ଜଗତ୍କରଣ ହେଉଛି ତିନି କିସମର ଜାତୀୟ ବଜାରମାନଙ୍କର ଆନ୍ତର୍ଜାତିକ ଏକୀକରଣ: ଦ୍ରବ୍ୟ ବଜାର, ପୁଞ୍ଜି ବଜାର ଓ ଶ୍ରମ ବଜାର। ଅର୍ଥାତ୍, ଏକ ଜଗତ୍କୃତ ପୃଥିବୀରେ ଦେଶ ଦେଶ ମଧ୍ୟରେ ଅବାଧ ବାଣିଜ୍ୟ କାରବାର ଚାଲିବ; ପୁଞ୍ଜି ନିବେଶକମାନେ ଅବାଧରେ ଯେ କୌଣସି ଦେଶରେ ନିବେଶ କରିପାରିବେ; ଓ ଉତ୍ତମ ପାରିଶ୍ରମିକ ସନ୍ଧାନରେ ଶ୍ରମିକମାନେ ଅବାଧରେ ଦେଶ ଦେଶ ମଧ୍ୟରେ ଗମନ କରିପାରିବେ। ଏହା ତେଣୁ ଏକ ଅସଙ୍ଗତି ଭଳି ଲାଗିଥାଏ ଯେ ଜଗତ୍କରଣ ପ୍ରକ୍ରିୟାରେ ପ୍ରଥମ ଦୁଇଟି ବଜାରରେ ଊଣା ଅଧିକେ ଏକୀକରଣ ଘଟିଥିଲେ ହେଁ, ଶ୍ରମ ବଜାର ପୂର୍ବ ଭଳି ବିଭିନ୍ନ ପ୍ରତିବନ୍ଧକମାନଙ୍କ ଦ୍ବାରା ଖଣ୍ଡ ବିଖଣ୍ଡିତ ହୋଇ ରହିଛି, ଯାହାର ଏକ ସଦ୍ୟ ଉଦାହରଣ ହେଉଛି ଏହି ବିମାନ ଅଟକ ଓ ପ୍ରତ୍ୟାବର୍ତ୍ତନ ଘଟଣା।
ଆଉ ମାତ୍ର ଚାରି ସପ୍ତାହ ପରେ ଫ୍ରାନ୍ସର ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରନ୍ ଭାରତର ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ରୂପେ ଅଭିବାଦନ ଗ୍ରହଣ କରିବେ। ଏହା ତେଣୁ ଉଭୟ ଦେଶ ପାଇଁ ଏକ ଆଶ୍ବସ୍ତିର କଥା ଯେ ଭାରତୀୟ ଯାତ୍ରୀମାନଙ୍କୁ ନେଇ ନିକାରାଗୁଆ ଅଭିମୁଖେ ଯାତ୍ରା କରୁଥିବା ଯେଉଁ ବିମାନକୁ ଫ୍ରାନ୍ସର ଏକ ବିମାନବନ୍ଦରଠାରେ ଅଟକାଇ ଦିଆଯାଇଥିଲା, ଫରାସୀ କର୍ତ୍ତୃପକ୍ଷ ତାହାକୁ ତୁରନ୍ତ ମୁକୁଳାଇ ଦେଇଛନ୍ତି।
ଦୁବାଇ ଠାରୁ ୩୦୩ ଜଣ ଯାତ୍ରୀଙ୍କୁ ଧରି ରୁମାନିଆର ଏହି ଭଡ଼ା ବିମାନ ଇନ୍ଧନ ଗ୍ରହଣ ପାଇଁ ଅବତରଣ କରିଥିବା ବେଳେ ମାନବ ଚାଲାଣ ସନ୍ଦେହରେ ପ୍ୟାରିସ୍ ନିକଟସ୍ଥ ଭାତ୍ରି ବିମାନବନ୍ଦରଠାରେ କର୍ତ୍ତୃପକ୍ଷ ଅଟକାଇ ଦେଇଥିଲେ। ଏହାପରେ ଆବଶ୍ୟକ ଅନୁସନ୍ଧାନକୁ ତ୍ବରାନ୍ବିତ କରି ଅଭିଯୋଗ ଭିତ୍ତିହୀନ ବୋଲି ସନ୍ତୁଷ୍ଟ ହେବା ପରେ ବିମାନଟିକୁ ଯାତ୍ରା କରିବା ପାଇଁ ଅନୁମତି ଦିଆଯିବାରୁ ବିମାନଟି ୨୭୬ ଜଣ ଭାରତୀୟ ଯାତ୍ରୀଙ୍କୁ ନେଇ ନିକାରାଗୁଆ ଅଭିମୁଖେ ଯାତ୍ରା କରିବା ପରିବର୍ତ୍ତେ ଫେରି ଆସି ମଙ୍ଗଳବାର ଭୋର ସମୟରେ ମୁମ୍ବାଇ ବିମାନବନ୍ଦରରେ ଅବତରଣ କରିଥିଲା। ସୂଚନା ଅନୁସାରେ ବିମାନର ବାକି ୨୭ ଜଣ ଯାତ୍ରୀ ଫ୍ରାନ୍ସରେ ଆଶ୍ରୟ ଭିକ୍ଷା କରିବାକୁ ନିଷ୍ପତ୍ତି ନେଇ ସେଠାରେ ରହି ଯାଇଛନ୍ତି। ବିମାନର ଯାତ୍ରୀମାନଙ୍କ ମଧ୍ୟରେ ଏକ ୨୧ ମାସ ବୟସର ଶିଶୁ ସହିତ ଅନ୍ୟ ୧୧ ଜଣ ନାବାଳକ ଅନ୍ତର୍ଭୁକ୍ତ ଥିଲେ, ଯେଉଁମାନଙ୍କର କେହି ସଂପର୍କୀୟ ବିମାନରେ ନ ଥିଲେ ବୋଲି ଖବର ପ୍ରକାଶ ପାଇଛି। ଫ୍ରାନ୍ସ ସ୍ଥିତ ଭାରତୀୟ ଦୂତାବାସ ସମସ୍ୟାର ଆଶୁ ସମାଧାନ ପାଇଁ ସଂପୃକ୍ତ ଫରାସୀ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜ୍ଞାପନ କରିଛି।
ବର୍ତ୍ତମାନ ପାଇଁ ସମସ୍ୟାଟି ଲୋକଲୋଚନରୁ ଅପସାରିତ ହୋଇ ଯାଇଥିଲେ ମଧ୍ୟ ସମଗ୍ର ଘଟଣାଟିର ଅନେକ ଦିଗ ଯେ ରହସ୍ୟାବୃତ୍ତ, ଏଥିରେ କୌଣସି ସନ୍ଦେହ ନାହିଁ। ଯେମିତି, ଏତେ ସଂଖ୍ୟକ ଭାରତୀୟ, ଯେଉଁମାନଙ୍କ ମଧ୍ୟରୁ ଅନେକ ହେଉଛନ୍ତି ସ୍ବଚ୍ଛଳ ପଞ୍ଜାବ ଓ ଗୁଜୁରାଟର ଅଧିବାସୀ, ନିକାରାଗୁଆ ପରି ଏକ ଅଖ୍ୟାତ ସମସ୍ୟାବହୁଳ ଦେଶକୁ କାହିଁକି ଯାତ୍ରା କରୁଥିଲେ? ସେମାନେ ଦୁବାଇରୁ କାହିଁକି ଯାତ୍ରା ଆରମ୍ଭ କରିଥିଲେ? ଏକ ଭଡ଼ା ବିଦେଶୀ ବିମାନରେ ସେମାନଙ୍କର ଯାତ୍ରା କିଏ ଓ କାହିଁକି ଆୟୋଜନ କରିଥିଲା? ଏ ନାବାଳକମାନେ କିପରି ଏ ଯାତ୍ରାରେ ସାମିଲ ହେଲେ ଓ କାହିଁକି?
ଏ ସମସ୍ତ ପ୍ରଶ୍ନର ଉତ୍ତର ଯାହା ହୋଇଥାଉ ନା କାହିଁକି, ଫ୍ରାନ୍ସ ମାଟିରେ ଯେଉଁ ସମୟରେ ଏହି ସନ୍ଦିଗ୍ଧ ଯାତ୍ରୀମାନେ ଅବତରଣ କରିଥିଲେ, ତାହା ସେ ଦେଶ ପାଇଁ ନିଶ୍ଚିତ ଭାବରେ ଅସୁବିଧାଜନକ ଥିଲା। ଏହାର କାରଣ, ସପ୍ତାହକ ତଳେ ଗତାନୁଗତିକ ଧାରାକୁ ଭଙ୍ଗ କରି ଫ୍ରାନ୍ସର ପାର୍ଲିଆମେଣ୍ଟ୍ରେ ସେ ଦେଶରେ ବହିରାଗତଙ୍କ ପ୍ରବେଶକୁ ନିୟନ୍ତ୍ରଣ କରିବା ପାଇଁ ଏକ କଠୋର ଆଇନ ପାରିତ ହୋଇଯାଇଛି। କେବଳ ଫ୍ରାନ୍ସରେ ନୁହେଁ, ଇଟାଲି, ହଙ୍ଗେରୀ, ହଲାଣ୍ଡ୍, ବ୍ରିଟେନ୍ ଆଦି ଦେଶମାନଙ୍କରେ ବର୍ତ୍ତମାନ ଏକ ବହିରାଗତ ବିରୋଧୀ ହାୱା ବହିବା ଦେଖା ଯାଇଛି। ବ୍ରିଟେନ୍ ତ ଅବୈଧ ଅନୁପ୍ରବେଶକାରୀମାନଙ୍କୁ ଆଫ୍ରିକାର ରୁଆଣ୍ଡାକୁ ପଠାଇ ଦେବାକୁ ଏକ ବିଧିବଦ୍ଧ ନୀତି ପ୍ରଣୟନ କରିଛି, ଯାହା ସେ ଦେଶରେ ଏକ ରାଜନୈତିକ ଝଡ଼ ସୃଷ୍ଟି କରିଛି। ଦ୍ବିତୀୟରେ ଅତୀତରେ ଦାସ ପ୍ରଥା ସୃଷ୍ଟି କରି ତା’ଦ୍ବାରା ପରିପୁଷ୍ଟ ହୋଇଥିବା ପାଶ୍ଚାତ୍ୟ ଜଗତରେ ବର୍ତ୍ତମାନ ମାନବ ଚାଲାଣକୁ ଦାସ ପ୍ରଥା ଅନୁରୂପ ଏକ ଜଘନ୍ୟ ଅପରାଧ ରୂପେ ବିବେଚନା କରାଯାଉଛି, ହୁଏତ ଅତୀତର ପାପ ପାଇଁ ପଶ୍ଚାତ୍ତାପ ସ୍ବରୂପ। ଭାରତୀୟ ଯାତ୍ରୀମାନଙ୍କୁ ନେଇ ସେଇ ବିମାନଟି ଅବତରଣ କରିବା ପୂର୍ବରୁ କେହି ଜଣେ ଫରାସୀ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲା ଯେ ବିମାନଟି ମାନବ ଚାଲାଣରେ ନିୟୋଜିତ ଅଛି। ଭାତ୍ରି ବିମାନ ବନ୍ଦର କର୍ତ୍ତୃପକ୍ଷ ତେଣୁ ରୁମାନିଆର ଲେଜେଣ୍ଡ୍ ଏଆର୍ଲାଇନ୍ସର ଏହି ଭଡ଼ା ବିମାନଟିକୁ ସେଠାରେ ଅଟକାଇ ଦେବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।
ପୃଥିବୀରେ ଶୋଷଣ ଉଦ୍ଦେଶ୍ୟରେ ସଂଘଟିତ ମାନବ ଚାଲାଣ ସଂପର୍କରେ ଜାତିସଂଘ ସୂତ୍ରରୁ ପ୍ରକାଶିତ ରିପୋର୍ଟମାନ ଘୋର ଚିନ୍ତାଜନକ ହୋଇଥାଏ। ‘ୟୁନାଇଟେଡ୍ ନେସନ୍ସ ଅଫିସ୍ ଅନ୍ ଡ୍ରଗ୍ସ ଆଣ୍ଡ୍ କ୍ରାଇମ୍’ ଦ୍ବାରା ୨୦୨୨ରେ ପ୍ରକାଶିତ ‘ରିପୋର୍ଟ ଅନ୍ ଟ୍ରାଫିକିଙ୍ଗ୍ ଇନ୍ ପର୍ସନ୍ସ’ (‘ମାନବ ଚାଲାଣ ସଂପର୍କିତ ରିପୋର୍ଟ’) ଅନୁସାେର କୋଭିଡ୍ ପାଣ୍ଡେମିକ୍ ଯୋଗୁଁ ପୃଥିବୀରେ ମାନବ ଚାଲାଣ ସଂପର୍କରେ ରିପୋର୍ଟ ହୋଇଥିବା କେସ୍ ସଂଖ୍ୟାରେ କିଛି ମାତ୍ରାରେ ହ୍ରାସ ଘଟିଥିଲେ ହେଁ ଚିତ୍ରଟି ତଥାପି ଉଦ୍ବେଗଜନକ ହୋଇଥାଏ। ମାନବ ଚାଲାଣ ପଛରେ ସାଧାରଣତଃ ଦୁଇଟି ଗର୍ହିତ ଉଦ୍ଦେଶ୍ୟ ନିହିତ ଥାଏ- ଯୌନଶୋଷଣ ଓ ଶ୍ରମଶୋଷଣ, ଯାହା ମଧ୍ୟରୁ ପ୍ରଥମଟି ହେଉଛି ନିଶ୍ଚିତ ରୂପେ ଅଧିକ ନିଷ୍ଠୁର ଓ ଅମାନୁଷିକ। ୨୦୦୩ରେ ଯେତେବେଳେ ଜାତିସଂଘର ମାନବ ଚାଲାଣ ସମ୍ବନ୍ଧିତ ନିୟମାବଳୀ ବା ‘ଟ୍ରାଫିକିଙ୍ଗ୍ ପ୍ରୋଟୋକଲ୍’ ବଳବତ୍ତର ହେଲା, ସେତେବେଳେ ପୃଥିବୀରେ ପ୍ରତି ଏକ ନିୟୁତ ଲୋକସଂଖ୍ୟାରେ ରିପୋର୍ଟ ହୋଇଥିବା ଯୌନଶୋଷଣ ଘଟଣା ସଂଖ୍ୟା ଥିଲା ୧.୫ ଓ ଶ୍ରମଶୋଷଣ ସଂଖ୍ୟା ଥିଲା ୦.୨ଟି। ୨୦୧୯ ବେଳକୁ ଏଥିରେ ବୃଦ୍ଧି ଘଟି ଯୌନଶୋଷଣ ସଂପର୍କିତ ମାନବ ଚାଲାଣ ପରିସଂଖ୍ୟାନ ୪.୮ ଓ ଶ୍ରମଶୋଷଣ ସଂପର୍କିତ ମାନବ ଚାଲାଣ ପରିସଂଖ୍ୟାନ ୩.୯ରେ ପହଞ୍ଚିଥିଲା। ଉପରୋକ୍ତ ରିପୋର୍ଟ ଅନୁସାରେ ପାଣ୍ଡେମିକ୍ ପ୍ରଭାବରେ ମାନବ ଚାଲାଣରେ ସାମାନ୍ୟ ହ୍ରାସ ଘଟି ୨୦୨୦ରେ ଏହି ଉଭୟ କିସମର ଚାଲାଣ ପାଇଁ ପରିସଂଖ୍ୟାନ ହୋଇଥିଲା ପ୍ରତି ଏକ ନିୟୁତ ଲୋକସଂଖ୍ୟାରେ ୩.୭।
ଉଲ୍ଲେଖ ନିଷ୍ପ୍ରୟୋଜନ, ଯେଉଁମାନେ ମାନବ ଚାଲାଣର ଶିକାର ହୋଇଥାନ୍ତି, ସେମାନେ ସଂପୂର୍ଣ୍ଣ ରୂେପ ନିଜର ସ୍ବାଧୀନତା ହରାଇ ଶୋଷଣର ସମ୍ମୁଖୀନ ହୋଇଥାନ୍ତି। ଏହାକୁ କିନ୍ତୁ ସ୍ବଇଚ୍ଛାରେ ଘଟୁଥିବା ଅବୈଧ ବିଦେଶ ଗମନ ସହିତ ସମାନ ବୋଲି ବିଚାର କରାଯିବା ଉଚିତ୍ ନୁହେଁ। ଯେଉଁ ଭାରତୀୟମାନେ ଉକ୍ତ ବିମାନରେ ନିକାରାଗୁଆ ଅଭିମୁଖେ ଯାତ୍ରା କରୁଥିଲେ, ସେମାନେ ସମ୍ଭବତଃ ସେଠାରୁ ଅବୈଧ ଉପାୟରେ ଯୁକ୍ତରାଷ୍ଟ୍ର ଆମେରିକା କିମ୍ବା କାନାଡାରେ ପ୍ରବେଶ କରିବା ଉଦ୍ଦେଶ୍ୟରେ ଏହି ଅଭିଯାନରେ ସାମିଲ ହୋଇଥିଲେ। ନିକାରାଗୁଆ, ହଣ୍ଡୁରାସ୍, ଏଲ୍ ସାଲ୍ଭାଡର୍ ଆଦି ଦେଶମାନଙ୍କରୁ ବହୁସଂଖ୍ୟାରେ ଜୀବିକାସନ୍ଧାନୀ ମେକ୍ସିକୋ ବାଟ ଦେଇ ଅବୈଧ ଭାବରେ ସୀମା ଅତିକ୍ରମ କରି କିପରି ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରବେଶ କରିଥାନ୍ତି, ତାହା ପୃଥିବୀସାରା ସୁବିଦିତ। ସେମାନଙ୍କୁ ଅଟକାଇବା ପାଇଁ ସୀମାରେ ଏକ ଅଲଂଘ୍ୟ କାନ୍ଥ ନିର୍ମାଣ ଡୋନାଲ୍ଡ ଟ୍ରମ୍ପ୍ଙ୍କ ସମୟରୁ ଆମେରିକାରେ ଏକ ମୁଖ୍ୟ ରାଜନୈତିକ ପ୍ରସଙ୍ଗରେ ପରିଣତ ହୋଇଛି।
ଏଥିରେ ସନ୍ଦେହ ନାହିଁ ଯେ ନିଜ ଦେଶରେ ପ୍ରବେଶ କରିବାର ଅନୁମତି କାହାକୁ ଦେବ ବା ନ ଦେବ, ସେ ସମ୍ବନ୍ଧରେ ନିଷ୍ପତ୍ତି ନେବାର ସଂପୂର୍ଣ୍ଣ ଅଧିକାର ହେଉଛି ଏକ ସାର୍ବଭୌମ ରାଷ୍ଟ୍ରର। କୌଣସି ଦେଶ ତେଣୁ ବିଦେଶୀ ଶ୍ରମିକମାନଙ୍କର ଅବାଧ ପ୍ରବେଶକୁ ବାଧା ଦେବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କିନ୍ତୁ ନିକଟ ଅତୀତରେ ପୃଥିବୀରେ ଯେଉଁ ଜଗତ୍କରଣ ଲହରୀର ଆବିର୍ଭାବ ଘଟିଛି, ସେଇ ପରିପ୍ରେକ୍ଷୀରେ ଦେଶ ଦେଶ ମଧ୍ୟରେ ଶ୍ରମ ପ୍ରବାହରେ ସୃଷ୍ଟି କରାଯାଉଥିବା ପ୍ରତିବନ୍ଧକମାନଙ୍କରେ ଏକ ଗୁରୁତର ଅସଙ୍ଗତି ପରିଲକ୍ଷିତ ହୋଇଥାଏ। ଜଗତ୍କରଣ ହେଉଛି ତିନି କିସମର ଜାତୀୟ ବଜାରମାନଙ୍କର ଆନ୍ତର୍ଜାତିକ ଏକୀକରଣ: ଦ୍ରବ୍ୟ ବଜାର, ପୁଞ୍ଜି ବଜାର ଓ ଶ୍ରମ ବଜାର। ଅର୍ଥାତ୍, ଏକ ଜଗତ୍କୃତ ପୃଥିବୀରେ ଦେଶ ଦେଶ ମଧ୍ୟରେ ଅବାଧ ବାଣିଜ୍ୟ କାରବାର ଚାଲିବ; ପୁଞ୍ଜି ନିବେଶକମାନେ ଅବାଧରେ ଯେ କୌଣସି ଦେଶରେ ନିବେଶ କରିପାରିବେ; ଓ ଉତ୍ତମ ପାରିଶ୍ରମିକ ସନ୍ଧାନରେ ଶ୍ରମିକମାନେ ଅବାଧରେ ଦେଶ ଦେଶ ମଧ୍ୟରେ ଗମନ କରିପାରିବେ। ଏହା ତେଣୁ ଏକ ଅସଙ୍ଗତି ଭଳି ଲାଗିଥାଏ ଯେ ଜଗତ୍କରଣ ପ୍ରକ୍ରିୟାରେ ପ୍ରଥମ ଦୁଇଟି ବଜାରରେ ଊଣା ଅଧିକେ ଏକୀକରଣ ଘଟିଥିଲେ ହେଁ, ଶ୍ରମ ବଜାର ପୂର୍ବ ଭଳି ବିଭିନ୍ନ ପ୍ରତିବନ୍ଧକମାନଙ୍କ ଦ୍ବାରା ଖଣ୍ଡ ବିଖଣ୍ଡିତ ହୋଇ ରହିଛି, ଯାହାର ଏକ ସଦ୍ୟ ଉଦାହରଣ ହେଉଛି ଏହି ବିମାନ ଅଟକ ଓ ପ୍ରତ୍ୟାବର୍ତ୍ତନ ଘଟଣା। ବର୍ତ୍ତମାନ ପୃଥିବୀର ଭୌଗୋଳିକ-ରାଜନୈତିକ ପରିପ୍ରେକ୍ଷୀରେ ଏଥିରେ ଏବେ କୌଣସି ଉନ୍ନତି ଘଟିବାର ଆଶା କ୍ଷୀଣ ହୋଇଥିଲେ ହେଁ, ଦିନେ ଏହି ତୃତୀୟ ବଜାରର ଏକୀକରଣ ଆନ୍ତର୍ଜାତିକ ସମୁଦାୟର ଲକ୍ଷ୍ୟ ହେବା ଉଚିତ।