ଭିକାରି କିଏ? ଯିଏ ଅନୁନୟ ବିନୟ ସହିତ ପ୍ରାର୍ଥନା କରି କିଛି ମାଗୁଛି ସିଏ ହେଉଛି ଭିକାରି। ଯଦି ଭିକାରିର ଅର୍ଥ ଏହା ହୁଏ ତେବେ ସହରର ପ୍ରତ୍ୟେକ ମନ୍ଦିରର ଉଭୟ ବାହାରେ ଓ ଭିତରେ ହଜାର ହଜାର ସଂଖ୍ୟାରେ ଭିକାରିମାନେ ହାଉଯାଉ ହେଉଛନ୍ତି। ଜଣେ ଭିକାରି ଚିରା ଲୁଗାପଟା ପିନ୍ଧି ମନ୍ଦିର ବାହାରେ ଖାଲି ଥାଳିଟିଏ ଧରି ମଣିଷମାନଙ୍କୁ ଟଙ୍କେ ଦୁଇଟଙ୍କା ଭିକ ମାଗୁଛି ତ ଆଉ ଜଣେ ଭିକାରି ଦାମୀ ସାର୍ଟ ପ୍ୟାଣ୍ଟ ପିନ୍ଧି ମନ୍ଦିର ଭିତରେ ଭଗବାନଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଭିକ ମାଗୁଛି। ଦୁହେଁ ଯାଚକ। ଜଣେ ଭଗବାନଙ୍କୁ ସିଧାସଳଖ ଯାଚନା କରୁଛି; ଆଉ ଜଣେ ଭଗବାନଙ୍କର ନାଁ ନେଇ ମଣିଷକୁ ଯାଚନା କରୁଛି।
ଏହା ଅର୍ଥ କ’ଣ ଦୁହେଁ ସମାନ ଓ ଦୁହିଁଙ୍କୁ ମନ୍ଦିର ପରିସରରୁ ବିତାଡ଼ିତ କରିଦେବା? ଏହାର ଉତ୍ତର ହେଉଛି ‘ନାହିଁ’ କାରଣ ମନ୍ଦିର ଭିତରେ ଯିଏ ଭିକ ମାଗୁଛି ସିଏ ପରିଷ୍କାର ପରିଚ୍ଛନ୍ନ ପୋଷାକରେ ଆଚ୍ଛାଦିତ ଏବଂ ଭିକ୍ଷା ତାହାର ଏକ ବୃତ୍ତି ନୁହେଁ, କିନ୍ତୁ ମନ୍ଦିର ବାହାରେ ଯିଏ ଭିକ ମାଗୁଛି ସିଏ ଚିରାଛିଣ୍ଡା ପୋଷାକରେ ଆବୃତ ଏବଂ ଭିକ୍ଷାକୁ ସିଏ ତାହାର ଏକମାତ୍ର ବୃତ୍ତି ହିସାବରେ ଆବୋରି ନେଇଛି। ଯଦି ମନ୍ଦିର ଭିତର ଭିକାରିମାନଙ୍କ ପ୍ରତି ଆମର କୌଣସି ବିରୋଧାଚରଣ ନାହିଁ ତେବେ ମନ୍ଦିର ବାହାରେ ଯେଉଁମାନେ ବସିଛନ୍ତି ତାଙ୍କୁ ଅଯଥା ବିରୋଧ ନ କରି ମନ୍ଦିର ଭିତର ଭିକାରିମାନଙ୍କ ସଦୃଶ କରେଇ ଦିଆଯାଉ ନାହିଁ କାହିଁକି? ତା’ ନ କରି ଆପଣମାନେ ଯଦି ସେମାନଙ୍କୁ ଆଜି ଛିଛାକର କରି ପୁଲିସ ଲଗେଇ ଘଉଡ଼େଇ ଦେବେ କିମ୍ବା ଧରପଗଡ଼ କରି ବାନ୍ଧିବୁନ୍ଧିକି ନେଇ ବାହାରେ କେଉଁଠି ଛାଡ଼ି ଦେବେ ତେବେ କାଲିକି ସେମାନେ ଯିବେ କୁଆଡ଼େ? ମାସେ ଦୁଇ ମାସ ପରେ ପୁଣି ଆସି ସେଇଠି ଭିଡ଼ ଜମେଇବେ ନାହିଁ କି?
ଆମ ଭାରତବର୍ଷକୁ ଯେତେବେଳେ ବିଦେଶରୁ କୌଣସି ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ ଆସିଥାନ୍ତି ସେତେବେଳେ ଏମାନଙ୍କୁ ରାସ୍ତାଘାଟରୁ ହଟେଇ ଦିଆଯାଇଥାଏ ଓ ଏମାନଙ୍କର ରହୁଥିବା ଝୁମ୍ପୁଡ଼ିଗୁଡ଼ିକୁ ରଙ୍ଗୀନ ପ୍ଲାଷ୍ଟିକ ଚଦର ଦ୍ୱାରା ଘୋଡ଼େଇ ଦିଆଯାଇଥାଏ। ଏ କଥା ମଧ୍ୟ ସତ ଯେ ରାଜ୍ୟମାନଙ୍କରେ ଯେତେବେଳେ କୌଣସି ଆର୍ନ୍ତଜାତିକ ସମ୍ମିଳନୀ କିିମ୍ବା ଖେଳକୁଦର ଆୟୋଜନ ହୋଇଥାଏ ସେତେବେଳେ ଏମାନଙ୍କୁ ଉଠେଇ ନେଇ ସହର ବାହାରର କେତୋଟି ନିର୍ଦ୍ଦିଷ୍ଟ ସ୍ଥାନରେ ରଖାଯାଇଥାଏ ଏବଂ କିଛି ଦିନ ଭାତ ଡାଲମା ମାଗଣାରେ ଖାଇବାକୁ ଦେଇ ପରେ ଛାଡ଼ି ଦିଆଯାଇଥାଏ। ଆନ୍ତର୍ଜାତିକ ଆୟୋଜନ ଶେଷ ହେବା ପରେ ଓ ଅତିଥିବୃନ୍ଦ ଫେରିଯିବା ପରେ ସହରର ଅବସ୍ଥା ଯଥା ପୂର୍ବମ୍ ତଥା ପରମ୍। ଏମିତି ଆଜ୍ଞା କେତେ ଦିନ ଚାଲିବ? ଆମ ଘରକୁ ଯେଉଁଦିନ କୁଣିଆ ମଇତ୍ର ଆସିବେ ସେଦିନ ଘରର ଯେତେ ଅଳିଆ ଆବର୍ଜନା ଅଛି ତାକୁ ଆମେ ସଫା କରି ଘରକୁ ଚକାଚକ୍ କରିବା ନା କୁଣିଆ ମଇତ୍ର ରହିଲା ପର୍ଯ୍ୟନ୍ତ ସେଗୁଡ଼ାକୁ କାର୍ପେଟ୍ ତଳେ ନ ଦିଶିଲା ପରି ଲୁଚେଇଦେବା?
ପ୍ରଶ୍ନ ଉଠେ ଏତେ ଅଳିଆ ସୃଷ୍ଟି କରୁଛି କିଏ। ଉଭୟ ଜନସାଧାରଣ ଓ ସରକାର ଏଥିପାଇଁ ଦାୟୀ। ଜନସାଧାରଣ ଯଦି ଧର୍ମ ଟିକିଏ ହାସଲ କରିବା ପାଇଁ ରାସ୍ତାରେ ଘାଟରେ ଅସହାୟ ଗରିବଟିଏକୁ ଟଙ୍କେ କି ଦି ଟଙ୍କା ଦେଇ ଆତ୍ମ ସନ୍ତୁଷ୍ଟି ଲାଭ କରୁଛି, ସରକାର ମଧ୍ୟ ଭୋଟ ଖଣ୍ଡିଏ ହାସଲ କରିବା ପାଇଁ ମାଗଣାରେ ଲୋକମାନଙ୍କୁ କୋଟି କୋଟି ଟଙ୍କା ନଗଦ ଓ ଜିନିଷ ଆକାରରେ ବାଣ୍ଟି କ୍ଷମତା ହାସଲ କରୁଛନ୍ତି। ଉଦାହରଣ ସ୍ୱରୂପ ବର୍ତ୍ତମାନ ଭାରତବର୍ଷର ପାଞ୍ଚଟି ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥି ନିମନ୍ତେ ପ୍ରାୟ ସମସ୍ତ ରାଜନୈତିକ ଦଳର ନିର୍ବାଚନ ଇସ୍ତାହାରରେ ମାଗଣା ବିଜୁଳି, ମାଗଣା ପାଣି, ମାଗଣା ସୁନା, ମାଗଣା ମଙ୍ଗଳ ସୂତ୍ର, ମାଗଣା ଶାଢ଼ୀ, ମାଗଣା ସାଇକଲ, ମାଗଣା ଲ୍ୟାପଟପ, ମୋବାଇଲ, ଛତା, ଜୋତା, କମ୍ବଳଠୁ ନେଇ ସିଧାସଳଖ ହଜାର ହଜାର ନଗଦ ଟଙ୍କା ମଧ୍ୟ ଯୋଗେଇ ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି। ଏହି ମାଗଣା ବଣ୍ଟନ ଦେଶରେ କୋଟି କୋଟି ସଂଖ୍ୟାର ଅଦୃଶ୍ୟ ଭିକାରି ସୃଷ୍ଟି କରିବ ନାହିଁ କି?
ବନ୍ଧୁଗଣ, ଭିକ୍ଷା ହେଉଛି ଏକ ମନୋବୃତ୍ତି। ଏହି ମନୋବୃତ୍ତିକୁ ଯେ ପର୍ଯ୍ୟନ୍ତ ଆପଣ ଉତ୍ସାହିତ କରିବେ ସେ ପର୍ଯ୍ୟନ୍ତ ଭିକାରିଙ୍କ ସଂଖ୍ୟା ବଢ଼ିବ ସିନା, କମିବ ନାହିଁ। ଥରେ ଟ୍ରେନରେ ଜଣେ ସେଠ ଯାତ୍ରା କରୁଥିଲେ। ଭିକାରିଟିଏ ତାଙ୍କୁ ଭିକ ମାଗିଲା। ସେଠ କହିଲେ, “ମୁଁ ଜଣେ ବ୍ୟବସାୟୀ, ମୁଁ ମାଗଣା କାହାକୁ କିଛି ଦିଏ ନାହିଁ। ମୁଁ ଯଦି ତୋତେ କିଛି ଦିଏ ତୁ ମୋତେ ପ୍ରତିବଦଳରେ କ’ଣ ଦେବୁ?” ଭିକାରି କହିଲା, “ଆଜ୍ଞା, ମୁଁ ଆପଣଙ୍କ ମଙ୍ଗଳକାମନା କରି ଭଗବାନଙ୍କୁ ପ୍ରାର୍ଥନା କରିବି।” ସେଠ କହିଲେ, “ତୁ ଯେଉଁ ଭଗବାନଙ୍କୁ ମୋ ପାଇଁ ପ୍ରାର୍ଥନା କରିବୁ ମୁଁ ତାଙ୍କୁ ସିଧାସଳଖ ପ୍ରାର୍ଥନା କରିପାରିବି ନାହିଁ କି?”
ଭିକାରିଟି ନିରାଶ ହୋଇ ଚାଲିଗଲା। ମନ ଭିତରେ କଥାଟି କିନ୍ତୁ ଛୁଇଁଥିଲା। ତା’ ବାସିଦିନ କୁଡ଼ିଆରୁ ବାହାରିଲା ବେଳେ ଦେଖିଲା ରାସ୍ତା କଡ଼ରେ ଦୁଇଚାରିଟା ଗେଣ୍ଡୁ ଫୁଲ ଫୁଟିଛି। ତାକୁ ତୋଳିନେଇ ତା’ ଝୁଲା ବ୍ୟାଗ ଭିତରେ ରଖିଲା ଆଉ ଟ୍ରେନରେ ଯାଇ ସେଠକୁ ଦେଇଦେଲା। ସେଠ ଫୁଲଟିକୁ ନେଇ କହିଲେ, “ଠିକ୍ ଅଛି, ଫୁଲଟିଏ ପାଇଲି କିନ୍ତୁ ଏଇଟି ଖାଲି ଦେଖିବାକୁ ରଙ୍ଗୀନ, ଏହାର ବାସ୍ନା ନାହିଁ ତେଣୁ ପାଞ୍ଚଟି ଟଙ୍କା ରଖ।” ତା’ ପର ଦିନ ଭିକାରିଟି ମଲ୍ଲୀ ଫୁଲଟିଏ ଦେଲା। ସେଠ କହିଲେ, “ଏହାର ବାସ୍ନା ଅଛି କିନ୍ତୁ ଦେଖିବାକୁ ରଙ୍ଗୀନ ନୁହେଁ ତେଣୁ ଦଶଟି ଟଙ୍କା ରଖ।” ତା’ ବାସିଦିନ ଭିକାରି ଗୋଲାପ ଫୁଲଟିଏ ଦେଲା। ସେଠ କହିଲେ, “ଏବେ ତୁ ଠିକ୍ ଜାଣିପାରିଲୁ। ଏଇଟି ଦେଖିବାକୁ ରଙ୍ଗୀନ ଓ ଏହାର ବାସ୍ନା ବି ସୁଗନ୍ଧିତ।” ତାକୁ ଖୁସିରେ ଶହେଟି ଟଙ୍କା ଧରେଇଦେଲେ।
ଭିକାରିଟିଏ ଏହା ଭିତରେ ବ୍ୟବସାୟର କଳା ଶିଖି ଯାଇଥିଲା। ଶହେ ଟଙ୍କାରେ ଦଶଟି ଗୋଲାପ ଫୁଲ ଚାରା ଓ ଦଶରୁ ଶହେ ଏହିପରି ଗୋଲାପ ଫୁଲ ବଗିଚାଟିଏ କରି ବଜାରରେ ବିକିବାକୁ ଲାଗିଲା। ଶେଷକୁ ଷ୍ଟେସନରେ ଗୋଲାପ ଫୁଲ ଦୋକାନଟିଏ କରି ସେଠକୁ ଉଦ୍ଘାଟନ କରିବାକୁ ନିମନ୍ତ୍ରଣ କଲା। ବନ୍ଧୁଗଣ, ଏହି କଥାଟି ଆପଣମାନଙ୍କୁ ଅବିଶ୍ୱସନୀୟ ଲାଗିପାରେ କିନ୍ତୁ ଅସମ୍ଭବ ନୁହେଁ।
ମୋ: ୯୪୩୭୦୬୭୫୬୭
ସତ କହୁଛି: ଭିକାରି ମୁକ୍ତ ସହର
ଶ୍ୟାମସୁନ୍ଦର ଅଗ୍ରୱାଲା
/sambad/media/post_attachments/wp-content/uploads/2023/10/fshsffshfhffh.jpg)