ସତ କହିଲେ ପୂଜା ଖେଡ଼କର ଯେଉଁ ଦୃଷ୍ଟି ଦୋଷର ଶିକାର ଥିଲେ ସୁଦ୍ଧା, ସେ ନେଇ ସ୍ବୟଂ ସେ ମଧ୍ୟ ଅଜ୍ଞ ଥିବେ, ତାହା ହେଉଛି ଅପରିଣାମଦର୍ଶିତା ବା ଦୂରଦୃଷ୍ଟିର ଅଭାବ। ନଚେତ୍ ସେ ଏଭଳି ଆତ୍ମଘାତୀ ଉତ୍ପାତରେ ବ୍ୟାପୃତ ହୋଇ ଥାଆନ୍ତେ! ସେମିତି ଏହି ନିଯୁକ୍ତି ବ୍ୟବସ୍ଥାରେ ଅବସ୍ଥାପିତ ମୁଷ୍ଟିମେୟ ଦୁର୍ନୀତିଗ୍ରସ୍ତ ଅଧିକାରୀମାନେ ମଧ୍ୟ ଗୋଟିଏ ଦୃଷ୍ଟିରୁ ବିଚାର କଲେ ‘ଦୃଷ୍ଟି ବାଧିତ’, କାରଣ ଅର୍ଥ ବା ଅନ୍ୟ କୌଣସି ଉତ୍କୋଚର ପ୍ରଲୋଭନ ସେମାନଙ୍କୁ ଅନ୍ଧ କରିପକାଏ ଏବଂ ସେମାନଙ୍କ ଦ୍ବାରା ଏକ ଭରସାଯୋଗ୍ୟ ଅନୁଷ୍ଠାନ କଳଙ୍କିତ ହୋଇ ପଡୁଥିବା ବିଷୟକୁ ମଧ୍ୟ ସେମାନେ ଦେଖି ପାରନ୍ତି ନାହିଁ।
ଗଲା ସପ୍ତାହେରୁ ଅଧିକ କାଳ ଧରି ଜଣେ ଆଇ.ଏ.ଏସ୍. ଶିକ୍ଷାନବିସଙ୍କ ଦ୍ବାରା ସୃଷ୍ଟ ବିବାଦର ଯେଉଁ ଚକ୍ରବାତ ପ୍ରତ୍ୟେକ ଦିନ ନୂଆ ନୂଆ କେଳେଙ୍କେରିର ଶିରୋନାମାମାନ ଗଣମାଧ୍ୟମକୁ ଉପହାର ସ୍ବରୂପ ପ୍ରଦାନ କରି ଚାଲିଛି, ତାହା ଯେତିକି ଚାଞ୍ଚଲ୍ୟକର ତତୋଽଧିକ ଉଦ୍ବେଗଜନକ। ଏଥିରେ ଦ୍ବିରୁକ୍ତି ନାହିଁ ଯେ ଏହା ଫଳରେ ପୃଥିବୀର ସର୍ବାଧିକ କଠିନ ବୋଲି ବିବେଚିତ ପ୍ରବେଶିକା ପରୀକ୍ଷା ଓ ଦୁର୍ନୀତି-ଦୁର୍ଭେଦ୍ୟ ଭାବେ ପରିଚିତ ନିଯୁକ୍ତି ପ୍ରକରଣଟି ତା’ର ପବିତ୍ରତା ହରାଇ ସନ୍ଦେହାସ୍ପଦ ହୋଇ ଉଠିଛି। କହିବା ବାହୁଲ୍ୟ, ଏହି କାରଣରୁ ଏହି ପରୀକ୍ଷାରେ କୃତକାର୍ଯ୍ୟ ହେବା ଲାଗି ଦୀର୍ଘ କାଳ ଧରି ଗଳଦ୍ଘର୍ମ ଉଦ୍ୟମ କରି ଚାଲିଥିବା ଆତ୍ମବିସ୍ମୃତ ଲକ୍ଷ ଲକ୍ଷ ଯୁବକ-ଯୁବତୀ ଅତ୍ୟନ୍ତ ହତାଶ ହୋଇ ଉଠିଥିବେ। ନିକଟରେ ‘ଏନ୍.ଟି.ଏ. ’(ନେସ୍ନାଲ୍ ଟେଷ୍ଟିଂ ଏଜେନ୍ସି) ଦ୍ବାରା ପରିଚାଳିତ ତୀବ୍ର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ମେଡିକାଲ ପ୍ରବେଶିକା ପରୀକ୍ଷା ‘ନିଟ୍’ର ସ୍ବଚ୍ଛତା ଘୋର ଦୁର୍ନୀତି ଦ୍ବାରା କର୍ଦ୍ଦମାକ୍ତ ହୋଇପଡ଼ିବା ପରେ ଶଂସିତ ଘଟଣା ଉନ୍ମୋଚିତ ହୋଇ ଅଗତ୍ୟା ଏହି ଧାରଣାକୁ ବଦ୍ଧମୂଳ କଲାଣି ଯେ ସରକାରୀ ବ୍ୟବସ୍ଥାରେ ସମ୍ଭବତଃ କୌଣସି ଅଂଶ ଦୁର୍ନୀତିମୁକ୍ତ ହୋଇ ରହିନାହିଁ।
ତେବେ, ପ୍ରଥମେ ଘଟଣାର ପୃଷ୍ଠଭୂମି ଉପରେ ଏକ କ୍ଷିପ୍ର ଦୃଷ୍ଟି ନିକ୍ଷେପ କରାଯାଉ। ଗଣମାଧ୍ୟମରେ ପ୍ରକାଶିତ ତଥ୍ୟାନୁସାରେ ଶଂସିତ ଶିକ୍ଷାନବିସ ପୂଜା ଖେଡ଼କର ନିଜ ‘ଜାତି’ ଓ ‘ଭିନ୍ନକ୍ଷମତା’ ପ୍ରମାଣ ପତ୍ରରେ ଚଞ୍ଚକତାପୂର୍ବକ ଅସତ୍ୟ ପରିବେଷଣ କରି ଆଇ.ଏ.ଏସ୍. ଚାକିରି କରାୟତ୍ତ କରିଛନ୍ତି। ପ୍ରଥମତଃ, ସେ ଜଣେ ଭୂତପୂର୍ବ ପଦସ୍ଥ ବ୍ୟୁରୋକ୍ରାଟ୍ଙ୍କ ସନ୍ତାନ, ପ୍ରାୟ ଏକ ଶହ କୋଟି ଟଙ୍କା ମୂଲ୍ୟର ସଂପତ୍ତିର ମାଲିକାନାଧାରୀ ପରିବାରର ସଦସ୍ୟ ଏବଂ ମାସିକ କେଇ ଲକ୍ଷ ଟଙ୍କାର ନିଜସ୍ବ ଆୟ କାରଣରୁ ସେ ‘ଓବିସି’ (‘ଅନ୍ୟାନ୍ୟ ପଛୁଆ ଜାତି’ ବର୍ଗ)ର ‘କ୍ରିମି ଲେୟର’ ଅନ୍ତର୍ଭୁକ୍ତ ହୋଇଥିବା ସତ୍ତ୍ବେ ତାହାକୁ ଲୁକ୍କାୟିତ ରଖି ଜାତି ଆରକ୍ଷଣର ସୁବିଧା ନେଇଛନ୍ତି। ଦ୍ବିତୀୟରେ ତାଙ୍କ ଠାରେ ଏକାଧିକ ଶାରୀରିକ ଅକ୍ଷମତା ବିଷୟ ଉଲ୍ଲେଖ କରି ‘ଭିନ୍ନକ୍ଷମ’ କୋଟାର ସୁବିଧା ମଧ୍ୟ ଲାଭ କରିଛନ୍ତି। ତେବେ, ପୂଜାଙ୍କ କାର୍ଯ୍ୟକଳାପ ଠାରୁ ଯାହା ଅଧିକ ଉଦ୍ବିଗ୍ନ କଲା ଭଳି ତାହା ହେଲା ବ୍ୟବସ୍ଥାରେ ଥିବା ଛିଦ୍ର, ଯାହା ଏଭଳି ପ୍ରବଞ୍ଚନା ଲାଗି ପ୍ରଶସ୍ତ ପ୍ରବେଶ ଦ୍ବାରରେ ପରିଣତ ହୋଇଥାଏ। ପ୍ରକାଶ ଥାଉ କି ‘େପ୍ରାଗ୍ରେସିଭ ମାୟୋପିଆ’ ଭଳି ଦୃଷ୍ଟି ଦୋଷ ହେତୁ ନିଜ ଦୃଷ୍ଟି ଶକ୍ତିରେ ପ୍ରାୟ ପଚାଶ ପ୍ରତିଶତ ହାନି ଏବଂ ‘ଲୋକୋ-ମୋଟର ଡିଜଅର୍ଡର’ ହେତୁ ଚଳତ୍ ଶକ୍ତିରେ ଆଂଶିକ ଅସାମର୍ଥ୍ୟକୁ ଦର୍ଶାଇ ସେ ଅାରକ୍ଷଣର ସୁବିଧା ନେଇଥିଲେ ହେଁ ନିଯୁକ୍ତି ପୂର୍ବରୁ ଏହାକୁ ପ୍ରମାଣିତ କରିବା ଲାଗି ଉଦ୍ଦିଷ୍ଟ ବାଧ୍ୟତାମୂଳକ ଯାଞ୍ଚ ପ୍ରକ୍ରିୟାକୁ କଳେବଳେକୌଶଳେ ଅତିକ୍ରମ କରିଯିବାରେ ସଫଳ ହୋଇଥିଲେ। ଉଲ୍ଲେଖଯୋଗ୍ୟ ଯେ କେବଳ ଦିଲ୍ଲୀସ୍ଥିତ ‘ଏମ୍ସ’ (ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ) ପକ୍ଷରୁ ଏଭଳି ଯାଞ୍ଚ କରାଯିବାର ବ୍ୟବସ୍ଥା ଥିବା ବେଳେ ସେ ‘ଏମ୍ସ’ ଦ୍ବାରା ହୋଇଥିବା ଅନ୍ୟୂନ ଚାରିଟି ଡାକରାକୁ ଅମାନ୍ୟ କରି ଏକ ଘରୋଇ ହାସପାତାଲରୁ ପ୍ରାପ୍ତ ପ୍ରମାଣପତ୍ର ଦାଖଲ କରି ପ୍ରବେଶ କରିବାର ପ୍ରାରମ୍ଭିକ ପ୍ରଚେଷ୍ଟା କରିଥିଲେ। କିନ୍ତୁ ‘ସିଭିଲ ସର୍ଭିସ’ ପରୀକ୍ଷାରେ ଉତ୍ତୀର୍ଣ୍ଣମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରୁଥିବା ଅନୁଷ୍ଠାନ ‘ଲାଲ ବାହଦୁର ଶାସ୍ତ୍ରୀ ନେସ୍ନାଲ୍ ଏକାଡେମି ଅଫ୍ ଆଡ୍ମିନିଷ୍ଟ୍ରେସନ୍’ ବା ‘ଲବାସନା’ ଦ୍ବାରା ଏହାକୁ ସ୍ବୀକୃତି ପ୍ରଦାନ କରା ନ ଯିବାରୁ ପୂଜା ‘ସେଣ୍ଟ୍ରାଲ୍ ଆଡ୍ମିନିଷ୍ଟ୍ରଟିଭ୍ ଟ୍ରିବ୍ୟୁନାଲ୍’ ବା ‘କ୍ୟାଟ୍’ର ଦ୍ବାରସ୍ଥ ହୋଇ ସେଠାରେ ମଧ୍ୟ ବିଫଳ ହୋଇଥିଲେ। କିନ୍ତୁ, ଏହା ପରେ ସେହି ଘରୋଇ ମେଡିକାଲ ଦ୍ବାରା ପ୍ରଦତ୍ତ ପ୍ରମାଣପତ୍ର କିଭଳି ‘ଲବାସନା’ ଦ୍ବାରା ଗୃହୀତ ହୋଇଯାଇଥିଲା, ତାହା ହିଁ ରହସ୍ୟଜନକ, ଯହିଁରେ ଦୁର୍ନୀତିର ସ୍ପଷ୍ଟ ଆଭାସ ମିଳିଥାଏ। ଖୁବ୍ ସମ୍ଭବ ଯେ ରାଜନୀତିରେ ସକ୍ରିୟ ତାଙ୍କ ବିତ୍ତଶାଳୀ ବ୍ୟୁରୋକ୍ରାଟ୍ ପିତାଙ୍କ ପ୍ରଭାବ କାରଣରୁ ଏଭଳି ହୋଇଥିବ। ଏଠାରେ ଉଲ୍ଲେଖ ଥାଉ କି ସର୍ବମୋଟ ୧୧ ଥର ପରୀକ୍ଷାରେ ବସି ପରିଶେଷରେ ୮୨୪ତମ ରୢାଙ୍କ ସହିତ କୃତକାର୍ଯ୍ୟ ହୋଇଥିବା ପୂଜା ବିଭିନ୍ନ ସମୟରେ ଫର୍ମ ପୂରଣ କଲା ବେଳେ ନିଜ ସଂପର୍କରେ ଏଭଳି ବିଭ୍ରାନ୍ତିକର ଓ ବେଖାପ ସୂଚନାମାନ ପ୍ରଦାନ କରିଛନ୍ତି ଯେ ନିଃସନ୍ଦେହରେ କୁହାଯାଇପାରେ ଯେ ଏହି ଚାକିରିକୁ କୌଣସିମତେ ଅପହରଣ କରିନେବାର ଉଦ୍ୟମରେ ସେ ବ୍ରତୀ ଥିଲେ।
ଯେଉଁ ଭଳି ଭାବେ ପୁଜାଙ୍କ କାର୍ଯ୍ୟକଳାପ ଅଗତ୍ୟା ପ୍ରଘଟ ହୋଇଗଲା, ତାହା ଏକ ‘ଡିଭାଇନ୍ ଜଷ୍ଟିସ୍’ ବା ‘ଈଶ୍ବରୀୟ ନ୍ୟାୟ’ ଭଳି ମନେ ହୋଇଥାଏ। ଜଣେ ଶିକ୍ଷାନବିସ ଅଧିକାରୀ ହୋଇଥିବା ସତ୍ତ୍ବେ ସେ ବ୍ୟବହାର କରୁଥିବା ଅତ୍ୟନ୍ତ ମୂଲ୍ୟବାନ ବିଳାସପୂର୍ଣ୍ଣ ବ୍ୟକ୍ତିଗତ କାର୍ରେ ନାଲି ବତି ଖଂଜିବା ଲାଗି ଜିଦି ଏବଂ ଜିଲ୍ଲାପାଳଙ୍କ ଦପ୍ତର ଓ ଚଉକିକୁ ବଳପୂର୍ବକ ଅକ୍ତିଆର କରିବାର ବହପ ତାଙ୍କର ଯେଉଁ ଭାବମୂର୍ତ୍ତି ସୃଷ୍ଟି କଲା, ତହିଁରେ ଉଦ୍ବିଗ୍ନ ଓ ରୁଷ୍ଟ ‘ଆମ ଆଦ୍ମି ପାର୍ଟ’ର ଜଣେ ନେତା ସୂଚନା ଅଧିକାର ପ୍ରୟୋଗ କରି ପୂଜାଙ୍କ ନିଯୁକ୍ତି ସଂପର୍କିତ ଯେଉଁ ସବୁ ତଥ୍ୟମାନ ଲାଭ କରିଥିଲେ, ତାହା ଚଞ୍ଚକତା ଓ ଦୁର୍ନୀତିର ପାଣ୍ଡୋରା ବାକ୍ସକୁ ଖୋଲି ଦେଇଥିଲା। ପଞ୍ଚତନ୍ତ୍ର କାହାଣୀରେ ବର୍ଣ୍ଣିତ ନୀଳବର୍ଣ୍ଣ ଶୃଗାଳର କପଟାଚରଣ ତା’ ପ୍ରବୃତ୍ତିର ଆକର୍ଷଣରେ ସହସା ଅନାବୃତ ହୋଇ ଯାଇଥିବା ଭଳି ପୂଜାଙ୍କ ସ୍ବଭାବର ପ୍ରଭାବ ଯେ ତାଙ୍କ ଜୀବନରେ ଏଭଳି ଏକ ଅନାହୂତ ଧୂକମେତୁର ଆବିର୍ଭାବ ଘଟାଇଛି, ତାହା କହିବା ବାହୁଲ୍ୟ ମାତ୍ର। କିନ୍ତୁ, ଏହା ସହିତ ଯାହା ସ୍ପଷ୍ଟ ହେବାରେ ଲାଗିଲାଣି, ତାହା ହେଲା ଆରକ୍ଷଣ ବ୍ୟବସ୍ଥାରେ ଏହି ଦୁଇ ବର୍ଗ (ଓବିସି ଓ ଭିନ୍ନକ୍ଷମ) ଅଧୀନରେ ଅନେକ ଅଯୋଗ୍ୟ ପ୍ରୋର୍ଥୀ ‘ସିଭିଲ୍ ସର୍ଭିସ୍’ର ଅଗ୍ନି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିଛନ୍ତି। ୨୦୨୧ ମସିହାରେ ଆଇଏଏସ୍ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିବା ଅଭିଷେକ ସିଂହ ହୋଇପାରନ୍ତି ଏହାର ଆଉ ଏକ ପ୍ରମାଣ, ଯିଏ ପୂଜାଙ୍କ ଭଳି ଆଂଶିକ ଚଳତ୍ ଶକ୍ତି ରହିତ ବୋଲି ଦର୍ଶାଇ ଆରକ୍ଷଣ ସହାୟତାରେ ନିଯୁକ୍ତି ପାଇଥିଲେ ହେଁ ସାମାଜିକ ଗଣମାଧ୍ୟମରେ ଉପଲବ୍ଧ ଅନେକ ଭିଡିଓରେ ବିଭିନ୍ନ ସିନେମା ନାୟିକା (ସନି ଲିଓନିଙ୍କ ସମେତ)ଙ୍କ ସହିତ ତାଙ୍କ ଉଦ୍ଦଣ୍ଡ ନୃତ୍ୟ ଅନ୍ତତଃ ପ୍ରମାଣ କରିଥାଏ ଯେ ଶାରୀରିକ ଅକ୍ଷମତା ନେଇ ତାଙ୍କ ଦାବି ମଧ୍ୟ ଅମୂଳକ। ଏହାର ଅର୍ଥ ସେ ମଧ୍ୟ କ’ଣ ପୂଜାଙ୍କ ଭଳି କୌଣସି ଘରୋଇ ଡାକ୍ତରଖାନାରୁ ପ୍ରମାଣ ପତ୍ର ଯୋଗାଡ଼ କରି ନିଯୁକ୍ତି ପାଇଥିଲେ? କେବଳ ଅଭିଷେକ ନୁହନ୍ତି, ଏଭଳି ଏକାଧିକ ତଥାକଥିତ ‘ଭିନ୍ନକ୍ଷମ’ ଅଧିକାରୀଙ୍କ ନାମ ଏବେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲିଲାଣି, ଯେଉଁମାନେ ସନ୍ଦେହାସ୍ପଦ ହୋଇ ଉଠିଛନ୍ତି। ଏହାର ଅର୍ଥ କ’ଣ ଆଇଏଏସ୍, ଆଇପିଏସ୍ ଭଳି ସର୍ବାଧିକ ମର୍ଯ୍ୟାଦାବନ୍ତ ସରକାରୀ ନିଯୁକ୍ତିକୁ ସୃଷ୍ଟି କରୁଥିବା ବ୍ୟବସ୍ଥାଟି କୀଟଦଷ୍ଟ ହୋଇ ସାରିଲାଣି? ଅନେକ ବିଶେଷଜ୍ଞ କହିଥାଆନ୍ତି ଯେ ‘ଲବାସନା’ରେ ପ୍ରଶିକ୍ଷଣ ନେଉଥିବା ଶିକ୍ଷାନବିସଙ୍କ ବିରୋଧରେ ଗୁରୁତର ଅଭିଯୋଗ ପରିପ୍ରେକ୍ଷୀରେ ଆନୁଷ୍ଠାନିକ କାର୍ଯ୍ୟାନୁଷ୍ଠାନ ପ୍ରାୟତଃ କୋହଳ ହୋଇଥାଏ ଏବଂ କଦବା କ୍ବଚିତ ହେଉଥିବା ଆଖିଦୃଶିଆ ଦଣ୍ଡ ବିଧାନକୁ ଗୋପନ କରି ରଖାଯାଇଥାଏ। ସେମାନଙ୍କ ମତରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନର ଭୟ ହୁଏତ ଏଭଳି ଉଦ୍ୟମକୁ ରୋକି ପାରନ୍ତା। ଇତିମଧ୍ୟରେ ପୂଜାଙ୍କୁ ତାଙ୍କ କ୍ଷେତ୍ର ନିଯୁକ୍ତିରୁ ହଟାଇ ‘ଲବାସନା’କୁ ଫେରାଇ ନିଆଯାଇଛି। ଆଶା କରିବା ଯେ ଏହି କେଳେଙ୍କେରିର ତୀବ୍ର ଗୋଳ ପରେ ସିଭିଲ୍ ସର୍ଭିସ୍ ନିଯୁକ୍ତି ପ୍ରକ୍ରିୟାକୁ ଛିଦ୍ର ମୁକ୍ତ କରିବାର ପ୍ରୟାସ ଉପରେ ଗୁରୁତ୍ବ ଦିଆଯିବ।
ସତ କହିଲେ ପୂଜା ଖେଡ଼କର ଯେଉଁ ଦୃଷ୍ଟି ଦୋଷର ଶିକାର ଥିଲେ ସୁଦ୍ଧା, ସେ ନେଇ ସ୍ବୟଂ ସେ ମଧ୍ୟ ଅଜ୍ଞ ଥିବେ, ତାହା ହେଉଛି ଅପରିଣାମଦର୍ଶିତା ବା ଦୂରଦୃଷ୍ଟିର ଅଭାବ। ନଚେତ୍ ସେ ଏଭଳି ଆତ୍ମଘାତୀ ଉତ୍ପାତରେ ବ୍ୟାପୃତ ହୋଇ ଥାଆନ୍ତେ! ସେମିତି ଏହି ନିଯୁକ୍ତି ବ୍ୟବସ୍ଥାରେ ଅବସ୍ଥାପିତ ମୁଷ୍ଟିମେୟ ଦୁର୍ନୀତିଗ୍ରସ୍ତ ଅଧିକାରୀମାନେ ମଧ୍ୟ ଗୋଟିଏ ଦୃଷ୍ଟିରୁ ବିଚାର କଲେ ‘ଦୃଷ୍ଟି ବାଧିତ’, କାରଣ ଅର୍ଥ ବା ଅନ୍ୟ କୌଣସି ଉତ୍କୋଚର ପ୍ରଲୋଭନ ସେମାନଙ୍କୁ ଅନ୍ଧ କରିପକାଏ ଏବଂ ସେମାନଙ୍କ ଦ୍ବାରା ଏକ ଭରସାଯୋଗ୍ୟ ଅନୁଷ୍ଠାନ କଳଙ୍କିତ ହୋଇ ପଡୁଥିବା ବିଷୟକୁ ମଧ୍ୟ ସେମାନେ ଦେଖି ପାରନ୍ତି ନାହିଁ। ତେବେ ଆଶ୍ବାସନାର ବିଷୟ ହେଲା ଏହି ପ୍ରକରଣରେ କେବଳ ଗୋଟିଏ ସରକାରୀ ଅନୁଷ୍ଠାନ ନିର୍ମଳ ଦୃଷ୍ଟି ସହିତ ଗଭୀର ଅବଲୋକନ କରିପାରିବାର ସାମର୍ଥ୍ୟ ରଖିଥିବା ଭଳି ମନେ ହୁଏ ଏବଂ ତାହା ହେଉଛି ‘ଏମ୍ସ’। ସେଭଳି ହୋଇ ନ ଥିଲେ ପୂଜା ଖେଡ଼କର ଏକ ଘରୋଇ ଡାକ୍ତରଖାନାରୁ ସହାୟତା ଲୋଡ଼ିଥାଆନ୍ତେ ବା କାହିଁକି?