ରାଜିନାମାର ଶବ୍ଦକୁ କାର୍ଯ୍ୟରେ ରୂପାନ୍ତରିତ କରିବା ହେଉଛି ଅତ୍ୟନ୍ତ କଠିନ କାର୍ଯ୍ୟ। ବିକାଶଶୀଳ ଦେଶମାନଙ୍କୁ ଯଦି ବିକଶିତ ଦେଶମାନେ ଏଥିପାଇଁ ସହାୟତା ପ୍ରଦାନ ନ କରନ୍ତି, ତେବେ ସେମାନଙ୍କ ପକ୍ଷରେ ତୁରନ୍ତ ଜୀବାଶ୍ମ ଇନ୍ଧନ ପରିତ୍ୟାଗ କରିବା ସମ୍ଭବ ହେବ ନାହିଁ। ‘ଏନର୍ଜି ଟ୍ରାନ୍ଜିସନ୍ କମିସନ୍’ ନାମକ ଏ କ୍ଷେତ୍ରରେ ସକ୍ରିୟ ଥିବା ଏକ ଗବେଷଣା ସଂସ୍ଥା ଅନୁସାରେ ବିକାଶଶୀଳ ଦେଶମାନେ ଯଦି ଚଳିତ ଦଶନ୍ଧିର ଶେଷ ସୁଦ୍ଧା କୋଇଲାଭିତ୍ତିକ ଶକ୍ତି ପୂରାପୂରି ବର୍ଜନ କରନ୍ତି, ତେବେ ବିକଶିତ ଦେଶମାନଙ୍କ ତରଫରୁ ସେମାନଙ୍କୁ ବର୍ଷକୁ ୨୫-୫୦ ବିଲିଅନ୍ ଡଲାର୍ ଅନୁଦାନ ପ୍ରଦାନ କରିବାକୁ ହେବ।
ଚାଣକ୍ୟଙ୍କ ଉପଦେଶ ଅନୁସାରେ କୌଣସି ସମସ୍ୟା ଠାରୁ ସ୍ଥାୟୀ ଭାବରେ ମୁକ୍ତି ପାଇବାକୁ ହେଲେ, ସେ ସମସ୍ୟାର ମୂଳୋତ୍ପାଟନ ହେଉଛି ଏକମାତ୍ର ତଥା ନିଶ୍ଚିତ ଉପାୟ। ଏହି ନିୟମକୁ ଅନୁସରଣ କରି ଚାଣକ୍ୟ କୁଶ ଘାସର ସଂପୂର୍ଣ୍ଣ ବିନାଶ ସାଧନ କରିବା ନିମିତ୍ତ ଅବଲମ୍ବନ କରିଥିବା କୌଶଳ ତାଙ୍କ ସହିତ ପ୍ରଥମ ସାକ୍ଷାତ ଅବସରରେ ଚନ୍ଦ୍ରଗୁପ୍ତଙ୍କୁ କିପରି ପ୍ରଭାବିତ କରିଥିଲା, ତାହା ଏକ ସୁପରିଚିତ କିଂବଦନ୍ତିରେ ପରିଣତ ହୋଇ ପିଢ଼ି ପରେ ପିଢ଼ିକୁ ଚମତ୍କୃତ କରି ଚାଲିଛି। କୁଶ ଘାସର ଖୁଣ୍ଟାରେ ଖେଞ୍ଚି ହୋଇଯାଇ ତାଙ୍କର ପାଦ ଖଣ୍ଡିଆ ହୋଇଯିବାରୁ ଚାଣକ୍ୟ ସେ ଅଞ୍ଚଳରେ କୁଶକୁ ସମୂଳେ ବିନାଶ କରିବା ଉଦ୍ଦେଶ୍ୟରେ କୁଶ ବୁଦାମାନଙ୍କର ମୂଳରେ ଗୁଡ଼ ପଣା ଢାଳିଦେଲେ, ଯେଉଁ ଦୃଶ୍ୟ ଚନ୍ଦ୍ରଗୁପ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଥିଲା। ଚନ୍ଦ୍ରଗୁପ୍ତଙ୍କ ଅନୁସନ୍ଧିତ୍ସା ଦୂର କରି ଚାଣକ୍ୟ ତାଙ୍କୁ ବୁଝାଇ ଦେଇଥିଲେ ଯେ ଗୁଡ଼ ପଣା ଦ୍ବାରା ଆକର୍ଷିତ ହୋଇ ଅସଂଖ୍ୟ ପିମ୍ପୁଡ଼ି ଆସି ମାଟି ତଳେ ପ୍ରବେଶ କରି କୁଶର ଚେର ସବୁକୁ କାଟି ଖିନ୍ଭିନ୍ କରିଦେବେ- କୁଶ ବଂଶର ସମୂଳେ ବିନାଶ ଘଟିବ।
ଏତେ ଦିନ ଧରି ଏଣେତେଣେ ବାଡ଼ି ବୁଲାଇବା ପରେ ଦୁବାଇ ଠାରେ ସଦ୍ୟସମାପ୍ତ ହୋଇଥିବା ଜାତିସଂଘ ଜଳବାୟୁ ସମ୍ମିଳନୀ ‘କପ୍-୨୮’ରେ ଚାଣକ୍ୟଙ୍କୁ ଅନୁସରଣ କଲା ଭଳି ବିଶ୍ବତାପନ ବା ଉତ୍ତପ୍ତୀକରଣ ସମସ୍ୟାର ସ୍ଥାୟୀ ଦୂରୀକରଣ ନିମିତ୍ତ ପ୍ରଥମ ଥର ପାଇଁ ତା’ର ମୂଳୋତ୍ପାଟନର ଆବଶ୍ୟକତା ଉପରେ ଦୃଷ୍ଟି କେନ୍ଦ୍ରୀଭୂତ କରାଯାଇଛି। ବିଶ୍ବ ଉତ୍ତପ୍ତୀକରଣର ମୂଳ କେଉଁଠିକି ଲମ୍ବିଛି, ତାହା ଦୀର୍ଘ କାଳ ଧରି କାହାକୁ ଅଜଣା ନୁହେଁ: କୋଇଲା, ପେଟ୍ରୋଲିଅମ୍ ଆଦି ଭଳି ଜୀବାଶ୍ମ ଇନ୍ଧନ। ଏହି ଇନ୍ଧନର ଦହନରୁ ନିର୍ଗତ ‘ଗ୍ରିନ୍ହାଉସ୍ ଗ୍ୟାସ୍’ (‘ଜିଏଚ୍ଜି’) ଉତ୍ତାପକୁ ଧରି ରଖିବା ଫଳରେ ବାୟୁମଣ୍ଡଳର ତାପମାତ୍ରାରେ ବୃଦ୍ଧି ଘଟିଥାଏ। କିନ୍ତୁ ବିଗତ ପ୍ରାୟ ତିନି ଦଶନ୍ଧି ଧରି ଚାଲି ଆସିଥିବା ଆନ୍ତର୍ଜାତିକ ଆଲୋଚନାରେ ଅଂଶଗ୍ରହଣକାରୀ ଦେଶମାନେ କେବେ ହେଲେ ଏହି ମୂଳ କାରଣ ସହିତ ସିଧାସଳଖ ମୁକାବିଲା କରିବା ନିମିତ୍ତ ଏ ପର୍ଯ୍ୟନ୍ତ କୌଣସି ରାଜିନାମାରେ ପହଞ୍ଚି ପାରି ନ ଥିଲେ। ଗତ ୧୩ ତାରିଖ ସକାଳେ ସେଥିରେ ପରିବର୍ତ୍ତନ ଘଟି ଦୁବାଇ ଠାରେ ‘କପ୍-୨୮’ର ଉଦ୍ଯାପନ ଅବସରରେ ସେମାନେ ପ୍ରଥମ ଥର ପାଇଁ ‘‘ଏହି ଘଡ଼ିସନ୍ଧି ଦଶକରେ... ଶକ୍ତି ବ୍ୟବସ୍ଥାମାନଙ୍କରେ କ୍ରମେ ଜୀବାଶ୍ମ ଇନ୍ଧନ ଠାରୁ ଦୂରେଇ ଯିବା’’ ପାଇଁ ଏକ ମିଳିତ ରାଜିନାମା ମାଧ୍ୟମରେ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି। ଅର୍ଥାତ୍, ସେମାନେ ବିଶ୍ବତାପନ ସୃଷ୍ଟିକାରୀ ଜୀବାଶ୍ମ ଇନ୍ଧନ ରୂପକ କୁଶ ମୂଳରେ ଗୁଡ଼ ପଣା ଢାଳିବାକୁ ଆରମ୍ଭ କରିଛନ୍ତି।
ନଭେମ୍ବର ୩୦ରେ ଯେତେବେଳେ ଦୁବାଇ ଠାରେ ଏହି ଜାତିସଂଘ ଜଳବାୟୁ ସମ୍ମିଳନୀ ଆରମ୍ଭ ହେଲା, ସେତେବେଳେ ସେଥିରୁ ଏତିକି ସଫଳତା ମିଳିବା ନେଇ ମଧ୍ୟ ଅନେକ ପର୍ଯ୍ୟବେକ୍ଷକ ସନ୍ଦିହାନ ଥିଲେ। ଏହାର କାରଣ ବୁଝିବା ମଧ୍ୟ କଷ୍ଟକର ନ ଥିଲା। ପ୍ରଥମତଃ, ‘କପ୍-୨୮’ର ଆୟୋଜକ ଦେଶ ‘ସଂଯୁକ୍ତ ଆରବ ଏମିରେଟ୍ସ’ (‘ୟୁଏଇ’) ହେଉଛି ପୃଥିବୀର ପ୍ରମୁଖ ଜୀବାଶ୍ମ ଇନ୍ଧନ ଉତ୍ପାଦନକାରୀ ଦେଶମାନଙ୍କ ମଧ୍ୟରୁ ଅନ୍ୟତମ। ଦ୍ବିତୀୟରେ, ‘କପ୍-୨୮’ର ଚେଆର୍ମ୍ୟାନ୍ ସୁଲ୍ତାନ୍ ଆଲ୍-ଜାବର୍ ମଧ୍ୟ ହେଉଛନ୍ତି ସେ ଦେଶର ଜାତୀୟ ତୈଳ କଂପାନିର ମୁଖ୍ୟ। ତେଣୁ ଆଶଙ୍କା କରାଯାଉଥିଲା ଯେ ‘କପ୍-୨୮’ କେବଳ ଏହାର ଆୟୋଜକ ଦେଶ ଓ ସେଭଳି ଅନ୍ୟ ପେଟ୍ରୋଉତ୍ପାଦନକାରୀ ଦେଶମାନଙ୍କର ଭାବମୂର୍ତ୍ତି ସଫା କରିବା ପାଇଁ କେତେକ ଲୋକ ଦେଖାଣିଆ ନିଷ୍ପତ୍ତି ନେବାରେ ସୀମିତ ରହିବ, ଯାହା ‘ଗ୍ରିନ୍ୱାସିଙ୍ଗ୍’ ରୂପେ ପରିଚିତ। ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରତ୍ୟାବର୍ତ୍ତନ ସେଇ ଅଞ୍ଚଳରେ ଆୟୋଜିତ ଏହି ସମ୍ମିଳନୀର ଭାଗ୍ୟକୁ ମଧ୍ୟ ଅନିଶ୍ଚିତ କରି ଦେଇଥିଲା। ଇସ୍ରାଏଲ୍ ଓ ହମାସ୍ ମଧ୍ୟରେ ଚାଲିଥିବା ସେଇ ଯୁଦ୍ଧ ଓ ୟୁକ୍ରେନ୍ ଯୁଦ୍ଧ ଆନ୍ତର୍ଜାତିକ କୂଟନୀତିରେ ଯେଉଁଭଳି ଅସ୍ଥିରତା ସୃଷ୍ଟି କରିଛି, ତାହା ଏହି ସମ୍ମିଳନୀକୁ ପ୍ରଭାବିତ କରିବ ବୋଲି ଆଶଙ୍କା ପ୍ରକାଶ ପାଉଥିଲା। କିନ୍ତୁ ଶେଷରେ ଏ ସମସ୍ତ ଆଶଙ୍କାକୁ ଅମୂଳକ ସାବ୍ୟସ୍ତ କରି ସମ୍ମିଳନୀରେ ଅଂଶଗ୍ରହଣକାରୀ ୧୯୮ଟି ଦେଶ ‘‘ଏକ ନ୍ୟାୟୋଚିତ, ଶୃଙ୍ଖଳିତ ଏବଂ ଯଥାର୍ଥ ବାଟରେ’’ ଉତ୍ତପ୍ତୀକରଣର ମୁଖ୍ୟ କାରଣ ହୋଇଥିବା କୋଇଲା, ତୈଳ ଓ ପ୍ରାକୃତିକ ବାଷ୍ପ ଆଦି ଜୀବାଶ୍ମ ଇନ୍ଧନମାନ ଠାରୁ କ୍ରମଶଃ ଦୂରେଇ ଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି।
ଏହି କ୍ରମଶଃ ଦୂରେଇ ଯିବା (ଟ୍ରାନ୍ଜିସନ୍)କୁ ଅବଶ୍ୟ ଅନେକ ଜଳବାୟୁ ଆନ୍ଦୋଳନକାରୀମାନେ ଯଥେଷ୍ଟ ବୋଲି ବିଚାର କରୁ ନାହାନ୍ତି। ସେମାନେ ନିର୍ଦ୍ଧାରିତ ସମୟସୀମାମାନଙ୍କରେ ଜୀବାଶ୍ମ ଇନ୍ଧନସବୁର ସଂପୂର୍ଣ୍ଣ ଅପସାରଣ ଘଟିବା ଚାହାଁନ୍ତି (ଫେଜ୍-ଆଉଟ୍)। କିନ୍ତୁ ‘ଫେଜ୍-ଆଉଟ୍’ ପାଇଁ ଅହୋରାତ୍ର କଥାବାର୍ତ୍ତା ଚାଲିବା ସତ୍ତ୍ବେ ମଧ୍ୟ ସାଉଦୀ ଆରବ ଓ ଅନ୍ୟାନ୍ୟ ତୈଳ-ନିର୍ଭରଶୀଳ ଦେଶମାନଙ୍କର ତୀବ୍ର ବିରୋଧ ଯୋଗୁଁ ତାହା ଗୃହୀତ ହୋଇପାରି ନ ଥିଲା। ଶେଷରେ ଗୃହୀତ ହୋଇଥିବା ରାଜିନାମା ଅନୁସାରେ ହଠାତ୍ ଜୀବାଶ୍ମ ଇନ୍ଧନର ଅନ୍ତ ଘଟିବାକୁ ଯାଉନାହିଁ ବୋଲି ଗ୍ରହଣ କରାଯାଇଥିଲେ ହେଁ, ଏହାର ଅନ୍ତ ଘଟିବା ଯେ ଅନିବାର୍ଯ୍ୟ, ତାହା ମଧ୍ୟ ଗ୍ରହଣ କରାଯାଇଛି।
ଉଭୟ ରାଜନୈତିକ ଓ ଅର୍ଥନୈତିକ ଦୃଷ୍ଟିରୁ ଅବିଳମ୍ବେ ଜୀବାଶ୍ମ ଇନ୍ଧନର ଅନ୍ତ ଘଟିବା ମଧ୍ୟ ସମ୍ଭବ ନୁହେଁ। ‘କପ୍’ ସର୍ବସମ୍ମତି ଭିତ୍ତିରେ କାର୍ଯ୍ୟ କରିଥାଏ; ଏହାର ଅର୍ଥ ଯଦି ଗୋଟିଏ ବି ତୈଳ-ଉତ୍ପାଦନକାରୀ ଦେଶ ନ ଚାହେଁ, ତେବେ ଏଥିପାଇଁ ଆବଶ୍ୟକ ରାଜିନାମା ଗୃହୀତ ହୋଇ ପାରିବ ନାହିଁ। ଆସନ୍ତା ଦଶନ୍ଧିମାନଙ୍କରେ ଯେଉଁ ପ୍ରଦୂଷଣହୀନ ଶକ୍ତି ବ୍ୟବହାର କଥା ଚିନ୍ତା କରାଯାଉଛି, ସେଥିରେ ମଧ୍ୟ ଜୀବାଶ୍ମ ଇନ୍ଧନର ଭୂମିକା ରହିଛି। ଆଗାମୀ ସମୟରେ ଯେଉଁ ମିଶ୍ର-ଶକ୍ତି କଥା ଚିନ୍ତା କରାଯାଉଛି, ସେଥିରେ ମଧ୍ୟ ତୈଳ ଓ ବାଷ୍ପ ଉପସ୍ଥିତ ରହିବେ, ଯଦିବା ଉନ୍ନତ ପ୍ରବିଧି ପ୍ରୟୋଗ କରି େସମାନଙ୍କର ‘ଜିଏଚ୍ଜି’ ନିର୍ଗମନକୁ ବହିଷ୍କାର କରି ଦିଆଯିବ। ଏପରିକି ୨୦୫୦ ମଧ୍ୟରେ ଯେଉଁ ‘ନେଟ୍ ଜିରୋ’ ନିର୍ଗମନ ଲକ୍ଷ୍ୟ ରଖାଯାଇଛି, ସେ ଅବସ୍ଥାରେ ମଧ୍ୟ ଏଇଭଳି ପରିଷ୍କୃତ ଜୀବାଶ୍ମ ଇନ୍ଧନର ଉପସ୍ଥିତି ଦେଖିବାକୁ ମିଳିବ।
ତେବେ ଜଳବାୟୁ ନିୟନ୍ତ୍ରଣ ନିମିତ୍ତ ଏକ ରାଜିନାମାରେ ପହଞ୍ଚିବା ହେଉଛି ଏ ଲକ୍ଷ୍ୟ ହାସଲ ଦିଗରେ ଲମ୍ବିଥିବା ଦୀର୍ଘ ଓ ପିଚ୍ଛିଳ ପଥ ତୁଳନାରେ ଅପେକ୍ଷାକୃତ ସହଜ ଏକ ଉପଲବ୍ଧି। ରାଜିନାମାର ଶବ୍ଦକୁ କାର୍ଯ୍ୟରେ ରୂପାନ୍ତରିତ କରିବା ହେଉଛି ଅତ୍ୟନ୍ତ କଠିନ କାର୍ଯ୍ୟ। ବିକାଶଶୀଳ ଦେଶମାନଙ୍କୁ ଯଦି ବିକଶିତ ଦେଶମାନେ ଏଥିପାଇଁ ସହାୟତା ପ୍ରଦାନ ନ କରନ୍ତି, ତେବେ ସେମାନଙ୍କ ପକ୍ଷରେ ତୁରନ୍ତ ଜୀବାଶ୍ମ ଇନ୍ଧନ ପରିତ୍ୟାଗ କରିବା ସମ୍ଭବ ହେବ ନାହିଁ। ‘ଏନର୍ଜି ଟ୍ରାନ୍ଜିସନ୍ କମିସନ୍’ ନାମକ ଏ କ୍ଷେତ୍ରରେ ସକ୍ରିୟ ଥିବା ଏକ ଗବେଷଣା ସଂସ୍ଥା ଅନୁସାରେ ବିକାଶଶୀଳ ଦେଶମାନେ ଯଦି ଚଳିତ ଦଶନ୍ଧିର ଶେଷ ସୁଦ୍ଧା କୋଇଲାଭିତ୍ତିକ ଶକ୍ତି ପୂରାପୂରି ବର୍ଜନ କରନ୍ତି, ତେବେ ବିକଶିତ ଦେଶମାନଙ୍କ ତରଫରୁ ସେମାନଙ୍କୁ ବର୍ଷକୁ ୨୫-୫୦ ବିଲିଅନ୍ ଡଲାର୍ ଅନୁଦାନ ପ୍ରଦାନ କରିବାକୁ ହେବ। ଏହା ବ୍ୟତୀତ ‘ମିଥେନ୍’ ବାଷ୍ପ ନିର୍ଗମନ ହ୍ରାସ ପାଇଁ ‘କପ୍-୨୮’ରେ ଦିଆଯାଇଥିବା ଅାହ୍ବାନ ମଧ୍ୟ ଭାରତ ଭଳି କୃଷିଭିତ୍ତିକ ଅର୍ଥନୀତି ପାଇଁ ସମସ୍ୟାଜନକ; କାରଣ ଉଭୟ ଗାଈଗୋରୁ ଓ କୃଷିକ୍ଷେତ୍ର ହେଉଛନ୍ତି ମିଥେନ୍ ନିର୍ଗମନର ଏକ ମୁଖ୍ୟ ଉତ୍ସ।
ଏ ସମସ୍ତ ପ୍ରତିବନ୍ଧକ ସତ୍ତ୍ବେ ଏହା ମଧ୍ୟ ସ୍ବୀକାର କରିବାକୁ ହେବ ଯେ, େଯହେତୁ ସମସ୍ୟାର ସମାଧାନ ଦିଗରେ ପ୍ରଥମ ପଦକ୍ଷେପ ହେଉଛି ସମସ୍ୟାର ଚିହ୍ନଟ, ତେଣୁ ‘କପ୍-୨୮’ରେ ଜୀବାଶ୍ମ ଇନ୍ଧନର ଚିହ୍ନଟ ହେଉଛି ପରିଶେଷରେ ଏହାର ବିଲୋପ ସାଧନ ଦିଗରେ ପ୍ରଥମ ପଦକ୍ଷେପ।