ଅତୀତର ପୁନରାବଲୋକନ

କିନ୍ତୁ ସହସା ଏଭଳି କଠୋର ନିଷ୍ପତ୍ତି ନେବା ବେଳେ ପୂର୍ବରୁ ଅନ୍ଦାଜ କରାଯାଇ ପାରି ନ ଥିବା ଭଳି କେତେକ ଅସଂଗତି ଲୁକ୍କାୟିତ ହୋଇ ରହିଯାଇପାରେ, ଯାହା ଏକ ଅତିକାୟ ଅପରିଣାମଦର୍ଶିତା ଭଳି ହଠାତ୍‌ ଆତ୍ମପ୍ରକାଶ କରି ହତଭମ୍ବ କରିଦେଇପାରେ; ଯେମିତି ‘ଲକ୍‌ଡାଉନ୍‌’ ପରେ ପ୍ରବାସୀ ଶ୍ରମିକଙ୍କ କଷଣ ଏକ ଅକଥନୀୟ ମାନବୀୟ ଟ୍ରାଜେଡିକୁ ଜନ୍ମ ଦେଇ ଘଟାଇଥିଲା। ତେଣୁ ଏହା ମଧ୍ୟ ସମ୍ଭବ ଯେ ‘ସ୍ଥାନ-କାଳ-ପାତ୍ର-ପରିସ୍ଥିତି’ର ଅଇନାରେ ଦେଖିବାର ପ୍ରୟାସ ନ କରି ଭବିଷ୍ୟତରେ ‘ଲକ୍‌ଡାଉନ୍‌’କୁ ଏକ ଚରମ ଅପରିଣାମଦର୍ଶୀ ପଦକ୍ଷେପ ରୂପେ ବର୍ଣ୍ଣନା କରାଯାଇପାରେ, ଯେମିତି ମିଜୋରମ ଉପରେ ହୋଇଥିବା ବିମାନ ଆକ୍ରମଣ ପରିପ୍ରେକ୍ଷୀରେ ଏବେ ଶୁଣିବାକୁ ମିଳିଲା। ଏଭଳି ସ୍ଥଳେ ସେହି କଠୋର ନିଷ୍ପତ୍ତି ପଛରେ ରହିଥିବା ବାଧ୍ୟବାଧକତା ଏବଂ ଏକ ବୃହତ୍ତର ମହତ୍‌ ଉଦ୍ଦେଶ୍ୟ ତା’ର ପ୍ରକୃତ ମର୍ମ ହରାଇଥାଏ।

ଗଲା ୧୦ ତାରିଖରେ ବିରୋଧୀ ପକ୍ଷ ଦ୍ବାରା ଆଗତ ଅନାସ୍ଥା ପ୍ରସ୍ତାବର ଉତ୍ତର ସ୍ବରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଲୋକସଭାରେ ପ୍ରଦତ୍ତ ଦୀର୍ଘ ଭାଷଣର ଯେଉଁ କତିପୟ ବିଷୟ ଭ୍ରୂକୁଂଚନ ସୃଷ୍ଟି କରିଛି, ତହିଁରୁ ଗୋଟିଏ ମିଜୋରମ ଉପରେ ଭାରତୀୟ ବିମାନ ବାହିନୀ ଦ୍ବାରା ସଂଘଟିତ ବୋମା ବର୍ଷଣ (୧୯୬୬ ମସିହା ମାର୍ଚ୍ଚ ମାସରେ) ସମ୍ବନ୍ଧୀୟ; ଯାହାର ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଏତାଦୃଶ ଚରମ ନିଷ୍ପତ୍ତିର ଯଥାର୍ଥତାକୁ ପ୍ରଶ୍ନ ଜର୍ଜର କରିଥିଲେ। କହିବା ନିଷ୍ପ୍ରୟୋଜନ ଯେ ହିଂସାର ଦାବାନଳରେ ଦୀର୍ଘ କାଳ ଧରି ଦଗ୍‌ଧୀଭୂତ ହୋଇ ଚାଲିଥିବା ଉତ୍ତର-ପୂର୍ବୀୟ ରାଜ୍ୟ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୌନତା ତଥା ଏକ କଠୋର ନିଷ୍ପତ୍ତି (ମୁଖ୍ୟମନ୍ତ୍ରୀଙ୍କୁ ଅପସାରଣ କରିବା ଭଳି) ନେବାରେ ନିଷ୍କ୍ରିୟତା ତୀବ୍ର ସମାଲୋଚନାର ଶରବ୍ୟ ହେଉଛି, ଯେଉଁ ପରିପ୍ରେକ୍ଷୀରେ ବିରୋଧୀ ମେଣ୍ଟ ପକ୍ଷରୁ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଥିଲା। ଏଭଳି ସ୍ଥଳେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉତ୍ତର-ପୂର୍ବୀୟ ଭାରତରେ ସଶସ୍ତ୍ର ଆନ୍ଦୋଳନର ଦୀର୍ଘ ଇତିହାସ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ ଏବଂ ଅତୀତର ଏହି ଘଟଣାର ଅବତାରଣା ସହିତ ଦୋଷାରୋପର ଉଦ୍ୟମର ପୃଷ୍ଠଭୂମିରେ ଇତିହାସର ପୁନରାବୋଲକନ ଯେ ଜରୁରୀ, ତାହା ହୃଦ୍‌ବୋଧ କରି ହୋଇଥାଏ।
ସମୟର ସରଣୀରେ ପଶ୍ଚାତ୍‌ ଦୃଷ୍ଟି ନିକ୍ଷେପ କଲେ ଦିଶିଥାଏ କିଭଳି ଷଷ୍ଠ ଦଶକରେ ବୃହତ୍‌ ଆସାମ ରାଜ୍ୟ ଅନ୍ତର୍ଭୁକ୍ତ ‘ଲୁସାଇ ହିଲ୍‌ସ ଡିଷ୍ଟ୍ରିକ୍‌ଟ’ ନାମକ ଏକ ଅଂଶକୁ ପୃଥକ୍‌ ମିଜୋରମ ରାଜ୍ୟରେ ପରିଣତ କରିବା ଦାବିରେ ‘ମିଜୋ ନେସନାଲ ଫ୍ରଣ୍ଟ୍‌’ ବା ‘ଏମ୍‌.ଏନ୍‌.ଏଫ୍.’ ନାମକ ଏକ ବିଚ୍ଛିନ୍ନତାବାଦୀ ସଂଗଠନ ଦ୍ବାରା ସଶସ୍ତ୍ର ବିଦ୍ରୋହ ପ୍ରାରମ୍ଭ କରାଯାଇଥିଲା, ଯାହାର ନେତା ଥିଲେ ପି. ଲାଲଡେଙ୍ଗା‌। ୧୯୬୬ ମସିହା ମାର୍ଚ୍ଚ ମାସରେ ‘ମିଜୋ ନେସନାଲ ଆର୍ମି’ ବା ‘ଏମ୍‌.ଏନ୍‌.ଏ.’ (‘ଏମ୍‌.ଏନ୍‌.ଏଫ୍.’ର ସୈନ୍ୟ ବାହିନୀ) ଦ୍ବାରା ଅଇଜଲ ସହର ଅଧିକୃତ ହୋଇଯାଏ, ଯହିଁରେ ‘ଆସାମ ରାଇଫଲ୍‌ସର ବାଟାଲିଅନ’ ଆକ୍ରମଣର ଶିକାର ହୁଏ ଏବଂ ପାଞ୍ଚ ଜଣ ସୈନିକ ପ୍ରାଣ ହରାନ୍ତି; ଆଇଜଲରେ ସ୍ବତନ୍ତ୍ର ମିଜୋରମ ଘୋଷଣା କରାଯାଇ ‘ଏମ୍‌.ଏନ୍‌.ଏଫ୍.’ର ପତାକା ଉଡ଼ାଇ ଦିଆଯାଏ। ସେହି ସମୟ ବେଳକୁ ଇନ୍ଦିରା ଗାନ୍ଧୀ ମାତ୍ର ଛଅ ସପ୍ତାହର ଜଣେ କୁଣ୍ଠିତ, ଅପ୍ରସ୍ତୁତ ଏବଂ ସଂପୂର୍ଣ୍ଣ ଅନଭିଜ୍ଞ ପ୍ରଧା‌ନମନ୍ତ୍ରୀ, ଯିଏ ରାମ ମନୋହର ଲୋହିଆଙ୍କ ଭଳି ଜଣେ ପରିପକ୍ବ ନେତାଙ୍କ ଦ୍ବାରା ‘ଗୁଂଗୀ ଗୁଡ଼ିୟା’ ବା ‘ମୂକ କଣ୍ଢେଇ’ ରୂପେ ଆରୋପିତ; ସେହି ସମୟ ବେଳକୁ ଚୀନ (୧୯୬୨) ଏବଂ ପାକିସ୍ତାନ (୧୯୬୫) ସହିତ ଦୁଇ ଦୁଇଟି ଯୁଦ୍ଧରେ ବ୍ୟାପୃତ ହୋଇ ଭାରତର ରାଜକୋଷ ରିକ୍ତ ପ୍ରାୟ; ଏବଂ କୃଷି ଉପରେ ନିର୍ଭରଶୀଳ ଦରିଦ୍ର ଭାରତ ସେତେ ବେଳକୁ ଉତ୍କଟ ଦୁର୍ଭିକ୍ଷ ଏବଂ କୃଷି ଉତ୍ପାଦନରେ ବିଫଳତା କାରଣରୁ ବୁଭୁକ୍ଷାର ଶିକାର। କେବଳ ସେତିକି ନୁହେଁ କାଶ୍ମୀରରେ ପାକିସ୍ତାନ ପ୍ରାୟୋଜିତ ଉପଦ୍ରବ, ନାଗାଲାଣ୍ଡରେ ମିଆଁମାର ସମର୍ଥିତ ନାଗା ବିଦ୍ରୋହ ଏବଂ ଏବେ ପୂର୍ବ-ପାକିସ୍ତାନ (ବର୍ତ୍ତମାନର ବାଂଲାଦେଶ)ର ପ୍ରତ୍ୟକ୍ଷ ସହାୟତା ପ୍ରାପ୍ତ ‘ଏମ୍‌.ଏନ୍‌.ଏଫ୍‌.’ ଆକ୍ରମଣ ଇତ୍ୟାଦି ଭାରତ-ରାଷ୍ଟ୍ର ପ୍ରତି ଏକ ଚିନ୍ତାତୀତ ଆହ୍ବାନ ସୃଷ୍ଟି କରିଥାଆନ୍ତି। ଏଭଳି ଏକ ପରିସ୍ଥିତିରେ ସଡ଼କ ପଥରେ ଭାରତୀୟ ସୈନ୍ୟ ପ୍ରେରଣର ଉଦ୍ୟମକୁ ‘ଏମ୍‌.ଏନ୍‌.ଏଫ୍‌.’ର ପ୍ରଚଣ୍ଡ ଆକ୍ରମଣ ବ୍ୟର୍ଥ କରିଦିଏ। ସୁତରାଂ, ସେହି ଏକ ମାତ୍ର ନିଷ୍ପତ୍ତି ଅନିବାର୍ଯ୍ୟ ହୋଇପଡ଼େ, ଯାହା ଗ୍ରହଣ କରିବା ହୁଏ’ତ ଇନ୍ଦିରା ଗାନ୍ଧୀଙ୍କ ତୁଲ୍ୟ ଜଣେ ଦୃଢ଼ ମନା ବ୍ୟକ୍ତିତ୍ବଙ୍କୁ ଆବଶ୍ୟକ କରିଥାଏ। ପ୍ରକାଶ ଥାଉ କି ଦୁଇ ଦିନର ଆକାଶ ମାର୍ଗୀ ଆକ୍ରମଣରେ ‘ଏମ୍‌.ଏନ୍‌.ଏ.’ ଛତ୍ରଭଙ୍ଗ ଦେଇ ପୂର୍ବ ପାକିସ୍ତାନ ଏବଂ ମିଜୋରମ ସୀମାସ୍ଥ ୩୧୮ କିଲୋମିଟର ଦୀର୍ଘ ନିଘଞ୍ଚ ଲୁସାଇ ଜଙ୍ଗଲରେ ଆତ୍ମଗୋପନ କରିବାକୁ ବାଧ୍ୟ ହୁଅନ୍ତି ଏବଂ ଭାରତର ବିପନ୍ନ ସାର୍ବଭୌମତ୍ବ ଅଗତ୍ୟା ଅକ୍ଷୁଣ୍ଣ ରହେ। ସୁତରାଂ, ହୃଦୟଙ୍ଗମ କରି ହୁଏ ଯେ ଅତୀତର ଆଲୋଚନା କଲା ବେଳେ ‘ସ୍ଥାନ, କାଳ, ପାତ୍ର ଏବଂ ପରିସ୍ଥିତି’ର ପରିପ୍ରେକ୍ଷୀ ଗୁରୁତ୍ବପୂର୍ଣ୍ଣ ହୋଇଯାଏ; ଯେଉଁ କାରଣରୁ ୧୯୬୬ ମସିହା, ମାର୍ଚ୍ଚ ମାସ ୩ ତାରିଖରେ ଘଟିଥିବା ଘଟଣାଟିକୁ ପ୍ରଧାନମନ୍ତ୍ରୀ ମୋଦୀ ଅତ୍ୟନ୍ତ ଅଭାବନୀୟ ଅର୍ଥାତ୍‌ ଭାରତୀୟ ନାଗରିକମାନଙ୍କ ଉପରେ ଭାରତୀୟ ବିମାନ ବାହିନୀର ଆକ୍ରମଣ ବୋଲି ଦର୍ଶାଇ ସମାଲୋଚନା କରିଥିବା ସତ୍ତ୍ବେ ଇନ୍ଦିରା ଗାନ୍ଧୀଙ୍କ ଦ୍ବାରା ନିଆଯାଇଥିବା ଏହା ଏକ ନିର୍ଣ୍ଣାୟକ ଓ ଉଚିତ ପଦକ୍ଷେପ ଥିଲା ବୋଲି ପ୍ରାୟତଃ ମତ ପ୍ରକାଶ ପା‌ଇଥାଏ।
ଏହି ପରିପ୍ରେକ୍ଷୀରେ ମିଜୋରମ ସମ୍ବନ୍ଧରେ ଏକ ସ୍ବଳ୍ପ ଜ୍ଞାତ ଅଥଚ କୌତୂହଳପ୍ରଦ ବିଷୟର ଅବତାରଣା ମଧ୍ୟ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ; ତାହା ହେଉଛି ‘ମୌତାମ’ ବା ମିଜୋ ଭାଷାରେ ‘ବାଉଁଶ ଫୁଲ ଫୁଟିବାର ସମୟ।’ ପ୍ରକାଶ ଥାଉ କି ପ୍ରତି ପଚାଶ ବର୍ଷରେ ଥରେ ବାଉଁଶ ଗଛରେ ଫୁଲମାନ ଫୁଟି ଏଭଳି ପ୍ରଭୂତ ବୀଜ ବିକ୍ଷେପ କରନ୍ତି ଯେ ତାକୁ ଖାଇବା ଲାଗି ଏକ ମୂଷିକ ବନ୍ୟା ସୃଷ୍ଟି ହୋଇଥାଏ, ଯାହାଙ୍କ ପ୍ରାଦୁର୍ଭାବରେ ଅନ୍ୟାନ୍ୟ ସମସ୍ତ ଫସଲ ଏବଂ ଶସ୍ୟର ଧ୍ବଂସ ସାଧନ ହୁଏ ଓ ତଜ୍ଜନିତ ଦୁର୍ଭିକ୍ଷ ଏବଂ ପ୍ଲେଗ୍‌ ଭଳି ଦୁର୍ଭାଗ୍ୟର ମଧ୍ୟ ସୃଷ୍ଟି ହୋଇଥାଏ। ସୁତରାଂ, ୧୮୬୫, ୧୯୧୧ ଏବଂ ସ୍ବାଧୀନତୋତ୍ତର ଭାରତରେ ୧୯୬୨ରେ; ଏଭଳି ପ୍ରତି ପଚାଶ ବର୍ଷରେ ଥରେ ମିଜୋରମ ‘ମୌତାମ’ ଜନିତ ଭୟାବହ ବିପତ୍ତିର ସମ୍ମୁଖୀନ ହୋଇଛି। ୧୯୬୨ର ‘ମୌତାମ’ ସମୟରେ ଅବଶିଷ୍ଟ ଭାରତ ମଧ୍ୟ ଖାଦ୍ୟାଭାବ ଦ୍ବାରା ପୀଡ଼ିତ ଥିଲା। ଏଭଳି ପରିସ୍ଥିତିରେ ପର୍ବତ ଘେରା ଦୁର୍ଗମ ମିଜୋରମରେ ‘ମୌତାମ’ଜନିତ ମୃତ୍ୟୁ ସଂଖ୍ୟାକୁ ୧୦୦ରେ ସୀମିତ ରଖା ଯାଇପାରିବାକୁ ଏକ ସଫଳତା ବୋଲି ମଧ୍ୟ କୁହାଯାଇପାରେ। ଏହାର ଉଦାହରଣ ଦେଇ ଅନେକ ପର୍ଯ୍ୟବେକ୍ଷକ ଏହା ମଧ୍ୟ କହିଥାଆନ୍ତି ଯେ ତତ୍କାଳୀନ କେନ୍ଦ୍ର ସରକାରଙ୍କ ଦ୍ବାରା ମିଜୋରମ ଅବହେଳାର ଶିକାର ହେଉଥିଲା ବୋଲି ଅଭିଯୋଗ ମଧ୍ୟ ଯଥାର୍ଥ ନୁହେଁ। ପ୍ରକାଶ ଥାଉ କି ସପ୍ତମ ଦଶକରେ ଭାରତରେ ଘଟିଥିବା କୃଷି ବିପ୍ଳବର ପ୍ରସାଦରୁ ୨୦୧୨ରେ ‘ମୌତାମ’ର ଦୁର୍ଭାଗ୍ୟ ଦେଖିବାକୁ ମିଳିନାହିଁ। କେବଳ ସେତିକି ନୁହେଁ, ୧୯୮୭ ମସିହାରେ ରାଜୀବ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରିତ୍ବ କାଳରେ ତତ୍କାଳୀନ କଂଗ୍ରେସ ସରକାରଙ୍କ ଦ୍ବାରା ସଂପାଦିତ ଚୁକ୍ତି ପରେ ମିଜୋରମରେ ସ୍ଥାୟୀ ଶାନ୍ତି ସମ୍ଭବ ହୋଇଛି।
ତେବେ, ଏଭଳି ଆଲୋଚନା ବେଳେ ପ୍ରଶ୍ନ ଉଠେ ଯେ ଏବେ ଠାରୁ ଷାଠିଏ ବର୍ଷ ପରେ ଅର୍ଥାତ୍‌ ୨୦୮୩ ମସିହାରେ ଭବିଷ୍ୟତ୍‌ ପିଢ଼ି ସାଂପ୍ରତିକ ସରକାରଙ୍କୁ କିଭଳି ଦୃଷ୍ଟିରେ ଦେଖିବ? ୨୦୨୦ ମସିହାରେ ‘କୋଭିଡ୍‌’ ମହାମାରୀ ଭଳି ଏକ ଅତ୍ୟନ୍ତ ଅପ୍ରତ୍ୟାଶିତ ଦୁର୍ଯୋଗର ସମ୍ମୁଖୀନ ହୋଇ ଦୃଢ଼ମନା ସରକାର ଏକ କଠୋର ‘ଲକ୍‌ଡାଉନ୍‌’ର ନିଷ୍ପତ୍ତି ନେଇଥିଲେ; ଯାହା ଯଥାର୍ଥ ଥିଲା ବୋଲି କହିବାରେ ଏବେ ଦ୍ବିଧା ନାହିଁ। କିନ୍ତୁ ସହସା ଏଭଳି କଠୋର ନିଷ୍ପତ୍ତି ନେବା ବେଳେ ପୂର୍ବରୁ ଅନ୍ଦାଜ କରାଯାଇ ପାରି ନ ଥିବା ଭଳି କେତେକ ଅସଂଗତି ଲୁକ୍କାୟିତ ହୋଇ ରହିଯାଇପାରେ, ଯାହା ଏକ ଅତିକାୟ ଅପରିଣାମଦର୍ଶିତା ଭଳି ହଠାତ୍‌ ଆତ୍ମପ୍ରକାଶ କରି ହତଭମ୍ବ କରିଦେଇପାରେ; ଯେମିତି ‘ଲକ୍‌ଡାଉନ୍‌’ ପରେ ପ୍ରବାସୀ ଶ୍ରମିକଙ୍କ କଷଣ ଏକ ଅକଥନୀୟ ମାନବୀୟ ଟ୍ରାଜେଡିକୁ ଜନ୍ମ ଦେଇ ଘଟାଇଥିଲା। ତେଣୁ ଏହା ମଧ୍ୟ ସମ୍ଭବ ଯେ ‘ସ୍ଥାନ-କାଳ-ପାତ୍ର-ପରିସ୍ଥିତି’ର ଅଇନାରେ ଦେଖିବାର ପ୍ରୟାସ ନ କରି ଭବିଷ୍ୟତରେ ‘ଲକ୍‌ଡାଉନ୍‌’କୁ ଏକ ଚରମ ଅପରିଣାମଦର୍ଶୀ ପଦକ୍ଷେପ ରୂପେ ବର୍ଣ୍ଣନା କରାଯାଇପାରେ, ଯେମିତି ମିଜୋରମ ଉପରେ ହୋଇଥିବା ବିମାନ ଆକ୍ରମଣ ପରିପ୍ରେକ୍ଷୀରେ ଏବେ ଶୁଣିବାକୁ ମିଳିଲା। ଏଭଳି ସ୍ଥଳେ ସେହି କଠୋର ନିଷ୍ପତ୍ତି ପଛରେ ରହିଥିବା ବାଧ୍ୟବାଧକତା ଏବଂ ଏକ ବୃହତ୍ତର ମହତ୍‌ ଉଦ୍ଦେଶ୍ୟ ତା’ର ପ୍ରକୃତ ମର୍ମ ହରାଇଥାଏ।

ସମ୍ବନ୍ଧିତ ଖବର