୨୦୧୪ରୁ ରମେଶ ତାଙ୍କ ଦଳୀୟ ଗୁରୁ ମୋଦୀଙ୍କୁ ଲୋକସଭାରେ ଭାଷଣ ଦେବାର ଦେଖିଆସିଛନ୍ତି। ତଥାପି ନିଜେ ବକ୍ତବ୍ୟ ରଖିବା ବେଳେ ଆଉ ଜଣେ ନେତାଙ୍କ ଉସ୍କାଣରେ ଭାଷା ଉପରେ ନିୟନ୍ତ୍ରଣ ହରାଇବସିବା ଦର୍ଶାଉଛି ଯେ ସେ ଗୁରୁଙ୍କର ଜଣେ ଭଲ ଶିଷ୍ୟ ହୋଇପାରିନାହାନ୍ତି। ସେ ତାଙ୍କ ଦଳର ପ୍ରାଣପ୍ରତିଷ୍ଠାତା ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଠାରୁ ସଂଖ୍ୟାଲଘୁଙ୍କ ପ୍ରତି ସହାନୁଭୂତିର ଶିକ୍ଷା ମଧ୍ୟ ଗ୍ରହଣ କରିବା ଉଚିତ।

Advertisment

ନୂତନ ସଂସଦ ଭବନରେ ଅନୁଷ୍ଠିତ ପ୍ରଥମ ଅଧିବେଶନର ଶେଷ ଦିନରେ ବିଜେପି ଦଳର ଲୋକସଭା ସାଂସଦ ରମେଶ ବିଧୁରୀ ତାଙ୍କ ସହକର୍ମୀ ତଥା ବହୁଜନ ସମାଜ ପାର୍ଟିର ସାଂସଦ ଦାନିଶ ଅଲୀଙ୍କ ବିରୋଧରେ କେବଳ ଅସଂସଦୀୟ ଭାଷା ପ୍ରୟୋଗ କରିଛନ୍ତି, ତାହା ନୁହେଁ, ସେ ତାଙ୍କୁ ‘ଆତଙ୍କବାଦୀ’ ଓ ‘ଉଗ୍ରବାଦୀ ମୁସଲମାନ’ ସାଙ୍ଗକୁ କେତେକ ଅଶ୍ରାବ୍ୟ ଶବ୍ଦ କହି ଏକ ବିରାଟ ବିବାଦକୁ ଜନ୍ମ ଦେଇଛନ୍ତି। ସାଂସଦ ରମେଶ ଗୃହରେ ବିବାଦୀୟ ମନ୍ତବ୍ୟ ଦେଉଥିବା ବେଳେ ପଛରେ ବସିଥିବା ଦୁଇ ବରିଷ୍ଠ ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ ଡକ୍ଟର ହର୍ଷବର୍ଦ୍ଧନ ହସୁଥିବାର ଦୃଶ୍ୟ ବିବାଦକୁ ଅଧିକ ଘନୀଭୂତ କରିଛି। ଏହା ବିଜେପି ଦଳ ଓ ସରକାରଙ୍କ ପାଇଁ ମଧ୍ୟ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛି। ସେହି କାରଣରୁ ବାଚସ୍ପତି ଓମ୍‌ ବିର୍ଲା ସାଂସଦ ରମେଶଙ୍କ ମନ୍ତବ୍ୟକୁ ସଂସଦୀୟ ରେକର୍ଡରୁ ହଟାଇ ଦେଇଛନ୍ତି ଏବଂ ଏଭଳି କାର୍ଯ୍ୟର ପୁନରାବୃତ୍ତି ହେଲେ କଠୋର କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଚେତାବନୀ ଦେଇଛନ୍ତି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସାଂସଦ ରମେଶଙ୍କ ଏତାଦୃଶ ବ୍ୟବହାର ପାଇଁ ତୁରନ୍ତ ଗୃହରେ ଦୁଃଖପ୍ରକାଶ କରି କ୍ଷମା ପ୍ରାର୍ଥନା କରିଥିଲେ। ସେହିପରି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡା ମଧ୍ୟ ରମେଶଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି।
ବିରୋଧୀ ଦଳମାନେ କିନ୍ତୁ ଉପରୋକ୍ତ କାର୍ଯ୍ୟାନୁଷ୍ଠାନରେ ସନ୍ତୁଷ୍ଟ ନୁହନ୍ତି। ଦାନିଶ ଅଲୀ ବାଚସ୍ପତିଙ୍କୁ ଚିଠି ଲେଖି ଗଭୀର କ୍ଷୋଭ ବ୍ୟକ୍ତ କରିବା ସହିତ ଏହି ମାମଲାକୁ ବିଶେଷାଧିକାର କମିଟିକୁ ବିଚାର ପାଇଁ ପଠାଇବା ଲାଗି ଅନୁରୋଧ କରିଛନ୍ତି। କଂଗ୍ରେସ ଦଳ ରମେଶଙ୍କୁ ନିଲମ୍ବନ କରିବା ପାଇଁ ଦାବି କରିଛି। ଦାନିଶ ଅଲୀ ସାମ୍ବାଦିକମାନଙ୍କ ସହିତ ଆଲୋଚନା କରିବା ବେଳେ ହତାଶ ଜର୍ଜର ସ୍ବରରେ କହିବାର ଦେଖିବାକୁ ମିଳିଥିଲା ଯେ ଯଦି ସଂସଦ ଭିତରେ ଜଣେ ମୁସଲମାନ ସାଂସଦଙ୍କ ବିରୋଧରେ ଏଭଳି ଭାଷା ବ୍ୟବହାର କରାଯାଉଛି, ତେବେ ସମଗ୍ର ଦେଶରେ ସାଧାରଣ ମୁସଲମାନଙ୍କ ପ୍ରତି କେଉଁଭଳି ଭାଷା ପ୍ରୟୋଗ କରାଯାଉଥିବ, ଭାବନ୍ତୁ। ସେ ସଂସଦରୁ ଇସ୍ତଫା ଦେବା ସମ୍ପର୍କରେ ବିଚାର କରିବେ ବୋଲି ମଧ୍ୟ କହିଛନ୍ତି।
ରାଜନୈତିକ ପର୍ଯ୍ୟବେକ୍ଷକମାନେ କହନ୍ତି ଯେ ଶାସକ ଦଳର ନେତାମାନେ ବିରୋଧୀଙ୍କ ମନରେ ହତାଶା ସୃଷ୍ଟି କରିବା ଲାଗି ବିଭିନ୍ନ କୌଶଳ ଅବଲମ୍ବନ କରିଆସିଛନ୍ତି। ତେଣୁ ଉତ୍ତର ପ୍ରଦେଶର ଅମରୋହା ଲୋକସଭା ଆସନରୁ ନିର୍ବାଚିତ ଦାନିଶ ଅଲୀଙ୍କୁ ମର୍ମାହତ କରିବା ପାଇଁ ରମେଶ ବିଧୁରୀ ଜାଣିବୁଝି କ୍ଷତାକ୍ତ କରିବା ଭଳି ଶବ୍ଦଗୁଡ଼ିକ ପ୍ରୟୋଗ କରିଥିଲେ। ନିକଟ ଅତୀତରେ ଅନୁରୂପ ହତାଶା ଯୋଗୁଁ ମାସ ମାସ ଧରି ଆନ୍ଦୋଳନରତ ମହିଳା କୁସ୍ତିଯୋଦ୍ଧାମାନେ ଗଙ୍ଗାରେ ସେମାନଙ୍କ ଅଲିମ୍ପିକ୍ ପଦକଗୁଡ଼ିକୁ ଭସାଇଦେବାକୁ ଯାଇଥିଲେ; ତିନି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ ସୀମାରେ ଆନ୍ଦୋଳନରତ କୃଷକମାନଙ୍କ ମଧ୍ୟରୁ କେତେଜଣ ହତାଶ ହୋଇ ଆତ୍ମହତ୍ୟା କରିବାର ନିଷ୍ପତ୍ତି ନେଇଥିଲେ। ମଣିଷର ମନସ୍ତତ୍ତ୍ବ ଉପରେ ଶବ୍ଦର ଶକ୍ତିକୁ ଅଧ୍ୟୟନ କରୁଥିବା ବିଶେଷଜ୍ଞମାନେ କହନ୍ତି ଯେ ଶବ୍ଦ ଯେତିକି ଆଶ୍ବସ୍ତି ଦିଏ, ସେତିକି ଆଘାତ ଦେଇପାରେ; ଯେତିକି ଯୋଡ଼େ, ସେତିକି ବିଭାଜନ ସୃଷ୍ଟି କରିପାରେ। ଘୃଣାପୂର୍ଣ୍ଣ ଶବ୍ଦଗୁଡ଼ିକ ଆମ ମନରେ ଅନେକ କାଳ ଜୀବିତ ରହନ୍ତି ଏବଂ ଉଚ୍ଚାରିତ ହେବାର ଦୀର୍ଘ ସମୟ ପରେ ମାନସିକ ଓ ସାମାଜିକ କ୍ଷତି ସାଧନ କରିପାରନ୍ତି। ବିଜେପି ସାଂସଦ ରମେଶ ହୁଏତ କ୍ରୋଧର ବଶବର୍ତ୍ତୀ ହୋଇ ବାଚନିକ ହିଂସା ପ୍ରୟୋଗ କରିଥିଲେ, କିନ୍ତୁ ତାହା ଯେ ଭବିଷ୍ୟତରେ ଦେଶର କୌଣସି କୋଣରେ ବାସ୍ତବିକ ହିଂସାର ରୂପ ନେବାର ଆଶଙ୍କା ରହିଛି, ତାହା କହିବା ବାହୁଲ୍ୟ ମାତ୍ର।
ରମେଶ ବିଧୁରୀ ଦକ୍ଷିଣ ଦିଲ୍ଲୀ ଆସନର ପ୍ରତିନିଧିତ୍ବ କରନ୍ତି, ଯାହା ଭାରତର ସବୁଠାରୁ ସମୃଦ୍ଧ ଲୋକସଭା ଆସନରୁ ଗୋଟିଏ। ସେଠାକାର ଅଧିବାସୀଙ୍କ ଆୟ ଏତେ ଅଧିକ ଯେ କେତେକ ରାଜ୍ୟ, ଏପରିକି କେତେକ ଦେଶର ଆୟ ଠାରୁ ମଧ୍ୟ ତାହା ଅଧିକ ହୋଇପାରେ! ସେଠାକାର ଧାର୍ମିକ ସଂଖ୍ୟାଗରିଷ୍ଠ ଲୋକମାନେ ରମେଶଙ୍କୁ ନିର୍ବାଚିତ କରି ସେମାନଙ୍କ ମନର ଅନ୍ତର୍ନିହିତ ଭାବନାକୁ ପ୍ରକାଶ କରିବା ପାଇଁ ସଂସଦକୁ ପଠାଇଛନ୍ତି ବୋଲି ଗୋଟିଏ ଗୋଷ୍ଠୀ ବିଚାର କରିଥାଏ। ଦିନକୁ ଦିନ ବଳ ହାସଲ କରୁଥିବା ଏ ଭାବନାଟି ହେଉଛି- ଦେଶ ଉପରେ ହିନ୍ଦୁମାନଙ୍କର ହିଁ ଅଗ୍ରାଧିକାର ଅଛି; ମୁସଲମାନ ଭଳି ସଂଖ୍ୟାଲଘୁ ସଂପ୍ରଦାୟର ଲୋକମାନେ ଏଠାରେ ଦ୍ବିତୀୟ ଶ୍ରେଣୀର ନାଗରିକ ଭାବେ ହିନ୍ଦୁଙ୍କ ଅତ୍ୟାଚାର ସହ୍ୟ କରି କାଳାତିପାତ କରିବା ଉଚିତ। ଏହି ଧର୍ମଭିତ୍ତିକ ବିପଜ୍ଜନକ ଭାବନା ଏବେ ହ୍ବାଟ୍‌ସଆପ୍‌ ମେସେଜ୍‌, ରାସ୍ତାଘାଟ ଓ ଟେଲିଭିଜନ୍ ଷ୍ଟୁଡିଓ ଦେଇ ସଂସଦରେ ପହଞ୍ଚିଯାଇଛି। କିନ୍ତୁ ମନେ ରଖିବା ଆବଶ୍ୟକ ଯେ ସଂସଦ ଏକ ସାଧାରଣ ମଞ୍ଚ ନୁହେଁ। ଏହା ଆମ ଦେଶର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ମନ୍ଦିର। ଏଠାରେ ଆମେ ନିର୍ବାଚିତ କରି ପଠାଇଥିବା ସାଂସଦମାନଙ୍କ ଅଭିବ୍ୟକ୍ତିର ସ୍ବାଧୀନତାକୁ ଆଇନଗତ ସୁରକ୍ଷା ମିଳିଥାଏ। ରମେଶ ବିଧୁରୀ ସଂସଦ ମଧ୍ୟରେ ଉଚ୍ଚାରଣ କରିଥିବା ଧାର୍ମିକ ବିଦ୍ବେଷପୂର୍ଣ୍ଣ ମନ୍ତବ୍ୟ ଗୃହ ବାହାରେ ଉଚ୍ଚାରିତ ହୋଇଥିଲେ ହୁଏତ ଆପରାଧିକ ମାମଲା ଆହ୍ବାନ କରିଥାନ୍ତା। ବିରୋଧୀମାନେ ପ୍ରଶ୍ନ କରିଥାନ୍ତି ଯେ ଜନପ୍ରତିନିଧି ଭାବେ ସାଂସଦମାନଙ୍କ ବିଶେଷାଧିକାର ଯୋଗୁଁ ରମେଶଙ୍କୁ କାର୍ଯ୍ୟାନୁଷ୍ଠାନରୁ ସୁରକ୍ଷା ମିଳିଗଲା ସତ, ହେଲେ ତାଙ୍କ ମୁଖନିଃସୃତ ବିଦ୍ବେଷପୂର୍ଣ୍ଣ ମନ୍ତବ୍ୟ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହୋଇ ଜନସମାଜରେ ଯେଉଁ ହିଂସାତ୍ମକ ବାତାବରଣ ସୃଷ୍ଟି କରୁଛି, ତାହା ସଂଖ୍ୟାଲଘୁ ସଂପ୍ରଦାୟର ଲୋକମାନଙ୍କ ଅସୁରକ୍ଷାବୋଧକୁ ତୀବ୍ର କରୁ ନାହିଁ କି?
ଏ ଭିତରେ ବିଜେପିର ବରିଷ୍ଠ ସାଂସଦ ନିଶିକାନ୍ତ ଦୁବେ ଉକ୍ତ ମନ୍ତବ୍ୟ ପଛର ଘଟଣାବଳୀକୁ ଉଦ୍ଧାର କରି ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଏକ ଚିଠି ଲେଖିଛନ୍ତି। ସେଥିରେ ସେ ଦର୍ଶାଇଛନ୍ତି ଯେ ରମେଶ ବିଧୁରୀ ଚନ୍ଦ୍ରଯାନ-୩ର ସଫଳତା ସମ୍ପର୍କରେ କହୁଥିବା େବଳେ ବିଏସ୍‌ପି ସାଂସଦ ଦାନିଶ ଅଲୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ‘ଅକ୍ଷମଣୀୟ’ ଟିପ୍ପଣୀ କରିଥିଲେ। ଏହା ଯେ କୌଣସି ଦେଶଭକ୍ତ ଜନପ୍ରତିନିଧିଙ୍କୁ କ୍ରୋଧାନ୍ବିତ କରି ଭାଷାର ସଂଯମ ଭୁଲାଇଦେବାକୁ ଯଥେଷ୍ଟ ଥିଲା, ଯାହାର ପରିଣାମ ସ୍ବରୂପ ରମେଶ ବିଧୁରୀ ଉକ୍ତ ବିବାଦୀୟ ମନ୍ତବ୍ୟ ପ୍ରଦାନ କରିଥିଲେ। ତେଣୁ ଦାନିଶଙ୍କ ଆଚରଣ ସମ୍ପର୍କରେ ମଧ୍ୟ ତଦନ୍ତ କରିବା ପାଇଁ ନିଶିକାନ୍ତ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି।
ଏହା ସତ ଯେ, ସଂସଦରେ ଭାଷଣ ଦେବା ସମୟରେ ପ୍ରତିପକ୍ଷ ଦଳର ନେତାମାନେ ବକ୍ତାମାନଙ୍କ ଭାଷଣକୁ ପ୍ରଭାବହୀନ କରିବା ଲାଗି ବିଭିନ୍ନ କୂଟ କୌଶଳ ପ୍ରୟୋଗ କରିଥାନ୍ତି- କେତେବେଳେ ହୋହାଲ୍ଲା କରି ତ କେତେବେଳେ ଟିପ୍ପଣୀମାନ କରି। ଅଭିଜ୍ଞ ସାଂସଦମାନେ କିନ୍ତୁ ସେଗୁଡ଼ିକୁ ଅଣଦେଖା କରିବା ଏବଂ ଆବଶ୍ୟକ ସ୍ଥଳେ ହାଲୁକା ଭାଷାେର ହସ୍ତକ୍ଷେପକାରୀଙ୍କୁ ଚୁପ୍ କରାଇବାର ଆଦବକାଇଦା ଜାଣିଥାନ୍ତି, ଯାହା ସଂସଦୀୟ ପରଂପରାରେ ଗ୍ରହଣୀୟ। ସେଭଳି ଜଣେ ବିଚକ୍ଷଣ ବକ୍ତା ହେଉଛନ୍ତି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ଗୃହରେ ଭାଷଣ ଦେବା ସମୟରେ ବିରୋଧୀଙ୍କ ହଟ୍ଟଗୋଳର ପ୍ରତିକ୍ରିୟାରେ ଲୋକବାଣୀ ଓ କଟାକ୍ଷ ପ୍ରୟୋଗ କରିଥା’ନ୍ତି। ସେଥିରେ କ୍ରୋଧ ଅଥବା ଘୃଣାର ସାମାନ୍ୟ ଚିହ୍ନ ନ ଥାଏ। ୨୦୧୪ରୁ ରମେଶ ତାଙ୍କ ଦଳୀୟ ଗୁରୁ ମୋଦୀଙ୍କୁ ଲୋକସଭାରେ ଭାଷଣ ଦେବାର ଦେଖିଆସିଛନ୍ତି। ତଥାପି ନିଜେ ବକ୍ତବ୍ୟ ରଖିବା ବେଳେ ଆଉ ଜଣେ ନେତାଙ୍କ ଉସ୍କାଣରେ ଭାଷା ଉପରେ ନିୟନ୍ତ୍ରଣ ହରାଇବସିବା ଦର୍ଶାଉଛି ଯେ ସେ ଗୁରୁଙ୍କର ଜଣେ ଭଲ ଶିଷ୍ୟ ହୋଇପାରିନାହାନ୍ତି। ସେ ତାଙ୍କ ଦଳର ପ୍ରାଣପ୍ରତିଷ୍ଠାତା ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଠାରୁ ସଂଖ୍ୟାଲଘୁଙ୍କ ପ୍ରତି ସହାନୁଭୂତିର ଶିକ୍ଷା ମଧ୍ୟ ଗ୍ରହଣ କରିବା ଉଚିତ। ସଂବିଧାନ ସଭାରେ ବିତର୍କ ସମୟର କଥା। ଜବାହାରଲାଲ ନେହରୁ ଚାହୁଁଥିଲେ ଯେ, ଖ୍ରୀଷ୍ଟମାସରେ ଛୁଟି ନ ନେଇ ସାଂସଦମାନେ ବସି କାମ କରନ୍ତୁ। କିନ୍ତୁ ସେହି ସମୟରେ ଯେଉଁ ସାଂସଦ ଖ୍ରୀଷ୍ଟମାସ ଛୁଟି ପାଇଁ ଦାବି କରିଥିଲେ ସେ ଜଣେ ଖ୍ରୀଷ୍ଟିଆନ୍ ନ ଥିଲେ, ବରଂ ଥିଲେ ଜଣେ ହିନ୍ଦୁ- ସ୍ବୟଂ ଶ୍ୟାମାପ୍ରସାଦ ମୁଖାର୍ଜୀ।
ଭାରତୀୟ ମୁସଲମାନମାନେ ଯଦି ରମେଶ ବିଧୁରୀଙ୍କ ମନ୍ତବ୍ୟ ଯୋଗୁଁ ମର୍ମାହତ ଓ ହତାଶ ଅନୁଭବ କରୁଥାନ୍ତି, ତେବେ ତାହାକୁ ଲାଘବ କରିବା ପାଇଁ ବିଜେପି ଦଳର ଅଧ୍ୟକ୍ଷ ନଡ୍ଡା ମହାଶୟ ରମେଶଙ୍କୁ ସତର୍କ ଓ ସଚେତନ କରାଇଦେବା ଉଚିତ।