍ଏମ୍ଆଇ’) ପାଇଁ ପ୍ରଯୁଜ୍ୟ ୩.୨ ଡଲାର୍ (‘ପିପିପି’) ସ୍ତରରେ ନିର୍ଦ୍ଧାରଣ କରିବା ଉଚିତ। ଦୁଇ ବର୍ଷ ପରେ ବିବେକ ଦେବରାୟଙ୍କ ଆହ୍ବାନ ଏବେ ତା’ର ପ୍ରତିଧ୍ବନି ପରି ମନେ ହୋଇଥାଏ। ଆମେ ଏଥର ଏକ ନୂତନ ଦାରିଦ୍ର୍ୟ ରେଖାଙ୍କନକୁ ଅପେକ୍ଷା କରୁଛୁ।
ଗତ ବୁଧବାର ଦିନ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା କମିଟିର ଚେଆର୍ମ୍ୟାନ୍ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ବିବେକ ଦେବରାୟ ଭାରତରେ ଦାରିଦ୍ର୍ୟ ଆକଳନ ନିମିତ୍ତ ବ୍ୟବହୃତ ମାପକାଠିରେ ପରିବର୍ତ୍ତନ ଘଟାଇବା ପାଇଁ ଏକ ଆହ୍ବାନ ଦେଇ ସଂପୃକ୍ତ ପରିସରରେ ଏକ ଗୁଞ୍ଜରଣ ସୃଷ୍ଟି କରିଛନ୍ତି। ଯେଉଁ ସମୟରେ ଦେଶରେ ଚରମ ଦାରିଦ୍ର୍ୟ ଦୂର କରିବାରେ ଭାରତ ହାସଲ କରିଥିବା ସଫଳତା ଆନ୍ତର୍ଜାତିକ ସ୍ତରରେ ପ୍ରଶଂସା ଆକର୍ଷଣ କରିବାରେ ଲାଗିଛି, ସେଇ ସମୟରେ ଖୋଦ୍ ପ୍ରଧାନମନ୍ତ୍ରୀଙ୍କର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଦେଶରେ ଦାରିଦ୍ର୍ୟର ପରିମାପ ସଂପର୍କରେ ଏପରି ଅସନ୍ତୋଷ ପ୍ରକାଶ କରିବା ସ୍ବାଭାବିକ ଭାବରେ ବିଶେଷ ତାତ୍ପର୍ଯ୍ୟ ବହନ କରିଥାଏ।
‘ନୀତି ଆୟୋଗ’ ଦ୍ବାରା ଭାରତରେ ବହୁମୁଖୀ ଦାରିଦ୍ର୍ୟ ବା ‘ମଲ୍ଟିଡାଇମେନ୍ସନାଲ୍ ପଭର୍ଟି ଇଣ୍ଡେକ୍ସ’ (‘ଏମ୍ଡିପିଆଇ’) ସମ୍ବନ୍ଧରେ ପ୍ରକାଶିତ ସୂଚନା ଅନୁସାରେ ୨୦୧୩-୧୪ରୁ ୨୦୨୨-୨୩ ମଧ୍ୟରେ ଭାରତରେ ପ୍ରାୟ ୨୫ କୋଟି ଲୋକ ଚରମ ଦାରିଦ୍ର୍ୟ କବଳରୁ ମୁକୁଳି ଆସିବାରେ ସଫଳ ହୋଇଛନ୍ତି। କିନ୍ତୁ ଏହି ଆକଳନ କରିବା ପାଇଁ େଯଉଁ ଫର୍ମୁଲା ବ୍ୟବହୃତ ହୋଇଛି ତାହା କେତେକ ସମାଲୋଚକଙ୍କ ପାଇଁ ଗ୍ରହଣୀୟ ହୋଇନାହିଁ।
ବର୍ତ୍ତମାନ ଏକମୁଖୀ ଦାରିଦ୍ର୍ୟ ଆକଳନ କରିବା ପାଇଁ ଭାରତରେ ଯେଉଁ ଦାରିଦ୍ର୍ୟ ସୀମାରେଖା ବ୍ୟବହୃତ ହୋଇଆସୁଛି, ତାହା ଏକ ଦଶନ୍ଧିରୁ ଅଧିକ କାଳ ତଳେ ତେନ୍ଦୁଲକର କମିଟି ଦ୍ବାରା ନିର୍ଦ୍ଧାରିତ ହୋଇଥିଲା (ଅର୍ଥନୀତିଜ୍ଞ ସୁରେଶ ତେନ୍ଦୁଲକର ଏହି କମିଟିର ଚେଆର୍ମ୍ୟାନ୍ ଥିଲେ)। ୨୦୦୯ରେ ଏହି କମିଟିର ସୁପାରିସ ଅନୁସାରେ ସହରାଞ୍ଚଳ ପାଇଁ ଦୈନିକ ମୁଣ୍ଡପିଛା ଖର୍ଚ୍ଚ ୩୩ ଟଙ୍କା ଓ ଗ୍ରାମାଞ୍ଚଳ ପାଇଁ ଦୈନିକ ମୁଣ୍ଡପିଛା ଖର୍ଚ୍ଚ ୨୭ ଟଙ୍କା ଥିଲା ଦାରିଦ୍ର୍ୟର ସୀମାରେଖା।
ଅନ୍ତତଃ ଦୁଇଟି କାରଣରୁ ଦେଶରେ ଦାରିଦ୍ର୍ୟର ଏହି ମାପକାଠି ବର୍ତ୍ତମାନ ତା’ର ଗ୍ରହଣୀୟତା ହରାଇ ବସିଛି। ପ୍ରଥମଟି ଏତେ ସାଧାରଣ, ଯାହା ପ୍ରତ୍ୟେକ ସଚେତନ ବ୍ୟକ୍ତିଙ୍କ ମନରେ ନିଶ୍ଚିତ ରୂପେ ଉଙ୍କି ମାରୁଥିବ। ତାହା ହେଲା ମୁଦ୍ରାସ୍ଫୀତି। ୨୦୦୯ ପରେ ଦରଦାମରେ ଯେଉଁଭଳି ବୃଦ୍ଧି ଘଟିଛି, ତାହାକୁ ବିଚାରକୁ ନେଲେ ଏହି ୧୫ ବର୍ଷର ପୁରୁଣା ଦାରିଦ୍ର୍ୟ ସୀମାରେଖା ଏକ ହାସ୍ୟାସ୍ପଦ ମାପକାଠିରେ ପରିଣତ ହୋଇଥାଏ। ଦ୍ବିତୀୟଟି ହେଲା, ଏହି ୧୫ ବର୍ଷ ମଧ୍ୟରେ ଦେଶବାସୀମାନଙ୍କର ଦ୍ରବ୍ୟ ଓ ସେବା ଆଦିର ବ୍ୟବହାର ଢାଞ୍ଚାରେ ଯେଉଁଭଳି ପରିବର୍ତ୍ତନମାନ ଘଟିଛି, ସେଥିସହିତ ସେହି ପୁରୁଣାକାଳିଆ ଦାରିଦ୍ର୍ୟ ସୀମାରେଖା ଆଦୌ ଖାପ ଖାଇ ନ ଥାଏ। ଏକ ଉଦାହରଣ ସ୍ବରୂପ, ସେତେବେଳେ ମୋବାଇଲ୍ ଡେଟା ଅଧିକାଂଶଙ୍କ ପାଇଁ ଏକ ଅପରିଚିତ ବସ୍ତୁ ହୋଇଥିବା ବେଳେ, ବର୍ତ୍ତମାନ ସୁଦୂର ଗ୍ରାମାଞ୍ଚଳରେ ମଧ୍ୟ ତାହା ଏକ ଅତ୍ୟାବଶ୍ୟକ ଦ୍ରବ୍ୟ ରୂପେ ବିବେଚିତ ହେଉଛି। ଯଥେଷ୍ଟ ଡେଟା କ୍ରୟ କରିବାର ଆର୍ଥିକ କ୍ଷମତା ନ ଥିବା ବ୍ୟକ୍ତି ଜଣେ ବର୍ତ୍ତମାନ ନିଜକୁ ଦରିଦ୍ର ବୋଲି ବିଚାର କରୁଛି, କିନ୍ତୁ ପୁରୁଣା ମାପକାଠି ଅନୁସାରେ ସେ ଦରିଦ୍ର ନୁହେଁ!
ଦାରିଦ୍ର୍ୟର ମଧ୍ୟ ଦୁଇଟି ପ୍ରକାର ଭେଦ ରହିଛି: ସଂପୂର୍ଣ୍ଣ ଦାରିଦ୍ର୍ୟ ବା ‘ଆବ୍ସଲ୍ୟୁଟ୍ ପଭର୍ଟି’ ଓ ଆପେକ୍ଷିକ ଦାରିଦ୍ର୍ୟ ବା ‘ରିଲେଟିଭ୍ ପଭର୍ଟି’। ଏକ ଦେଶର ଅର୍ଥନୀତି ଅତ୍ୟନ୍ତ ଅନଗ୍ରସର ଥିବା ସମୟରେ ଯେତେବେଳେ ବଞ୍ଚି ରହିବା ମୁଖ୍ୟ ସମସ୍ୟା ହୋଇଥାଏ, ସେତେବେଳେ ‘ଆବ୍ସଲ୍ୟୁଟ୍ ପଭର୍ଟି’ ଦୂରୀକରଣ ସର୍ବାଧିକ ଗୁରୁତ୍ବ ବହନ କରିଥିବା ବେଳେ, ଯେତେବେଳେ ଅର୍ଥନୀତି କ୍ରମେ ସମୃଦ୍ଧ ହେବାକୁ ଆରମ୍ଭ କରେ, ସେତେବେଳେ ‘ରିଲେଟିଭ୍ ପଭର୍ଟି’ ଧାରଣା ଅଧିକ ପ୍ରାସଙ୍ଗିକତା ହାସଲ କରିବାକୁ ଲାଗିଥାଏ। ପୂର୍ବୋକ୍ତ ମାପକାଠି ଏହି ଦ୍ବିତୀୟ କିସମର ଦାରିଦ୍ର୍ୟ ଅର୍ଥାତ୍ ତୁଳନାତ୍ମକ ଦାରିଦ୍ର୍ୟକୁ ଆଦୌ ବିଚାରକୁ ନେଇ ନ ଥାଏ।
ଦେବରାୟ ଏପରି ଏକ ନୂତନ ଦାରିଦ୍ର୍ୟ ସୀମାରେଖା ନିର୍ଦ୍ଧାରିତ ହେବା ଚାହାନ୍ତି, ଯାହାକୁ ପାରିବାରିକ ଖର୍ଚ୍ଚ ସମ୍ବନ୍ଧରେ ସୂଚନା ଦେଉଥିବା ‘ହାଉସ୍ହୋଲ୍ଡ କନ୍ସମ୍ପସନ୍ ଏକ୍ସପେଣ୍ଡିଚର୍ ସର୍ଭେ’ (‘ଏଚ୍ସିଇଏସ୍’)ରୁ ଉପଲବ୍ଧ ତଥ୍ୟାବଳୀ ବା ଡେଟା ପ୍ରତି ପ୍ରୟୋଗ କରାଯାଇ ପାରିବ। ଏହି ଡେଟା କେବଳ ଦାରିଦ୍ର୍ୟ ଓ ଅର୍ଥନୈତିକ ବୈଷମ୍ୟର ପରିମାପ ନିମିତ୍ତ ଉପଯୋଗୀ, ତାହା ନୁହେଁ, ବିଭିନ୍ନ ସରକାରୀ ଯୋଜନା ପରିକଳ୍ପନା ଓ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ଏହା ପଥ ପ୍ରଦର୍ଶନ କରିଥାଏ।
ଏଠାରେ ସୂଚନାଯୋଗ୍ୟ ଯେ ନିକଟ ଅତୀତରେ ବିକାଶ ଅର୍ଥନୀତିଜ୍ଞମାନେ ଦାରିଦ୍ର୍ୟକୁ ଏକ ଏକାକୀ ଅବସ୍ଥା ରୂପେ ବିଚାର ନ କରି ତାହାକୁ ଏକ ବହୁମୁଖୀ ଅବସ୍ଥା ରୂପେ ଦେଖିବାକୁ ଆରମ୍ଭ କରିଛନ୍ତି, ଯାହା ବ୍ୟକ୍ତିର ଆୟ ବାଦ୍ ଆହୁରି ଅନେକ ଉପାଦାନ ଉପରେ ନିର୍ଭର କରିଥାଏ, ଯେଉଁଥିରେ ଅନ୍ତର୍ଭୁକ୍ତ ଥାଏ ପୁଷ୍ଟି, ଶିଶୁ ଓ ମାତୃ ମୃତ୍ୟୁରୁ ଆରମ୍ଭ କରି ବିଦ୍ୟାଳୟ ଉପସ୍ଥାନ, ପରିମଳ, ପାନୀୟ ଜଳ, ବ୍ୟାଙ୍କ୍ ଆକାଉଣ୍ଟ ଉପଲବ୍ଧତା ଆଦି ପର୍ଯ୍ୟନ୍ତ। ଦେବରାୟଙ୍କ ବିଚାରରେ କିନ୍ତୁ ବହୁମୁଖୀ ଦାରିଦ୍ର୍ୟର ସୂଚକ ‘ଏମ୍ଡିପିଆଇ’କୁ ସିଧାସଳଖ ତେନ୍ଦୁଲକର ସୀମାରେଖା ପରି ପାରମ୍ପରିକ ଦାରିଦ୍ର୍ୟ ରେଖା ସହିତ ତୁଳନା କରାଯିବା ଉଚିତ ନୁହେଁ। ‘ଏମ୍ଡିପିଆଇ’ ଅନ୍ତର୍ଗତ ଉପରୋକ୍ତ ଉପାଦାନମାନ ବିକାଶ ସମ୍ବନ୍ଧରେ ନିଶ୍ଚିତ ରୂପେ ଏକ ଅଧିକ ଗ୍ରହଣଯୋଗ୍ୟ ଚିତ୍ର ଉପଲବ୍ଧ ହେବାରେ ସହାୟକ ହୋଇଥାନ୍ତି ସତ, ସେଗୁଡ଼ିକ କିନ୍ତୁ ଦାରିଦ୍ର୍ୟର ଉପସ୍ଥିତି ସମ୍ବନ୍ଧରେ ସୂଚନା ଦେବା ଅପେକ୍ଷା ଦାରିଦ୍ର୍ୟର କାରଣ ରୂପେ ଅଧିକ କାର୍ଯ୍ୟ କରିଥାନ୍ତି।
ଅବଶ୍ୟ ‘ଏମ୍ଡିପିଆଇ’ ଦେଶରେ ପରିଦୃଷ୍ଟ ଦାରିଦ୍ର୍ୟ ସଂପର୍କରେ ଏକ ଅଧିକ ସଂପ୍ରସାରିତ ଚିତ୍ର ପ୍ରଦାନ କରିଥାଏ, କିନ୍ତୁ ଆମେ ମଧ୍ୟ ଏକ ଏକମୁଖୀ ଦାରିଦ୍ର୍ୟ ସୀମାରେଖା ଆବଶ୍ୟକ କରିଥାଉ, ଯାହାକୁ ପ୍ରୟୋଗ କରି ସରଳ ଭାବରେ ଦେଶରେ ମୌଳିକ ଦାରିଦ୍ର୍ୟର ଉପସ୍ଥିତି ଓ ମାତ୍ରା ସମ୍ବନ୍ଧରେ ଏକ ସ୍ପଷ୍ଟ ଧାରଣା ସଂଗ୍ରହ କରାଯାଇପାରିବ- ଯେମିତି ତେନ୍ଦୁଲକର ରେଖା। ବିବେକ ଦେବରାୟ ବର୍ତ୍ତମାନ ପରିବର୍ତ୍ତିତ ପରିସ୍ଥିତିକୁ ବିଚାରକୁ ନେଇ ଏହିପରି ଏକ ନୂତନ ଦାରିଦ୍ର୍ୟ ସୀମାରେଖା ନିର୍ଦ୍ଧାରଣ ନିମିତ୍ତ ଆହ୍ବାନ ଦେଇଛନ୍ତି, ଯାହା ତେନ୍ଦୁଲକର ରେଖାର ଏକ ପରିମାର୍ଜିତ ସଂସ୍କରଣ ହେବ ବୋଲି କୁହାଯାଇପାରେ।
ଏହି ପରିପ୍ରେକ୍ଷୀରେ ଏଠାରେ ଉଲ୍ଲେଖ କରିବା ବୋଧହୁଏ ଅପ୍ରାସଙ୍ଗିକ ହେବନାହିଁ ଯେ ୨୦୨୨ରେ ‘ବ୍ରୁକିଙ୍ଗ୍ସ’ ଜର୍ନାଲ୍ରେ ପ୍ରକାଶିତ ସେମାନଙ୍କର ଏକ ବହୁଚର୍ଚ୍ଚିତ ଅନୁଶୀଳନେର ଖ୍ୟାତନାମା ଅର୍ଥନୀତିଜ୍ଞବୃନ୍ଦ ସୁରଜିତ ଭାଲ୍ଲା, କରନ୍ ଭାସିନ୍ ଓ ଅରବିନ୍ଦ ଭିର୍ମାନି ମତପ୍ରକାଶ କରିଥିଲେ ଯେ ବର୍ତ୍ତମାନ ଏକ ସମୟ ଉପସ୍ଥିତ, ଯେତେବେଳେ ଭାରତ ତା’ର ବର୍ତ୍ତମାନ ଅନୁସୃତ ୱାର୍ଲଡ୍ ବ୍ୟାଙ୍କ୍ ନିର୍ଦ୍ଧାରିତ ମୁଣ୍ଡପିଛା ଦୈନିକ ୧.୯୦ ଡଲାର୍ (ପର୍ଚେଜିଙ୍ଗ୍ ପାୱାର୍ ପ୍ୟାରିଟି ବା ‘ପିପିପି’ ଅନୁସାରେ) ଚରମ ଦାରିଦ୍ର୍ୟ ସୀମାରେଖାରେ ଉତ୍ଥାନ ଘଟାଇ ‘ଲୋଅର୍ ମିଡ୍ଲ ଇନ୍କମ୍’ (‘ଏଲ୍ଏମ୍ଆଇ’) ପାଇଁ ପ୍ରଯୁଜ୍ୟ ୩.୨ ଡଲାର୍ (‘ପିପିପି’) ସ୍ତରରେ ନିର୍ଦ୍ଧାରଣ କରିବା ଉଚିତ। ଦୁଇ ବର୍ଷ ପରେ ବିବେକ ଦେବରାୟଙ୍କ ଆହ୍ବାନ ଏବେ ତା’ର ପ୍ରତିଧ୍ବନି ପରି ମନେ ହୋଇଥାଏ। ଆମେ ଏଥର ଏକ ନୂତନ ଦାରିଦ୍ର୍ୟ ରେଖାଙ୍କନକୁ ଅପେକ୍ଷା କରୁଛୁ।