ଏହା ଏପରି ଏକ ଅପ୍ରାକୃତିକ ମେଣ୍ଟ ରୂପେ ଆବିର୍ଭୂତ ହୋଇଥାଏ ଯେ ଏହାର ଜଣେ ପ୍ରମୁଖ ସଦସ୍ୟ ରାଷ୍ଟ୍ରମୁଖ୍ୟ, ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ମାନବାଧିକାର ଉଲ୍ଲଂଘନ ଅପରାଧରେ ଗିରଫ ହେବା ଭୟରେ ସ୍ବଦେହରେ ଶୀର୍ଷ ସମ୍ମିଳନୀରେ ଯୋଗ ଦେଇନଥିଲେ। ଦ୍ବିତୀୟରେ, ଚୀନ୍ ଏହି ଗୋଷ୍ଠୀକୁ ଏକ ପାଶ୍ଚାତ୍ୟ-ବିରୋଧୀ ତଥା ବିଶେଷ କରି ଆମେରିକା-ବିରୋଧୀ ଗୋଷ୍ଠୀ ରୂପେ ରୂପ ଦେବାକୁ ଚେଷ୍ଟା କରୁଥିବା ବେଳେ ଭାରତ ଆମେରିକା ତଥା ପାଶ୍ଚାତ୍ୟ ଜଗତ୍ ସହିତ ଘନିଷ୍ଠତର ହେବାରେ ଲାଗିଛି, ଯାହା ଚୀନ୍ର ପ୍ରଭାବକୁ ପ୍ରତିହତ କରିବା ପାଇଁ ଉଦ୍ଦିଷ୍ଟ। ଆଗାମୀ ଦିନରେ ତେଣୁ ଭାରତ କେତେ ଦୂର ‘ବ୍ରିକ୍ସ ପ୍ଲସ୍’ର ସଦସ୍ୟମାନଙ୍କୁ ଏଭଳି ପାଶ୍ଚାତ୍ୟ ବିରୋଧୀ ଆଭିମୁଖ୍ୟ ଗ୍ରହଣ କରିବାରୁ ନିବୃତ୍ତ କରିବାରେ ସଫଳ ହେବ, ତାହା ହେବ ଆମର କୂଟନୈତିକ ବିଚକ୍ଷଣତାର ପ୍ରମାଣ: ସମ୍ପ୍ରସାରିତ ‘ଇଟା’ ଅଟ୍ଟାଳିକା ଯେପରି ଏକ ଚୀନା ଆଡ୍ଡାରେ ପରିଣତ ନ ହୁଏ।
ବ୍ରାଜିଲ୍, ରୁଷିଆ, ଇଣ୍ଡିଆ, ଚାଇନା- ଏଇ ଚାରିଟି ଦେଶମାନଙ୍କର ନାମର ପ୍ରଥମ ଅକ୍ଷରଗୁଡ଼ିକୁ ଏହି କ୍ରମରେ ସଜାଇ ଲେଖି ପ୍ରଖ୍ୟାତ ଆନ୍ତର୍ଜାତିକ ନିବେଶ ବ୍ୟାଙ୍କ୍ ‘ଗୋଲ୍ଡମ୍ୟାନ୍ ସାକ୍ସ’ର ଅର୍ଥନୀତିଜ୍ଞ ଜିମ୍ ଓନିଲ୍ ୨୦୦୧ରେ ‘ବ୍ରିକ୍’ ନାମକ ଯେଉଁ କାଳ୍ପନିକ ଗୋଷ୍ଠୀର ନାମକରଣ କରିଥିଲେ, ତାହା ୨୦୫୦ ବେଳକୁ ବିଶ୍ବ ଅର୍ଥନୀତି ଉପରେ ପ୍ରଭୁତ୍ବ ବିସ୍ତାର କରିବ ବୋଲି ସେତେବେଳେ ସେ ଭବିଷ୍ୟବାଣୀ କରିଥିଲେ। ଏହି ଚାରିଟି ଦେଶର ଦ୍ରୁତବର୍ଦ୍ଧିଷ୍ଣୁ ଅର୍ଥନୀତିକୁ ଲକ୍ଷ୍ୟ କରି ସେ ଏହି ଭବିଷ୍ୟବାଣୀ କରିଥିଲେ। ଧ୍ବନି ଅନୁସାରେ ଇଂରେଜୀରେ ‘ବ୍ରିକ୍’ ଅର୍ଥ ହେଉଛି ଇଟା, ଯାହା ହେଉଛି ଗୃହ ନିର୍ମାଣର ଏକ ମୁଖ୍ୟ ଉପାଦାନ। ପରବର୍ତ୍ତୀ ସମୟରେ ସାଉଥ୍ ଆଫ୍ରିକାର ନାମ ଯୋଗ କରାଯାଇ ଓନିଲଙ୍କ ‘ବ୍ରିକ୍’ ବହୁବଚନ ‘ବ୍ରିକ୍ସ’ ନାମ ଗ୍ରହଣ କରି ଏକ ବିଧିବନ୍ଧ ରାଷ୍ଟ୍ରଗୋଷ୍ଠୀରେ ପରିଣତ ହେଲା। କିନ୍ତୁ ମାତ୍ର ପାଞ୍ଚଖଣ୍ଡି ‘ଇଟା’ରେ ନିର୍ମିତ ଏଇ ଛୋଟିଆ ଘରଟିରେ ବର୍ତ୍ତମାନ ଖଞ୍ଜା ହେବା ପାଇଁ ଆହୁରି ପ୍ରାୟ ୪୦ଟି ଦେଶ ଯେଉଁଭଳି ଧାଡ଼ି ଲଗାଇଛନ୍ତି ଓ ଅଦୂର ଭବିଷ୍ୟତରେ ତାହା ଯେଉଁ ବିଶାଳ ପ୍ରାସାଦକୁ ରୂପ ଦେବ, ତାହା ବର୍ତ୍ତମାନ ମାଞ୍ଚେଷ୍ଟର୍ ବିଶ୍ବବିଦ୍ୟାଳୟରେ ଅର୍ଥନୀତି ଅଧ୍ୟାପକ ଥିବା ଜିମ୍ ଓନିଲଙ୍କୁ ନିଶ୍ଚିତ ରୂପେ ଆଶ୍ଚର୍ଯ୍ୟାନ୍ବିତ କରୁଥିବ।
ଏହି ସମ୍ପ୍ରସାରଣ ପ୍ରକ୍ରିୟାର ପ୍ରଥମ କିସ୍ତି ସ୍ବରୂପ ୨୩ ଅଗଷ୍ଟରେ ସମାପ୍ତ ହୋଇଥିବା େଜାହାନେସ୍ବର୍ଗ ଶୀର୍ଷ ସମ୍ମିଳନୀରେ ‘ବ୍ରିକ୍ସ’ ନେତାମାନେ ଆଉ ଛ’ଟି ରାଷ୍ଟ୍ରଙ୍କୁ ସେମାନଙ୍କ ସହିତ ସାମିଲ ହେବା ପାଇଁ ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି ଛ’ଟି ଦେଶ ହେଲେ- ‘ୟୁଏଇ’, ସାଉଦି ଆରବ, ଅାର୍ଜେଣ୍ଟିନା, ଇରାନ୍, ଇଜିପ୍ଟ ଓ ଇଥିଓପିଆ। ଭୌଗୋଳିକ ଦୃଷ୍ଟିକୋଣରୁ ଦେଖିଲେ ବର୍ତ୍ତମାନ ଏହି ଏଗାର ଦେଶୀୟ ଗୋଷ୍ଠୀର ତିନିଟି ସଦସ୍ୟ ହେଉଛନ୍ତି ଆଫ୍ରିକାର, ପାଞ୍ଚଟି ହେଉଛନ୍ତି ଏସିଆର, ଦୁଇଟି ହେଉଛନ୍ତି ଦକ୍ଷିଣ ଆମେରିକାର ଏବଂ ଗୋଟିଏ ହେଉଛି ଇଉରୋପର। ବର୍ତ୍ତମାନ ‘ବ୍ରିକ୍ସ ପ୍ଲସ୍’ ରୂପେ ବର୍ଣ୍ଣିତ ଏହି ସମ୍ପ୍ରସାରିତ ଗୋଷ୍ଠୀର ଗଠନ ତତ୍କ୍ଷଣାତ୍ ଯେଉଁ ଧାରଣା ସୃଷ୍ଟି କରିଥାଏ, ତାହା ହେଲା- ଏହା ଏକ ପାଶ୍ଚାତ୍ୟ-କୈନ୍ଦ୍ରିକ ଗୋଷ୍ଠୀ ନୁହେଁ। ଅନ୍ୟ ଯେଉଁ ଦେଶମାନେ ଏହି ଗୋଷ୍ଠୀରେ ଯୋଗ ଦେବା ପାଇଁ ଅପେକ୍ଷା କରିଛନ୍ତି, ସେମାନେ ମଧ୍ୟ ହେଉଛନ୍ତି ଅଣ-ପାଶ୍ଚାତ୍ୟ, ବିକାଶଶୀଳ ଶ୍ରେଣୀର, ଯେଉଁମାନଙ୍କୁ ଅର୍ଥନୀତିଜ୍ଞମାନେ ‘ଦକ୍ଷିଣ ବିଶ୍ବ’ର ଦେଶ ରୂପେ ବର୍ଣ୍ଣନା କରିଥାନ୍ତି। ଏଣୁ ଏହି ଇଟାର ଅଟ୍ଟାଳିକାଟି କ୍ରମେ ଯେ ‘ଦକ୍ଷିଣ ବିଶ୍ବ’ର ଏକ ଶକ୍ତିଶାଳୀ ସ୍ବର ରୂପେ ଆନ୍ତର୍ଜାତିକ ମଞ୍ଚରେ ନିଜର ଉପସ୍ଥିତି ଜାହିର କରିବାକୁ ଯାଉଛି, ଏଥିରେ କୌଣସି ସନ୍ଦେହ ନାହିଁ।
ନିକଟ ଅତୀତରେ ଆର୍ନ୍ତଜାତିକ ବାଣିଜ୍ୟ କାରବାର ଓ ଦେଣନେଣରେ ଆମେରିକୀୟ ଡଲାର୍ର ବ୍ୟବହାର ହ୍ରାସ କରିବା ନିମିତ୍ତ ଏକ ଆେନ୍ଦାଳନ ଆରମ୍ଭ ହୋଇଛି, ଯେଉଁଥିରେ ଭାରତର ଭୂମିକା ଗୁରୁତ୍ବପୂର୍ଣ୍ଣ। ଉପରୋକ୍ତ ପଞ୍ଚଦଶ ‘ବ୍ରିକ୍ସ’ ଶୀର୍ଷ ସମ୍ମିଳନୀ ଶେଷରେ ପ୍ରକାଶିତ ଘୋଷଣାନାମାରୁ ଏ ଦିଗରେ ‘ବ୍ରିକ୍ସ ପ୍ଲସ୍’ର ଆଭିମୁଖ୍ୟ ସମ୍ପର୍କରେ ଏକ ସୁରାକ୍ ମିଳିଥାଏ। ଏଥିରେ କୁହାଯାଇଛି ଯେ ଆନ୍ତର୍ଜାତିକ ବାଣିଜ୍ୟରେ ଓ ‘ବ୍ରିକ୍ସ’ର ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ତଥା ସେମାନଙ୍କର ବାଣିଜ୍ୟ ପାର୍ଟନର୍ମାନଙ୍କ ସହିତ କାରବାରରେ ସ୍ଥାନୀୟ ମୁଦ୍ରାର ବ୍ୟବହାରକୁ ପ୍ରୋତ୍ସାହିତ କରାଯିବ। ସେଥିରେ ମଧ୍ୟ ‘ବ୍ରିକ୍ସ’ ଦେଶମାନଙ୍କ ମଧ୍ୟରେ ‘କରେସ୍ପଣ୍ଡେଣ୍ଟ ବ୍ୟାଙ୍କିଙ୍ଗ୍ ନେଟ୍ୱାର୍କ’ ମଜବୁତ କରିବା ପାଇଁ ଓ ସ୍ଥାନୀୟ ମୁଦ୍ରାରେ ଦେୟ ପୈଠ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ଉେଲ୍ଲଖ କରାଯାଇଛି। ସେଥିରେ ମଧ୍ୟ ପୁଣି କୁହାଯାଇଛି ଯେ ଆସନ୍ତା ଶୀର୍ଷ ସମ୍ମିଳନୀ ମଧ୍ୟରେ ଏ ଦିଗରେ ହୋଇଥିବା ଅଗ୍ରଗତି ସମ୍ବନ୍ଧରେ ରିପୋର୍ଟ ଦାଖଲ କରିବା ନିମିତ୍ତ ସଦସ୍ୟ ଦେଶମାନଙ୍କର ବିତ୍ତମନ୍ତ୍ରୀ ଅଥବା କେନ୍ଦ୍ରୀୟ ବ୍ୟାଙ୍କ୍ ଗଭର୍ନର୍ମାନଙ୍କୁ ଦାୟିତ୍ବ ଦିଆଯାଇଛି। ତେବେ ଉଲ୍ଲେଖଯୋଗ୍ୟ ଯେ ଏଥିପାଇଁ ସେମାନଙ୍କୁ ଏକ ସାଧାରଣ ‘ପେମେଣ୍ଟ ପ୍ଲାଟ୍ଫର୍ମ’ ରଚନା କରିବାର ଦାୟିତ୍ବ ଦିଆଯାଇଛି, ଯାହା ଏକ ସହଜ ବ୍ୟାପାର ନୁହେଁ। ଲକ୍ଷ୍ୟ କରିବା କଥା ଏଥି ପୂର୍ବରୁ ଏକ ‘ବ୍ରିକ୍ସ ମୁଦ୍ରା’ ସୃଷ୍ଟି କରାଯିବା ନେଇ ଯେଉଁ ସମସ୍ତ କଳ୍ପନାଜଳ୍ପନା ପ୍ରକାଶ ପାଇବା ଦେଖାଯାଇଥିଲା, ଏହି ଘୋଷଣାନାମା ସେ ନେଇ ନିରବ ରହିଛି। ଏଣୁ ବର୍ତ୍ତମାନ ପାଇଁ ‘ବ୍ରିକ୍ସ ମୁଦ୍ରା’ର ଆବିର୍ଭାବ ଘଟିବାକୁ ଯାଉନାହିଁ।
ସାଉଦି ଆରବ, ଇରାନ୍ ଓ ‘ୟୁଏଇ’ ‘ବ୍ରିକ୍ସ ପ୍ଲସ୍’ରେ ଯୋଗ ଦେବା ପରେ ପୃଥିବୀର ତୈଳ ଉତ୍ପାଦନ କ୍ଷମତାର ପ୍ରାୟ ୪୫ ଶତାଂଶ ବର୍ତ୍ତମାନ ‘ବ୍ରିକ୍ସ ପ୍ଲସ୍’ର ନିୟନ୍ତ୍ରଣ ମଧ୍ୟକୁ ଆସିଯାଇଛି। ଅବଶ୍ୟ ତୈଳ ଉତ୍ପାଦନ ଓ ଦର ନିର୍ଦ୍ଧାରଣ ବ୍ୟାପାରରେ ଅସଲ ନିୟନ୍ତ୍ରଣ ରଜ୍ଜୁ ପୂର୍ବ ଭଳି ରହିବ ‘ଓପେକ୍ ପ୍ଲସ୍’ ହାତରେ। କିନ୍ତୁ ଉପରୋକ୍ତ ‘ଓପେକ୍’ ସଦସ୍ୟମାନଙ୍କର ‘ବ୍ରିକ୍ସ ପ୍ଲସ୍’ରେ ଯୋଗଦାନ ତୈଳ କାରବାରରେ ମୁଦ୍ରା ବ୍ୟବହାରର ଚରିତ୍ରକୁ ନିଶ୍ଚିତ ରୂପେ ପ୍ରଭାବିତ କରିବ। ଉଦାହରଣ ସ୍ବରୂପ ସାଉଦି ଆରବ ଯେତିକି ତୈଳ ଭାରତ ଓ ଚୀନ୍କୁ ବିକ୍ରୟ କରିଥାଏ, ତାହା ହେଉଛି ତା’ର ମୋଟ ତୈଳ ବିକ୍ରୟର ୩୫ ଶତାଂଶ, ଯେଉଁ କାରବାର ଭାରତୀୟ ‘ଟଙ୍କା’ ଓ ଚୀନା ‘ୟୁଆନ୍’ ଆକାରରେ ସମ୍ପନ୍ନ ହୋଇପାରେ। ଏହା ଉପର ଲିଖିତ ଡଲାର ବର୍ଜନ ଆନ୍ଦୋଳନକୁ ନୂତନ ଶକ୍ତି ଯୋଗାଇବ।
ଏହି ଅର୍ଥନୈତିକ ଇଲାକା ବାହାରେ ରାଜନୈତିକ ଦୃଷ୍ଟିକୋଣରୁ ‘ବ୍ରିକ୍ସ’ର ସମ୍ପ୍ରସାରଣ ଭାରତ ପାଇଁ କେତେ ପରିମାଣରେ ଅସ୍ବସ୍ତି ସୃଷ୍ଟି କରିପାରେ। ଉଦାହରଣ ସ୍ବରୂପ ବର୍ତ୍ତମାନର ସମ୍ପ୍ରସାରିତ ‘ବ୍ରିକ୍ସ’ର ଏଗାରଟି ରାଷ୍ଟ୍ର ମଧ୍ୟରୁ ମାତ୍ର ଚାରିଟି ରାଷ୍ଟ୍ର ହେଉଛନ୍ତି ଗଣତାନ୍ତ୍ରିକ: ଭାରତ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ ଓ ଆର୍ଜେଣ୍ଟିନା। ନିଜକୁ ପୃଥିବୀର ସର୍ବବୃହତ୍ ଓ ସର୍ବାଧିକ ପ୍ରାଣବନ୍ତ ଗଣତନ୍ତ୍ର ରୂପେ ପ୍ରଦର୍ଶିତ କରି ଗର୍ବ କରୁଥିବା ଭାରତ ପାଇଁ ଏହା ଯେ ଅତ୍ୟନ୍ତ ଅସ୍ବସ୍ତିକର, ତାହା କହିବା ବାହୁଲ୍ୟ। ଏହା ଏପରି ଏକ ଅପ୍ରାକୃତିକ ମେଣ୍ଟ ରୂପେ ଆବିର୍ଭୂତ ହୋଇଥାଏ ଯେ ଏହାର ଜଣେ ପ୍ରମୁଖ ସଦସ୍ୟ ରାଷ୍ଟ୍ରମୁଖ୍ୟ, ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ମାନବାଧିକାର ଉଲ୍ଲଂଘନ ଅପରାଧରେ ଗିରଫ ହେବା ଭୟରେ ସ୍ବଦେହରେ ଶୀର୍ଷ ସମ୍ମିଳନୀରେ ଯୋଗ ଦେଇନଥିଲେ। ଦ୍ବିତୀୟରେ, ଚୀନ୍ ଏହି ଗୋଷ୍ଠୀକୁ ଏକ ପାଶ୍ଚାତ୍ୟ-ବିରୋଧୀ ତଥା ବିଶେଷ କରି ଆମେରିକା-ବିରୋଧୀ ଗୋଷ୍ଠୀ ରୂପେ ରୂପ ଦେବାକୁ ଚେଷ୍ଟା କରୁଥିବା ବେଳେ ଭାରତ ଆମେରିକା ତଥା ପାଶ୍ଚାତ୍ୟ ଜଗତ୍ ସହିତ ଘନିଷ୍ଠତର ହେବାରେ ଲାଗିଛି, ଯାହା ଚୀନ୍ର ପ୍ରଭାବକୁ ପ୍ରତିହତ କରିବା ପାଇଁ ଉଦ୍ଦିଷ୍ଟ। ଆଗାମୀ ଦିନରେ ତେଣୁ ଭାରତ କେତେ ଦୂର ‘ବ୍ରିକ୍ସ ପ୍ଲସ୍’ର ସଦସ୍ୟମାନଙ୍କୁ ଏଭଳି ପାଶ୍ଚାତ୍ୟ ବିରୋଧୀ ଆଭିମୁଖ୍ୟ ଗ୍ରହଣ କରିବାରୁ ନିବୃତ୍ତ କରିବାରେ ସଫଳ ହେବ, ତାହା ହେବ ଆମର କୂଟନୈତିକ ବିଚକ୍ଷଣତାର ପ୍ରମାଣ: ସମ୍ପ୍ରସାରିତ ‘ଇଟା’ ଅଟ୍ଟାଳିକା ଯେପରି ଏକ ଚୀନା ଆଡ୍ଡାରେ ପରିଣତ ନ ହୁଏ।