ସଂପ୍ରତି ଭାରତ ପୃଥିବୀର ‘ଡାଇବେଟିସ କ୍ୟାପିଟାଲ’ ବା ‘ମଧୁମେହ ରାଜଧାନୀ’ ରୂପେ ଅପଖ୍ୟାତି ଲାଭ କରୁଥିବା ବେଳେ ଇଂଲାଣ୍ଡରୁ ପ୍ରକାଶିତ ସମ୍ବାଦପତ୍ର ‘ଦ ଗାର୍ଡିଆନ’ ମାତ୍ର ସପ୍ତାହକ ତଳେ ଯେଉଁ ଏକ ଗବେଷଣା ସମ୍ଭୂତ ରିପୋର୍ଟ ସହିତ ଆବିର୍ଭୂତ ହୋଇଛି, ତାହା ଭାରତୀୟମାନଙ୍କ ଠାରେ ଦୃଷ୍ଟିଗୋଚର ହେଉଥିବା ରକ୍ତ ଶର୍କରା ବୃଦ୍ଧିର ଅସ୍ବାଭାବିକ ତୀବ୍ରତା ସଂଦର୍ଭରେ ଏକ ନୂତନ ଦୃଷ୍ଟିକୋଣ ପ୍ରଦାନ କରିଥାଏ। ଏଥିରେ ଦ୍ବିରୁକ୍ତି ନାହିଁ ଯେ ବର୍ତ୍ତମାନ ଭାରତରେ ମଧୁମେହର ସ୍ଥିତି ଅତ୍ୟନ୍ତ ଉଦ୍ବେଗଜନକ; ପୃଥିବୀର ପ୍ରତି ପାଞ୍ଚ ଜଣ ମଧୁମେହ ରୋଗୀଙ୍କ ମଧ୍ୟରେ ଜଣେ ହେଉଛନ୍ତି ଭାରତୀୟ; ଗଲା ଜୁନ୍ ମାସରେ ପ୍ରକାଶିତ ତଥ୍ୟ ଅନୁଯାୟୀ ମଧୁମେହ ପୀଡ଼ିତ ଭାରତୀୟଙ୍କ ସଂଖ୍ୟା ୧୦.୧ କୋଟିରେ ପହଞ୍ଚିଛି, ଯାହାର ଅର୍ଥ ଗଲା ଚାରି ବର୍ଷ ମଧ୍ୟରେ ରୋଗୀଙ୍କ ସଂଖ୍ୟାରେ ୩ କୋଟି ବୃଦ୍ଧି ପାଇଛି; କେବଳ ସେତିକି ନୁହେଁ ମଧୁମେହର ବନ୍ଧନୀରେ ପ୍ରବେଶ କରିବାର ଦ୍ବାର ଦେଶରେ ରୁଣ୍ଡ ଭାରତୀୟଙ୍କ ସଂଖ୍ୟା ହେଉଛି ପ୍ରାୟ ୧୫ କୋଟି। ଏହି ପରିପ୍ରେକ୍ଷୀରେ ‘ଦ ଗାର୍ଡିଆନ୍’ ଦ୍ବାରା ପ୍ରକାଶିତ ରିପୋର୍ଟଟି ଅତ୍ୟନ୍ତ ପ୍ରଣିଧାନଯୋଗ୍ୟ, ଯାହା ଏଭଳି ଦାରୁଣ ସ୍ଥିତି ଲାଗି ଭାରତର ଔପନିବେଶିକ ଶାସନର ଅତୀତକୁ ସଂପୂର୍ଣ୍ଣ ଦାୟୀ କରିଥାଏ।
କହିବା ବାହୁଲ୍ୟ ଯେ ଭାରତରେ ଦ୍ରୁତ ବର୍ଦ୍ଧମାନ ମଧୁମେହ ସକାଶେ ସ୍ଥୂଳତଃ ବର୍ତ୍ତମାନର ‘ଜୀବନଶୈଳୀ’କୁ ପ୍ରମୁଖ କାରଣ ବୋଲି ଦର୍ଶା ଯାଇଥାଏ; ଯହିଁରେ ଶାରୀରିକ ଶ୍ରମରହିତ ବା ଶ୍ରମକୁଣ୍ଠ ଜୀବନଯାପନ ଏବଂ ପ୍ରକ୍ରିୟାକୃତ ଖାଦ୍ୟ ତଥା ‘ଫାଷ୍ଟ୍ ଫୁଡ୍’ର ବହୁଳ ଭକ୍ଷଣ ଅନ୍ତର୍ଭୁକ୍ତ। କିନ୍ତୁ ଟିକିଏ ଗହୀରେଇ ଦେଖିଲେ ଏହାକୁ ଭାରତୀୟଙ୍କ ରକ୍ତ ଶର୍କରା ବୃଦ୍ଧି ପଛରେ ଥିବା ବୀଜ କାରଣ ରୂପେ ଦେଖାଯାଇପାରିବ ନାହିଁ; ବରଂ ବୀଜ କାରଣଗୁଡ଼ିକ ହେଉଛନ୍ତି ଇତିହାସର ମୋଡ଼ ବଦଳାଇ ଦେଇଥିବା ଭଳି ତିନିଟି ଯୁଗାନ୍ତକାରୀ ଘଟଣା; ଯାହାର ଉପଜ ବା ପରିଣାମ ହେଉଛି ବର୍ତ୍ତମାନର ଜୀବନ ଶୈଳୀ!
ସେହି ତିନିଟି ବୀଜ କାରଣଗୁଡ଼ିକ ହେଲେ ଯଥାକ୍ରମେ ଶିଳ୍ପ ବିପ୍ଳବ, ଭାରତରେ ହୋଇଥିବା ସବୁଜ ବିପ୍ଳବ ଏବଂ ଜଗତ୍କରଣ। ଏହା ଅବଶ୍ୟ ସତ ଯେ ସ୍ବାଧୀନତା ପରେ ଯାଇ ଭାରତରେ ଶିଳ୍ପ ବିପ୍ଳବର ପ୍ରଭାବ ପଡ଼ିବା ଆରମ୍ଭ ହେଲା, କିନ୍ତୁ ତା’ ପରବର୍ତ୍ତୀ ସାତ ଦଶନ୍ଧି ମଧ୍ୟରେ ଏହା ଭାରତୀୟଙ୍କ ଜୀବନକୁ ସଂପୂର୍ଣ୍ଣ ଆୟତ୍ତାଧୀନ କରିଛି ଏବଂ ଯନ୍ତ୍ରର କାର୍ପଣ୍ୟହୀନ ସହଯୋଗ କ୍ରମେ ଅନ୍ୟ ସମସ୍ତଙ୍କ ଭଳି ଭାରତୀୟମାନେ ଶାରୀରିକ ଶ୍ରମରୁ ନିଷ୍କୃତି ପାଇବା ସହିତ ଅତ୍ୟନ୍ତ ଶ୍ରମକୁଣ୍ଠ ହୋଇ ଉଠିଛନ୍ତି। ଶ୍ରମ ଓ ବ୍ୟାୟାମ ବିହୀନ ଶରୀର ଖାଦ୍ୟ ପାଚନ ପ୍ରକ୍ରିୟାରେ ଏଭଳି ବିଭ୍ରାଟ ଘଟାଇଛି ଯେ ତାହା କ୍ରମେ ରୋଗର ଘରରେ ପରିଣତ ହୋଇଛି, ଯହିଁରୁ ମଧୁମେହ ଅନ୍ୟତମ। କିନ୍ତୁ ପ୍ରଶ୍ନ ଉଠିଥାଏ ଯେ ଭାରତର ବହୁ ପୂର୍ବରୁ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଶିଳ୍ପ ବିପ୍ଳବଜନିତ ‘ଜୀବନଶୈଳୀ ପରିବର୍ତ୍ତନ’ ଦେଇ ଗତି କରି ଆସିଥିଲେ ହେଁ ମଧୁମେହ ଦ୍ବାରା ଭାରତ ତୁଳନାରେ କମ୍ ଆକ୍ରାନ୍ତ ହୋଇଥାନ୍ତି କାହିଁକି?
ଅନେକଙ୍କ ମତରେ ସପ୍ତମ ଦଶକରେ ଭାରତରେ ସଂଘଟିତ ହୋଇଥିବା ‘ସବୁଜ ବିପ୍ଳବ’ ହେତୁ ଧାନ ଓ ଗହମର ପ୍ରଚୁର ଉତ୍ପାଦନ ଘଟିଲା ଏବଂ ଏହି ଶ୍ବେତସାରପ୍ରଧାନ ଖାଦ୍ୟଶସ୍ୟ ଦ୍ବୟ ଭାରତୀୟଙ୍କ ପ୍ରମୁଖ ଆହାରରେ ପରିଣତ ହେଲେ। ଏହା ସହିତ ଭାରତୀୟ ଥାଳିରୁ ଅଧିକ ସ୍ବାସ୍ଥ୍ୟପ୍ରଦ ଯବ, ବାଜରା ଏବଂ ମାଣ୍ଡିଆ ଭଳି ‘ମିଲେଟ୍’ ଜାତୀୟ ଖାଦ୍ୟର ଅପସାରଣ ଘଟିଲା। କହିବାରେ ଦ୍ବିଧା ନାହିଁ ଯେ ଭାରତୀୟଙ୍କ ପାରଂପରିକ ଖାଦ୍ୟରେ ଥିବା ଶ୍ବେତସାରର ପ୍ରାଧାନ୍ୟ ମଧୁମେହ ବୃଦ୍ଧି ପାଇବା ପଛରେ ଏକ ବଡ଼ କାରଣ ରୂପେ ବିଦ୍ୟମାନ। କିନ୍ତୁ ପୂର୍ବୋକ୍ତ ପ୍ରଶ୍ନ ଭଳି ଏଠାରେ ମଧ୍ୟ ପ୍ରଶ୍ନଟିଏ ଉଠିଥାଏ ଯେ ଜାପାନ ବା ଭିଏତ୍ନାମ ଭଳି ଦେଶର ଭାତ ପ୍ରମୁଖ ଆହାର ହୋଇଥିବା ସତ୍ତ୍ବେ ସେଠାରେ ମଧୁମେହର ପ୍ରାଦୁର୍ଭାବ ଊଣା କାହିଁକି?
ଏଥିରେ ଦ୍ବିରୁକ୍ତି ନାହିଁ ଯେ ଜଗତ୍କରଣ ଏବଂ ଅର୍ଥନୈତିକ ଉଦାରୀକରଣ ହେତୁ ‘କେ.ଏଫ୍.ସି. ଓ ‘ମାକଡୋନାଲ୍ଡ୍’ ସର୍ବବ୍ୟାପୀ ହୋଇଛନ୍ତି ଏବଂ ପୃଥିବୀର ତୃଷା ନିବାରଣ ସକାଶେ ଜଳ ତୁଳନାରେ ‘କୋଲା’ ଜାତୀୟ ପାନୀୟକୁ ଅଧିକ ଲୋଡ଼ାଯାଉଛି। ଏହା ସୁବିଦିତ ଯେ ଗଲା ଶତାବ୍ଦୀର ପଞ୍ଚମ ଦଶକରେ ଯୁକ୍ତରାଷ୍ଟ୍ର ଆମେରିକାରେ ବା ଅଷ୍ଟମ ଦଶକରେ ଚୀନରେ ବା ନବମ ଦଶକରେ ଭାରତରେ ‘କେଏଫ୍ସି’ ବା ତା’ର ସମଧର୍ମାମାନେ ଦୋକାନମାନ ଖୋଲିଥିଲେ। ଏବଂ ତା’ ପରେ ମଧୁମେହ ରୋଗାକ୍ରାନ୍ତଙ୍କ ସଂଖ୍ୟାରେ ତୀବ୍ର ବୃଦ୍ଧି ଘଟିଛି। ଆମ ଦେଶରେ କ୍ରମେ ଅଧିକରୁ ଅଧିକ ଆୟ କରୁଥିବା ଜନସାଧାରଣ ଏ ସବୁ କ୍ରୟ କରି ଖାଇବାକୁ ସମର୍ଥ ହୋଇଛନ୍ତି ସତ, କିନ୍ତୁ ଏଭଳି ଖାଦ୍ୟରୁ ନିସୃତ ଅତ୍ୟୁଚ୍ଚ କ୍ୟାଲୋରିକୁ ଦହନ କରିବାକୁ ଅସମର୍ଥ ସେମାନଙ୍କ ଶରୀର କ୍ରମେ ମେଦ-ବହୁଳତା, ଉଚ୍ଚ ରକ୍ତଚାପ ଏବଂ ମଧୁମେହ ଆଦିର ଶିକାର ହେବାରେ ଲାଗିଛି। ଏ ସଂଦର୍ଭରେ ମଧ୍ୟ ପ୍ରଶ୍ନଟିଏ ଉଠିଥାଏ ଯେ ତେବେ ଅନ୍ୟ ଦେଶର ନାଗରିକଙ୍କ ତୁଳନାରେ ଭାରତୀୟମାନେ କାହିଁକି ଅଧିକ ସଂଖ୍ୟାରେ ମଧୁମେହ ଆକ୍ରାନ୍ତ ହେଉଛନ୍ତି?
ଉଲ୍ଳେଖଯୋଗ୍ୟ, ଉପରୋକ୍ତ ତିନିଟି ଯାକ ପ୍ରଶ୍ନର ଉତ୍ତର ପ୍ରଦାନ କରିଛି ‘ଦ ଗାର୍ଡିଆନ୍’ରେ ପ୍ରକାଶିତ ଆଲେଖ୍ୟ। ଏହି ଲେଖା ଅନୁସାରେ ବ୍ରିଟିସ ଶାସନ କାଳରେ ଭାରତରେ ଅନ୍ତତଃ ୨୫ଟି ଭୟାବହ ଦୁର୍ଭିକ୍ଷ ଘଟିଥିଲା, ଯହିଁରେ ୬ କୋଟି ଲୋକ ପ୍ରାଣ ହରାଇଥିଲେ, ଯାହାର କାରଣ ଥିଲା ଅପଶାସନ, ଶୋଷଣ ଏବଂ ଶାସକ ବର୍ଗର ଅପରିଣାମଦର୍ଶିତା। ଦୃଷ୍ଟାନ୍ତ ସ୍ବରୂପ ସ୍ବାଧୀନତା ଲାଭ କରିବାର ମାତ୍ର ଚାରି ବର୍ଷ ପୂର୍ବରୁ ଅର୍ଥାତ୍ ୧୯୪୩ରେ ହୋଇଥିବା ବଙ୍ଗଳା ଦୁର୍ଭିକ୍ଷରେ ପ୍ରାୟ ୩୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ, ଯାହାର କାରଣ ଥିଲା ତତ୍କାଳୀନ ବ୍ରିଟିସ ପ୍ରଧାନମନ୍ତ୍ରୀ ୱିନଷ୍ଟନ ଚର୍ଚ୍ଚିଲଙ୍କ ଆଦେଶରେ ଭାରତରେ ଉତ୍ପାଦିତ ଖାଦ୍ୟଶସ୍ୟକୁ ଦ୍ବିତୀୟ ବିଶ୍ବଯୁଦ୍ଧରେ ଲଢୁଥିବା ଇଂଲାଣ୍ଡକୁ ପ୍ରେରଣ କରାଯିବା। ‘ଦ ଗାର୍ଡିଆନ୍’ରେ ପ୍ରକାଶିତ ଏକ ‘ଏପିଜେନେଟିକ୍ସ’ ଗବେଷଣାର ନିଷ୍କର୍ଷ କହିଥାଏ ଯେ ବାରମ୍ବାର ଦୁର୍ଭିକ୍ଷ କାରଣରୁ ଭାରତୀୟମାନଙ୍କ ଶରୀର ବୁଭୁକ୍ଷା ସହିତ ଖାପ ଖୁଆଇବା ଲାଗି ପ୍ରକୃତି ଦ୍ବାରା ପ୍ରସ୍ତୁତ ହୋଇଯାଇଥିଲା, ଯହିଁରେ ଭାରତୀୟମାନଙ୍କ ଶରୀରରେ ‘ଇନସୁଲିନ’ କ୍ଷରଣର ମାତ୍ରାରେ ହ୍ରାସ ଘଟିଥିଲା। ଏଠାରେ ଜାଣି ରଖିବା ଉଚିତ ଯେ ଇନସୁଲିନ ରକ୍ତ ଶର୍କରାର ପରିମାଣକୁ ନିୟନ୍ତ୍ରଣ କରିଥାଏ। ଯଦି ଇନସୁଲିନ କ୍ଷରଣରେ ହ୍ରାସ ନ ଘଟନ୍ତା, ତେବେ ଅନାହାରକ୍ଳିଷ୍ଟ ବ୍ୟକ୍ତିର ରକ୍ତରେ ଥିବା ଶର୍କରା ସ୍ତରରେ ତୀବ୍ର ସ୍ଖଳନ ଘଟି ଉତ୍କଟ ‘ହାଇପୋଗ୍ଲାସେମିଆ’ ସୃଷ୍ଟି କରନ୍ତା ଯାହା ଅବଲୀଳା କ୍ରମେ ତା’ର ମୃତ୍ୟୁର କାରଣ ହୁଅନ୍ତା। ଅତଏବ, ଦୁର୍ଭିକ୍ଷ କାଳରେ ଯଥାସମ୍ଭବ ବଞ୍ଚାଇ ରଖିବା ଲାଗି ପ୍ରକୃତିର ଏହି ପ୍ରଚେଷ୍ଟା ଯେଉଁ ଜିନଗତ ପରିବର୍ତ୍ତନ ଘଟାଇଛି, ସେଥିରେ ଭାରତୀୟମାନଙ୍କ ଅଗ୍ନାଶୟରୁ କମ୍ ଇନସୁଲିନ କ୍ଷରିତ ହୁଏ; ସୁତରାଂ, ସେମାନେ ଅଧିକ ସଂଖ୍ୟାରେ ମଧୁମେହର ଶରବ୍ୟ ହୋଇଥାନ୍ତି। ଉଲ୍ଲେଖଯୋଗ୍ୟ ଯେ ଏହି ଜିନ୍ଗତ ପରିବର୍ତ୍ତନ ଉତ୍ତରାଧିକାର ସୂତ୍ରରେ ପିଢ଼ି ପରେ ପିଢ଼ି ଗଡ଼ି ଚାଲିଛି।
ପ୍ରକାଶ ଥାଉ କି ଏକଜିଦିଆ, ଅହଂକାରୀ ଏବଂ ପୂର୍ବାଗ୍ରହ ଜର୍ଜର ଚର୍ଚ୍ଚିଲ ସେହି ସମୟରେ ତାଙ୍କ ନିଷ୍ପତ୍ତିର ତ୍ରୁଟିକୁ ସ୍ବୀକାର ନ କରି ଅତ୍ୟନ୍ତ ସଂବେଦନଶୂନ୍ୟତାର ସହିତ ଦୁର୍ଭିକ୍ଷର କାରଣକୁ ତାଙ୍କ ଭାଷାରେ ‘ଠେକୁଆ ଭଳି ବଂଶ ବିସ୍ତାର’ କରୁଥିବା ଭାରତୀୟଙ୍କ ଉପେର ଲଦି ଦେଇଥିଲେ। ତେଣୁ କହିଲେ ଅତ୍ୟୁକ୍ତି ହେବନାହିଁ ଯେ ଭାରତୀୟମାନଙ୍କ ରକ୍ତ ଶର୍କରା ବୃଦ୍ଧିର ବୀଜ କାରଣ ରୂପେ ଔପନିବେଶିକ ଶାସନ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ‘ଦ ଗାର୍ଡିଆନ’ ଏବେ ଚର୍ଚ୍ଚିଲ ବା ତାଙ୍କ ସମଧର୍ମାମାନଙ୍କ ଅପକର୍ମ ଲାଗି ପଶ୍ଚାତ୍ତାପ କରିଛି।
ରକ୍ତ ଶର୍କରାର ବୀଜ
/sambad/media/post_attachments/wp-content/uploads/2023/05/sampadakiya.jpg)