ବ୍ୟାସକବିଙ୍କର ‘ଛ’ମାଣ ଆଠଗୁଣ୍ଠ’, କିମ୍ବା ସ୍ବଭାବକବିଙ୍କର ‘ତପସ୍ବିନୀ’, କିମ୍ବା କାହ୍ନୁଚରଣଙ୍କ ‘ଶାସ୍ତି’, କିମ୍ବା କେଳୁଚରଣଙ୍କ ନୃତ୍ୟ, କିମ୍ବା ଶ୍ୟାମାମଣିଙ୍କ ସଙ୍ଗୀତ, କିମ୍ବା ବାରଶ’ ବଢ଼େଇଙ୍କର କୋଣାର୍କ ମନ୍ଦିର, କିମ୍ବା ମାଣବସା ଗୁରୁବାର ଓଷା କିମ୍ବା ‌ରଜ ଦୋଳିର ‘ବନସ୍ତେ ଡାକିଲା ଗଜ...’ର ମୂଲ୍ୟାୟନ କେଉଁ ନୋବେଲ୍ ପୁରସ୍କାରପ୍ରାପ୍ତ ଅର୍ଥନୀତିଜ୍ଞ କରିପାରିବ? ଓଡ଼ିଆ ଭାଷାର ବିଲୟ ସହିତ ଏ ସବୁର ବିଲୟ ଘଟିବା ଅବଧାରିତ, ଯେଉଁଭଳି ପ୍ରତ୍ୟେକ ଭାଷାର ବିଲୟ ବେଳେ ଘଟିଥାଏ। ଏହି ବିଚ୍ଛେଦ ଯନ୍ତ୍ରଣା ହିଁ ନାଟକରେ ଓଡ଼ିଆ ଦାସଙ୍କୁ ଛଟପଟ କରିଥାଏ। ଦାସଙ୍କର ଏହି ଦଶାରୁ ମୁକ୍ତି ପାଇବାକୁ ହେଲେ ଆମ ଭାଷାକୁ ସୁରକ୍ଷିତ ରଖିବା ପାଇଁ ଆମକୁ ସବୁମନ୍ତେ ଉଦ୍ୟମ କରିବାକୁ ହେବ।

Advertisment

ଗତ ସପ୍ତାହରେ ଲାଗଲାଗ ଦୁଇଟି ସନ୍ଧ୍ୟାରେ ଭୁବନେଶ୍ବର ସ୍ଥିତ ରବୀନ୍ଦ୍ର ମଣ୍ଡପଠାରେ ଚକୋଲେଟ୍ ପ୍ରଡକ୍‌ସନ୍‌ସ ଦ୍ବାରା ପରିବେଷିତ ହୋଇ ପ୍ରେକ୍ଷାଳୟ ଭର୍ତ୍ତି ଦର୍ଶକମାନଙ୍କୁ ଚିନ୍ତାକୁଳ କରି ଦେଇଥିବା ନାଟକ ‘ଓଡ଼ିଆ ଦାସ’ରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶର ଜନ୍ମ ତ୍ରିଶତବାର୍ଷିକୀ ଦିନ ଓଡ଼ିଅା ଭାଷା ତା’ର ଶେଷ ନିଃଶ୍ବାସ ତ୍ୟାଗ କରିଛି ବୋଲି ପ୍ରଦର୍ଶିତ କରାଯାଇଛି। ୨୨୩୬ ଏପ୍ରିଲ୍ ପହିଲା ଦିନ ନାଟକର ମୁଖ୍ୟ ଚରିତ୍ର, ପୃଥିବୀର ସର୍ବଶେଷ ଓଡ଼ିଆଭାଷୀ ବ୍ୟକ୍ତି ଓଡ଼ିଆ ଦାସଙ୍କର ମୃତ୍ୟୁ ଘଟିଛି।
ଯେମିତି ଘଟିଥିଲା ୨୦୧୦ରେ ଆଣ୍ଡାମାନ୍‌ରେ ବହୁଚର୍ଚ୍ଚିତ ବୋଆ ସିନିଅର୍ ନାମ୍ନୀ ମହିଳାଙ୍କର। ଆନ୍ତର୍ଜାତିକ ଗଣମାଧ୍ୟମରେ ସେ ସମୟରେ ବ୍ୟାପକ ଭାବରେ ପ୍ରସାରିତ ହୋଇଥିବା ଏହି ବର୍ଷୀୟସୀ ଆଦିବାସୀ ମହିଳାଙ୍କର ମୃତ୍ୟୁ ଏଇଥିପାଇଁ ତାତ୍ପର୍ଯ୍ୟପୂର୍ଣ୍ଣ ଥିଲା ଯେ ସେ ଥିଲେ ପୃଥିବୀର ଶେଷ ‘ଆକା-ବୋ’ ନାମକ ଭାଷାଭାଷୀ ବ୍ୟକ୍ତି- ଓଡ଼ିଆ ଦାସଙ୍କ ଭଳି। ଲୋପ ପାଇବାକୁ ଯାଉଥିବା ଏକ ଭାଷାର ଅନ୍ତିମ ବାହକ ରୂପେ ବୋଆ ସିନିଅର୍ ଭାଷା ଗବେଷକମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ, ନାଟକରେ ଓଡ଼ିଆ ଦାସ ଯେମିତି ସାମ୍ବାଦିକମାନଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି। ବୋଆଙ୍କ ସହିତ ବହୁ ବର୍ଷ ଧରି ପ୍ରତ୍ୟକ୍ଷ ସଂପର୍କ ସ୍ଥାପନ କରିଥିବା ବିଶିଷ୍ଟ ଭାଷାବିତ୍ ଅନ୍ବିତା ଆବ୍‌ବି ପ୍ରକାଶ କରିଥିଲେ ଯେ ବୋଆ ସିନିଅର୍‌ଙ୍କ ପିତାମାତାଙ୍କ ଦେହାନ୍ତ ଘଟିବା ପରେ ପ୍ରାୟ ୪୦ ବର୍ଷ ଧରି ବୋଆ ଥିଲେ ‘ଆକା-ବୋ’ ଭାଷା ଜାଣିଥିବା ଏକମାତ୍ର ବ୍ୟକ୍ତି, କିନ୍ତୁ ଅନ୍ୟ କେହି ସେ ଭାଷା ଜାଣି ନ ଥିବାରୁ ସେ କାହାରି ସହିତ ସେ ଭାଷାରେ କଥା ହୋଇପାରୁ ନ ଥିଲେ, ଯେଉଁ କାରଣୁ ସେ ଅତ୍ୟନ୍ତ ଏକୁଟିଆ ବୋଧ କରୁଥିଲେ। ଠିକ୍ ଓଡ଼ିଆ ଦାସଙ୍କ ଭଳି। ଅନ୍ୟ ଲୋକଙ୍କ ସହିତ କଥାବାର୍ତ୍ତା କରିବା ପାଇଁ ବୋଆ ସିନିଅର୍‌ଙ୍କୁ ହିନ୍ଦୀ ଭାଷାର ଏକ ଆଣ୍ଡାମାନୀ ସଂସ୍କରଣ ଶିଖିବାକୁ ପଡ଼ିଥିଲା। ନାଟକରେ ସାମ୍ବାଦିକମାନେ ଓଡ଼ିଆ ଦାସଙ୍କ ସହିତ ବାର୍ତ୍ତାଳାପ ହିନ୍ଦୀ ମାଧ୍ୟମରେ ହିଁ କରିଥାନ୍ତି।
ଦର୍ଶକମାନେ କାଳ୍ପନିକ ଚରିତ୍ର ଓଡ଼ିଆ ଦାସଙ୍କର ଯେଉଁ ମର୍ମଯନ୍ତ୍ରଣା ଦ୍ବାରା ପ୍ରଭାବିତ ହୋଇଥିଲେ, ତାହା ଥିଲା ବୋଆ ସିନିଅର୍ ଭୋଗିଥିବା ସେଇ ବାସ୍ତବ ଯନ୍ତ୍ରଣାର ଏକ ନିଚ୍ଛକ ପ୍ରତିଛବି ପରି। ନିଜ ଭାଷା ଓଡ଼ିଆ ଅନତି ବିଳମ୍ବେ ଏଇଭଳି ଏକ ଦଶା ଭୋଗ କରିବାର ସମ୍ଭାବନା ଦର୍ଶକମାନଙ୍କୁ ବିବ୍ରତ କରି ଦେଇଥିଲା। ସେମାନେ ହୁଏତ ଏହି ନାଟକ ମାଧ୍ୟମରେ ହୃଦୟଙ୍ଗମ କରିଥିବେ ଯେ ଭାଷା ବିଲୟ ହେଉଛି ଏକ ଅନିବାର୍ଯ୍ୟ ପ୍ରକ୍ରିୟା, ଯାହାର ପ୍ରଭାବରୁ ମୁକ୍ତ ରହିବା କୌଣସି କ୍ଷୁଦ୍ର ଗୋଷ୍ଠୀ ଦ୍ବାରା ବ୍ୟବହୃତ ଭାଷା ପକ୍ଷରେ ଅସମ୍ଭବ ମନେ ହୋଇଥାଏ। ନିମ୍ନୋକ୍ତ ପରିସଂଖ୍ୟାନରୁ ଏହା ସ୍ପଷ୍ଟ ହୋଇଥାଏ। ପୃଥିବୀର ପ୍ରାୟ ୮୦୦ କୋଟି ଲୋକମାନଙ୍କ ମଧ୍ୟରେ ବର୍ତ୍ତମାନ ପ୍ରାୟ ୭,୦୦୦ଟି ଭାଷା ପ୍ରଚଳିତ ଥିଲେ ହେଁ ଏମାନଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ଲୋକ ମାତ୍ର ୨୪ଟି ଭାଷାରେ କଥାବାର୍ତ୍ତା କରିଥାନ୍ତି ଓ ୯୫ ପ୍ରତିଶତ ଲୋକ ସମୁଦାୟ ୪୦୦ଟି ହେବ ଭାଷା ହିଁ ବ୍ୟବହାର କରିଥାନ୍ତି। ଏହାର ଅର୍ଥ ବାକି ୬,୬୦୦ଟି ଭାଷା ବ୍ୟବହୃତ ହୋଇଥାଏ ପୃଥିବୀର ମାତ୍ର ୫ ଶତାଂଶ ଲୋକମାନଙ୍କ ଦ୍ବାରା। ଏଗୁଡ଼ିକ ମଧ୍ୟରୁ ଅଧିକାଂଶ ଭାଷାର ବ୍ୟବହାର କ୍ଷୁଦ୍ର କ୍ଷୁଦ୍ର ଗୋଷ୍ଠୀ ମଧ୍ୟରେ ସୀମିତ ହୋଇଥିବା ଦେଖାଯାଏ।
ଏହା ମଧ୍ୟ ଦେଖାଯାଏ ଯେ ଏଭଳି ଅନେକ ଗୋଷ୍ଠୀର ସଦସ୍ୟମାନେ କ୍ରମେ ନିଜର ସେଇ ପାରଂପରିକ ମାତୃଭାଷା ପରିତ୍ୟାଗ କରି ସଂଖ୍ୟାଗରିଷ୍ଠମାନେ ବ୍ୟବହାର କରୁଥିବା ଭାଷା ଆପଣାଇ ନେଉଛନ୍ତି (ନାଟକରେ ପ୍ରଦର୍ଶିତ ହୋଇଥିବା ଭଳି ଓଡ଼ିଆମାନଙ୍କ ମଧ୍ୟରେ ଯେପରି ଇଂରେଜୀ ଓ ହିନ୍ଦୀର ବ୍ୟବହାର ପ୍ରାଧାନ୍ୟ ଲାଭ କରି ଚାଲିଛି)। ଏକ ସର୍ବେକ୍ଷଣ ଅନୁଯାୟୀ, ଏହି ଧାରାର ପରିଣତି ସ୍ବରୂପ ବର୍ତ୍ତମାନ ପ୍ରାୟ ପ୍ରତି ୧୪ ଦିନରେ ପୃଥିବୀରେ ଗୋଟିଏ ଭାଷାର ବିଲୟ ଘଟୁଛି। ଭାଷା ଗବେଷକମାନେ ଆଶଙ୍କା କରୁଛନ୍ତି ଯେ ଅାସନ୍ତା ଶତାବ୍ଦୀରେ ପୃଥିବୀର ୯୦ ଶତାଂଶ ଭାଷାମାନଙ୍କର ବିଲୟ ଘଟିବାକୁ ଯାଉଛି- ଯାହାକୁ ଏକ ଭାଷା-ପ୍ରଳୟ ରୂପେ ଅଭିହିତ କରାଯାଇପାରେ।
ଯେଉଁ ପ୍ରକ୍ରିୟା ଏହି ଭାଷା-ବିଲୟକୁ ତ୍ବରାନ୍ବିତ କରିଥାଏ, ତାହା ହେଉଛି ପୂର୍ବୋକ୍ତ ଭାଷା-ବଦଳ। କେତେକ ମନୁଷ୍ୟ ନିଜର ଭାଷା ବଦଳାଇ ଦେବା ପାଇଁ କାହିଁକି ଏଭଳି ପ୍ରବୃତ୍ତ ହୋଇଥାନ୍ତି? ଏହାର ସଂକ୍ଷିପ୍ତ ଉତ୍ତର ହେଉଛି- ଯେ‌େହତୁ ମନୁଷ୍ୟ ହେଉଛି ଏକ ଅର୍ଥନୈତିକ ପ୍ରାଣୀ ବା ‘ହୋମୋ ଇକନୋମିକସ୍’ (ମର୍ଯ୍ୟାଦାଜନକ ଅର୍ଥନୈତିକ ଗବେଷଣା ପତ୍ରିକା ‘ଆମେରିକାନ୍ ଇକନୋମିକ୍ ରିଭିଉ’ରେ ରବର୍ଟ ଆଲେନ୍, ଲିଆଣ୍ଡର୍ ହେଲ୍‌ଡ୍ରିଙ୍ଗ୍ ଓ ମାଟ୍ଟିଆ ବର୍ଟାଜିନିଙ୍କ ଦ୍ବାରା ସଦ୍ୟ ପ୍ରକାଶିତ ଏକ ଗବେଷଣା ନିବନ୍ଧରେ ସାବ୍ୟସ୍ତ କରାଯାଇଛି ଯେ ମେସୋପଟାମିଆରେ ପୃଥିବୀର ସର୍ବପ୍ରଥମ ମାନବ ସମାଜ ଗଠିତ ହେବାର ମୂଳ କାରଣ ଥିଲା- ଅର୍ଥନୈତିକ)। ନାଟକ ‘ଓଡ଼ିଆ ଦାସ’ର ଏକ ଉଚ୍ଛ୍ବସିତ କରତାଳି ଲାଭ କରିଥିବା ସଂଳାପ ଅନୁସାରେ: ‘‘ଭାଷା କାହାର ପୈତୃକ ସଂପତ୍ତି ନୁହେଁ, ଏହା ହେଉଛି ଏକ ଅର୍ଜିତ ସଂପତ୍ତି।’’ ଅର୍ଥାତ୍ ଯେଉଁ ଭାଷାରେ ଉପାର୍ଜନର ସୁଯୋଗ ଅଧିକ ହୋଇଥାଏ ଅନ୍ୟ ଭାଷାଭାଷୀମାନେ ସେଇ ଭାଷା ପ୍ରତି ସ୍ବାଭାବିକ ଭାବରେ ଆକର୍ଷିତ ହୋଇଥାନ୍ତି- ‘ନାସା’ରେ ନିଯୁକ୍ତି ପାଇବାରେ ଓଡ଼ିଅା ଭାଷା ସହାୟକ ହୋଇ ନ ଥାଏ।
ତା’ହେଲେ, ଭାଷାର ବିଲୟ ଯଦି କୌଣସି ଅର୍ଥନୈତିକ ଅମଙ୍ଗଳ ଘଟାଇ ନ ଥାଏ, ବରଂ ମଙ୍ଗଳ ସାଧନ କରିଥାଏ, ଭାଷାର ବିଲୟକୁ କାହିଁକି ବିରୋଧ କରାଯିବ? ଏ ପ୍ରଶ୍ନର ଉତ୍ତର ବୋଧହୁଏ ନିହିତ ଅଛି ବିବର୍ତ୍ତନବାଦର ଜନକ ଚାର୍ଲ‌୍ସ ଡାର୍‌ୱିନ୍‌ଙ୍କର ୧୮୭୧ରେ ପ୍ରକାଶିତ (‘ଦି ଅରିଜିନ୍ ଅଫ୍ ସ୍ପେସିଜ୍’ ପ୍ରକାଶ ପାଇବାର ୧୨ ବର୍ଷ ପରେ) ମନୁଷ୍ୟ ସମ୍ବନ୍ଧିତ ପୁସ୍ତକ, ‘ଦି ଡିସେଣ୍ଟ୍ ଅଫ୍ ମ୍ୟାନ୍’ (‘ମନୁଷ୍ୟର ମୂଳ’)ରେ। ଭାଷା କେବଳ ମନୁଷ୍ୟମାନଙ୍କ ମଧ୍ୟରେ ସୀମିତ ହୋଇ ରହିଥିବାରୁ ତାହା ‘ଦି ଅରିଜିନ୍ ଅଫ୍ ସ୍ପେସିଜ୍’ରେ ପ୍ରଦତ୍ତ ବିବର୍ତ୍ତନବାଦ ତତ୍ତ୍ବ ସହିତ ଖାପ ଖାଇ ନ ଥାଏ; ପ୍ରଶ୍ନ ଉଠିଥାଏ, ବିବର୍ତ୍ତନ ପ୍ରକ୍ରିୟାରେ ଅନ୍ୟ ପ୍ରାଣୀମାନେ କାହିଁକି ବାକ୍‌ଶକ୍ତି ଓ ଭାଷାର ଅଧିକାରୀ ହୋଇ ନାହାନ୍ତି? ଡାର୍‌ୱିନ୍ ଏହାର ଉତ୍ତର ସ୍ବରୂପ ‘ଦି ଡିସେଣ୍ଟ୍ ଅଫ୍ ମ୍ୟାନ୍’ରେ ଲେଖିଥିଲେ ଯେ ଭାଷା ମନୁଷ୍ୟର ଏକ ସହଜାତ ପ୍ରବୃତ୍ତି ବା ‘ଇନ୍‌ଷ୍ଟିଙ୍କ୍‌ଟ’ ହୋଇଥିଲେ ହେଁ ଏହା କେବଳ ଏକ ବିଶୁଦ୍ଧ ଇନ୍‌ଷ୍ଟିଙ୍କ୍‌ଟ ନୁହେଁ, କାରଣ ଭାଷାକୁ ମଧ୍ୟ ଶିଖିବା ଦରକାର ହୋଇଥାଏ, ଯାହା ଏକ କଳାର ରୂପ ନେଇଥାଏ। ସେ ଶେଷରେ ଏହି ସିଦ୍ଧାନ୍ତରେ ପହଞ୍ଚିଥିଲେ ଯେ ଭାଷା ଦକ୍ଷତା ହେଉଛି ‘‘ଏକ କଳା ଆହରଣ କରିବା ପାଇଁ ସହଜାତ ପ୍ରବୃତ୍ତି।’’ ଏହି ପ୍ରବୃତ୍ତି ମନୁଷ୍ୟ ବ୍ୟତୀତ ଅନ୍ୟ ପ୍ରାଣୀମାନଙ୍କ ଠାରେ ଅନୁପସ୍ଥିତ ଥିବାରୁ (ଅତ୍ୟନ୍ତ ସୀମିତ ଭାବରେ କେତେକ କଥା ନକଲ କରିପାରୁଥିବା ପକ୍ଷୀଙ୍କ ବ୍ୟତୀତ) ବିବର୍ତ୍ତନ ପ୍ରକ୍ରିୟାରେ ସେମାନଙ୍କ ମଧ୍ୟରେ ଭାଷାର ଆବିର୍ଭାବ ଘଟି ନାହିଁ।
ଗୋଟିଏ ନିର୍ଦ୍ଦିଷ୍ଟ ଗୋଷ୍ଠୀର ମନୁଷ୍ୟମାନଙ୍କ ମଧ୍ୟରେ ଏହି ପ୍ରକ୍ରିୟାରେ ଏକ ଭାବର ଆଦାନ ପ୍ରଦାନ ମାଧ୍ୟମ ବା ‘ଭାଷା’ର ଆବିର୍ଭାବ ଘଟିବା ପରେ ସେଥିରେ ଅନବରତ ବିକାଶ ଘଟିଚାଲି କ୍ରମେ ସେଇ ଭାଷାଭାଷୀଙ୍କ ମଧ୍ୟରେ ଯେଉଁ ଜଟିଳରୁ ଜଟିଳତର ଭାବନାର ବିନିମୟ ଘଟିବା ସମ୍ଭବ ହୋଇଥାଏ, ସେଥିରୁ ଜନ୍ମଲାଭ କରିଥାଏ ଏକ ନିର୍ଦ୍ଦିଷ୍ଟ କିସମର କଳା, ସଂସ୍କୃତି, ସାହିତ୍ୟ, ଜୀବନଶୈଳୀ... ଯାହାର ‘ହୋମୋ ଇକନୋମିକସ୍’ ଦୃଷ୍ଟିରୁ କୌଣସି ଅର୍ଥନୈତିକ ମୂଲ୍ୟାୟନ କରିବାକୁ ବାହାରିବା ହେବ ଏକ ହାସ୍ୟାସ୍ପଦ ଉଦ୍ୟମ ମାତ୍ର କିମ୍ବା ଅନ୍ୟ ଭାଷାରେ କହିଲେ, ଯାହା ହେଉଛି ଅମୂଲ୍ୟ। ଉଦାହରଣ ସ୍ବରୂପ ବ୍ୟାସକବିଙ୍କର ‘ଛ’ମାଣ ଆଠଗୁଣ୍ଠ’, କିମ୍ବା ସ୍ବଭାବକବିଙ୍କର ‘ତପସ୍ବିନୀ’, କିମ୍ବା କାହ୍ନୁଚରଣଙ୍କ ‘ଶାସ୍ତି’, କିମ୍ବା କେଳୁଚରଣଙ୍କ ନୃତ୍ୟ, କିମ୍ବା ଶ୍ୟାମାମଣିଙ୍କ ସଙ୍ଗୀତ, କିମ୍ବା ବାରଶ’ ବଢ଼େଇଙ୍କର କୋଣାର୍କ ମନ୍ଦିର, କିମ୍ବା ମାଣବସା ଗୁରୁବାର ଓଷା କିମ୍ବା ‌ରଜ ଦୋଳିର ‘ବନସ୍ତେ ଡାକିଲା ଗଜ...’ର ମୂଲ୍ୟାୟନ କେଉଁ ନୋବେଲ୍ ପୁରସ୍କାରପ୍ରାପ୍ତ ଅର୍ଥନୀତିଜ୍ଞ କରିପାରିବ? ଓଡ଼ିଆ ଭାଷାର ବିଲୟ ସହିତ ଏ ସବୁର ବିଲୟ ଘଟିବା ଅବଧାରିତ, ଯେଉଁଭଳି ପ୍ରତ୍ୟେକ ଭାଷାର ବିଲୟ ବେଳେ ଘଟିଥାଏ। ଏହି ବିଚ୍ଛେଦ ଯନ୍ତ୍ରଣା ହିଁ ନାଟକରେ ଓଡ଼ିଆ ଦାସଙ୍କୁ ଛଟପଟ କରିଥାଏ। ଦାସଙ୍କର ଏହି ଦଶାରୁ ମୁକ୍ତି ପାଇବାକୁ ହେଲେ ଆମ ଭାଷାକୁ ସୁରକ୍ଷିତ ରଖିବା ପାଇଁ ଆମକୁ ସବୁମନ୍ତେ ଉଦ୍ୟମ କରିବାକୁ ହେବ।