ଗଲା ବୁଧବାର ଦିନ ସଂସଦ ଭବନ ମଧ୍ୟରେ ଘଟି ଯାଇଥିବା ଘଟଣାଟି ଯେ ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ଅସ୍ପୃହଣୀୟ, ତାହା ନିଃସନ୍ଦେହ। ଏହା ନିଶ୍ଚିତ ଯେ ଏହି ସ୍ତମ୍ଭର ପାଠକପାଠିକାମାନେ ଶଂସିତ ଘଟଣା ସଂପର୍କରେ ବର୍ତ୍ତମାନ ସୁଦ୍ଧା ଅବଗତ ହୋଇ ସାରିଥିବେ; ଯେଉଁ କାରଣରୁ ସେ ସମ୍ବନ୍ଧରେ ଅଧିକ ବର୍ଣ୍ଣନ କେବଳ ପୁନରାବୃତ୍ତି ହେବା ସହିତ ଏହି ସ୍ତମ୍ଭର ସ୍ଥାନ ଅପଚୟ କରିବ। କହିବା ଅନାବଶ୍ୟକ ଯେ ଏହା ଯେଉଁଭଳି ଏକ ବିଭୀଷିକାଭରା ଟ୍ରାଜେଡି ସୃଷ୍ଟି କରିପାରିବାର କ୍ଷମତା ବହନ କରିଥିଲା, ତାହା ଚିନ୍ତା କଲା ମାତ୍ରକେ ମେରୁମଜ୍ଜାରେ ଏକ ଶୀତଳ ଆତଙ୍କ ଖେଳି ଯାଇଥାଏ। ତେଣୁ ଏହା ଦ୍ବାରା ଧନ ବା ଜୀବନର ଆଦୌ କୌଣସି କ୍ଷତି ସାଧିତ ହୋଇ ନ ଥିବା ଏକ ପରମ ଆଶ୍ବସ୍ତିର କାରଣ ହୋଇଛି। କିନ୍ତୁ ଏଭଳି ଏକ ବିରଳତମ ଶ୍ରେଣୀର ଘଟଣା ସଂଘଟିତ ହେବା ଲାଗି କିଭଳି ଅବକାଶ ଲାଭ କରିପାରିଲା, ତାହା ମଧ୍ୟ ବିସ୍ମିତ କରିଥାଏ; ଯେଉଁ ପ୍ରସଙ୍ଗରେ ଏକ କ୍ଷୁଦ୍ର ଆଲୋଚନା ଆବଶ୍ୟକ ଭଳି ମନେ ହୋଇଥାଏ।
ଆଜିକୁ ୨୨ ବର୍ଷ ତଳେ ଅର୍ଥାତ୍‌ ୨୦୦୧ ମସିହା ଡିସେମ୍ବର ମାସ ୧୩ ତାରିଖରେ ଭାରତର ସଂସଦ ଭବନ ପ୍ରତ୍ୟକ୍ଷ କରିଥିବା ଭୟାବହ ଆତଙ୍କବାଦୀ ଆକ୍ରମଣର ବର୍ଷ ପୂର୍ତ୍ତି ଦିବସରେ ଏହା ଘଟିଥିବାରୁ ଏହାକୁ ସଂପୂର୍ଣ୍ଣ ଅପ୍ରତ୍ୟାଶିତ ବୋଲି ଅଭିହିତ କରାଯାଇ ପାରିବ ନାହିଁ। କେବଳ ସେତିକି ନୁହେଁ, ଏହି ତାରିଖରେ ସଂସଦ ଭବନ ଉପରେ ପୁନର୍ବାର ଆକ୍ରମଣ କରିବା ସକାଶେ ଯୁକ୍ତରାଷ୍ଟ୍ର ଆମେରିକାରୁ ଖଲିସ୍ତାନ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ ଦ୍ବାରା ପ୍ରଦତ୍ତ ଉତ୍ତେଜକ ଆହ୍ବାନ ପରିପ୍ରେକ୍ଷୀରେ ଏହା ହୁଏ’ତ ଏକ ସମ୍ଭାବ୍ୟ ବିପଦ ରୂପେ ଝୁଲି ରହିଥିଲା। ତେଣୁ ସ୍ବାଭାବିକ ଭାବେ ଆଶା କରାଯାଉଥିଲା ଯେ ଅନ୍ତତଃ ଏହି ତାରିଖରେ ସଂସଦର ବହୁ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଛିଦ୍ରହୀନ ହେବ। କିନ୍ତୁ ସେଭଳି ତ ହେଲା ନାହିଁ, ବରଂ ଏହା ସ୍ପଷ୍ଟ ହୋଇଗଲା ଯେ ଅତୀତରୁ ଆମକୁ କୌଣସି ଶିକ୍ଷା ମିଳି ପାରିନାହିଁ; ତାହା ହୋଇ ନ ଥିଲେ ବହୁ ସ୍ତରୀୟ ସୁରକ୍ଷା ବଳୟ ସତ୍ତ୍ବେ ଆମ ସଂସଦ ଭବନ ଏଭଳି ଅନୁପ୍ରବେଶ ଲାଗି ଯେ ଦୟନୀୟ ଭାବେ ଉନ୍ମୁକ୍ତ; ସେଭଳି ଲାଗନ୍ତା ନାହିଁ।
କହିବାରେ ଦ୍ବିଧା ନାହିଁ ଯେ ଏଥି ଲାଗି ଏକମାତ୍ର ଦାୟୀ ସୁରକ୍ଷା ବ୍ୟବସ୍ଥାରେ ରହିଥିବା ଛିଦ୍ର; ଯଦିଓ ସଂସଦକୁ ଘେରି ରହିଥିବା ବହୁ ସ୍ତରୀୟ ବଳୟ ସଂପୂର୍ଣ୍ଣ ଦୁର୍ଭେଦ୍ୟ ଭଳି ବୋଧ ହୋଇଥାଏ। ଯେଉଁ ଦୁଇ ସନ୍ଦିଗ୍‌ଧ ଯୁବକ ସଂସଦ ଭବନ ଭିତରେ ଧୂମ ପଟଳ ସୃଷ୍ଟି କରିବାରେ ସମର୍ଥ ହେଲେ, ସେମାନେ କୁଆଡ଼େ ସେମାନଙ୍କ ଜୋତା ଭିତରେ ଅତ୍ୟନ୍ତ ସନ୍ତର୍ପଣର ସହିତ ସେହି ଧୂମ ସୃଷ୍ଟିକାରୀ ‘କାନିଷ୍ଟର’ଗୁଡ଼ିକୁ ନେଇ ପ୍ରବେଶ କରିଥିଲେ। ନିୟମ ମୁତାବକ ସଂସଦରେ ପ୍ରବେଶ କରିବା ପୂର୍ବରୁ ଅନ୍ତିମ ସୁରକ୍ଷା ବଳୟରେ ସେମାନଙ୍କ ପରିଧାନ ଠାରୁ ଆରମ୍ଭ କରି ମୁଣା ଏବଂ ଜୋତା ସହିତ ଶରୀର ପର୍ଯ୍ୟନ୍ତ ସବୁ କିଛି ନିଖୁଣ ତନଖି ମଧ୍ୟ ଦେଇ ଯାଇଥିବା ଉଚିତ। ତାହା ସ‌େତ୍ତ୍ବ ଏଭଳି ଘଟି ପାରିଲା କେମିତି? କହିବା ବାହୁଲ୍ୟ ଯେ ଭାରତୀୟ ଗଣତନ୍ତ୍ରର ପବିତ୍ରତମ ମନ୍ଦିର ଭାବେ ପରିଚିତ ସଂସଦ ଭବନ ତା’ର ସୁରକ୍ଷା ଦୃଷ୍ଟିରୁ ଅନ୍ୟତମ ସର୍ବାଧିକ ସଂବେଦନଶୀଳ ସ୍ଥାନ। ସୁତରାଂ, ଏହାର ସୁରକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଅନମନୀୟ ଏବଂ ରନ୍ଧ୍ରହୀନ ହେବା ଜରୁରୀ। ତେଣୁ ଏଭଳି ତ୍ରୁଟିକୁ ଅତ୍ୟନ୍ତ ଗୁରୁତ୍ବର ସହିତ ନେଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବା ଏକାନ୍ତ ଆବଶ୍ୟକ। କିନ୍ତୁ ପ୍ରଶ୍ନ ଉଠିଥାଏ ଯେ ଏଭଳି ଅତି ସଂବେଦନଶୀଳ ସୁରକ୍ଷା ବଳୟରେ ଏଭଳି ଛିଦ୍ର ସ୍ଥାନ ପାଇଲା କିଭଳି?
ଅନେକଙ୍କ ମତରେ ଏକ ଦୁର୍ଭାଗ୍ୟ ହେଲା ଆମ ଦେଶର ବିଭିନ୍ନ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଅବସ୍ଥାପିତ ଥିବା ସୁରକ୍ଷା ବାହିନୀ ଅନେକ ସମୟରେ ନିଃସର୍ତ୍ତ ରୂପେ ଅନମନୀୟ ହୋଇ ରହିବାର ସୁଯୋଗ ମଧ୍ୟ ପାଇ ନ ଥାନ୍ତି। କୌଣସି ବିମାନ ବନ୍ଦରରେ ହେଉ ବା ଷ୍ଟାଡିଅମ୍‌ରେ ଅଥବା ଅନ୍ୟ କୌଣସି ସ୍ଥାନରେ; ଅନେକ ସମୟରେ ସୁରକ୍ଷା ତଦାରଖର ସମ୍ମୁଖୀନ ହେଉଥିବା ଅତି ବିଶିଷ୍ଟ ନାଗରିକଙ୍କ ଆକ୍ରୋଶର ଶରବ୍ୟ କର୍ତ୍ତବ୍ୟ ସଂପାଦନ କରିଥିବା ସେହି କର୍ମଚାରୀମାନେ ହୋଇଥାଆନ୍ତି। କାରଣ ଭାରତରେ ଦୃଢ଼ମୂଳ ହୋଇ ସାରିଥିବା ଅତି ବିଶିଷ୍ଟ ନାଗରିକଙ୍କ ଦ୍ବାରା ବିଶେଷାଧିକାର ଲାଭ କରିବାର ସଂସ୍କୃତି ସେମାନଙ୍କୁ ଏଭଳି ଅହମିକାଗ୍ରସ୍ତ କରି ପକାଇଛି ଯେ ସେମାନେ ନାଗରିକର ସର୍ବନିମ୍ନ ଦାୟିତ୍ବବୋଧ ପ୍ରଦର୍ଶନକୁ ଏକ ଇତର କାର୍ଯ୍ୟ ବୋଲି ମନେ କରନ୍ତି; ସେହି କ୍ରମରେ କୌଣସି ସୁରକ୍ଷା କର୍ମଚାରୀଙ୍କ ଯାଞ୍ଚ ବା ତନଖିକୁ ସଂପୃକ୍ତ କର୍ମଚାରୀଙ୍କ କର୍ତ୍ତବ୍ୟବୋଧ ବୋଲି ବିଚାର ନ କରି ବରଂ ଜଣେ ନିମ୍ନ ପାହ୍ୟା ସରକାରୀ କର୍ମଚାରୀ ଦ୍ବାରା ପ୍ରଦର୍ଶିତ ଆସ୍ପର୍ଦ୍ଧା ଭାବେ ଦେଖନ୍ତି ଏବଂ ଅବଲୀଳା କ୍ରମେ ତାହା ସେହି କର୍ମଚାରୀଙ୍କ ସକାଶେ ଲାଂଛନାର କାରଣ ମଧ୍ୟ ହୋଇଥାଏ। ଅନେକଙ୍କ ମତରେ ଏହି କାରଣରୁ ଅନେକ ସମୟରେ ଆମ ସୁରକ୍ଷା ବ୍ୟବସ୍ଥା ନମନୀୟ ହୋଇଯାଏ ଏବଂ କେବଳ ଅତି ବିଶିଷ୍ଟମାନେ ନୁହନ୍ତି, ସେମାନଙ୍କ ତଥାକଥିତ ସଂପର୍କୀୟମାନେ ମଧ୍ୟ ଅନାୟାସରେ ସୁରକ୍ଷା ବଳୟ ଭେଦ କରି ପାରୁଥିବା ଦର୍ପରେ ବକ୍ଷ ସ୍ଫୀତ କରି ଚାଲୁଥିବା ବେଳେ ସୁରକ୍ଷା ବାହିନୀ ଅଗତ୍ୟା ନମନୀୟ, ଶିଥିଳ ଏପରିକି ନିଃସ୍ପୃହ ମଧ୍ୟ ହୋଇଯାଆନ୍ତି। ସୁତରାଂ, ସଂସଦର ସୁରକ୍ଷା ବ୍ୟବସ୍ଥାକୁ ସମାଲୋଚନା କଲା ବେଳେ ଏହି ଦିଗଟିକୁ ନଜର ଅନ୍ଦାଜ କରିବା ମଧ୍ୟ ବୁଦ୍ଧିମାନର ପରିଚାୟକ ହେବନାହିଁ।
ଖବର ପ୍ରକାଶିତ ହୋଇଛି ଯେ ଯୁବକ ଦ୍ବୟ ଜଣେ ବିଜେପି ସାଂସଦଙ୍କ ପକ୍ଷରୁ ପ୍ରବେଶ ପତ୍ର ଲାଭ କରିଥିଲେ। କିନ୍ତୁ ଏକ ବାସ୍ତବତା ହେଲା ଦର୍ଶକ ଗ୍ୟାଲେରି ସକାଶେ ପ୍ରବେଶ ପତ୍ର ପ୍ରଦାନ କରିବାକୁ ସୁପାରିସ କଲା ବେଳେ ପ୍ରବେଶକାରୀର ଅଭିସନ୍ଧି ବିଷୟରେ ଧାରଣା କରିବା ଏକ ଅତ୍ୟନ୍ତ ଦୁରୂହ ବ୍ୟାପାର ହୋଇପଡ଼େ। ସୁତରାଂ, ଏ ନେଇ ସଂକୀର୍ଣ୍ଣ ଦଳୀୟ ରାଜନୀତି କରାଯିବା ମଧ୍ୟ ସ୍ପୃହଣୀୟ ନୁହେଁ, ଯାହା ଘଟଣା ଲାଗି ଦାୟୀ ପ୍ରକୃତ କାରଣଗୁଡ଼ିକୁ ନିଷ୍ପ୍ରଭ କରି ପକାଇବ। ଏହି ଘଟଣାରେ ଗିରଫ ତିନି ଯୁବକ ଏବଂ ଜଣେ ଯୁବତୀଙ୍କ ଦ୍ବାରା ପ୍ରଦତ୍ତ ସ୍ଳୋଗାନରୁ ଏହା ପ୍ରାୟ ସ୍ପଷ୍ଟ ଯେ ସେମାନେ ‘ଖଲିସ୍ତାନୀ’ ବା ‘ଇସଲାମୀୟ’ ଆତଙ୍କବାଦ ସହିତ ସଂପୃକ୍ତ ନ ଥିବେ; କାରଣ ଏଭଳି ଉଦ୍ଦେଶ୍ୟ ଦ୍ବାରା ପରିଚାଳିତ ଆକ୍ରମଣକାରୀମାନେ ଶେଷ ପର୍ଯ୍ୟନ୍ତ ନିଜ ଅଭୀଷ୍ଟ ସ୍ପଷ୍ଟ କରିବାକୁ ଚାହିଁଥାଆନ୍ତି, ଯାହା ସେମାନଙ୍କ ସ୍ଲୋଗାନରୁ ଜଣାପଡ଼ିଥାଏ। ଅବଶ୍ୟ ବି‌ଶେଷ ଅନୁସନ୍ଧାନ ପରେ ଯାଇ ସେମାନଙ୍କ ପ୍ରକୃତ ଉଦ୍ଦେଶ୍ୟ ଓ ସଂପୃକ୍ତି ସ୍ପଷ୍ଟ ହେବ। ଏକ ପ୍ରାଥମିକ ଧାରଣା କହିଥାଏ ଯେ ସେମାନେ ସମ୍ଭବତଃ ହେଉଛନ୍ତି ସରକାର ବିରୋଧୀ କିଛି ଉଦ୍‌ଭ୍ରାନ୍ତ ତତ୍ତ୍ବ, ଯେଉଁମାନେ ‌ସେମାନଙ୍କ ବିରୋଧ ପ୍ରକଟ କରିବାକୁ ଯାଇ ଏକ ଅକ୍ଷମଣୀୟ ଭାବେ ଗର୍ହିତ କାର୍ଯ୍ୟ କରି ପକାଇଛନ୍ତି। ସେମାନେ ଏକାକୀ ତାହା କରିଛନ୍ତି ନା ସେମାନଙ୍କ ପଛରେ କୌଣସି ସଂଗଠନର ଭୂମିକା ଅଛି, ତାହା ମଧ୍ୟ କେବଳ ଅଧିକ ଅନୁସନ୍ଧାନ ପରେ ଯାଇ ସ୍ପଷ୍ଟ ହେବ। ତେବେ ଏହି ଆକ୍ରମଣ ପରିପ୍ରେକ୍ଷୀରେ ଅନୁଚିନ୍ତାଟି ହେଲା କୌଣସି ଗଣତନ୍ତ୍ରରେ ତା’ର ଗରିମାର ପ୍ରତୀକ ରୂପେ ଅଧିଷ୍ଠିତ ସଂସଦ ଭବନ ସର୍ବାଧିକ ସୁରକ୍ଷିତ ହୋଇ ରହିବା ଜରୁରୀ, ଏବଂ ତା’ ଉପରେ କିଞ୍ଚିତ ଆକ୍ରମଣର ସମ୍ଭାବନା ମଧ୍ୟ ରାଷ୍ଟ୍ରର ଶକ୍ତି ଓ ସାମର୍ଥ୍ୟକୁ ପ୍ରଶ୍ନା‌କୁଳ କରି ପକାଇବ। ସଂସଦରେ ଏଭଳି ଘଟିବା ବେଳେ ମୁତୟନ ହୋଇଥିବା ସୁରକ୍ଷା କର୍ମଚାରୀମାନେ ପହଞ୍ଚିବା ପୂର୍ବରୁ ସାଂସଦମାନେ ଏହି ଯୁବକ ଦ୍ବୟଙ୍କୁ ଅକ୍ତିଆର କରି ଉତ୍ତମ-ମଧ୍ୟମର ବର୍ଷା କରିଥିଲେ, ଯାହା ଏକ ବ୍ୟଙ୍ଗର ସୂତ୍ରପାତ ଘଟାଇଛି ଯେ ସଂସଦରେ ବାହୁବଳୀ ନେତାମାନଙ୍କ ପ୍ରବେଶ ଅକାରଣ ନୁହେଁ। କିନ୍ତୁ ଏହା ବ୍ୟଙ୍ଗର ସମୟ ନୁହେଁ। ଏକ ଭୀଷଣ ଟ୍ରାଜେଡି ଘଟିବାର ସମସ୍ତ ସମ୍ଭାବନା ସତ୍ତ୍ବେ ଅଗତ୍ୟା ସେଭଳି ଘଟି ନ ଥିବାରୁ ଏହାକୁ ନାଟକ ପୂର୍ବର ରିହର୍ସାଲ ଭଳି ନିରୀହ ଶ୍ରେଣୀର ବୋଲି ବିଚାର କରିବା ମଧ୍ୟ ଘୋର ଅପରିପକ୍ବତା ହେବ। ୨୦୦୧ ମସିହାର ଆତଙ୍କବାଦୀ ଆକ୍ରମଣ ସତ୍ତ୍ବେ ତା’ର ବର୍ଷ ପୂର୍ତ୍ତି ଦିବସରେ ସଂସଦର ସୁରକ୍ଷା ବ୍ୟବସ୍ଥା ଭେଦ୍ୟ ହୋଇଯିବା ଏକ ଅପେକ୍ଷାକୃତ ବଡ଼ ଦୁର୍ଭାଗ୍ୟ।