ଯୁଗେ ଯୁଗେ ଶିକ୍ଷାର ମାନ ହିଁ ବ୍ୟକ୍ତି, ସମାଜ, ଦେଶ ଓ ସଭ୍ୟତାର ଦ୍ୟୋତକ ଭାବେ ପରିଗଣିତ ହୋଇ ଆସିଛି। ଶିକ୍ଷାର ସ୍ତର ହିଁ ନିର୍ମାଣ କରିଛି ସମାଜ ଓ ସଭ୍ୟତାର ସ୍ତର। ଶିକ୍ଷାର ସର୍ବମାନ୍ୟ ପ୍ରାଧାନ୍ୟ କାରଣରୁ ପ୍ରାଚୀନ ସଭ୍ୟତାଗୁଡ଼ିକର ଶିକ୍ଷା ସୌଧମାନ ଅମ୍ଳାନ କୀର୍ତ୍ତି ସହ ଆଜି ମଧ୍ୟ ଇତିହାସ ପୃଷ୍ଠାରେ ଜାଜ୍ଜ୍ବଲ୍ୟମାନ। ତକ୍ଷଶୀଳା, ନାଳନ୍ଦା, ପୁଷ୍ପଗିରି, ବିକ୍ରମଶୀଳା ପ୍ରଭୃତି ବିଶ୍ବବିଦ୍ୟାଳୟଗୁଡ଼ିକ ଭାରତୀୟ ସଭ୍ୟତାର କ୍ରମବିକାଶ ତଥା ଉତ୍କର୍ଷର ଶ୍ରେଷ୍ଠ ପରିଚାୟକ ହୋଇ ରହିଆସିଛନ୍ତି। ସେହି ଚିନ୍ତନ ଓ ଆଦର୍ଶ ଆଧାରରେ ଆଧୁନିକ ସମୟର ବିବେକାନନ୍ଦ, ଗାନ୍ଧୀ, ରାଧାକୃଷ୍ଣନଙ୍କ ଭଳି ଚିନ୍ତାନାୟକ ଓ ମନୀଷୀ ବୃନ୍ଦ ଗୁଣାତ୍ମକ ସାର୍ବଜନୀନ ଶିକ୍ଷାକୁ ଭାରତ ଭୂଖଣ୍ଡର ପ୍ରଗତିର ମୂଳପିଣ୍ଡ ଭାବରେ ସର୍ବାଧିକ ଗୁରୁତ୍ବ ଆରୋପ କରିଥିଲେ। କିନ୍ତୁ ବର୍ତ୍ତମାନ ସମୟରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଅମଲାତନ୍ତ୍ର ଓ ବ୍ୟବସାୟତନ୍ତ୍ର ଦ୍ବାରା ଯନ୍ତ୍ରଣା ଜର୍ଜରିତ ଓ ମୃତପ୍ରାୟ।

Advertisment

ନିଯୁକ୍ତି-ଯୋଗ୍ୟତା ହାସଲ ଭଳି ନ୍ୟୂନତମ ଅର୍ଥରେ ମଧ୍ୟ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ଅପରିହାର୍ଯ୍ୟ। ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ଶିକ୍ଷାର ସ୍ତରଗୁଡ଼ିକ ଗୋଟିଏ ଶିକ୍ଷା ବ୍ୟବସ୍ଥାର ପରସ୍ପର-ପରିପୋଷକ ଅଂଶ। ସେହି ଦୃଷ୍ଟିରୁ ଉତ୍କୃଷ୍ଟ ଶିକ୍ଷା ବ୍ୟବସ୍ଥା ପ୍ରତ୍ୟେକଟି ସ୍ତରରେ ଉତ୍କର୍ଷର ଅପେକ୍ଷା ରଖେ। ତେଣୁ, ଯଦି ସାର୍ବଜନୀନ ପ୍ରାଥମିକ ଶିକ୍ଷାକୁ ପ୍ରାଣବନ୍ତ କରିବାରେ ଅକ୍ଷମତା ପ୍ରକାଶ ପାଏ, ତେବେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଗୁଣବତ୍ତା ଦୃଷ୍ଟିଗୋଚର ହେବାର ସମ୍ଭାବନା ଶୂନ୍ୟ ପ୍ରାୟ ହୋଇଥାଏ। ପ୍ରାଥମିକ ଶିକ୍ଷା କ୍ଷେତ୍ରକୁ ନିଘା କଲେ ଯାହା ଚକିତ କରେ, ତାହା ହେଲା ସାରା ପ୍ରଦେଶର ସମସ୍ତ ପିଲା ନିଜ ନିଜ ମାତୃଭାଷାରେ ପ୍ରାଥମିକ ଶିକ୍ଷା ଲାଭ କରନ୍ତି ନାହିଁ; ଏବଂ ତାହା ସମ୍ଭବ କରିବା ଲାଗି ସେଭଳି କିଛି ନିୟମ କି ବ୍ୟବସ୍ଥା ମଧ୍ୟ ନାହିଁ! ବର୍ତ୍ତମାନ ଓଡ଼ିଶାର ଗଳିକନ୍ଦିରେ ଘରୋଇ ଇଂରେଜୀ ମାଧ୍ୟମ ସ୍କୁଲ ଏବଂ ଚଢ଼ା ଫିସ୍‌ରେ ସୁଦ୍ଧା ସେଠାରେ ନାମ ଲେଖାଇବା ଲାଗି ପ୍ରବଳ ଆଗ୍ରହ ଦେଖିବାକୁ ମିଳିଥାଏ। ଅଥଚ, ଓଡ଼ିଆ-ଭାଷା ମାଧ୍ୟମ ସରକାରୀ ବିଦ୍ୟାଳୟଗୁଡ଼ିକ ଶିକ୍ଷକ ଶୂନ୍ୟତା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ସମସ୍ୟାରେ ବୁଡ଼ିଛନ୍ତି। ସୁତରାଂ, ସରକାରୀ ସ୍କୁଲରେ ଗୁଣାତ୍ମକ ଶିକ୍ଷା ସାତ ସପନ। ଏଣେ, ସ୍ବଚ୍ଛଳ ବର୍ଗର ପିଲାମାନେ ଇଂରେଜୀ-ମାଧ୍ୟମ ବେସରକାରୀ ବିଦ୍ୟାଳୟରେ ଅଧ୍ୟୟନରତ; ଯେଉଁମାନେ ଭବିଷ୍ୟତ୍‌ରେ ଶାସନ ଓ ପ୍ରଶାସନର ଉଚ୍ଚ ପଦରେ ଅଧିଷ୍ଠିତ ହୋଇ ରାଜ୍ୟ ଶାସନର ମଙ୍ଗ ମୋଡ଼ିବେ ଏବଂ ସରକାରୀ ସ୍କୁଲର ପିଲାମାନେ ଛୋଟ ଚାକିରି କରିବେ ଏବଂ ସାରା ଜୀବନ ଅଧସ୍ତନ ହୋଇ ଚଳିବେ। ସରକାରୀ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକମାନଙ୍କ ଦୁର୍ଗତିର ମଧ୍ୟ ସୀମା ନାହିଁ। ଏହା ବିରୋଧରେ ସରକାରୀ ସ୍କୁଲର ଶିକ୍ଷକଶିକ୍ଷୟିତ୍ରୀମାନେ ନିରନ୍ତର ଭାବେ ଆନ୍ଦୋଳନରତ। ଏହି ଆନ୍ଦୋଳନକାରୀ ଶିକ୍ଷକମାନଙ୍କ ଜଣେ ପ୍ରତିନିଧି-ଶିକ୍ଷୟିତ୍ରୀଙ୍କ କ୍ଷୋଭ ଓ କୋହଭରା ବକ୍ତବ୍ୟ ସେ ଦିନ ଟିଭିରେ ଦେଖିବାକୁ ଓ ଶୁଣିବାକୁ ମିଳିଲା, ଯାହା ହେଲା, ‘ଆମେ ପ୍ରତିଦିନ ବିଦ୍ୟାଳୟ ଫାଟକ ଖୋଲୁ, ଶ୍ରେଣୀଗୃହ ଝ‌ାଡୁ କରୁ, ପିଲାମାନଙ୍କ ଶୌଚାଳୟ ସଫା କରୁ, ପିଲାଙ୍କ ଉପସ୍ଥାନ ଖବର ଉପର ପଦାଧିକାରୀଙ୍କ ନିକଟକୁ ହ୍ବାଟ୍‌ସଆପ୍ କରୁ, ବ୍ଲକ୍ ଅଫିସ୍ ଦୌଡୁ, ଅଣ୍ଡା, ଚାଉଳ, ପରିବା ହିସାବ ରଖୁ, ଆଙ୍ଗୁଠି ଧରି ଛୋଟ ପିଲାକୁ ଅକ୍ଷର ଶିଖାଉ, ଜନଗଣନା ଠାରୁ ଏଡ୍‌ସ ପର୍ଯ୍ୟନ୍ତ ଜନସଚେତନତା କାର୍ଯ୍ୟକ୍ରମ କରୁ ଇତ୍ୟାଦି ଇତ୍ୟାଦି। ଏହାର ପୁରସ୍କାର ସ୍ବରୂପ ଦଶ-ବାର ବର୍ଷ ଚାକିରି ପରେ ମାସକୁ ଦଶ-ଏଗାର ହଜାର ଟଙ୍କା ଦରମା ପାଉ। ଆଉ ଆମେ ଆମର ସମସ୍ତ ଯୋଗ୍ୟତା ପ୍ରତିପାଦନକାରୀ ପରୀକ୍ଷାରେ ୭୦-୮୦% ନମ୍ବର ରଖିଥାଉ ଓ ଓ.ଟି.ଇ.ଟି ଭଳି ପରୀକ୍ଷାରେ ବି ଉତ୍ତୀର୍ଣ୍ଣ ହୋଇଥାଉ।’ ଏତିକିରୁ ଯାହା ସ୍ପଷ୍ଟ, ତାକୁ ଆଉ ଅଧିକ ବୁଝାଇ କହିବାର ଆବଶ୍ୟକତା ନାହିଁ।

ଏବେ ଏବେ ଓଡ଼ିଶାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପରିଚାଳିତ ସ୍ବାୟତ୍ତତା-ସଂପନ୍ନ (ଅଟୋନୋମସ୍‌) ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) କୋଡ଼ିଏ ହଜାର ପ୍ରାଥମିକ ଓ ତେର ହଜାର ମାଧ୍ୟମିକ ଶିକ୍ଷକ ପଦ ପୂରଣ ପାଇଁ ବିଜ୍ଞାପନ ବାହାର କରିଛନ୍ତି। ହଜାର ହଜାର ଶିକ୍ଷକ ପଦ ‌ଖାଲି ଥାଇ ବର୍ଷ ବର୍ଷ ଧରି ଶିକ୍ଷା କାର୍ଯ୍ୟକ୍ରମ କିଭଳି ଚାଲୁଥିଲା, ସେ ନେଇ ସ୍ବାଭାବିକ ଭାବେ ମନରେ ପ୍ରଶ୍ନ ଉଠୁଛି। ଓସେପା ୱେବ୍‌ସାଇଟ୍ କହେ, ‘ଶିକ୍ଷା ଜୀବନର ସଫଳତାର ଚାବିକାଠି’। କିନ୍ତୁ ଏହି ପରିପ୍ରେକ୍ଷୀରେ ରବର୍ଟ ମୁଗାବେଙ୍କ ସଂପୂର୍ଣ୍ଣ ମନ୍ତବ୍ୟଟି ପ୍ରଣିଧାନଯୋଗ୍ୟ, ଯାହାର ଗୋଟିଏ ଅଂଶ ‘ଓପେପା’ ୱେବ୍‌ସାଇଟ୍‌ରେ ସ୍ଥାନ ପାଇଛି। ମୁଗାବେଙ୍କ ମନ୍ତବ୍ୟଟି ହେଲା: ‘ଆମେ କିଭଳି ଭାବରେ ଯୁବଗୋଷ୍ଠୀଙ୍କୁ ବୁଝାଇବା ଯେ ଶିକ୍ଷା ହିଁ ଜୀବନର ସଫଳତାର ଚାବିକାଠି, ଯେତେବେଳେ ଆମ ଚାରିପଟେ ଗରିବ ଶିକ୍ଷିତ ଓ ଧନୀ ଅପରାଧୀମାନେ ଘେରି ରହିଛନ୍ତି।’ ସେହି ମର୍ମରେ ଥରେ ରୁଷୀୟ ଔପନ୍ୟାସିକ ମାକ୍ସିମ ଗର୍କିଙ୍କୁ ସେହି ଦେଶର ପ୍ରଥିତଯଶା ଗାଳ୍ପିକ ଆଣ୍ଟନ ଚେକଭ କହିଥିଲେ, ‘ମୁଁ ଉପଲବ୍‌ଧି କରେ ଯେ ଯଦି ଜନସାଧାରଣ ସର୍ବମୁଖୀ ଶିକ୍ଷା ନ ପାଆନ୍ତି, ତେବେ ସମାଜ ଦରପୋଡ଼ା ଇଟାରେ ତିଆରି ଘରଭଳି ଭୁଶୁଡ଼ି ପଡ଼ିବ, ...ଯେଉଁମାନଙ୍କ ଉପରେ ଶିକ୍ଷାଦାନର ଦାୟିତ୍ବ ନ୍ୟସ୍ତ, ସେମାନଙ୍କୁ ଦୀନହୀନ ଅବସ୍ଥାରେ ରଖିବା ଠାରୁ ଅଧିକ କିଛି ଅବାନ୍ତର କଥା ଥାଇ ନ ପାରେ।’ ହେଲେ, କିଏ ଶୁଣୁଛି!

୨୦୧୫ ମସିହାରୁ ୨୦୨୩ ମଧ୍ୟରେ ଓଡ଼ିଶାର ସରକାରୀ ବିଶ୍ବବିଦ୍ୟାଳୟ ସଂଖ୍ୟା ୧୨ରୁ ୨୧କୁ ବୃଦ୍ଧି ପାଇଥିବା ବେଳେ କଲେଜ ସଂଖ୍ୟା ୧୦୭୬ରୁ ୧୨୭୩ରେ ପହଞ୍ଚିଛି। କିନ୍ତୁ ଶିକ୍ଷକ ସଂଖ୍ୟା କମି କମି ଚାଲିଛି। ଉଦାହରଣ ସ୍ବରୂପ ୨୦୨୧ ଡି‌େସମ୍ବର ବେଳକୁ ଓଡ଼ିଶାର ପ୍ରମୁଖ ଦଶଟି ବିଶ୍ବବିଦ୍ୟାଳୟରେ ୧୬୬୨ ଶିକ୍ଷକ ପଦ ମଧ୍ୟରୁ ୧୦୩୩ଟି ଅର୍ଥାତ୍ ପାଖାପାଖି ଶତକଡ଼ା ୬୨ ପଦ ଖାଲି ପଡ଼ିଥିଲା। ସରକାରୀ କଲେଜଗୁଡ଼ିକରେ ମଧ୍ୟ ଶିକ୍ଷକ ଶୂନ୍ୟତାର ସମାନ ଚିତ୍ର। ଓଡ଼ିଶା ସରକାର ଜଣେ ହେଲେ ଅଧିକ ଶିକ୍ଷକ ନ ଦେଇ ବିଭିନ୍ନ କଲେଜରେ ସ୍ନାତକୋତ୍ତର ପାଠ୍ୟକ୍ରମ ଖୋଲିବାରେ ବ୍ୟସ୍ତ। ଏଭଳି ସ୍ଥିତିରେ ଭୟଙ୍କର ଶିକ୍ଷକ ଶୂନ୍ୟତା ମଧ୍ୟରେ ଛାତ୍ରଛାତ୍ରୀମାନେ କି ପ୍ରକାର ଶିକ୍ଷା ଲାଭ କରିବେ ଓ ସେମାନଙ୍କ ଶିକ୍ଷା ସେମାନଙ୍କୁ କେତେ ଦୂର ଦକ୍ଷ କରି ପାରିବ, ତାହା ଏକ ଚିନ୍ତାର ବିଷୟ।

ଉଚ୍ଚ ଶିକ୍ଷା କ୍ଷେତ୍ରରେ ମଧ୍ୟ ଓଡ଼ିଶାକୁ ଅନ୍ତର୍ଜାତୀୟ ଗୁଣବତ୍ତାର କେନ୍ଦ୍ରସ୍ଥଳୀ କରିବା ଲକ୍ଷ୍ୟ ନେଇ ରାଜ୍ୟ ଉଚ୍ଚ ଶିକ୍ଷା ଆୟୋଗ ଏସ୍.ଏଚ୍.ଇ.ସି. କାର୍ଯ୍ୟରତ। ଏସ୍.ଏଚ୍.ଇ.ସି. ମଧ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପରିଚାଳିତ, ଯଦିଓ କେନ୍ଦ୍ର ସରକାରଙ୍କ ନିୟମାବଳୀ ଅନୁସାରେ ରାଜ୍ୟ ଉଚ୍ଚ ଶିକ୍ଷା ଆୟୋଗଗୁଡ଼ିକ ସରକାରୀ ପ୍ରଭାବରୁ ମୁକ୍ତ ରହି ସ୍ବାୟତ୍ତ ସଂପନ୍ନ ସଂସ୍ଥା ଭାବରେ କାର୍ଯ୍ୟ ନିର୍ବାହ କରିବା କଥା। ୨୦୧୫ ମସିହାରୁ ୨୦୨୩ ମଧ୍ୟରେ ଓଡ଼ିଶାର ସରକାରୀ ବିଶ୍ବବିଦ୍ୟାଳୟ ସଂଖ୍ୟା ୧୨ରୁ ୨୧କୁ ବୃଦ୍ଧି ପାଇଥିବା ବେଳେ କଲେଜ ସଂଖ୍ୟା ୧୦୭୬ରୁ ୧୨୭୩ରେ ପହଞ୍ଚିଛି। କିନ୍ତୁ ଶିକ୍ଷକ ସଂଖ୍ୟା କମି କମି ଚାଲିଛି। ଉଦାହରଣ ସ୍ବରୂପ ୨୦୨୧ ଡି‌େସମ୍ବର ବେଳକୁ ଓଡ଼ିଶାର ପ୍ରମୁଖ ଦଶଟି ବିଶ୍ବବିଦ୍ୟାଳୟରେ ୧୬୬୨ ଶିକ୍ଷକ ପଦ ମଧ୍ୟରୁ ୧୦୩୩ଟି ଅର୍ଥାତ୍ ପାଖାପାଖି ଶତକଡ଼ା ୬୨ ପଦ ଖାଲି ପଡ଼ିଥିଲା। ସରକାରୀ କଲେଜଗୁଡ଼ିକରେ ମଧ୍ୟ ଶିକ୍ଷକ ଶୂନ୍ୟତାର ସମାନ ଚିତ୍ର। ଓଡ଼ିଶା ସରକାର ଜଣେ ହେଲେ ଅଧିକ ଶିକ୍ଷକ ନ ଦେଇ ବିଭିନ୍ନ କଲେଜରେ ସ୍ନାତକୋତ୍ତର ପାଠ୍ୟକ୍ରମ ଖୋଲିବାରେ ବ୍ୟସ୍ତ। ଏଭଳି ସ୍ଥିତିରେ ଭୟଙ୍କର ଶିକ୍ଷକ ଶୂନ୍ୟତା ମଧ୍ୟରେ ଛାତ୍ରଛାତ୍ରୀମାନେ କି ପ୍ରକାର ଶିକ୍ଷା ଲାଭ କରିବେ ଓ ସେମାନଙ୍କ ଶିକ୍ଷା ସେମାନଙ୍କୁ କେତେ ଦୂର ଦକ୍ଷ କରି ପାରିବ, ତାହା ଏକ ଚିନ୍ତାର ବିଷୟ।

ଏ ପ୍ରକାର ଅବ୍ୟବସ୍ଥା ସହ ଯୋଡ଼ି ହେଉଛି ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଶୈକ୍ଷିକ ପରିଚାଳନାରେ କ୍ରମବର୍ଦ୍ଧିଷ୍ଣୁ ସରକାରୀ ଅନୁପ୍ରବେଶ। କିଛି ବର୍ଷ ହେବ ସ୍ନାତକ ଓ ସ୍ନାତକୋତ୍ତର ସ୍ତରରେ ଏକକ-ପରୀକ୍ଷା ନାମରେ ଏଭଳି ଏକ ନାମଲେଖା ପ୍ରକ୍ରିୟା ଚାଲିଛି, ଯେଉଁଥିରେ ନାଁ ଲେଖା ସରିଲା ବେ‌ଳକୁ ଗୋଟିଏ ସେମିଷ୍ଟାର ପାଠପଢ଼ା ଶେଷ ପ୍ରାୟ! ବିଭିନ୍ନ ସ୍ତରର ପାଠ୍ୟକ୍ରମ ଶିକ୍ଷା ବର୍ଷ ଓ ପରୀକ୍ଷା ସୂଚି ନିର୍ଦ୍ଧାରଣ ଇତ୍ୟାଦିରେ ଥିବା ବିଶ୍ବବିଦ୍ୟାଳୟଗୁଡ଼ିକର କ୍ଷମତା ବର୍ତ୍ତମାନ ସରକାରଙ୍କ ଦ୍ବାରା ଅପହୃତ। ଏବେ ପୁଣି ସରକାରୀ ନିର୍ଦ୍ଦେଶ ଯେ ବିଶ୍ବବିଦ୍ୟାଳୟଗୁଡ଼ିକର ସିଣ୍ଡିକେଟ୍‌ରେ କ’ଣ ଆଲୋଚନା ହେବ, କ’ଣ ନିଷ୍ପତ୍ତି ନିଆଗଲା ସବୁ କିଛି ଉଚ୍ଚଶିକ୍ଷା ସଚିବଙ୍କ ଅନୁମୋଦନ ପରେ ହିଁ ଶେଷ ରୂପ ନେବ। ଓଡ଼ିଶା ସରକାରଙ୍କ ୨୦୨୦ ବିଶ୍ବବିଦ୍ୟାଳୟ ନିୟମ ବଳରେ ସିନେଟ୍ ଯାଇଥିଲା, କୁଳପତିଙ୍କର କ୍ଷମତା ସଂକୁଚିତ ହୋଇଥିଲା, ସିଣ୍ଡିକେଟ୍ ସରକାରୀ ସଦସ୍ୟଙ୍କ ଅନୁଷ୍ଠାନରେ ପରିଣତ ହୋଇଥିଲା, ଆକାଡେମିକ୍ କାଉନ୍‌ସିଲ୍ ପ୍ରଭାବଶୂନ୍ୟ ହୋଇଥିଲା ଏବଂ ସେହି କାରଣରୁ ସ୍ବାୟତ୍ତତାଶୂନ୍ୟ ହୋଇ କେବଳ ଯାହା ପଡ଼ି ରହିଛି ବିଶ୍ବବିଦ୍ୟାଳୟର ନାମ।

ଫଳତଃ ୨୦୨୧ ମସିହାର ଜାତିସଂଘ (ୟୁଏନ୍‌ଡିପି)ର ଗୁରୁତ୍ବପୂର୍ଣ୍ଣ ମାନବ ବିକାଶ ସୂଚକାଙ୍କ (ହ୍ୟୁମାନ୍ ଡେଭଲୋପମେଣ୍ଟ ଇଣ୍ଡେକ୍‌ସ) ସର୍ବେକ୍ଷଣରେ ଭାରତର ୩୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଭିତରେ ଓଡ଼ିଶାର ସ୍ଥାନ ୨୯। ଜାତୀୟ ପରିସଂଖ୍ୟାନ ଆୟୋଗର ମାନବ ବିକାଶ ସୂଚକାଙ୍କ ସର୍ବେକ୍ଷଣରେ ୩୬ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ଓଡ଼ିଶାର ସ୍ଥାନ ୨୯ ଏବଂ ୨୦୨୩ ସାକ୍ଷରତା ହାର ସର୍ବେକ୍ଷଣରେ ୭୭.୩ ପଏଣ୍ଟ ସହ ଓଡ଼ିଶାର ସ୍ଥାନ ୩୬ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ୨୭। ବର୍ଷ ବର୍ଷ ଧରି ଦେଶର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶା ନିମ୍ନତର ସ୍ଥାନରେ ପଡ଼ିରହିବା ଆମ ରାଜ୍ୟର ସରକାରୀ ସାର୍ବଜନୀନ ଶିକ୍ଷା ଦୁଃସ୍ଥିତି ଓ ପରିଚାଳନାରେ ଅପାରଗତାର ସୂଚନା ଦିଏ। ଦେଶ ସ୍ବାଧୀନତାର ‘ଅମୃତ କାଳ’ରେ ଆମ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ନୈରାଶ୍ୟଜନକ ବାତାବରଣ ମଧ୍ୟରେ ଗତି କରୁଛି। ଏହି ସ୍ଥିତି‌େର ତୁରନ୍ତ ପରିବର୍ତ୍ତନ ଆସିବା ଦରକାର। ସ୍ମରଣରେ ରହିବା ଉଚିତ ଯେ ‘ଚାଷୀ ହୁଡ଼ିଲେ ବ‌ରଷେ, ପାଠ ହୁଡ଼ିଲେ ପୁରୁଷେ ପୁରୁଷେ।’
ମୋ: ୯୯୩୭୬୨୪୫୦୫