୨୦୧୬-୧୭ରେ ପେଟେଣ୍ଟ୍ ଆବେଦନକାରୀମାନଙ୍କ ମଧ୍ୟରେ ଭାରତୀୟ ବାସିନ୍ଦାମାନଙ୍କର ଅନୁପାତ ମାତ୍ର ୨୯ ଶତାଂଶ ଥିବା ବେଳେ ୨୦୨୨-୨୩ରେ ତାହା ବୃଦ୍ଧି ପାଇ ହୋଇଛି ୫୨.୩ ଶତାଂଶ- ଅର୍ଦ୍ଧେକରୁ ଅଧିକ। ଏଥିପୂର୍ବରୁ ମୁଖ୍ୟତଃ ବିଦେଶୀ କଂପାନିମାନେ ସେମାନଙ୍କର ବିଦେଶୀ ପେଟେଣ୍ଟ୍ମାନଙ୍କୁ ନିୟମିତ କରିବା ଉଦ୍ଦେଶ୍ୟରେ ଏଠାରେ ପେଟେଣ୍ଟ୍ ପାଇଁ ଆବେଦନ କରୁଥିଲେ; ବର୍ତ୍ତମାନ କିନ୍ତୁ ଅଧିକରୁ ଅଧିକ ସଂଖ୍ୟାରେ ଭାରତୀୟମାନେ ପେଟେଣ୍ଟ୍ ପାଇବା ପାଇଁ ଆବେଦନ କରିବାକୁ ଲାଗିଲେଣି।
ଭାରତର ମୋଟ ବାର୍ଷିକ ଜାତୀୟ ଉତ୍ପାଦ ବା ‘ଜିଡିପି’ର ଆକାର ଓ ତା’ର ବୃଦ୍ଧି ହାର ବର୍ତ୍ତମାନ ଦେଶ ଭିତରେ ଓ ବାହାରେ ଏକ ବିରଳ ବ୍ୟତିକ୍ରମ ରୂେପ ଅର୍ଥନୀତିଜ୍ଞ ତଥା ସାଧାରଣ ପର୍ଯ୍ୟବେକ୍ଷକମାନଙ୍କର ପ୍ରଶଂସା ଲାଭ କରିବାରେ ଲାଗିଛି। ‘ଜିଡିପି’ ସାଧାରଣତଃ ଉତ୍ପାଦିତ ଦ୍ରବ୍ୟ ଓ ସେବାମାନଙ୍କର ମୋଟ ‘ପରିମାଣ’ ରୂପେ ପ୍ରଦର୍ଶିତ ହେଉଥିଲେ ହେଁ ଏହା ମଧ୍ୟ ମନେ ରଖିବା ଗୁରୁତ୍ବପୂର୍ଣ୍ଣ ଯେ ଦ୍ରବ୍ୟ ବା ସେବାମାନଙ୍କର ପ୍ରକାର ଭେଦ ମଧ୍ୟ ଉପଭୋକ୍ତାମାନଙ୍କର ସନ୍ତୋଷକୁ ଅର୍ଥାତ୍ ଜନମଙ୍ଗଳକୁ ପ୍ରଭାବିତ କରିଥାଏ। କୁହାଯାଇଥାଏ, ପ୍ରକାର ଭେଦ ହେଉଛି ଜୀବନର ସ୍ବାଦ। ଏହି ପ୍ରକାର ଭେଦର ସଂପ୍ରସାରଣ ମଧ୍ୟ ହେଉଛି ଅର୍ଥନୈତିକ ବିକାଶର ଏକ ଅଂଶ ବୋଲି ଅର୍ଥନୀତିଜ୍ଞମାନେ ବିଶ୍ବାସ କରିଥାନ୍ତି: ବଜାରରେ କେବଳ ଗୋଟିଏ ପ୍ରକାର ମୁଣ୍ଡବିନ୍ଧା ଔଷଧ ନ ମିଳି ବିଭିନ୍ନ ବ୍ରାଣ୍ଡ୍ର ମୁଣ୍ଡବିନ୍ଧା ଔଷଧ ମିଳିଲେ କିମ୍ବା ଗୋଟିଏ ପ୍ରକାର ଇଲେକ୍ଟ୍ରିକ୍ ଡ୍ରିଲ୍ ନ ମିଳି ବିଭିନ୍ନ ବ୍ରାଣ୍ଡ୍ର ଡ୍ରିଲ୍ ମିଳିଲେ ଅର୍ଥନୈତିକ ବିକାଶ ଅଧିକ ହୁଏ ବୋଲି ସେମାନେ ମତ ପୋଷଣ କରିଥାନ୍ତି। ନୋବେଲ୍ ପୁରସ୍କାର ବିଜେତା ବିଶିଷ୍ଟ ଅର୍ଥନୀତିଜ୍ଞ ଅମର୍ତ୍ୟ ସେନ୍ ତେଣୁ ତାଙ୍କର ବହୁ ଆଲୋଚିତ ପୁସ୍ତକ, ‘ଡେଭେଲପ୍ମେଣ୍ଟ୍ ଆଜ୍ ଫ୍ରିଡମ୍’ (‘ସ୍ବାଧୀନତା ହେଉଛି ବିକାଶ’)ରେ କହିଥିଲେ ଯେ ଅର୍ଥନୈତିକ ବିକାଶ ହେଉଛି ସ୍ବାଧୀନତାରେ ଘଟୁଥିବା ବୃଦ୍ଧି। ଏହି ସ୍ବାଧୀନତାର ଗୋଟିଏ ଦିଗ ହେଉଛି ଅର୍ଥନୀତିରେ ଉପଲବ୍ଧ ଦ୍ରବ୍ୟ ଓ ସେବା ସବୁର ପ୍ରକାର ଭେଦ- ଅତି ସାମାନ୍ୟରୁ ଆରମ୍ଭ କରି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟନ୍ତ।
ଯେଉଁ ସୃଜନଶୀଳ ଉଦ୍ୟୋଗୀ ବା ଇନୋଭେଟର୍ମାନେ ଉପଭୋକ୍ତାମାନଙ୍କର ଏହି ସ୍ବାଧୀନତାକୁ ସଂପ୍ରସାରିତ କରିବା ପାଇଁ ନୂଆ ନୂଆ ପ୍ରକାରର ଦ୍ରବ୍ୟ ଉଦ୍ଭାବନ କରନ୍ତି, ସେମାନେ ସର୍ବଦା ନକଲକାରୀମାନଙ୍କୁ ଭୟ କରିଥାନ୍ତି। ନକଲକାରୀଙ୍କ ଠାରୁ ଏହି ଉଦ୍ଭାବନକାରୀମାନଙ୍କୁ ସୁରକ୍ଷା ପ୍ରଦାନ ନିମିତ୍ତ ‘ପେଟେଣ୍ଟ୍’ ଓ ‘ଟ୍ରେଡ୍ମାର୍କ’ ପ୍ରଦାନ ବ୍ୟବସ୍ଥା କାର୍ଯ୍ୟ କରିଥାଏ। ଉଦ୍ଭାବିତ ଦ୍ରବ୍ୟ ବା ସେବାର ମୌଳିକତାକୁ ପରଖିବା ପରେ ସଂପୃକ୍ତ ଉଦ୍ଭାବନକୁ ସରକାର ପେଟେଣ୍ଟ୍ ପ୍ରଦାନ କରି ନକଲକାରୀଙ୍କ ଠାରୁ ସୁରକ୍ଷିତ ରଖିଥାନ୍ତି। ଏହା କେବଳ ଅର୍ଥନୀତିରେ ଉପଲବ୍ଧ ଦ୍ରବ୍ୟ ଓ ସେବା ସବୁର ପ୍ରକାର ଭେଦରେ ବୃଦ୍ଧି ଘଟାଇ ଉପଭୋକ୍ତାମାନଙ୍କର ପସନ୍ଦ କ୍ଷେତ୍ରରେ ସଂପ୍ରସାରଣ ଘଟାଇ ଥାଏ, ତାହା ନୁହେଁ, ସମ୍ଭାବ୍ୟ ଉଦ୍ଭାବନକାରୀମାନଙ୍କୁ ମଧ୍ୟ ସେମାନଙ୍କ ଉଦ୍ୟମରେ ଅଗ୍ରସର ହେବାକୁ ପ୍ରୋତ୍ସାହିତ କରିଥାଏ। ଏହି ଦୃଷ୍ଟିକୋଣରୁ ବିଚାର କଲେ, ‘ଜିଡିପି’ରେ ବୃଦ୍ଧି ଯେଉଁଭଳି ଦେଶରେ ଘଟୁଥିବା ଅର୍ଥନୈତିକ ବିକାଶର ପରିଚାୟକ ହୋଇଥାଏ, ପେଟେଣ୍ଟ୍ ଓ ଟ୍ରେଡ୍ମାର୍କ ପ୍ରଦାନ ନିମିତ୍ତ ଦାଖଲ ହେଉଥିବା ଅାବେଦନ ସଂଖ୍ୟାରେ ବୃଦ୍ଧି ମଧ୍ୟ ସେଇଭଳି ଦେଶରେ ଅର୍ଥନୈତିକ ବିକାଶର ପ୍ରବାହ ସମ୍ବନ୍ଧରେ ସୂଚନା ବହନ କରିଥାଏ।
ଭାରତରେ ବର୍ତ୍ତମାନ ଏହି ପେଟେଣ୍ଟ୍ ଆବେଦନମାନଙ୍କରେ ଯେଉଁଭଳି ବୃଦ୍ଧି ଦେଖାଦେଇଛି, ତାହାକୁ ତେଣୁ ଭାରତୀୟ ଅର୍ଥନୀତି ହାସଲ କରି ଚାଲିଥିବା ଚମତ୍କାର ବିକାଶ ପାଇଁ ଆଉ ଏକ ପ୍ରମାଣପତ୍ର ରୂପେ ବିଚାର କଲେ ଭୁଲ୍ ହେବ ନାହିଁ। ସାରା ପୃଥିବୀରେ ଇନୋଭେଟର୍ମାନେ ୨୦୨୨ରେ ୩.୪୬ ନିୟୁତ ପେଟେଣ୍ଟ୍ ଆବେଦନ ଦାଖଲ କରିଥିଲେ, ଯାହା ଥିଲା ପୂର୍ବ ବର୍ଷ ତୁଳନାରେ ୧.୭ ଶତାଂଶ ଅଧିକ। ଭାରତରେ କିନ୍ତୁ ଏହି ସମୟରେ େଯତିକି ସଂଖ୍ୟକ ପେଟେଣ୍ଟ୍ ଆବେଦନ ଦାଖଲ ହୋଇଥିଲା, ତାହା ଥିଲା ପୂର୍ବ ବର୍ଷ ତୁଳନାରେ ୩୧.୬ ଶତାଂଶ ଅଧିକ। ‘ୱାର୍ଲ୍ଡ ଇଣ୍ଟେଲେକ୍ଚୁଆଲ୍ ପ୍ରପର୍ଟି ଅର୍ଗାନାଇଜେସନ୍’ (‘ୱିପୋ’) ଦ୍ବାରା ନିକଟରେ ପ୍ରକାଶିତ ସୂଚନା ଅନୁସାରେ ଭାରତରେ ପେଟେଣ୍ଟ୍ ଆବେଦନ ସଂଖ୍ୟାରେ ପରିଲକ୍ଷିତ ହୋଇଥିବା ଏହି ବୃଦ୍ଧି ହାର ହେଉଛି ସାରା ପୃଥିବୀରେ ଦେଖା ଯାଇଥିବା ବୃଦ୍ଧି ହାର ମାନଙ୍କ ମଧ୍ୟରେ ସର୍ବୋଚ୍ଚ। ସଂଖ୍ୟା ଅନୁସାରେ ସର୍ବାଧିକ ସଂଖ୍ୟକ ପେଟେଣ୍ଟ୍ ଆବେଦନ ଦାଖଲ ହୋଇଛି ଚୀନ୍ରେ ଏବଂ କ୍ରମାନ୍ବୟରେ ତା’ ପଛକୁ ଚାରିଟି ସ୍ଥାନରେ ରହିଛନ୍ତି ଆମେରିକା, ଜାପାନ୍, ଦକ୍ଷିଣ କୋରିଆ ଓ ଇଉରୋପିଆନ୍ ୟୁନିଅନ୍। ଏହି କ୍ରମରେ ଭାରତ ରହିଛି ଷଷ୍ଠ ସ୍ଥାନରେ।
ସାରା ପୃଥିବୀରେ ଦାଖଲ ହେଉଥିବା ପେଟେଣ୍ଟ୍ ଆବେଦନ ସଂଖ୍ୟାର ୨୭ ଶତାଂଶ ୨୦୧୨ରେ ପରିଦୃଷ୍ଟ ହୋଇଥିଲା ଚୀନ୍ରେ, ଯାହା ୨୦୨୨ରେ ବୃଦ୍ଧି ପାଇ ହୋଇଛି ୪୬.୮ ଶତାଂଶ; ଏହି ସମୟରେ ଆମେରିକାର ଅଂଶ ୨୩ ଶତାଂଶରୁ ହ୍ରାସ ପାଇ ହୋଇଛି ୧୭.୨ ଶତାଂଶ। ପେଟେଣ୍ଟ୍ର ସାଙ୍ଗଭାଇ ରୂପେ ବିବେଚିତ ଟ୍ରେଡ୍ମାର୍କ ପାଇଁ ଆବେଦନ ସର୍ବାଧିକ ସଂଖ୍ୟାରେ ୨୦୨୨ରେ ଦାଖଲ ହୋଇଥିଲା ଅବଶ୍ୟ ଆମେରିକାରେ। ଏ କ୍ଷେତ୍ରରେ ଚୀନ୍ ରହିଛି ଦ୍ବିତୀୟ ସ୍ଥାନରେ ଓ ଭାରତ ତୃତୀୟ ସ୍ଥାନରେ। ଉଲ୍ଲେଖଯୋଗ୍ୟ ଯେ ତା’ ପୂର୍ବ ବର୍ଷ ଭାରତର ସ୍ଥାନ ପଞ୍ଚମ ଥିଲା।
ଲକ୍ଷ୍ୟ କରିବା କଥା ଅଳ୍ପ ଦିନ ତଳ ପର୍ଯ୍ୟନ୍ତ ଭାରତରେ ଦାଖଲ ହେଉଥିବା ପେଟେଣ୍ଟ୍ ସଂଖ୍ୟା ବିଶେଷ ଉଲ୍ଲେଖନୀୟ ନ ଥିଲା। ଉଦାହରଣ ସ୍ବରୂପ ୨୦୧୬-୧୭ରେ ଦାଖଲ ହୋଇଥିବା ପେଟେଣ୍ଟ୍ ଆବେଦନ ସଂଖ୍ୟା ୪୫,୪୪୪ ଥିବା ବେଳେ ସେଥିମଧ୍ୟରୁ ମାତ୍ର ୯,୮୪୭ଟି ଆବେଦନକୁ ମଞ୍ଜୁର କରାଯାଇଥିଲା। ୨୦୨୨ରେ ଏହି ସଂଖ୍ୟାରେ ବୃଦ୍ଧି ଘଟି ହୋଇଥିଲା ଯଥାକ୍ରମେ ୮୨,୮୦୫ ଓ ୩୪,୧୫୩। ଭାରତରେ ପେଟେଣ୍ଟ୍ ପ୍ରଦାନ କରୁଥିବା ସଂସ୍ଥା ‘ଅଫିସ୍ ଅଫ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ପେଟେଣ୍ଟ୍ସ, ଡିଜାଇନ୍ସ ଆଣ୍ଡ୍ ଟ୍ରେଡ୍ମାର୍କ୍ସ’ ପ୍ରକାଶ କରିଥିବା ପୂର୍ବାନୁମାନ ଅନୁସାରେ ଚଳିତ ବର୍ଷ ଭାରତରେ ପ୍ରାୟ ୬୦,୦୦୦ ସରିକି ପେଟେଣ୍ଟ୍ ଦରଖାସ୍ତମାନଙ୍କୁ ଅନୁମୋଦନ ପ୍ରଦାନ କରାଯାଇପାରେ।
ପେଟେଣ୍ଟ୍ ଆବେଦନ ସଂଖ୍ୟାରେ ଦେଖା ଦେଇଥିବା ଏହି ବୃଦ୍ଧିର ଯେଉଁ ଏକ ଦିଗ ହେଉଛି ବିଶେଷ ସନ୍ତୋଷଜନକ, ତାହା ହେଲା ଏଥିରେ ଭାରତୀୟ ବାସିନ୍ଦାମାନଙ୍କର ଅଂଶରେ ଘଟିଥିବା ଉଲ୍ଲେଖନୀୟ ବୃଦ୍ଧି। ୨୦୧୬-୧୭ରେ ପେଟେଣ୍ଟ୍ ଆବେଦନକାରୀମାନଙ୍କ ମଧ୍ୟରେ ଭାରତୀୟ ବାସିନ୍ଦାମାନଙ୍କର ଅନୁପାତ ମାତ୍ର ୨୯ ଶତାଂଶ ଥିବା ବେଳେ ୨୦୨୨-୨୩ରେ ତାହା ବୃଦ୍ଧି ପାଇ ହୋଇଛି ୫୨.୩ ଶତାଂଶ- ଅର୍ଦ୍ଧେକରୁ ଅଧିକ। ଏଥିପୂର୍ବରୁ ମୁଖ୍ୟତଃ ବିଦେଶୀ କଂପାନିମାନେ ସେମାନଙ୍କର ବିଦେଶୀ ପେଟେଣ୍ଟ୍ମାନଙ୍କୁ ନିୟମିତ କରିବା ଉଦ୍ଦେଶ୍ୟରେ ଏଠାରେ ପେଟେଣ୍ଟ୍ ପାଇଁ ଆବେଦନ କରୁଥିଲେ; ବର୍ତ୍ତମାନ କିନ୍ତୁ ଅଧିକରୁ ଅଧିକ ସଂଖ୍ୟାରେ ଭାରତୀୟମାନେ ପେଟେଣ୍ଟ୍ ପାଇବା ପାଇଁ ଆବେଦନ କରିବାକୁ ଲାଗିଲେଣି।
ଭାରତରେ କିନ୍ତୁ ପେଟେଣ୍ଟ୍ ମିଳିବାରେ ଘଟୁଥିବା ମାତ୍ରାଧିକ ବିଳମ୍ବ ଅନେକ ସମ୍ଭାବ୍ୟ ଆବେଦନକାରୀଙ୍କୁ ନିରୁତ୍ସାହିତ କରୁ ଥାଇପାରେ। ଏହା ହୃଦୟଙ୍ଗମ କରିବା ପାଇଁ ଏକ ତୁଳନାତ୍ମକ ଚିତ୍ର ସହାୟକ ହେବ। ଚୀନ୍ରେ ଏକ ପେଟେଣ୍ଟ୍ ଆବେଦନ ଅନୁମୋଦନ ଲାଭ କରିବା ପାଇଁ ହାରାହାରି ପ୍ରାୟ ୧୬ ମାସ ଲାଗିଥିବା ବେଳେ ଓ ଆମେରିକାରେ ସେଥିପାଇଁ ୨୪ ମାସ ଲାଗିଥିବା ବେଳେ ଭାରତରେ ଲାଗିଥାଏ ୫୧ ମାସ। ସରକାରୀ ସୂତ୍ରରୁ ଉପଲବ୍ଧ ସୂଚନା ଅନୁସାରେ ଆବଶ୍ୟକ ଲୋକଶକ୍ତି ଅଭାବରୁ ଭାରତରେ ପେଟେଣ୍ଟ୍ ପ୍ରଦାନ ପ୍ରକ୍ରିୟାରେ ଏଭଳି ମନ୍ଥରତା ପରିଲକ୍ଷିତ ହୋଇଥାଏ। କିନ୍ତୁ ଯେହେତୁ ଏହି ପ୍ରକ୍ରିୟାରୁ ସରକାର ମଧ୍ୟ ରାଜସ୍ବ ସଂଗ୍ରହ କରିଥାନ୍ତି, ଏଥିରେ ଅଧିକ କୁଶଳୀ କର୍ମଚାରୀଙ୍କୁ ନିଯୁକ୍ତ କରିବା ସରକାରଙ୍କ ପାଇଁ କୌଣସି ଆର୍ଥିକ ବୋଝ ସୃଷ୍ଟି କରନ୍ତା ନାହିଁ; ଅପରପକ୍ଷେ ଏହା ଦେଶର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ବିଶେଷ ସହାୟକ ହୁଅନ୍ତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିବା ଭଳି, ‘‘ପେଟେଣ୍ଟ୍ ଆବେଦନମାନଙ୍କରେ ବୃଦ୍ଧି ଆମ ଯୁବପିଢ଼ିର ଔଦ୍ୟୋଗିକ ଉତ୍ସାହକୁ ପ୍ରଦର୍ଶିତ କରିଥାଏ ଏବଂ ଆଗାମୀ ସମୟ ପାଇଁ ଅତୀବ ସକାରାତ୍ମକ ସୂଚନା ବହନ କରିଥାଏ।’’ ତେଣୁ ଏହି ଉତ୍ସାହକୁ ମଉଳି ଯିବାକୁ ନ ଦେବା ପାଇଁ ତାଙ୍କ ସରକାର ଅଧିକ ଲୋକଶକ୍ତି ନିଯୁକ୍ତ କରି ଆମର ପେଟେଣ୍ଟ୍ ପ୍ରଦାନ ପ୍ରକ୍ରିୟାରେ ଉନ୍ନତି ଘଟାଇ ତାହାକୁ ଅବିଳମ୍ବେ ଚୀନ୍ ଓ ଆମେରିକାର ସମକକ୍ଷ କରିବା ଜରୁରୀ। ଭାରତର ଦୁର୍ବଳ ପେଟେଣ୍ଟ୍ ବ୍ୟବସ୍ଥା ପାଇଁ ଫକୀରମୋହନଙ୍କ ଭାଷାରେ ଏହା ହିଁ ହେଉଛି- ‘ପେଟେଣ୍ଟ୍ ମେଡିସିନ୍’।