ସେହି ବିମର୍ଷକର ସମୟରେ ଏହି ବିଫଳତାର ସମସ୍ତ ଦୋଷ କଲାମଙ୍କ ପରିବର୍ତ୍ତେ ମୁଣ୍ଡାନ୍ତି ‘ଇସ୍ରୋ’ର ତତ୍କାଳୀନ ମୁଖ୍ୟ ତଥା କିଂବଦନ୍ତୀୟ ବୈଜ୍ଞାନିକ ସତୀଶ ଧଵନ। କିନ୍ତୁ ତହିଁ ପର ବର୍ଷ ‘ରୋହିଣୀ’ର କକ୍ଷ ସ୍ଥାପନ ଜନିତ ଐତିହାସିକ ସଫଳତା ପରେ ସତୀଶ ଧୱନ ପଛକୁ ହଟିଯାଇ କଲାମଙ୍କୁ ସମସ୍ତ ଶ୍ରେୟ ପ୍ରଦାନ କରି ସାମ୍ବାଦିକ ସମ୍ମିଳନୀକୁ ସଂବୋଧନ କରିବାର ସୁଯୋଗ ଦିଅନ୍ତି। ରାଜ‌େନୖତିକ ନେତୃତ୍ବ ପରିପ୍ରେକ୍ଷୀରେ ହୁଏତ ଏଭଳି ଉଦାହରଣ ଦେଖିବାକୁ ମିଳନ୍ତା ନାହିଁ। ଏହା ହିଁ ହେଉଛି ‌ବୈଜ୍ଞାନିକମାନଙ୍କ ଭଳି ନେପଥ୍ୟ ନାୟକମାନଙ୍କ ବୈଶିଷ୍ଟ୍ୟ, ଯେଉଁମାନେ ହୁଏ’ତ କୌଣସି ରାଜନେତାଙ୍କ ଭଳି ବିଜ୍ଞପିତ ହେବାକୁ ଚାହାଁନ୍ତେ ନାହିଁ।

Advertisment

ଗଲା ବୁଧବାର ଦିନ ‘ବିକ୍ରମ ଲ୍ୟାଣ୍ଡର୍‌’ ଚନ୍ଦ୍ରାବତରଣ କରୁଥିବାର ଚୂଡ଼ାନ୍ତ ବେଳାର ସିଧା ପ୍ରସାରଣ ସମୟରେ ଟେଲିଭିଜନ ପରଦାର ଅର୍ଧେକାଂଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଅଧିକୃତ ହୋଇଯିବା ବିଷୟ ଅ‌େନକତ୍ର ସମାଲୋଚନାର କୋଳାହଳ ସୃଷ୍ଟି କରିଛି; ଯହିଁରେ ଶୁଣିବାକୁ ମିଳିଥାଏ ଯେ ଏଭଳି ଏକ ଅତୁଲ୍ୟ ସଫଳତା ସଂଘଟିତ ହେଉଥିବାର ଶ୍ବାସରୋଧକାରୀ ଉତ୍କଣ୍ଠାମୟ କ୍ଷଣରେ ଟେଲିଭିଜନ ପରଦା ଉପରେ ସହସା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆ‌ବିର୍ଭାବ କେବଳ ଅସଂଗତ ନ ଥିଲା, ଏହା ମଧ୍ୟ ଥିଲା ଉଦ୍ଦେଶ୍ୟମୂଳକ, ଯହିଁରେ ଏହି ସଫଳତାର ଶ୍ରେୟ କେବଳ ପ୍ରଧାନମନ୍ତ୍ରୀ ହିଁ ନେବାକୁ ଚାହିଁଥି‌େଲ। ସୁତରାଂ, ‘ଚନ୍ଦ୍ରାୟନ-୩’ ପ୍ରକଳ୍ପକୁ ଜୀବନର ଏକ ଅଂଶ ରୂପେ ବିଚାର କରି ଏହାର ଗବେଷଣା ଓ ନିର୍ମାଣରେ ଦୀର୍ଘ କାଳ ବିନିଦ୍ର ରଜନୀ ଅତିବାହିତ କରିଥିବା ‘ଇସ୍ରୋ’ର ବୈଜ୍ଞାନିକମାନଙ୍କୁ ସତେ ଯେମିତି ଯଥାର୍ଥ ଶ୍ରେୟ ଲାଭରୁ ବଞ୍ଚିତ କରି ପୃଷ୍ଠଭାଗକୁ ଅପସାରିତ କରିଦିଆଗଲା। ସୁତରାଂ, ଶ୍ରେୟ ଅପହରଣକୁ କେନ୍ଦ୍ର କରି ଉପୁଜିଥିବା ଏହି ବିବାଦ ସଂପର୍କରେ ଏକ କ୍ଷୁଦ୍ର ଆଲୋଚନା କରାଯାଉ।
ସମାଲୋଚକମାନଙ୍କ ମତରେ ‘ବିକ୍ରମ ଲ୍ୟାଣ୍ଡର’ର ସଫଳ ଅବତରଣ ପରେ ‘ଇସ୍ରୋ’ର ମୁଖ୍ୟ ଡକ୍ଟର ଏ‌ସ୍‌. ସୋମନାଥ ହିଁ ପ୍ରଥମେ ଏହି ସଫଳତାର ଶ୍ରେୟକୁ ନିଜର ସତୀର୍ଥ ବୈଜ୍ଞାନିକ ଓ ଗବେଷକମାନଙ୍କୁ ପ୍ରଦାନ କରିବା ଲାଗି ସୁଯୋଗ ପାଇବା ଅଧିକ ଯୁକ୍ତିଯୁକ୍ତ ହୋଇଥାନ୍ତା, କିନ୍ତୁ ତା’ ପରିବର୍ତ୍ତେ ସେ ତାଙ୍କ ଉଲ୍ଲାସକୁ ମାତ୍ର ୨୩ ସେ‌କେଣ୍ଡ୍‌ର ଏକ ବକ୍ତବ୍ୟରେ ସମାପ୍ତ କରି ପରବର୍ତ୍ତୀ ପ୍ରାୟ ଦଶ ମିନିଟ୍ ପ୍ରଧାନମନ୍ତ୍ରୀଙ୍କ ଚିରାଚରିତ ବହ୍ବାଡ଼ମ୍ବରୀ ଭାଷଣ ସକାଶେ ଛାଡ଼ି ଦେଇଥିଲେ, ଯେଉଁଥିରେ ପ୍ରକଳ୍ପ ସହିତ ସଂଶ୍ଳିଷ୍ଟ ବୈଜ୍ଞାନିକଗଣ ମାତ୍ର ଗୋଟିଏ ବାକ୍ୟର ଧନ୍ୟବାଦାର୍ପଣ ଶୁଣିବାକୁ ପାଇଥିଲେ। ସମାଲୋଚକମାନେ ଆହୁରି କହିଥାଆନ୍ତି ଯେ ଯଦିଓ ପ୍ରଧାନମନ୍ତ୍ରୀଙ୍କ ଭାଷଣ ପରେ ‘ଇସ୍ରୋ’ର ମୁଖ୍ୟ ତଥା ପ୍ରକଳ୍ପକୁ ବିଭିନ୍ନ ସ୍ତରରେ ନେତୃତ୍ବ ପ୍ରଦାନ କରୁଥିବା ବୈଜ୍ଞାନିକମାନେ ଆପଣା କ୍ଷୁଦ୍ରାତିକ୍ଷୁଦ୍ର ବକ୍ତବ୍ୟମାନ ରଖିବାର ସୁଯୋଗ ପାଇଥିଲେ, ତାହା ଅତ୍ୟନ୍ତ ଗୌଣ ଭଳି ପ୍ରତୀତ ହୋଇଥିଲା। ସେମାନଙ୍କ ମତରେ ‘ବିକ୍ରମ ଲ୍ୟାଣ୍ଡର’ ଚନ୍ଦ୍ରାବତରଣ କରିବାର ସେହି ବିରଳ କ୍ଷଣରେ ଟେଲିଭିଜନ ପରଦାରେ ‘ଲ୍ୟାଣ୍ଡର୍‌’ ସହିତ ‘ଇସ୍ରୋ’‌େର ଉପସ୍ଥିତ ବୈଜ୍ଞାନିକଗଣଙ୍କୁ ପ୍ରଦର୍ଶିତ କରାଯିବା ଅଧିକ ସମୀଚୀନ ହୋଇଥାନ୍ତା! କିନ୍ତୁ, ଏହା ମଧ୍ୟ ଏକ ବାସ୍ତବତା ଯେ ବିଭିନ୍ନ ସରକାର ଅମଳରେ ପ୍ରଧାନମନ୍ତ୍ରୀମାନେ ସେମାନଙ୍କ ନେତୃତ୍ବ ଓ ପ୍ରେରଣା ମାଧ୍ୟମରେ ଆମ ଦେଶରେ ବୈଜ୍ଞାନିକ ଗବେଷଣାକୁ ଦିଗ ଓ ବେଗ ପ୍ରଦାନ କରିଛନ୍ତି; ଯେମିତି ପ୍ରଥମ ପ୍ରଧାନମନ୍ତ୍ରୀ ଜୱାହରଲାଲ ନେହରୁଙ୍କ ପ୍ରେରଣାରେ ଷଷ୍ଠ ଦଶକର ପ୍ରାରମ୍ଭରେ ହିଁ ଭାରତରେ ଆଣବିକ ଓ ମହାକାଶ ଗବେଷଣାର ଭିତ୍ତି ସ୍ଥାପନ କରା ଯାଇପାରିଥିଲା ବା ଇନ୍ଦିରା ଗାନ୍ଧୀଙ୍କ ଶାସନ କାଳରେ (୧୯୮୦) ପ୍ରଥମ ଉପଗ୍ରହ ‘ରୋହିଣୀ’କୁ ସ୍ବଦେଶୀ ନିର୍ମିତ ‘ସାଟେଲାଇଟ୍‌ ଲଂଚିଙ୍ଗ ଭେଇକଲ’ ବା ‘ଏସ୍‌.ଏଲ୍‌.ଭି.-୩’ ଜରିଆରେ କକ୍ଷରେ ସ୍ଥାପନ କରି ଭାରତ ମହାକାଶ ଗବେଷଣାର ବିରଳ ଭୂମିରେ ପଦାର୍ପଣ କରିଥିଲା ବା ଡକ୍ଟର ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରିତ୍ବ କାଳରେ ‘ଚନ୍ଦ୍ରଯାନ-୧’ (୨୦୦୮) ସହିତ ଚନ୍ଦ୍ରାଭିଯାନ ଯୁଗର ଅୟମାରମ୍ଭ ଘଟିଥିଲା। ସୁତରାଂ, ‘ଚନ୍ଦ୍ରଯାନ-୩’ର ବିରଳ ଉପଲବ୍‌ଧି ବିଷୟରେ ଆଲୋଚନା କଲା ବେଳେ ଏଭଳି ଆଧାର ଶିଳାଗୁଡ଼ିକୁ ମଧ୍ୟ ନଜରଅନ୍ଦାଜ କରାଯାଇ ପାରିବ ନାହିଁ, ଯାହା ଉପରେ ସଂପ୍ରତି ମହାକାଶ ଗବେଷଣାର ଉତ୍ତୁଙ୍ଗ ସୌଧ ଗଢ଼ାଯିବାରେ ଲାଗିଛି। କିନ୍ତୁ, ଏହା ମଧ୍ୟ ସତ ଯେ ‘ଚନ୍ଦ୍ରଯାନ-୩’ର ସଫଳତାକୁ ଏକ ବ୍ୟକ୍ତିଗତ ଉପଲବ୍‌ଧି ଭଳି ପ୍ରଦର୍ଶିତ କରିଥିବାର ସମାଲୋଚନା ଦ୍ବାରା ଶରବ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କର ମଧ୍ୟ ଏ କ୍ଷେତ୍ରରେ ପ୍ରଭୂତ ଅବଦାନ ରହିଛି; ଯାହାଙ୍କ ଆଗ୍ରହ ଓ ପ୍ରେରଣାର ନିଦର୍ଶନ ରୂପେ ତାଙ୍କ ଶାସନ ଅବଧିରେ ଭାରତ ପକ୍ଷରୁ ୪୬ଟି ଉପଗ୍ରହ ପ୍ରେରଣ କରାଯାଇଛି ଏବଂ ଦୁଇଟି ଚନ୍ଦ୍ରଯାନ ମିସନ କାର୍ଯ୍ୟକାରୀ ହୋଇଛି। ସୁତରାଂ, ଏଥିରେ ଦ୍ବିରୁକ୍ତି ନାହିଁ ଯେ ଶ୍ରେୟର ଏକ ଅଂଶ ପ୍ରଧାନମନ୍ତ୍ରୀଙ୍କର ମଧ୍ୟ ପ୍ରାପ୍ୟ; କିନ୍ତୁ ତାହାର ଆକାର କେତେ ବଡ଼ ହେବା ଉଚିତ ତାହା ହିଁ ପ୍ରଶ୍ନ!
ତେବେ, ଟିକିଏ ଗଭୀର ଦୃଷ୍ଟିପାତ କଲେ ଉପରେ ବର୍ଣ୍ଣିତ ହୋଇଥିବା ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଶ୍ରେୟ ଅପହରଣର ଆରୋପରେ କିଞ୍ଚିତ ଅସଂଗତି ମଧ୍ୟ ଦିଶିଥାଏ, ଯାହାର କାରଣ ହେଉଛି ରାଜନେତା ଏବଂ ବୈଜ୍ଞାନିକଙ୍କ ମଧ୍ୟରେ ଥିବା ଏକ ମୌଳିକ ଚରିତ୍ରଗତ ପ୍ରଭେଦ; ବୈଜ୍ଞାନିକମାନେ ଗବେଷଣା ଓ ପ୍ରଯୁକ୍ତି ବିକାଶ କ୍ଷେତ୍ରରେ ଅପୂର୍ବ ନେତୃତ୍ବର ପରାକାଷ୍ଠା ପ୍ରଦର୍ଶନ କରୁଥିଲେ ମଧ୍ୟ ପ୍ରାୟତଃ କୋଳାହଳ ଓ ପ୍ରଚାର ଠାରୁ ଦୂରରେ ଏବଂ ନେପଥ୍ୟରେ ରହିବାକୁ ପସନ୍ଦ କରିଥାଆନ୍ତି; ଅଥଚ ରାଜନେତାଗଣ ସର୍ବଦା ବିଜ୍ଞପିତ ହେବାର ଆ‌ଗ୍ରହ ପ୍ରଦର୍ଶନ କରନ୍ତି, ଯାହାର ଏକ ବଡ଼ କାରଣ ନିର୍ବାଚନୀ ରାଜନୀତିର ଦାବି ଅନୁସାରେ ବରାବର ଦୃଶ୍ୟମାନ ରହି ନିଜର ପ୍ରାସଙ୍ଗିକତା ନ ହରାଇବା। ତେଣୁ ପ୍ରଧାନମନ୍ତ୍ରୀ ବା କୌଣସି ମନ୍ତ୍ରୀ ଅଧିକ ଦୃଶ୍ୟମାନ ହେବାରେ ବିସ୍ମୟର ବିଶେଷ କାରଣ ନାହିଁ। ସେମିତି ପ୍ରଧାନମନ୍ତ୍ରୀଙ୍କ ପରିବର୍ତ୍ତେ ବୈଜ୍ଞାନିକମାନଙ୍କୁ ଟେଲିଭିଜନ ପରଦାରେ ପ୍ରଦର୍ଶିତ କରିବାର ଯୁକ୍ତିରେ ମଧ୍ୟ ବିଶେଷ ଦମ୍ଭ ନ ଥାଏ, କାରଣ ନେପଥ୍ୟର ନାୟକ ଏହି ବୈଜ୍ଞାନିକଗଣ ହୁଏତ ଏଭଳି ଆଲୋକିତ ହେବାରେ ସ୍ବଚ୍ଛନ୍ଦ ମଣନ୍ତେ ନାହିଁ ବା ଏଭଳି ପ୍ରଦର୍ଶନର ଆବଶ୍ୟକତା ଉପରେ ମଧ୍ୟ ସେମାନେ ମହତ୍ତ୍ବ ପ୍ରଦାନ କରୁ ନ ଥିବେ! କେବଳ ସେତିକି ନୁହେଁ, ଏହା ମଧ୍ୟ ସମ୍ଭବ ଯେ ‘ଚନ୍ଦ୍ରଯାନ-୩’ର କୋମଳ ଅବତରଣର ସେହି ଅନ୍ତିିମ କିଛି କ୍ଷଣ ଟେଲିଭିଜନ ପରଦା ଉପରେ ଦୃଷ୍ଟି ନିବଦ୍ଧ କରିଥିବା ଭାରତୀୟମାନେ ମହାରଥୀ ଅର୍ଜୁନଙ୍କ ତୁଲ୍ୟ ବୃକ୍ଷରେ ବସିଥିବା ପକ୍ଷୀର କେବଳ ସେହି ଗୋଟିଏ ଚକ୍ଷୁ ହିଁ ଦେଖୁଥିବେ, ଆଉ କାହାକୁ ବା ଆଉ କିଛି ନୁହେଁ! ତେଣୁ ଅନେକ ଭାରତୀୟ ଦର୍ଶକ ସେହି କ୍ଷଣରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ଦ୍ବାରା ପ୍ରଭାବିତ ମଧ୍ୟ ହୋଇ ନ ଥିବେ!
ଏହି ଲେଖାର ଉପସଂହାରରେ ଭାରତର ପୂର୍ବତନ ରାଷ୍ଟ୍ରପତି ଏବଂ ବିଚକ୍ଷଣ ବୈଜ୍ଞାନିକ ଏ.ପି.ଜେ. ଅବଦୁଲ କଲାମଙ୍କ ଏକ ଅନୁଭୂତିର ବର୍ଣ୍ଣନା ଦିଆଯାଇପାରେ। ‘ଇସ୍ରୋ’ରେ କାର୍ଯ୍ୟରତ କଲାମ ୧୯୭୩ ମସିହାରେ ‘ରୋହିଣୀ ଉପଗ୍ରହ’ ପ୍ରକଳ୍ପର ନିର୍ଦ୍ଦେଶକ ଥିବା ବେଳେ ୧୯୭୯ ମସିହାରେ ପ୍ରଥମ ଉଦ୍ୟମ ବିଫଳ ହୋଇଯାଏ। କହିବା ବାହୁଲ୍ୟ ପ୍ରକଳ୍ପରେ କାର୍ଯ୍ୟରତ ସମସ୍ତ ବୈଜ୍ଞାନିକଙ୍କ ଅତ୍ୟନ୍ତ କଠିନ ଉଦ୍ୟମ ପଣ୍ଡ ହୁଏ। ସେହି ବିମର୍ଷକର ସମୟରେ ଏହି ବିଫଳତାର ସମସ୍ତ ଦୋଷ କଲାମଙ୍କ ପରିବର୍ତ୍ତେ ମୁଣ୍ଡାନ୍ତି ‘ଇସ୍ରୋ’ର ତତ୍କାଳୀନ ମୁଖ୍ୟ ତଥା କିଂବଦନ୍ତୀୟ ବୈଜ୍ଞାନିକ ସତୀଶ ଧଵନ। କିନ୍ତୁ ତହିଁ ପର ବର୍ଷ ‘ରୋହିଣୀ’ର କକ୍ଷ ସ୍ଥାପନ ଜନିତ ଐତିହାସିକ ସଫଳତା ପରେ ସତୀଶ ଧୱନ ପଛକୁ ହଟିଯାଇ କଲାମଙ୍କୁ ସମସ୍ତ ଶ୍ରେୟ ପ୍ରଦାନ କରି ସାମ୍ବାଦିକ ସମ୍ମିଳନୀକୁ ସଂବୋଧନ କରିବାର ସୁଯୋଗ ଦିଅନ୍ତି। ରାଜ‌େନୖତିକ ନେତୃତ୍ବ ପରିପ୍ରେକ୍ଷୀରେ ହୁଏତ ଏଭଳି ଉଦାହରଣ ଦେଖିବାକୁ ମିଳନ୍ତା ନାହିଁ। ଏହା ହିଁ ହେଉଛି ‌ବୈଜ୍ଞାନିକମାନଙ୍କ ଭଳି ନେପଥ୍ୟ ନାୟକମାନଙ୍କ ବୈଶିଷ୍ଟ୍ୟ, ଯେଉଁମାନେ ହୁଏ’ତ କୌଣସି ରାଜନେତାଙ୍କ ଭଳି ବିଜ୍ଞପିତ ହେବାକୁ ଚାହାଁନ୍ତେ ନାହିଁ।