ପେଟ୍ ପାଳିବା ଓ ବିଶେଷକରି କୁକୁର ପାଳିବା ଏକ ମର୍ଯ୍ୟାଦାର ଚିହ୍ନ ରୂପେ ପରିଣତ ହେବାରୁ କ୍ରମେ ଏଥିସହିତ ସଂପୃକ୍ତ ସମସ୍ତ ବ୍ୟବସାୟ ବା ବୃତ୍ତି ଏକ ନୂତନ ମର୍ଯ୍ୟାଦା ଲାଭ କରିଲେଣି। ଏହାର ଏକ ଉଦାହରଣ ସ୍ବରୂପ ମୁମ୍ବାଇରେ କୁକୁରକୁ ତାଲିମ ପ୍ରଦାନ କରିବା ପାଇଁ ଜଣେ ଦକ୍ଷ ପ୍ରଶିକ୍ଷକ ପାରିଶ୍ରମିକ ପାଇଥାନ୍ତି ଘଣ୍ଟା ପ୍ରତି ପ୍ରାୟ ୨,୫୦୦ ଟଙ୍କା। ଆଉ କେତେ ବୃତ୍ତିରେ ମିଳୁଥିବା ପାରିଶ୍ରମିକ ଏହା ସହିତ ତୁଳନୀୟ ହେବ? କିଏ କହିପାରିବ, ହୁଏତ ଯଦି ଏହି ନୂତନ ମର୍ଯ୍ୟାଦାବୋଧ କୁକୁର ମାଲିକମାନଙ୍କ ଠାରେ ଏକ ଦୃଢ଼ ଜାତୀୟତାବୋଧ ମଧ୍ୟ ସୃଷ୍ଟି କରେ, ସେମାନେ ଯେ ସେମାନଙ୍କ ପୋଷା କୁକୁରମାନଙ୍କର ନାମ ନ ଦେବେ- ମନୋଜ, ବିନୋଦ, ଶରତ... ବିଜୟ ନନ୍ଦନ କହିଥିବା ଭଳି?

Advertisment

ମଙ୍ଗଳବାର ସକାଳେ ‘ସମ୍ବାଦ’ର ପାଠକପାଠିକାମ‌ାନେ ଏହି ପୃଷ୍ଠାର ‘ଅଭିମତ’ ସ୍ତମ୍ଭରେ ପରିବେଷିତ ଏକ ପାଠକୀୟ ଚିନ୍ତନ ବହନ କରୁଥିବା ସଂପୂର୍ଣ୍ଣ ଭିନ୍ନ କିସମର ଏକ ସ୍ବାଦ ଆସ୍ବାଦନ କରି ନିଶ୍ଚିତ ରୂପେ ସତେଜ ଅନୁଭବ କରିଥିବେ। ସେଥିରେ ପୋଷା କୁକୁରମାନଙ୍କୁ କାହିଁକି ସାଧାରଣତଃ ଇଂରେଜୀ ନାମ ଦିଆ ଯାଇଥାଏ ବୋଲି ସୁଧୀ ପାଠକ ବିଜୟ ନନ୍ଦନ ଏକ କୌତୂହଳପୂର୍ଣ୍ଣ ପ୍ରଶ୍ନ ଉଠାଇଛନ୍ତି ଏବଂ ତାହାର ଏକ ଯୁକ୍ତିଯୁକ୍ତ ଉତ୍ତର ଦେବାକୁ ମଧ୍ୟ ଚେଷ୍ଟା କରିଛନ୍ତି। ପୋଷା କୁକୁରମାନଙ୍କର ଇଂରେଜୀ ନାମକରଣ ବହୁ ଅତୀତରୁ ଚଳି ଆସୁଛି ବୋଲି ମଧ୍ୟ ତାଙ୍କ ଅଭିମତରେ ସେ ସ୍ପଷ୍ଟ କରି ଦେଇଛନ୍ତି। ଅର୍ଥାତ୍ ଏଥିରେ କୌଣସି ନୂତନତ୍ବ ନାହିଁ। ତେବେ ଯେଉଁଥିରେ କିନ୍ତୁ ନିଶ୍ଚିତ ରୂପେ ନୂତନତ୍ବ ଅଛି, ତାହା ହେଉଛି କେହି ଜଣେ ଚିନ୍ତାଶୀଳ ବ୍ୟକ୍ତି ଏକ ପୋଷାଜନ୍ତୁର ନାମକରଣ ପ୍ରତି ଏଭଳି ଧ୍ୟାନ ଦେବା, ଅନୁଶୀଳନ କରିବା, ନିଜର ସମୟ ଓ ଶକ୍ତିର ଏକ ଅଂଶ ସେ ଦିଗରେ ନିୟୋଜିତ କରି ସେ ସଂପର୍କରେ ନିଜର ଅଭିମତକୁ ଏକ ସମ୍ବାଦପତ୍ରରେ ପ୍ରକାଶ କରିବାର କଷ୍ଟ ସ୍ବୀକାର କରିବା।
ପୋଷା ଜୀବଜନ୍ତୁଙ୍କ ପ୍ରତି ପତ୍ରପ୍ରେରକଙ୍କ ଏଭଳି ଆଗ୍ରହର ଦୀର୍ଘତା ସମ୍ବନ୍ଧରେ ଆମକୁ ଜଣା ନାହିଁ; କିନ୍ତୁ ଏହା ହୁଏତ ଏକ ସଂଯୋଗ ହୋଇପାରେ ଯେ ଭାରତରେ ବର୍ତ୍ତମାନ ପୋଷା ଜୀବଜନ୍ତୁ ଓ ବିଶେଷକରି ପୋଷା କୁକୁରମାନଙ୍କ ପାଇଁ ଆଦରରେ ଯେଉଁଭଳି ବିସ୍ଫୋରକ ବୃଦ୍ଧି ଦେଖାଦେଇଛି, ତାଙ୍କର ଏହି ଭାବନା ତା’ ସହିତ ସଂପୂର୍ଣ୍ଣ ରୂପେ ଖାପ ଖାଇ ଯାଇଥାଏ। ଶ୍ରୀଯୁକ୍ତ ନନ୍ଦନ ବୋଧହୁଏ ଏହା ଜାଣି ଖୁସି ହେବେ ଯେ କୁକୁର ଭଳି ବିଲେଇ ପୋଷିବା ବର୍ତ୍ତମାନ ଦ୍ରୁତ ଲୋକପ୍ରିୟତା ହାସଲ କରିବାରେ ଲାଗିଛି ଏବଂ ଅଧିକାଂଶ ପୋଷା ବିଲେଇମାନେ ସେମାନଙ୍କର ଯେଉଁ ନାମ ଡାକ ଶୁଣି ମିଆଁଉ ମିଆଁଉ କରୁଛନ୍ତି, ତାହା ହେଲା ଏଇଭଳି ଇଂରେଜୀ ନାମ- ‘ଲିଓ’, ‘ଜିଙ୍ଗ୍‌ଲସ୍’, ‘କ୍ୟାସ୍‌ପର୍’, ‘ମାଇଲୋ’, ‘ପ୍ୟାନ୍‌ସି’... (ଆଗଭଳି ‘ମାଳ’, ‘ଶଙ୍ଖା’, ‘ଛବି’, ‘ରବି’ କି ‘ଗୌରୀ’... ନୁହେଁ)।
କୁକୁର ହେଉ କି ବିଲେଇ ହେଉ, ଅର୍ଥନୀତିଜ୍ଞମାନେ ବିଚାର କରୁଛନ୍ତି ଯେ ଭାରତୀୟ ଅର୍ଥନୀତିର ଦ୍ରୁତ ଅଭିବୃଦ୍ଧି ଯୋଗୁଁ ସ୍ବଚ୍ଛଳତା ହାସଲ କରିଥିବା ମଧ୍ୟମବର୍ଗ ଓ ଯୁବପିଢ଼ି ଆଗଭଳି ଆଉ ଗାଡ଼ିଘୋଡ଼ା, ପୋଷାକପତ୍ର ଆଦି ଉପରେ ନିଜର ସୌଖୀନ ଖର୍ଚ୍ଚକୁ ସୀମିତ ନ ରଖି, ବର୍ତ୍ତମାନ ପସନ୍ଦ ଅନୁସାରେ ଦାମିକା ଜାତିର କୁକୁର ବିଲେଇ ସଂଗ୍ରହ କରିବାରେ ଲାଗିପଡ଼ିଛନ୍ତି। ଆଜିର ଏହି ବୃତ୍ତିଧାରିଣୀ/ଧାରୀ ଯୁବପିଢ଼ି ବହୁ ବିଳମ୍ବରେ ବିବାହ କରୁଛନ୍ତି ଓ ସେମାନଙ୍କ ମଧ୍ୟରୁ ଅନେକ ଅବିବାହିତ ରହିବାକୁ ମଧ୍ୟ ନିଷ୍ପତ୍ତି ନେବା ଦେଖାଯାଉଛି। ସାହଚର୍ଯ୍ୟ ପାଇଁ ସେମାନେ ମନୁଷ୍ୟ ସାଥୀ ଅ‌ପେକ୍ଷା କୁକୁର ବିଲେଇଙ୍କୁ ଅଧିକ ପସନ୍ଦ କରୁଛନ୍ତି ଓ ସେମାନେ ‌େଯହେତୁ ପ୍ରାୟତଃ ଇଂରେଜୀ ଶିକ୍ଷିତ, ସେମାନଙ୍କ ପୋଷା ପ୍ରାଣୀମାନେ ସାଧାରଣତଃ ଇଂରେଜୀ ନାମରେ ଭୂଷିତ ହୋଇଥାନ୍ତି। ତେଣୁ ହୁଏତ ତୋୟା ନାମ୍ନୀ ଇଞ୍ଜିନିୟର୍-ବ୍ୟାଙ୍କ୍‌ର ପାଳିଥିବା ବିଲେଇର ନାମ ହୋଇଥାଏ ‘ମାଇଲୋ’ ତ ତନ୍ମୟ ନାମକ କନ୍‌ସଲ୍‌ଟାଣ୍ଟ୍ ପାଳିଥିବା କୁକୁରର ନାମ ହୋଇଥାଏ ‘ରଜ୍‌ର’। ଜାତି ଅନୁସାରେ ତୋୟାର ବିଲେଇ ହୋଇଥାଇ ପାରିଥାଏ ଏକ ‘ପର୍ସିଆନ୍ କ୍ୟାଟ୍’, ଯାହାର ଦାମ୍ ହୋଇ ଥା‌ଇପାରେ ୪୦,୦୦୦ ଟଙ୍କା; ତନ୍ମୟର କୁକୁର ହୋଇଥାଇ ପାରିଥାଏ ଏକ ‘ହସ୍‌କି’, ଯାହାର ଦାମ୍ ହୋଇ ପାରିଥାଏ ୭୦,୦୦୦ ଟଙ୍କା।
ଏ ସଂପର୍କିତ ପରିସଂଖ୍ୟାନ ସଂଗ୍ରହ କରୁଥିବା ଏକ ବିଶ୍ବସନୀୟ ସଂସ୍ଥା ଦ୍ବାରା ପ୍ରଦତ୍ତ ସୂଚନା ଅନୁସାରେ ୨୦୧୮ରେ ଭାରତରେ ପ୍ରାୟ ୧.୯୪ କୋଟି ପୋଷା କୁକୁର ଥିବାବେଳେ ବର୍ତ୍ତମାନ ସେମାନଙ୍କ ସଂଖ୍ୟା ୩.୧ କୋଟିରେ ପହଞ୍ଚିଲାଣି। କୋଭିଡ୍ ପାଣ୍ଡେମିକ୍‌ର ମଧ୍ୟ ଏହି ବୃଦ୍ଧି ପାଇଁ ଏକ ବିଶେଷ ଅବଦାନ ରହିଛି। ପାଣ୍ଡେମିକ୍‌ ଜନିତ ଲକ୍‌ଡାଉନ୍ ଯୋଗୁଁ ଗୃହବନ୍ଦୀ ଅବସ୍ଥାରେ ଥିବାବେଳେ ସାହଚର୍ଯ୍ୟ ପାଇଁ ଅନେକ ଲୋକ କୁକୁର ବିଲେଇ ପାଳିବା ଆରମ୍ଭ କରି ଦେଇଥିଲେ। ଏହାର ପ୍ରଭାବରେ ବଜାରରେ ଏହି ପାଳିତ ଜୀବମାନଙ୍କ ପାଇଁ ପୂର୍ବପ୍ରସ୍ତୁତ ଖାଦ୍ୟର ଚାହିଦାରେ ଏକ ତୀକ୍ଷ୍‌ଣ ବୃଦ୍ଧି ପରିଲକ୍ଷିତ ହୋଇଛି। ଏହି ବେପାରରେ ୨୦୧୯ରେ ୧୬ ଶତାଂଶ ଓ ୨୦୨୦ରେ ୨୦ ଶତାଂଶ ବୃଦ୍ଧି ଘଟି ୨୦୨୨ ଆରମ୍ଭରେ ତାହାର ଆକାର ହୋଇଥିଲା ୩,୫୦୦ କୋଟି ଟଙ୍କା। କେବଳ ଖାଦ୍ୟ ନୁହେଁ, ପାଳିତ ଜୀବମାନଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ପ୍ରକାର ଦ୍ରବ୍ୟ ବା ‘ପେଟ୍ ପ୍ରଡକ୍‌ଟସ୍’ ପାଇଁ ବୃଦ୍ଧି ପାଇ ଚାଲିଥିବା ଚାହିଦାର ଅନୁଶୀଳନ କରି ମର୍ଯ୍ୟାଦାଜନକ ଲଣ୍ଡନ୍‌ସ୍ଥିତ ବଜାର ଗବେଷଣା ସଂସ୍ଥା ‘ଇଉରୋମନିଟର୍’ ପୂର୍ବାନୁମାନ କରିଛି ଯେ ୨୦୨୫ ସୁଦ୍ଧା ‘ପେଟ୍ ପ୍ରଡକ୍‌ଟସ୍’ମାନଙ୍କର ବିକ୍ରିରେ ୬୮ ପ୍ରତିଶତ ବୃଦ୍ଧି ଘଟିବାକୁ ଯାଉଛି। ୨୦୨୧ରେ ‘ମାର୍କେଟ୍ ଡିସାଇଫର୍’ ନାମକ ଅନ୍ୟ ଏକ ବଜାର ଗବେଷଣା ସଂସ୍ଥା ଭାରତର ‘ପେଟ୍ ଅର୍ଥନୀତି’ର ଆକାର ୮୯୦ ନିୟୁତ ଡଲାର୍ ବୋଲି ଆକଳନ କରିଥିଲା। ଆସନ୍ତା ଦଶନ୍ଧିରେ ଏହା ତିନି ଗୁଣ ହେବାକୁ ଯାଉଛି ବୋଲି ଏହି ସଂସ୍ଥା ଭବିଷ୍ୟବାଣୀ କରିଛି।
ଭାରତୀୟମାନଙ୍କର ଜୀବନଶୈଳୀରେ ପୋଷା ଜୀବଜନ୍ତୁ ବା ‘ପେଟ୍’ମାନଙ୍କର ଏହି ଦ୍ରୁତବର୍ଦ୍ଧିଷ୍ଣୁ ଅନୁପ୍ରବେଶ ଦେଶରେ ହୋଟେଲ୍, ରେଷ୍ଟୁରାଣ୍ଟ୍, ଗେଷ୍ଟ୍‌ହାଉସ୍ ତଥା ସମଗ୍ର ପର୍ଯ୍ୟଟନ କ୍ଷେତ୍ରର ଚରିତ୍ରରେ ପରିବର୍ତ୍ତନ ଘଟାଇବାକୁ ଆରମ୍ଭ କଲାଣି। ଗ୍ରାହକମାନେ ଅନ୍‌ଲାଇନ୍ ଅନୁସନ୍ଧାନ କରିବା ବେଳେ ଅଧିକରୁ ଅଧିକ ସଂଖ୍ୟାରେ ‘ପେଟ୍ ଫ୍ରେଣ୍ଡ୍‌ଲି’ ବା ପେଟ୍-ଅନୁକୂଳ ହୋଟେଲ୍ ବା ଗେଷ୍ଟ୍‌ହାଉସ୍ ଖୋଜିବା ଦେଖା ଯାଉଛି। ସଂପୃକ୍ତ ବ୍ୟବସାୟ ସଂସ୍ଥାମାନେ ମଧ୍ୟ ଏହି ନୂତନ ଧାରାରେ ସାମିଲ ହୋଇ ମାଲିକମାନଙ୍କୁ ଆକର୍ଷିତ କରିବା ଉଦ୍ଦେଶ୍ୟରେ ସେମାନଙ୍କ ସାଥୀରେ ଆସିଥିବା ପେଟ୍‌ମାନଙ୍କ ପାଇଁ ସନ୍ତୋଷଜନକ ରହଣୀ ଓ ଖାଦ୍ୟ ବ୍ୟବସ୍ଥା କରୁଛନ୍ତି। ଏପରି କେତେକ ରିସର୍ଟ‌୍ ତ ଅଛନ୍ତି ଯେଉଁଠି ଘୋଷଣା କରା ଯାଇଥାଏ ଯେ ପେଟ୍‌ମାନେ ହେଉଛନ୍ତି ସେମାନଙ୍କର ଅସଲ ଗେଷ୍ଟ, ମାଲିକମାନେ ହେଉଛନ୍ତି ପେଟ୍‌ମାନଙ୍କର ସାଥୀ। ସେଭଳି ରିଜର୍ଟ‌୍ରେ ରହଣୀ ପେଟ୍ ନାମରେ ହିଁ ବୁକ୍ କରା ଯାଇଥାଏ, ମାଲିକ ନାମରେ ନୁହେଁ। ନୂତନ ପିଢ଼ିର ଯୁବକ ଯୁବତୀମାନଙ୍କର ଏହି ନୂତନ ପସନ୍ଦର ପ୍ରତିଫଳନ ସ୍ବରୂପ ମାଟ୍ରିମୋନିଆଲ୍ ବିଜ୍ଞାପନମାନଙ୍କରେ ଉଲ୍ଲେଖ କରା ହେବା ଆରମ୍ଭ ହେଲାଣି ଯେ ‘ପେଟ୍ ଫ୍ରେଣ୍ଡ୍‌ଲି’ ପାତ୍ର ବା ପାତ୍ରୀ ଆବଶ୍ୟକ।
କୁକୁର ବିଲେଇ ପାଳିବାରେ ବୃଦ୍ଧି ଦେଖା ଦେବା ସହିତ ତାଳ ଦେଇ ସେମାନଙ୍କ ପ୍ରତି ଉଦ୍ଦିଷ୍ଟ ସେବା ‌େକ୍ଷତ୍ରରେ ମଧ୍ୟ ଦ୍ରୁତ ସଂପ୍ରସାରଣ ଘଟିବାକୁ ଲାଗିଲାଣି। ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସାରେ ବର୍ଦ୍ଧିଷ୍ଣୁ ଆବଶ୍ୟକତା ପୂରଣ ନିମିତ୍ତ ଅଧିକରୁ ଅଧିକ ସଂଖ୍ୟକ ପ୍ରାଣୀଚିକିତ୍ସକ ନିୟୋଜିତ ହେଉଛନ୍ତି; ସେମାନଙ୍କ ସ୍ନାନ ପ୍ରସାଧନ ନିମିତ୍ତ ପାର୍ଲର୍‌ମାନଙ୍କର ଆବିର୍ଭାବ ଘଟୁଛି; ସେମାନଙ୍କ ବ୍ୟାୟାମ ନିମିତ୍ତ ବ୍ୟାୟାମ କେନ୍ଦ୍ରମାନ ସ୍ଥାପିତ ହେଉଛି; ସେମାନଙ୍କୁ ଉତ୍ତମ ଆଚରଣ ଶିଖାଇବା ନିମିତ୍ତ ପ୍ରଶିକ୍ଷକମାନଙ୍କୁ ନିଯୁକ୍ତ କରାଯାଉଛି। ପେଟ୍ ପାଳିବା ଓ ବିଶେଷକରି କୁକୁର ପାଳିବା ଏକ ମର୍ଯ୍ୟାଦାର ଚିହ୍ନ ରୂପେ ପରିଣତ ହେବାରୁ କ୍ରମେ ଏଥିସହିତ ସଂପୃକ୍ତ ସମସ୍ତ ବ୍ୟବସାୟ ବା ବୃତ୍ତି ଏକ ନୂତନ ମର୍ଯ୍ୟାଦା ଲାଭ କରିଲେଣି। ଏହାର ଏକ ଉଦାହରଣ ସ୍ବରୂପ ମୁମ୍ବାଇରେ କୁକୁରକୁ ତାଲିମ ପ୍ରଦାନ କରିବା ପାଇଁ ଜଣେ ଦକ୍ଷ ପ୍ରଶିକ୍ଷକ ପାରିଶ୍ରମିକ ପାଇଥାନ୍ତି ଘଣ୍ଟା ପ୍ରତି ପ୍ରାୟ ୨,୫୦୦ ଟଙ୍କା। ଆଉ କେତେ ବୃତ୍ତିରେ ମିଳୁଥିବା ପାରିଶ୍ରମିକ ଏହା ସହିତ ତୁଳନୀୟ ହେବ? କିଏ କହିପାରିବ, ହୁଏତ ଯଦି ଏହି ନୂତନ ମର୍ଯ୍ୟାଦାବୋଧ କୁକୁର ମାଲିକମାନଙ୍କ ଠାରେ ଏକ ଦୃଢ଼ ଜାତୀୟତାବୋଧ ମଧ୍ୟ ସୃଷ୍ଟି କରେ, ସେମାନେ ଯେ ସେମାନଙ୍କ ପୋଷା କୁକୁରମାନଙ୍କର ନାମ ନ ଦେବେ- ମନୋଜ, ବିନୋଦ, ଶରତ... ବିଜୟ ନନ୍ଦନ କହିଥିବା ଭଳି?