ପାକିସ୍ତାନ ଭଳି କାନାଡା ପରିପ୍ରେକ୍ଷୀରେ ମଧ୍ୟ ଏହା ସତ, ଯାହା ସେଠାରେ ଶିଖ ଚରମପନ୍ଥୀ ଏବଂ ବିଚ୍ଛିନ୍ନତାବାଦୀଙ୍କୁ ପ୍ରଶ୍ରୟ ଏବଂ ପ୍ରୋତ୍ସାହନ ଦେଇ ଚାଲିଛି। ଏଥିରୁ ଉପଲବ୍ଧ ଶିକ୍ଷାଟି ହେଲା ‘କଟ୍ଟର’ ଧର୍ମାନ୍ଧତା ଭଳି ‘କଟ୍ଟର’ ଉଦାରବାଦ ମଧ୍ୟ ବିପଜ୍ଜନକ; ଯେଉଁ ଦୃଷ୍ଟିରୁ ଦେଖିଲେ ପାକିସ୍ତାନ ଏବଂ କାନାଡା ଭିତରେ ଏକ ସାମଂଜସ୍ୟ ଦିଶି ନ ଥାଏ କି?
ନିକଟରେ କାନାଡା ସରକାରଙ୍କ ଏକ ପଦକ୍ଷେପ କାରଣରୁ ଭାରତ ଏବଂ କାନାଡା ମଧ୍ୟରେ ଗତ କିଛି କାଳ ଧରି ରହି ଆସିଥିବା ତିକ୍ତ-ମଧୁର ସଂପର୍କରେ ଅଧିକ ତିକ୍ତତା ପ୍ରବେଶ କରିଛି; ଯହିଁରେ କାନାଡାର ଯୁବ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏକ ଅର୍ବାଚୀନସୁଲଭ ଅପରିପକ୍ବତା ପ୍ରଦର୍ଶନ କରିଛନ୍ତି। ସେହି କାର୍ଯ୍ୟଟି ହେଲା ବ୍ରିଟିସ କଲମ୍ବିଆର ବାସିନ୍ଦା ବିଚ୍ଛିନ୍ନତାବାଦୀ ନେତା ଶିଖ ମୂଳୋଦ୍ଭବ କାନାଡୀୟ ନାଗରିକ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟାରେ ଭାରତ ସରକାରଙ୍କ ସଂପୃକ୍ତି ନେଇ ଅଭିଯୋଗ ଏବଂ ସେହି କାରଣରୁ କାନାଡାସ୍ଥିତ ଭାରତୀୟ ରାଷ୍ଟ୍ରାବାସର ଜଣେ ବରିଷ୍ଠ ଅଧିକାରୀଙ୍କୁ କାନାଡାରୁ ବହିଷ୍କାର। ଯଦିଓ, ଏକ ‘ଯେସାକୁ ତେସା’ ନୀତି ଅବଲମ୍ବନ କରି ଭାରତ ସରକାର ମଧ୍ୟ କାନାଡା ରାଷ୍ଟ୍ରାବାସର ଜଣେ ଅଧିକାରୀଙ୍କୁ କାନାଡାକୁ ଫେରାଇ ଦେଇ ଶ୍ବେତାଙ୍ଗ ପାଶ୍ଚାତ୍ୟ ଦେଶର କୌଣସି ରାଷ୍ଟ୍ରାବାସ ଅଧିକାରୀଙ୍କୁ ଅପସାରଣ କରିବାରେ ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି; ଏଭଳି କୂଟନୈତିକ ହଟଚମଟ ଭିତରେ ଯାହା ପ୍ରଣିଧାନଯୋଗ୍ୟ ତାହା ହେଲା ଏହି ପ୍ରକରଣରେ ଟ୍ରୁଡୋଙ୍କ ଅପରିପକ୍ବତା ଏବଂ କାନାଡାର କପଟାଚାର ଯାହା ଏକ କ୍ଷୁଦ୍ର ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ।
ଟ୍ରୁଡୋ ଏ ସଂକ୍ରାନ୍ତରେ କାନାଡାର ସଂସଦରେ ବିବୃତିମାନ ପ୍ରଦାନ କରି କୋଳାହଳ ସୃଷ୍ଟି କରିବା ହେଉଛି ପ୍ରଥମ ଅପରିପକ୍ବତା, କାରଣ ତଦ୍ଦ୍ବାରା ଭାରତୀୟ ରାଷ୍ଟ୍ରାବାସର ସଂପୃକ୍ତ ଅଧିକାରୀଙ୍କ ପରିଚୟ ଉଜାଗର ହୋଇଯାଇ ସେ ଏବଂ ତାଙ୍କ ପରିବାର ସକାଶେ ଜୀବନର ଅନ୍ତିମ କ୍ଷଣ ପର୍ଯ୍ୟନ୍ତ ଘାତକ ବିପଦର ଆଶଙ୍କା ସୃଷ୍ଟି କରିଛି। ଏଭଳି ସ୍ଥଳେ କୂଟନୈତିକ େସୗଜନ୍ୟ ଏବଂ ଆଦବକାଇଦା ଦୃଷ୍ଟିରୁ ସାଧାରଣତଃ ହାଇକମିସନରଙ୍କ ଠାରେ ଅଭିଯୋଗ କରି ଅଫିସରଙ୍କୁ ବହିଷ୍କାର କରାଯାଇଥାଏ; ଏବଂ ସେଥି ଲାଗି ସଂପୃକ୍ତ ଅଧିକାରୀଙ୍କ ‘ରାଷ୍ଟ୍ର ସ୍ବାର୍ଥ ପରିପନ୍ଥୀ’ କାର୍ଯ୍ୟକଳାପକୁ ଏକ ସ୍ଥୂଳ କାରଣ ଭାବେ ପ୍ରଦର୍ଶିତ କରାଯାଇଥାଏ। କହିବାରେ ଦ୍ବିଧା ନାହିଁ ଯେ ଭାରତ ସରକାରଙ୍କ ଦ୍ବାରା କାନାଡାରେ ଜଣେ କାନାଡୀୟ ନାଗରିକଙ୍କ ହତ୍ୟାର ଆରୋପ ଅତ୍ୟନ୍ତ ସାଂଘାତକ, ଯାହା ଯଥେଷ୍ଟ ପ୍ରମାଣ ଯୋଗ୍ୟତା ବହନ କରିବା ଆବଶ୍ୟକ। କିନ୍ତୁ ଟ୍ରୁଡୋଙ୍କ ନିକଟରେ ସମ୍ଭବତଃ ସେଭଳି କୌଣସି ପ୍ରମାଣ ନାହିଁ, ଯାହା କାନାଡା ପାର୍ଲାମେଣ୍ଟରେ ପ୍ରଶ୍ନ ଜର୍ଜର ହୋଇଥିବା ପରିପ୍ରେକ୍ଷୀରେ ଅନ୍ତତଃ ସେ ଦେଇ ପାରନ୍ତେ! କେବଳ ଏହା ନୁହେଁ, ପୂର୍ବରୁ ଟ୍ରୁଡୋଙ୍କ ଆଚରଣରେ ଜଣେ ରାଷ୍ଟ୍ରମୁଖ୍ୟଙ୍କ ଗାମ୍ଭୀର୍ଯ୍ୟ ବଦଳରେ ଜଣେ ତାରକାସୁଲଭ ଲଘୁ ମନୋଭାବ ପରିଦୃଷ୍ଟ ହୋଇଥାଏ, ଯେମିତି ୨୦୧୮ ମସିହାରେ ଜଣେ ସନ୍ଦିଗ୍ଧ ଶିଖ ଚରମପନ୍ଥୀଙ୍କ କନ୍ୟା ବାହାଘରରେ ଯୋଗ ଦେବାକୁ ଭାରତ ପଦାର୍ପଣ କରିଥିବା ଟ୍ରୁଡୋ ଭାଙ୍ଗଡ଼ା ନୃତ୍ୟରେ ବୁଡ଼ି ରହିବା ଶିରୋନାମା ମଣ୍ଡନ କରିଥିଲା। କହିବା ବାହୁଲ୍ୟ ଯେ ଜଣେ ରାଷ୍ଟ୍ରମୁଖ୍ୟ ଭାବେ ଭାଙ୍ଗଡ଼ା ନୃତ୍ୟ ଭଳି ଏକ ସାଂସ୍କୃତିକ ବିଭାବ ପ୍ରତି ଅନୁରାଗ ପ୍ରଦର୍ଶନ କରିବାର ଅର୍ଥ ନୁହେଁ ଏହି ଅନୁରକ୍ତିର ପ୍ରମାଣ ସ୍ବରୂପ ନାଚଗୀତର ଉଚ୍ଚାଟ ହିଲ୍ଲୋଳରେ ମଗ୍ନ ହୋଇଯିବା, ଯାହା ତାଙ୍କ ପଦର ଗରିମା ଦୃଷ୍ଟିରୁ ଅସମୀଚୀନ ମନେ ହୋଇଥାଏ। ତାଙ୍କ ଅର୍ବାଚୀନସୁଲଭ ଆଚରଣର ଏକ ବଡ଼ ଉଦାହରଣ ହେଲା ୨୦୨୧ ମସିହାରେ ପଞ୍ଜାବର କୃଷକମାନଙ୍କ ନେତୃତ୍ବରେ ସଂଘଟିତ ଆନ୍ଦେଳନ ସପକ୍ଷରେ ମତ ପ୍ରଦାନ; ଯାହା ସଂପୂର୍ଣ୍ଣ ରୂପେ ଥିଲା ଭାରତର ଅଭ୍ୟନ୍ତରୀଣ ବ୍ୟାପାର ଏବଂ ସେହି ଦୃଷ୍ଟିରୁ କୌଣସି ବିଦେଶୀ ଆଗ୍ରହାତିଶଯ୍ୟ ସଂପୂର୍ଣ୍ଣ ଅବାଂଛିତ ଥିଲା।
ସୁତରାଂ, ଏ ସନ୍ଦର୍ଭରେ ପ୍ରଶ୍ନ ଉଠେ ଏହାର କାରଣ କ’ଣ? କାହିଁକି କାନାଡାରେ ଶିଖ ଚରମପନ୍ଥୀ ଓ ବିଚ୍ଛିନ୍ନତାବାଦୀଙ୍କ କାର୍ଯ୍ୟକଳାପକୁ କାନାଡା ସରକାର ପ୍ରଶ୍ରୟ ଦେଇଥାଆନ୍ତି। ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଏଭଳି ଆଚରଣ ପଛରେ ‘ଭୋଟ ବ୍ୟାଙ୍କ’ ରାଜନୀତିକୁ ଦେଖିଥାଆନ୍ତି। କିନ୍ତୁ, କାନାଡା ସରକାର ଏଥି ଲାଗି ଯେଉଁ କାରଣଟି ଦିଅନ୍ତି, ତାହା ହେଲା ଏକ ଉଦାର ଗଣତନ୍ତ୍ରରେ ବ୍ୟକ୍ତି ସ୍ବାଧୀନତା ପ୍ରତି ସରକାରଙ୍କ ନିଃସର୍ତ୍ତ ଅଙ୍ଗୀକାର।
କିନ୍ତୁ ଆଉ ଗୋଟିଏ ପ୍ରଶ୍ନ ହେଲା, କାନାଡା ଜନସଂଖ୍ୟାରେ ମାତ୍ର ୨ ପ୍ରତିଶତ ଅଂଶର ଅଧିକାରୀ ଶିଖ ସଂପ୍ରଦାୟକୁ ତୁଷ୍ଟ କରିବାର ଉଦ୍ୟମ କାହିଁକି? ଏହାର ଉତ୍ତର ମିଳିଥାଏ ‘ଭାଙ୍କୋଭର ସନ୍’ରେ ପ୍ରକାଶିତ ଡଗଲାସ ଟ୍ରସଙ୍କ ଏକ ଆଲେଖ୍ୟରୁ, ଯାହା କହିଥାଏ ଯେ କାନାଡାରେ ଗୁରୁଦ୍ବାରଗୁଡ଼ିକ ଦ୍ବାରା ଶିଖ ସଂପ୍ରଦାୟକୁ ରାଜନୈତିକ ରୂପେ ପ୍ରଭାବିତ କରାଯାଇପାରେ, ଯାହା ନିର୍ବାଚନ ବେଳେ ଯେ କୌଣସି ଦଳ ଲାଗି ଉପକାରୀ ସାବ୍ୟସ୍ତ ହୋଇପାରେ। ଦ୍ବିତୀୟ କାରଣଟି ହେଲା ଗୁରୁଦ୍ବାର ନିକଟରେ ଉପଲବ୍ଧ ବିପୁଳ ନଗଦ ଅର୍ଥର ଭଣ୍ଡାର, ଯାହା ଅବଲୀଳା କ୍ରମେ ନିର୍ବାଚନ ସମୟରେ ଅଲିଖିତ ବ୍ୟୟ ଭାବେ ସମର୍ଥିତ ପ୍ରାର୍ଥୀମାନଙ୍କ କାମରେ ଲାଗିପାରେ।
କିନ୍ତୁ ସତ କଥା ହେଲା, ଏଭଳି ତୋଷାମଦୀକୁ ଅତିକ୍ରମ କରିଗଲେ ଦିଶିଥାଏ କିଭଳି ଭାରତୀୟ ମୂଳୋଦ୍ଭବ କାନାଡା ନାଗରିକଙ୍କୁ ସେଠାକାର ସରକାର ହେୟ ଦୃଷ୍ଟିରେ ଦେଖନ୍ତି। ଏହାର ଏକ ବଡ଼ ଦୃଷ୍ଟାନ୍ତ ୧୯୮୫ ମସିହାରେ ଶିଖ ଆତଙ୍କବାଦୀଙ୍କ ଦ୍ବାରା ମଝି ଆକାଶରେ ଏଆର ଇଣ୍ଡିଆର ବିମାନ ‘କନିଷ୍କ’ର ଧ୍ବଂସ ସାଧନ, ଯହିଁରେ ୩୨୯ ଜଣଙ୍କ ପ୍ରାଣହାନି ଘଟିଥିଲା, ଯେଉଁମାନଙ୍କ ମଧ୍ୟରୁ ୨୬୮ ଜଣ ଥିଲେ କାନାଡୀୟ ନାଗରିକ ଏବଂ ୨୭ ଜଣ ବ୍ରିଟିସ୍; ଏବଂ ଏଥିରେ ମୃତ ୨୪ ଭାରତୀୟ ନାଗରିକଙ୍କ ମଧ୍ୟରୁ ୨୨ ଜଣ ଥିଲେ ବିମାନର କର୍ମଚାରୀ। କିନ୍ତୁ ଏହା ସତ୍ତ୍ବେ ଏହି ଦୁର୍ଘଟଣାର କାରଣ ଅନୁସନ୍ଧାନ ଲାଗି କମିଟି ତିଆରି ହେବାରେ ଲାଗି ଯାଇଥିଲା ପ୍ରାୟ ୨୦ ବର୍ଷ ସମୟ। ଅନୁସନ୍ଧାନରୁ ଜଣାପଡ଼ିଥିଲା ଯେ ଏହି ଅନ୍ତର୍ଘାତୀ କାର୍ଯ୍ୟ ନେଇ ଅନେକ ଗୁପ୍ତ ସୂଚନା ବାରମ୍ବାର ପ୍ରଦାନ କରାଯାଇଥିବା ସତ୍ତ୍ବେ କାନାଡା ପୁଲିସ ଓ ସୁରକ୍ଷା ବିଭାଗ କୌଣସି ବିଶେଷ ଆଗ୍ରହ ପ୍ରଦର୍ଶନ କରି ନ ଥିଲେ। ସେହି ହତଭାଗ୍ୟ ବିମାନର ଯାତ୍ରୀଙ୍କ ସ୍ମୃତିରେ ଆୟର୍ଲାଣ୍ଡରେ ନିର୍ମିତ ସ୍ମାରକୀକୁ କାନାଡାର ପ୍ରଧାନମନ୍ତ୍ରୀ ପଲ ମାର୍ଟିନ ପ୍ରଥମ ଥର ଲାଗି ପରିଦର୍ଶନ କରିଥିଲେ ୨୦୦୬ ମସିହାରେ ଏବଂ ଏହାକୁ ପ୍ରଥମ ଥର ଲାଗି ଏକ ‘କାନାଡୀୟ ଟ୍ରାଜେଡି’ ରୂପେ ଅଭିହିତ କରିଥିଲେ। ଏହାର କାରଣ କେବଳ ସେହି ଗୋଟିଏ ଯେ ମୃତ୍ୟୁବରଣ କରିଥିବା କାନାଡୀୟ ନାଗରିକଗଣ ଥିଲେ ଅଣଶ୍ବେତାଙ୍ଗ ଭାରତୀୟ ମୂଳୋଦ୍ଭବ, ଯେଉଁମାନେ ଶ୍ବେତାଙ୍ଗ ନାଗରିକଙ୍କ ତୁଳନାରେ ନ୍ୟୂନ। ସୁତରାଂ, ଏଭଳି ଏକ ମନୋଭାବ କାନାଡାର ପ୍ରବାସୀ ଶିଖ ନାଗରିକଙ୍କ ଚକ୍ଷୁ ଖୋଲିଦେବା ଉଚିତ, ଯାହା ଅନ୍ତତଃ ବର୍ତ୍ତମାନ ପର୍ଯ୍ୟନ୍ତ ଘଟିନାହିଁ।
ଏହି ପରିପ୍ରେକ୍ଷୀରେ ପାକିସ୍ତାନ ଦ୍ବାରା ଆତଙ୍କବାଦର ପ୍ରୋତ୍ସାହନକୁ ନେଇ ଯୁକ୍ତରାଷ୍ଟ୍ର ଆମେରିକାର ବିଦେଶ ମନ୍ତ୍ରୀ ହିଲାରୀ କ୍ଲିଣ୍ଟନଙ୍କ ଦ୍ବାରା ପ୍ରଦତ୍ତ ଏକ ପ୍ରାଜ୍ଞ ବକ୍ତବ୍ୟ ସ୍ମରଣକୁ ଆସିଥାଏ; ଯାହା ହେଲା ‘ବାରି ଅଗଣାରେ ସାପ ପୋଷିଲେ ତାହା ଦିନେ ତୁମକୁ ଦଂଶନ କରିବ।’ ପାକିସ୍ତାନ ଭଳି କାନାଡା ପରିପ୍ରେକ୍ଷୀରେ ମଧ୍ୟ ଏହା ସତ, ଯାହା ସେଠାରେ ଶିଖ ଚରମପନ୍ଥୀ ଏବଂ ବିଚ୍ଛିନ୍ନତାବାଦୀଙ୍କୁ ପ୍ରଶ୍ରୟ ଏବଂ ପ୍ରୋତ୍ସାହନ ଦେଇ ଚାଲିଛି। ଏଥିରୁ ଉପଲବ୍ଧ ଶିକ୍ଷାଟି ହେଲା ‘କଟ୍ଟର’ ଧର୍ମାନ୍ଧତା ଭଳି ‘କଟ୍ଟର’ ଉଦାରବାଦ ମଧ୍ୟ ବିପଜ୍ଜନକ; ଯେଉଁ ଦୃଷ୍ଟିରୁ ଦେଖିଲେ ପାକିସ୍ତାନ ଏବଂ କାନାଡା ଭିତରେ ଏକ ସାମଂଜସ୍ୟ ଦିଶି ନ ଥାଏ କି?