ଗଲା ଗୁରୁବାର ଦିନ ‘ବ୍ରିଟିସ ମେଡିକାଲ ଜର୍ନାଲ୍’ (ବି.ଏମ୍.ଜେ.)ରେ ଗୋଟିଏ ଅନୁଧ୍ୟାନମୂଳକ ଆଲେଖ୍ୟ ପ୍ରକାଶିତ ହୋଇ ପ୍ରଦୂଷିତ ବାୟୁମଣ୍ଡଳରେ ଜୀବନ କାଟିବାକୁ ବାଧ୍ୟ ହେଉଥିବା ସହରୀ ଭାରତୀୟମାନଙ୍କ ସକାଶେ ନୂତନ ଚିନ୍ତା ସୃଷ୍ଟି କରିଛି। କାରଣ, ଏନ୍.ସି.ଆର୍. ଦିଲ୍ଲୀ ଏବଂ ଚେନ୍ନାଇ ଭଳି ଦୁଇ ଭାରତୀୟ ମହାନଗରର ବାସିନ୍ଦାମାନଙ୍କୁ ନେଇ ଅତ୍ୟନ୍ତ ଯତ୍ନ ସହକାରେ କରାଯାଇଥିବା ସୁଦୀର୍ଘ ଅନୁଧ୍ୟାନ ଆଧାରରେ ଲିଖିତ ଆଲେଖ୍ୟଟି ପ୍ରାଂଜଳ କରିଛି ଯେ ବାୟୁ ପ୍ରଦୂଷଣ ଏବଂ ‘ଟାଇପ୍-୨’ ମଧୁମେହ ଭୋଗିବାର ସମ୍ଭାବନା ମଧ୍ୟରେ ଏକ ସିଧା ସଂପର୍କ ରହିଛି। ଏହା ସହିତ ପ୍ରଦୂଷିତ ବାୟୁମଣ୍ଡଳ କାରଣରୁ ସୃଷ୍ଟ ମାରାତ୍ମକ ରୋଗଗୁଡ଼ିକର ତାଲିକାରେ ଆଉ ଗୋଟିଏ ଯୋଡ଼ି ହୋଇଯାଇଛି। ପୁଣି ଏହି ତଥ୍ୟ ସେତିକି ବେଳେ ଆସିଛି, ଯେତେବେଳେ ଦିଲ୍ଲୀ, ଆଦ୍ୟ ନଭେମ୍ବରରେ ମଧ୍ୟ, ତା’ ଇତିହାସରେ ସର୍ବାଧିକ ବାୟୁ ପ୍ରଦୂଷଣ ଦ୍ବାରା ଶ୍ବାସରୁଦ୍ଧ ହେବା ଉପରେ ଏବଂ ଆଗାମୀ ସପ୍ତାହରେ, ଦୀପାବଳି ପାଳନ ପରେ, ପ୍ରଦୂଷଣର ସ୍ଥିତି କିଭଳି ସ୍ତରରେ ପହଞ୍ଚିବ, ସେ ନେଇ ଅତ୍ୟନ୍ତ ଶଙ୍କାଗ୍ରସ୍ତ!
ଉଲ୍ଲେଖଯୋଗ୍ୟ ଯେ ‘ବି.ଏମ୍.ଜେ.’ର ଆଲେଖ୍ୟରେ ଭିିତ୍ତି-ପାଠ ରୂପେ ବ୍ୟବହୃତ ଅନୁଧ୍ୟାନକୁ ଏହି ଦିଗରେ ହୋଇଥିବା ପ୍ରଥମ ଉଦ୍ୟମ ବୋଲି ଅଭିହିତ କରାଯାଉଛି, ଯେଉଁ ପ୍ରକରଣରେ ଯୁକ୍ତରାଷ୍ଟ୍ର ଆମେରିକାର ହାର୍ଭାର୍ଡ ବିଶ୍ବବିଦ୍ୟାଳୟ, ‘ପବ୍ଲିକ୍ ହେଲ୍ଥ ଫାଉଣ୍ଡେସନ ଅଫ ଇଣ୍ଡିଆ’ ଏବଂ ଦିଲ୍ଲୀସ୍ଥିତ ସର୍ବଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ ବା ‘ଏମ୍ସ’ର ଗବେଷକମାନେ ଦିଲ୍ଲୀ ଏବଂ ଚେନ୍ନାଇର ୧୨,୧୦୬ ଜଣ ବ୍ୟକ୍ତିଙ୍କ ଉପରେ ଦୀର୍ଘ ସାତ ବର୍ଷ କାଳ (୨୦୧୦ ମସିହାରୁ ୨୦୧୭ ମସିହା) ନିଘଞ୍ଚ ଦୃଷ୍ଟି ରଖିବା ସହିତ ପରୀକ୍ଷାନିରୀକ୍ଷା ଚଳାଇଥିଲେ। ଅନୁଧ୍ୟାନର ଅନ୍ତର୍ଭୁକ୍ତ ବ୍ୟକ୍ତିମାନେ ବାସ କରୁଥିବା ଅଞ୍ଚଳର ବାୟୁ ପ୍ରଦୂଷଣର ସ୍ତରକୁ ଉପଗ୍ରହ ସାହାଯ୍ୟରେ ନିର୍ଦ୍ଧାରଣ କରାଯାଇ ସେହି ଅନୁସାରେ ସେମାନଙ୍କ ବର୍ଗୀକରଣ କରାଯାଇଥିଲା। ଏହି ଅନୁଧ୍ୟାନରୁ ବାୟୁ ପ୍ରଦୂଷଣ ଯେ ମଧୁମେହର ଏକ ବଡ଼ କାରଣ ହୋଇପାରେ, ତାହା ସ୍ପଷ୍ଟ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ମୂଷାମାନଙ୍କ ଉପରେ କରାଯାଇଥିବା ଏକ ସମତୁଲ ଅନୁଧ୍ୟାନରୁ ଏ ନେଇ ଆଭାସ ମିଳି ସାରିଥିଲା। ସେହି ପରୀକ୍ଷଣରେ ତିନିଟି ଦଳରେ ବିଭକ୍ତ ମୂଷାଗୁଡ଼ିକ ମଧ୍ୟରୁ ଦୁଇଟି ଦଳକୁ ଯଥାକ୍ରମେ ପରିଷ୍କାର ଏବଂ ପ୍ରଦୂଷିତ ବାୟୁମଣ୍ଡଳ ମଧ୍ୟରେ ରଖାଯାଇଥିବା ବେଳେ ତୃତୀୟ ଦଳକୁ ପରିଷ୍କୃତ ବାୟୁମଣ୍ଡଳରେ ଉଚ୍ଚ ଚର୍ବିଯୁକ୍ତ ଅସ୍ବାସ୍ଥ୍ୟକର ଖାଦ୍ୟ ଦେଇ ଚବିଶ ସପ୍ତାହ ପର୍ଯ୍ୟନ୍ତ ରଖାଯାଇଥିଲା। ପରୀକ୍ଷଣ ଶେଷରେ ଜଣାପଡ଼ିଥିଲା ଯେ ପ୍ରଦୂଷିତ ବାୟୁମଣ୍ଡଳରେ ରହିଥିବା ମୂଷାଗୁଡ଼ିକ ଅସ୍ବାସ୍ଥ୍ୟକର ଖାଦ୍ୟ ଖାଇଥିବା ମୂଷାମାନଙ୍କ ଭଳି ଉପସର୍ଗ ପ୍ରଦର୍ଶନ କରିଥିଲେ ଏବଂ ଏହି ଦୁଇ ଦଳର ମୂଷାଙ୍କ ଶରୀରରେ ‘ମେଟାବୋଲିକ୍ ଡିସ୍ଅର୍ଡର’ ବା ‘ପାଚନଗତ ବିଭ୍ରାଟ’ ପରିଦୃଷ୍ଟ ହୋଇଥିଲା, ଯାହା ‘ଟାଇପ୍-୨’ ମଧୁମେହ ଭଳି ରୋଗର ଉତ୍ପତ୍ତିର କାରଣ ହୋଇଥାଏ। ତେବେ ଉପରୋକ୍ତ ‘ମୂଷା ମଡେଲ’ ପରୀକ୍ଷଣରୁ ଆଶ୍ବସ୍ତ କଲା ଭଳି ଯେଉଁ ଏକ ବିଷୟ ଉଦ୍ଘାଟିତ ହୋଇଥିଲା, ତାହା ହେଲା ପରିଷ୍କୃତ ବାୟୁମଣ୍ଡଳରେ ରହିବାର ସୁଯୋଗ ପାଇ ଅସୁସ୍ଥ ମୂଷାଗୁଡ଼ିକ ପୁନର୍ବାର ସୁସ୍ଥ ହୋଇ ଉଠିଥିଲେ। ସୁତରାଂ, ଆଶା ସଂଚାର ହୋଇଥାଏ ଯେ ବାୟୁ ପ୍ରଦୂଷଣ କାରଣରୁ ମନୁଷ୍ୟ ଠାରେ ସୃଷ୍ଟି ହେଉଥିବା ‘ଟାଇପ୍-୨’ ମଧୁମେହ ପରିବର୍ତ୍ତିତ ପରିବେଶରେ ଦୂରୀଭୂତ ହୋଇଯାଇପାରେ।
ତେବେ ଏହି ପରିପ୍ରେକ୍ଷୀରେ ଉଠୁଥିବା ମୂଳ ପ୍ରଶ୍ନଟି ହେଲା ବାୟୁ ପ୍ରଦୂଷଣ ‘ଟାଇପ୍-୨ ମଧୁମେହର କାରଣ ହୁଏ କାହିଁକି? ଏହାର କାରଣ ହେଲା, ବାୟୁମଣ୍ଡଳରେ ଭାସି ବୁଲୁଥିବା ଅତ୍ୟନ୍ତ ସୂକ୍ଷ୍ମ ‘ପାର୍ଟିକୁଲେଟ ମ୍ୟାଟର’ ବା ‘ପି.ଏମ୍.୨.୫’ କଣିକା (ଗୋଟିଏ କେଶର ୩୦ ଭାଗରୁ ଏକ ଭାଗ ଠାରୁ ମଧ୍ୟ କମ୍) ପ୍ରଶ୍ବାସରେ ଶରୀର ମଧ୍ୟକୁ ପ୍ରବେଶ କରି ଅବଲୀଳା କ୍ରମେ ରକ୍ତ ସ୍ରୋତରେ ମଧ୍ୟ ପ୍ରବାହିତ ହେବାକୁ ଲାଗେ ଏବଂ ସେହି କ୍ରମରେ ଏହି କ୍ଷୁଦ୍ରାତିକ୍ଷୁଦ୍ର କଣିକା ଫୁସ୍ଫୁସ୍, ହୃତ୍ପିଣ୍ଡ, ବୃକ୍କ, ଅଗ୍ନାଶୟ, ଯକୃତ ତଥା ହରମୋନ କ୍ଷରଣକାରୀ ଗ୍ରନ୍ଥିରେ ପହଞ୍ଚି ବିଭ୍ରାଟମାନ ସୃଷ୍ଟି କରିଥାଏ, ଯାହାର ପରିଣାମ ଅନେକ ସାଂଘାତିକ ରୋଗର ସୃଷ୍ଟି, ଯହିଁରୁ ‘ଟାଇପ୍-୨’ ମଧୁମେହ ଗୋଟିଏ। ପ୍ରକାଶ ଥାଉ କି ସଂପ୍ରତି ମଧୁମେହ ଦ୍ବାରା ଆକ୍ରାନ୍ତ ଭାରତୀୟଙ୍କ ସଂଖ୍ୟା ୧୦ କୋଟିରୁ ଅଧିକ ଏବଂ ୧୩.୬ କୋଟି ଭାରତୀୟ ପ୍ରାକ୍-ମଧୁମେହ ପର୍ଯ୍ୟାୟରେ ଉପନୀତ। କେବଳ ସେତିକି ନୁହେଁ, ଭାରତୀୟଙ୍କ ମଧ୍ୟରେ ମଧୁମେହ ରୋଗୀଙ୍କ ସଂଖ୍ୟା ବୃଦ୍ଧିର ହାର ହେଉଛି ପ୍ରାୟ ୧୦ ପ୍ରତିଶତ। ଅବଶ୍ୟ, ପ୍ରଥମେ ଏକ ଧାରଣା ସୃଷ୍ଟି ହୋଇଥିଲା ଯେ ଭାରତରେ ଏହାର ଭୀଷଣତାର ଏକମାତ୍ର କାରଣ ହେଉଛି ଜୀବନଶୈଳୀଗତ ବିଭ୍ରାଟ, ଯହିଁରେ ଚର୍ବିଯୁକ୍ତ ଏବଂ ଶର୍କରା-ପ୍ରଧାନ ଅସ୍ବାସ୍ଥ୍ୟକର ଖାଦ୍ୟ ଓ ପାନୀୟ ପ୍ରତି ତୀବ୍ର ଓ ଅହେତୁକ ଆକର୍ଷଣ ସହିତ ଶାରୀରିକ ଶ୍ରମ ପ୍ରତି କୁଣ୍ଠା ଉପରେ ସବୁ ଦୋଷ ଲଦି ଦିଆଯାଇଥାଏ। କିନ୍ତୁ, ନିକଟରେ ଇଂଲାଣ୍ଡର ପ୍ରମୁଖ ସମ୍ବାଦପତ୍ର ‘ଦ ଗାର୍ଡିଆନ୍’ରେ ପ୍ରକାଶିତ ‘ଏପିଜେନେଟିକ୍’ ଗବେଷଣା ପ୍ରସୂତ ରିପୋର୍ଟ କହିଛି ଯେ ଏଥିରେ ଆଉ ଏକ ବଡ଼ ଦେଷୀ ହେଉଛି ଭାରତର ଔପନିବେଶିକ ଅତୀତ; କାରଣ ସମ୍ବେଦନଶୂନ୍ୟ ବ୍ରିଟିସ ଶାସନ କାଳରେ ଭାରତ ଦେଖିଥିଲା ୨୫ଟି ଭୟାବହ ଦୁର୍ଭିକ୍ଷ, ଯହିଁରେ ୬ କୋଟି ବୁଭୁକ୍ଷା ପ୍ରପୀଡ଼ିତ ଭାରତୀୟ ପ୍ରାଣ ହରାଇଥିଲେ ଏବଂ ତା’ ସହିତ ନିରନ୍ତର ଅନାହାର ତଥା ଅର୍ଧାହାରରେ ବଞ୍ଚି ରହିବାର ଦୁର୍ଭାଗ୍ୟ। ସୁତରାଂ, କ୍ଷୁଧା ସହିତ ଶରୀରକୁ ଖାପ ଖୁଆଇବା ଲାଗି ଶରୀରରେ ଯେଉଁ ପ୍ରାକୃତିିକ ଜିନ୍ଗତ ପରିବର୍ତ୍ତନ ଘଟିଲା, ତଦ୍ଦ୍ବାରା ଭାରତୀୟଙ୍କ ଶରୀରରେ ଅପେକ୍ଷାକୃତ କମ୍ ଇନସୁଲିନ କ୍ଷରିତ ହେବା ସହିତ ଜୀବକୋଷଗୁଡ଼ିକ ଅଧିକ ଇନସୁଲିନ ପ୍ରତିରୋଧୀ ହୋଇ ଉଠିଲେ। ତେଣୁ ଆହାର-ବିହାରରେ ସାମନ୍ୟ ମାତ୍ରାଧିକତା ଭାରତୀୟମାନଙ୍କ ଠାରେ ‘ଟାଇପ୍-୨’ ମଧୁମେହ ସୃଷ୍ଟି କରୁଛି। ଏବଂ ବର୍ତ୍ତମାନର ଏହି ନୂଆ ଅନୁଧ୍ୟାନ ପ୍ରସୂତ ନିଷ୍କର୍ଷ ଆଉ ଗୋଟିଏ ଦୋଷୀକୁ ଠାବ କଲାଣି, ଯାହା ହେଉଛି ପ୍ରଦୂଷିତ ବାୟୁମଣ୍ଡଳ!
ସଦ୍ୟତମ ସୂଚନା ଅନୁସାରେ ଏନ୍.ସି.ଆର. ଦିଲ୍ଲୀରେ ‘ଏୟାର କ୍ବାଲିଟି ଇନ୍ଡେକ୍ସ’ ବା ‘ଏ.କ୍ୟୁ.ଆଇ.’ (ବାୟୁର ଗୁଣମାନ ସୂଚକାଙ୍କ) ହେଉଛି ହାରାହାରି ୪୦୨, ଯାହା ଅତ୍ୟନ୍ତ ବିପଜ୍ଜନକ। ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ ଦ୍ବାରା ନିର୍ଦ୍ଧାରିତ ନିରାପଦ ‘ଏ.କ୍ୟୁ.ଆଇ.’ ୫୦ (ବା ତହିଁରୁ କମ୍) ଠାରୁ ଏହା ଆଠ ଗୁଣ ଅଧିକ। କିନ୍ତୁ ଦିଲ୍ଲୀ ଠାରେ କଥା ସରୁନାହିଁ। ‘ୱର୍ଲଡ ଏୟାର କ୍ବାଲିଟି ରିପୋର୍ଟ’ ଅନୁସାରେ ପୃଥିବୀର ସର୍ବାଧିକ ପ୍ରଦୂଷିତ ୨୦ଟି ସହର ମଧ୍ୟରୁ ୧୪ଟି ଭାରତରେ ଅବସ୍ଥିତ ଏବଂ ଅନେକ କ୍ଷୁଦ୍ର ଭାରତୀୟ ସହରର ବାୟୁମଣ୍ଡଳ ଅଧିକରୁ ଅଧିକ ବିଷାକ୍ତ ହେବାରେ ଲାଗିଛନ୍ତି। ସଦ୍ୟତମ ସମ୍ବାଦ ଅନୁସାରେ ସାଂଘାତିକ ବାୟୁ ପ୍ରଦୂଷଣ କାରଣରୁ ଗଲା ଗୁରୁବାର ଠାରୁ ଦିଲ୍ଲୀ ସରକାର ବିଭିନ୍ନ କଟକଣା ଜାରି କରିବା ସହିତ ସ୍କୁଲଗୁଡ଼ିକୁ ଛୁଟି କରି ଦେଇଛନ୍ତିି। ତେବେ, ଦୀପାବଳି ଏବଂ ହରିଆଣାର ବିଲମାନଙ୍କରେ ଧାନ ଗଛର ଶୁଖିଲା ରୁଢ଼ ପୋଡ଼ି କାରଣରୁ ନଭେମ୍ବର ଶେଷ ବେଳକୁ ଏହି ପ୍ରଦୂଷଣ ଆହୁରି ଅଧିକ ଘନୀଭୂତ ହେବା ନିଶ୍ଚିତ। ବି.ଏମ୍.ଜେ.’ରେ ପ୍ରକାଶିତ ଆଲେଖ୍ୟର ଲେଖକମାନେ କହିଥାନ୍ତି ଯେ ‘ଟାଇପ୍-୨’ ମଧୁମେହକୁ କେବଳ ‘ଜୀବନଶୈଳୀ ଜନିତ’ ବୋଲି ଆଉ କହି ହେବନାହିଁ। କାରଣ ଏବେ ବାୟୁ ପ୍ରଦୂଷଣ ମଧ୍ୟ ଏକ ଦୋଷୀ ଭାବେ ଆବିର୍ଭୂତ। ସେମାନେ ପରାମର୍ଶ ଦେଇଥାନ୍ତି ଯେ ସରକାରଙ୍କୁ ଏ ସଂଦର୍ଭରେ ନୂତନ ନୀତିମାନ ପ୍ରସ୍ତୁତ କରିବାକୁ ହେବ। କିନ୍ତୁ ଏହା ଏକ ନିରାଟ ଅପ୍ରିୟ ସତ୍ୟ ନୁହେଁ କି ଯେ ବାୟୁ ପ୍ରଦୂଷଣର କାରଣ ମଧ୍ୟ ମନୁଷ୍ୟ ଏବଂ ତାହାର ଜୀବନଯାପନର ଶୈଳୀ? ସୁତରାଂ, ସବୁ କିଛି ହେଉଛି କେବଳ ମନୁଷ୍ୟର ଆତ୍ମଘାତ!
ଆତ୍ମଘାତ!
/sambad/media/post_attachments/wp-content/uploads/2023/05/sampadakiya.jpg)